Unknown

 

 

 

 

 

 

 

ମହାଭାରତ ବନପର୍ବ-୪

 

ଭାଷାନ୍ତର

ଗୋବିନ୍ଦଚନ୍ଦ୍ର ମହାପାତ୍ର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ସୂଚୀପତ୍ର

 

ଅଧ୍ୟାୟ

ବିଷୟ

୨୬୦

ମୁଦ୍‌ଗଳୋପାଖ୍ୟାନ

୨୬୧

ମୁଦ୍‌ଗଳ-ଦେବଦୂତ ସମ୍ବାଦ

୨୬୨

ଦୁର୍ବାସା ଉପାଖ୍ୟାନ

୨୬୩

କୃଷ୍ଣଙ୍କର ପାଣ୍ଡବଙ୍କୁ ଆଶ୍ୱାସନା

୨୬୪

ଜୟଦ୍ରଥର ଆଗମନ

୨୬୫

କୋଟିକାସ୍ୟ ପ୍ରଶ୍ନ

୨୬୬

ଦ୍ରୌପଦୀଙ୍କ ଉକ୍ତି

୨୬୭

ଜୟଦ୍ରଥ-ଦ୍ରୌପଦୀ ସମ୍ବାଦ

୨୬୮

ଦ୍ରୌପଦୀ-ହରଣ

୨୬୯

ପାର୍ଥାଗମନ

୨୭୦

ଦ୍ରୌପଦୀଙ୍କ ଉକ୍ତି

୨୭୧

ଜୟଦ୍ରଥ ପଳାୟନ

୨୭୨

ଜୟଦ୍ରଥ ବିମୋକ୍ଷଣ

୨୭୩

ଯୁଧିଷ୍ଠିର ପ୍ରଶ୍ନ

୨୭୪

ରାମ-ରାବଣଙ୍କ ଜନ୍ମକଥନ

୨୭୫

ରାବଣାଦିଙ୍କ ବରପ୍ରାପ୍ତି

୨୭୬

ବାନରାଦି ଉତ୍ପତ୍ତି

୨୭୭

ରାମବନାଭିଗମନ

୨୭୮

ସୀତାହରଣ

୨୭୯

କବନ୍ଧ ହନନ

୨୮୦

ତ୍ରିଜଟାର ସୀତା ସାନ୍ତ୍ୱନା

୨୮୧

ସୀତା-ରାବଣ ସମ୍ବାଦ

୨୮୨

ହନୁମତ୍ ପ୍ରତ୍ୟାଗମନ

୨୮୩

ସେତୁବନ୍ଧନ

୨୮୪

ଲଙ୍କାପ୍ରବେଶ

୨୮୫

ରାମ-ରାବଣ ଦ୍ୱନ୍ଦ୍ୱଯୁଦ୍ଧ

୨୮୬

କୁମ୍ଭକର୍ଣ୍ଣ ନିର୍ଗମନ

୨୮୭

କୁମ୍ଭକର୍ଣ୍ଣାଦି ବଧ

୨୮୮

ଇନ୍ଦ୍ରଜିତ୍ ଯୁଦ୍ଧ

୨୮୯

ଇନ୍ଦ୍ରଜିତ୍ ବଧ

୨୯୦

ରାବଣ ବଧ

୨୯୧

ରାମାଭିଷେକ

୨୯୨

ଯୁଧିଷ୍ଠିର-ଆଶ୍ୱାସନ

୨୯୩

ସାବିତ୍ରୀ ଉପାଖ୍ୟାନ

୨୯୪

ସାବିତ୍ରୀ ବିବାହ

୨୯୫

ସାବିତ୍ରୀଙ୍କ ସେବା

୨୯୬

ସାବିତ୍ରୀଙ୍କର ସତ୍ୟବାନଙ୍କ ସହ ବନଗମନ

୨୯୭

ସାବିତ୍ରୀ-ଯମ ସମ୍ବାଦ

୨୯୮

ବରପ୍ରାପ୍ତିର ବିବରଣ

୨୯୯

ସାବିତ୍ରୀଙ୍କର ପୁତ୍ର ଓ ଭାଇର ଜନ୍ମ

୩୦୦

ସୂର୍ଯ୍ୟ-କର୍ଣ୍ଣ ସମ୍ବାଦ

୩୦୧

ସୂର୍ଯ୍ୟଙ୍କର ଆଦେଶ

୩୦୨

କର୍ଣ୍ଣଙ୍କର ସ୍ୱପ୍ନ-ବୃତ୍ତାନ୍ତ

୩୦୩

ପୃଥାକୁ ଉପଦେଶ

୩୦୪

ପୃଥା-ଦ୍ୱିଜପରିଚର୍ଯ୍ୟା

୩୦୫

ପୃଥାର ମନ୍ତ୍ର-ପ୍ରାପ୍ତି

୩୦୬

ସୂର୍ଯ୍ୟଙ୍କ ଆବାହନ

୩୦୭

ସୂର୍ଯ୍ୟ-କୁନ୍ତୀ ସମାଗମ

୩୦୮

କର୍ଣ୍ଣ ପରିତ୍ୟାଗ

୩୦୯

ରାଧାଙ୍କ କର୍ଣ୍ଣ ପ୍ରାପ୍ତି

୩୧୦

କବଚ-କୁଣ୍ଡଳ ଦାନ

୩୧୧

ମୃଗାନ୍ୱେଷଣ

୩୧୨

ନକୁଳାଦିଙ୍କ ପତନ

୩୧୩

ଯକ୍ଷ ପ୍ରଶ୍ନ

୩୧୪

ନକୁଳାଦି ଜୀବନଙ୍କ ଦାନ ବରପ୍ରାପ୍ତି

୩୧୫

ଅଜ୍ଞାତବାସ ପାଇଁ ପରାମର୍ଶ

☆☆☆

 

॥ ଅଧ୍ୟାୟ – ୨୬୦ ॥

 

ଯୁଧିଷ୍ଠିର କହିଲେ, ହେ ଭଗବନ୍‌ ! ସେହି ମହାତ୍ମା କି ନିମିତ୍ତ, କାହାକୁ ଓ କିରୂପେ ଦାନ କରିଥିଲେ, ତତ୍ ସମୁଦାୟ ଆମ୍ଭଙ୍କୁ ଅନୁଗ୍ରହ କରି କହିବା ହେଉନ୍ତୁ ।୧। ଆମ୍ଭର ବୋଧ ହେଉଅଛି ଯେ, ଭଗବାନ ସବୁ ଧର୍ମ ପ୍ରତ୍ୟକ୍ଷ କରନ୍ତି । ସେ ଯାହାଙ୍କ ପ୍ରତି ସନ୍ତୁଷ୍ଟ ହୋଇଅଛନ୍ତି, ସେହି ସାଧୁପୁରୁଷର ଜନ୍ମ ସଫଳ ।୨। ବ୍ୟାସ କହିଲେ, ହେ ରାଜନ୍‌ ! କୁରୁକ୍ଷେତ୍ରରେ ମୁଦ୍‌ଗଲ ନାମରେ ଏକ ଋଷି ଥିଲେ । ସେ ସତ୍ୟବାଦୀ, ଅକ୍ରୋଧୀ, ଜିତେନ୍ଦ୍ରିୟ ଓ ଧର୍ମାତ୍ମା ବୋଲି ବିଖ୍ୟାତ ଥିଲେ ।୩। କୃଷକମାନେ କ୍ଷେତ୍ରରୁ ଶସ୍ୟ ସଂଗ୍ରହ କରି ଗୃହକୁ ଘେନିଯିବା ବେଳେ ଯେଉଁ ସବୁ ମଞ୍ଜରୀ ଓ ବୀଜ ପତିତ ହୋଇଥାଏ, ତାହାକୁ ସେ ଆହରଣ କରି ଆପଣାର ଜୀବନୋପାୟ କରନ୍ତି । ଏହିପରି ପାରାବତ-ବ୍ରତ ଅବଲମ୍ବନ କରି ସୁଦ୍ଧା ସେହି ମହାତପା ଋଷି ଅତିଥି ସତ୍କାର କରନ୍ତି, ଇଷ୍ଟି ନାମକ ଯଜ୍ଞ କରନ୍ତି ଓ ଅନ୍ୟାନ୍ୟ କ୍ରିୟା ସମ୍ପନ୍ନ କରନ୍ତି ।୪। ସେ ପୁତ୍ରକଳତ୍ରଙ୍କ ସହିତ ଏକ ପକ୍ଷ ଆହାର କରି ଆଉ ଏକ ପକ୍ଷ ଉକ୍ତ ପ୍ରକାରେ ପାରାବତ ବୃତ୍ତିଦ୍ୱାରା ଦ୍ରୋଣେ ବ୍ରୀହି ଅର୍ଥାତ୍ ଏକ ଅଡ଼ା ଧାନ୍ୟ ଉପାର୍ଜନରେ ନିଯୁକ୍ତ ଥାନ୍ତି ।୫। ଏହିପରି ସେ ମତ୍ସରତାବିହୀନ ହୋଇ ଅମାବାସ୍ୟା ଓ ପୌର୍ଣ୍ଣମାସୀରେ ଯଜ୍ଞର ଅନୁଷ୍ଠାନ କରନ୍ତି, ଦେବତାଙ୍କର ଅର୍ଚ୍ଚନା କରନ୍ତି ଓ ଅତିଥିମାନେ ଭୋଜନ କଲା ପରେ ଅବଶିଷ୍ଟ ଭୁକ୍ତ ଅନ୍ନଦ୍ୱାରା ଦେହ ପାଳନ କରନ୍ତି ।୬। ମହାରାଜ ! ତ୍ରିଭୁବନନାଥ ଇନ୍ଦ୍ର ସ୍ୱୟଂ ଦେବଗଣଙ୍କୁ ଘେନି ସେହି ବ୍ରାହ୍ମଣଙ୍କ ଯଜ୍ଞରେ ନିଜ ନିଜର ଅଂଶ ଗ୍ରହଣ କରନ୍ତି ।୭। ମୁଦ୍‌ଗଲ ଋଷି ଏହି ମୁନିବୃତ୍ତିକୁ ଅବଲମ୍ବନ କରି ପୂର୍ବକାଳରୁ ପ୍ରଫୁଲ୍ଲ ଚିତ୍ତରେ ଅତିଥିମାନଙ୍କୁ ଅନ୍ନ ପ୍ରଦାନ କରୁଥିଲେ ।୮। ଆନନ୍ଦ ହୃଦୟରେ ଅନ୍ନଦାନ କରିବାରୁ ସେହି ମହାତ୍ମାଙ୍କର ବ୍ରୀହିଦ୍ରୋଣର ଅବଶିଷ୍ଟ ଧାନ୍ୟ ଅତିଥିମାନଙ୍କୁ ଦେଖିଲାକ୍ଷଣି ବୃଦ୍ଧି ପ୍ରାପ୍ତ ହୁଏ ।୯। ସେହି ମୁନିଙ୍କର ଦାନ ବିଷୟରେ ଚିତ୍ତ ବିଶୁଦ୍ଧ ହେତୁ ସେହି ଅନ୍ନ ଏତେ ଅଧିକ ପରିମାଣରେ ବର୍ଦ୍ଧିତ ହୁଏ ଯେ ଶତ ଶତ ବ୍ରାହ୍ମଣ ପଣ୍ଡିତ ତାହାକୁ ଭୋଜନ କରନ୍ତି ।୧୦। ହେ ପାଣ୍ଡୁନନ୍ଦନ ନରନାଥ ! ଏକ ସମୟରେ ଦୁର୍ବାସା ଋଷି ନଗ୍ନ ହୋଇ ମସ୍ତକ ମୁଣ୍ଡନ କରି ସେହି ମୁଦ୍‌ଗଲ ଋଷିଙ୍କ ବୃତ୍ତାନ୍ତ ଶୁଣି ଅତିଶୟ ନିଷ୍ଠୁର ବାକ୍ୟଦ୍ୱାରା ତାହାଙ୍କୁ ଭର୍ତ୍ସନା କରି ତାହାଙ୍କ ସମୀପରେ ଉପସ୍ଥିତ ହେଲେ ।୧୨।

 

ତତ୍ପରେ ଦୁର୍ବାସା ସେହି ବିପ୍ରଙ୍କୁ କହିଲେ, ହେ ଦ୍ୱିଜସତ୍ତମ ! ଆମ୍ଭେ ଅନ୍ନାକାଙ୍‌କ୍ଷୀ ହୋଇ ଉପସ୍ଥିତ ହୋଇଅଛୁ ।୧୩। ମୁଦ୍‌ଗଲ ଋଷି ଅତିଥି ସେବା କରନ୍ତି ଓ ଚିତ୍ତ ସଂଯମରେ ରତ ଥାନ୍ତି । ସେ ଉତ୍ତର କଲେ, ଆପଣଙ୍କର ଶୁଭାଗମନ ହେଉ । ତତ୍ପରେ ସେ ବ୍ରାହ୍ମଣଙ୍କୁ ପାଦ୍ୟ ଓ ଆଚମନୀୟଦ୍ୱାରା ସତ୍କାର କଲେ । ଅତିଶୟ ଶ୍ରଦ୍ଧା ସହିତ ତପସ୍ୟୋଚିତ ଅନ୍ନ ନେଇ କ୍ଷୁଧାବିଷ୍ଟ ସେହି ଉନ୍ନତ ମୁନିଙ୍କୁ ପ୍ରଦାନ କଲେ ।୧୫। ଅନନ୍ତର କ୍ଷୁଧାନ୍ୱିତ ଉନ୍ନତ ଦୁର୍ବାସା ମୁନି ସେହି ସୁସ୍ୱାଦୁ ଅନ୍ନ ଭୋଜନ କଲେ । ମୁଦ୍‌ଗଲ ତାହାଙ୍କୁ ପୁନର୍ବାର ଆଉ କିଛି ଅନ୍ନ ସମର୍ପଣ କଲେ ।୧୬। ଏହି ରୂପେ ମୁଦ୍‌ଗଲ ପ୍ରଦତ୍ତ ସମଗ୍ର ଅନ୍ନ ଭୋଜନ କରିସାରି ଦୁର୍ବାସା ଆପଣାର ଉଚ୍ଛିଷ୍ଟଦ୍ୱାରା ସର୍ବାଙ୍ଗ ଲେପନ କଲେ ଓ ଯେଉଁ ଭାବରେ ଆସିଥିଲେ, ସେହିପରି ପ୍ରସ୍ଥାନ କଲେ ।୧୭। ଏହିପରି ଦ୍ୱିତୀୟ ପର୍ବକାଳ ଉପସ୍ଥିତ ହୁଅନ୍ତେ ଦୁର୍ବାସା ପୁନରାଗମନ କରି ଉଞ୍ଛବୃତ୍ତି ମୁଦ୍‌ଗଲ ମୁନିଙ୍କର ସବୁ ଅନ୍ନ ଭୋଜନ କଲେ ।୧୮। ମୁଦ୍‌ଗଲ ମୁନି ନିରାହାରରେ ରହି ପୁନର୍ବାର ଶସ୍ୟକଣା ଉପାର୍ଜନରେ ପ୍ରବୃତ୍ତ ହେଲେ; ତଥାପି କ୍ଷୁଧା ତାହାଙ୍କର କୌଣସି ବିକାର କରିପାରିଲା ନାହିଁ ।୧୯। ପୁତ୍ର ଓ କଳତ୍ରଙ୍କୁ ସଙ୍ଗରେ ଘେନି ଉଞ୍ଛବୃତ୍ତିରେ ପୁନର୍ବାର ପ୍ରବୃତ୍ତ ହେଲେ । ତାହାଙ୍କ ମନରେ କ୍ରୋଧ କି ମାତ୍ସର୍ଯ୍ୟ ବା ଅବମାନନା କିଛି ପ୍ରବେଶ କରିପାରିଲା ନାହିଁ ।୨୦। ଉକ୍ତ ପ୍ରକାରେ ପର୍ବ ସମୟରେ ମୁନିବର ଦୁର୍ବାସା ପ୍ରତିଜ୍ଞା କରି ଛଅ ଥର ତାହାଙ୍କ ସମୀପରେ ଉପସ୍ଥିତ ହେଲେ ।୨୧। ତଥାପି ତାହାଙ୍କ ଅନ୍ତଃକରଣରେ କୌଣସି ବିକାର ଦେଖିପାରିଲେ ନାହିଁ । ଶୁଦ୍ଧସତ୍ତ୍ୱ ମୁଦ୍‌ଗଲ ମୁନିଙ୍କର ମନ ନିର୍ମଳ ଓ ପବିତ୍ର ଥିବାର ସେ ଦେଖିଲେ ।୨୨।

 

ପରିଶେଷରେ ଦୁର୍ବାସା ପ୍ରୀତ ହୋଇ ମୁଦ୍‌ଗଲଙ୍କୁ ଏହି ବାକ୍ୟ କହିଲେ, ଆପଣଙ୍କ ପ୍ରାୟ ଅଭିମାନହୀନ ଦାତା ଏହି ଭୂମଣ୍ଡଳ ମଧ୍ୟରେ ଆଉ କେହି ନାହିଁ ।୨୩। କ୍ଷୁଧା ହେଲେ ଧର୍ମବୁଦ୍ଧି ହଜିଯାଏ, ଧୈର୍ଯ୍ୟକୁ କ୍ଷୁଧା ହରଣ କରେ, ରସନା ଭକ୍ଷଣ କରିବା ନିମିତ୍ତ ପୁରୁଷର ମନକୁ ଆକର୍ଷଣ କରେ ।୨୪। ଆହାର କଲେ ପ୍ରାଣମାନେ ଧୃତ ହୋଇଥାନ୍ତି । ଚିତ୍ତ ସ୍ୱଭାବତଃ ଚଞ୍ଚଳ; ତାହାକୁ ନିଗ୍ରହ କରିବା ସହଜ ନୁହେ । ମନ ଓ ଇନ୍ଦ୍ରିୟମାନଙ୍କର ଏକାଗ୍ରତାକୁ ତପସ୍ୟା ବୋଲାଯାଏ ।୨୫। ପରିଶ୍ରମଦ୍ୱାରା ଯାହା ଉପାର୍ଜିତ ହୁଏ, ତାହାକୁ ଶୁଦ୍ଧ ଚିତ୍ତରେ ପରିତ୍ୟାଗ କରିବା ଅତି କଷ୍ଟସାଧ୍ୟ । କିନ୍ତୁ ଆପଣ ସାଧୁପୁରୁଷ, ଆପଣ ସେହି ସମୁଦାୟ ବିଷୟ ଉପପାଦିତ କରିବା ହେଲେ ।୨୬। ଆପଣଙ୍କର ସଂସର୍ଗଲାଭ କରି ଆମ୍ଭେ ପ୍ରୀତ ଓ ଅନୁଗୃହୀତ ହେଲୁ । ଆପଣଙ୍କଠାରେ ଇନ୍ଦ୍ରିୟ ଜୟ, ଧୈର୍ଯ୍ୟ, ସମ୍ବିଭାଗ, ଦମ, ଶମ, ଦୟା, ସତ୍ୟ ଓ ଧର୍ମ ସମସ୍ତ ପ୍ରତିଷ୍ଠିତ ଅଛି । ଆପଣ କ୍ରିୟାକଳାପଦ୍ୱାରା ଲୋକମାନଙ୍କୁ ଜୟ କରି ପରମଗତି ପ୍ରାପ୍ତ ହୋଇଅଛନ୍ତି ।୨୮। ବଡ଼ ଆନନ୍ଦର ବିଷୟ ଯେ ସୁରପୁରବାସୀମାନେ ମଧ୍ୟ ଆପଣଙ୍କର ଦାନବୃତ୍ତାନ୍ତ ଘୋଷଣା କରିଅଛନ୍ତି । ଆପଣ ସୁବ୍ରତ, ଆପଣ ଏହି ଶରୀର ସହିତ ସୁରସଦନକୁ ଗମନ କରିବା ହେବେ ।୨୯। ଦୁର୍ବାସା ଋଷି ଏହିପରି କହୁଅଛନ୍ତି, ଏମନ୍ତ ସମୟରେ ଦେବଦୂତ ଆସି ବିମାନ ସହିତ ମୁଦ୍‌ଗଲ ଋଷିଙ୍କ ସମୀପରେ ଉପସ୍ଥିତ ହେଲେ । ସେହି ବିମାନ କିଙ୍କିଣୀ ଜାଲରେ ମଣ୍ଡିତ, ହଂସ ସାରସ ପ୍ରଭୃତି ଚିତ୍ରରେ ସଂଯୁକ୍ତ, ଦିବ୍ୟଗନ୍ଧ ଉଦ୍‌ଗାରୀ ଓ କାମଗାମୀ ହୋଇଥିଲା ।୩୧। ଦେବଦୂତ ଆସି ବିପ୍ରର୍ଷିଙ୍କୁ କହିଲେ, ଆପଣ ମୁନି, ପରମ ସିଦ୍ଧି ପ୍ରାପ୍ତ ହୋଇଅଛନ୍ତି, ଅତଏବ ଆପଣ ଏହି ଶତାଙ୍ଗ ବିମାନକୁ ଆପଣା କର୍ମଦ୍ୱାରା ଅର୍ଜନ କରିଅଛନ୍ତି । ଏଥିରେ ଆରୋହଣ କରନ୍ତୁ ।୩୨।

 

ଦେବଦୂତ ଏହି ରୂପେ କହନ୍ତେ ମୁଦ୍‌ଗଲ ଋଷି ତାହାଙ୍କୁ ଉତ୍ତର ଦେଲେ ଯେ ସ୍ୱର୍ଗବାସୀମାନଙ୍କର ସମୁଦାୟ ଗୁଣ ଆମ୍ଭେ ଶ୍ରବଣ କରିବାକୁ ଇଚ୍ଛୁକ ହୋଇଅଛୁ । ଆପଣ ବର୍ଣ୍ଣନ କରିବା ହେଉନ୍ତୁ ।୩୩। ହେ ଦେବଦୂତ ! ଯେଉଁମାନେ ସୁରାଳୟରେ ବାସ କରିଅଛନ୍ତି, ସେମାନଙ୍କର କି ବିଶିଷ୍ଟ ଗୁଣ ଅଛି ? ସେମାନଙ୍କର ତପସ୍ୟା କିପରି ? ସେମାନଙ୍କର ସ୍ଥିର ବିଚାର କିପରି ? ସ୍ୱର୍ଗରେ କି ସୁଖ ଏବଂ କି ଦୁଃଖ ଅଛି ?୩୪। ହେ ବିଭୋ ! ସତ୍‍କୁଳପ୍ରସୂତ ସଜ୍ଜନମାନେ କହିଅଛନ୍ତି ଯେ ଯେଉଁ ବ୍ୟକ୍ତି କେବଳ ସାତପାଦ ଗମନ କରି ଯେଉଁ ସାଧୁପୁରୁଷଙ୍କ ନିକଟକୁ ଯାଏ, ସେ ବ୍ୟକ୍ତି ତାହାଙ୍କର ମିତ୍ର ଅଟେ; ଅତଏବ ଆମ୍ଭେ ମିତ୍ରତାକୁ ସ୍ଥାପନା କରି ଆପଣଙ୍କୁ ପ୍ରଶ୍ନ କରୁଅଛୁ ।୩୫। ଏ ବିଷୟରେ ଆପଣ କୌଣସି ସଂଶୟ ନ କରି ଯାହା ସତ୍ୟ ଓ ପ୍ରିୟ, ତାହା କହିବା ହେଉନ୍ତୁ । ଆମ୍ଭେ ଶ୍ରବଣ କରି ଆପଣଙ୍କ ଆଦେଶାନୁସାରେ ବିହିତ କାର୍ଯ୍ୟ ସମ୍ପାଦନ କରିବୁ ।୩୬।

 

॥ ଅଧ୍ୟାୟ – ୨୬୧ ॥

 

ଦେବଦୂତ କହିଲେ, ହେ ମହର୍ଷେ ! ଆପଣ ଉଦାରଚେତା ଅଟନ୍ତି । ଯଦ୍ଦ୍ୱାରା ବହୁ ସମ୍ମାନ ପ୍ରାପ୍ତ ହୁଏ, ସେହି ଉତ୍ତମ ସ୍ୱର୍ଗସୁଖକୁ ଆପଣ ମୂଢ଼ମାନଙ୍କ ପରି ବିଚାର କରୁଅଛନ୍ତି ।୧। ହେ ମୁନେ-! ଯାହାକୁ ସ୍ୱର୍ଗ ବୋଲାଯାଏ, ସେହି ଲୋକ ଏହି ପୃଥିବୀର ଊର୍ଦ୍ଧ୍ୱ ଭାଗରେ ଅବସ୍ଥିତ-। ଯାହାକୁ ଊର୍ଦ୍ଧ୍ୱବର୍ତ୍ତୀ ସତ୍‌ପଥ କୁହାଯାଏ, ଦେବଯାନରେ ଯେଉଁଠାକୁ ଗମନ କରିହୁଏ, ତାହାର ନାମ ସୁରଲୋକ ।୨। ହେ ମୁଦ୍‌ଗଲ, ଯେ ତପସ୍ୟା କରି ନାହିଁ, ଯେଉଁମାନେ ମହାଯଜ୍ଞ କରି ନାହାନ୍ତି, ଯେଉଁମାନେ ମିଥ୍ୟାବାଦୀ ଓ ନାସ୍ତିକ, ସେମାନେ ସ୍ୱର୍ଗକୁ ଯାଇପାରନ୍ତି ନାହିଁ ।୩। ହେ ବ୍ରହ୍ମନ୍‌-! ଧର୍ମାତ୍ମା, ଜିତାତ୍ମା, ଶାନ୍ତ, ଦାନ୍ତ, ଅମତ୍ସର, ଦାନଧର୍ମରତ ଓ ଯୋଦ୍ଧା, ସେହି ଶୂର ପୁରୁଷମାନେ ଶମଦମାତ୍ମକ ପ୍ରଧାନ ଧର୍ମକୁ ଆଚରଣ କରି ସ୍ୱର୍ଗଲୋକକୁ ଗମନ କରନ୍ତି । ସେହି ସୁରଲୋକବାସୀ ସଦାଚରଣ ଓ ପୁଣ୍ୟକର୍ମମାନ ସର୍ବଦା ସମ୍ପାଦନ କରୁଅଛନ୍ତି ।୫। ହେ ମୌଦ୍‌ଗଲ୍ୟ, ସେଠାରେ ଦେବଗଣ, ସାଧ୍ୟଗଣ, ବିଶ୍ୱଗଣ, ମହର୍ଷିଗଣ, ଯାମଗଣ, ଧାମଗଣ, ଗନ୍ଧର୍ବଗଣ ଓ ଅପ୍‌ସରାଗଣଙ୍କର ତେଜୋମୟ ପୃଥକ୍ ପୃଥକ୍ ଲୋକମାନ ଅବସ୍ଥିତ । ସେଠାରେ ଯେ ଯାହା କାମନା କରନ୍ତି, ତାହାଙ୍କର ସେହି କାମନା ସିଦ୍ଧ ହୁଏ ।୭।

 

ସୁବର୍ଣ୍ଣମୟ ଶୈଳରାଜ ସୁମେରୁ ସେହି ସ୍ଥାନରେ ତେତ୍ରିଶ ସହସ୍ର ଯୋଜନ ଅବଧି ବ୍ୟାପ୍ତ ହୋଇ ରହିଅଛି । ତହିଁରେ ପୁଣ୍ୟକର୍ମା ଲୋକମାନଙ୍କର ବିହାର ସ୍ଥାନ ନନ୍ଦନାଦି ପବିତ୍ର ଦେବୋଦ୍ୟାନନିକର ବିରାଜିତ ଅଛନ୍ତି । ସେଠାରେ କ୍ଷୁଧାପିପାସା ନାହିଁ । ଶରୀର ଗ୍ଲାନି କି ଶୀତ କି ଉଷ୍ଣ, ଏସବୁ ନାହିଁ । ସେଠାରେ ଭୟ କିମ୍ବା କୌଣସି ଘୃଣ୍ୟ ଅଶୁଭ ଦ୍ରବ୍ୟ ନାହିଁ । ହେ ମୁନିବର ! ସେ ସ୍ଥାନରେ ସବୁ ଦ୍ରବ୍ୟ ମନୋହର ଗନ୍ଧବିଶିଷ୍ଟ, ସବୁ ପ୍ରକାର ପବନ ସୁଖକର ହୁଏ ଓ ସର୍ବପ୍ରକାର ଶବ୍ଦ ଶ୍ରବଣ-ମନୋହର । ସେଠାରେ ଶୋକ ନାହିଁ, ଜରା ନାହିଁ, ଆୟାସ ନାହିଁ କି ସନ୍ତାପ ନାହିଁ ।୧୧। ହେ ମୌଦ୍‌ଗଲ୍ୟ ! ସେହି ଲୋକ ଉକ୍ତ ପ୍ରକାର ଅଟେ । ସ୍ୱକୀୟ କର୍ମଫଳଦ୍ୱାରା ସେହି ଲୋକ ଲବ୍ଧ ହୁଏ । ପୁରୁଷମାନେ ସୁକୃତ ଲାଭ କଲେ, ସେଠାରେ ସମ୍ଭୂତ ହୁଅନ୍ତି ।୧୨। ଯେଉଁମାନେ ସେଠାରେ ସ୍ଥିତି କରନ୍ତି, ସେମାନଙ୍କର କଳେବର ତେଜୋମୟ ହୁଏ । ପୁନଶ୍ଚ ସେମାନଙ୍କର ଶରୀର କର୍ମରୁ ଜାତ ହୁଏ, ପିତାମାତାଙ୍କଠାରୁ ଜାତ ହୁଏ ନାହିଁ ।୧୩। ହେ ମୁନେ ! ତତ୍ରତ୍ୟ ଲୋକମାନଙ୍କ ଦେହରୁ ସ୍ୱେଦ ଅଥବା ଦୁର୍ଗନ୍ଧ ବାହାରେ ନାହିଁ । ମଳମୂତ୍ର ଓ ଧୂଳିରେ ସେମାନଙ୍କର ବସ୍ତ୍ର ମଳିନ ହୁଏ ନାହିଁ ।୧୪। ହେ ବ୍ରହ୍ମନ୍‌ ! ସେମାନେ ଯେଉଁ ଦିବ୍ୟ ସୁଗନ୍ଧ ମାଳା ପରିଧାନ କରିଥାନ୍ତି, ତାହା କଦାପି ମ୍ଳାନ ହୁଏ ନାହିଁ । ଆମ୍ଭେ ଯେଉଁ ବିମାନ ଘେନି ଆସିଅଛୁଁ, ଏପରି ବିମାନ ସବୁ ସ୍ୱର୍ଗବାସୀମାନେ ବ୍ୟବହାର କରନ୍ତି ।୧୫। ହେ ମୁନିବର ! ସୁରଲୋକବିଜୟୀ ବ୍ୟକ୍ତିଙ୍କର ଈର୍ଷା ନାହିଁ । ଶୋକ, ମୋହ, କ୍ଳମ ଓ ମତ୍ସରପଣ ନାହିଁ । ଏହି ହେତୁରୁ ସେମାନେ ସେଠାରେ ସୁଖରେ ଜୀବନ ଧାରଣ କରନ୍ତି ।୧୬।

 

ହେ ମୁନିପୁଙ୍ଗବ, ତାଦୃଶ ବ୍ୟକ୍ତିମାନେ ଯେଉଁ ଲୋକରେ ବାସ କରନ୍ତି, ସେହି ଲୋକର ଉପରକୁ ଉପରକୁ ଅନ୍ୟ ଲୋକମାନେ ଅବସ୍ଥାନ କରନ୍ତି ।୧୭। ତନ୍ମଧ୍ୟରେ ବ୍ରହ୍ମଲୋକ ଅଛି, ଯେଉଁଠାରୁ ଶୁଭ କର୍ମଦ୍ୱାରା ବ୍ରହ୍ମବାଦୀମାନେ ଗମନ କରିପାରନ୍ତି ।୧୦। ସେହି ସ୍ଥାନରେ ରୁଭୁ ନାମରେ ଆଉ କେତେଗୁଡ଼ିଏ ଦେବଲୋକ ଅଛନ୍ତି । ସେମାନେ ଦେବଗଣଙ୍କର ମଧ୍ୟ ଦେବ ଅଟନ୍ତି-। ସେମାନଙ୍କର ବାସସ୍ଥାନ ଉତ୍କୃଷ୍ଟତର ଅଟେ । ଦେବଗଣମାନେ ସୁଦ୍ଧା ତାହାଙ୍କୁ ଆରାଧନା କରନ୍ତି-।୧୯। ସେହି ତେଜୋମୟ ବ୍ୟକ୍ତିମାନେ ସ୍ୱୟଂପ୍ରଭ ଓ ଯେ ଯାହା କାମନା କରନ୍ତି, ତାହା ସେମାନେ ଦିଅନ୍ତି । ସେମାନଙ୍କର ନାରୀଜନିତ ସନ୍ତାପ ନାହିଁ ଅଥବା ଲୌକିକ ଐଶ୍ୱର୍ଯ୍ୟ ନାହିଁ । ସେମାନେ ମତ୍ସରୀ ନୁହନ୍ତି ।୨୦। ସେମାନେ ଅମୃତଭୋଜୀ ନୁହନ୍ତି କିମ୍ବା ଆହୁତିଦ୍ୱାରା ଜୀବିକା ନିର୍ବାହ କରନ୍ତି ନାହିଁ । ସେମାନେ ଦିବ୍ୟକଳେବରଯୁକ୍ତ ଓ ସେମାନଙ୍କର ଶରୀର ଇନ୍ଦ୍ରିୟ-ଗ୍ରାହ୍ୟ ନୁହେଁ ।୨୧। ସେହି ଦେବଦେବ ସନାତନ ପୁରୁଷମାନେ ସୁଖ ନିମିତ୍ତ ସୁଖ କାମନା କରନ୍ତି ନାହିଁ ଓ ଯୁଗ ପରିବର୍ତ୍ତନ ସମୟରେ ସୁଦ୍ଧା ସେମାନେ ପରିବର୍ତ୍ତିତ ହୁଅନ୍ତି ନାହିଁ ।୨୨। ହେ ମୁନିଶ୍ରେଷ୍ଠ ! ସେମାନଙ୍କର ଜରା ବା ମୃତ୍ୟୁ ନାହିଁ; ହର୍ଷ, ପ୍ରୀତି ଅଥବା ସୁଖ ମଧ୍ୟ ନାହିଁ । ସେମାନଙ୍କର ଦୁଃଖ ନାହିଁ କି ସୁଖ ନାହିଁ । ସେହି ହେତୁରୁ ସେମାନଙ୍କର ରାଗ, ଦ୍ୱେଷ ପ୍ରଭୃତି ଜାତ ହୁଏ ନାହିଁ ।୨୩। ହେ ମୌଦ୍‌ଗଲ୍ୟ, ଦେବତାମାନେ ସୁଦ୍ଧା ସେହି ଲୋକକୁ ସ୍ପୃହା କରନ୍ତି । ବାସ୍ତବରେ ତାଦୃଶ ଉତ୍କୃଷ୍ଟ ସିଦ୍ଧି ଲଭିବା ଦୁଃସାଧ୍ୟ ଅଟେ । କାମପରତନ୍ତ୍ର ବ୍ୟକ୍ତିମାନେ କଦାପି ତାଦୃଶ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି ନାହିଁ ।୨୪। ଏହିସବୁ ଦେବଗଣଙ୍କର ସଂଖ୍ୟା ତେତ୍ରିଶ କୋଟି ଅଟେ । ଜ୍ଞାନୀ ମନୁଷ୍ୟମାନେ କଠୋର ବ୍ରତାଚରଣ କରି ଦାନଧର୍ମଦ୍ୱାରା ସେହି ସବୁ ଲୋକକୁ ଗମନ କରନ୍ତି ।୨୫। ଆପଣ ମଧ୍ୟ ଦାନ ହେତୁରୁ ସେହି ସିଦ୍ଧିକୁ ଅନାୟାସରେ ପ୍ରାପ୍ତ ହୋଇ ଅଛନ୍ତି । ତପସ୍ୟାଦ୍ୱାରା ଆପଣଙ୍କର ପ୍ରଭା ଉଜ୍ଜ୍ୱଳ ହୋଇଅଛି । ସମ୍ପ୍ରତି ସେହି ସୁକୃତିଲବ୍ଧ ସମୃଦ୍ଧି ଭୋଗ କରନ୍ତୁ ।୨୬।

 

ହେ ବିପ୍ର ! ସ୍ୱର୍ଗସୁଖ ଏହିପରି ଅଟେ । ଲୋକମାନେ ମଧ୍ୟ ବହୁବିଧ । ସ୍ୱର୍ଗର ଗୁଣ ଯେତେ ଅଛି, ତାହା ଆମ୍ଭେ ଆପଣଙ୍କ ନିକଟରେ କୀର୍ତ୍ତନ କଲୁ । ଏବେ ତହିଁରେ ଯେଉଁସବୁ ଦୋଷ ଅଛି, ତାହା କହୁଅଛୁଁ, ଶ୍ରବଣ କରନ୍ତୁ ।୨୭। ଯେଉଁମାନେ ପୁଣ୍ୟକର୍ମ କରି ସ୍ୱର୍ଗକୁ ଗମନ କରନ୍ତି, ସେମାନେ ସେ କର୍ମର ଫଳ ଭୋଗ କରି ନ ସାରିବା ପର୍ଯ୍ୟନ୍ତ ଅନ୍ୟ କୌଣସି କର୍ମ ଅନୁଷ୍ଠାନ କରିପାରନ୍ତି ନାହିଁ । କର୍ମଭୋଗ ପରେ ସ୍ୱର୍ଗରୁ ପତନ ମଧ୍ୟ ଅବଶ୍ୟମ୍ଭାବୀ । ଏହି ବିବେଚନାରେ ଆମ୍ଭେ ତାହାକୁ ଦୋଷ ବୋଲି କହିଲୁ । ହେ ମୁଦ୍‌ଗଲ ! ଯେଉଁମାନେ ସୁଖଭୋଗ କରୁଥାନ୍ତି, ହଠାତ୍ ସେମାନଙ୍କର ପତନ ହେବା ଅବଶ୍ୟ କଷ୍ଟକର ବୋଲିବାକୁ ହେବ ।୨୯। ଉତ୍ତମ ଭୋଗମାନ ଲାଭ କରି ପରିଶେଷରେ କଦର୍ଯ୍ୟ ସ୍ଥାନରେ ବାସ କରିବା ଦୁଃଖ ଜାତ କରେ । ରଜୋଗୁଣଦ୍ୱାରା ପତନଶୀଳ ବ୍ୟକ୍ତିମାନଙ୍କର ବୁଦ୍ଧି ପରିଭୃତ ହୁଏ । ଯେ କଣ୍ଠରେ ଅମ୍ଳାନ ମାଳ ଧାରଣ କରିଥାଏ ପତନ ହେବା ପୂର୍ବରୁ ତାହାର ମାଲ୍ୟକୁ ମଳିନ ହେବାର ଦେଖି ତା ମନରେ ଭୟ ଜାତ ହୁଏ ।୩୧। ହେ ମୌଦ୍‌ଗଲ୍ୟ ! ବ୍ରହ୍ମଲୋକ ପର୍ଯ୍ୟନ୍ତ ଏହି ଦୋଷ ଦୃଷ୍ଟ ହୁଏ । ନତୁବା ସ୍ୱର୍ଗଲୋକରେ ପୁଣ୍ୟବାନ ଲୋକଙ୍କର ସହସ୍ର ସହସ୍ର ଗୁଣ ଅଛି ।୩୨।

 

ହେ ମୁନିବର ! ସ୍ୱର୍ଗଭ୍ରଷ୍ଟ ବ୍ୟକ୍ତିମାନଙ୍କର ଗୋଟିଏ ଗୁଣ ଦେଖାଯାଏ ଯେ ସ୍ୱର୍ଗରୁ ପତିତ ହୋଇ ସେମାନେ ଅନ୍ୟ କୌଣସି ଦୁର୍ଗତି ପ୍ରାପ୍ତ ନ ହୋଇ ଶୁଭାଦୃଷ୍ଟ ସ୍ମରଣ କରିବାରୁ ଓ ଅନୁତାପ କରିବାରୁ କେବଳ ମନୁଷ୍ୟଲୋକରେ ସେମାନେ ଜନ୍ମଗ୍ରହଣ କରନ୍ତି ।୩୩। ସେଠାରେ ସେମାନେ ମହାଭାଗ୍ୟଶାଳୀ ଓ ସୁଖ ଭୋଗୀ ହୁଅନ୍ତି । ପରନ୍ତୁ ଯଦି ସେହି ଅବସ୍ଥାରେ ସେମାନେ ଜ୍ଞାନ ଲାଭ କରି ନ ପାରନ୍ତି, ଅଥବା ପୁନର୍ବାର ପୁଣ୍ୟ କର୍ମଦ୍ୱାରା ସ୍ୱର୍ଗଲାଭ ନ କରନ୍ତି, ତାହାହେଲେ ସେମାନେ ନିକୃଷ୍ଟ ଜାତିରେ ଜାତ ହୁଅନ୍ତି ।୩୪। ହେ ବ୍ରହ୍ମନ୍‌ ! ଇହଲୋକରେ କର୍ମ କଲେ, ପରଲୋକରେ ତାହାର ଫଳ ଭୋଗ ହୁଏ । ଏହି ପୃଥିବୀରେ କର୍ମଭୂମି ଓ ସ୍ୱର୍ଗକୁ ଫଳଭୂମି ବୋଲି କହନ୍ତି ।୩୫। ମୁଦ୍‌ଗଲ କହିଲେ, ତୁମ୍ଭେ ସ୍ୱର୍ଗଲୋକର ଏହି ମହତ ଦୋଷ ବର୍ଣ୍ଣନା କଲ; କିନ୍ତୁ ଯେଉଁ ସ୍ଥାନ ଦୋଷଶୂନ୍ୟ, ତାହା ଆମ୍ଭଙ୍କୁ କହ ।୩୬। ଦେବଦୂତ କହିଲେ, ବ୍ରହ୍ମଲୋକର ଭୂଭାଗରେ ଶୁଦ୍ଧ, ସନାତନ ଓ ଜ୍ୟୋତିର୍ମୟ ସ୍ଥାନ ଅଛି । ସେ ସ୍ଥାନକୁ ବିଷ୍ଣୁଙ୍କର ପରମପାଦ ବୋଲାଯାଏ ଓ ଯେଉଁ ବିଷ୍ଣୁ, ପରମବ୍ରହ୍ମ ବୋଲି କୀର୍ତ୍ତିତ ହୁଅନ୍ତି ।୩୭। ହେ ବିପ୍ର, ସେହି ସ୍ଥାନକୁ ବିଷୟବାସନାଯୁକ୍ତ ପୁରୁଷମାନେ ଗମନ କରିପାରନ୍ତି ନାହିଁ । ଯେ ହେତୁରୁ ସେମାନଙ୍କର ଦମ୍ଭ, ଲୋଭ, କ୍ରୋଧ, ଦ୍ରୋହ– ଏହିସବୁ ଦୋଷମାନ ଅଛି ।୩୮। ଯେଉଁ ପୁରୁଷମାନଙ୍କର ମମତା ବା ଅହଙ୍କାର ନ ଥାଏ, ଯେଉଁମାନେ କାହାରି ସହିତ କଳହ କରନ୍ତି ନାହିଁ ଓ ଯେଉଁମାନେ ଜିତେନ୍ଦ୍ରିୟ ହୋଇ ଧ୍ୟାନଯୋଗରେ ଆସକ୍ତ ହୋଇଥାନ୍ତି, ସେହିମାନେ ବିଷ୍ଣୁଙ୍କର ପରମପାଦ ଲାଭ କରିପାରନ୍ତି ।୩୯। ହେ ମୁଦ୍‌ଗଲ ! ଆପଣ ଆମ୍ଭଙ୍କୁ ଯାହା ପଚାରିବା ହେଲେ, ତାହାସବୁ ଆପଣଙ୍କ ସମୀପରେ କୀର୍ତ୍ତନ କଲୁ । ହେ ସାଧୋ ! ସମ୍ପ୍ରତି ଆପଣ ଦୟାକରି ଗମନ କରନ୍ତୁ । ଆମ୍ଭେମାନେ ସଙ୍ଗ ହୋଇ ଶୀଘ୍ର ଗମନ କରିବା ।୪୦।

 

ବ୍ୟାସ କହିଲେ ଯେ ମୁନିବର ମୁଦ୍‌ଗଲ ଋଷି ଏହି କଥା ଶ୍ରବଣ କରି ମନ ମଧ୍ୟରେ ବିଶେଷ ଆଲୋଚନାଦ୍ୱାରା ଦେବଦୂତଙ୍କୁ କହିଲେ ।୪୧। ହେ ତାତ ଦେବଦୂତ ! ଆପଣଙ୍କୁ ନମସ୍କାର, ଆପଣ ସୁଖରେ ପ୍ରସ୍ଥାନ କରନ୍ତୁ । ସ୍ୱର୍ଗରେ ଅନେକ ଦୋଷ ଅଛି । ତହିଁରେ ଅଥବା ସୁଖରେ ଆମ୍ଭର ପ୍ରୟୋଜନ ନାହିଁ । ସ୍ୱର୍ଗଭୋଗୀ ଲୋକେ ପତିତ ହୋଇ ଇହଲୋକରେ ମହତ ଦୁଃଖ ଓ ଦାରୁଣ ପରିତାପ ପ୍ରାପ୍ତ ହୁଅନ୍ତି । ତନ୍ନିମିତ୍ତ ଆମ୍ଭେ ସ୍ୱର୍ଗକାମନା କରୁ ନାହୁଁ ।୪୩। ଯେଉଁ ସ୍ଥାନକୁ ଗମନ କଲେ ସେଠାରୁ ପୁନର୍ବାର ପରିଭ୍ରଷ୍ଟ ନ ହୁଅନ୍ତି, ସୁଖ, ଦୁଃଖ ଓ ମନସ୍ତାପ ଯେଉଁଠାରେ ନ ଥାଏ, ଆମ୍ଭେ ସେହି ଅବିନଶ୍ୱର ସ୍ଥାନକୁ ଅନୁସନ୍ଧାନ କରିବୁ ।୪୪।

 

ଶିଳୋଞ୍ଛଜୀବୀ ଧର୍ମାତ୍ମା ମୌଦ୍‌ଗଲ୍ୟ ଏହି କଥାସବୁ କହି ଦେବଦୂତଙ୍କୁ ବିଦାୟ କରି ଶାନ୍ତି ଲାଭ କଲେ ।୪୫। ତତ୍କାଳରେ ତାହାଙ୍କୁ ନିନ୍ଦା ଓ ସ୍ତୁତି ସମାନ ବୋଧ ହେଲା । ଟେକା ଓ ସୁବର୍ଣ୍ଣ ଦୁଇଟିକୁ ସେ ସମଭାବରେ ଦେଖିଲେ । ଏହିପରି ନିତ୍ୟ ବିଶୁଦ୍ଧଜ୍ଞାନ ଯୋଗଦ୍ୱାରା ରତ ହେଲେ ।୪୬। ଧ୍ୟାନ ଯୋଗଦ୍ୱାରା ସେ ଅସାମାନ୍ୟ ବଳ ଓ ଉତ୍ତମ ଜ୍ଞାନ ଲଭି ପରିଶେଷରେ ନିର୍ବାଣପ୍ରାପ୍ତ ହେଲେ । ଏହାକୁ ସନାତନୀ ପରମା ସିଦ୍ଧି ବୋଲନ୍ତି ।୪୭। ଅତଏବ ହେ କୌନ୍ତେୟ ! ତୁମ୍ଭେ ସମୃଦ୍ଧ ରାଜ୍ୟକୁ ପରିତ୍ୟାଗ କରିଅଛ ବୋଲି ତୁମ୍ଭର ଶୋକ କରିବା ଅନୁଚିତ । ତପସ୍ୟା ବଳଦ୍ୱାରା ତୁମ୍ଭେ ସେହି ରାଜ୍ୟକୁ ପୁନଃ ପ୍ରାପ୍ତ ହେବ ।୪୮। ଚକ୍ର ମଧ୍ୟସ୍ଥିତ କାଷ୍ଠଖଣ୍ଡମାନ ଯେପରି ଚକ୍ରନାଭିର ନିକଟବର୍ତ୍ତୀ ହୋଇ ଆବର୍ତ୍ତନ କରନ୍ତି, ସେହିପରି ସୁଖ ଶେଷରେ ଦୁଃଖ ଓ ଦୁଃଖ ବିଗତ ହେଲେ ସୁଖ କ୍ରମରେ ଆସି ମନୁଷ୍ୟକୁ ଆଶ୍ରୟ କରେ ।୪୯। ତୁମ୍ଭେମାନେ ଅତିଶୟ ବିକ୍ରମଶାଳୀ, ତ୍ରୟୋଦଶ ବର୍ଷ ଅତୀତ ହେଲେ ତୁମ୍ଭେ ପୈତୃକ ରାଜ୍ୟ ନିଃସନ୍ଦେହରେ ପ୍ରାପ୍ତ ହେବ । ଅତଏବ ତୁମ୍ଭର ମାନସିକ ଜ୍ୱର ଅପନୀତ ହେଉ ।୫୦। ବୈଶମ୍ପାୟନ କହିଲେ, ବ୍ୟାସ ପରମ ଧୀମାନ ଅଟନ୍ତି ଓ ଭଗବାନଙ୍କର ଅବତାରସ୍ୱରୂପ । ପାଣ୍ଡୁନନ୍ଦନ ଯୁଧିଷ୍ଠିରଙ୍କୁ ସେ ଏହିପରି ସମ୍ଭାଷଣ କରି ପୁନର୍ବାର ତପସ୍ୟା ନିମିତ୍ତ ଆପଣା ଆଶ୍ରମକୁ ପ୍ରତିଗମନ କଲେ ।୫୧।

 

॥ ଅଧ୍ୟାୟ – ୨୬୨ ॥

 

ଜନମଜେୟ ବୋଇଲେ– ହେ ବୈଶମ୍ପାୟନ ! ହେ ମୁନିବର ! ମହାତ୍ମା ପାଣ୍ଡବମାନେ ଗହନ ଅରଣ୍ୟ ମଧ୍ୟରେ ସର୍ବଦା ମୁନିମାନଙ୍କ ସଙ୍ଗରେ ଥାଇ ବିଚିତ୍ର ବାକ୍ୟଦ୍ୱାରା ଆପଣାର ଚିତ୍ତ ରଞ୍ଜନ କରୁଥିଲେ ।୧। ଯେ ପର୍ଯ୍ୟନ୍ତ ଦ୍ରୁପଦନନ୍ଦିନୀ ଭୋଜନ ସମାପ୍ତି କରି ନ ଥାନ୍ତି, ସେ ପର୍ଯ୍ୟନ୍ତ ବ୍ରାହ୍ମଣ ଓ ଅନ୍ୟ ଯେଉଁମାନେ ଅନ୍ନ ଭୋଜନ ପ୍ରାର୍ଥନା କରନ୍ତି, ସେମାନଙ୍କୁ ସେ ଅନ୍ନଦ୍ୱାରା ପରିତୁଷ୍ଟ କରନ୍ତି । ସୂର୍ଯ୍ୟ ଯେଉଁ ସ୍ଥାଳୀ ପ୍ରଦାନ କରିଥିଲେ ତହିଁରୁ ଅନ୍ନ କ୍ଷୟପ୍ରାପ୍ତ ହୁଏ ନାହିଁ । ନାନାବିଧ ଅରଣ୍ୟ ମୃଗଙ୍କ ମାଂସ ସୁପକ୍ୱ ହୋଇ ଅତିଥିମାନଙ୍କୁ ପ୍ରଦତ୍ତ ହୁଏ । ପାପମତି ଧୃତରାଷ୍ଟ୍ରପୁତ୍ର ଦୁର୍ଯ୍ୟୋଧନ ଓ ତାହାର ଭାଇ ଦୁଃଶାସନ, କର୍ଣ୍ଣ ଓ ଶକୁନିଙ୍କୁ ଘେନି ପାଣ୍ଡବମାନଙ୍କର କିପରି ଅପକାର କରିବାକୁ ମନସ୍ଥ କରିଥିଲେ, ତାହା ଆମ୍ଭେ ପଚାରୁଅଛୁଁ । ଆପଣ ଅନୁଗ୍ରହପୂର୍ବକ କୀର୍ତ୍ତନ କରନ୍ତୁ । ବୈଶମ୍ପାୟନ କହିଲେ, ମହାରାଜ ! ପାଣ୍ଡବମାନେ ଅରଣ୍ୟରେ ବାସ କରି ନଗରବାସୀଙ୍କ ପ୍ରାୟ ଜୀବିକା ନିର୍ବାହ କରୁଥିବାର ଶ୍ରବଣ କରି ଦୁର୍ଯ୍ୟୋଧନ ସନ୍ତପ୍ତ ହେଲା । ସେ ଖଳବୁଦ୍ଧି କର୍ଣ୍ଣ ଓ ଦୁଃଶାସନଙ୍କୁ ଘେନି ସେମାନଙ୍କ ପ୍ରତି ପାପାଚରଣ କରିବାର ଅଭିଳାଷୀ ହେଲା । କୌଣସି ସମୟରେ ସେହି ଦୁରାତ୍ମା ଦୁର୍ଯ୍ୟୋଧନ ବସି ଭାବୁଥିଲା ଯେ କି ଉପାୟଦ୍ୱାରା ସେମାନଙ୍କ ପ୍ରତି ଅପକାର କରିବ । ଏମନ୍ତ ସମୟରେ ପ୍ରସିଦ୍ଧ ତପସ୍ୱୀ ମହାଯଶା ଦୁର୍ବାସା ଦଶ ସହସ୍ର ଶିଷ୍ୟଙ୍କୁ ସଙ୍ଗରେ ଘେନି ତାହାଙ୍କ ନିକଟକୁ ଆଗମନ କଲେ । କୋପୀ ଋଷିଙ୍କୁ ଆସିବାର ଦର୍ଶନ କରି ଶ୍ରୀମାନ ଦୁର୍ଯ୍ୟୋଧନ ଭ୍ରାତୃଗଣଙ୍କ ସହିତ ମିଳିତ ହୋଇ ଅତି ବିନୟରେ ଶ୍ରଦ୍ଧାପୂର୍ବକ ଶାନ୍ତ ଭାବରେ ତାହାଙ୍କର ସତ୍କାର କଲେ ।୯। ଦୁର୍ଯ୍ୟୋଧନ ସ୍ୱୟଂ କିଙ୍କର ପରି ବିଧିପୂର୍ବକ ତାହାଙ୍କର ଅର୍ଚ୍ଚନା କଲେ । ମହାରାଜ ! ମୁନିସତ୍ତମ ଦୁର୍ବାସା ଯେତେ ଦିନ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କଲେ, ରାଜା ଦୁର୍ଯ୍ୟୋଧନ ମଧ୍ୟ ତେତେ ଦିନ ଶାପଭୟରେ ଶଙ୍କିତ ହୋଇ ଦିବାରାତ୍ର ଅତିନ୍ଦ୍ରିତ ହୋଇ ତାହାଙ୍କର ସେବାରେ ନିଯୁକ୍ତ ରହିଲେ ।୧୧।

 

ଦୁର୍ବାସା କହିଲେ, ହେ ନରାଧିପ ! ଆମ୍ଭେ କ୍ଷୁଧିତ ହୋଇଅଛୁ । ଆମ୍ଭଙ୍କୁ ଶୀଘ୍ର ଅନ୍ନ ପ୍ରଦାନ କର । ଏହି କଥା କହି ମୁନି ସ୍ନାନ କରିବାକୁ ଗମନ କଲେ; କିନ୍ତୁ ବହୁକ୍ଷଣ ଉତ୍ତାରୁ ପ୍ରତ୍ୟାଗତ ହୋଇ କହିଲେ, ଆମ୍ଭର ଆଜି କ୍ଷୁଧା ନାହିଁ । ଆମ୍ଭେ ଆଜି ଭୋଜନ କରିବୁ ନାହିଁ । ଏହା କହି ସେ ତତ୍‌କ୍ଷଣାତ୍ ଅନ୍ତର୍ହିତ ହେଲେ ।୧୨। କିନ୍ତୁ ପୁନର୍ବାର ସହସା ଆଗମନ କରି କହିଲେ, “ଆମ୍ଭଙ୍କୁ ସତ୍ୱର ଭୋଜନ କରାଅ ।” ଏହିପରି ଦୁର୍ବାସା ଋଷି ଠକପଣ କରି କୌଣସି ଦିନ ଅର୍ଦ୍ଧରାତ୍ର ସମୟରେ ଜାଗ୍ରତ ହୋଇ ପୂର୍ବପ୍ରାୟ ଅନ୍ନ ପ୍ରସ୍ତୁତ କରାଇ ସେ ଅନ୍ନକୁ ନିନ୍ଦା କରି ଭେଜାନ କରନ୍ତି ନାହିଁ । ହେ ଭାରତ ! ଦୁର୍ବାସାଙ୍କର ଏହିରୂପ ଶଠତା ଦେଖି ସୁଦ୍ଧା ଯେତେବେଳେ ଦୁର୍ଯ୍ୟୋଧନ କ୍ରୁଦ୍ଧ ହେଲେ ନାହିଁ କିମ୍ବା ତାହାଙ୍କ ମନରେ କୌଣସି ବିକାର ଜାତ ହେଲା ନାହିଁ, ତେତେବେଳେ ସେହି କୋପୀ ଋଷି ତାହାଙ୍କ ପ୍ରତି ପରିତୁଷ୍ଟ ହୋଇ ଏହି କଥା କହିଲେ, ଆମ୍ଭେ ବର ପ୍ରଦାନ କରିବାକୁ ଉଦ୍ୟତ ହୋଇଅଛୁ । ତୁମ୍ଭର ମଙ୍ଗଳ ହେଉ । ତୁମ୍ଭର ଯାହା ଇଚ୍ଛା ହୁଏ, ସେହି ବର ପ୍ରାର୍ଥନା କର । ଯେଉଁ ବର ଧର୍ମସମ୍ମତ ହେବ, ସେ ବର ତୁମ୍ଭର ଅଲଭ୍ୟ ହେବ ନାହିଁ ।୧୬। ବୈଶମ୍ପାୟନ କହିଲେ, ପବିତ୍ରାତ୍ମା ମହାତ୍ମା ମହର୍ଷିଙ୍କର ସେହି ବଚନ ଶ୍ରବଣ କରି ରାଜା ଦୁର୍ଯ୍ୟୋଧନ ମନେକଲେ ଯେ, ସେ ଯେପରି ପୁନର୍ବାର ଜନ୍ମ ହେଲେ ।୧୭। ଋଷି ସନ୍ତୁଷ୍ଟ ହେଲେ । ତାହାଙ୍କୁ ଯେଉଁ ବର ପ୍ରାର୍ଥନା କରିବାକୁ ହେବ, ଦୁର୍ଯ୍ୟୋଧନ ପୂର୍ବରୁ ସେ କଥା କର୍ଣ୍ଣ ଓ ଦୁଃଶାସନଙ୍କ ସହିତ ମନ୍ତ୍ରଣା କରି ସ୍ଥିର କରିଥିଲେ । ତଦନୁସାରେ ସେହି ଦୁର୍ମତି ନରପତି ଅତି ହୃଷ୍ଟ ହୋଇ ଋଷିଙ୍କଠାରୁ ଏହି ବର ପ୍ରାର୍ଥନା କଲେ ।

 

ହେ ବ୍ରହ୍ମନ୍‌ ! ରାଜା ଯୁଧିଷ୍ଠିର ଆମ୍ଭମାନଙ୍କ କୁଳରେ ଜ୍ୟେଷ୍ଠ ଓ ଶ୍ରେଷ୍ଠ ଅଟନ୍ତି, ସେ ଗୁଣବାନ୍‌, ସୁଶୀଳ ଓ ଧର୍ମାତ୍ମା ଅଟନ୍ତି । ବର୍ତ୍ତମାନ ସେ ଭ୍ରାତୃଗଣଙ୍କ ସହିତ ଅରଣ୍ୟରେ ବାସ କରୁଅଛନ୍ତି । ଅତଏବ ଆପଣ ଯେପରି ଶିଷ୍ୟମାନଙ୍କୁ ଘେନି ଆମ୍ଭ ନିକଟରେ ଆତିଥ୍ୟ ସ୍ୱୀକାର କଲେ ସେହିପରି ସେମାନଙ୍କ ନିକଟରେ ସୁଦ୍ଧା ଆତିଥ୍ୟ ସ୍ୱୀକାର କରନ୍ତୁ । ଯଦି ଆମ୍ଭ ପ୍ରତି ଅନୁଗ୍ରହ ହୁଏ, ତେବେ ଯଶସ୍ୱିନୀ, ବରବର୍ଣ୍ଣିନୀ, ସୁକୁମାରୀ, ପଞ୍ଚାଳନନ୍ଦିନୀ ଦ୍ରୌପଦୀ ସମୁଦାୟ ବ୍ରାହ୍ମଣଙ୍କୁ ଓ ପତିମାନଙ୍କୁ ଭୋଜନ କରାଇ ସ୍ୱୟଂ ଭୋଜନ କରି ଶ୍ରାନ୍ତ ହୋଇ ସୁଖରେ ବସିଥିବେ; ଆପଣ ସେହି କାଳରେ ସେଠାରେ ଉପସ୍ଥିତ ହୋଇ ଅତିଥି ହେବେ । ବିପ୍ରଶ୍ରେଷ୍ଠ ଦୁର୍ବାସା କହିଲେ, ଆମ୍ଭେ ତୁମ୍ଭ ପ୍ରତି ପ୍ରୀତ ହୋଇଥିବାରୁ ଅବଶ୍ୟ ତୁମ୍ଭର ପ୍ରାର୍ଥନା ଅନୁସାରେ କାର୍ଯ୍ୟ କରିବୁ । ଦୁର୍ଯ୍ୟୋଧନକୁ ଏହି କଥା କହି ଋଷି ଯେପରି ଭାବରେ ଯେଉଁ ବାଟେ ଆସିଥିଲେ, ସେହି ବାଟେ ସେହିପରି ଗମନ କଲେ ।୨୩।

 

ତେତେବେଳେ ଦୁର୍ଯ୍ୟୋଧନ ମନେକଲେ ଯେ, ସେ କୃତକାର୍ଯ୍ୟ ହୋଇଅଛନ୍ତି ।୨୪। ସେ ହୃଷ୍ଟ ହୋଇ ନିଜ କରଦ୍ୱାରା କର୍ଣ୍ଣଙ୍କର କର ସ୍ପର୍ଶ କଲେ । କର୍ଣ୍ଣ ମଧ୍ୟ ହୃଷ୍ଟ ହୋଇ ଭ୍ରାତୃଗଣଙ୍କ ସହିତ ଦୁର୍ଯ୍ୟୋଧନଙ୍କୁ ଏହିପରି ସମ୍ଭାଷଣ କଲେ ।୨୫। କର୍ଣ୍ଣ କହିଲେ, ହେ କୌରବ ! ସୌଭାଗ୍ୟ କ୍ରମେ ଆପଣଙ୍କର ଅଭିଳାଷ ପରିପୂର୍ଣ୍ଣ ହେଲା । ଭାଗ୍ୟବଶରୁ ଆପଣ ବର୍ଦ୍ଧିତ ହେଲେ ଓ ଭାଗ୍ୟକ୍ରମେ ଆପଣଙ୍କର ଶତ୍ରୁମାନେ ଅପାର ବିପଦ ସାଗରରେ ନିମଗ୍ନ ହେଲେ ।୨୬। ଦୁର୍ବାସାଙ୍କର କ୍ରୋଧାନଳରେ ପତିତ ହୋଇ ପାଣ୍ଡବମାନେ ନିଜ ପାପ ସହିତ ଘୋର ନରକକୁ ପ୍ରସ୍ଥାନ କଲେ ।୨୭। ବୈଶମ୍ପାୟନ କହିଲେ, ହେ ରାଜନ୍‌ ! ଜନମେଜୟ ! ଦୁର୍ମତି ଦୁର୍ଯ୍ୟୋଧନ, ଏହିପରି କୁହାକୁହି ହୋଇ ଏକତ୍ର ହାସ୍ୟ କରି ପ୍ରୀତ ଚିତ୍ତରେ ନିଜ ନିଜ ବସତିକୁ ଗମନ କଲେ ।୨୮।

 

॥ ଅଧ୍ୟାୟ – ୨୬୩ ॥

 

ବୈଶମ୍ପାୟନ କହିଲେ, ତଦନନ୍ତର ଦିନେ ଦ୍ରୌପଦୀ ଭୋଜନ ସାରି ସୁଖରେ ଉପବିଷ୍ଟ ହୋଇଅଛନ୍ତି, ଏ କଥା ଦୁର୍ବାସା ଅବଗତ ହୋଇ ଦଶ ସହସ୍ର ଶିଷ୍ୟଙ୍କଦ୍ୱାରା ପରିବୃତ ହୋଇ ଅରଣ୍ୟ ମଧ୍ୟରେ ସୁଖାସୀନ ପାଣ୍ଡବମାନଙ୍କ ସମୀପରେ ଉପନୀତ ହେଲେ । ପ୍ରସିଦ୍ଧ ଆତିଥେୟସତ୍ୱସମ୍ପନ୍ନ ଧର୍ମରାଜ ଯୁଧିଷ୍ଠିର ସେହି ଅତିଥିଙ୍କୁ ଅସିବାର ଦର୍ଶନ କରି ଭ୍ରାତାମାନଙ୍କୁ ସଙ୍ଗରେ ଘେନି ଋଷିଙ୍କ ସମୀପକୁ ଯାଇ ଓ ତାହାଙ୍କୁ ଆଣି ଉତ୍ତମ ଆସନରେ ବସାଇ ବିଧିପୂର୍ବକ ପୂଜାଦ୍ୱାରା ତାହାଙ୍କୁ ଆତିଥ୍ୟ ଗ୍ରହଣ କରିବା ନିମିତ୍ତ ଆମନ୍ତ୍ରଣ କଲେ । ତତ୍ପରେ କୃତାଞ୍ଜଳିପୁଟରେ କହିଲେ, ଭଗବନ୍‌ ! ସାନ୍ଧ୍ୟୋପାସନା ସାରି ଆପଣ ସତ୍ୱର ଆଗମନ କରନ୍ତୁ ।୪। ଯୁଧିଷ୍ଠିରଙ୍କ ସେହି ପ୍ରାର୍ଥନା ଶୁଣି ଶିଷ୍ୟଗଣଙ୍କୁ ଘେନି ସେ ସ୍ନାନ ନିମିତ୍ତ ଗମନ କଲେ; କିନ୍ତୁ କି ପ୍ରକାରେ ଦଶସହସ୍ର ଶିଷ୍ୟ ସହିତ ତାହାଙ୍କୁ ଯୁଧିଷ୍ଠିର ଭୋଜନ କରାଇବେ, ତାହା ବାରେ ମାତ୍ର ସେ ଭାବିଲେ ନାହିଁ ।୫। ହେ ରାଜନ୍‌ ! ଦୁର୍ବାସା ଓ ତାହାଙ୍କର ଶିଷ୍ୟମାନେ ସମାହିତ ହୋଇ ଜଳରେ ନିମଗ୍ନ ହେଲେ ।

 

ଏଣେ ବରାଙ୍ଗନା, ପତିବ୍ରତା, ଦ୍ରୁପଦନନ୍ଦିନୀ ଅନ୍ନନିମିତ୍ତ ଅତିଶୟ ଭାବନା କଲେ । ଅନେକ ଚିନ୍ତା କରି ଯେତେବେଳେ ସେ ଅନ୍ନ ଯୋଗାଇବାରେ କୌଣସି ଉପାୟ ନ ଦେଖିଲେ ।୭। ସେତେବେଳେ ସେ ମନ ମଧ୍ୟରେ କଂସାରି ମଧୁସୂଦନଙ୍କୁ ସ୍ତବ କରିବାରେ ପ୍ରବୃତ୍ତ ହେଲେ । ହେ କୃଷ୍ଣ ! ହେ କୃଷ୍ଣ ! ମହାବାହୋ ! ଦେବକୀନନ୍ଦନ ! ଆପଣ ଅବ୍ୟୟ ଅଟନ୍ତି ।୮। ହେ ବାସୁଦେବ ! ହେ ଜଗନ୍ନାଥ ! ତୁମ୍ଭେ ପ୍ରଣତ ଜନର କ୍ଲେଶ ବିନାଶ କର । ତୁମ୍ଭେ ଏହି ବିଶ୍ୱର ଆତ୍ମା ଓ ଜନକ ଅଟ । ଏହି ବିଶ୍ୱକୁ ଆପଣ ସଂହାର କରନ୍ତି । ହେ ପ୍ରଭୋ ! ଆପଣଙ୍କର ବିନାଶ ନାହିଁ ।୯। ଆପଣ ପ୍ରପନ୍ନ ଜନର ପାଳନକର୍ତ୍ତା, ପୃଥିବୀର ପାଳନ କର୍ତ୍ତା ଓ ପ୍ରଜାମାନଙ୍କର ପାଳନକର୍ତ୍ତା । ଆପଣ ପରାତ୍ପର ଓ ଚିତ୍ତ ବୃତ୍ତିମାନଙ୍କର ପ୍ରବର୍ତ୍ତକ ଅଟନ୍ତି । ଆପଣଙ୍କୁ ମୁଁ ନମସ୍କାର କରୁଅଛି । ହେ ବରେଣ୍ୟ ! ହେ ବରଦ ! ତୁମ୍ଭେ ଗତିହୀନ ଜନମାନଙ୍କର ଗତିସ୍ୱରୂପ । ହେ ପୁରାଣପୁରୁଷ ! ପ୍ରାଣ, ମନ, ବୁଦ୍ଧି ଓ ବୃତ୍ତିଦ୍ୱାରା ତୁମ୍ଭର ମହିମା ଅଗୋଚର ଅଟେ ।୧୧। ହେ ସର୍ବାଧ୍ୟକ୍ଷ ! ହେ ପରାଧ୍ୟକ୍ଷ ! ମୁଁ ତୁମ୍ଭର ଶରଣାପନ୍ନ ହେଲି । ହେ ଦେବ ! ହେ ଶରଣାଗତବତ୍ସଳ ! ତୁମ୍ଭେ କୃପାକରି ଆମ୍ଭଙ୍କୁ ରକ୍ଷାକର । ଆପଣଙ୍କର ନୀଳୋତ୍ପଳଦଳ ଶ୍ୟାମବର୍ଣ୍ଣକୁ ଚିନ୍ତା କରୁଅଛି । କମଳଗର୍ଭ ସଦୃଶ ଲୋହିତ ନେତ୍ରକୁ ଧ୍ୟାନ କରୁଅଛି । ହେ ପୀତାମ୍ବର ! ଆପଣ ସମୁଜ୍ଜ୍ୱଳ କୌସ୍ତୁଭ ମଣି କଣ୍ଠରେ ଧାରଣ କରିଅଛନ୍ତି ।୧୩। ହେ ପ୍ରଭୋ ! ତୁମ୍ଭେ ଭ୍ରାତୃଗଣଙ୍କର ଆଦି ଓ ଅନ୍ତ, ତୁମ୍ଭେ ସମସ୍ତଙ୍କର ପରମ ଗତି । ତୁମ୍ଭେ ଶ୍ରେଷ୍ଠ ଅପେକ୍ଷା ଶ୍ରେଷ୍ଠ ଜ୍ୟୋତି, ତୁମ୍ଭେ ଏହି ବିଶ୍ୱର ଆତ୍ମା । ତୁମ୍ଭର ମୁଖ ସର୍ବ ଦିଗରେ ପ୍ରସାରିତ ହୋଇ ରହିଅଛି ।୧୪। ତୁମ୍ଭଙ୍କୁ ପଣ୍ଡିତମାନେ ଏହି ସଂସାର-ବୃକ୍ଷର ବୀଜସ୍ୱରୂପ ବର୍ଣ୍ଣନା କରନ୍ତି । ଆପଣ ସର୍ବ ସମ୍ପତ୍ତିର ବିଧାନ ଅଟନ୍ତି । ହେ ଦେବେଶ ! ତୁମ୍ଭେ ଯାହାକୁ ସାହାଯ୍ୟ ହୁଅ, ବିପଦକୁ ତାହାର ଭୟ ନାହିଁ । ପୂର୍ବେ ଯେପରି ସଭା ମଧ୍ୟରେ ଦୁଃଶାସନ ହସ୍ତରୁ ମୋତେ ରକ୍ଷା କରିଥିଲ, ତଦ୍ରୂପ ଏହି ଉପସ୍ଥିତ ସଙ୍କଟରୁ ମୋତେ ପରିତ୍ରାଣ କର ।୧୭।

 

ବୈଶମ୍ପାୟନ ବୋଇଲେ, ଦ୍ରୌପଦୀଙ୍କର ଏହିପରି ସ୍ତବ ଶ୍ରବଣ କରି ଭକ୍ତବତ୍ସଳ ଭଗବାନ, ଦେବଦେବ ପ୍ରଭୁ ଈଶ୍ୱର କେଶବ ତାହାଙ୍କର ବିପଦବୃତ୍ତାନ୍ତ ଅବଗତ ହେଲେ । ଭଗବାନଙ୍କର ଗତି ଅଚିନ୍ତନୀୟ, ସେ ଯେ ଦ୍ରୌପଦୀଙ୍କର ବଚନ ଶ୍ରବଣ କଲେ, ଏହା ଆଶ୍ଚର୍ଯ୍ୟଜନକ ନୁହେଁ । କେଶବ ସେହି କାଳରେ ରୁକ୍ମିଣୀଙ୍କ ପାର୍ଶ୍ୱରେ ଶୟନ କରିଥିଲେ । ତାହାଙ୍କୁ ପରିତ୍ୟାଗ କରି ଦ୍ରୌପଦୀଙ୍କ ନିକଟରେ ଉପସ୍ଥିତ ହେଲେ ।୧୮। ବସୁଦେବ-ନନ୍ଦନଙ୍କୁ ଦ୍ରୌପଦୀ ଆପଣା ନୟନରେ ବିଲୋକନ କରି ପରମାହ୍ଲାଦିତ ହୋଇ ପ୍ରଣାମ କଲେ ଓ ଦୁର୍ବାସାଙ୍କ ଅଗମନ-ବୃତ୍ତାନ୍ତ ନିବେଦନ କଲେ ।୧୯। ତତ୍ପରେ କୃଷ୍ଣ ତାହାଙ୍କୁ କହିଲେ, କୃଷ୍ଣେ ! ମୁଁ କ୍ଷୁଧାରେ ଅତ୍ୟନ୍ତ କାତର ହୋଇଅଛି । ମୋତେ ଶୀଘ୍ର ଭୋଜନ କରିବାକୁ ଦିଅ; ଆଉ ଅନ୍ୟାନ୍ୟ କାର୍ଯ୍ୟ ପଛେ ହେବ-।୨୦। କୃଷ୍ଣଙ୍କର ସେହି ବାକ୍ୟ ଶ୍ରବଣ କରି ଦ୍ରୁପଦଦୁହିତା ଅତି ଲଜ୍ଜିତା ହୋଇ କହିଲେ, ହେ ଦେବ-! ସୂର୍ଯ୍ୟ ଯେଉଁ ସ୍ଥାଳୀ ଦେଇଥିଲେ ତହିଁରେ ମୋର ଭୋଜନ ପର୍ଯ୍ୟନ୍ତ ଅନ୍ନ ଥାଏ । ଏବେ ମୁଁ ଭୋଜନ କରିଅଛି । ଆଉ ତହିଁରେ ଅନ୍ନ ନାହିଁ । ତଦନନ୍ତର ଭଗବାନ କମଳଲୋଚନ ବାସୁଦେବ କୃଷ୍ଣାଙ୍କୁ କହିଲେ ।୨୨। ହେ କୃଷ୍ଣେ ! ମୁଁ କ୍ଷୁଧାରେ ଓ ପରିଶ୍ରମରେ କ୍ଳାନ୍ତ ହୋଇଅଛି-। ଏତେବେଳେ କ’ଣ ପରିହାସ କରିବା ଉଚିତ ? ଶୀଘ୍ର ଗମନ କରି ସ୍ଥାଳୀ ଆଣି ମୋତେ ଦେଖାଅ-।୨୩। ଏହିପରି ନିର୍ବନ୍ଧ ସହିତ ସ୍ଥାଳୀ ଅଣାଇ ଯୁଦୁକୁଳ ଶ୍ରେଷ୍ଠ କେଶବ ଦେଖିଲେ ଯେ, ସେହି ସ୍ଥାଳୀର କଣ୍ଠଦେଶରେ ଟିକିଏ ଶାକାନ୍ନ ଲାଗିଅଛି ।୨୪। କୃଷ୍ଣ ତାହାକୁ ଭୋଜନ କରି ପାଞ୍ଚାଳୀଙ୍କୁ କହିଲେ, “ଯଜ୍ଞଭୋଜୀ ବିଶ୍ୱାତ୍ମା, ଭଗବାନ ଈଶ୍ୱର, ହରି, ଏହି ଶାକାନ୍ନ କଣିକାଦ୍ୱାରା ପରିତୃପ୍ତ ଓ ତୁଷ୍ଟ ହେଉନ୍ତୁ । କ୍ଳେଶବିନାଶନ ମହାବାହୁ କୃଷ୍ଣ ସହଦେବଙ୍କୁ ମଧ୍ୟ ଡାକି ଏହି କଥା କହିଲେ, ତୁମ୍ଭେ ଶୀଘ୍ର ଯାଇ ମୁନିମାନଙ୍କୁ ଭୋଜନାର୍ଥ ଆହ୍ୱାନ କର ।୨୬।

 

ହେ ନୃପୋତ୍ତମ ! ଦୁର୍ବାସା ଓ ତାହାଙ୍କର ଶିଷ୍ୟମାନେ ସ୍ନାନାର୍ଥ ଦେବନଦୀକୁ ଗମନ କରିଥିଲେ । ମହାଯଶା ସହଦେବ ଯାଇ ଋଷିମାନଙ୍କୁ ଭୋଜନାର୍ଥ ଆହ୍ୱାନ କଲେ । ଏଣେ ସେହି ମୁନିମାନେ ଜଳରେ ଅବତୀର୍ଣ୍ଣ ହୋଇ ଅଘମର୍ଷଣ କ୍ରିୟାର ଅନୁଷ୍ଠାନ କରୁ କରୁ ।୨୮। ସେମାନଙ୍କର ଭୋଜନ ତୃପ୍ତି ଅନୁଭୂତ ହେଲା । ସେମାନେ ଅନ୍ନରସ ସମନ୍ୱିତ ଢକ୍‌କାର ଉଦ୍‌ଗୀରଣ କଲେ । ତତ୍ପରେ ସମସ୍ତେ ଜଳରୁ କୂଳକୁ ଆସି ପରସ୍ପରକୁ ଅବଲୋକନ କଲେ ।୨୯। ତତ୍ପରେ ସେମାନେ ଦୁର୍ବାସାଙ୍କ ମୁଖକୁ ଚାହିଁ କହିଲେ, ହେ ବିପ୍ରର୍ଷେ ! ଆମ୍ଭେମାନେ ଅନ୍ନ ପ୍ରସ୍ତୁତ କରିବା ନିମିତ୍ତ ରାଜା ଯୁଧିଷ୍ଠିରଙ୍କୁ କହି ସ୍ନାନାର୍ଥ ଆଗମନ କଲୁ; କିନ୍ତୁ ବୋଧ କରୁଅଛୁ ଯେ ଆମ୍ଭେମାନେ ସମସ୍ତେ ଆକଣ୍ଠ ଭୋଜନଦ୍ୱାରା ତୃପ୍ତ ହେଲୁ । ଏବେ କିପରି ଆମ୍ଭେମାନେ ଭୋଜନ କରିବୁ ? ଯୁଧିଷ୍ଠିରଙ୍କ ପାକକାର୍ଯ୍ୟକୁ ବୃଥା କଲୁ । ଏ ବିଷୟରେ ଆମ୍ଭମାନଙ୍କର କ’ଣ କରିବା କର୍ତ୍ତବ୍ୟ ?୩୧। ଦୁର୍ବାସା କହିଲେ, ପାକକୁ ନିରର୍ଥକ କରିବାଦ୍ୱାରା ରାଜର୍ଷି ଯୁଧିଷ୍ଠିରଙ୍କଠାରେ ଆମ୍ଭମାନଙ୍କର ମହାନ ଅପରାଧ ହେଲା । ଏବେ ଏହି ଅପରାଧରେ ପାଣ୍ଡବମାନେ ଆମ୍ଭମାନଙ୍କୁ କ୍ରୂର ନୟନରେ ନିରୀକ୍ଷଣ କଲେ, ଆମ୍ଭେମାନେ ଦଗ୍ଧ ହୋଇଯିବୁ ।୩୨। ହେ ବିପ୍ରନିକର ! ବୁଦ୍ଧିସମ୍ପନ୍ନ ରାଜର୍ଷି ଅମ୍ବରୀଷଙ୍କ ପ୍ରଭାବ ଆମ୍ଭ ମନରେ ପଡ଼ିଲେ ହରିଚରଣକୁ ଯେଉଁମାନେ ଆଶ୍ରୟ କରିଥାନ୍ତି, ସେମାନଙ୍କଠାରୁ ଆମ୍ଭର ଭୟ ଜାତ ହୁଏ ।୩୩। ବିଶେଷରେ ମହାତ୍ମା ପାଣ୍ଡବମାନେ ମଧ୍ୟ ସମସ୍ତେ ଧାର୍ମିକ ଅଟନ୍ତି । ଅଥଚ ସେମାନେ ଶୂର, କୃତବିଦ୍ୟ, ବ୍ରତଧାରୀ, ତପସ୍ୱୀ, ସଦାଚାରରତ ଓ ନାରାୟଣ-ପରାୟଣ ଅଟନ୍ତି । ସେମାନେ କ୍ରୁଦ୍ଧ ହେଲେ, ଅଗ୍ନି ଯେପରି ତୂଳାରାଶିକୁ ଦଗ୍ଧ କରେ, ସେହିପରି ଆମ୍ଭମାନଙ୍କୁ ଦଗ୍ଧ କରି ପକାଇବେ । ଅତଏବ, ହେ ଶିଷ୍ୟଗଣ-! ସେମାନଙ୍କ ସହିତ ସାକ୍ଷାତ୍ ନ କରି ସତ୍ୱର ପଳାୟନ କର ।୩୫। ବୈଶମ୍ପାୟନ କହିଲେ, ଗୁରୁ ଦୁର୍ବାସାଙ୍କ ମୁଖରୁ ସେହି ବ୍ରାହ୍ମଣମାନେ ତାଦୃଶ ବାକ୍ୟ ଶ୍ରବଣ କରି ପାଣ୍ଡବମାନଙ୍କ ଠାରୁ ଅତିଶୟ ଭୀତ ହୋଇ ଯେ ଯେଉଁ ଦିଗକୁ ପାରିଲେ ସେହି ଆଡ଼କୁ ପଳାୟନ କଲେ ।୩୬। ସହଦେବ ସେହି ମୁନିମାନଙ୍କୁ ଦେବ ନଦୀରେ ଦେଖା ନ ପାଇ ଇତସ୍ତତଃ ସମୁଦାୟ ତୀର୍ଥରେ ଅନ୍ୱେଷଣ କଲେ-।୩୭। ତତ୍ରସ୍ଥିତ ତାପସଗଣଙ୍କ ମୁଖରୁ ଋଷିମାନଙ୍କର ପଳାୟନ ବୃତ୍ତାନ୍ତ ଶ୍ରବଣ କରି ସହଦେବ ପ୍ରତ୍ୟାଗତ ହୋଇ ଯୁଧିଷ୍ଠିରଙ୍କ ନିକଟରେ ସମୁଦାୟ ବାର୍ତ୍ତା ଜଣା କଲେ ।୩୮। ଅନନ୍ତର ଜିତେନ୍ଦ୍ରିୟ ପାଣ୍ଡବମାନେ ମୁନିଙ୍କ ପ୍ରତ୍ୟାଗମନ ନିମିତ୍ତ କିୟତ୍‌କାଳ ପ୍ରତୀକ୍ଷା କଲେ ।୩୯। ସେମାନେ ବାରମ୍ବାର ଦୀର୍ଘନିଶ୍ୱାସ ପରିତ୍ୟାଗ କରି ଭାବନା କଲେ ଯେ ଅକସ୍ମାତ ଦୁର୍ବସା ଯେବେ ଅର୍ଦ୍ଧରାତ୍ର ସମୟରେ ଆସି ଆମ୍ଭମାନଙ୍କୁ ଛଳନା କରନ୍ତି, ତାହାହେଲେ ଏହି ଘୋର ସଙ୍କଟରୁ ଆମ୍ଭେମାନେ କିପରି ପରିତ୍ରାଣ ପାଇବା ? ଏହିପରି ଚିନ୍ତା କରିବାର ଜାଣି ଶ୍ରୀମାନ ବାସୁଦେବ ସେମାନଙ୍କର ପ୍ରତ୍ୟକ୍ଷ ଗୋଚର ହୋଇ ଏହି କଥା କହିଲେ ।୪୧।

 

ଶ୍ରୀକୃଷ୍ଣ କହିଲେ, ହେ ପାର୍ଥଗଣ ! ଦୁର୍ବାସା ଋଷିଙ୍କର ସ୍ୱଭାବ ଅତିକୋପନ; ଅତଏବ ଏହାଙ୍କ ଠାରୁ ଆପଣମାନଙ୍କର ଆପଦ ଘଟଣାର ସମ୍ଭାବନା ଜାଣି ଦ୍ରୁପଦନନ୍ଦିନୀ ଆମ୍ଭଙ୍କୁ ମନୋମଧ୍ୟରେ ଭାବନା କଲେ । ତନ୍ନିମିତ୍ତ ଆମ୍ଭେ ସତ୍ୱର ଆଗମନ କରିଅଛୁ ।୪୨। ସମ୍ପ୍ରତି ସେହି ଦୁର୍ବାସା ଋଷିଙ୍କଠାରୁ ଆପଣମାନେ ଭୟ କରନ୍ତୁ ନାହିଁ । ସେ ଆପଣମାନଙ୍କର ତେଜ ଦେଖି ଭୀତ ହୋଇ ଆଗରୁ ପଳାୟନ କରିଅଛନ୍ତି ।୪୩। ଯେଉଁମାନେ ସର୍ବଦା ଧର୍ମକର୍ମରେ ରତ ହୋଇଥାନ୍ତି, ସେମାନେ କଦାପି ଅବସନ୍ନ ହୁଅନ୍ତି ନାହିଁ । ଏବେ ଆପଣଙ୍କର ଅନୁମତି ପ୍ରାର୍ଥନା କରୁଅଛୁ । ଆମ୍ଭେ ଗମନ କରିବୁ । ନିୟତ ଆପଣମାନଙ୍କର ମଙ୍ଗଳ ହେଉ ।୪୪।

 

ବୈଶମ୍ପାୟନ କହିଲେ, ପାଣ୍ଡବମାନେ ଓ ଦ୍ରୁପଦନନ୍ଦିନୀ ସେହି ବାକ୍ୟ ଶ୍ରବଣ କରି ସୁସ୍ଥଚିତ୍ତ ହେଲେ । ସେମାନେ ମନୋଦୁଃଖ ତ୍ୟାଗ କରି କେଶବଙ୍କୁ କହିଲେ, ହେ ଗୋବିନ୍ଦ ! ଆପଣ ଜଗତର ପ୍ରଭୁ ଅଟନ୍ତି । ମହାର୍ଣ୍ଣବରେ ନିମଗ୍ନ ହେଉଥିବା ବ୍ୟକ୍ତିମାନେ ଯେପରି ତରଣୀ ପାଇଁ ଉତ୍ତୀର୍ଣ୍ଣ ହୁଅନ୍ତି, ସେହିପରି ତୁମ୍ଭଙ୍କୁ ପ୍ରାପ୍ତ ହୋଇ ଆମ୍ଭେମାନେ ଏହି ଦୁଷ୍ପାର ବିପଦ-ସାଗରରୁ ଉତ୍ତୀର୍ଣ୍ଣ ହେଲୁ ।୪୬। ତୁମ୍ଭର କୁଶଳ ହେଉ । ବର୍ତ୍ତମାନ ଶୁଭାଗମନ କରନ୍ତୁ । ହେ ମହାଭାଗ ! ପାଣ୍ଡବଙ୍କଠାରୁ ଅନୁଜ୍ଞା ନେଇ ପ୍ରଭୁ ବାସୁଦେବ ଦ୍ୱାରକା ପ୍ରସ୍ଥାନ କଲେ ଓ ପାଣ୍ଡବମାନେ ମଧ୍ୟ ଦ୍ରୁପଦ-ନନ୍ଦିନୀଙ୍କୁ ଘେନି ବନରୁ ବନାନ୍ତର ବିହରଣ କଲେ । ମହାରାଜ ! ଆପଣ ଆମ୍ଭଙ୍କୁ ଯାହା ପଚାରିଥିଲେ, ତାହା ଆମ୍ଭେ ସମୁଦାୟ ଆପଣଙ୍କ ନିକଟରେ ବର୍ଣ୍ଣନ କଲୁ । ଦୁରାତ୍ମା ଧୃତରାଷ୍ଟ୍ର ପୁତ୍ରମାନେ ବନସ୍ଥିତ ପାଣ୍ଡବମାନଙ୍କ ପ୍ରତି ଏହିପରି ଅନିଷ୍ଟ ଆଚରଣ କରିଥିଲେ; କିନ୍ତୁ ସେସବୁ ବ୍ୟର୍ଥ ହେଲା ।୪୯।

 

॥ ଅଧ୍ୟାୟ – ୨୬୪ ॥

 

ବୈଶମ୍ପାୟନ କହିଲେ– ଇନ୍ଦ୍ରଙ୍କ ସମାନ ମହାରଥ ପାଣ୍ଡବମାନେ କାମ୍ୟକ ବନରେ ବହୁବିଧ ରମଣୀୟ ପ୍ରଦେଶରେ ନାନା ଜାତୀୟ କୁସୁମ ଦେଖି ବିହରଣ କଲେ । ସେହି ବନରେ ମୃଗମାନେ ପରିପୂର୍ଣ୍ଣ ହୋଇଥିବାରୁ ମୃଗୟା ସେମାନଙ୍କର ବିଶେଷ ଆୟାସସାଧ୍ୟ ହେଲା ନାହିଁ । ଏପରି କିୟତ୍‌କାଳ ଗତ ହେଲାରୁ ଦିନେ ସେହି ମହାତପା ପୁରୁଷଶ୍ରେଷ୍ଠମାନେ ବ୍ରାହ୍ମଣମାନଙ୍କ ନିମିତ୍ତ ପାରିଧି କରିବା କାରଣରୁ ସମସ୍ତେ ଏକାବେଳକେ ଚତୁର୍ଦ୍ଦିଗକୁ ପ୍ରସ୍ଥାନ କଲେ । ମହାତ୍ମା ତୃଣବିନ୍ଦୁ ଓ ପୁରୋହିତ ଧୌମ୍ୟଙ୍କ ଅନୁଜ୍ଞାକ୍ରମେ ପାଣ୍ଡବମାନେ ଦ୍ରୌପଦୀଙ୍କୁ ଆଶ୍ରମରେ ରଖିଗଲେ-।୫।

 

ଅନନ୍ତର ବୃଦ୍ଧ କ୍ଷତ୍ରରାଜାଙ୍କ ପୁତ୍ର ସିନ୍ଧୁଦେଶାଧିପତି ମହାଯଶା ଜୟଦ୍ରଥ ବିବାହ କରିବା ପାଇଁ ଶାଲ୍ୱଙ୍କ ଦେଶକୁ ପ୍ରସ୍ଥାନ କରୁଥିଲେ । ଜୟଦ୍ରଥ ରାଜଯୋଗ୍ୟ ବହୁମୂଲ୍ୟ ପରିଚ୍ଛଦ ପିନ୍ଧିଥିଲେ ଓ ତାହାଙ୍କ ଗହଣରେ ଆଉ ଅନେକ ରାଜା ଥିଲେ । ଦୈବ ଘଟଣାକ୍ରମେ ସେ ଆସି କାମ୍ୟକ ବନରେ ଉପସ୍ଥିତ ହେଲେ ।୭। ସେହି ନିର୍ଜନ ବନରେ ପାଣ୍ଡବମାନଙ୍କର ପ୍ରିୟା ଦ୍ରୌପଦୀଙ୍କୁ ଆଶ୍ରମ ଦ୍ୱାରରେ ଉଭା ହୋଇଥିବାର ଦେଖି ସେମାନେ ସମସ୍ତେ ତାହାଙ୍କୁ ଅପ୍‌ସରା, ଦେବକନ୍ୟା ଅଥବା ଦେବନିର୍ମିତା ମାୟା ବୋଲି ମନେକରି କୃତାଞ୍ଜଳିପୁଟରେ ସେହି ଅନିନ୍ଦିତା ସତୀ କାମିନୀଙ୍କୁ ଦର୍ଶନ କଲେ ।୧୦। ଅନନ୍ତର ବୃଦ୍ଧ କ୍ଷତ୍ରଙ୍କର ପୁତ୍ର ସିନ୍ଧୁରାଜ ଜୟଦ୍ରଥ ସେହି ସର୍ବାଙ୍ଗସୁନ୍ଦରୀ ଦ୍ରୁପଦନନ୍ଦିନୀଙ୍କୁ ନିରୀକ୍ଷଣ କରି ବିସ୍ମୟାପନ୍ନ ଓ କାମସନ୍ତପ୍ତ ହେଲେ ।୧୧। ସେ କାମମୋହିତ ହୋଇ କୋଟିକାସ୍ୟ ନାମକ ଜଣେ ରାଜାଙ୍କୁ କହିଲେ, ଏହି ସର୍ବାଙ୍ଗସୁନ୍ଦରୀ ଭୁବନମୋହିନୀ କାମିନୀ କାହାର ପତ୍ନୀ ! ଏ ମାନବୀ କି ନା ?୧୨। ଏହି ପରମାସୁନ୍ଦରୀଙ୍କୁ ପ୍ରାପ୍ତ ହେଲେ ମୋର ବିବାହରେ ଆଉ ପ୍ରୟୋଜନ ନାହିଁ । ଏହାଙ୍କୁ ଘେନି ଆମ୍ଭେ ସ୍ୱଭବନକୁ ଗମନ କରିବୁ ।୧୩। ହେ ସୌମ୍ୟ ! ତୁମ୍ଭେ ବାରେ ଯାଇ ଏହାଙ୍କର ପରିଚୟ ଗ୍ରହଣ କର । ଏହି ସୁଭ୍ରୂ କାହାର ପତ୍ନୀ ? କେଉଁଠାରେ ଓ କି ନିମିତ୍ତ ସେ ଏହି କଣ୍ଟକାକୀର୍ଣ୍ଣ ଅରଣ୍ୟ ମଧ୍ୟକୁ ଆଗମନ କରିଅଛନ୍ତି ? ଏହି ଦୀର୍ଘାପାଙ୍ଗୀ, ସୁଦତୀ, କ୍ଷୀଣମଧ୍ୟା ଲୋକସୁନ୍ଦରୀ, ବରାରୋହ, ଆମ୍ଭଙ୍କୁ କି ଭଜନା କରିବେ ?୧୫। ଏହି ବର-ନାରୀକୁ ପ୍ରାପ୍ତ ହୋଇ ଅଦ୍ୟ ଆମ୍ଭେ ଚରିତାର୍ଥ ହେବୁ ? ହେ କୋଟିକାସ୍ୟ ! ତୁମ୍ଭେ ଯାଇ ବୁଝ । ଏହାଙ୍କର ସ୍ୱାମୀ କିଏ ?୧୬। କୁଣ୍ଡଳଧାରୀ କୋଟିକାସ୍ୟ ସେହି ବଚନ ଶ୍ରବଣ କରି ରଥ ଉପରୁ ତଳକୁ ଡେଇଁପଡ଼ି ବ୍ୟାଘ୍ରୀ ପାଖକୁ ଶୃଗାଳ ଗଲା ପ୍ରାୟ ଦ୍ରୌପଦୀଙ୍କ ନିକଟକୁ ଯାଇ ପଚାରିଲେ ।୧୭।

 

॥ ଅଧ୍ୟାୟ – ୨୬୫ ॥

 

କୋଟିକାସ୍ୟ କହିଲେ, ସୁଭ୍ରୂ ! ତୁମ୍ଭେ କିଏ ? କଦମ୍ବ ବୃକ୍ଷର ଡାଳକୁ ଅବନତ କରି ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିଶିଖା ବାୟୁଦ୍ୱାରା ପ୍ରକମ୍ପିତ ହୋଇ ଯେପରି ଶୋଭମାନା ହୋଇଥାଏ, ସେହିପରି ତୁମ୍ଭେ ଶୋଭାନ୍ୱିତା ହୋଇଅଛ । କେଉଁ କାରଣରୁ ତୁମ୍ଭେ ଏକାକିନୀ ଏହି ଆଶ୍ରମରେ ଦଣ୍ଡାୟମାନ ହୋଇଅଛ ?୧। ତୁମ୍ଭେ ଅତ୍ୟନ୍ତ ରୂପବତୀ, ଅରଣ୍ୟ ମଧ୍ୟରେ କ’ଣ ତୁମ୍ଭର ଭୟ ହେଉ ନାହିଁ ? ଏହାର କାରଣ କ’ଣ ? ବୋଧହୁଏ ତୁମ୍ଭେ ଦେବୀ, ଯକ୍ଷୀ, ଦାନବୀ କି ଉତ୍ତମା ଅପ୍‌ସରା ଅଥବା ଦୈତ୍ୟଙ୍କ ବରାଙ୍ଗନା ହୋଇଥିବ ।୨। ଅଥବା ତୁମ୍ଭେ ନାଗରାଜଙ୍କ ପୁତ୍ରୀ, ନିଶାଚରୀ, ବରୁଣରାଜାଙ୍କ କାମିନୀ, ଯମଙ୍କ ପତ୍ନୀ, ସୋମଙ୍କ ସହଧର୍ମିଣୀ ଅଥବା କୁବେରଙ୍କ ରମଣୀ ହୋଇ ମାନବ ଦେହ ଧରି ବନରେ ଭ୍ରମୁଅଛ ?୩। ଅଥବା ତୁମ୍ଭେ ଧାତା, ବିଧାତା, ସବିତା, ବିଷ୍ଣୁ କି ସବିତାଙ୍କ ଘରୁ ଆସି ଏ ସ୍ଥାନରେ ଅଛ ? କାରଣ ତୁମ୍ଭେ କିଏ ବୋଲି ସୁଦ୍ଧା ଆମ୍ଭଙ୍କୁ ପଚାରୁ ନାହଁ । ପରନ୍ତୁ ଏଠାରେ ତୁମ୍ଭର ରକ୍ଷାକାରୀ କିଏ, ତାହା ମଧ୍ୟ ଆମ୍ଭେ ଜାଣିପାରୁ ନାହୁଁ ।୪। ଭଦ୍ରେ ! ଆମ୍ଭେମାନେ ତୁମ୍ଭର ମାନ ବର୍ଦ୍ଧନ କରି ପଚାରୁଅଛୁ । ତୁମ୍ଭର ଜନ୍ମ କେଉଁଠାରେ ଓ ତୁମ୍ଭର ସ୍ୱାମୀ କିଏ ? ତୁମ୍ଭେ ଠିକ୍ କରି କହ ଯେ ତୁମ୍ଭର ବନ୍ଧୁ କେଉଁମାନେ ? ତୁମ୍ଭର ପତି କିଏ ? କେଉଁ ବଂଶରେ ତୁମ୍ଭେ ଜାତ ହୋଇଅଛ ଓ କେଉଁଠାରେ କି କାର୍ଯ୍ୟ କରୁଅଛ ?୫। ଯଦି ଆମ୍ଭର ପରିଚୟ ଜାଣିବାକୁ ଇଚ୍ଛା ଥାଏ, ତେବେ ଶୁଣ ।

 

ଆମ୍ଭେ ସୁରଥ ରାଜାଙ୍କର ପୁତ୍ର । ଲୋକେ ଆମ୍ଭଙ୍କୁ କୋଟିକାସ୍ୟ ବୋଲି କହନ୍ତି । ଆହୁରି ଦେଖ, ଏହି ରଥ ଉପରେ ହୁତାଶନ ସମ ତେଜସ୍ୱୀ ଯେଉଁ ବ୍ୟକ୍ତି ଉପବେଶନ କରିଅଛନ୍ତି, ସେହି କମଳଲୋଚନ ବୀରପୁରୁଷ ତ୍ରିଗର୍ତ୍ତ ଦେଶର ରାଜା ଅଟନ୍ତି । ଏହାଙ୍କର ନାମ କ୍ଷେମଙ୍କର । ତାହାଙ୍କ ଆର ପାଖରେ ଯେଉଁ ମହାଧନୁର୍ଦ୍ଧାରୀ ଆୟତାକ୍ଷ ସୁନ୍ଦର ବ୍ୟକ୍ତି କୁସୁମ ଏବଂ ଅଳଙ୍କାରରେ ବିଭୂଷିତ ହୋଇ ତୁମ୍ଭଙ୍କୁ ନିରୀକ୍ଷଣ କରୁଅଛନ୍ତି, ସେ କୁଳିନ୍ଦ ଦେଶାଧିପତିଙ୍କର ପୁତ୍ର । ପର୍ବତରେ ବାସ କରିବା ତାହାଙ୍କର ସର୍ବଦା ଅଭ୍ୟାସ । ପୁଷ୍କରିଣୀ ସମୀପରେ ସେହି ଯେଉଁ ଦର୍ଶନୀୟ ଶ୍ୟାମ ବର୍ଣ୍ଣ ଯୁବା ପୁରୁଷ ଉଭା ହୋଇଅଛନ୍ତି ।୮। ସେ ଇକ୍ଷ୍ୱାକୁରାଜ ସୁବଳଙ୍କର ପୁତ୍ର । ରିପୁମାନଙ୍କୁ ସଂହାର କରିବାରେ ତାହାଙ୍କର ଅସାମାନ୍ୟ ସାମର୍ଥ୍ୟ ଅଛି । ହେ ଶୁଭଗେ ! ସୌବୀରରାଜ ଜୟଦ୍ରଥଙ୍କ ନାମ ବୋଧହୁଏ ତୁମ୍ଭେ ଶୁଣିଥିବ । ସେ ଏହିଠାରେ ଅଛନ୍ତି, ଦେଖ । ଅଙ୍ଗାରକ, କୁଞ୍ଜର, ଗୁପ୍ତକ, ଶତ୍ରୁଞ୍ଜୟ, ସୃଞ୍ଜୟ, ସୁପ୍ରବୃଦ୍ଧ, ପ୍ରଭାଙ୍କର, ଭ୍ରମର, ରବି, ଶୂର, ପ୍ରତାପ ଓ କୁହନ ନାମରେ ସୌବୀର ଦେଶୀୟ ଦ୍ୱାଦଶ ଜଣ ରାଜକୁମାର ଧ୍ୱଜାଧାରୀ ହୋଇ ଯାହାଙ୍କ ପଛେ ପଛେ ଗମନ କରୁଅଛନ୍ତି, ଛଅ ସହସ୍ର ରଥୀ, ତୁରଙ୍ଗ, ମାତଙ୍ଗ, ପଦାତି ଯାହାଙ୍କ ପଛେ ପଛେ ଯାଉଅଛନ୍ତି, ସେହି ଜୟଦ୍ରଥ ଅଟନ୍ତି । ତାହାଙ୍କର ବଳାହକ, ଅନୀକ ହିଁ ବିଦାରଣ ପ୍ରଭୃତି ଆଉ ବଳଶାଳୀ ଭାଇମାନେ ଅଛନ୍ତି । ସେମାନେ ମଧ୍ୟ ସୌବୀର ରାଜାଙ୍କର ଅନୁଗାମୀ ହୋଇଅଛନ୍ତି । ସୁରପତି ଇନ୍ଦ୍ର ଯେପରି ସୁରଗଣଙ୍କଦ୍ୱାରା ପରିରକ୍ଷିତ ହୋଇ ଥାଆନ୍ତି, ସେହିପରି ରାଜା ଜୟଦ୍ରଥ ସ୍ୱକୀୟ ସହାୟଦ୍ୱାରା ପରିରକ୍ଷିତ ହୋଇ ପ୍ରସ୍ଥାନ କରୁଅଛନ୍ତି । ହେ ସୁକେଶି ! ତୁମ୍ଭେ କାହାର ଭାର୍ଯ୍ୟା ଓ କାହାର ଦୁହିତା ଆମ୍ଭଙ୍କୁ ଜଣା ନାହିଁ । ଅତଏବ ଆମ୍ଭମାନଙ୍କ ନିକଟରେ ସେମାନଙ୍କର ପରିଚୟ ଦିଅ ।୧୪।

 

॥ ଅଧ୍ୟାୟ – ୨୬୬ ॥

 

ବୈଶମ୍ପାୟନ କହିଲେ, ଶିବି ଦେଶର ରାଜା କ୍ଷତ୍ରିୟଶ୍ରେଷ୍ଠ କୋଟିକାସ୍ୟଙ୍କ ବଚନ ଶ୍ରବଣ କରି ଦ୍ରୌପଦୀ କଦମ୍ବଶାଖାକୁ ପରିତ୍ୟାଗ କରି କୌଷେୟ ଉତ୍ତରୀୟରେ ଆଚ୍ଛାଦିତ ହୋଇ ଈଷତ୍ ଅବଲୋକନ କରି ଏହି କଥା କହିଲେ ।୧। ହେ ନରେନ୍ଦ୍ରନନ୍ଦନ ! ବୁଦ୍ଧିଦ୍ୱାରା ମୁଁ ଜାଣୁଅଛି ଯେ ମୋ ପ୍ରାୟ ବ୍ୟକ୍ତି ତୁମ୍ଭଙ୍କୁ ଉତ୍ତର ଦେବାର ଯୋଗ୍ୟ ନୁହେଁ; କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବାଭଳି ନର କି ନାରୀ କେହି ଏଠାରେ ନାହିଁ ।୨। ହେ ଭଦ୍ର ! ତୁମ୍ଭେ ନିଶ୍ଚୟ ଜାଣ ଯେ ସମ୍ପ୍ରତି ମୁଁ ଏକାକିନୀ ଅଛି । ଏହି ହେତୁରୁ ମୁଁ ତୁମ୍ଭ ବାକ୍ୟର ଉତ୍ତର ଦେଉଅଛି । ତାହା ନ ହୋଇଥିଲେ ସ୍ୱଧର୍ମରେ ରତଥାଇ ମୁଁ ଏକାକିନୀ କିପରି ତୁମ୍ଭ ସହିତ କଥୋପକଥନ କରନ୍ତି ?୩। ହେ ଶୈବ୍ୟ ! ତୁମ୍ଭେ ସୁରଥ ରାଜାଙ୍କର ପୁତ୍ର । ଲୋକରେ ତୁମ୍ଭେ କୋଟିକାସ୍ୟ ନାମରେ ବିଖ୍ୟାତ । ଏହା ଆମ୍ଭେ ଶୁଣିଲୁ । ଅତଏବ ତୁମ୍ଭର ପ୍ରସିଦ୍ଧ କୁଳ ଓ ବନ୍ଧୁବର୍ଗଙ୍କର ନାମ କହୁଅଛି ଶ୍ରବଣ କର ।୪। ହେ ଶିବିନନ୍ଦନ ! ମୁଁ ଦ୍ରୁପଦରାଜଙ୍କ ଦୁହିତା । ଲୋକେ ମୋତେ କୃଷ୍ଣା ବୋଲି କହନ୍ତି । ପୁରୁଷ ପ୍ରବର ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ଏହି ପଞ୍ଚପାଣ୍ଡବଙ୍କୁ ମୁଁ ପତିସ୍ୱରୂପ ବରଣ କରିଅଛି । ବୋଧକରେ ଖାଣ୍ଡବ ପ୍ରସ୍ଥରେ ବାସ କରିବା ବେଳେ ସେମାନଙ୍କ ନାମ ତୁମ୍ଭର କର୍ଣ୍ଣଗୋଚର ହୋଇଥିବ ।୫। ସେହି ପୃଥାପୁତ୍ରମାନେ ମୋତେ ଏହିଠାରେ ରଖି ଚତୁର୍ଦ୍ଦିଗକୁ ପାରିଧି କରିବାକୁ ଗମନ କରିଅଛନ୍ତି ।୬। ମହାରାଜ ଯୁଧିଷ୍ଠିର ପୂର୍ବ ଦିଗକୁ, ଭୀମସେନ ଦକ୍ଷିଣଦିଗକୁ, ଅର୍ଜୁନ ପଶ୍ଚିମଦିଗକୁ, ନକୁଳ ଓ ସହଦେବ ଉତ୍ତର ଦିଗକୁ ଗମନ କରିଅଛନ୍ତି । ବୋଧହୁଏ ସେହି ମହାରଥୀମାନଙ୍କର ଆଗମନ ସମୟ ନିକଟବର୍ତ୍ତୀ ହୋଇଅଛି ।୭। ତୁମ୍ଭେମାନେ ବାହନରୁ ଅବତରଣ କରି କ୍ଷଣକାଳ ଏହିଠାରେ ଅବସ୍ଥାନ କର । ସେମାନେ ଆସି ତୁମ୍ଭମାନଙ୍କର ଯଥେଷ୍ଟ ସମାଦର କରିବେ । ତତ୍ପରେ ତୁମ୍ଭେମାନେ ସ୍ୱୀୟ ଅଭିଳଷିତ ସ୍ଥାନକୁ ଗମନ କରିବ । ମହାତ୍ମା ଧର୍ମନନ୍ଦନ ଅତିଥିଙ୍କୁ ଅତି ଶ୍ରଦ୍ଧା କରନ୍ତି । ସେ ତୁମ୍ଭମାନଙ୍କୁ ଦେଖି ଅତିଶୟ ଆହ୍ଲାଦିତ ହେବେ ।୮। ଅତିଥିସତ୍କାର କରିବା ପାଣ୍ଡବମାନଙ୍କର ସ୍ୱାଭାବିକ ଧର୍ମ । ଏହି କଥାଟି ଶିବିପୁତ୍ର କୋଟିକାସ୍ୟଙ୍କୁ କହି ଚନ୍ଦ୍ରାନନା ଦ୍ରୌପଦୀ ସେହି ପ୍ରଶସ୍ତ ପର୍ଣ୍ଣଶାଳା ମଧ୍ୟରେ ପ୍ରବିଷ୍ଟ ହେଲେ ।୯।

 

॥ ଅଧ୍ୟାୟ – ୨୬୭ ॥

 

ବୈଶମ୍ପାୟନ କହିଲେ, ହେ ଭାରତ ! କୃଷ୍ଣାଙ୍କ ସହିତ କୋଟିକାସ୍ୟ ଯେପରି ସମ୍ଭାଷଣ କରିଥିଲେ, ତାହା ସେ ସମୁଦାୟ ରାଜନ୍ୟଗଣଙ୍କ ନିକଟରେ ବର୍ଣ୍ଣନ କଲେ ।୧। ସୌବୀରରାଜ ଜୟଦ୍ରଥ କୋଟିକାସ୍ୟଙ୍କ ବଚନ ଶ୍ରବଣ କରି ତାହାଙ୍କୁ କହିଲେ । ସର୍ବଦେବଙ୍କର ଲଲାମସ୍ୱରୂପ ସେହି ଲଳନାଙ୍କର ବାକ୍ୟ ଶ୍ରବଣ କରି ଆମ୍ଭର ମନ ତାହାଙ୍କଠାରେ ରତ ହୋଇଅଛି । ତୁମ୍ଭେ କି ନିମିତ୍ତ ବିଫଳ ହୋଇ ଫେରିଆସିଲ ? ହେ ମହାବାହୋ ! ଆମ୍ଭେ ତୁମ୍ଭଙ୍କୁ ସତ୍ୟକରି କହୁଅଛୁଁ, ଯେଉଁ ସମୟରେ ଆମ୍ଭେ ତାହାଙ୍କୁ ଦେଖିଅଛୁଁ, ସେହି ସମୟରୁ ଅନ୍ୟାନ୍ୟ ନାରୀମାନେ ଆମ୍ଭଙ୍କୁ ବାନରୀ ପ୍ରାୟ ଦିଶୁଅଛନ୍ତି । ସେହି କାମିନୀ ଆମ୍ଭର ଚିତ୍ତ ହରଣ କରି ନେଇଅଛି ।୪। ଅତଏବ ହେ ଶୈବ ! ସେହି କଲ୍ୟାଣୀ ମାନୁଷୀ କି ନା, ମୋତେ କହ ।

 

କୋଟିକାସ୍ୟ କହିଲେ, ସେ ପାଣ୍ଡବମାନଙ୍କର ଅତି ପ୍ରିୟା ମହିଷୀ ଅଟନ୍ତି । ସେ ରାଜନନ୍ଦିନୀ ଦ୍ରୁପଦରାଜଙ୍କର ପୁତ୍ରୀ । ତାହାଙ୍କ ନାମ କୃଷ୍ଣା । ସେହି ସାଧ୍ୱୀ ପଞ୍ଚପାଣ୍ଡବଙ୍କର ପ୍ରୀତିଭାଜନ । ସେମାନେ ତାହାଙ୍କୁ ଅତିଶୟ ସମ୍ମାନ କରନ୍ତି । ଅତଏବ ହେ ସୌବୀର ! ତୁମ୍ଭେ ଏହାଙ୍କ ସହିତ ମିଳିତ ହୋଇ ସୌବୀର ଅଭିମୁଖକୁ ପ୍ରସ୍ଥାନ କର । ବୈଶମ୍ପାୟନ କହିଲେ, ଏହିପରି ବାକ୍ୟ ଶୁଣି ସୌବୀର ଓ ସିନ୍ଧୁ ପ୍ରଭୃତି ଦେଶର ଅଧିପତି, ଦୁରାତ୍ମା ଜୟଦ୍ରଥ ପ୍ରତ୍ୟୁତ୍ତର ଦେଲା ।

 

“ଦ୍ରୌପଦୀଙ୍କୁ ଦେଖିବା ।” ଏହା କହି ବୃକ ଯେପରି ମୃଗେନ୍ଦ୍ରଗୋଷ୍ଠରେ ପ୍ରବେଶ କରେ ସେହିପରି ଛଅଜଣଙ୍କୁ ଘେନି ସେ ପାଣ୍ଡବମାନଙ୍କ ଆଶ୍ରମରେ ପ୍ରବେଶ କଲେ ଓ କୃଷ୍ଣାଙ୍କୁ ସମ୍ବୋଧନ କରି କହିଲେ, ହେ ବରାରୋହେ ! ତୁମ୍ଭର ମଙ୍ଗଳ ତ ? ତୁମ୍ଭର ଭର୍ତ୍ତାମାନେ ଭଲ ଅଛନ୍ତି ତ ?୯। ତୁମ୍ଭେ ଯେଉଁମାନଙ୍କୁ ଶ୍ରଦ୍ଧା କର, ସେମାନେ ଭଲ ଅଛନ୍ତି ତ ? ଦ୍ରୌପଦୀ କହିଲେ, ହେ ନୃପସୁତ ! କୁରୁନନ୍ଦନ କୁନ୍ତୀତନୟ ରାଜା ଯୁଧିଷ୍ଠିର କୁଶଳୀ ଅଛନ୍ତି । ତାହାଙ୍କର ଭ୍ରାତୃଗଣ ଓ ଆଉ ଯାହାଙ୍କ କଥା ଆପଣ ପଚାରିବା ହେଲେ ସେମାନେ ଭଲ ଅଛନ୍ତି । ମୁଁ ମଧ୍ୟ ଭଲ ଅଛି । ତୁମ୍ଭର ରାଜା, ରାଜ୍ୟ, କୋଷ ଓ ବଳ ସମ୍ବନ୍ଧୀୟ ସମୁଦାୟ କୁଶଳ ତ ? ତୁମ୍ଭେ ଏକାକୀ ସୌବୀର ଓ ସିନ୍ଧୁଦେଶର ପ୍ରଜାମାନଙ୍କୁ ଓ ଅନ୍ୟାନ୍ୟ ଯେଉଁସବୁ ଲୋକେ ତୁମ୍ଭ ଅଧୀନରେ ଅଛନ୍ତି, ସେମାନଙ୍କୁ ତୁମ୍ଭେ ଧର୍ମାନୁସାରେ ପାଳନ କରୁଅଛ ତ ? ହେ ନପନନ୍ଦନ ! ଏହି ପାଦ୍ୟ ଓ ଆସନ ଗ୍ରହଣ କର-। ତୁମ୍ଭର ପ୍ରାତଃଭୋଜନ ନିମିତ୍ତ ଏହି ପଞ୍ଚାଶ ଗୋଟି ମୃଗ ପ୍ରଦାନ କରୁଅଛି । ଏମାନଙ୍କୁ ସ୍ୱୀକାର କର-।୧୩।

 

ଏଥିଉତ୍ତାରୁ କୁନ୍ତୀପୁତ୍ର ଯୁଧିଷ୍ଠିର ଆସିଲେ ଐଣେୟ, ପୃଷତ, ନ୍ୟଙ୍କୁ, ହରିଣ, ଶରଭ, ଶଶ, ଋଷ, ଚୁରୁ, ଶମ୍ବର ଓ ଗବୟମାନ, ବହୁସଂଖ୍ୟକ ମୃଗ, ବରାହ, ମହିଷ ପ୍ରଭୃତି ବିବିଧ ପଶୁ ସ୍ୱୟଂ ତୁମ୍ଭଙ୍କୁ ପ୍ରଦାନ କରିବେ ।୧୫।

 

ଜୟଦ୍ରଥ କହିଲେ, ଆମ୍ଭର ପ୍ରାତଃଭୋଜନର ଅଭାବ ନାହିଁ । ତୁମ୍ଭେ ଯାହାକିଛି ଆମ୍ଭଙ୍କୁ ଦେବାକୁ ଅଭିଳାଷ କରିଅଛ, ସେତିକି ଯଥେଷ୍ଟ । ଏବେ ଆସ, ଆମ୍ଭର ରଥରେ ଆରୋହଣ କର ଓ ସମ୍ପୂର୍ଣ୍ଣ ସୁଖଭାଗିନୀ ହୁଅ ।୧୬। ପାଣ୍ଡବମାନେ ଶ୍ରୀହୀନ, ହୃତରାଜ୍ୟ, ଦୀନଦଶାଗ୍ରସ୍ତ, ଭଗ୍ନଚିତ୍ତ ଓ ଅରଣ୍ୟବାସୀ ହେଇଅଛନ୍ତି, ସେମାନଙ୍କୁ ଆଶ୍ରୟ କରିବା ତୁମ୍ଭର ଉଚିତ ନୁହେଁ ।୧୭। ବୁଦ୍ଧିମତୀ ଯୁବତୀ କଦାପି ସମ୍ପତ୍ତିହୀନ ପତିଙ୍କ ପ୍ରତି ଅନୁରାଗିଣୀ ହୁଅନ୍ତି ନାହିଁ । ଭର୍ତ୍ତା ଯେବେ ଶ୍ରୀଯୁକ୍ତ ହୋଇଥାଏ, ତେବେ ତାହାସହିତ ସଂଯୁକ୍ତ ହେବ । ଶ୍ରୀ ଭ୍ରଷ୍ଟ ହେଲେ ତାହା ସହିତ ସଂସ୍ରବ ରଖିବ ନାହିଁ କି ସହବାସ କରିବ ନାହିଁ ।୧୮। ପାଣ୍ଡୁନନ୍ଦନମାନେ ଯାବଜ୍ଜୀବନ ଶ୍ରୀହୀନ ଓ ରାଜ୍ୟଚ୍ୟୁତ ହୋଇଅଛନ୍ତି । ଅତଏବ ସେମାନଙ୍କ ପ୍ରତି ଭକ୍ତି କରି କ୍ଳେଶଭାଗିନୀ ହେବା ତୁମ୍ଭର ପ୍ରୟୋଜନ ନାହିଁ-।୧୯। ହେ ସୁଶ୍ରୋଣି ! ସେମାନଙ୍କୁ ପରିତ୍ୟାଗ କରି ଆମ୍ଭର ଭାର୍ଯ୍ୟା ହୁଅ । ସୁଖ ଲାଭ କର-। ଆମ୍ଭ ସହିତ ତୁମ୍ଭେ ସମୁଦାୟ ସିନ୍ଧୁ-ସୌବୀର ରାଜ୍ୟକୁ ସମ୍ଭୋଗ କର ।

 

ବୈଶମ୍ପାୟନ କହିଲେ, ସିନ୍ଧୁରାଜଙ୍କର ତାଦୃଶ ହୃଦୟକମ୍ପଜନକ ବାକ୍ୟ ଶ୍ରବଣ କରି ଦ୍ରୁପଦନନ୍ଦିନୀ ସୁମଧ୍ୟମା କୃଷ୍ଣା ଭ୍ରୁକୁଟୀକୁଟୀଳମୁଖୀ ହୋଇ ସେ ସ୍ଥାନରୁ ଅପସରି ଗଲେ ଓ ତାହାଙ୍କ କଥାରେ ତିରସ୍କାର କରି ଜୟଦ୍ରଥଙ୍କୁ କହିଲେ, “ତୋତେ ଲଜ୍ଜା ହେଉ ନାହିଁ ? ସାବଧାନ ! ପୁନର୍ବାର ଏପରି କଥା କଦାପି କହିବୁ ନାହିଁ ।” ଅନିନ୍ଦିତା ଦ୍ରୁପଦସୂତା ପତିମାନଙ୍କର ଆଗମନ ପ୍ରତୀକ୍ଷା କରି ଅନେକ ବାକ୍ୟ ପ୍ରୟୋଗଦ୍ୱାରା ସିନ୍ଧୁରାଜଙ୍କୁ ବିଲୋଭିତ କଲେ ।୨୨।

 

॥ ଅଧ୍ୟାୟ – ୨୬୮ ॥

 

ବୈଶମ୍ପାୟନ କହିଲେ, ଦ୍ରୁପଦନନ୍ଦିନୀ ସ୍ୱଭାବରେ ମନୋହରା ହେଲେହେଁ ଯେତେବେଳେ ତାହାଙ୍କର କ୍ରୋଧ ହେଲା, ନୟନଦ୍ୱୟ ରକ୍ତିମ ହେଲା । ତେତେବେଳେ ସେ ଭ୍ରୂଯୁଗଳ ଉନ୍ନତ କରି ସୌବୀର ଦେଶର ରାଜା ଜୟଦ୍ରଥଙ୍କୁ ବିକ୍ଷୋଭିତ କରି ଶେଷରେ ତାଙ୍କୁ କହିଲେ ।୧। ରେ ମୂଢ଼ ! ସମୁଦାୟ ଯକ୍ଷ ରାକ୍ଷସ ମଧ୍ୟ ଯୁଦ୍ଧ କରିବାକୁ ଆସିଲେ, ମହେନ୍ଦ୍ର ସଦୃଶ ପାଣ୍ଡବମାନେ ସମରରେ ଅଚଳଭାବରେ ଅବସ୍ଥାନ କରନ୍ତି, ସେହି ସ୍ୱଧର୍ମରତ ଯଶସ୍ୱୀ ପାଣ୍ଡବମାନଙ୍କ ପ୍ରତି ଅତ୍ୟୁକ୍ତି କରୁଅଛୁ-? ତୋତେ ଲଜ୍ଜା ହେଉ ନାହିଁ । ରେ ସୌବୀର ! ସାଧୁବ୍ୟକ୍ତିମାନେ କଦାପି ପରମପୂଜ୍ୟ, ତପସ୍ୟାନ୍ୱିତ, କୃତବିଦ୍ୟ, ଗୃହସ୍ଥ ଓ ତପସ୍ୱୀଙ୍କ ପ୍ରତି କୁବାକ୍ୟ ପ୍ରୟୋଗ କରନ୍ତି ନାହିଁ । କୁକୁର ପ୍ରତି ଦୁର୍ଜନମାନେ ଏହିପରି କଟୂକ୍ତି କରନ୍ତି ।୩। ଅଦ୍ୟ ତୁମ୍ଭେ ଯେଉଁ ବିପଦଗର୍ଭରେ ପତିତ ହେଉଅଛ, ତହିଁରୁ ତୁମ୍ଭର ହସ୍ତଧରି ରକ୍ଷା କରିବା ନିମିତ୍ତ କ୍ଷତ୍ରିୟ ସମାଜରେ କୌଣସି ବ୍ୟକ୍ତି ଥିବାର ଦେଖାଯାଉ ନାହିଁ ।୪। ତୁମ୍ଭେ ଯେଉଁ ଧର୍ମରାଜଙ୍କୁ ଜୟ କରିବାକୁ ଆଶା କରୁଅଛ, ଏଥିରୁ ଜଣାପଡ଼ୁଛି ଯେ ହିମାଳୟ ଓ ଉପତ୍ୟକାରେ ବିଚରଣକାରୀ, ଗିରିଶୃଙ୍ଗସମ ବୃହତକାୟ, ଭିନ୍ନଗଣ୍ଡ ମତ୍ତମାତଙ୍ଗକୁ ଯୂଥ ମଧ୍ୟରୁ ଖଣ୍ଡେ ଯଷ୍ଟି ଘେନି ଅଡ଼ାଇ ଆଣିବାକୁ ଚେଷ୍ଟା କରୁଅଛ-।୫। ଭୀମସେନକୁ ପରାଜିତ କରିବା ନିମିତ୍ତ ତୋର ଯେଉଁ ଆଶା ହୋଇଅଛି, ଏଥିରୁ ବୋଧହେଉଛି ଯେ ଯେଉଁ ମହାବଳ ପରାକ୍ରାନ୍ତ ସିଂହ ସୁଖରେ ଶୟନ କରିଅଛି, ତାହାକୁ ତୁହି ପଦାହତ କରି ଅଜ୍ଞତାବଶତଃ ତାହାର ମୁଖରୁ ଶ୍ମଶ୍ରୂଲୋମ ଉପାଡ଼ିବାକୁ ଉଦ୍ୟତ ହେଉଅଛୁ । ପରନ୍ତୁ ଭୀମସେନଙ୍କର କ୍ରୋଧପୂର୍ଣ୍ଣ ମୂର୍ତ୍ତି ଅବଲୋକନ କରିବା ମାତ୍ରେ ତୁ ଯେ ପଳାୟନ କରିବୁ, ଏଥିରେ ସନ୍ଦେହ ନାହିଁ ।୬। ରୋଷପରିପୂର୍ଣ୍ଣ ଉଗ୍ରମୂର୍ତ୍ତି ଅର୍ଜୁନଙ୍କ ସହିତ ତୁ ଯେ ଯୁଦ୍ଧ କରିବାକୁ ଆକାଙ୍‌କ୍ଷା କରିଅଛୁ, ଏଥିରୁ ଏହି ନିଦର୍ଶନ ଜଣାପଡ଼ୁଅଛି ଯେ, ଯେଉଁ ସିଂହରାଜ ମହାବଳ ପରାକ୍ରାନ୍ତ, ସଂପୂର୍ଣ୍ଣ ବୃଦ୍ଧିପ୍ରାପ୍ତ ଓ ଉଗ୍ର ସ୍ୱଭାବ ଥାଇ ଗହ୍ୱରରେ ଶୟନ କରିଅଛି, ତାହାକୁ ତୁ ପାଦାଗ୍ରଦ୍ୱାରା ତାଡ଼ନା କରୁଅଛୁ ।୭। ତୁ ଯାହା ପୁରୁଷଶ୍ରେଷ୍ଠ କନିଷ୍ଠ ପାଣ୍ଡବଦ୍ୱୟଙ୍କ ସହିତ ସମର କରିବାକୁ ଅଭିଳାଷ କରିଅଛୁ, ତାହା ଏହିପରି ଯେ ତୀକ୍ଷ୍‌ଣବିଷ, ଦ୍ୱିଜିହ୍ୱ କୃଷ୍ଣସର୍ପଦ୍ୱୟର ପୁଚ୍ଛଦେଶରେ ପାଦ ବିକ୍ଷେପ କରି ଅବ୍ୟାହତି ପାଇବାକୁ ଆଶା କରୁଅଛୁ ।୮। ବାସ୍ତବରେ ତୁ ଯେବେ ମୋତେ ଗ୍ରହଣ କରିବୁ, ତେବେ ସେହି ମହାବୀରମାନେ ନିଶ୍ଚୟ ମୋତେ ରକ୍ଷା କରିବେ; କିନ୍ତୁ ତୋର ଏହିପରି ଦଶା ହେବ ଯେ, ବେଣୁ କଦଳୀ ଅଥବା ନଳ ଯେପରି ଆପଣାର ବିନାଶ ନିମିତ୍ତ ଫଳବାନ ହୁଏ, ସେହିପରି ମୋତେ ଗ୍ରହଣ କରି ତୁ ବିନାଶପ୍ରାପ୍ତ ହେବୁ ।୯।

 

ଜୟଦ୍ରଥ କହିଲେ, କୃଷ୍ଣେ ! ପାଣ୍ଡୁପୁତ୍ରମାନଙ୍କର ବଳ ଓ ବିକ୍ରମ ଅଛି । ତାହା ମୋତେ ଅଜ୍ଞାତ ନାହିଁ । ତୁ ଏହିପରି ଭୟ ପ୍ରଦର୍ଶନଦ୍ୱାରା ଅଦ୍ୟ ଆମ୍ଭମାନଙ୍କୁ ତ୍ରାସିତ କରିପାରିବୁ ନାହିଁ ।୧୦। ହେ ଦ୍ରୌପଦୀ ! ଆମ୍ଭେମାନେ ସମସ୍ତେ ମଧ୍ୟ ପ୍ରଧାନ ସପ୍ତଦଶ କୁଳରେ ଜନ୍ମଗ୍ରହଣ କରିଅଛୁ-। ଶୌର୍ଯ୍ୟ ପ୍ରଭୃତି ଷଡ଼ଗୁଣରେ ପାଣ୍ଡବମାନଙ୍କଠାରୁ ଆମ୍ଭେମାନେ ବିଶିଷ୍ଟ, ସୁତରାଂ ପାଣ୍ଡବମାନେ ନିକୃଷ୍ଟ ବୋଲି ଗଣ୍ୟ ହୁଅନ୍ତି । ଏବେ ତୁମ୍ଭେ ବିଳମ୍ବ ନ କରି ମାତଙ୍ଗ ଅଥବା ରଥରେ ଆରୋହଣ କର । କେବଳ ବାକ୍ୟଦ୍ୱାରା ତୁମ୍ଭେ ଆମ୍ଭମାନଙ୍କୁ ନିରସ୍ତ କରିପାରିବ ନାହିଁ । ସୌବୀର ରାଜାଙ୍କଠାରେ କ୍ଷମାପ୍ରାର୍ଥନା କର ।୧୨।

 

ଦ୍ରୌପଦୀ କହିଲେ, ଆମ୍ଭେ ମହାବଳଶାଳିନୀ, ବିଖ୍ୟାତ ରାଜକୁମାରୀ ଓ ରାଜମହିଷୀ ହୋଇ ନିଗ୍ରହ ଭୟରେ ସୌବୀରରାଜାଙ୍କ ସମୀପରେ କାତର ହୋଇ କଥା କହି ନ ପାରୁ । କୃଷ୍ଣ ଓ ଅର୍ଜୁନ ଦୁହେଁ ମିଳିତ ହୋଇ ଏକାରଥରେ ବସି ଯାହାର ପରିତ୍ରାଣ ନିମିତ୍ତ ଅନୁସରଣ କରିପାରନ୍ତି, ତାହାକୁ ଇନ୍ଦ୍ର ମଧ୍ୟ କଦାପି ଅପହରଣ କରିବାକୁ ସମର୍ଥ ହୁଏ ନାହିଁ । ସାମାନ୍ୟ ଜଣେ ମନୁଷ୍ୟ ଦୀନଦଶାଗ୍ରସ୍ତ ହୋଇ ଯେ ଏପରି କାର୍ଯ୍ୟ କରିବ, ତାହା ଅସମ୍ଭବ ।୧୪। ଶତ୍ରୁସଂହାରକାରୀ ସବ୍ୟସାଚୀ ଯେତେବେଳେ ରଥରେ ଆରୋହଣ କରି ଶତ୍ରୁମାନଙ୍କ ଅନ୍ତଃକରଣରେ ଭୟ ଜନ୍‍ମାଇ ଆମ୍ଭ ନିମିତ୍ତ ତୁମ୍ଭ ସୈନ୍ୟ ମଧ୍ୟରେ ପ୍ରବେଶ କରିବେ, ତେତେବେଳେ ଗ୍ରୀଷ୍ମକାଳରେ ଅଗ୍ନି ଯେପରି ଶୁଷ୍କ ତୃଣମାନଙ୍କୁ ଦଗ୍ଧ କରେ, ସେହିପରି ଶରାନଳଦ୍ୱାରା ତୁମ୍ଭ ସମସ୍ତଙ୍କୁ ଦଗ୍ଧ କରିବେ ।୧୫। ଅନ୍ଧକ, ବୃଷ୍ଣି ଓ କେକୟବଂଶୀୟ ମହାଧନୁର୍ଦ୍ଧାରୀ ରାଜପୁତ୍ରମାନଙ୍କୁ ସଙ୍ଗରେ ଘେନି ମହାବୀର ଜନାର୍ଦ୍ଦନ ଆମ୍ଭର ପଥାନୁସାରୀ ହେବେ ।୧୬। ତୁମ୍ଭେ ଯେତେବେଳେ ଦେଖିବ ଯେ, ଅର୍ଜୁନଙ୍କ କରଦ୍ୱାରା ପ୍ରେରିତ ହୋଇ ଗାଣ୍ଡୀବ-ଧନୁରୁ ନିକ୍ଷିପ୍ତ ଶରମାନ ଭୟଙ୍କର ମେଘନାଦ ପ୍ରାୟ ନାଦକରି ଯାଉଅଛନ୍ତି ଓ ପତଙ୍ଗ ଗତିପ୍ରାୟ ସେହି ଶର ନିକ୍ଷେପକୁ ନିରୀକ୍ଷଣ କରିବ, ତେତେବେଳେ ତୁମ୍ଭେ ଆପଣା ବୁଦ୍ଧିକୁ ନିଶ୍ଚୟ ନିନ୍ଦା କରିବ ।୧୭। ଯେତେବେଳେ ଗାଣ୍ଡୀବଧନ୍ୱା ଧନଞ୍ଜୟ ଶଙ୍ଖଧ୍ୱନି କରି ଘୋର ନିନାଦସହିତ ବାରମ୍ବାର ଶରମାନଙ୍କୁ ଉଦ୍‌ବହନ କରି ତୁମ୍ଭ ବକ୍ଷସ୍ଥଳରେ ପ୍ରହାର କରିବେ, ତେତେବେଳେ ତୁମ୍ଭର ମନ କିପରି ହେଉଥିବ, ଏ କଥା ବାରେ ଭାବନା କରି ଦେଖ ।୧୮।

 

ଭୀମସେନ ଯେତେବେଳେ ଗଦାହସ୍ତ ହୋଇ ତୁମ୍ଭ ଅଭିମୁଖରେ ଧାବମାନ ହେବେ, ନକୁଳ ଓ ସହଦେବ ଅମର୍ଷ ହେତୁ କ୍ରୋଧ-ବିଷ ବମନ କରି ଦିଗ୍‌ବିଦିଗରେ ଧାବମାନ ହେବେ, ତେତେବେଳେ ସେମାନଙ୍କୁ ବିଲୋକନ କରି ତୁମ୍ଭେ ଚିରସନ୍ତାପଗ୍ରସ୍ତ ହେବ ।୨୦। ଯେଉଁ ସତ୍ୟର ବଶୀଭୂତ ହୋଇ ଆମ୍ଭେ ନିଜର ପତିମାନଙ୍କ ପ୍ରତି ମନରେ ସୁଦ୍ଧା କଦାପି ଅନାଚାର କରି ନାହୁଁ, ସେହି ସତ୍ୟଦ୍ୱାରା ଆମ୍ଭେ କହୁଅଛୁଁ ଯେ, ଅଦ୍ୟ ଆମ୍ଭେ ଦେଖିବୁ ପୃଥାପୁତ୍ରମାନେ ତୁମ୍ଭଙ୍କୁ ବଶୀଭୂତ କରି ଭୂମିଉପରେ ଘୋଷାରିବେ ।୨୧। ସ୍ୱଭାବରେ ନିଷ୍ଠୁର, ତଥାପି ମୋତେ ବିକର୍ଷଣ କରି କଦାପି ଭୀତ କରିପାରିବୁ ନାହିଁ । ପାଣ୍ଡବମାନେ ମୋ ନିକଟକୁ ଆସିଲାକ୍ଷଣି ମୁଁ ପୁନର୍ବାର କାମ୍ୟକ ବନକୁ ଆସିବି ।୨୨। ବୈଶମ୍ପାୟନ କହିଲେ, ବିଶାଳନୟନା କୃଷ୍ଣା ଯେତେବେଳେ ଦେଖିଲେ ଯେ ସେହି ରାଜନ୍ୟଗଣ ତାହାଙ୍କୁ ଗ୍ରହଣ କରିବାକୁ ଇଚ୍ଛୁକ ହୋଇଅଛନ୍ତି, ତେତେବେଳେ ସେମାନଙ୍କୁ ସେ ଭର୍ତ୍ସନା କରି କହିଲେ, ଆମ୍ଭଙ୍କୁ କଦାପି ସ୍ପର୍ଶ କରିବ ନାହିଁ । ଏହା କହି ଅନ୍ତଃକରଣରେ ଭୀତ ହୋଇ ପୁରୋହିତ ଧୌମ୍ୟଙ୍କୁ ଉଚ୍ଚୈସ୍ୱରରେ ଆହ୍ୱାନ କଲେ ।୨୩। ଦୁରାତ୍ମା ଜୟଦ୍ରଥ ଦ୍ରୌପଦୀଙ୍କର ଉତ୍ତରୀୟ ବସନ ଗ୍ରହଣ କଲା । ସେ ମଧ୍ୟ ତାହାକୁ ବଳପୂର୍ବକ ସମାହିତ କରନ୍ତେ, ସେହି ପାପାତ୍ମା ଛିନ୍ନମୂଳ-ମହୀରୁହ ସଦୃଶ ମହୀତଳରେ ପତିତ ହେଲା ।୨୪। ପରନ୍ତୁ ସେ ମହାବେଗରେ ଆସି ତାହାଙ୍କୁ ପୁନର୍ବାର ଗ୍ରହଣ କଲା । ତେତେବେଳେ ଦ୍ରୂପଦତନୟା କୃଷ୍ଣା କୃଷ୍ୟମାଣା ହୁଅନ୍ତେ ବାରମ୍ବାର ଦୀର୍ଘନିଃଶ୍ୱାସ ପରିତ୍ୟାଗ କରି ଧୌମ୍ୟଙ୍କ ଚରଣଯୁଗଳରେ ଅଭିବାଦନପୂର୍ବକ ସିନ୍ଧୁରାଜଙ୍କ ରଥରେ ଆରୋହଣ କଲେ ।୨୫।

 

ଧୌମ୍ୟ କହିଲେ, ହେ ଜୟଦ୍ରଥ ! କ୍ଷତ୍ରିୟଙ୍କର ପୁରାତନ ଧର୍ମ ପ୍ରତି ଅବେକ୍ଷଣ କର । ମହାରଥ ପାଣ୍ଡବମାନଙ୍କୁ ପରାଜିତ ନ କରି ଦ୍ରୌପଦୀଙ୍କୁ ଘେନିଯିବା ତୁମ୍ଭର ସାଧ୍ୟ ନୁହେଁ । ଏହି ନିନ୍ଦନୀୟ କର୍ମ କରିବାରୁ ଧର୍ମରାଜ ଯୁଧିଷ୍ଠିର ପ୍ରଭୃତି ବଳସମ୍ପନ୍ନ ପାଣ୍ଡୁନନ୍ଦନଙ୍କ ସମୀପରେ ଅବଶ୍ୟ ତୁମ୍ଭେ ଏହାର ପାପମୟ ଫଳ ପ୍ରାପ୍ତ ହେବ, ଏଥିରେ ସନ୍ଦେହ ନାହିଁ ।୨୭। ବୈଶମ୍ପାୟନ କହିଲେ, ଏହି କଥା କହି ଧୌମ୍ୟ ତତ୍କାଳରେ ପଦାତିକମାନଙ୍କର ମଧ୍ୟବର୍ତ୍ତୀ ହୋଇ ଦ୍ରୁପଦରାଜନନ୍ଦିନୀଙ୍କ ପଛେ ପଛେ ଗମନ କଲେ ।୨୮।

 

॥ ଅଧ୍ୟାୟ – ୨୬୯ ॥

 

ବୈଶମ୍ପାୟନ କହିଲେ, ତଦନନ୍ତର ନିଖିଳ ଭୂମଣ୍ଡଳ ମଧ୍ୟରେ ପ୍ରଧାନ ଧନୁର୍ଦ୍ଧାରୀ ପାଣ୍ଡୁନନ୍ଦନମାନେ ପୃଥକ୍ ପୃଥକ୍ ସଞ୍ଚରଣ କରି ସର୍ବ ଦିଗରୁ ମୃଗ, ବରାହ, ମହିଷ ପ୍ରଭୃତି ନାନାବିଧ ପଶୁଙ୍କୁ ସଂହାର କରି ପରିଶେଷରେ ଏକତ୍ର ମିଳିତ ହେଲେ ।୧। ତତ୍ପରେ ଯୁଧିଷ୍ଠିର ସେହି ମୃଗ ଓ ହିଂସ୍ରକ ଜନ୍ତୁ ପରିପୂର୍ଣ୍ଣ କାମ୍ୟକ ବନରେ ପକ୍ଷୀମାନଙ୍କ ନିନାଦ ଶ୍ରବଣ କରି ଓ କୁରଙ୍ଗମାନଙ୍କର ଚିତ୍କାର ଧ୍ୱନି ହେଉଥିବା ଜାଣି ଭାଇମାନଙ୍କୁ କହିଲେ, ଏହି ବନ ମଧ୍ୟସ୍ଥିତ କୁରଙ୍ଗ ଓ ବିହଙ୍ଗମାନେ ଅତ୍ୟନ୍ତ ଆୟାସଯୁକ୍ତ ଶବ୍ଦ କରି କମଳକାନ୍ତ ସୂର୍ଯ୍ୟଙ୍କ ପ୍ରତି ଧାବିତ ହେଉଅଛନ୍ତି । ଏଥିରୁ ଆମ୍ଭଙ୍କୁ ବୋଧ ହେଉଅଛି ଯେ କାମ୍ୟକ ବନରେ ଆମ୍ଭର ଶତ୍ରୁମାନେ ଆସି ବାଧା ଜାତ କରୁଅଛନ୍ତି ।୩। ଅତଏବ ତୁମ୍ଭେମାନେ ଶୀଘ୍ର ନିବୃତ୍ତ ହୁଅ । ଆମ୍ଭମାନଙ୍କର ମୃଗରେ ଆଉ ପ୍ରୟୋଜନ ନାହିଁ । କାରଣ ଏହି ଯେ, ଆମ୍ଭର ଚିତ୍ତ ଅତ୍ୟନ୍ତ ବ୍ୟଥିତ ହେଉଅଛି । ଏପରି ବ୍ୟଥିତ ଯେ ହୃଦୟ ଦଗ୍ଧ ହେଲା ପ୍ରାୟ ହେଉଅଛି, ଶରୀରସ୍ଥିତ ପ୍ରାଣ ପ୍ରତି ଅତିମାତ୍ର କାତର ହୋଇ ବୁଦ୍ଧିର ମୋହକୁ ଉତ୍ପାଦନ କରି ଊର୍ଦ୍ଧ୍ୱକୁ ଉତ୍‌ଥିତ ହେଲା ପ୍ରାୟ ଜଣାଯାଉଅଛି ।୪। ଗରୁଡ଼ ଆସି କୌଣସି ସରୋବରରୁ ଭୁଜଙ୍ଗମକୁ ହରଣ କଲେ ସେହି ସରୋବର ଯେପରି କ୍ଷୁଭିତ ହୁଏ, ରାଷ୍ଟ୍ର ମଧ୍ୟରୁ ଲକ୍ଷ୍ମୀ ହୃତ ହେଲେ ଅଥଚ; ରାଷ୍ଟ୍ର ହୃତ ହେଲେ ଯେପରି ହୁଏ, ପାନ ଲାଳସାରେ ଲୋକେ କୁମ୍ଭସ୍ଥିତ ସମସ୍ତ ରସକୁ ପାନ କରିଦେଲେ ସେହି କୁମ୍ଭର ଯେପରି ଦୁରବସ୍ଥା ହୁଏ, କାମ୍ୟକ ବନ ମଧ୍ୟ ଆମ୍ଭଙ୍କୁ ସେହିପରି ଦୁର୍ଦ୍ଦଶାଗ୍ରସ୍ତ ବୋଲି ପ୍ରତୀତ ହେଉଅଛି ।୫।

 

ମହାବଳ ପରାକ୍ରାନ୍ତ ନରବୀର ପାଣ୍ଡବମାନେ ତତ୍କାଳରେ ପବନ ଓ ଭୁବନ ପ୍ରଭାବ ଅପେକ୍ଷା ଅଧିକ ବେଗବାନ ହୋଇ ସିନ୍ଧୁଦେଶଜାତ ବାୟୁସମ ବେଗଗାମୀ ତୁରଙ୍ଗଯୁକ୍ତ ବୃହଦାକାର ନିଜ ନିଜ ରଥରେ ବସି ଆଶ୍ରମ ଆଡ଼କୁ ଗମନ କଲେ ।୬। ଫେରି ଆସିଲା ବେଳେ ସେମାନଙ୍କ ବାମ ଭାଗରେ ଗୋଟାଏ ଗୋମାୟୁ ଆସି ସହସା ଚିତ୍କାର କଲା । ରାଜା ଯୁଧିଷ୍ଠିର ପର୍ଯ୍ୟାଲୋଚନା କରି ଭୀମ ଓ ଧନଞ୍ଜୟଙ୍କୁ କହିଲେ ।

 

ଏହି ନିକୃଷ୍ଟ ଜୀବ ଶୃଗାଳ ବାମ ପାର୍ଶ୍ୱରେ ଆସି ଯେତେବେଳେ ଭୀମ ରବ କରୁଅଛି, ତେତେବେଳେ ସ୍ପଷ୍ଟ ବୋଧ ହେଉଅଛି ଯେ ପାପାତ୍ମା କୌରବମାନେ ଆମ୍ଭମାନଙ୍କୁ ଅବଜ୍ଞା କରି ବଳପୂର୍ବକ ପୀଡ଼ନ କରିବାର ଆରମ୍ଭ କରିଅଛନ୍ତି । ଏହି କଥା କହି ସେମାନେ ମହାରଣ୍ୟରେ ମୃଗୟା ସମାପ୍ତ କରି କାମ୍ୟକବନକୁ ଆଗମନ କଲେ ଓ ଦେଖିଲେ ଯେ ସେମାନଙ୍କ ଭାର୍ଯ୍ୟାଙ୍କର ପଦଚାରିଣୀ ଧାତ୍ରେୟୀ ରୋଦନ କରୁଅଛି ।୯। ସାରଥି ଇନ୍ଦ୍ରସେନ ତାହାଙ୍କୁ ଦେଖି ରଥରୁ ଡ଼େଇଁପଡ଼ି ନିକଟକୁ ଦୌଡ଼ି ଆସି ସେହି ଧାତ୍ରୀ ଅପେକ୍ଷା ଅଧିକତର କାତର ହୋଇ କହିଲେ ।୧୦।

 

ତୁମ୍ଭେ ଭୂତଳରେ କେଉଁ କାରଣରୁ ରୋଦନ କରୁଅଛ ? କି ନିମିତ୍ତ ତୁମ୍ଭର ମୁଖମଣ୍ଡଳ ମ୍ଳାନ ହୋଇଅଛି ? ନିଷ୍ଠୁର କର୍ମକାରୀ ପାପାତ୍ମା କୌରବମାନେ ରାଜପୁତ୍ରୀ ଦ୍ରୌପଦୀଙ୍କୁ ବଳପୂର୍ବକ ହରଣ କରି ନେଇଯାଇ ନାହାନ୍ତି ତ ? ପାଣ୍ଡବମାନଙ୍କର ନିଜ ଦେହପ୍ରାୟ ପ୍ରିୟବତୀ, ବିଶାଳନେତ୍ରା, ଅଚିନ୍ତ୍ୟରୂପା ଦ୍ରୌପଦୀ ତହିଁରେ ପୃଥିବୀ ମଧ୍ୟରେ ପ୍ରବେଶ କରିନାହାନ୍ତି ତ ? ଆକାଶକୁ ଗମନ କରିନାହାନ୍ତି ତ ? ଅଥବା ସମୁଦ୍ରରେ ନିମଗ୍ନ ହୋଇ ନାହାନ୍ତି ତ ? ଧର୍ମନନ୍ଦନ ଯୁଧିଷ୍ଠିର ଯେପରି ବିଳାପ କରୁଅଛନ୍ତି, ତହିଁରୁ ବୋଧ ହେଉଅଛି ଯେ, ପାଣ୍ଡବମାନେ ସମସ୍ତେ ତାହାଙ୍କର ଅନୁଗାମୀ ହେବେ । କେଉଁ ମୂଢ଼ ବ୍ୟକ୍ତି ଆସି କ୍ଳେଶସହିଷ୍ଣୁ ଅପରାଜିତ ପାଣ୍ଡବମାନଙ୍କର ପ୍ରିୟତମା ରମଣୀକୁ ହରଣ କରି ନେଇଗଲା । ବାହାରେ ଚାଲିଲେ ସୁଦ୍ଧା ସେହି ଦ୍ରୌପଦୀ ପାଣ୍ଡବମାନଙ୍କର ହୃଦୟସ୍ୱରୂପ । ଯେଉଁ ଦ୍ରୌପଦୀ ଅନୁପମ ରତ୍ନପ୍ରାୟ ଓ ଯାହାଙ୍କର ପତିମାନେ ତାଙ୍କୁ ଶ୍ରେଷ୍ଠ ରତ୍ନପ୍ରାୟ ଜାଣି ସଙ୍ଗରେ ଘେନି ବନରେ ସୁଦ୍ଧା ଭ୍ରମଣ କରୁଅଛନ୍ତି ।୧୪। ଅଦ୍ୟ ସୁତୀକ୍ଷ୍‌ଣ ଶରମାନ କାହାର ହୃଦୟକୁ ଭେଦକରି ଧରଣୀଗର୍ଭରେ ପ୍ରବିଷ୍ଟ ହେବ ? ହେ ଭୀରୁ ! ତୁମ୍ଭେ କୃଷ୍ଣାଙ୍କ ପାଇଁ ଶୋକ କର ନାହିଁ । ତୁମ୍ଭେ ନିଶ୍ଚୟ ଜାଣ ଯେ, “ସେ ଆଜି ପୁନରାଗମନ କରିବେ ।୧୫। ପାଣ୍ଡବମାନେ ସମୁଦାୟ ଶତ୍ରୁଙ୍କୁ ନିଃଶେଷ କରି ପଶ୍ଚାତ୍ ଯାଜ୍ଞସେନୀଙ୍କ ସହିତ ମିଳିତ ହେବେ ।” ତଦନନ୍ତର ଧାତ୍ରୀ ରୁଚିର ବଦନକୁ ପୋଛି ସାରଥି ଇନ୍ଦ୍ରସେନକୁ କହିଲା ।୧୬।

 

ଇନ୍ଦ୍ରତୁଲ୍ୟ ପାଣ୍ଡବଙ୍କୁ ଅବଜ୍ଞା କରି ସିନ୍ଧୁ ରାଜପୁତ୍ର ଜୟଦ୍ରଥ ବଳପୂର୍ବକ ହରଣକରି ନେଇଅଛି । ଏହି ପଥ ଅଦ୍ୟାପି ନୂତନ ହୋଇ ରହିଅଛି । ଭଗ୍ନ ବୃକ୍ଷମାନେ ଅଦ୍ୟାପି ମ୍ଳାନ ହୋଇ ନାହାନ୍ତି ।୧୭। ଅତଏବ ତୁମ୍ଭେ ରଥ ଫେରାଅ । ରାଜପୁତ୍ରୀ ବର୍ତ୍ତମାନ ସୁଦ୍ଧା ଅଧିକ ଦୂରକୁ ଯାଇ ନାହାନ୍ତି । ତେବେ ତାହାଙ୍କର ଅନୁସରଣ କର । ହେ ବୀରଗଣ ! ତୁମ୍ଭେମାନେ ସମସ୍ତେ ଇନ୍ଦ୍ରଙ୍କ ସଦୃଶ, ତୁମ୍ଭେମାନେ ସମସ୍ତେ ସୁନ୍ଦର ବିଶାଳ ବର୍ମ ପରିଧାନ କରି ଓ ମହାମୂଲ୍ୟ ଶରାସନ ଏବଂ ଶରନିକର ଧାରଣ କରି ଶୀଘ୍ର କୃଷ୍ଣାଙ୍କର ଅନୁସାରୀ ହୁଅ । କାଳେ କୌଣସି ପାଷଣ୍ଡମାନଙ୍କ ଭର୍ତ୍ସନା ଓ ଦଣ୍ଡଦ୍ୱାରା ବିମୋହିତ ହୋଇ ଅଚେତନ ଅବସ୍ଥାରେ, ଭସ୍ମରେ ହବନ କଲା ପ୍ରାୟ ସେ ଆତ୍ମଦେହ ସମର୍ପଣ କରନ୍ତି, ତୁଷ ଅଗ୍ନିରେ ଯେପରି ଆହୁତି ଦିଆ ନ ହୁଏ, ଶ୍ମଶାନରେ କୁସୁମମାଳା ନିକ୍ଷପ୍ତ ନ ହୁଏ ।୨୦। ଯଜ୍ଞକାରୀଙ୍କ ଅନବଧାନତାରେ ଯଜ୍ଞୀୟ ସୋମରସକୁ କୁକୁର ଲେହନ ନ କରେ, ଗୋଟାଏ ଶୃଗାଳ ସୁଦ୍ଧା ଜଳରେ ପଶି ପଦ୍ମିନୀକୁ ଆଲୋଡ଼ିତ ନ କରେ ।୨୧। ତୁମ୍ଭମାନଙ୍କ ଭାର୍ଯ୍ୟାଙ୍କର ସୁନ୍ଦର ନାସା ଓ ସୁନ୍ଦର ଲୋଚନଯୁକ୍ତ ଚନ୍ଦ୍ର ପ୍ରଭାସମ ପ୍ରସନ୍ନ ବଦନକୁ କୌଣସି ଦୁଷ୍କର୍ମକାରୀ ସ୍ପର୍ଶ ନ କରେ । ଯଜ୍ଞୀୟ ପୁରୋଡ଼ାସକୁ କୁକୁର ଭକ୍ଷଣ ନ କରେ, ସମ୍ମୁଖବର୍ତ୍ତୀ ଏହି ପଥ ଦେଇ ତୁମ୍ଭେମାନେ ଶୀଘ୍ର ଅନୁସରଣ କର । ଏ ବିଷୟରେ କାଳକ୍ଷେପ କର ନାହିଁ । କାଳ ଯେପରି ତୁମ୍ଭ କାର୍ଯ୍ୟସିଦ୍ଧିରେ ପ୍ରତିବନ୍ଧକ ନ ହୁଏ ।୨୨।

 

ଯୁଧିଷ୍ଠିର କହିଲେ, ଭଦ୍ରେ ! ନିବୃତ୍ତ ହୁଅ । ଅଧିକ କଥା କହ ନାହିଁ । ଆମ୍ଭ ସମୀପରେ ପୁରୁଷ କଥା କହ ନାହିଁ । ରାଜା ବା ରାଜପୁତ୍ରମାନେ ବଳରେ ମତ୍ତ ହେଲେ ବଞ୍ଚନାପ୍ରାପ୍ତ ହୁଅନ୍ତି ।୨୩। ବୈଶମ୍ପାୟନ କହିଲେ, ଏତିକି କଥା କହି ଯୁଧିଷ୍ଠିର ପ୍ରଭୃତି ପାଣ୍ଡବଗଣ ଧାତ୍ରୀପ୍ରଦର୍ଶିତ ପଥର ଅନୁସାରୀ ହେଲେ । ଭୁଜଙ୍ଗ ପ୍ରାୟ ବାରମ୍ବାର ଉଷ୍ଣ ନିଃଶ୍ୱାସ ପରିତ୍ୟାଗ କରି ଓ ମହାଧନୁମାନଙ୍କର ଗୁଣକୁ ଆକର୍ଷଣ କରି ଟଙ୍କାର ଶବ୍ଦଦ୍ୱାରା ଶତ୍ରୁମାନଙ୍କୁ ନିହତ କରିବାର ସଙ୍କେତ ଦେଲେ ।୨୪। ଏହି ରୂପେ ସେମାନେ ଶୀଘ୍ର କେତେକ ଦୂର ଯାଇ ଦେଖିଲେ ଯେ ରାଜସୈନ୍ୟମାନଙ୍କର ତୁରଙ୍ଗ ଖୁରରେ ଆହତ ହୋଇ ଧୂଳିପଟଳ ଆକାଶକୁ ଉଡ଼ୁଅଛି; ଅଥଚ ପୁରୋହିତ ଧୌମ୍ୟ ସେହି ପଦାତିଗଣଙ୍କ ମଧ୍ୟବର୍ତ୍ତୀ ହୋଇ “ଶୀଘ୍ର ଦୌଡ଼ିଆସ” ବୋଲି ଭୀମଙ୍କୁ ଉଚ୍ଚୈଃସ୍ୱରରେ ଆହ୍ୱାନ କରୁଅଛନ୍ତି ।୨୫। ତଦନନ୍ତର ରାଜପୁତ୍ରମାନେ ଧୌମ୍ୟଙ୍କୁ ସାନ୍ତ୍ୱନାପୂର୍ବକ କହିଲେ–

 

ଆପଣ ସୁଖରେ ଆଗମନ କରନ୍ତୁ । ଏହା କହି ଆମିଷାର୍ଥ ଶ୍ୱେନପକ୍ଷୀ ଧାବମାନ ହେଲା ପ୍ରାୟ ସେମାନେ ସୈନ୍ୟଙ୍କ ପ୍ରତି ଆକ୍ରମଣ କଲେ ।୨୬। ସେମାନେ ସମସ୍ତେ ମହେନ୍ଦ୍ରଙ୍କ ପ୍ରାୟ ବିକ୍ରମୀ, ପରନ୍ତୁ ଦ୍ରୌପଦୀଙ୍କ ନିଗ୍ରହ ହେତୁରୁ ସେମାନଙ୍କର କ୍ରୋଧାନଳ ପ୍ରଜ୍ୱଳିତ ହୋଇଅଛି । ତହିଁରେ ସେମାନେ ଜୟଦ୍ରଥଙ୍କୁ ଦେଖି ଓ ତାହାଙ୍କ ରଥରେ ଦ୍ରୌପଦୀଙ୍କୁ ବସିଥିବାର ଦେଖି ଅଧିକତର କ୍ରୁଦ୍ଧ ହେଲେ । ବୃକୋଦର, ଧନଞ୍ଜୟ, ନକୁଳ, ସହଦେବ ଓ ରାଜା ଯୁଧିଷ୍ଠିର ସମସ୍ତେ ଦୀର୍ଘ ସ୍ୱରରେ ସିନ୍ଧୁରାଜଙ୍କୁ ଡାକ ପକାଇଲେ । ତଦ୍ଦ୍ୱାରା ଶତ୍ରୁଗଣଙ୍କର ସମ୍ୟକ୍ ପ୍ରକାରେ ମୋହ ଜାତ ହୋଇ ସେମାନଙ୍କୁ ଦିଗସବୁ ଅଦୃଶ୍ୟ ହେଲା ।୨୮।

 

॥ ଅଧ୍ୟାୟ – ୨୭୦ ॥

 

ବୈଶମ୍ପାୟନ ବୋଇଲେ, ଭୀମସେନ ଓ ଅର୍ଜୁନଙ୍କୁ ଦେଖି ଅମର୍ଷି କ୍ଷତ୍ରିୟମାନଙ୍କ ମଧ୍ୟରେ ବନ ଭିତରେ ଘୋରତର ଶବ୍ଦ ଜାତ ହେଲା ।୧। ଦୁରାତ୍ମା ରାଜା ଜୟଦ୍ରଥ ମଧ୍ୟ କୁରୁପୁଙ୍ଗବମାନଙ୍କର ରଥଧ୍ୱଜସବୁ ବିଲୋକନ କରି ତେଜହୀନ ହୋଇ ରଥସ୍ଥିତା ତେଜସ୍ୱିନୀ ଦ୍ରୌପଦୀଙ୍କୁ କହିଲେ, କୃଷ୍ଣେ ! ଦେଖ, ଅଳ୍ପ ଦୂରରେ ପାଞ୍ଚଗୋଟି ରଥ ଦୃଶ୍ୟ ହେଉଛି । ବୋଧହୁଏ ତହିଁରେ ତୁମ୍ଭର ପତିମାନେ ଆସୁଅଛନ୍ତି । ଅତଏବ ହେ ସୁକେଶ ! ତୁମ୍ଭର ପରିଚିତ ଥିବାରୁ ପଚାରୁଅଛୁଁ ଯେ ପାଣ୍ଡବମାନଙ୍କ ମଧ୍ୟରୁ କିଏ କେଉଁ ରଥରେ ଅଛନ୍ତି, ତାହା ଆମ୍ଭଙ୍କୁ କହ ।”

 

ଦ୍ରୌପଦୀ କହିଲେ, ରେ ମୂଢ଼ ! ତୁ ଯେଉଁ କର୍ମ କରିଅଛୁଁ, ସେ ଅତି ଭୟଙ୍କର ଓ ତୋହର ପରମାୟୁ ତଦ୍ଦ୍ୱାରା କ୍ଷୟ ହୋଇଅଛି । ଏବେ ସେହି ମହାଧନୁର୍ଦ୍ଧାରୀମାନଙ୍କର ପରିଚୟ ନେଇ ତୋର କି ଉପକାର ହେବ ? ଆମ୍ଭର ଏହି ବଳଶାଳୀ ପତିମାନେ ଏକତ୍ର ହୋଇ ଉପସ୍ଥିତ ହୋଇଅଛନ୍ତି; ଅତଏବ ବର୍ତ୍ତମାନ ସମରରେ ତୁମମାନଙ୍କର କେହି ଜୀବିତ ରହିବେ ନାହିଁ ।୪। ପରନ୍ତୁ ତୁମେ ମୁମୂର୍ଷୁ ହେଲେହେଁ ଯେତେବେଳେ ଆମ୍ଭଙ୍କୁ ପଚାରୁଅଛ, ତେତେବେଳେ ତୁମ୍ଭ ସମୀପରେ ସମୁଦାୟ ବର୍ଣ୍ଣନା କରିବା ଆମ୍ଭର କର୍ତ୍ତବ୍ୟ । ଯେହେତୁ ଏହି କାର୍ଯ୍ୟ ଧର୍ମାନୁମୋଦିତ ଅଟେ । ସମ୍ପ୍ରତି ଧର୍ମରାଜ ଓ ତାହାଙ୍କର ଅନୁଜମାନଙ୍କୁ ଦେଖି ତୁମ୍ଭଠାରେ ଆମ୍ଭର କୌଣସି ଭୟ ନାହିଁ କିମ୍ବା ମନୋମଧ୍ୟରେ ଆମ୍ଭର ବ୍ୟଥା ନାହିଁ । ଯାହାଙ୍କର ରଥଧ୍ୱଜର ଅଗ୍ରଭାଗରେ ନନ୍ଦ ଓ ଉପନନ୍ଦ ନାମରେ ଦୁଇ ଗୋଟି ମୃଦଙ୍ଗ ଅଛି ଓ ଯହିଁରୁ ମଧୁର ଧ୍ୱନି ନିର୍ଗତ ହେଉଅଛି, ସେହି ଧର୍ମରାଜ ଧର୍ମତତ୍ତ୍ୱ ନିଶ୍ଚୟ କରିବାରେ ଅଭିଜ୍ଞ ଅଟନ୍ତି । କାର୍ଯ୍ୟାର୍ଥ ଲୋକମାନେ ସର୍ବଦା ତାହାଙ୍କର ଅନୁସରଣ କରନ୍ତି ।୬। ଏହି ଯେଉଁ ବ୍ୟକ୍ତି କାଞ୍ଚନ ପ୍ରାୟ ବିଶୁଦ୍ଧ ଗୌର ବର୍ଣ୍ଣ, ସୁନ୍ଦର ନାସିକାଯୁକ୍ତ, କ୍ଷୀଣ କଳେବର ଓ ଯାହାଙ୍କର ଲୋଚନଦ୍ୱୟ ଆୟତ, ସେହି ଆମ୍ଭର ପତି । ସେ କୁରୁବଂଶର ଶ୍ରେଷ୍ଠ, ଧର୍ମଙ୍କର ପୁତ୍ର, ରାଜା ଯୁଧିଷ୍ଠିର ଅଟନ୍ତି । ଧର୍ମାଚରଣ କରିବା ପାଇଁ ଶରଣାଗତ ଶତ୍ରୁକୁ ସୁଦ୍ଧା ପ୍ରାଣଦାନ କରନ୍ତି । ଅତଏବ ରେ ମୂଢ଼ ! ତୁ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି କୃତାଞ୍ଜଳି ହୋଇ ଆପଣା ମଙ୍ଗଳ ନିମିତ୍ତ ଅବିଳମ୍ବେ ତାହାଙ୍କ ନିକଟକୁ ଯାଇ ଶରଣାପନ୍ନ ହୁଅ ।୮। ପୁନଶ୍ଚ ଶାଳବୃକ୍ଷ ଗଜ ପ୍ରାୟ ଯେଉଁ ମହାବାହୁ ପୁରୁଷଙ୍କୁ ରଥରେ ଆରୋହଣ କରୁଥିବାର ଦେଖୁଅଛ, ଯେ ଓଷ୍ଠ କାମୁଡ଼ୁ ଅଛନ୍ତି, ଯେ ଭ୍ରୂକୁଟୀ ଭଙ୍ଗି କରିବାରୁ ଭ୍ରୂଯୁଗଳ ମିଳିତ ହୋଇଅଛି, ସେ ଆମ୍ଭର ପତି ବୃକୋଦର ।୯। ଯେଉଁ ଅଶ୍ୱମାନେ ସତ୍‍କୁଳଜାତ, ସ୍ଥୂଳକାୟ, ଉତ୍ତମଦନ୍ତ, ମହାବଳ-ସମ୍ପନ୍ନ ଓ ଯେ ଶୂରଜନଙ୍କୁ ବହନ କରନ୍ତି, ସେହି ଅଶ୍ୱମାନେ ଯାହାଙ୍କ ରଥରେ ଯୋଜିତ ହୋଇଅଛନ୍ତି, ତାହାଙ୍କର ନାମ ଭୀମ । ସେ ଲୋକାତୀତ କର୍ମ କରିବାରୁ ତାହାଙ୍କର ସେହି ନାମ ଭୂମଣ୍ଡଳରେ ପ୍ରଚାରିତ ହେଉଅଛି ।୧୦। ଭୀମଙ୍କ ନିକଟରେ ଅପରାଧୀ ହେଲେ ବଞ୍ଚିବାର ଆଶା ପରିତ୍ୟାଗ କରିବାକୁ ହୁଏ; ଶତ୍ରୁତା କଲେ, ସେ ବିସ୍ମୃତ ହୁଅନ୍ତି ନାହିଁ । କୌଣସି କାରଣରୁ ଶତ୍ରୁତାର ଶେଷ କରନ୍ତି; ଶତ୍ରୁକୁ ଦମନ କରିସାରି ମଧ୍ୟ ଶାନ୍ତ ହୁଅନ୍ତି ନାହିଁ ।୧୧।

 

ଧର୍ମରାଜ ଯୁଧିଷ୍ଠିରଙ୍କ ଭ୍ରାତା ଓ ଶିଷ୍ୟ ଧନଞ୍ଜୟ ଆମ୍ଭର ପତି ଅଟନ୍ତି । ସେ ଧନୁର୍ଦ୍ଧାରୀଙ୍କ ଅଗ୍ରଗଣ୍ୟ, ଧୈର୍ଯ୍ୟଶୀଳ, ଯଶସ୍ୱୀ ଓ ବୃଦ୍ଧସେବୀ ଅଟନ୍ତି ।୧୨। ସେ ଭୟ, କ୍ରୋଧ ଅଥବା କାମର ବଶୀଭୂତ ହୋଇ କଦାପି ଧର୍ମପଥ ପରିତ୍ୟାଗ କରନ୍ତି ନାହିଁ ଅଥବା ନିଷ୍ଠୁରତା ଆଚରନ୍ତି ନାହିଁ । ଅନଳ ସମାନ ତେଜସ୍ୱୀ, ଶତ୍ରୁଙ୍କ ପରାକ୍ରମ-ସହିଷ୍ଣୁ, ପରସେନା-ମନ୍ଥନକାରୀ, ତାହାଙ୍କ ନାମ ସବ୍ୟସାଚୀ ।୧୩। ଯେ ସର୍ବପ୍ରକାର ଧର୍ମ ଓ ଅର୍ଥର ସିଦ୍ଧାନ୍ତ ଜାଣନ୍ତି, ଭୟାର୍ତ୍ତ ବ୍ୟକ୍ତିର ଭୟ ହରଣ କରନ୍ତି, ଯେ ବୁଦ୍ଧିସମ୍ପନ୍ନ, ଯାହାଙ୍କର ଅସାମାନ୍ୟ ରୂପଲାବଣ୍ୟ ଭୂମଣ୍ଡଳରେ ବିଖ୍ୟାତ ହୋଇଅଛି, ପାଣ୍ଡବମାନେ ଯାହାଙ୍କୁ ପ୍ରାଣ ଅପେକ୍ଷା ଗରିଷ୍ଠ ଜାଣନ୍ତି ଓ ଯେ ଅନୁରକ୍ତ ହୋଇଥିବାରୁ ସମସ୍ତେ ଯାହାଙ୍କୁ ରକ୍ଷା କରନ୍ତି, ସେ ଆମ୍ଭର ଜଣେ ବିକ୍ରମଶାଳୀ ପତି । ତାହାଙ୍କ ନାମ ନକୁଳ । ରେ ମୂଢ଼ମନା ! ସହଦେବଙ୍କ ଅଗ୍ରଜ ସେହି ମହାବୀର ନକୁଳ ଅସିଚର୍ମ ଧରି ଲଘୁହସ୍ତ ହୋଇ ଯୁଦ୍ଧ କରନ୍ତି । ଅତଏବ ଅସୁର ସେନା ମଧ୍ୟରେ ଦେବରାଜ ଇନ୍ଦ୍ରଙ୍କ ପ୍ରାୟ ଅଦ୍ୟ ରଣସ୍ଥଳରେ ତୁମ୍ଭେ ତାହାଙ୍କର ଆଶ୍ଚର୍ଯ୍ୟ ଯୁଦ୍ଧ ସାକ୍ଷାତ୍ ଦେଖିବ । ଆର ଜଣକ ପାଣ୍ଡବମାନଙ୍କର କନିଷ୍ଠ ଓ ପ୍ରୀତିପାତ୍ର, ଯେ ଧର୍ମପୁତ୍ର ଯୁଧିଷ୍ଠିରଙ୍କର ପ୍ରିୟକରୀ, ଚନ୍ଦ୍ରସୂର୍ଯ୍ୟଙ୍କ ସମ ତେଜସ୍ୱୀ, ଶୂର, କୃତାସ୍ତ୍ର, ମତିମାନ ଓ ମନସ୍ୱୀ, ଯାହାଙ୍କ ସମାନ ବୁଦ୍ଧିମାନ ଓ ଅଭିଜ୍ଞ ସାଧୁ ସମାଜରେ ପ୍ରାପ୍ତ ହେବା ଦୁଷ୍କର ।୧୭।

 

ସେହି ବିକ୍ରମଶାଳୀ, ଅସହିଷ୍ଣୁ, ପ୍ରଜ୍ଞାଶୀଳ ସହଦେବ ଆମ୍ଭର ପତି ଅଟନ୍ତି । କୁନ୍ତୀଙ୍କର ପ୍ରାଣ ଅପେକ୍ଷା ସେ ପ୍ରିୟତମ, ସର୍ବଦା ସେ ଧର୍ମରେ ରତ ଥାନ୍ତି । ସେ ଏପରି ମନସ୍ୱୀ ଯେ ଅନଳ ମଧ୍ୟରେ ପ୍ରାଣ ତ୍ୟାଗ କରିପାରନ୍ତି; କିନ୍ତୁ ଅଧର୍ମ କଥା କହିପାରନ୍ତି ନାହିଁ । ରତ୍ନପୂର୍ଣ୍ଣ କୌଣସି ନୌକା ସମୁଦ୍ର ମଧ୍ୟରେ ଶୈଳପୃଷ୍ଠରେ ଲଗ୍ନ ହୋଇ ବିଦୀର୍ଣ୍ଣ ହେଲେ ଯେପରି ଟଳମଳ ହୁଏ, ସେହିପରି ତୁମ୍ଭର ଏହି ସେନାମାନଙ୍କୁ ପାଣ୍ଡବମାନେ ଅଦ୍ୟ ବିକ୍ଷୋଭିତ କରିବେ । ଅଜ୍ଞାନତାବଶରୁ ତୁମ୍ଭେ ଯେଉଁମାନଙ୍କୁ ଅବମାନନା କରି ଆମ୍ଭଙ୍କୁ ହରଣ କରି ନେଇଅଛ, ସେହି ପାଣ୍ଡୁ ପୁତ୍ରମାନଙ୍କ ବିବରଣ ବର୍ଣ୍ଣନା କଲି । ଏମାନଙ୍କ ହସ୍ତରୁ ଯଦି ତୁମ୍ଭେ ଅକ୍ଷତ ଶରୀରରେ ଉଦ୍ଧାର ପାଅ, ତେବେ ତୁମ୍ଭେ ଜାଣିବ ଯେ, ଜୀବନ ଥାଉ ଥାଉ ପୁନର୍ଜନ୍ମ ଲାଭ କଲ ।୨୦। ବୈଶମ୍ପାୟନ ବୋଇଲେ, ଅନନ୍ତର ପଞ୍ଚ ପୁରନ୍ଦର ସଦୃଶ ପଞ୍ଚପାଣ୍ଡବ ଦେଖିଲେ ଯେ, ପଦାତିକମାନେ ଭୟାକୁଳ ଓ କୃତାଞ୍ଜଳି ହୋଇଅଛନ୍ତି । ତହୁଁ ସେମାନଙ୍କୁ ପରିତ୍ୟାଗ କରି ଅଗ୍ରେ କୃଦ୍ଧଚିତ୍ତରେ ରଥ ସୈନ୍ୟମାନଙ୍କୁ ସବୁଆଡ଼ୁ ସର୍ବ ପ୍ରକାରେ ନିଗୃହୀତ କଲେ । ସେନାମାନେ ଶରବର୍ଷଣଦ୍ୱାରା ଆଚ୍ଛନ୍ନ ହେଲେ ।୨୧।

 

॥ ଅଧ୍ୟାୟ – ୨୭୧ ॥

 

ବୈଶମ୍ପାୟନ କହିଲେ, ତତ୍କାଳରେ ସିନ୍ଧୁଦେଶାଧିପତି ଦୁରାତ୍ମା ଜୟଦ୍ରଥ ଡାକ ଦେଲେ, ତୁମ୍ଭେମାନେ ସାହସପୂର୍ବକ ଅବସ୍ଥିତ ହୁଅ । ଯୁଦ୍ଧ କର, ଶୀଘ୍ର ଧାବମାନ ହୁଅ । ଏହା କହି ସେ ନରପତିମାନଙ୍କୁ ରଣସ୍ଥଳକୁ ପ୍ରେରଣ କଲେ ।୧। ତତ୍ପରେ ତାହାଙ୍କର ସୈନ୍ୟମାନେ ସଂଗ୍ରାମସ୍ଥଳରେ ଯୁଧିଷ୍ଠିର ପ୍ରଭୃତି ପଞ୍ଚପାଣ୍ଡବଙ୍କୁ ନିରୀକ୍ଷଣ କରି ଭୟଙ୍କର ଶବ୍ଦ କଲେ ।୨। ବ୍ୟାଘ୍ର ସଦୃଶ ସେହି ବଳସମ୍ପନ୍ନ ପୁରୁଷବ୍ୟାଘ୍ରମାନଙ୍କୁ ଅବଲୋକନ କରି ଶିିବି, ସୌବୀର ଓ ସିନ୍ଧୁଦେଶୀୟ ଭୂପତିମାନଙ୍କର ସୁଦ୍ଧା ବିଷାଦ ଜାତ ହେଲା ।୩। ଯେଉଁ ଗଦାର ସମୁଦାୟ ଅଂଶ ଶୈକ୍ୟ ନାମକ ଲୌହରେ ନିର୍ମିତ, ଉଚ୍ଛ୍ରୟ ସୁବର୍ଣ୍ଣଦ୍ୱାରା ଚିତ୍ରିତ, ଏତାଦୃଶୀ ଗଦାକୁ ଭୀମ ଗ୍ରହଣ କରି କାଳଗ୍ରସ୍ତ ଜୟଦ୍ରଥ ପ୍ରତି ଧାବମାନ ହେଲେ । ଏମନ୍ତ ସମୟରେ କୋଟିକାସ୍ୟ ଅନେକଗୁଡ଼ିଏ ରଥ ସୈନ୍ୟଙ୍କୁ ଆଗୁଳି ଜୟଦ୍ରଥ ଓ ଭୀମଙ୍କ ମଧ୍ୟରେ ବ୍ୟବଧାନସ୍ୱରୂପ ସ୍ଥାପନ କଲା ।୫। ବୀରଗଣଙ୍କ ଭୁଜପ୍ରେରିତ ବହୁସଂଖ୍ୟକ ଶକ୍ତି, ତୋମର ନାରାଚଦ୍ୱାରା ଆକୀର୍ଣ୍ଣ ହୋଇଥିଲେ ହେଁ କିଞ୍ଚିନ୍‍ମାତ୍ର ବିଚଳିତ ନ ହୋଇ ସିନ୍ଧୁରାଜଙ୍କ ସେନା ସମ୍ମୁଖରେ ଗଦାଘାତଦ୍ୱାରା ଗଜାରୋହୀ, ଗଜ ଓ ଚଉଦ ଜଣ ପଦାତିଙ୍କୁ ସଂହାର କଲେ ।୭। ସୌବୀରରାଜଙ୍କୁ ଗ୍ରହଣ କରିବା ଅଭିଳାଷରେ ଧନଞ୍ଜୟ ଯାଇ ତାହାଙ୍କ ବାହିନୀ ସମ୍ମୁଖରେ ମହାବଳ, ପରାକ୍ରାନ୍ତ, ମହାରଥ ପଞ୍ଚଶତ ପାର୍ବତୀୟ ବୀରଙ୍କୁ ନିହତ କଲେ ।୮। ରାଜା ଯୁଧିଷ୍ଠିର ସୁବୀରଗଣଙ୍କର ପ୍ରଧାନ ପ୍ରଧାନ ଯୋଦ୍ଧାଙ୍କ ମଧ୍ୟରୁ ନିମିଷ ମଧ୍ୟରେ ଶହେ ଜଣଙ୍କୁ ସମରରେ ସଂହାର କଲେ ।୯। ନକୁଳ ମଧ୍ୟ ଖଡ଼୍‌ଗ ଧରି ରଥରୁ ତଳକୁ ଆସି ପଦାତିକ ସୈନ୍ୟମାନଙ୍କ ମସ୍ତକ ଧାନ ବୁଣିଲା ପରି ବିକୀର୍ଣ୍ଣ କଲେ ।୧୦। ସହଦେବ ମଧ୍ୟ ରଥାରୋହଣ କରି ଗଜଯୋଧୀମାନଙ୍କୁ ବୃକ୍ଷରୁ ପକ୍ଷୀମାନଙ୍କୁ ଝଡ଼ାଇ ପକାଇଲା ପରି ନାରାଚଦ୍ୱାରା ନିପାତିତ କଲେ ।୧୧। ତଦନନ୍ତର ଧନୁର୍ଦ୍ଧର ତ୍ରିଗର୍ତ୍ତ ରଥରୁ ଅବତୀର୍ଣ୍ଣ ହୋଇ ଗଦାଦ୍ୱାରା ଯୁଧିଷ୍ଠିରଙ୍କ ଚାରି ଅଶ୍ୱକୁ ବିନଷ୍ଟ କଲେ ।୧୨।

 

କୁନ୍ତୀପୁତ୍ର ଧର୍ମରାଜ ଯୁଧିଷ୍ଠିର ସମୀପବର୍ତ୍ତୀ, ପାଦଚାରୀ, ତ୍ରିଗର୍ତ୍ତଙ୍କ ବକ୍ଷସ୍ଥଳରେ ଅର୍ଦ୍ଧଚନ୍ଦ୍ର ବାଣକୁ ବିଦ୍ଧ କଲେ ।୧୩। ହୃଦୟ ବିଦ୍ଧ ହେବାରୁ ବୀର ତ୍ରିଗର୍ତ୍ତ ରକ୍ତବମନ କରି ଛିନ୍ନମୂଳ ବୃକ୍ଷ ପ୍ରାୟ ଯୁଧିଷ୍ଠିରଙ୍କ ସମ୍ମୁଖରେ ପତିତ ହେଲେ ।୧୪। ଧର୍ମରାଜଙ୍କ ଅଶ୍ୱମାନେ ନିହତ ହେବାରୁ ଇନ୍ଦ୍ରସେନଙ୍କ ସହିତ ସେ ରଥରୁ ଅବତରଣ କରି ସହଦେବଙ୍କ ମହାରଥରେ ଆରୋହଣ କଲେ ।୧୫। ସେହି ସମୟରେ କ୍ଷେମଙ୍କର ଓ ମହାମୁଖ ନାମକ ଦୁଇ ଗୋଟି ବୀର ନକୁଳଙ୍କୁ ଲକ୍ଷ୍ୟ କରି ଉଭୟ ଦିଗରୁ ଶରବର୍ଷଣଦ୍ୱାରା ଆଚ୍ଛାଦିତ କଲେ ।୧୬। କିନ୍ତୁ ମାଦ୍ରୀସୂତ ବର୍ଷାକାଳୀନ ଅସ୍ରାର ପତନ ପ୍ରାୟ ଶରରାଶି ବର୍ଷଣ କରି ସେହି ଦୁଇ ବୀରଙ୍କୁ ବିନଷ୍ଟ କଲେ ।୧୭। ଅନନ୍ତର ଗଜଯାନରେ ତ୍ରିଗର୍ତ୍ତରାଜ ସୁରଥ ଆରୋହଣ କରି ରଥ ସମ୍ମୁଖରେ ଉପନୀତ ହୋଇ ଗଜଦ୍ୱାରା ସେହି ରଥକୁ ଭାଙ୍ଗିବାର ଉଦ୍ୟମ କଲେ ।୧୮। ପରନ୍ତୁ ନକୁଳ ତହିଁରେ କିଞ୍ଚିନ୍‍ମାତ୍ର ଭୀତ ନ ହୋଇ ହସ୍ତରେ ଅସିଚର୍ମ ଧରି ରଥରୁ ଲମ୍ଫ ଦେଇ ଯୋଗ୍ୟ ସ୍ଥାନର ଆଶ୍ରୟ ନେଇ ଅଚଳ ପ୍ରାୟ ଅବସ୍ଥିତ ହେଲେ ।୧୯। ତତ୍ପରେ ନକୁଳଙ୍କ ବଧ ନିମିତ୍ତ ସୁରଥ ସେହି ହସ୍ତୀକୁ ପ୍ରେରଣ କଲେ । ହସ୍ତୀ ରୋଷାନ୍ୱିତ ହୋଇ ଶୁଣ୍ଢକୁ ଉଠାଇ ନକୁଳଙ୍କର ସମୀପବର୍ତ୍ତୀ ହେଲାକ୍ଷଣି ସେ ଖଡ଼୍‌ଗଦ୍ୱାରା ତାହାର ଶୁଣ୍ଢଦଣ୍ଡ ଖଣ୍ଡ ଖଣ୍ଡ କଲେ ।୨୧। କବଚ ଭୂଷିତ ସେହି ମତ୍ତମାତଙ୍ଗ ମହାଶବ୍ଦଦ୍ୱାରା ବୃଂହଣ କରି ନତ ମସ୍ତକରେ ପତିତ ହେଲାବେଳେ ବହୁସଂଖ୍ୟକ ଗଜାରୋହୀଙ୍କୁ ଦଳନ କଲା ।୨୨। ମହାବଳ ପରାକ୍ରାନ୍ତ ମହାରଥ ମାଦ୍ରୀନନ୍ଦନ ନକୁଳ ସେହି ମହତ କର୍ମ କରି ଭୀମସେନଙ୍କ ରଥରେ ବସି ସ୍ୱସ୍ତିଲାଭ କଲେ ।୨୩।

 

ଅନ୍ୟଠାରେ କୋଟିକାସ୍ୟ ସମରକ୍ଷେତ୍ରକୁ ଆସିଲାକ୍ଷଣି କ୍ଷୁର ଅସ୍ତ୍ରଦ୍ୱାରା ତାହାର ଅଶ୍ୱପରିଚାଳକର ମସ୍ତକ ଛେଦନ କଲେ ।୨୪। ଦୀର୍ଘବାହୁ ବୃକୋଦର କେତେବେଳେ ଯେ କୋଟିକାସ୍ୟଙ୍କ ସାରଥିକୁ ବିନାଶ କଲେ, ତାହା ସେ ଜାଣିପାରିଲେ ନାହିଁ । ସାରଥି ବିନଷ୍ଟ ହେବାରୁ ରଣସ୍ଥଳରେ ତୁରଙ୍ଗମାନେ ଏଣେତେଣେ ପଳାଇଲେ ।୨୫। ଯୋଦ୍ଧାଶ୍ରେଷ୍ଠ ପାଣ୍ଡୁସୁତ ବୃକୋଦର ଦେଖିଲେ ଯେ କୋଟିକାସ୍ୟଙ୍କ ସାରଥି ହତ ହେବାରୁ ସେ ରଣରେ ବିମୁଖ ହୋଇଛନ୍ତି । ତହୁଁ ଭୀମ ତାହାଙ୍କ ସମ୍ମୁଖକୁ ଆସି କରତଳମୁକ୍ତ ପ୍ରାସଦ୍ୱାରା ତାହାଙ୍କୁ ନିହତ କଲେ ।୨୬। ନିଶିତ ଭଲ୍ଲଦ୍ୱାରା ଦ୍ୱାଦଶ ଜଣ ସୌବୀରଙ୍କ ଶରାସନ ଓ ମସ୍ତକ ଧନଞ୍ଜୟ ଛେଦନ କଲେ ।୨୭। ସେହି ଅତିରଥୀ ସଂଗ୍ରାମରେ ବାଣଦେଶରୁ ଆଗତ ଶିବି, ଇକ୍ଷ୍ୱାକୁପ୍ରବର ତ୍ରିଗର୍ତ୍ତ ଓ ସିନ୍ଧୁଦେଶୀୟ ବୀରମାନଙ୍କ ପ୍ରାଣନାଶ କଲେ ।୨୮। ପତାକା ସହ ବହୁସଂଖ୍ୟକ ମାତଙ୍ଗ ଓ ଧ୍ୱଜ ସହିତ ମହାରଥମାନଙ୍କୁ ସବ୍ୟସାଚୀ ପ୍ରତିକ୍ଷଣରେ ନିପାତିତ କଲେ ।୨୯। ମସ୍ତକଶୂନ୍ୟ କଳେବର, କଳେବରଶୂନ୍ୟ ମସ୍ତକସବୁ ସମରକ୍ଷେତ୍ରକୁ ଆଚ୍ଛାଦିତ କଲା ।୩୦। ସେଠାରେ କୁକୁର, ଗୃଧ୍ର, କଙ୍କ, କାକୋଳ, ଭାସପକ୍ଷୀ, ଶୃଗାଳ ଓ କାକମାନେ ମୃତ ବୀରଙ୍କ ରକ୍ତମାଂସ ଭୋଜନ କରି ପରିତୃପ୍ତ ହେଲେ ।୩୧। କ୍ଷତ୍ରିୟ-କୁଳାଙ୍ଗାର, ଦୁରାତ୍ମା, ସିନ୍ଧୁରାଜ ଜୟଦ୍ରଥ ବୀରମାନଙ୍କୁ ନିହତ ହେବାର ଦେଖି ଅତିଶୟ ଭୀତ ଚିତ୍ତରେ କୃଷ୍ଣାଙ୍କୁ ପରିତ୍ୟାଗ କରି ପଳାୟନ କରିବାକୁ ଉଦ୍ୟତ ହେଲା ।୩୨। ସେହି ପ୍ରାଣରକ୍ଷାର୍ଥୀ ନରାଧମ ସୈନ୍ୟସଙ୍କୁଳ ମଧ୍ୟରେ ଦ୍ରୌପଦୀଙ୍କୁ ରଥରୁ ଓହ୍ଲାଇଦେଇ ଯେଉଁ ବାଟେ ବନକୁ ଆସିଥିଲା, ସେହି ବାଟେ ଦଉଡ଼ି ପଳାଇଲା ।୩୩।

 

ଧର୍ମରାଜ ଯୁଧିଷ୍ଠିର ଦେଖିଲେ ଯେ ଧୌମ୍ୟଙ୍କ ଆଗେ ଆଗେ ଦ୍ରୌପଦୀ ଆସୁଅଛନ୍ତି; ତହୁଁ ସେ ସହଦେବଙ୍କଦ୍ୱାରା ସେମାନଙ୍କୁ ରଥରେ ବସାଇଲେ ।୩୪। ଏହିପରି ପାପାତ୍ମା ଜୟଦ୍ରଥ ରଣସ୍ଥଳକୁ ପରିତ୍ୟାଗ କରି ପଳାୟନ କରନ୍ତେ ମହାବୀର ବୃକୋଦର ନାରାଚଦ୍ୱାରା ପଳାଇଥିବା ସୈନ୍ୟମାନଙ୍କୁ ଗୋଟି ଗୋଟି ନାମ ଧରି ନିପାତିତ କଲେ ।୩୫। ଜୟଦ୍ରଥ ପଳାୟନ କରନ୍ତେ ତାହାର ସୈନ୍ୟମାନଙ୍କୁ ଭୀମ ବିନାଶ କରୁଥିବାରୁ ଅର୍ଜୁନ ତାହାଙ୍କୁ ନିଷେଧ କଲେ ।୩୬। ଅର୍ଜୁନ କହିଲେ, ଯାହାର ଅପରାଧରୁ ଆମ୍ଭେମାନେ ଏତାଦୃଶ ଦାରୁଣ କ୍ଳେଶ ପାଇଲୁ, ସେହି ଦୁର୍ଯ୍ୟୋଧନ ଯୁଦ୍ଧସ୍ଥଳରେ ଦେଖାଯାଉ ନାହିଁ । ଅତଏବ ଆପଣଙ୍କର ମଙ୍ଗଳ ହେଉ, ଆପଣ ତାହାକୁ ଅନ୍ୱେଷଣ କରିବା ହେଉନ୍ତୁ । ସୈନିକମାନଙ୍କୁ ବଧ କରିବାରେ ଆପଣଙ୍କର କି ପ୍ରୟୋଜନ ? ଏହି ନିଷ୍ଫଳ କର୍ମରେ ଆପଣ କି ହେତୁରୁ ପ୍ରବୃତ୍ତ ହେଉଅଛନ୍ତି ।୩୮। ବୈଶମ୍ପାୟନ କହିଲେ, ଧୀରବୁଦ୍ଧି ଧନଞ୍ଜୟଙ୍କ ବାଣୀ ଶୁଣି ଭୀମସେନ ଯୁଧିଷ୍ଠିରଙ୍କୁ ଚାହିଁ ଏହି କଥା କହିଲେ ।୩୯।

 

ହେ ରାଜେନ୍ଦ୍ର ! ଶତ୍ରୁପକ୍ଷର ବୀରଙ୍କ ମଧ୍ୟରୁ ଅଧିକାଂଶ ବିନଷ୍ଟ ହେବାରୁ ଅବଶିଷ୍ଟ ଇତସ୍ତତଃ ପଳାୟନ କରିଅଛନ୍ତି । ଅତଏବ ଆପଣ ନକୁଳ, ସହଦେବ, ମହାତ୍ମା ଧୌମ୍ୟ ଏବଂ ଦ୍ରୌପଦୀଙ୍କୁ ଘେନି ଏ ସ୍ଥାନରୁ ଗମନ କରନ୍ତୁ, ଆଶ୍ରମକୁ ଯାଇ ସେଠାରେ ତାହାଙ୍କୁ ଉତ୍ତମରୂପେ ସାନ୍ତ୍ୱନା ଦିଅନ୍ତୁ ।୪୧। ସିନ୍ଧୁରାଜ ଅଧମ ଜୟଦ୍ରଥ ଯେବେ ପାତାଳକୁ ଯିବ, ଅଥଚ ସୁରପତି ଇନ୍ଦ୍ର ଯେବେ ତାହାର ସହାୟ ହୋଇ ସାରଥି ହୁଅନ୍ତି, ତେବେ ତାହାର ପ୍ରାଣ ଥାଉ ଥାଉ ଆମ୍ଭଠାରୁ ନିଷ୍କୃତି ପାଇବ ନାହିଁ ।୪୨। ଯୁଧିଷ୍ଠିର କହିଲେ, ଜୟଦ୍ରଥ ଦୁରାତ୍ମା ହେଲେହେଁ ଦୁଃଶଳା ଓ ଆମ୍ଭର ଜ୍ୟେଷ୍ଠତାତ ପତ୍ନୀ ଗାନ୍ଧାରୀଙ୍କୁ ସ୍ମରଣ କରି ତାହାଙ୍କୁ ବଧ କରିବା ବିଧେୟ ନୁହେଁ ।୪୩। ବୈଶମ୍ପାୟନ କହିଲେ, ଲଜ୍ଜାବତୀ, ବୁଦ୍ଧିମତୀ ଦ୍ରୌପଦୀ ଯୁଧିଷ୍ଠିରଙ୍କ ବାକ୍ୟ ଶୁଣି କୋପରେ ଦୁଃଖିତ ହୋଇ ଭୀମ ଓ ଅର୍ଜୁନଙ୍କୁ ଚାହିଁ କହିଲେ, ଆମ୍ଭର ପ୍ରିୟ କାର୍ଯ୍ୟ କରିବାକୁ ଯଦି ଆପଣମାନଙ୍କର ଇଚ୍ଛା ଥାଏ, ତେବେ ସେହି କୁଳାଙ୍ଗାର ଦୁର୍ମତି ପାପାତ୍ମା ନରାଧମ ସିନ୍ଧୁରାଜ ଜୟଦ୍ରଥକୁ ଅବଶ୍ୟ ବଧ କରିବା ହେବେ ।୪୫। ଯେଉଁ ଶତ୍ରୁ ଭାର୍ଯ୍ୟା ହରଣ କରେ, ଅଥବା ରାଜ୍ୟ ହରଣ କରେ, ସେ ଯାଚ୍‌ଜ୍ଞା କଲେ ସୁଦ୍ଧା ଯୁଦ୍ଧରେ ତାହାକୁ କୌଣସି ପ୍ରକାରେ ମୁକ୍ତ କରିବା ଉଚିତ ନୁହେଁ ।୪୬। ଦ୍ରୌପଦୀଙ୍କର ବଚନ ଶୁଣି ସେହି ନରବ୍ୟାଘ୍ର ଦୁହେଁ ଜୟଦ୍ରଥର ଅନ୍ୱେଷଣରେ ପ୍ରସ୍ଥାନ କଲେ । ରାଜା ମଧ୍ୟ ପୁରୋହିତ ଓ କୃଷ୍ଣାଙ୍କୁ ଘେନି ଆଶ୍ରମକୁ ଆସିଲେ ।୪୭।

 

ସେଠାରେ ଦେଖିଲେ ଯେ ଋଷିମାନଙ୍କ ଆସନ ପଡ଼ିଅଛି । ଛାତ୍ରମାନଙ୍କ ଆଳୟ ରହିଅଛି ଓ ମାର୍କଣ୍ଡେୟ ପ୍ରଭୃତି ବିପ୍ରମାନେ ସେଠାରେ ଠୁଳ ହୋଇଅଛନ୍ତି ।୪୮। ସେହି ବ୍ରାହ୍ମଣମାନେ ସମାହିତ ହୋଇ ଦ୍ରୌପଦୀଙ୍କ ନିମିତ୍ତ ଅନୁତାପ କରୁଅଛନ୍ତି । ଏମନ୍ତ ସମୟରେ ମହାପ୍ରାଜ୍ଞ ଯୁଧିଷ୍ଠିର ଭାର୍ଯ୍ୟାଙ୍କ ସହିତ ଦୁଇ ଭାଇଙ୍କ ମଧ୍ୟଭାଗରେ ବସି ରଥଦ୍ୱାରା ଆଗମନ କରି ସେମାନଙ୍କ ସହିତ ମିଳିତ ହେଲେ ।୪୯। ସିନ୍ଧୁ ସୌବୀର ରାଜାମାନଙ୍କୁ ପରାଜୟ କରି ଯୁଧିଷ୍ଠିର ଆସିବାର ଦେଖି ଓ ଦ୍ରୌପଦୀଙ୍କୁ ପୁନର୍ବାର ଆଗତ ଦେଖି ଅତିଶୟ ହର୍ଷାନ୍ୱିତ ହେଲେ ।୫୦। ରାଜା ଯୁଧିଷ୍ଠିର ସେହି ବ୍ରାହ୍ମଣମାନଙ୍କଦ୍ୱାରା ପରିବୃତ୍ତ ହୋଇ ସେଠାରେ ଉପବିଷ୍ଟ ହେଲେ । ନକୁଳ ଓ ସହଦେବଙ୍କ ସହିତ କୃଷ୍ଣା ଆଶ୍ରମ ମଧ୍ୟକୁ ଗମନ କଲେ ।୫୧। ଏଣେ ଭୀମାର୍ଜୁନ ଶୁଣିଲେ ଯେ ଜୟଦ୍ରଥ ଏକ କ୍ରୋଶ ଦୂର ଅତିକ୍ରମ କରିଅଛି । ତହୁଁ ସେମାନେ ସ୍ୱୟଂ ନିଜ ହାତରେ ତୁରଗମାନଙ୍କୁ ପରିଚାଳନା କରି ଅତି ବେଗରେ ତାହା ସମୀପରେ ଉପସ୍ଥିତ ହେଲେ ।୫୨।

 

ପୁରୁଷକାରସମ୍ପନ୍ନ ଅର୍ଜୁନ ଏଠାରେ ଗୋଟିଏ ଅତି ଆଶ୍ଚର୍ଯ୍ୟ କର୍ମ ସାଧନ କଲେ । କୋଶେ ବାଟ ଦଉଡ଼ିଗଲେ ହେଁ ସେଠାରେ ଯେପରି ସେ ପ୍ରବିଷ୍ଟ ହେଲେ, ସେହିପରି ଜୟଦ୍ରଥର ଅଶ୍ୱମାନଙ୍କୁ ବିନଷ୍ଟ କଲେ ।୫୨। ଅର୍ଜୁନଙ୍କଠାରେ ଦିବ୍ୟାସ୍ତ୍ରମାନ ଥାଏ ଓ ଦୁଃଖ ଉପଗତ ହେଲେ ହେଁ ସେ କ୍ଳାନ୍ତ ଅଥବା ବ୍ୟାକୁଳ ହୁଅନ୍ତି ନାହିଁ । ଅସ୍ତ୍ରମାନଙ୍କୁ ମନ୍ତ୍ରପୂତ କରି ଦିବ୍ୟ ଶରସମୂହଦ୍ୱାରା ସେ ତାଦୃଶ ଦୁଷ୍କର କର୍ମ କଲେ ।୫୪। ଜୟଦ୍ରଥର ଅଶ୍ୱମାନେ ନିହତ ହେବାରୁ ସେ ଅତିଶୟ ଭୀତ ହେଲା । ସେ ଏକା ଥାଇ ବ୍ୟାକୁଳ ହେଲା । ଭୀମ ଓ ଅର୍ଜୁନ ଦୁଇ ମହାବୀର ପୁରୁଷ ତାହା ପ୍ରତି ଧାବମାନ ହେଲେ ।୫୫। ଜୟଦ୍ରଥ ମଧ୍ୟ ନିଜ ଅଶ୍ୱମାନଙ୍କୁ ନିହତ ହେବାର ଦେଖି ଓ ଏହି ବୀରମାନଙ୍କୁ ଅତିମାନୁଷ କର୍ମ କରିବାର ଦେଖି ପଳାଇବାକୁ ସ୍ଥିର କରି ଯେଉଁ ବାଟେ ବନ ମଧ୍ୟକୁ ଆସିଥିଲା, ସେହି ବାଟେ ଦ୍ରୁତ ବେଗରେ ପଳାଇଲା । ମହାବାହୁ ଅର୍ଜୁନ ଦେଖିଲେ ଯେ ଜୟଦ୍ରଥ ପଳାଇବାରେ ସମର୍ଥ । ତହୁଁ ସେ ତାହା ପଛେ ପଛେ ଯାଇ ଏହି କଥା କହିଲେ, ହେ ରାଜପୁତ୍ର ! ତୁମ୍ଭେ ଏହି ବଳଦ୍ୱାରା କିପରି ବଳପୂର୍ବକ ଅବଳାକୁ ହରଣ କରୁଥିଲ ? ରହ, ତୁମ୍ଭର ପଳାଇବା ଉଚିତ ନୁହେଁ । ଅନୁଚରଜନଙ୍କୁ ଶତ୍ରୁ ମଧ୍ୟରେ ଛାଡ଼ିଦେଇ କିପରି ତୁମ୍ଭେ ଏକାକୀ ପଳାଉଅଛ ?୫୯। ଧନଞ୍ଜୟ ଏହିପରି କହିଲେ ହେଁ ଜୟଦ୍ରଥ ସେ କଥା ନ ଶୁଣି ପଳାୟନ କଲା । ତେତେବେଳେ ମହାବଳ ପରାକ୍ରାନ୍ତ ଭୀମସେନ “ରହ” “ରହ” ବୋଲି କହି ତାହା ଆଗକୁ ଧାବମାନ ହେଲେ; କିନ୍ତୁ ଦୟାଶୀଳ ଅର୍ଜୁନ କହିଲେ, ତାହାକୁ ବଧ କରିବ ନାହିଁ ।୬୦।

 

Unknown

॥ ଅଧ୍ୟାୟ – ୨୭୨ ॥

 

ବୈଶମ୍ପାୟନ କହିଲେ, ଜୟଦ୍ରଥ ପ୍ରାଣରକ୍ଷା ନିମିତ୍ତ କିଛି ନ କହି କି ବ୍ୟାକୁଳ ନ ହୋଇ ବେଗରେ ପଳାୟନ କଲା; କିନ୍ତୁ ଭୀମ ଓ ଅର୍ଜୁନ ଦୁହେଁ ଆୟୁଧ ଉଠାଇ ତାହା ପଛେ ଧାବମାନ ହେବାର ଦେଖି ସେ ଅତ୍ୟନ୍ତ ଦୁଃଖିତ ହେଲା ।୧। ଅମର୍ଷୀ ଭୀମସେନ ତାହାକୁ ଦଉଡ଼ିବାର ଦେଖି ରଥରୁ ଅବତରଣ କରି ଦ୍ରୁତଗତିଦ୍ୱାରା ତାହା ନିକଟକୁ ଯାଇ ତାହାର କେଶ ଧରିଲେ । ଭୀମ ତାହାକୁ କେଶଦ୍ୱାରା ଉପରକୁ ଏପରି ଟେକିଲେ ଯେ ଭୂମିରେ ତାହାର ପାଦ ଲାଗିଲା ନାହିଁ । ତତ୍ପରେ ତାହାକୁ ଭୂମିରେ ନିପାତିତ କରି ପାଦଦ୍ୱାରା ପେଷଣ କଲେ ଓ ମସ୍ତକକୁ ଧରି ଯଥେଷ୍ଟ ତାଡ଼ନା କଲେ ।୩। ପୁନଶ୍ଚ ଚେତନ ପାଇ ଜୟଦ୍ରଥ ଯେପରି ଉଠିବାକୁ ଅଭିଳାଷ କଲା, ସେହିକ୍ଷଣି ମହାବାହୁ ବୃକୋଦର ତାହାକୁ ବିଳାପ କରିବାର ଅବସର ନ ଦେଇ ତାହା ମସ୍ତକରେ ପାଦଦ୍ୱାରା ପ୍ରହାର କଲେ ।୪। ଭୀମ ତାହା ବକ୍ଷସ୍ଥଳରେ ଜାନୁଦ୍ୱାରା ମର୍ଦ୍ଦନ କରିବାରେ ପ୍ରବୃତ୍ତ ହେଲେ । କହୁଣୀରେ ମଧ୍ୟ ତାହାକୁ ପ୍ରହାର କଲେ । ସେହି ପ୍ରବଳ ପ୍ରହାରଦ୍ୱାରା ସିନ୍ଧୁରାଜ ଜୟଦ୍ରଥ ମୋହିତ ହେଲା ।୫। ପରନ୍ତୁ ଦୁଃଶଳା ନିମିତ୍ତ ରାଜା ଯୁଧିଷ୍ଠିର ଯେଉଁ କଥା କହିଥିଲେ, ସେହି କଥା ସ୍ମରଣ କରି ଅର୍ଜୁନ କୋପୀ ଭୀମଙ୍କୁ ନିବାରଣ କଲେ । ଭୀମ କହିଲେ, ଏହି ପାପାଚାର ନରାଧମ କୃଷ୍ଣାଙ୍କୁ ଯେତେବେଳେ ଏତେ ଯାତନା ଦେଇଅଛି, ତେତେବେଳେ ମୋ ହାତରୁ କେବେହେଁ ଏହାର ପରିତ୍ରାଣ ନାହିଁ । କୃଷ୍ଣା କି କ୍ଳେଶ ସହିବାକୁ ଯୋଗ୍ୟା ? ଅକାରଣରେ ତାହାଙ୍କୁ ବହୁ କଷ୍ଟ ଦେଲା । ଆମ୍ଭ ହାତରୁ ଏ ବର୍ତ୍ତିବ ନାହିଁ ।୭। କିନ୍ତୁ ଚାରା ନାହିଁ । ରାଜା ସର୍ବଦା ଦୟାଳୁ, ତୁମ୍ଭେ ମଧ୍ୟ ବୁଦ୍ଧି ଥାଉ ଥାଉ ବାଳକ ପ୍ରାୟ ଆମ୍ଭମାନଙ୍କୁ ନିରୁଦ୍ଧ କରୁଅଛ ।୮।

 

ଏହି କଥା କହି ଭୀମସେନ ଅର୍ଦ୍ଧଚନ୍ଦ୍ର ବାଣଦ୍ୱାରା ଜୟଦ୍ରଥକୁ ପାଞ୍ଚ ଚୁଟିଆ କରି ତାହାର କେଶ ପାଞ୍ଚ ଭାଗରେ ବିଭକ୍ତ କଲେ । ଜୟଦ୍ରଥ ତହିଁରେ କିଛି ନ କହି ତୁନି ହୋଇ ରହିଲା ।୯। ତତ୍ପରେ ବୃକୋଦର ସିନ୍ଧୁରାଜଙ୍କୁ ଭର୍ତ୍ସନା କରି କହିଲେ, ରେ ମୂଢ଼ ! ଯଦି ବଞ୍ଚିବାକୁ ଇଚ୍ଛା ଥାଏ, ତେବେ ଆମ୍ଭେ ତାହାର ଉପାୟ କହୁଅଛୁ, ଶ୍ରବଣ କର ।୧୦। ତୁ ଏହି କଥା କହିବୁ ଯେ ଆଜିଠାରୁ ମୁଁ ସାଧୁସମାଜର ଦାସ ହେଲି । ତୋତେ ଏହି କଥା କହିବାକୁ ହେବ । ଏହି କଥା କହିଲେ, ମୁଁ ତୋର ଜୀବନ ଦାନ କରିପାରିବି । ଯେହେତୁ ଯୁଦ୍ଧନିର୍ଜିତ ଶତ୍ରୁ ପ୍ରତି ଏହି ବିଧି ପ୍ରସିଦ୍ଧ ।୧୧। ଘୋଷରା ହେବାରୁ ରାଜା ଜୟଦ୍ରଥ କାତର ହୋଇଥିଲା । ଏ କଥା ଶୁଣି ସେ ସମରଜୟୀ ଭୀମସେନଙ୍କୁ କହିଲା, ହେଉ, ତୁମ୍ଭେ ଯାହା କହିଲ ତାହା ହେଉ ।୧୨।

 

ତତ୍କାଳରେ ସିନ୍ଧୁରାଜ ଜୟଦ୍ରଥର ଦେହ ଧୂଳିରେ ଲୁଣ୍ଠିତ ହୋଇଥିଲା ଓ ସେ ପ୍ରାୟ ଚେତନାଶୂନ୍ୟ ହୋଇଥିଲା । ପାଣ୍ଡୁସୁତ ଭୀମସେନ ତାହାକୁ ସେହି ଅବସ୍ଥାରେ ବନ୍ଧନ କରି ରଥରେ ବସାଇଲେ । ତତ୍ପରେ ସ୍ୱୟଂ ରଥରେ ଆରୋହଣ କରି ଅର୍ଜୁନଙ୍କ ଆଶ୍ରମାଭିମୁଖରେ ପ୍ରସ୍ଥାନ କଲେ-। ସେଠାରେ ଯୁଧିଷ୍ଠିରଙ୍କ ସମୀପକୁ ଆସି ଜୟଦ୍ରଥକୁ ସେହି ଅବସ୍ଥାରେ ଦେଖାଇଲେ-। ରାଜା ତାହାଙ୍କୁ ଦେଖିଲାକ୍ଷଣି ସହାସ୍ୟ ମୁଖରେ କହିଲେ, ଭୀମ ! ତୁମ୍ଭେ ଏହାକୁ ଶୀଘ୍ର ଫିଟାଇ ଦିଅ-।୧୫। ପରନ୍ତୁ ଭୀମ ତାହାଙ୍କୁ କହିଲେ, ଆପଣ ଦ୍ରୌପଦୀଙ୍କୁ କହନ୍ତୁ, ଏହି ପାପାତ୍ମା ପାଣ୍ଡବଙ୍କର ଦାସ ହୋଇଅଛି ।୧୬। ତଦନନ୍ତର ତାହାଙ୍କର ଜ୍ୟେଷ୍ଠଭ୍ରାତା ରାଜା ଯୁଧିଷ୍ଠିର ପ୍ରତ୍ୟୟପୂର୍ବକ ଭୀମଙ୍କୁ କହିଲେ, ଆମ୍ଭେମାନେ ଯେବେ ତୁମ୍ଭର ମାନନୀୟ ହେଉ, ତେବେ ଆମ୍ଭେ କହୁଅଛୁଁ ଯେ ଏହି ଅଧର୍ମାଚାରୀ ଜୟଦ୍ରଥକୁ ତୁମ୍ଭେ ମୁକ୍ତ କରିଦିଅ ।୧୭। ଦ୍ରୌପଦୀ ମଧ୍ୟ ଯୁଧିଷ୍ଠିରଙ୍କ ଅଭିପ୍ରାୟ ବୁଝିପାରି ଭୀମଙ୍କୁ କହିଲେ, ଏହି ବ୍ୟକ୍ତି ରାଜାଙ୍କର ଦାସ ହୋଇଅଛି । ଆପଣ ମଧ୍ୟ ଏହାକୁ ମୁଣ୍ଡିତ କରି ପଞ୍ଚଚୂଡ଼ କରିଅଛନ୍ତି । ଅତଏବ ତାହାକୁ ଏବେ ମୋକ୍ଷଣ କରନ୍ତୁ-।୧୮।

 

ହେ ରାଜନ୍‌ ! ତତ୍ପରେ ଜୟଦ୍ରଥକୁ ବନ୍ଧନରୁ ମୁକ୍ତ କରନ୍ତେ, ସେ ବିହ୍ୱଳ ଚିତ୍ତରେ ରାଜା ଯୁଧିଷ୍ଠିରଙ୍କ ସମୀପକୁ ଗମନ କରି ତାହାଙ୍କୁ ଅଭିବାଦନ କଲା । ପୁଣି ସେଠାରେ ମୁନିଗଣ ବସିଥିବାର ଦେଖି ସେମାନଙ୍କୁ ମଧ୍ୟ ନମସ୍କାର କଲା ।୧୯। ଜୟଦ୍ରଥକୁ ଅର୍ଜୁନ ଧରିଥାନ୍ତି । ଦୟାଳୁ ରାଜା ଧର୍ମନନ୍ଦନ ଯୁଧିଷ୍ଠିର ତାହାଙ୍କୁ ଚାହିଁ ବୋଇଲେ ।୨୦। ତୁମ୍ଭେ ଦାସତ୍ୱରୁ ମୁକ୍ତ ହେଲ, ବନ୍ଧନରୁ ମଧ୍ୟ ମୁକ୍ତ ହୋଇଅଛ; ଏବେ ଗମନ କର । ଆଉ କଦାପି ଏପରି କର୍ମ କରିବ ନାହିଁ । ତୁମ୍ଭେ ନିଜେ କ୍ଷୁଦ୍ର ଓ ତୁମ୍ଭର ସହାୟ ମଧ୍ୟ କ୍ଷୁଦ୍ର । ଏପରି ଅବସ୍ଥାରେ ତୁମ୍ଭେ କାମିନୀ କାମନା କରିଥିଲ, ଅତଏବ ତୁମ୍ଭଙ୍କୁ ଧିକ୍ ।୨୧। ତୁମ୍ଭ ବ୍ୟତିରେକେ ଆଉ କେଉଁ ନରାଧମ ଏପରି କର୍ମ କରିବାକୁ ସାହସୀ ହୋଇପାରେ ? ଭାରତ କୁଳଚନ୍ଦ୍ର ରାଜା ଯୁଧିଷ୍ଠିର ସେହି ଅଶୁଭ କର୍ମକାରୀ ଜୟଦ୍ରଥକୁ ଗତଚେତନ ପ୍ରାୟ ହୋଇଥିବାର ଦେଖି ବିବେଚନାପୂର୍ବକ ତାହା ପ୍ରତି କୃପା କଲେ ଓ କହିଲେ, ହେ ଜୟଦ୍ରଥ ! ତୁମ୍ଭର ବୁଦ୍ଧି ଧର୍ମରେ ବର୍ଦ୍ଧିତ ହେଉ । ତୁମ୍ଭେ କଦାପି ଅଧର୍ମରେ ମନ ଦିଅ ନାହିଁ ।୨୩। ଏବେ ତୁରଙ୍ଗ, ଶତାଙ୍ଗ ଓ ପଦାତିଙ୍କ ସହିତ ସ୍ୱଚ୍ଛନ୍ଦରେ ଗମନ କର । ହେ ଭାରତ ! ଯୁଧିଷ୍ଠିରଙ୍କର ଏହିପରି ଉପଦେଶ ଶ୍ରବଣ କରି ରାଜା ଜୟଦ୍ରଥ ଲଜ୍ଜିତ ଓ ନିଃଶବ୍ଦରେ ମୁଖ ତଳକୁ କରି ଦୁଃଖିତ ଅନ୍ତଃକରଣରେ ଗଙ୍ଗାଦ୍ୱାରକୁ ଗମନ କଲେ । ସେଠାରେ ସେ ନତ୍ୱଭାବନ ଭଗବାନ ଭବାନୀପତିଙ୍କର ଶରଣାପନ୍ନ ହୋଇ ବିପୁଳ ତପସ୍ୟାରମ୍ଭ କଲେ ।

 

ଶଙ୍କର ମଧ୍ୟ ତାହାଙ୍କ ପ୍ରତି ପ୍ରୀତ ହେଲେ । ମହାଦେବ ତ୍ରିନେତ୍ର ସ୍ୱୟଂ ଆଗମନ କରି ତାହାଙ୍କ ଠାରୁ ପୂଜାର ଉପକରଣମାନ ଗ୍ରହଣ କଲେ ଓ ତାହାଙ୍କୁ ବର ପ୍ରଦାନ କଲେ ।୨୬। ଜୟଦ୍ରଥ ଯେପରି ବରଗ୍ରହଣ କଲେ, ତାହା ଶୁଣିବା ହେଉନ୍ତୁ । ରାଜା ମହେଶ୍ୱରଙ୍କୁ କହିଲେ, ଆମ୍ଭର ପ୍ରାର୍ଥନା ଏହି ଯେ “ରଥଯୁକ୍ତ ପଞ୍ଚପାଣ୍ଡବଙ୍କୁ ସମରରେ ଯେପରି ଜୟ କରିପାରିବି ।” କିନ୍ତୁ ମହାଦେବ କହିଲେ, ତାହା ହୋଇ ନ ପାରେ । ସେମାନେ ତୁମ୍ଭର ଅଜେୟ ଓ ଅବଧ୍ୟ ଅଟନ୍ତି । ଅର୍ଜୁନଙ୍କ ବ୍ୟତିରେକେ ଅନ୍ୟମାନଙ୍କୁ ତୁମ୍ଭେ କେବଳ ସମରରେ ନିବାରଣ କରିପାରିବ; ଏତିକି ହୋଇପାରେ । ମହାବାହୁ ଅର୍ଜୁନ ନରନାମା ସୁରେଶ୍ୱର ଅଟନ୍ତି । ସେ ବଦରିକାଶ୍ରମରେ ତପସ୍ୟା କରିଥିଲେ, ସ୍ୱୟଂ ନାରାୟଣ ତାହାଙ୍କର ସହାୟକ ଅଟନ୍ତି । ସୁତରାଂ ସେ ସର୍ବଲୋକରେ ଅଜେୟ ଓ ସୁରମାନେ ମଧ୍ୟ ତାହାଙ୍କୁ ପରାସ୍ତ କରିପାରିବେ ନାହିଁ । ଆମ୍ଭଠାରୁ ସେ ପାଶୁପତ ନାମକ ଅଦ୍ୱିତୀୟ ଦିବ୍ୟାସ୍ତ୍ର ନେଇଅଛନ୍ତି । ଅପରାପର ଲୋକପାଳମାନେ ମଧ୍ୟ ତାହାଙ୍କୁ ବଜ୍ରାଦି ମହାସ୍ତ୍ରମାନ ପ୍ରଦାନ କରିଅଛନ୍ତି ।୩୦। ସୁରଗୁରୁ ପ୍ରଭୁ ବିଷ୍ଣୁ ସୂର୍ଯ୍ୟଙ୍କୁ ମଧ୍ୟ ତେଜସ୍ୱାନ କରିଅଛନ୍ତି । ସେ ଅପରିଚ୍ଛିନ୍ନ, ପ୍ରଧାନ ପୁରୁଷ ଓ ଜଗତର କାରଣ ଅଟନ୍ତି । ସେହି ପୁରୁଷ ବିଶ୍ୱସଂସାରର ଆତ୍ମା ଅଟନ୍ତି ଓ ଏହି ବିଶ୍ୱକୁ ତାହାଙ୍କର ମୂର୍ତ୍ତି ବୋଲି ଜାଣିବ ।୩୧। ଯୁଗାନ୍ତକାଳ ଉପସ୍ଥିତ ହେଲେ ସେ କାଳାଗ୍ନି ରୂପ ଧାରଣ କରନ୍ତି । ସେହି ଅଗ୍ନିରେ ପର୍ବତ, ସମୁଦ୍ର, ଦ୍ୱୀପ, ଗିରି, ବନ ଓ କାନନ ସହିତ ସମୁଦାୟ ବିଶ୍ୱ ଦଗ୍ଧ ହୋଇଯାଏ ।୩୨। ପାତାଳସ୍ଥିତ ନାଗଲୋକେ ମଧ୍ୟ ସେହି ଅନଳରେ ଦଗ୍ଧ ହୁଅନ୍ତି । ଅନ୍ତରୀକ୍ଷରେ ଭୟଙ୍କର ସ୍ୱର ସହିତ ନିନାଦ ଉତ୍‌ଥିତ ହୁଏ । ବିଦ୍ୟୁଜ୍ୱାଳା ଧାରଣ କରି ନାନାବିଧ ବର୍ଣ୍ଣର ମେଘପଟଳ ସର୍ବତ୍ର ଘୋଟି ବର୍ଷଣ କରେ ।୩୪। ମୁଷଳ ଧାରାରେ ସେହି ବୃଷ୍ଟି ହୋଇ ପ୍ରଳୟାଗ୍ନିକୁ ପ୍ରଶାନ୍ତ କରେ ।୩୫। ଚାରି ସହସ୍ର ଯୁଗ ଅନ୍ତେ ଥରେ ଏକାର୍ଣ୍ଣବ ହୁଏ । ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର ସମସ୍ତେ ବର୍ଜିତ ହେଲେ ଧରଣୀ ଜଳରେ ନିମଗ୍ନ ହୁଏ । ଅନନ୍ତର ସହସ୍ରଲୋଚନ, ସହସ୍ରଚରଣ, ସହସ୍ର ମସ୍ତକସମନ୍ୱିତ ଭଗବାନ ନାରାୟଣଙ୍କ ଅତୀନ୍ଦ୍ରିୟ ବିରାଟ ପୁରୁଷ ସେହି ଅଗାଧ ଜଳରେ ଶୟନ କରିବାକୁ ଅଭିଳାଷୀ ହୁଅନ୍ତି । ସେହି ବିଷ୍ଣୁ୍‌ଙ୍କର ତେଜ ଅପରିମିତ; କୁନ୍ଦ ଓ ଇନ୍ଦୁ ପ୍ରାୟ ଶୁକ୍ଳବର୍ଣ୍ଣ; ଗୋକ୍ଷୀର, ମୃଣାଳ ଓ କୁମୁଦ ପ୍ରାୟ ଶୁଭ୍ରବର୍ଣ୍ଣ । ସେ ସର୍ପଶଯ୍ୟାରେ ଶୟନ କରନ୍ତି । ସେହି ବିଭୁ ଭଗବାନ ନାରାୟଣ ଯେତେବେଳେ ସମୁଦ୍ର ମଧ୍ୟରେ ଅନନ୍ତଶଯ୍ୟାରେ ଶୟନ କରନ୍ତି, ତେତେବେଳେ ତାହାଙ୍କର ରାତ୍ରି ଉପସ୍ଥିତ ହୁଏ ।୪୦।

 

ତତ୍ପରେ ସତ୍ତ୍ୱଗୁଣର ଉଦ୍ରେକ ହେଲେ ସେ ତ୍ରିଲୋକକୁ ଶୂନ୍ୟମୟ ଦେଖନ୍ତି । ନାରାୟଣ ଶବ୍ଦର ଅର୍ଥ ଋଷିମାନେ କହନ୍ତି ଯେ “ନାରା” ଶବ୍ଦର ଅର୍ଥ ଜଳ, ତହିଁରେ ଶୟନ କରିଥିବାରୁ ତାହାଙ୍କର ନାମ ନାରାୟଣ ହୋଇଅଛି ।୪୨। ସେହି ନାରାୟଣ ଯେଉଁ କ୍ଷଣି ପ୍ରଜାମାନଙ୍କୁ ସୃଷ୍ଟି କରିବାକୁ ଇଚ୍ଛା କଲେ, ତେତେବେଳେ ତାହାଙ୍କ ନାଭିରୁ ଗୋଟିଏ ପଦ୍ମ ଉତ୍‌ଥିତ ହେଲା ଓ ସେହି ପଦ୍ମରୁ ବ୍ରହ୍ମା ଜାତ ହେଲେ ।୪୪। ସେ ଦେଖିଲେ ଯେ ଏହି ନିଖିଳ ଜଗତ୍ ଶୂନ୍ୟ ହୋଇ ରହିଅଛି । ତହୁଁ ସେ ନିଜ ମାନସରୁ ମରୀଚି(୧) ପ୍ରଭୃତି ନଅ ଜଣ ଋଷିଙ୍କୁ ସୃଜନ କଲେ । ସେମାନେ ମଧ୍ୟ ବ୍ରହ୍ମାଙ୍କ ସଦୃଶ । ବ୍ରହ୍ମା ଯେପରି ଜଗତକୁ ଶୂନ୍ୟ ଦେଖିଥିଲେ, ଏହି ଋଷିମାନେ ମଧ୍ୟ ସେହିପରି ଦେଖି ଯକ୍ଷ, ରାକ୍ଷସ, ପିଶାଚ, ଆଶୀବିଷ, ମାନୁଷ ପ୍ରଭୃତି ସ୍ଥାବର ଜଙ୍ଗମ, ସମୁଦାୟ ଭୂତବର୍ଗ ସୃଷ୍ଟି କଲେ । ଏହି ରୂପେ ସତ୍ତ୍ୱ, ରଜଃ, ତମ ତିନି ଗୁଣ ଭେଦରେ ପ୍ରଜାପତି ଈଶ୍ୱରଙ୍କର ତିନି ଅବସ୍ଥା ହୋଇଅଛି । ତାହାଙ୍କର ବ୍ରହ୍ମମୂର୍ତ୍ତିରୁ ବିଶ୍ୱର ଉତ୍ପତ୍ତି । ବିଷ୍ଣୁ ମୂର୍ତ୍ତିରେ ସେ ପାଳନ କରନ୍ତି ଓ ରୁଦ୍ର ମୂର୍ତ୍ତିଙ୍କଦ୍ୱାରା ସଂହାର ହୁଏ । ହେ ସିନ୍ଧୁରାଜ ! ଅଦ୍ଭୁତକର୍ମା ବିଷ୍ଣୁଙ୍କ ଚରିତ୍ର ତୁମ୍ଭେ କ’ଣ ବ୍ରହ୍ମନିଷ୍ଠ ମୁନିଗଣଙ୍କ ମୁଖରୁ ଶୁଣି ନାହଁ ।୪୮। ତତ୍କାଳରେ ଏକାର୍ଣ୍ଣବ ଏକାକାର ହେବାରୁ ପୃଥିବୀ ଜଳରେ ନିମଗ୍ନ ହେଲା । ବର୍ଷାକାଳୀନ ରାତ୍ରିରେ ଜୁଳୁଜୁଳୁଆ ପୋକ ଯେପରି ଇତସ୍ତତଃ ଦୃଶ୍ୟ ହୁଅନ୍ତି, ବିଷ୍ଣୁ ସେହିପରି ନିଜ ତେଜଦ୍ୱାରା ବସୁନ୍ଧରାକୁ ଅନ୍ୱେଷଣ କଲେ ।୫୦। ବସୁମତୀକୁ ଜଳ ମଧ୍ୟରେ ନିମଗ୍ନ ହେବାର ଦେଖି ତାହାର ଉଦ୍ଧାର ନିମିତ୍ତ ଭାବନା କଲେ ଯେ କେଉଁ ରୂପ ଧରିଲେ ଅନାୟାସରେ ତାହାକୁ ଉଠାଇ ପାରିବେ ।୫୧। ମନେ ମନେ ଏହିପରି ଚିନ୍ତାକରି ସେ ସ୍ଥିର କଲେ ଯେ ଜଳକ୍ରୀଡ଼ାରେ ବରାହର ପ୍ରୀତି ଜାତ ହୁଏ, ତହୁଁ ସେ ବରାହ ରୂପକୁ ସ୍ମରଣ କଲେ ।୫୨।

 

[(୧) ମରୀଚିରତ୍ରିରଙ୍ଗିରସୌ ପୁଲ୍ୟସ୍ତ୍ୟଃ ପୁଲହଃ କ୍ରତୁଃ

ବଶିଷ୍ଠୋନାରଦ ଶ୍ଚୈବ୍ୟଭୃଗୁର୍ନବହମହର୍ଷୟଃ ।]

 

ଦଶ ଯୋଜନ ବିସ୍ତୀର୍ଣ୍ଣ, ଶତ ଯୋଜନ ଦୀର୍ଘ, ବିଶାଳ ଶୈଳସମ ଦେହ, ତହିଁରେ ଅତି ଉଚ୍ଛ୍ୱଳ ତୀକ୍ଷ୍‌ଣ ଦନ୍ତ–ଏହିପରି ରୂପଧାରଣ କଲେ । ତାହାର ଶବ୍ଦ ମହାମେଘମାନଙ୍କ ଶବ୍ଦସଦୃଶ ଓ ରୂପ ନୀଳ ନୀରଦ ପ୍ରାୟ । ଏତାଦୃଶ ବେଦୋକ୍ତ ବରାହକଳେବର ପରିଗ୍ରହ କରି ସେହି ପ୍ରଭୁ ଜଳ ମଧ୍ୟରେ ନିମଗ୍ନ ହେଲେ ଓ ଏକ ଦନ୍ତଦ୍ୱାରା ପୃଥିବୀକୁ ଉଦ୍ଧୃତ କରି ତାହାକୁ ଯଥାସ୍ଥାନରେ ସନ୍ନିବିଷ୍ଟ କଲେ ।୫୫। ମହାବାହୁ ପ୍ରଭୁ ଭଗବାନ ପୁନର୍ବାର ଅପୂର୍ବ ନରସିଂହ ରୂପ ଧରି କରଦ୍ୱାରା କର ସ୍ପର୍ଶକରି ଦୈତ୍ୟରାଜଙ୍କ ସଭାକୁ ଗମନ କରିଥିଲେ । ଦୈତ୍ୟମାନଙ୍କ ଆଦିପୁରୁଷ ଦିତିନନ୍ଦନ ହିରଣ୍ୟକଶିପୁ ମୁରାରୀଙ୍କର ଅପୂର୍ବ ନରସିଂହ ରୂପ ଦେଖି କ୍ରୋଧରେ ଲୋହିତନେତ୍ର ହେଲା । ନୀଳ ମେଘସଦୃଶ ସେହି ଦୈତ୍ୟ ଗଳାରେ ମାଳା ଲମ୍ବାଇ, ମେଘ ପ୍ରାୟ ଗର୍ଜନ ଛାଡ଼ି ଶୂଳ ଘେନି ନରସିଂହଙ୍କ ପ୍ରତି ବେଗରେ ପ୍ରଧାବିତ ହେଲା ।୫୯। ତାହାଠାରୁ ବିଶେଷ ବଳୀ ମୃଗରାଜ ଦେହଧାରୀ ପ୍ରଭୁ ତାହାକୁ ଧରି ନଖଦ୍ୱାରା ତାହାର ବକ୍ଷସ୍ଥଳ ବିଦାରଣ କଲେ ।୬୦। ଭଗବାନ ପ୍ରଭୁ, ପୁଣ୍ଡରୀକାକ୍ଷ ଶତ୍ରୁନାଶକ ଏହିପରି ଦୈତ୍ୟେନ୍ଦ୍ରକୁ ବିନାଶ କରି ଲୋକହିତାର୍ଥ ପୁନର୍ବାର ଅନ୍ୟ ଅବତାର ଗ୍ରହଣ କଲେ । ଏହି ଅବତାରରେ ସେ ଅଦିତିଙ୍କ ଗର୍ଭରେ କଶ୍ୟପଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ।୬୨। ଏହି ଅବତାରରେ ସେ ବାମନ ପ୍ରାୟ ହୋଇଥିଲେ । ବର୍ଷାକାଳରେ ଜଳଧର ପ୍ରାୟ ସୁନୀଳ, ନେତ୍ରଦ୍ୱୟ ଉଜ୍ଜ୍ୱଳ, ବକ୍ଷସ୍ଥଳ ଶ୍ରୀବତ୍ସଚିହ୍ନରେ ସୁଶୋଭିତ ଓ ହସ୍ତରେ ଦଣ୍ଡକମଣ୍ଡଳୁ ଧରିଥାନ୍ତି । ଜଟା ଓ ଯଜେ୍ଞାପବୀତରେ ଅଳଙ୍କୃତ ହୋଇଥାନ୍ତି । ଶ୍ରୀମାନ ଭଗବାନ ଏତାଦୃଶ ମନୋହର ବାମନରୂପୀ ହୋଇ ଦୈତ୍ୟରାଜ ବଳୀଙ୍କ ଯଜ୍ଞଶାଳାରେ ବୃହସ୍ପତିଙ୍କ ସାହାଯ୍ୟରେ ଉପସ୍ଥିତ ହେଲେ । ବଳୀ ତାଦୃଶ ବାମନତନୁ ନିରୀକ୍ଷଣ କରି ପ୍ରୀତ ହୋଇ ବୋଇଲେ-।୬୫। ହେ ବିପ୍ର ! ଆପଣଙ୍କ ଦର୍ଶନରେ ଆମ୍ଭେ ପ୍ରୀତ ହୋଇଅଛୁ । ବର୍ତ୍ତମାନ ଆପଣଙ୍କୁ କ’ଣ ଦାନ କରିବୁ କହନ୍ତୁ । ବଳୀକୁ ସମ୍ଭାଷଣ କରି ବାମନଦେବ ଈଷତ୍ ହାସ୍ୟ କରି ତାହାଙ୍କୁ ପ୍ରତ୍ୟୁତ୍ତର ଦେଲେ, ହେ ଦାନବପତେ ! ଆମ୍ଭଙ୍କୁ ତିନି ପାଦ ଭୂମି ପ୍ରଦାନ କର ।୬୭। ବଳି ମଧ୍ୟ ପ୍ରସନ୍ନ ହୋଇ ସେହି ବିପ୍ରଙ୍କୁ ତେତିକି ଭୂମି ପ୍ରଦାନ କଲେ । ଅନନ୍ତର ପାଦ ନିକ୍ଷେପ କଲାବେଳେ ସେହି ବାମନଙ୍କର ଅତିଶୟ ଅଦ୍ଭୁତ ରୂପ ହେଲା । ସନାତନ ବିଷ୍ଣୁ ତିନି ବିକ୍ରମରେ କ୍ଷଣକ ମଧ୍ୟରେ ଏହି ଭୂମଣ୍ଡଳ ହରଣ କରି ଇନ୍ଦ୍ରଙ୍କୁ ସମର୍ପଣ କଲେ ।୬୯। ବାମନାବତାର କଥା ତୁମ୍ଭଠାରେ କୀର୍ତ୍ତିତ ହେଲା । ବିଷ୍ଣୁଙ୍କଠାରୁ ଦେବତାମାନେ ପ୍ରାଦୁର୍ଭୂତ ହେଲେ ଓ ସେହି ବିଷ୍ଣୁଙ୍କ ନାମରୁ ଏହି ବିଶ୍ୱକୁ ବିଷ୍ଣୁମୟ ବୋଲା ହେଲା ।୭୦।

 

ଅସଜ୍ଜନମାନଙ୍କ ନିଗ୍ରହ ଓ ଧର୍ମର ରକ୍ଷାନିମିତ୍ତ ସେ ମନୁଷ୍ୟ ମଧ୍ୟରେ ଅବତୀର୍ଣ୍ଣ ହୋଇ ଯଦୁକୁଳରେ ଜନ୍ମଗ୍ରହଣ କରିଅଛନ୍ତି ଓ କୃଷ୍ଣ ବୋଲି ପରିକୀର୍ତ୍ତିତ ହୋଇଅଛନ୍ତି । ହେ ସୈନ୍ଧବ ! ବିଦ୍ୱାନ ଲୋକେ ଯାହାଙ୍କୁ ଅନାଦି, ଅନନ୍ତ, ଜନ୍ମହୀନ, ଲୋକନମସ୍ୟ, ପ୍ରଭୁ ଓ ଦେବ ବୋଲି କୀର୍ତ୍ତନ କରନ୍ତି, ତାହାଙ୍କର କର୍ମରାଜି ବର୍ଣ୍ଣିତ ହେଲା । ଯେଉଁ ଶଙ୍ଖ, ଚକ୍ର, ଗଦାଧାରୀ, ଶ୍ରୀବତ୍ସଲାଞ୍ଚିତ ପୀତକୌଷେୟ ବାସା, ଦେବ କୃଷ୍ଣଙ୍କୁ ପଣ୍ଡିତମାନେ ଶସ୍ତ୍ରବିଦ୍ୟାବିଶାରଦମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ବୋଲି କୀର୍ତ୍ତନ କରନ୍ତି ଓ ଯେ ଅଜିତ ବୋଲି ସର୍ବତ୍ର ବିଖ୍ୟାତ ଅଟନ୍ତି, ସେହି କୃଷ୍ଣ ଅର୍ଜୁନଙ୍କୁ ରକ୍ଷା କରନ୍ତି ।୭୦। ଯେଉଁ ବାସୁଦେବଙ୍କର ଅପରିମିତ ବଳ, ଯେ ପରବୀରହନ୍ତା, ସେ ଅର୍ଜୁନଙ୍କ ସହିତ ଏକା ରଥରେ ଅଧିଷ୍ଠିତ ହୋଇ ତାହାଙ୍କର ସହାୟତା କରନ୍ତି । ଏଣୁ ଅର୍ଜୁନଙ୍କୁ ଜୟ କରିବା ଅସାଧ୍ୟ-। ଦେବତାମାନେ ମଧ୍ୟ ଧନଞ୍ଜୟଙ୍କର ପରାକ୍ରମ ସହ୍ୟ କରିପାରନ୍ତି ନାହିଁ । ମନୁଷ୍ୟ-ଦେହଧାରୀ କେଉଁ ବ୍ୟକ୍ତି ପୁଣି ତାହାଙ୍କୁ ପରାଜିତ କରିବ ?୭୬। ଅତଏବ, ହେ ରାଜନ୍‌ ! ଏକା ଧନଞ୍ଜୟଙ୍କୁ ଛାଡ଼ି ଯୁଧିଷ୍ଠିରଙ୍କର ସମୁଦାୟ ସୈନ୍ୟ ଓ ତୁମ୍ଭର ଶତ୍ରୁ ଆଉ ଚାରି ପାଣ୍ଡବଙ୍କୁ ତୁମ୍ଭେ ଥରେ ସେହି ଏକ ଦିନରେ ଜୟ କରିବ ।୭୭। ବୈଶମ୍ପାୟନ କହିଲେ, ହେ ରାଜଶାର୍ଦ୍ଦୂଳ ! ଭଗବାନ ଉମାପତି ସର୍ବପାପହାରୀ ଅଟନ୍ତି । ସେ ବିଶ୍ୱର ସଂହାରକର୍ତ୍ତା । ଦକ୍ଷଙ୍କର ଯଜ୍ଞ ଧ୍ୱଂସକାରୀ, ତ୍ରିପୁରାସୁରର ବିନାଶକ, ଭଗନେତ୍ର-ହରଣକାରୀ, ପଶୁପତି ଅର୍ଥାତ୍ ଜୀବମାନଙ୍କର ଅଧିପତି ଅଟନ୍ତି । ସେ ଜୟଦ୍ରଥକୁ ଉପର୍ଯ୍ୟୁକ୍ତ ପ୍ରକାରେ ବାକ୍ୟ ଶୁଣାଇ ସେହି ସ୍ଥାନରେ ଅନ୍ତର୍ହିତ ହେଲେ । ତତ୍କାଳରେ ବାମନାକୃତି, ବିକଟମୂର୍ତ୍ତି, କୁବ୍‌ଜ, ବିକଟକର୍ଣ୍ଣ, ଉତ୍କଟନେତ୍ର, ବିବିଧ ଆୟୁଧଧାରୀ ଓ ଉତ୍ତୋଳନକାରୀ, ଭୀଷଣ ପାରିଷଦବର୍ଗ ମଧ୍ୟ ମହାଦେବଙ୍କ ସହିତ ଅନ୍ତର୍ହିତ ହେଲେ ।୮୦। ମହାତ୍ମା ଜୟଦ୍ରଥ ମଧ୍ୟ ସ୍ୱୀୟ ଭବନକୁ ପ୍ରତିଗମନ କଲେ ଓ ପାଣ୍ଡବମାନେ ମଧ୍ୟ ସେହି କାମ୍ୟକ ବନରେ ପୂର୍ବ ପ୍ରାୟ ନିବାସ କଲେ ।୮୧।

 

॥ ଅଧ୍ୟାୟ – ୨୭୩ ॥

 

ଜନମେଜୟ କହିଲେ, ଜୟଦ୍ରଥ ଯାଇ କୃଷ୍ଣାଙ୍କୁ ହରଣ କରି ନେଇଗଲା ପରେ ପାଣ୍ଡବମାନେ ଏତାଦୃଶ କ୍ଳେଶପ୍ରାପ୍ତ ହୋଇ ତତ୍ପରେ କ’ଣ କଲେ ?୧। ବୈଶମ୍ପାୟନ କହିଲେ, ଧର୍ମରାଜ ଯୁଧିଷ୍ଠିର ଜୟଦ୍ରଥଙ୍କୁ ପରାଜିତ କରି ଓ ଦ୍ରୌପଦୀଙ୍କୁ ଉକ୍ତ ପ୍ରକାରେ ବିମୁକ୍ତ କରିଆଣି ମୁନିଗଣଙ୍କ ସହିତ ଉପବେଶନ କଲେ ।୨। ଦ୍ରୌପଦୀଙ୍କ ଦୁଃଖବୃତ୍ତାନ୍ତ ଶୁଣି ମହର୍ଷିମାନେ ଶୋଚନା କରୁଥିଲେ । ଏମନ୍ତ ସମୟରେ ପାଣ୍ଡୁନନ୍ଦନ ସେମାନଙ୍କ ମଧ୍ୟରେ ମାର୍କଣ୍ଡେୟଙ୍କୁ ପଚାରିଲେ ।୩। ଯୁଧିଷ୍ଠିର କହିଲେ, ହେ ଭଗବନ୍‌ ! ଆପଣ ଦେବ ଓ ଋଷିଗଣଙ୍କ ମଧ୍ୟରେ ଭୂତ ଓ ଭବିଷ୍ୟତବେତ୍ତା ବୋଲି ବିଖ୍ୟାତ ଅଟନ୍ତି । ଏହି କାରଣରୁ ଆମ୍ଭ ହୃଦୟରେ ଗୋଟିଏ ସଂଶୟ ଅଛି-। ଆପଣଙ୍କୁ କହୁଅଛି, ଆପଣ ତାହା ଅପନୀତ କରନ୍ତୁ ।୪।

 

ଏହି କୃଷ୍ଣା ଦ୍ରୁପଦରାଜଙ୍କ ଦୁହିତା, ବେଦି ମଧ୍ୟରୁ ଉତ୍‌ଥିତ ହୋଇଅଛନ୍ତି । ଅଯୋନିସମ୍ଭବା ମହାଭାଗା ମହାତ୍ମା ପାଣ୍ଡୁଙ୍କର ପୁତ୍ରବଧୂ ଅଟନ୍ତି ।୫। ଆମ୍ଭର ନିଶ୍ଚୟ ବୋଧ ହେଉଅଛି ଯେ ପୂର୍ବଜନ୍ମର ସତ୍‌କର୍ମ ଓ ଅସତ୍‌କର୍ମ ହେତୁରୁ ଯେଉଁ ଧର୍ମାଧର୍ମସ୍ୱରୂପ ଅଦୃଷ୍ଟ ହୋଇଥାଏ, ସେହି ଅଦୃଷ୍ଟର ବ୍ୟତିକ୍ରମ କଦାପି ହୁଏ ନାହିଁ । କାଳ ମଧ୍ୟ ସେହି ଅଦୃଷ୍ଟର ସହାୟ ହୁଏ । ଭୂତଗଣଙ୍କ ପ୍ରତି ସେହି ଅଦୃଷ୍ଟ ବଳବାନ ଅଟେ । ତାହା ନ ହେଲେ କୌଣସି ବିଶୁଦ୍ଧ ବ୍ୟକ୍ତିକୁ ଯେପରି ମିଥ୍ୟାରେ ଚୌର୍ଯ୍ୟ ଅପବାଦ ସ୍ପର୍ଶ କରେ, ତଦ୍ରୂପ ଆମ୍ଭମାନଙ୍କର ସହଧର୍ମିଣୀ ଏହି ଧର୍ମଚାରିଣୀ ଦ୍ରୁପଦନନ୍ଦିନୀଙ୍କ ପ୍ରତି ଏପରି ଘଟନା କି ହେତୁରୁ ସ୍ପର୍ଶ କରନ୍ତା ? ଦ୍ରୌପଦୀ ଇହଜନ୍ମରେ କୌଣସି ପାପ କିମ୍ବା ନିନ୍ଦିତ କର୍ମ କରି ନାହାନ୍ତି; ବରଂ ବ୍ରାହ୍ମଣମାନଙ୍କ ପ୍ରତି ସେ ଯତ୍ନ ଓ ଆଦରପୂର୍ବକ ସେବାଶୁଶ୍ରୂଷା ଓ ଧର୍ମାଚରଣ କରନ୍ତି । ବର୍ତ୍ତମାନ ମୂଢ଼ବୁଦ୍ଧି ରାଜା ଜୟଦ୍ରଥ ତାହାଙ୍କୁ ବଳପୂର୍ବକ ହରଣ କରି ନେଇଗଲା । ତାହାଙ୍କୁ ହରଣ କରିବା ଦୋଷରୁ ସେହି ପାପାତ୍ମାର ମସ୍ତକରୁ କେଶ ପତନ ହେଲା ଓ ସେ ସହାୟ ସହିତ ସମରରେ ପରାଜିତ ହେଲା । ଆମ୍ଭେମାନେ ମଧ୍ୟ ସେହି ସିନ୍ଧୁଦେଶୀୟ ସୈନ୍ୟଙ୍କୁ ନିହତ କରି ଦ୍ରୂପଦନନ୍ଦିନୀଙ୍କୁ ହରଣ କଲୁ ।୧୦। ଏହି କାରଣରୁ ଆମ୍ଭମାନଙ୍କ ପ୍ରତି ଭାର୍ଯ୍ୟାହରଣ ଦୋଷ ସ୍ପର୍ଶ କଲା । ଏପରି ହେବ ବୋଲି ଆମ୍ଭେମାନେ କଦାପି ଭାବି ନ ଥିଲୁ । ଆମ୍ଭମାନଙ୍କର ଜ୍ଞାତିମାନେ ମିଥ୍ୟାରତ ହୋଇ ଆମ୍ଭଙ୍କୁ ନିର୍ବାସିତ କରିଅଛନ୍ତି । ଆମ୍ଭେମାନେ ଏହି ଦୁଃଖଜନକ ଅରଣ୍ୟବାସ କରି ତହିଁରେ ମୃଗୟାଦ୍ୱାରା ଜୀବିକାନିର୍ବାହ କରୁଅଛୁ । ବନବାସୀ ହୋଇ ବନଚାରୀ ମୃଗଙ୍କର ହିଂସା କରୁଅଛୁ । ତାହା ଉପରେ ପୁଣି ଏହି ଅବିଚିନ୍ତିତ ଦୁଃଖ ଘଟନା । ଏଥି ନିମିତ୍ତ ଆମ୍ଭେ ପଚାରୁଅଛୁ ଯେ ଆମ୍ଭ ପ୍ରାୟ ହତଭାଗ୍ୟ ଆଉ କେହି ମନୁଷ୍ୟ ଅଛନ୍ତି କି ? ଏତାଦୃଶ ମନୁଷ୍ୟକୁ ଆପଣ କେବେ ଦେଖିଅଛନ୍ତି କି ? ଅଥବା ତାହାଙ୍କ କଥା ଶୁଣିଅଛନ୍ତି କି ?୧୩।

 

॥ ଅଧ୍ୟାୟ – ୨୭୪ ॥

 

ମାର୍କଣ୍ଡେୟ କହିଲେ, ହେ ଭରତଶ୍ରେଷ୍ଠ ! ରାମ ଯେପରି ଦୁଃଖ ପାଇଥିଲେ, ସେପରି ଦୁଃଖ ଆଉ କାହାରି ହୋଇ ନାହିଁ । ମହାବଳ ପରାକ୍ରାନ୍ତ ରାକ୍ଷସ ତାହାଙ୍କ ଭାର୍ଯ୍ୟା ଜାନକୀଙ୍କୁ ହରଣ କରିଥିଲା । ସେହି ଦୁରାତ୍ମା ରାକ୍ଷସ ରାବଣ ମାୟାକରି ଆଶ୍ରମରୁ ଜାନକୀଙ୍କୁ ହରିନେଲା । ନିଶିତ ଶର ପ୍ରୟୋଗଦ୍ୱାରା ଜଟାୟୁ ନାମକ ଗୃଧ୍ରକୁ ନିହତ କରି ବଳପୂର୍ବକ ସୀତାଙ୍କୁ ଘେନିଗଲା । ସୁଗ୍ରୀବଙ୍କ ବଳକୁ ଆଶ୍ରୟ କରି ରାମ ସମୁଦ୍ରରେ ସେତୁବନ୍ଧନ କଲେ । ତତ୍ପରେ ଲଙ୍କାପୁରୀକୁ ଦହନ କରି ତାହାଙ୍କୁ ଉଦ୍ଧାର କରିଥିଲେ ।୩। ଯୁଧିଷ୍ଠିର କହିଲେ, ହେ ଭଗବନ୍‌ ! ରାମ କେଉଁ କୁଳରେ ଜନ୍ମିଥିଲେ ? ତାହାଙ୍କର ବଳ ଓ ପରାକ୍ରମ କିପରି ଥିଲା ? ରାବଣ କାହାର ପୁତ୍ର ଓ କି ନିମିତ୍ତ ରାମଙ୍କ ସହିତ ତାହାର ଶତ୍ରୁତା ହେଲା ? ଏହି ସବୁ ବୃତ୍ତାନ୍ତ ଆପଣ ସମ୍ୟକ୍ ରୂପେ ଆମ୍ଭ ନିକଟରେ ବର୍ଣ୍ଣନ କରନ୍ତୁ । ଆମ୍ଭେ ପୁଣ୍ୟକର୍ମା ରାମଙ୍କର ଚରିତ୍ର ଶ୍ରବଣ କରିବାକୁ ଅଭିଳାଷୀ ହୋଇଅଛୁ ।୫।

 

ମାର୍କଣ୍ଡେୟ କହିଲେ, ଇକ୍ଷ୍ୱାକୁ ବଂଶରେ ଅଜ ନାମରେ ଜଣେ ମହାନ ରାଜା ଥିଲେ । ତାହାଙ୍କ ପୁତ୍ର ଦଶରଥ ନିରନ୍ତର ବେଦାଧ୍ୟୟନରେ ରତ ଥାଆନ୍ତି । ସେ ମଧ୍ୟ ଅତିଶୟ ଶୁଚିବନ୍ତ ଥିଲେ ।୬। ଦଶରଥଙ୍କର ଚାରି ପୁତ୍ର ଥିଲେ । ସେମାନଙ୍କର ନାମ– ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ-। ସେମାନେ ସମସ୍ତେ ବଳଶାଳୀ ଓ ଧର୍ମାର୍ଥ-ବିଶାରଦ ହୋଇଥିଲେ ।୭। ରାମଙ୍କ ମାତା କୌଶଲ୍ୟା, ଭରତଙ୍କ ମାତା କୈକେୟୀ, ଲକ୍ଷ୍ମଣ ଓ ଶତ୍ରୁଘ୍ନ–ଏ ଦୁହେଁ ସୁମିତ୍ରାଙ୍କ ସୁତ ଥିଲେ-।୮। ହେ ବିଭୋ ! ବିଦେହ ଦେଶର ରାଜା ଜନକଙ୍କ ନନ୍ଦିନୀ ସୀତାଙ୍କୁ ସ୍ୱୟଂ ପ୍ରଜାପତି ରାମଙ୍କର ଭାର୍ଯ୍ୟା ରୂପେ ସୃଷ୍ଟି କରିଥିଲେ ।୯। ହେ ଜନେଶ୍ୱର ! ରାମ ଓ ସୀତାଙ୍କ ଜନ୍ମବୃତ୍ତାନ୍ତ ତୁମ୍ଭ ସମୀପରେ ବର୍ଣ୍ଣିତ ହେଲା । ଏବେ ରାବଣର ଜନ୍ମବୃତ୍ତାନ୍ତ ଶ୍ରବଣ କରନ୍ତୁ ।୧୦। ଯେଉଁ ସ୍ୱୟମ୍ଭୁ ସର୍ବ ଲୋକର ସୃଷ୍ଟିକର୍ତ୍ତା, ଯେ ମହାତପା, ପ୍ରଭୁ, ସାକ୍ଷାତ୍ ଯେ ପ୍ରଜାପତି ଅଟନ୍ତି, ସେ ରାବଣର ପିତାମହ-।୧୧। ତାହାଙ୍କ ମାନସରୁ ପୁଲସ୍ତ୍ୟ ନାମରେ ଯେଉଁ ପୁତ୍ର ଜାତ ହୋଇଥିଲେ, ସେହି ପୁଲସ୍ତ୍ୟଙ୍କର ଗୋନାମ୍ନୀ ଏକ ଭାର୍ଯ୍ୟା ଥିଲେ । ତାହାଙ୍କ ଗର୍ଭରୁ ବୈଶ୍ରବଣ ନାମରେ ଗୋଟିଏ ପ୍ରଭାବଶାଳୀ ପୁତ୍ର ଜନ୍ମିଥିଲେ ।୧୨।

 

ହେ ରାଜନ୍‌ ! ବୈଶ୍ରବଣ ଆପଣା ପିତାଙ୍କୁ ପରିତ୍ୟାଗ କରି ପିତାମହଙ୍କର ଉପାସନା କରୁଥିଲେ । ତହିଁରେ ତାହାଙ୍କର ପିତା ରୋଷବଶରୁ ଆପଣାକୁ ଆପେ ସୃଷ୍ଟି କଲେ । ଅର୍ଥାତ୍ ଯୋଗବଳଦ୍ୱାରା ଅନ୍ୟ ଗୋଟିଏ ବୈଶ୍ରବଣ ନିର୍ମାଣ କଲେ । ବୈଶ୍ରବଣର ପ୍ରତିକାର କରିବା ନିମିତ୍ତ ପୁଲସ୍ତ୍ୟ ସ୍ୱକୀୟ ଆତ୍ମାର ଅର୍ଦ୍ଧାଂଶଦ୍ୱାରା ଦ୍ୱିଜକୁଳରେ ଜାତ ହୋଇ ବିଶ୍ରବା ନାମରେ ବିଖ୍ୟାତ ହେଲେ ।୧୪। ପରନ୍ତୁ ପ୍ରଭୁ ପିତାମହ, ବୈଶ୍ରବଣଙ୍କ ପ୍ରତି ପ୍ରସନ୍ନ ହୋଇ ତାହାଙ୍କୁ ଅମର କଲେ, ଧନେଶ୍ୱର ଏବଂ ଲୋକପାଳ କଲେ, ଶିବଙ୍କ ସହିତ ତାହାଙ୍କର ସଖ୍ୟ ସ୍ଥାପନ କଲେ, ଯକ୍ଷଗଣଙ୍କର ଅଧିପତି କଲେ; ତାହାଙ୍କର ରାଜରାଜ ପଦ ହେଲା । ନଳକୁବର ନାମରେ ତାହାଙ୍କର ପୁତ୍ରକୁ ଲଙ୍କାପୁରୀରେ ରାକ୍ଷସଙ୍କ ମଧ୍ୟରେ ରାଜା କଲେ ଓ ତାହାଙ୍କୁ ପୁଷ୍ପକ ନାମକ କାମଗାମୀ ବିମାନ ପ୍ରଦାନ କଲେ ।୧୭।

 

॥ ଅଧ୍ୟାୟ – ୨୭୫ ॥

 

ମାର୍କଣ୍ଡେୟ କହିଲେ, ପୁଲସ୍ତ୍ୟଙ୍କ କ୍ରୋଧରୁ ତାହାଙ୍କ ଅର୍ଦ୍ଧଦେହସ୍ୱରୂପ ଯେଉଁ ବିଶ୍ରବା ନାମକ ମୁନି ଉତ୍ପନ୍ନ ହେଲେ, ସେ କୋପାବିଷ୍ଟ ହୋଇ ବୈଶ୍ରବଣଙ୍କୁ ବିଲୋକନ କଲେ ।୧। ହେ ରାଜନ୍‌ ! ରାକ୍ଷସାଧିପତି କୁବେର ଜାଣିଲେ ଯେ ତାହାଙ୍କ ପିତା କ୍ରୋଧାନ୍ୱିତ ହୋଇଅଛନ୍ତି । ଏହା ଜାଣି ସେ ପିତାଙ୍କୁ ପ୍ରସନ୍ନ କରିବା ନିମିତ୍ତ ସର୍ବଦା ଯତ୍ନ କଲେ ।୨। ଲଙ୍କାନିବାସୀ ନରବାହନ ଯକ୍ଷରାଜ ଆପଣା ପିତାଙ୍କ ସେବା କରିବା ନିମିତ୍ତ ତିନିଗୋଟି ରାକ୍ଷସୀଙ୍କୁ ପରିଚାରିକାସ୍ୱରୂପ ନିଯୁକ୍ତ କଲେ । ସେମାନଙ୍କର ନାମ ପୁଷ୍ପୋତ୍କଟୀ, ରାକା ଓ ମାଳିନୀ ।୩। ହେ ଭରତଶାର୍ଦ୍ଦୂଳ ! ସେମାନେ ନୃତ୍ୟଗୀତବିଶାରଦା, ସୁମଧ୍ୟମା । ସେହି ନିଶାଚରୀମାନେ ନିଜ ନିଜ ମଙ୍ଗଳ କାମନା କରୁଥିବାରୁ ଋଷିଙ୍କ ପରିଚର୍ଯ୍ୟା କରିବାରେ ପରସ୍ପର ସ୍ପର୍ଦ୍ଧା କରୁଥିଲେ; ଅର୍ଥାତ୍ କିଏ ତାହାଙ୍କର ଅଧିକ ଯତ୍ନ କରିବ, ଏ ବିଷୟରେ ଅନ୍ୟୋନ୍ୟରେ ଜିଗୀଷା କରୁଥିଲେ ।୫। ମହାତ୍ମା ଭଗବାନ ବିଶ୍ରବା ସେମାନଙ୍କ ପ୍ରତି ତୁଷ୍ଟ ହୋଇ ବର ପ୍ରଦାନ କଲେ । ତଦ୍ଦ୍ୱାରା ସେମାନେ ସମସ୍ତେ ଲୋକପାଳ ସଦୃଶ ଗୋଟିଏ ଲେଖାଏଁ ପୁତ୍ର ଲାଭ କଲେ ।୬। ତଦ୍ଦ୍ୱାରା ରାବଣ ଓ କୁମ୍ଭକର୍ଣ୍ଣ ନାମରେ ଦୁଇ ଗୋଟି ପୁତ୍ର ପୁଷ୍ପୋତ୍କଟୀଙ୍କ ଗର୍ଭରୁ ଜାତ ହେଲେ । ପୃଥିବୀରେ ସେ ଦୁହିଁଙ୍କ ସମ ବଳଶାଳୀ କେହି ନ ଥିଲେ ।୭। ବିଭୀଷଣ ମାଳିନୀଙ୍କ ଗର୍ଭରୁ ଜାତ ହେଲେ । ରାକା ଗର୍ଭରୁ ଖର ନାମରେ ଗୋଟିଏ ପୁତ୍ର ଓ ସୂର୍ପଣଖା ନାମରେ ଗୋଟିଏ ଦୁହିତା ଜନ୍ମିଲେ ।୮। ବିଭୀଷଣ ସମସ୍ତଙ୍କ ଅପେକ୍ଷାସ୍ୱରୂପ ହୋଇଥିଲେ । ସେହି ମହାଭାଗ ନିରନ୍ତର ଧର୍ମାଚାରୀ ଓ ସତ୍ୟଗାମୀ ଥିଲେ ।୯। ଦଶଗ୍ରୀବ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ଥିଲେ । ସେ ମହାନ ଉତ୍ସାହସମ୍ପନ୍ନ, ମହାବୀର୍ଯ୍ୟ, ମହାସତ୍ତ୍ୱ ଓ ମହାପରାକ୍ରମଶାଳୀ ଥିଲେ ।୧୦। କୁମ୍ଭକର୍ଣ୍ଣ ମାୟାବୀ ଥିଲେ । ସେ ରଣରେ ମତ୍ତହୋଇ ଯେତେବେଳେ ଯୁଦ୍ଧ କରନ୍ତି, ତେତେବେଳେ ସେ ସମସ୍ତଙ୍କ ଅପେକ୍ଷା ଭୟଙ୍କର ହୁଅନ୍ତି ।୧୧। ଖର ବ୍ରାହ୍ମଣଙ୍କର ବିଦ୍ୱେଷୀ ଥିଲେ । ମାଂସଲୋଭୀ ସେହି ନିଶାଚର ଖର ଧନୁର୍ବିଦ୍ୟାରେ ଅଧିକ ବିକ୍ରମ ପ୍ରକାଶ କରୁଥିଲେ । ଘୋରରୂପା ସୂର୍ପଣଖା ସର୍ବଦା ଋଷିମାନଙ୍କ ତପସ୍ୟାରେ ବିଘ୍ନ କରୁଥିଲା ।୧୨। ହେ ରାଜନ୍‌ ! ରାବଣ ପ୍ରଭୃତି ସେହି ଭାଇମାନେ ବେଦଜ୍ଞ, ମହାବଳ ପରାକ୍ରାନ୍ତ ଓ ସୁନ୍ଦର, ସେମାନେ ବ୍ରତମାନ ଅନୁଷ୍ଠାନ କରୁଥିଲେ ଓ ଆନନ୍ଦ ମନରେ ପିତାଙ୍କ ନିକଟରେ ଗନ୍ଧମାଦନରେ ବାସ କରୁଥିଲେ ।୧୩। ସେହି ସମୟରେ ସେମାନେ ନରବାହନ ବୈଶ୍ରବଣଙ୍କୁ ଦେଖିଲେ ଯେ ସେ ପରମ ସମୃଦ୍ଧି ସମ୍ପନ୍ନ ହୋଇ ପିତାଙ୍କ ସହ ଏକତ୍ର ସମାସୀନ ହୋଇଛନ୍ତି ।୧୪। ଏହି ହେତୁରୁ ସେମାନେ ସମସ୍ତେ କ୍ରୋଧବହି ତପସ୍ୟାଚରଣରେ ପ୍ରବୃତ୍ତ ହେଲେ । ସେମାନେ ଘୋର ତପସ୍ୟାଦ୍ୱାରା ବ୍ରହ୍ମାଙ୍କୁ ପରିତୁଷ୍ଟ କଲେ ।୧୫। ଦଶଗ୍ରୀବ ବାୟୁ ଭକ୍ଷଣ କରି ପଞ୍ଚାଗ୍ନି ମଧ୍ୟରେ ଏକପଦରେ ଦଣ୍ଡାୟମାନ ହୋଇ ସମାହିତ ଚିତ୍ତରେ ସହସ୍ରେ ବର୍ଷ ତପସ୍ୟା କଲେ ।୧୬। କୁମ୍ଭକର୍ଣ୍ଣ ଆହାର ନ କରି ଭୂମିରେ ଶୟନ କରି ରହିଲା । ଉଦାର ବୁଦ୍ଧିସମ୍ପନ୍ନ ବିଭୀଷଣ ଉପବାସରତ ଓ ଜପପରାୟଣ ହୋଇ ନିତ୍ୟ ଗୋଟିଏ ମାତ୍ର ଶୁଷ୍କ ପତ୍ର ଭକ୍ଷଣ କରି ସେହି ସହସ୍ରେ ବର୍ଷ ବ୍ରତାନୁଷ୍ଠାନ କଲେ ।୧୮। ସେମାନେ ଯେତେବେଳେ ତପସ୍ୟା କରୁଥିଲେ, ତେତେବେଳେ ଖର ଓ ସୂର୍ପଣଖା ଦୁହେଁ ସେମାନଙ୍କର ରକ୍ଷା ଓ ପରିଚର୍ଯ୍ୟା କରୁଥିଲେ ।୧୯।

 

ସହସ୍ରେ ବର୍ଷ ପୂର୍ଣ୍ଣ ହୁଅନ୍ତେ ଦଶାନନ ସ୍ୱକୀୟ ମସ୍ତକ ଛେଦନ କରି ଅଗ୍ନିରେ ଆହୁତି ପ୍ରଦାନ କଲେ । ତହିଁରେ ଜଗତକର୍ତ୍ତା ବ୍ରହ୍ମା ତାହାଙ୍କ ପ୍ରତି ସନ୍ତୁଷ୍ଟ ହେଲେ ।୨୦। ବ୍ରହ୍ମା ସ୍ୱୟଂ ସମସ୍ତଙ୍କ ନିକଟକୁ ଗମନ କରି ଓ ବରଦାନ କରିବାରେ ପ୍ରଲୁବ୍ଧ କରି ସେମାନଙ୍କୁ ତପସ୍ୟାରୁ ନିରସ୍ତ କଲେ ।୨୧। ବ୍ରହ୍ମା କହିଲେ, ହେ ବତ୍ସଗଣ ! ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରୀତ ହୋଇଅଛୁ । ତୁମ୍ଭେମାନେ ତପସ୍ୟାରୁ ନିବୃତ୍ତ ହୁଅ ଓ ବର ପ୍ରାର୍ଥନା କର । ଅମରତ୍ୱ ବ୍ୟତିରେକେ ଆଉ ଯାହା ତୁମ୍ଭମାନଙ୍କ ମନରେ ଥାଏ, ତାହା ସବୁ ସିଦ୍ଧ ହେଉ ।୨୨। ଦଶାନନ ! ମହତ୍ପଦ ଲାଭ ଆଶାରେ ତୁମ୍ଭେ ଯେଉଁ ମସ୍ତକମାନ ଛିନ୍ନ କରି ଅଗ୍ନିରେ ଆହୁତି ପ୍ରଦାନ କରିଅଛ, ସେସବୁ ତୁମ୍ଭ ଦେହରେ ପୂର୍ବ ପ୍ରାୟ ସଂଯୁକ୍ତ ହେଉ । ତୁମ୍ଭ ଦେହରେ କୌଣସି ବୈରୂପ୍ୟ ନ ରହୁ । ତୁମ୍ଭେ କାମ୍ୟ ରୂପଧାରୀ ହେବ ଓ ଯୁଦ୍ଧରେ ଶତ୍ରୁଗଣଙ୍କୁ ଜୟ କରିବ; ଏଥିରେ ସନ୍ଦେହ ନାହିଁ ।୨୪। ରାବଣ କହିଲେ, ସୁରାସୁର, ଗନ୍ଧର୍ବ, ରାକ୍ଷସ, ଯକ୍ଷ, ନାଗ, କିନ୍ନର ଓ ଭୂତଗଣଙ୍କଠାରୁ ଆମ୍ଭର ପରାଭବ ନ ହେଉ ।୨୫। ବ୍ରହ୍ମା କହିଲେ, ତୁମ୍ଭର ମଙ୍ଗଳ ହେଉ । ମନୁଷ୍ୟ ବ୍ୟତିରେକେ ତୁମ୍ଭେ ଯେଉଁମାନଙ୍କର ନାମ ଧରିଲ, ସେମାନଙ୍କଠାରୁ ତୁମ୍ଭର କୌଣସି ଭୟ ନାହିଁ । ଆମ୍ଭେ ଏହି ରୂପ ବିଧାନ କରିଅଛୁ ।୨୬। ମାର୍କଣ୍ଡେୟ କହିଲେ, ନରମାଂସଭକ୍ଷକ ଦୁର୍ବୁଦ୍ଧି ଦଶାନନ ମନୁଷ୍ୟମାନଙ୍କୁ ଅବଜ୍ଞା କରୁଥିଲା । ଏହି ହେତୁରୁ ବିରଞ୍ଚିଙ୍କ ବରଦାନରେ ତୁଷ୍ଟ ହେଲା ।୨୭। ଅନନ୍ତର କୁମ୍ଭକର୍ଣ୍ଣକୁ ମଧ୍ୟ ପିତାମହ ତଦ୍ରୂପ ବରଦାନ କଲେ । ସେ ତମୋଗୁଣରେ ହତଚେତନ ହୋଇ ନିଦ୍ରାବର ମାଗିଲା ।୨୮। ବ୍ରହ୍ମା ହେଉ ବୋଲି କହିଲେ ।

 

ଏହି କଥା କହି ବିଭୀଷଣକୁ ପୁନଃ ପୁନଃ କହିଲେ, ପୁତ୍ର ! ବରପ୍ରାର୍ଥନା କର । ଆମ୍ଭେ ତୁମ୍ଭ ପ୍ରତି ପ୍ରୀତ ହୋଇଅଛୁ ।୨୯। ବିଭୀଷଣ କହିଲେ, ଭଗବନ୍‌ ! ମହାନ ବିପଦଗ୍ରସ୍ତ ହେଲେହେଁ ଧର୍ମପଥରୁ ଆମ୍ଭର ମତି ବିଚଳିତ ନ ହେଉ । ଅଶିକ୍ଷିତ ହୋଇଥିଲେ ହେଁ ବ୍ରହ୍ମାସ୍ତ୍ର ଆମ୍ଭଙ୍କୁ ପ୍ରତିଭାତ ହେଉ ।୩୦। ବ୍ରହ୍ମା କହିଲେ, ହେ ଶତ୍ରୁକର୍ଷଣ, ତୁମ୍ଭେ ରାକ୍ଷସଜାତିରେ ଜାତ ହୋଇଥିଲେ ହେଁ ଯେତେବେଳେ ତୁମ୍ଭର ମନ ଧର୍ମପଥରେ ବିଚଳିତ ନ ହେଲା, ତେତେବେଳେ ଆମ୍ଭେ ତୁମ୍ଭଙ୍କୁ ଅମରତ୍ୱ ପ୍ରଦାନ କଲୁ ।୩୧। ମାର୍କଣ୍ଡେୟ କହିଲେ, ହେ ରାଜନ୍‌ ! ନିଶାଚର ଦଶାନନ ବରଲାଭ କରି ଧନେଶ୍ୱରଙ୍କୁ ଯୁଦ୍ଧରେ ପରାସ୍ତ କଲା ଓ ତାହାଙ୍କୁ ଲଙ୍କାରୁ ତଡ଼ିଦେଲା ।୩୨। ଭଗବାନ ବୈଶ୍ରବଣ ଲଙ୍କା ପରିତ୍ୟାଗ କରି ଯକ୍ଷ, ରାକ୍ଷସ, ଗନ୍ଧର୍ବ ଓ କିନ୍ନରଗଣଙ୍କ ସମଭିବ୍ୟାହାରରେ ଗନ୍ଧମାର୍ଦନ ପର୍ବତରେ ପ୍ରବିଷ୍ଟ ହେଲେ ।୩୩। ତାହାଙ୍କ ପୁଷ୍ପକ ବିମାନ ରାବଣ ବଳପୂର୍ବକ ହରି ଘେନିଗଲା । ତହିଁରେ ବୈଶ୍ରବଣ ତାହାଙ୍କୁ ଅଭିଶାପ ଦେଲେ ଯେ ଏହି ବିମାନ ତୋତେ ବହନ କରିବ ନାହିଁ । ପିତାଙ୍କୁ ଓ ଆମ୍ଭଙ୍କୁ ଅବଜ୍ଞା କରିବାରୁ ତୁ ଶୀଘ୍ର ନିପାତିତ ହେବୁ ।୩୫। ମହାରାଜ ! ଧର୍ମାତ୍ମା ବିଭୀଷଣ ସତ୍‌ପଥାଚାରୀ ହୋଇ ବୈଶ୍ରବଣଙ୍କ ଅନୁଗାମୀ ହେଲେ ।୩୬। ଭ୍ରାତା ଶ୍ରୀମାନ ଭଗବାନ ଧନେଶ୍ୱର ସ୍ୱକୀୟ ଭ୍ରାତା ବିଭୀଷଣଙ୍କ ପ୍ରତି ତୁଷ୍ଟ ହୋଇ ତାହାଙ୍କୁ ଯକ୍ଷ ଓ ରାକ୍ଷସସୈନ୍ୟଙ୍କ ସେନାପତି ପଦ ପ୍ରଦାନ କଲେ ।୩୭।

 

ଏଣେ ନରମାଂସାହାରୀ ରାକ୍ଷସ ଓ ମହାବଳପରାକ୍ରାନ୍ତ ପିଶାଚଗଣ ମିଳିତ ହୋଇ ଦଶାନନଙ୍କୁ ସେମାନଙ୍କ ରାଜପଦରେ ଅଭିଷିକ୍ତ କଲେ ।୩୮। କାମରୂପୀ ଗଗନଗାମୀ ବଳଦର୍ପୀ ଦଶାନନ ଆକ୍ରମଣ କରି ଦେବ ଓ ଦାନବମାନଙ୍କ ରତ୍ନରାଶି ହରଣ କରି ଆଣିଲା ।୩୯। ଦେବଗଣଙ୍କୁ ତ୍ରାସିତ କରି ଇଚ୍ଛାନୁସାରେ ସମସ୍ତ ଲୋକକୁ ରାବିତ ଅର୍ଥାତ୍ ହିଂସ୍ରିତ କରିବାରୁ ସେ ରାବଣ ନାମରେ ବିଖ୍ୟାତ ହେଲା ।୪୦।

 

॥ ଅଧ୍ୟାୟ – ୨୭୬ ॥

 

ମାର୍କଣ୍ଡେୟ କହିଲେ, ଅନନ୍ତର ସିଦ୍ଧଗଣ, ବ୍ରହ୍ମର୍ଷିଗଣ ଓ ଦେବର୍ଷିଗଣ ହୁତାଶନଙ୍କୁ ଅଗ୍ରଣୀ କରି ବ୍ରହ୍ମାଙ୍କର ଶରଣାଗତ ହେଲେ ।୧। ଅନଳ କହିଲେ, ଭଗବନ୍‌ ! ବିଶ୍ରବାଙ୍କ ପୁତ୍ର ମହାବଳ ଦଶଗ୍ରୀବ, ଯାହାକୁ ଆପଣ ପୂର୍ବେ ବରଦାନଦ୍ୱାରା ଅବଧ୍ୟ କରିଥିଲେ, ସେହି ମହାବଳସମ୍ପନ୍ନ ରାକ୍ଷସ ବିବିଧ ପ୍ରକାର ଅନିଷ୍ଟାଚରଣଦ୍ୱାରା ସବୁ ପ୍ରଜାଙ୍କୁ ବାଧିତ କରୁଅଛି; ଅତଏବ ଆପଣ ଆମ୍ଭମାନଙ୍କୁ ତାହାର ଉପଦ୍ରବରୁ ରକ୍ଷା କରନ୍ତୁ । ଆପଣଙ୍କ ବ୍ୟତିରେକେ ଆମ୍ଭମାନଙ୍କୁ ରକ୍ଷା କରିବା ବ୍ୟକ୍ତି ଆଉ କେହି ନାହିଁ ।୩। ବ୍ରହ୍ମା କହିଲେ, ହୁତାଶନ ! ତାହାକୁ ସମରରେ ପରାଜିତ କରିବା ଦେବାସୁରଙ୍କ ଅସାଧ୍ୟ । ତଦ୍ ବିଷୟରେ ଯାହା କର୍ତ୍ତବ୍ୟ, ତାହା ଆମ୍ଭେ କରିଅଛୁ । ତାହାକୁ ନିଗ୍ରହ କରିବାର ଅଳ୍ପ ଦିନ ଅଛି । ଯୋଦ୍ଧାମାନଙ୍କର ଶ୍ରେଷ୍ଠ ଭଗବାନ ବିଷ୍ଣୁ ଆମ୍ଭ ପ୍ରାର୍ଥନାନୁସାରେ ଦଶଗ୍ରୀବ ବଧ ନିମିତ୍ତ ଅବତୀର୍ଣ୍ଣ ହୋଇଅଛନ୍ତି । ସେ ଏହି କାର୍ଯ୍ୟ ସମ୍ପାଦନ କରିବେ ।୫।

 

ମାର୍କଣ୍ଡେୟ କହିଲେ, ତଦନନ୍ତର ଅଗ୍ନିଙ୍କ ସନ୍ନିଧାନରେ ଇନ୍ଦ୍ରଙ୍କୁ ପିତାମହ କହିଲେ, ତୁମ୍ଭେ ସମୁଦାୟ ସୁରଗଣଙ୍କ ସହିତ ମହୀତଳରେ ଅବତୀର୍ଣ୍ଣ ହୁଅ । ଭଲ୍ଲୁକୀ, ବାନରୀମାନଙ୍କ ଗର୍ଭରେ ବିଷ୍ଣୁଙ୍କ ସହାୟ ହୋଇପାରିବା ଭଳି ମହାବଳପରାକ୍ରାନ୍ତ କାମରୂପୀ ପୁତ୍ରମାନଙ୍କୁ ଉତ୍ପାଦନ କର । ତଦନନ୍ତର ଦେବ, ଗନ୍ଧର୍ବ ଓ ଦାନବ ନିଜର ଅଂଶକ୍ରମେ ଅବତୀର୍ଣ୍ଣ ହେବା ନିମିତ୍ତ ଅବିଳମ୍ବେ ମନ୍ତ୍ରଣା କଲେ ।୮। ବରଦାତା ବ୍ରହ୍ମା ସେମାନଙ୍କ ସମକ୍ଷରେ ଦୁନ୍ଦୁଭୀନାମ୍ନୀ ଗନ୍ଧର୍ବୀକୁ ସୁରକାର୍ଯ୍ୟ ସିଦ୍ଧି ନିମିତ୍ତ ଆଦେଶ ପ୍ରଦାନ କଲେ ।୯। ଗନ୍ଧର୍ବୀ ଦୁନ୍ଦୁଭୀ ପିତାମହଙ୍କ ବାକ୍ୟ ଶ୍ରବଣ କରି ତତ୍କାଳରେ ମନୁଷ୍ୟଲୋକରେ କୁବ୍‌ଜା ହୋଇ ମନ୍ଥରା ନାମରେ ଜାତ ହେଲେ ।୧୦। ସୁରପତି ପ୍ରଭୃତି ସବୁ ସୁରସତ୍ତମ ବାନରୀ ଓ ଭଲ୍ଲୁକୀ ଗର୍ଭରେ ବହୁସଂଖ୍ୟକ ପୁତ୍ର ଉତ୍ପାଦନ କଲେ ।୧୧। ସେହି ପୁତ୍ରମାନେ ସମସ୍ତେ ଯଶ ଓ ବଳ ସହିତ ପିତୃଗଣଙ୍କ ଅନୁବର୍ତ୍ତୀ ହେଲେ । ସେମାନଙ୍କର ଏପରି ପରାକ୍ରମ ହେଲା ଯେ ସେମାନେ ଗିରିଶୃଙ୍ଗ ଭେଦ କରିପାରିଲେ; ଶାଳ, ତାଳ ଓ ବୃହତ ଶିଳାସ୍ୱରୂପ ଆୟୁଧଧାରୀ ହେଲେ । ତାହାଙ୍କର ଦେହ ବଜ୍ରସଦୃଶ କଠିନ ହେଲା । ଇଚ୍ଛାନୁରୂପ ସେମାନଙ୍କର ବଳବୀର୍ଯ୍ୟ ବର୍ଦ୍ଧିତ ହେଲା । ସହସ୍ରେ ନାଗତୁଲ୍ୟ ଗୋଟି ଗୋଟିଙ୍କର ବଳ ହେଲା । ସମସ୍ତେ ତେଜସ୍ୱୀ ହେଲେ । ପବନସମ ସେମାନେ ବେଗଚାରୀ ହେଲେ ଓ ସମରକ୍ରିୟାରେ ସୁନିପୁଣ ହେଲେ । ଯେଉଁଠାରେ ସେମାନଙ୍କ ଇଚ୍ଛା ହୁଏ, ସେହିଠାରେ ସେମାନେ ବସତି କଲେ ଓ କେହି କେହି ଅରଣ୍ୟବାସୀ ମଧ୍ୟ ହେଲେ ।୧୪। ଲୋକଭାବନ ଭଗବାନ କମଳା ଯୋନି ଏହିରୂପେ ବିଧାନ କରି ଯେ ଯେଉଁ କାର୍ଯ୍ୟ କରିପାରିବେ, ତାହା ସବୁ ମନ୍ଥରାଙ୍କ ବୋଧଗମ୍ୟ କଲେ-।୧୫। ମନ୍ଥରା ତାହାଙ୍କ ଆଜ୍ଞାନୁସାରେ ମନପ୍ରାୟ ଦ୍ରୁତଗାମିନୀ ହୋଇ ଇତସ୍ତତଃ ଗମନ କରି କଳହ ବର୍ଦ୍ଧିତ କରିବା ବିଷୟରେ ରତ ହେଲେ ।୧୬।

 

॥ ଅଧ୍ୟାୟ – ୨୭୭ ॥

 

ଯୁଧିଷ୍ଠିର କହିଲେ, ବ୍ରହ୍ମନ୍‌ ! ଆପଣ ରାମାଦିଙ୍କ ଜନ୍ମବୃତ୍ତାନ୍ତ ପୃଥକ୍ ପୃଥକ୍ କୀର୍ତ୍ତନ କରିବା ହେଲେ । ସମ୍ପ୍ରତି ରାମଙ୍କର ବନପ୍ରସ୍ଥାନର କାରଣ କହିବା ହେଉନ୍ତୁ । ତାହା ଶୁଣିବାକୁ ଆମ୍ଭର ଇଚ୍ଛା ହେଉଅଛି ।୧। ହେ ବ୍ରହ୍ମନ୍‌ ! ଦଶରଥଙ୍କ ସନ୍ତାନ ରାମ, ଲକ୍ଷ୍ମଣ ଓ ଜନକ ରାଜାଙ୍କ ଦୁହିତା ମୈଥିଳୀ କି ନିମିତ୍ତ ଅରଣ୍ୟ ଗମନ କରିଥିଲେ ? ମାର୍କଣ୍ଡେୟ କହିଲେ, ରାଜନ୍‌ ! ଦଶରଥ ସର୍ବଦା ଧର୍ମକର୍ମରେ ନିରତ ଥିଲେ । ତାହାଙ୍କର ପୁତ୍ର ଜାତ ହେବାରୁ ସେ ଅତ୍ୟନ୍ତ ଆନନ୍ଦିତ ହେଲେ-।୩। ତାହାଙ୍କର ପୁତ୍ରମାନେ ମଧ୍ୟ ରହସ୍ୟସମନ୍ୱିତ ବେଦ ଓ ଧନୁର୍ବେଦରେ ପାରଗ ହୋଇ କ୍ରମଶଃ ବର୍ଦ୍ଧିତ ହେଲେ ।୪। ହେ ମହାରାଜ ! ବ୍ରହ୍ମଚର୍ଯ୍ୟା କଲା ପରେ ଯେତେବେଳେ ସେମାନେ ଦାରପରିଗ୍ରହ କଲେ, ତେତେବେଳେ ଦଶରଥ ଆହୁରି ପ୍ରୀତ ହେଲେ ଓ ଆପଣାକୁ ସୁଖୀ ମନେ କଲେ ।୫। ପୁତ୍ରମାନଙ୍କ ମଧ୍ୟରେ ଜ୍ୟେଷ୍ଠ ରାମ । ସେ ପିତାଙ୍କର ଅତିଶୟ ପ୍ରିୟ ଥିଲେ ଓ ସ୍ୱଭାବରେ ତାହାଙ୍କର ଲୋକରଞ୍ଜନ ଗୁଣ ଥିବାରୁ ତାହାଙ୍କୁ ରାମ ବୋଲି ଡାକିଲେ-।୬। ହେ ଭାରତ-! ରାମାଦିଙ୍କର ବିବାହ ହେଲା ପରେ ଦଶରଥ ଆପଣାକୁ ବୃଦ୍ଧ ମନେକରି ରାମଚନ୍ଦ୍ରଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରିବାକୁ ଅଭିଳାଷ କଲେ । ତହୁଁ ସେ ମନ୍ତ୍ରୀ ଓ ପୁରୋହିତଙ୍କ ସହ ମନ୍ତ୍ରଣା କଲେ । ସେମାନେ ମଧ୍ୟ ରାଜାଙ୍କ ସହିତ ଏକମନ ହେଲେ ।୮।

 

ହେ କୁରୁନନ୍ଦନ ! ମହାତେଜସ୍ୱୀ, ବଳଶାଳୀ ରାଜା ଦଶରଥ ଆପଣା ପୁତ୍ରଙ୍କର ଗୁଣମାନ ଦେଖି ପରମ ପ୍ରୀତ ହେଲେ । ରାମଙ୍କର କେଶ ନୀଳ ଓ କୁଞ୍ଚିତ, ଲୋଚନ ଲୋହିତ, ବକ୍ଷସ୍ଥଳ ବିଶାଳ, ବାହୁ ଦୀର୍ଘ, ଗତି ମତ୍ତମାତଙ୍ଗ ଗତିସଦୃଶ, ଶୋଭା ଉଜ୍ଜ୍ୱଳ, ବଳ ଅପରିମିତ, ଯୁଦ୍ଧରେ ସେ ଇନ୍ଦ୍ରଙ୍କ ସମାନ, ବୁଦ୍ଧିରେ ସେ ବୃହସ୍ପତିଙ୍କ ସଦୃଶ ଓ ସର୍ବଧର୍ମର ପାରଗାମୀ, ସବୁ ବିଷୟରେ ସେ ପ୍ରଜାବର୍ଗର ପ୍ରିୟ, ସର୍ବ ବିଦ୍ୟାରେ ବିଶାରଦ, ଇନ୍ଦ୍ରିୟମାନେ ତାହାଙ୍କର ବିଜିତ ଓ ବଶୀଭୂତ, ଶତ୍ରୁମାନେ ମଧ୍ୟ ତାହାଙ୍କର ରୂପ ଦେଖି ତୁଷ୍ଟ ହୁଅନ୍ତି । ସେ ଆସାଧୁଜନଙ୍କର ଶାସ୍ତା, ଧର୍ମଚାରୀମାନଙ୍କର ରକ୍ଷାକର୍ତ୍ତା, ଧୀର, ଅଧର୍ଷଣୀୟ, ବିଜୟୀ, ଅପରାଜିତ ଓ କୌଶଲ୍ୟାଙ୍କର ଆନନ୍ଦବର୍ଦ୍ଧକ ।୧୩। ଏହି ଗୁଣମାନ ଦେଖି ଦଶରଥ ପ୍ରୀତ ହୋଇ ପୁରୋହିତଙ୍କୁ କହିଲେ, ହେ ବ୍ରହ୍ମନ୍‌ ! ଅଦ୍ୟ ରଜନୀରେ ପୁଷ୍ୟାନକ୍ଷତ୍ର ପୁଣ୍ୟଯୋଗ ପ୍ରାପ୍ତ ହେବ; ଅତଏବ ଆମ୍ଭର ପରିଚାରକମାନେ ଅଭିଷେକର ସାମଗ୍ରୀମାନ ଆହରଣ କରନ୍ତୁ । ରାମ ମଧ୍ୟ ନିମନ୍ତ୍ରିତ ହେଉନ୍ତୁ ।୧୫। ଅନନ୍ତର ଦଶରଥଙ୍କର ସେହି ବାକ୍ୟ ମନ୍ଥରା ଶ୍ରବଣ କରି କୈକେୟୀଙ୍କ ନିକଟକୁ ଯାଇ କହିଲା ।୧୬। ହେ କୈକେୟୀ ! ଆଜି ନୃପତି ଯେଉଁ କାର୍ଯ୍ୟ କରିବାକୁ ଉଦ୍ୟତ ହୋଇଅଛନ୍ତି, ତହିଁରେ ତୁମ୍ଭର ଦୁର୍ଭାଗ୍ୟ ହେବ । ହେ ଦୁର୍ଭଗେ ! ମହାନ ସର୍ପ ଆଜି କ୍ରୁଦ୍ଧ ହୋଇ ତୁମ୍ଭଙ୍କୁ ଦଂଶନ କରୁ ।୧୭। କୌଶଲ୍ୟା ସୁଭାଗିନୀ, ଯେହେତୁରୁ ତାହାର ପୁତ୍ର ରାଜ୍ୟରେ ଅଭିଷିକ୍ତ ହେବ । ତୁମ୍ଭ ପୁତ୍ର ତ ରାଜ୍ୟଭାଗୀ ହେଲା ନାହିଁ । ଅତଏବ ତୁମ୍ଭର ସୌଭାଗ୍ୟ କାହିଁ ? ଦେବୀସଦୃଶୀ କ୍ଷୀଣମଧ୍ୟା କୈକେୟୀ ଉତ୍ତମରୂପେ ଭୂଷିତା ହୋଇ ମନ୍ଦ ମନ୍ଦ ହାସ୍ୟ କରି ନିର୍ଜନରେ ପତିଙ୍କ ସମୀପକୁ ଗମନ କଲେ ଓ ସୁମଧୁର ସ୍ୱରରେ ପ୍ରଣୟ ପ୍ରକାଶ କରି କହିଲେ ।୨୦। ହେ ନୃପ ! ହେ ସତ୍ୟପ୍ରତିଜ୍ଞ ! ଆପଣ ପୂର୍ବେ ମୋତେ ଯେଉଁ ଗୋଟିଏ ବର ଦେଇଥିଲେ, ତାହା ଏବେ ପ୍ରଦାନ କରନ୍ତୁ ଓ କଷ୍ଟରୁ ମୋତେ ମୋଚନ କରନ୍ତୁ ।୨୧। ରାଜା କହିଲେ, ଆମ୍ଭେ ଆନନ୍ଦରେ ତୁମ୍ଭଙ୍କୁ ବର ପ୍ରଦାନ କରୁଅଛୁଁ-। ଯଦି ଇଚ୍ଛା ହୁଏ, ଗ୍ରହଣ କର । କେଉଁ ଅବଧ୍ୟ ବ୍ୟକ୍ତି ଅଦ୍ୟ ବଧ ହେବ ? କୌଣସି ବନ୍ଦୀ ବ୍ୟକ୍ତିକୁ କି ଅଦ୍ୟ ମୋଚନ କରିବାକୁ ହେବ ?୨୨। ଅଦ୍ୟ କାହାରିକି ଧନ ଦେବାକୁ ହେବ କି-? କାହାରି ଧନ ଅଦ୍ୟ ହରଣ କରିବାକୁ ହେବ କି ? ଏହି ଭୂମଣ୍ଡଳରେ ବ୍ରହ୍ମସ୍ୱ ବ୍ୟତିରେକେ ଆଉ ଯେତେ ଧନ ଅଛି, ସେସବୁ ଆମ୍ଭର ।୨୩। ଆମ୍ଭେ ପୃଥିବୀର ରାଜାଧିରାଜ ଓ ଚାରି ବର୍ଣ୍ଣର ରକ୍ଷକ ଅଟୁ-

 

ଅତଏବ, ହେ କଲ୍ୟାଣି ! ତୁମ୍ଭର ଯେଉଁ ବର ଇଚ୍ଛା ହୁଏ ମାଗ, ମୁଁ ଦେବି ।୨୪। ରାଜାଙ୍କୁ ଉକ୍ତ ପ୍ରକାରେ ପ୍ରତିଜ୍ଞାବଦ୍ଧ କରି କୈକେୟୀ ତାହାଙ୍କର ଓ ନିଜର ବଳ କଳନା କରି ପରିଶେଷରେ ଏହି କଥା କହିଲେ ।୨୫। ଆପଣ ରାମଙ୍କ ନିମିତ୍ତ ଯେଉଁ ଅଭିଷେକ ସାମଗ୍ରୀ ଆହରଣ କରିଅଛନ୍ତି, ତାହା ଭରତ ନେଉ ଓ ରାମ ବନକୁ ଯାଉ ।୨୬। ହେ ଭରତ-ପ୍ରବର ! ରାଜା ଦଶରଥ ସେହି ଦାରୁଣ ବଚନ ଶୁଣି ଦୁଃଖାର୍ତ୍ତ ହେଲେ ଓ କୌଣସି କଥା କହିପାରିଲେ ନାହିଁ ।୨୭। ତତ୍ପରେ ଧର୍ମାତ୍ମା ରାମ ଶୁଣିଲେ ଯେ ତାହାଙ୍କ ପିତା ଉକ୍ତ ପ୍ରକାର ବର ଦାନରେ ଅନୁରୁଦ୍ଧ ହୋଇଅଛନ୍ତି । ତହୁଁ ସେ “ରାଜା ସତ୍ୟପ୍ରତିଜ୍ଞ ହେଉନ୍ତୁ ।” ବୋଲି କହି ବନକୁ ପ୍ରସ୍ଥାନ କଲେ ।୨୮। ତତ୍କାଳରେ ତାହାଙ୍କ ଭାର୍ଯ୍ୟା ବୈଦେହୀ ଜାନକୀ ଓ ଧନୁର୍ଦ୍ଧାରୀ ଲକ୍ଷ୍ମଣ ତାହାଙ୍କର ଅନୁଗାମୀ ହେଲେ ।୨୯। ରାମ ବନକୁ ଗମନ କରନ୍ତେ ଦଶରଥ ତାହାଙ୍କ ଶୋକରେ ପ୍ରାଣତ୍ୟାଗ କଲେ ।୩୦। ରାଜା ଦେହ ଛାଡ଼ନ୍ତେ କୈକେୟୀ ଭରତଙ୍କୁ ଅଣାଇଲେ ଓ ଏହି କଥା କହିଲେ ।୩୧। ହେ ପୁତ୍ର ! ଦଶରଥ ସ୍ୱର୍ଗକୁ ଗମନ କରିଅଛନ୍ତି । ରାମ ଓ ଲକ୍ଷ୍ମଣ ବନକୁ ଗଲେ । ଅତଏବ ଏହି ବିଶାଳ ରାଜ୍ୟରେ କଣ୍ଟକ ନାହିଁ । ତୁମ୍ଭେ ରାଜା ହୁଅ ।୩୨। ଧର୍ମାତ୍ମା ଭରତ ତାହାଙ୍କୁ କହିଲେ, ଧନଲୋଭରେ ତୁମ୍ଭେ ପତିଙ୍କୁ ନିହତ କଲ । ଏହି କୁଳକୁ ଉଚ୍ଛନ୍ନ କଲ । ଏହି ନିଷ୍ଠୁର କାର୍ଯ୍ୟ କରିବା ଅନୁଚିତ ।୩୩। ହା କୁଳପାଂଶୁ ଜନନୀ ! ଆମ୍ଭ ମସ୍ତକରେ ଅଖ୍ୟାତି ଭାର ଦେଇ ତୁମ୍ଭେ ନିଜର ମନସ୍କାମନା ପୂର୍ଣ୍ଣ କଲ । ଏହା କହି ସେ ମୁକ୍ତକଣ୍ଠରେ ରୋଦନ କଲେ ।୩୪। ପ୍ରଜାବର୍ଗଙ୍କ ସାକ୍ଷାତରେ ନିଜର ଚରିତ୍ର ଶୋଧନ କରି ଭାଇଙ୍କୁ ଫେରାଇ ଆଣିବା ନିମିତ୍ତ ଭରତ ବନକୁ ପ୍ରସ୍ଥାନ କଲେ ।୩୫।

 

ଶତ୍ରୁଘ୍ନଙ୍କ ସହିତ ଭରତ ଅତ୍ୟନ୍ତ ଦୁଃଖିତ ହୋଇ ରାମ ଓ ଲକ୍ଷ୍ମଣଙ୍କୁ ଫେରାଇଆଣିବା ନିମିତ୍ତ କୌଶଲ୍ୟା, ସୁମିତ୍ରା ଓ କୈକେୟୀଙ୍କୁ ଯାନରେ ବସାଇ ବଶିଷ୍ଠ, ବାମଦେବ ଓ ଅପର ସହସ୍ର ସହସ୍ର ବିପ୍ର, ପୁରବାସୀ ଓ ଜନପଦସ୍ଥିତ ଲୋକଙ୍କ ସମଭିବ୍ୟାହାରରେ ଯାତ୍ରା କଲେ ।୩୭। ସେମାନେ ଚିତ୍ରକୂଟକୁ ଗମନ କରି ଦେଖିଲେ ଯେ ରାମ ଓ ଲକ୍ଷ୍ମଣ ତାପସ ବେଶ ଧାରଣ କରି ସେହି ପର୍ବତରେ ଉପବିଷ୍ଟ ହୋଇଅଛନ୍ତି ।୩୮। ରାମଚନ୍ଦ୍ର କହିଲେ ଯେ ସେ ପିତାଙ୍କ ନିର୍ଦ୍ଦେଶ ପ୍ରତିପାଳନ କରୁଅଛନ୍ତି । ଏହା କହି ସେ ଭରତଙ୍କୁ ବିସର୍ଜନ କରନ୍ତେ, ଭରତ ତାହାଙ୍କ ପାଦୁକାଦ୍ୱୟ ସମ୍ମୁଖରେ ରଖି ନନ୍ଦିଗ୍ରାମରେ ରହି ରାଜ୍ୟ ଶାସନ କଲେ ।୩୯। ଏଣେ ରାମଚନ୍ଦ୍ର ଆଶଙ୍କା କଲେ ଯେ ପୌରଜନମାନେ କାଳେ ପୁଣି ଆସନ୍ତି, ଏହି କଥା ଭାବି ଶରଭଙ୍ଗ ଋଷିଙ୍କ ଆଶ୍ରମକୁ ଗମନ କରିବା ଇଚ୍ଛାରେ ମହାରଣ୍ୟରେ ପ୍ରବିଷ୍ଟ ହେଲେ ।୪୦। ସେଠାରେ ବାସ କରିଥିବା ସମୟରେ ଜନସ୍ଥାନବାସୀ ଖର ନାମକ ଅସୁର ସହିତ ତାହାଙ୍କର ଶତ୍ରୁତା ଜାତ ହେଲା । ସୂର୍ପଣଖା ସେହି ବୈରତାର କାରଣ ହୋଇଥିଲା ।୪୨। ତାପସସମୂହଙ୍କ ରକ୍ଷା ନିମିତ୍ତ ଧର୍ମବତ୍ସଳ ରଘୁବୀର ପୃଥିବୀରୁ ଚଉଦ ସହସ୍ର ରାକ୍ଷସଙ୍କୁ ସଂହାର କଲେ ।୪୩। ବୁଦ୍ଧିମାନ ରାମ ଖର ଓ ଦୁଷଣଙ୍କୁ ନିହତ କରି ଧର୍ମାରଣ୍ୟକୁ ପୁନର୍ବାର କ୍ଷମାସ୍ପଦ କଲେ ।୪୪। ଏହି ନିଶାଚରମାନେ ନିହତ ହେଲା ପରେ ସୂର୍ପଣଖାର ନାସିକା ଓ ଅଧରୌଷ୍ଠ ଛିନ୍ନ ହୋଇଥିଲା । ତହୁଁ ସେ ଲଙ୍କାକୁ ଭାଇ ଘରକୁ ପ୍ରତିଗମନ କଲା ।୪୫। ଦଶାନନଙ୍କ ସନ୍ନିକଟକୁ ଆଗମନ କରି ସେହି ରାକ୍ଷସୀ ଦୁଃଖରେ ବିହ୍ୱଳା ହୋଇ ଭ୍ରାତାଙ୍କ ଚରଣଯୁଗଳରେ ନିପତିତ ହେଲା । ତାହା ମୁଖରେ କ୍ଷତଜାତ ରୁଧିର ଶୁଷ୍କ ହୋଇଥିଲା ।୪୬। ତାହାକୁ ବିକୃତାଙ୍ଗୀ ଦେଖି ରାବଣ କ୍ରୋଧରେ ଅଧୀର ହେଲା । କ୍ରୋଧପୂର୍ଣ୍ଣ ହୋଇ ଦନ୍ତରେ ଦନ୍ତ ଘର୍ଷଣ କରି ଆସନରୁ ଉତ୍ପତିତ ହେଲା ।୪୭। ତଦନନ୍ତର ସେ ଅମାତ୍ୟଗଣଙ୍କୁ ପରିତ୍ୟାଗ କରି ନିର୍ଜନରେ ଭଗ୍ନୀକୁ ପଚାରିଲା, କେଉଁ ବ୍ୟକ୍ତି ଆମ୍ଭଙ୍କୁ ଅବଜ୍ଞା କରି ତୋତେ ଏପରି ବିରୂପା କରିଅଛି ? କିଏ ସେ ତୀକ୍ଷ୍‌ଣ ଶରକୁ ନେଇ ନିଜ ଦେହରେ ବିଦ୍ଧ କରିବାକୁ ପ୍ରବୃତ୍ତ ହୋଇଅଛି ? କେଉଁ ବ୍ୟକ୍ତି ମସ୍ତକରେ ଅଗ୍ନି ଲଗାଇ ନିଶ୍ଚିନ୍ତ ହୋଇଅଛି ?୪୯। କେଉଁ ବ୍ୟକ୍ତି ବିଷଧରକୁ ଚରଣଦ୍ୱାରା ତାଡ଼ନା କରୁଅଛି ? କେଉଁ ବ୍ୟକ୍ତି କେଶରୀର ଦଶନ ଧରି ଅବସ୍ଥିତ ? ରାତ୍ରିରେ ବୃକ୍ଷରେ ଅଗ୍ନି ଲାଗିଲେ ତାହାର ଛିଦ୍ରା ସ୍ଥାନରୁ ଯେପରି ଅଗ୍ନି ବିନିର୍ଗତ ହୁଏ, ସେହିପରି ରାବଣର ଇନ୍ଦ୍ରିୟ ସମୂହରୁ ଅଗ୍ନିଶିଖା ନିର୍ଗତ ହେଲା ।୫୧।

 

ରାମଙ୍କର ବିକ୍ରମ ବର୍ଣ୍ଣନାରେ ରାବଣର ଭଗ୍ନୀ କହିଲା ଯେ ଖର ଦୂଷଣ ଦୁହେଁ ଯୁଦ୍ଧରେ ନିହତ ହୋଇଛନ୍ତି ।୫୨। ତତ୍ପରେ ସେହି ରାଜା କର୍ତ୍ତବ୍ୟ ନିଶ୍ଚୟ କରି ଭଗ୍ନୀକୁ ସାନ୍ତ୍ୱନା ଦେଇ ନଗରରକ୍ଷା ବିଧାନପୂର୍ବକ ଊର୍ଦ୍ଧ୍ୱପଥରେ ପ୍ରସ୍ଥାନ କଲା ।୫୩। ତ୍ରିକୂଟ ଓ କାଳ ପର୍ବତକୁ ଅତିକ୍ରମ କରି ମକରାଳୟ ଗଭୀର ସାଗରକୁ ସନ୍ଦର୍ଶନ କଲା ।୫୪। ତଦନନ୍ତର ସମୁଦ୍ରକୁ ଦଶାନନ ପାରିହୋଇ ଗୋକର୍ଣ୍ଣ ପର୍ବତ ପ୍ରଦେଶରେ ଉପସ୍ଥିତ ହେଲା । ଯେଉଁ ସ୍ଥାନ ମହାତ୍ମା ଶୂଳପାଣିଙ୍କର ଅତି ପ୍ରିୟ ବୋଲି ବିଖ୍ୟାତ ଅଛି, ସେଠାରେ ସେ ପୂର୍ବାମାତ୍ୟ ମାରୀଚ ନିକଟକୁ ଗମନ କଲା । ମାରିଚ ପୂର୍ବେ ରାମଙ୍କ ତାପସବୃତ୍ତି ଅବଲମ୍ବନ କରି ସେହିଠାରେ ବାସ କରୁଥିଲା ।୫୬।

 

॥ ଅଧ୍ୟାୟ – ୨୭୮ ॥

 

ମାର୍କଣ୍ଡେୟ କହିଲେ, ତଦନନ୍ତର ରାବଣକୁ ଆସିବାର ଦେଖି ମାରୀଚ ସମ୍ଭ୍ରମ ସହିତ ଫଳମୂଳାଦିଦ୍ୱାରା ତାହାଙ୍କର ସତ୍କାର କଲେ ।୧। ମାରୀଚ କଥା କହିବାରେ ଅତି ନିପୁଣ ଥିଲେ । ବାକ୍ୟବିଶାରଦ ରାବଣ ଆସନ ଓ ବିଶ୍ରାମ ଗ୍ରହଣ କଲା ପରେ ମାରୀଚ ସ୍ୱୟଂ ଆସୀନ ହେଲେ ଓ ବିନୟପୂର୍ବକ କହିଲେ ।୨। ହେ ରାକ୍ଷସେଶ୍ୱର ! ଆପଣଙ୍କ ସ୍ୱାଭାବିକ ବର୍ଣ୍ଣ ଦୃଶ୍ୟ ହେଉ ନାହିଁ । ଆପଣଙ୍କ ପୁରରେ ସବୁ କୁଶଳ ତ ? ପ୍ରଜାମାନେ ପୂର୍ବେ ଆପଣଙ୍କୁ ଯେ ରୂପେ ଭଜନ କରୁଥିଲେ, ଏବେ ସେହିପରି କରୁଅଛନ୍ତି ତ ? ଆପଣ ଏଠାକୁ ଆସିବାର କାରଣ କ’ଣ ? ମୋ ନିକଟକୁ ଯେତେବେଳେ ଆସିଅଛନ୍ତି, ତେତେବେଳେ ଆପଣଙ୍କର ସେହି କାର୍ଯ୍ୟ ମୋଦ୍ୱାରା ସିଦ୍ଧ ହେଲା ବୋଲି ମନେ କରନ୍ତୁ ।୪। ରାବଣ ରୋଷାବିଷ୍ଟ ଓ ଅମର୍ଷପୂର୍ଣ୍ଣ ଥିବାରୁ ରାମ ଯେଉଁସବୁ କାର୍ଯ୍ୟ କରିଥିଲେ, ମାରୀଚଙ୍କର ଯାହା କରିବାକୁ ହେବ, ତାହା ସଂକ୍ଷେପରେ ବର୍ଣ୍ଣନା କଲେ ।୫। ମାରୀଚ ସେହି ବାକ୍ୟ ଶ୍ରବଣ କରି ସଂକ୍ଷେପରେ ରାବଣକୁ କହିଲେ, ଆପଣଙ୍କର ରାମଙ୍କ ନିକଟକୁ ଗମନ କରିବାର ପ୍ରୟୋଜନ ନାହିଁ । କାରଣ, ଆମ୍ଭେ ତାହାଙ୍କର ପରାକ୍ରମ ଅବଗତ ହୋଇଅଛୁ । କୌଣସି ବ୍ୟକ୍ତି ତାହାଙ୍କର ବାଣବେଗକୁ ସହ୍ୟ କରିପାରିବ ନାହିଁ । ସେହି ପୁରୁଷବରଙ୍କ ହେତୁରୁ ଆମ୍ଭେ ବନବାସୀ ହୋଇଅଛୁ ।୭। କେଉଁ ଦୁରାତ୍ମା ଆପଣଙ୍କୁ ଏହି ପରାମର୍ଶ ଦେଲା ? ଆପଣ ମରଣମୁଖରେ ପ୍ରବେଶ କରୁଅଛନ୍ତି ? ତତ୍ପରେ ରାବଣ ରୋଷବହି ତାହାକୁ ସର୍ବତୋଭାବେ ଭର୍ତ୍ସନା କରି କହିଲା ।୮। ଆମ୍ଭର ବାକ୍ୟ ରକ୍ଷା ନ କଲେ ନିଶ୍ଚୟ ତୋହର ମୃତ୍ୟୁ ହେବ । ମାରୀଚ ଭାବିଲା, ରାମଙ୍କ ହସ୍ତେ ନ ମରି ଏହାଙ୍କ ହସ୍ତେ କାହିଁକି ମରିବି ? ବିଶିଷ୍ଟ ଲୋକ ହସ୍ତରେ ମରିବା ଭଲ ।୯। ଯେତେବେଳେ ମରିବାକୁ ହେଲା, ତେତେବେଳେ ରାବଣ ଯାହା କହୁଅଛି, ତାହା କରିବି ।

 

ଅନନ୍ତର ମାରୀଚ ସେହି ରାକ୍ଷସେଶ୍ୱରକୁ କହିଲା ।୧୦। ଆପଣଙ୍କୁ ମୁଁ କ’ଣ ସାହାଯ୍ୟ କରିବି ? ମୁଁ ଅକ୍ଷମ ହେଲେହେଁ ତାହା ସମ୍ପନ୍ନ କରିବି । ତାହା ଶୁଣି ଦଶଗ୍ରୀବ କହିଲା, ଯାଅ ତୁମ୍ଭେ ରତ୍ନଶୃଙ୍ଗ ଓ ରତ୍ନଚିତ୍ରିତଲୋମା ମୃଗ ହୋଇ ସୀତାଙ୍କୁ ପ୍ରଲୋଭିତ କର । ତୁମ୍ଭଙ୍କୁ ବିଲୋକନ କରି ସୀତା ନିଶ୍ଚୟ ତୋତେ ଆଣିଦେବା ନିମିତ୍ତ ରାମଙ୍କୁ ପ୍ରେରଣ କରିବେ ।୧୨। ରାମ ଅପଗତ ହେଲେ, ସୀତା ଅବଶ୍ୟ ଆମ୍ଭର ବଶୀଭୂତା ହେବ । ଆମ୍ଭେ ତାହାକୁ ଅପହରଣ କରି ଘେନିଯିବୁ; ସୁତରାଂ ସେହି ଦୁର୍ବୁଦ୍ଧି ରାମ ଭାର୍ଯ୍ୟା ବିଚ୍ଛେଦରେ ବିନଷ୍ଟ ହେବ । ଅତଏବ ତୁମ୍ଭେ ଆମ୍ଭର ଏହି ଅଭିଳାଷ ପୂର୍ଣ୍ଣ କର । ଏହିରୂପ ସମ୍ଭାଷଣ ହେଲା ପରେ ମାରୀଚ ସ୍ୱୟଂ ଆପଣାର ଉଦକକ୍ରିୟା ସମ୍ପାଦନ କରି ଅତିଶୟ ଦୁଃଖିତ ହୋଇ ରାବଣର ପଛେ ପଛେ ଗଲା । ତଦନନ୍ତର ପୁଣ୍ୟକର୍ମା ରାମଙ୍କ ଆଶ୍ରମରେ ଉପସ୍ଥିତ ହେଲା । ପୂର୍ବକୃତ ମନ୍ତ୍ରଣାନୁସାରେ ଦୁହେଁ କାର୍ଯ୍ୟାରମ୍ଭ କଲେ । କୁଣ୍ଡଳ ଓ ତ୍ରିଦଣ୍ଡଧାରୀ ରାବଣ ମୁଣ୍ଡିତମୁଣ୍ଡ ଯତି ହୋଇ ଓ ମାରୀଚ ମୃଗରୂପ ଧାରଣ କରି ବୈଦେହୀଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ମୃଗରୂପଧାରୀ ମାରୀଚ ସୀତାଙ୍କ ସମକ୍ଷକୁ ଗଲା ।୧୭। ସୀତା ଦୈବପ୍ରେରିତା ହୋଇ ତାହାକୁ ଧରିବା ନିମିତ୍ତ ରାମଙ୍କୁ ପ୍ରେରଣ କଲେ । ସୀତାଙ୍କର ପ୍ରିୟ କାର୍ଯ୍ୟ ସାଧନ ନିମିତ୍ତ ଲକ୍ଷ୍ମଣକୁ ରକ୍ଷାର୍ଥ ନିଯୁକ୍ତ କରି ରାମ ଧନୁର୍ବାଣ ଘେନି ମୃଗ ଲୋଭରେ ସତ୍ୱର ପ୍ରସ୍ଥାନ କଲେ । ଗଲାବେଳେ ସ୍କନ୍ଧରେ ତୂଣୀର ନେଲେ, କଟୀପ୍ରଦେଶରେ ଖଡ଼୍‌ଗ ବାନ୍ଧିଲେ ଓ ଅଙ୍ଗୁଳିରେ ଗୋଧିକାଚର୍ମର ତ୍ରାଣ ଘେନିଲେ ।୧୯। ରୁଦ୍ର ଯେପରି ତାରାରୂପ ମୃଗ ପଛରେ ଧାବମାନ ହୋଇଥିଲେ, ପ୍ରଜାପତି କନ୍ୟାକାମୀ ହୋଇ ମୃଗ ରୂପ ଧରି ଯେପରି କନ୍ୟାର ପଛେ ପଛେ ଦୌଡ଼ିଲେ ରାମଚନ୍ଦ୍ର ସେହିପରି ମାୟାବୀ ମାରୀଚର ପଶ୍ଚାତ୍‌ଧାବନ କଲେ । ସେ ରାକ୍ଷସ କେତେବେଳେ ଅନ୍ତର୍ହିତ ହୋଇଯାଏ ଓ ପୁନର୍ବାର ଦେଖାଦିଏ ।୨୦। ଏହି ପ୍ରକାରେ ସେ ରାମଙ୍କୁ ଅନେକ ଦୂରକୁ ଘେନିଗଲା । ତଦନନ୍ତର ରାମ ତାହାକୁ ଜାଣିଲେ ଯେ ବାସ୍ତବରେ ଏହା ମୃଗ ନୁହେଁ; କିନ୍ତୁ ରାକ୍ଷସ ମୃଗ ରୂପ ଧରିଅଛି ।୨୧। ଏହା ଜାଣି ରାମ ଅମୋଘ ଶର ଘେନି ମୃଗରୂପୀ ରାକ୍ଷସକୁ ପ୍ରହାର କଲେ । ରାମଙ୍କ ବାଣରେ ଅଭିହିତ ହୋଇ ପ୍ରାଣତ୍ୟାଗ କଲାବେଳେ ସେହି ଅସୁର ଆର୍ତ୍ତ ହୋଇ ରାମଙ୍କ ସ୍ୱର ଅନୁକରଣ କରି ହା ସୀତେ ! ହା ଲକ୍ଷ୍ମଣ ! ବୋଲି ଉଚ୍ଚାରଣ କଲା । ତାହାର ସେହି କରୁଣ ବାକ୍ୟକୁ ବୈଦେହୀ ଶ୍ରବଣ କଲେ ।୨୩।

 

ଯେଉଁଠାରୁ ଶବ୍ଦ ଆସିଲା, ସେହି ଦିଗକୁ ସୀତା ଦୌଡ଼ିଗଲେ, କିନ୍ତୁ ଲକ୍ଷ୍ମଣ ତାହାଙ୍କୁ କହିଲେ, ତୁମ୍ଭର ଶଙ୍କା କରିବା ବୃଥା, ତୁମ୍ଭେ ଅକାରଣ ଭୟ କରୁଅଛ । ରାମଙ୍କୁ କିଏ ମାରିପାରେ-?୨୪। ମୁହୂର୍ତ୍ତକ ପରେ ତୁମ୍ଭର ଭର୍ତ୍ତା ରାମଙ୍କୁ ଦେଖିବ । ଏହା ଶୁଣି ସୀତା ରୋଦନ କରି ଲକ୍ଷ୍ମଣଙ୍କୁ ଶଙ୍କା କଲେ । ବିଶୁଦ୍ଧଚରିତ୍ର ଲକ୍ଷ୍ମଣଙ୍କୁ ଶଙ୍କା କରି ସୀତା ସ୍ତ୍ରୀସ୍ୱଭାବବଶତଃ ମୃତ୍ୟୁସମ କଷ୍ଟଭାଗିନୀ ହେଲେ । ତତ୍ପରେ ସେହି ପତିବ୍ରତା ଓ ସାଧ୍ୱୀ ତାହାଙ୍କ ପ୍ରତି ପରୁଷ କଥା କହିବାକୁ ଆରମ୍ଭ କଲେ-।୬। ରେ ମୂଢ଼ ! ତୁ ମନୋମଧ୍ୟରେ ଯାହା ପାଇବୁ ବୋଲି ଇଚ୍ଛା କରୁଅଛୁ, ତୋହର ସେହି ଅଭିଳାଷ ସିଦ୍ଧ ହେବ ନାହିଁ । ମୁଁ ଶସ୍ତ୍ର ଘେନି ସ୍ୱହସ୍ତରେ ଆପଣାକୁ ହନନ କରିବି ।୨୭। ଅଥବା ଗିରିଶୃଙ୍ଗରୁ ନିପତିତ ହୋଇ ପ୍ରାଣତ୍ୟାଗ କରିବି କିମ୍ବା ହୁତାଶନରେ ପ୍ରବେଶ କରିବି-। ରାମସ୍ୱରୂପ ଭର୍ତ୍ତାଙ୍କୁ ତ୍ୟାଗ କରି ତୁମ୍ଭଙ୍କୁ କଦାପି ଗ୍ରହଣ କରିବି ନାହିଁ । ଶାର୍ଦ୍ଦୂଳପତ୍ନୀ କି ଶୃଗାଳ ପାଖରେ ଉପସ୍ଥିତ ହୁଏ-? ରାଘବଙ୍କର ପ୍ରିୟ ସଚ୍ଚରିତ୍ର ଲକ୍ଷ୍ମଣ ଏତାଦୃଶ ବଚନ ଶ୍ରବଣାନନ୍ତର ଦୁଇ କର୍ଣ୍ଣକୁ ହସ୍ତଦ୍ୱୟରେ ପିହିତ କରି ଯେଉଁଠାରେ ରାଘବ ଥିଲେ, ସେହି ସ୍ଥାନକୁ ପ୍ରସ୍ଥାନ କଲେ-।୩୦। ତତ୍କାଳରେ ବିମ୍ବୋଷ୍ଠୀ ସୀତାଙ୍କୁ ସେ ନ ଚାହିଁ ଚାଲିଗଲେ । ଏଥିମଧ୍ୟରେ ରାକ୍ଷସ ରାବଣ ଦେଖାଦେଲା-।୩୧। ସ୍ୱଭାବରେ ସେ ଅଭବ୍ୟ; କିନ୍ତୁ ଭବ୍ୟ ରୂପ ଧରି ଭସ୍ମାଚ୍ଛନ୍ନ ଅନଳ ପ୍ରାୟ ସନ୍ନ୍ୟାସୀ ବେଶରେ ଆପଣାକୁ ପ୍ରଚ୍ଛନ୍ନ କରି ପତିବ୍ରତା ସୀତାଙ୍କୁ ହରଣ କରିବା ଅଭିଳାଷରେ ଉପସ୍ଥିତ ହେଲା-। ଜନକନନ୍ଦିନୀ ସୀତା ଧର୍ମଜ୍ଞା ଥିଲେ । ଏଣୁ ତାହାଙ୍କୁ ଆସିବାର ଦେଖି, ଫଳମୂଳ ପ୍ରଭୃତି ଭୋଜନ ଦେବା ନିମିତ୍ତ ନିମନ୍ତ୍ରଣ କଲେ ।୩୩। ତଦନନ୍ତର ସେହି ରାକ୍ଷସଶ୍ରେଷ୍ଠ ତାହାଙ୍କର ଆମନ୍ତ୍ରଣ ଅସ୍ୱୀକାର କରି ନିଜ ରୂପ ଧରି ବୈଦେହୀଙ୍କୁ ସାନ୍ତ୍ୱନା ଦେଲେ ।୩୪।

 

ହେ ସୀତେ ! ଆମ୍ଭେ ରାକ୍ଷସରାଜ; ଆମ୍ଭ ନାମ ରାବଣ ବୋଲି ବିଖ୍ୟାତ ଅଛି । ଆମ୍ଭର ଲଙ୍କା ନାମ୍ନୀ ପୁରୀ ଅତି ରମଣୀୟ, ଏହା ସମୁଦ୍ରର ଆରପାରରେ ଅଛି । ସେଠାରେ ତୁମ୍ଭେ ଅନେକ ସୁନ୍ଦରୀ ନାରୀଙ୍କ ମଧ୍ୟରେ ରହି ଆମ୍ଭସହ ଶୋଭା ପାଇବ । ହେ ସୁଶ୍ରୋଣି ! ରାଘବ ତପସ୍ୱୀଙ୍କୁ ତ୍ୟାଗ କର, ଆମ୍ଭର ଭାର୍ଯ୍ୟା ହୁଅ ।୩୬। ତାଙ୍କର ଏତାଦୃଶ ବାକ୍ୟମାନ ଜାନକୀ ଶ୍ରବଣ କରି କର୍ଣ୍ଣଦ୍ୱୟକୁ ଆଚ୍ଛାଦନ କରି ‘ଏପରି କଥା କହ ନାହିଁ’ ବୋଲି କହିଲେ ।୩୭। ନକ୍ଷତ୍ର ସହିତ ଆକାଶ ପ୍ରଭୃତି ଯଦି ପତିତ ହୁଏ, ପୃଥିବୀ ଯଦି ଦୁଇଭାଗ ହୁଏ, ଅଗ୍ନି ଯଦି ଶୀତଳ ହୁଏ, ତେବେ ଆମ୍ଭେ ରଘୁନନ୍ଦନଙ୍କୁ ତ୍ୟାଗ କରିବୁ ନାହିଁ ।୩୮। ଭିନ୍ନଗଣ୍ଡ, ବନଚାରୀ ମତ୍ତମାତଙ୍ଗକୁ ଭୋଗ କରି ହସ୍ତିନୀ କି ଶୂକରକୁ ସ୍ପର୍ଶ କରେ ?୩୯। କୌଣସି କାମିନୀ ମାଧ୍ୱୀକ ଅଥବା ମଧୁମାଧବୀ ପାନକରି କାଞ୍ଜିରସକୁ କି ଲୋଭ କରେ ?୪୦। ଏହି ପ୍ରକାରେ ସେ ତାହାଙ୍କୁ କହି କୁଟୀର ମଧ୍ୟରେ ପ୍ରବେଶ କଲେ । ତାହାଙ୍କ ଅଧର ବିସ୍ଫୁରିତ ହେଲା । ସେ କରଦ୍ୱୟ ମୁହୁର୍ମୁହୁଃ ସଞ୍ଚାଳନ କଲେ ।୪୧। ରାବଣ ତାହାଙ୍କ ପଛେ ପଛେ ଦୌଡ଼ି ଯାଇ ନିଷେଧ କଲା ଓ ଋକ୍ଷ ସ୍ୱରରେ ହତଚେତନ ସୀତାଙ୍କୁ ଭର୍ତ୍ସନା କଲା ।୪୨। ତତ୍ପରେ ସୀତାଙ୍କର କେଶ ଗ୍ରହଣ କରି ଊର୍ଦ୍ଧ୍ୱକୁ ଉଠିଲା । ସେହି ଗିରିବାସୀ ଜଟାୟୁ ନାମକ ଗୃଧ୍ର ତପସ୍ୱିନୀ ସୀତାଙ୍କୁ ଦେଖିଲା ଯେ ସେ ରାମ ରାମ କହି ରୋଦନ କରୁଅଛନ୍ତି ଓ ରାବଣ ତାହା ହରଣ କରି ନେଉଅଛି ।୪୩।

 

॥ ଅଧ୍ୟାୟ – ୨୭୯ ॥

 

ମାର୍କଣ୍ଡେୟ କହିଲେ, ଅରୁଣଙ୍କର ପୁତ୍ର ସମ୍ପାତିଙ୍କର ସହୋଦର ଜଟାୟୁ ମହାବୀର ଥିଲେ-। ସେହି ଗୁଧ୍ରଙ୍କ ରାଜା, ଅଯୋଧ୍ୟାପତି ଦଶରଥଙ୍କ ସଖା ଥିଲେ ।୧। ସେ ଦେଖିଲେ ଯେ ଜନକଙ୍କ ଦୁହିତା ଓ ଦଶରଥଙ୍କ ପୁତ୍ରବଧୂଙ୍କୁ ରାବଣ କୋଳରେ ବସାଇ ନେଉଅଛି । ଏହା ଦେଖି ସେହି ଗୃଧ୍ରରାଜ କ୍ରୁଦ୍ଧ ହୋଇ ରାବଣଙ୍କ ପ୍ରତି ଧାବିତ ହେଲା ।୨। ତଦନନ୍ତର ଗୃଧ୍ର ତାହାଙ୍କୁ କହିଲେ, “ରେ ନିଶାଚର ! ତୁ ଶୀଘ୍ର ମୈଥିଳୀଙ୍କୁ ଛାଡ଼ି ଦେ । ମୁଁ ଜୀବିତ ଥାଉ ଥାଉ ତୁ ଏହାଙ୍କୁ କିପରି ହରଣ କରିବୁ ? ତୁ ଯେବେ ଏହି ବଧୂଙ୍କୁ ପରିତ୍ୟାଗ ନ କରିବୁ, ତେବେ ତୁ ଆମ୍ଭଠାରୁ ରକ୍ଷା ପାଇବୁ ନାହିଁ-।” ଏହା କହି ସେହି ପକ୍ଷୀରାଜ ପ୍ରଖର ନଖସମୂହଦ୍ୱାରା ସେହି ରାକ୍ଷସେଶ୍ୱରର ଦେହକୁ ଅତିଶୟ ବିଦୀର୍ଣ୍ଣ କଲା-।୪। ତୁଣ୍ଡ ଓ ନଖଦ୍ୱାରା ବାରମ୍ବାର ଆଘାତ କରି ତାହାକୁ ଜର୍ଜରିତ କଲା । ଗିରି ପ୍ରସ୍ରବଣରୁ ଯେପରି ଜଳ ସ୍ରବେ, ସେହିପରି ତାହାର ମସ୍ତକରୁ ଓ ଦେହରୁ ରକ୍ତଧାରା ବହିଲା-।୫। ରାମଙ୍କ ହିତୈଷୀ ଓ ପ୍ରିୟାକାଙ୍‌କ୍ଷୀ ସେହି ଗୃଧ୍ରରାଜକୁ ରାକ୍ଷସରାଜ ଆକ୍ରମଣ କରି ଖଡ଼୍‌ଗଦ୍ୱାରା ତାହାର ଦୁଇ ପକ୍ଷ ଛେଦନ କଲା । ମେଘମଣ୍ଡଳକୁ ଯେଉଁ ଗିରିଶୃଙ୍ଗ ଭେଦ କରିଥାଏ, ସେହିପରି ବୃହତକାୟ ଗୃଧ୍ରରାଜକୁ ନିହତ କରି ଜାନକୀଙ୍କୁ କ୍ରୋଡ଼ରେ ବସାଇ ଆକାଶ ପଥରେ ପ୍ରସ୍ଥାନ କଲା ।୭। ପରନ୍ତୁ ଯେଉଁଠାରେ ଆଶ୍ରମ, ସରୋବର ଅଥବା ନଦୀକୁ ବୈଦେହୀ ଦେଖିଛନ୍ତି, ସେହିଠାରେ ଆପଣା ଦେହରୁ କୌଣସି ଅଳଙ୍କାର ଉନ୍ମୋଚନ କରି ନିକ୍ଷେପ କରିଛନ୍ତି । ସେହି ମନସ୍ୱିନୀ ଗିରିପ୍ରସ୍ଥରେ ପାଞ୍ଚ ଗୋଟି ଶ୍ରେଷ୍ଠ ବାନର ଦେଖି ସେଠାରେ ଖଣ୍ଡିଏ ଦିବ୍ୟ ବସ୍ତ୍ର ପରିତ୍ୟାଗ କଲେ-। ସେହି ସୁନ୍ଦର ଓ ପୀତବର୍ଣ୍ଣ ବସନ ଖଣ୍ଡିକ ବିଦ୍ୟୁତ୍ ପ୍ରାୟ ମେଘ ମଧ୍ୟ ଦେଇ ବାୟୁଦ୍ୱାରା ପରିଚାଳିତ ହୋଇ ସେହି ବାନରମାନଙ୍କ ମଧ୍ୟରେ ନିପତିତ ହେଲା ।୧୦।

 

ରାକ୍ଷସରାଜ ରାବଣ ଏତନ୍ମଧ୍ୟରେ ବିହଙ୍ଗ ପ୍ରାୟ ଆକାଶରେ ଉଡ଼ିଆସି ଅଳ୍ପ ସମୟ ମଧ୍ୟରେ ସେହି ସୁଦୀର୍ଘ ପଥ ଅତିକ୍ରମ କଲା । ତଦନନ୍ତର ଯେଉଁ ଲଙ୍କାପୁରୀ ବିଶ୍ୱକର୍ମା ନିର୍ମାଣ କରିଥିଲେ ଓ ଯାହାର ଚାରି ପାଶ୍ୱର୍ ଉତ୍କୃଷ୍ଟ ପ୍ରାକାରଦ୍ୱାରା ବେଷ୍ଟିତ ହୋଇଥିଲା, ଯହିଁରେ ଅନେକ ସଂଖ୍ୟକ ଦ୍ୱାର ଥିବାରୁ ଶୋଭା ବର୍ଦ୍ଧିତ ହୋଇଥିଲା, ସେହି ନଗରୀ ମଧ୍ୟରେ ସୀତାଙ୍କ ସହିତ ପ୍ରବିଷ୍ଟ ହେଲା ।୧୨। ଏହିପରି ସୀତା ହୃତ ହେଲା ପରେ ରାମ ସେହି ମାୟାମୃଗକୁ ନିହତ କରି ଫେରି ଆସିଲା ବେଳେ ଲକ୍ଷ୍ମଣଙ୍କୁ ଦେଖିଲେ ।୧୩। ଭାଇଙ୍କୁ ଦେଖି ରାମ କହିଲେ, ରାକ୍ଷସପୂର୍ଣ୍ଣ ଏହି ଅରଣ୍ୟ ମଧ୍ୟରେ ତୁମ୍ଭେ ବୈଦେହୀଙ୍କୁ ଏକାକୀ ଛାଡ଼ି କିପରି ଆସିଲ ? ଏହା କହି ତାଙ୍କୁ ତିରସ୍କାର କଲେ ।୧୪। ସେହି ରାକ୍ଷସ ମୃଗରୂପ ଧାରଣ କରି ଯେପରି ରାମଙ୍କୁ ବହୁଦୂରକୁ ଘେନିଗଲା ଓ ଅନୁଜ ଲକ୍ଷ୍ମଣ ସୀତାଙ୍କୁ ଏକାକିନୀ ରଖି ଆସିଲେ, ଏହି ଦୁଇ କଥାକୁ ରାମ ଭାଳି ଅତିଶୟ ପରିତପ୍ତ ହେଲେ ।୧୫। ପରନ୍ତୁ ସେ ଲକ୍ଷ୍ମଣଙ୍କୁ ତିରସ୍କାର କରି କରି ଶୀଘ୍ର ଗତିଦ୍ୱାରା ବାସସ୍ଥାନକୁ ପ୍ରତିଗମନ କଲେ ଓ କହିଲେ, “ଲକ୍ଷ୍ମଣ ! ସୀତା କି ଜୀବିତ ଅଛନ୍ତି ? ଆମ୍ଭର ବୋଧହୁଏ, ସେ ନାହାନ୍ତି ।” ଲକ୍ଷ୍ମଣ ଏ କଥା ଶୁଣି ସୀତାଙ୍କର ସବୁ ବୃତ୍ତାନ୍ତ ବର୍ଣ୍ଣନ କଲେ । ପରିଶେଷରେ ସୀତା ଯେଉଁ ସବୁ ଅପ୍ରାସଙ୍ଗିକ କଥା କହିଥିଲେ, ତାହା ମଧ୍ୟ କହିଲେ ।୧୭। ଏ କଥା ଶ୍ରବଣ କରି କୁକତ୍‌ସ୍ଥ ରାମଙ୍କର ହୃଦୟ ଦଗ୍ଧ ହେଲା । ତଦ୍ରୂପ ଅବସ୍ଥାରେ ସେ ଆଶ୍ରମଠାକୁ ଧାବିତ ହେଲେ, ସେଠାରେ ଦେଖିଲେ ଯେ ପର୍ବତ ପ୍ରାୟ ଗୃଧ୍ରରାଜ ପଡ଼ିଅଛି । ତାହାକୁ ରାକ୍ଷସ ମନେ କରି ଲକ୍ଷ୍ମଣଙ୍କ ସହିତ ତାହା ନିକଟକୁ ଦୌଡ଼ିଗଲେ ।୧୯। ତେଜସ୍ୱୀ ଜଟାୟୁ ଦେଖିଲା ଯେ ରାମ ଲକ୍ଷ୍ମଣ ଦୁହେଁ ଏକତ୍ର ହୋଇ ଆସୁଅଛନ୍ତି । ତାହାଙ୍କୁ ଦେଖି ସେହି ବିହଙ୍ଗରାଜ କହିଲେ, ତୁମ୍ଭର ମଙ୍ଗଳ ହେଉ । ମୁଁ ଦଶରଥଙ୍କର ସଖା ଗୃଧ୍ରରାଜ ।୨୦। ତାହାର ସେହି ବାକ୍ୟ ଶୁଣି ସେମାନେ ଧନୁକୁ ସଂଧାରଣ କରି ବିଚାରିଲେ, ଏ ବ୍ୟକ୍ତି ଆମ୍ଭ ପିତାଙ୍କ ନାମ କହୁଅଛି; ଏ କିଏ ?

 

ତତ୍ପରେ ସେମାନେ ଦେଖିଲେ ଯେ ସେ ପକ୍ଷୀର ଦୁଇ ଡେଣା ଛିନ୍ନ ହୋଇଅଛି । ଗୁଧ୍ରରାଜ ଜଟାୟୁ କହିଲେ ଯେ ଜାନକୀଙ୍କ ନିମିତ୍ତ ତାହାଙ୍କର ଓ ରାବଣର ଯୁଦ୍ଧ ହୋଇଥିଲା । ରାବଣ ତାହାଙ୍କୁ ବଧ କଲା ।୨୨। ରାମ ତାହାଙ୍କୁ ପଚାରିଲେ, ରାବଣ କେଉଁ ଦିଗକୁ ଗମନ କଲା-? ଜଟାୟୁ ଆଉ କଥା କହି ନ ପାରି ମଥାଚାଳି ଠାରିଦେଇ ପଞ୍ଚତ୍ୱପ୍ରାପ୍ତ ହେଲା ।୨୩। ଗୃଧ୍ରରାଜଙ୍କ ଇଙ୍ଗିତଦ୍ୱାରା ଦାଶରଥି ବୁଝିଲେ ଯେ ରାବଣ ଦକ୍ଷିଣ ଦିଗକୁ ଗମନ କରିଅଛି । ତହୁଁ ସେହି ପିତୃସଖା ଗୃଧ୍ରରାଜଙ୍କର ଯଥୋଚିତ ପୂଜା କରି ତାହାର ସତ୍କାର କରାଇଲେ ।୨୪। ତଦନନ୍ତର ସୀତାଙ୍କ ହରଣରେ ରାମ ଓ ଲକ୍ଷ୍ମଣ ଦୁହେଁ ଦୁଃଖରେ ନିପୀଡ଼ିତ ହେଲେ । ସେମାନେ ସ୍ଥାନେ ସ୍ଥାନେ ଦେଖିଲେ, ଋଷିଙ୍କ ଆଶ୍ରମମାନ ଖାଲି ପଡ଼ିଅଛି । ଶୃଗାଳ ସବୁ ସେଠାରେ ଭ୍ରମୁଅଛନ୍ତି-। ଋଷି ନାହାନ୍ତି କିନ୍ତୁ ଆସନ ପଡ଼ିଅଛି । ଛାତ୍ରଙ୍କ ବସତି ଶୂନ୍ୟ ରହିଅଛି ଓ ତହିଁରେ କଳଶ ସବୁ ଭଙ୍ଗା ହୋଇ ପଡ଼ିଅଛି । ଦଣ୍ଡକାରଣ୍ୟରେ ଏହିସବୁ ବିଲୋକନ କରି ଦୁଇ ଭାଇ ଦକ୍ଷିଣ ଦିଗକୁ ପ୍ରସ୍ଥାନ କଲେ । ପରନ୍ତୁ ସେହି ମହାରଣ୍ୟରେ ରାମ ଓ ଲକ୍ଷ୍ମଣ ଦେଖିଲେ ଯେ ମୃଗଯୂଥ ଚତୁର୍ଦ୍ଦିଗକୁ ଧାବିତ ହେଉଅଛନ୍ତି । ଦାବାଗ୍ନି ବର୍ଦ୍ଧିତ ହେଉଥିଲେ ଯେପରି ଶବ୍ଦ ଶୁଭେ, ସେହିପରି ଜନ୍ତୁମାନଙ୍କର ଘୋର ଶବ୍ଦ ଶୁଭୁଅଛି ।୨୭। ମୁହୂର୍ତ୍ତକ ପରେ ସେ ଦୁହେଁ ଦେଖିଲେ ଯେ ମେଘପ୍ରାୟ କୃଷ୍ଣବର୍ଣ୍ଣ ପର୍ବତପ୍ରାୟ ବୃହତ ଶାଳ ବୃକ୍ଷର ସ୍କନ୍ଧ ଅର୍ଥାତ୍ ଗଣ୍ଡି ସଦୃଶ ଗୋଟାଏ କବନ୍ଧ ଆସି ନିପତିତ ହେଲା-। ସେ ଗଣ୍ଡିରେ ବଡ଼ ବଡ଼ ଭୁଜ ଲାଗିଥିଲା ଓ ବକ୍ଷସ୍ଥଳରେ ବିଶାଳ ଲୋଚନ ଜକ୍ ଜକ୍ ହେଉଥିଲା-। ତାହାର ବୃହତ ଉଦରରେ ଗୋଟାଏ ମସ୍ତକ ସଂଯୁକ୍ତ ହୋଇଥିଲା । ଏହିପରି ଗୋଟିଏ ଭୟଙ୍କର କବନ୍ଧ ଦୃଶ୍ୟ ହେଲା ।୨୯। ସେହି କବନ୍ଧ ଆସି ତତ୍‌କ୍ଷଣାତ୍ ଲକ୍ଷ୍ମଣଙ୍କ କର ଧରିଲା ।

 

ହେ ଭାରତ ! ସେ ଧରିବା ମାତ୍ରେ ଲକ୍ଷ୍ମଣ ବିଷାଦପ୍ରାପ୍ତ ହେଲେ ।୩୦। କବନ୍ଧ ରାମଙ୍କୁ ଚାହିଁ ଯେଣିକି ତାହାଙ୍କର ମୁଖ ଥିଲା, ତେଣିକି ଲକ୍ଷ୍ମଣଙ୍କୁ ଟାଣିଲା । ଲକ୍ଷ୍ମଣ ବିଷଣ୍ଣ ହୋଇ ରାମଙ୍କୁ କହିଲେ, ମୋର ଏହି ଅବସ୍ଥା ଦେଖନ୍ତୁ ।୩୧। ଆପଣଙ୍କର ରାଜ୍ୟ ଥିଲା, ପିତାଙ୍କର ମରଣ ହେଲା, ଜାନକୀଙ୍କର ହରଣ ଓ ତହିଁ ପରେ ମୋର ଏହି ବିପଦ ଉପସ୍ଥିତ ହେଲା ।୩୨। ହାୟ ! ଆପଣ ଯେତେବେଳେ କୋଶଳ ଦେଶରେ ଜାନକୀଙ୍କ ସହିତ ସିଂହାସନରେ ବସି ପିତୃପିତାମହଙ୍କ ରାଜ୍ୟରେ ଅଭିଷିକ୍ତ ହେବେ, ତେତେବେଳେ ଆଉ ମୁଁ ଆପଣଙ୍କୁ ଦେଖିପାରିବି ନାହିଁ ।୩୩। ଯେଉଁମାନେ ଧନ୍ୟ ଓ ଭାଗ୍ୟବାନ୍‌, ସେହିମାନେ ଆପଣଙ୍କର ଅଭିଷେକବେଳେ ଉପସ୍ଥିତ ହେବେ । କୁଶ. ଲାଜା, ଶମୀ ଓ ସଲିଳଦ୍ୱାରା ଅଭିଷିକ୍ତ ହେବା ସମୟରେ ସେହିମାନେ ମେଘନିର୍ମୁକ୍ତ ଚନ୍ଦ୍ରସଦୃଶ ଆପଣଙ୍କର ମୁଖମଣ୍ଡଳ ଦର୍ଶନ କରିବେ ।୩୪। ବୁଦ୍ଧିମାନ ଲକ୍ଷ୍ମଣ ଉକ୍ତ ପ୍ରକାରେ ବହୁତ ବିଳାପ କଲେ । ତତ୍ପରେ ଭୟ ଉପସ୍ଥିତ ହେଲେ ହେଁ ଯେଉଁ ରାମ ନିର୍ଭୀକ, କକୁତ୍‌ସ୍ଥବଂଶୀୟ ସେହି ରାମ କହିଲେ, ହେ ନରବ୍ୟାଘ୍ର ! ତୁମ୍ଭେ ବିଷଣ୍ଣ ହୁଅ ନାହିଁ; ମୁଁ ଜୀବିତ ଥିଲେ ଏ ରାକ୍ଷସ ତୁମ୍ଭର କିଛି ଅପକାର କରିପାରିବ ନାହିଁ । ତୁମ୍ଭେ ତାହାର ଦକ୍ଷିଣ ବାହୁ ଛେଦନ କର । ହେଇଟି, ମୁଁ ତାହାର ବାହୁଛେଦନ କଲି ।୩୬। ଏହି କଥା କହୁ କହୁ ରାମ ଗୋଟିଏ ତୀକ୍ଷ୍‌ଣ ଖଡ଼୍‌ଗଦ୍ୱାରା ସେହି ରାକ୍ଷସର ବାମ ବାହୁ ଛେଦନ କରି ପକାଇଲେ ।୩୭। ଅନନ୍ତର ବଳଶାଳୀ ଲକ୍ଷ୍ମଣ ଭ୍ରାତାଙ୍କୁ ଅବସ୍ଥିତ ଥିବାର ଦେଖି କବନ୍ଧ ରାକ୍ଷସର ଦକ୍ଷିଣ ବାହୁ ଛେଦନ କଲେ । ତତ୍ପରେ ଲକ୍ଷ୍ମଣ ତାହାର ପାଶ୍ୱର୍ଭାଗରେ ବଳପୂର୍ବକ ଆଘାତ ଆରମ୍ଭ କଲେ । ତଦ୍ଦ୍ୱାରା କବନ୍ଧ ରାକ୍ଷସ ପ୍ରାଣତ୍ୟାଗ କରି ଭୂତଳରେ ନିପତିତ ହେଲା ।୩୯। ତାହା ଦେହରୁ ଗୋଟିଏ ସୁନ୍ଦର ପୁରୁଷ ନିର୍ଗତ ହୋଇ ଆକାଶରେ ଅବସ୍ଥିତ ହେଲା ।

 

ସୂର୍ଯ୍ୟଙ୍କ ତେଜପ୍ରାୟ ତାହାର ତେଜ ଦୃଶ୍ୟ ହେଲା ।୪୦। ସୁବକ୍ତା ରାମ ସେହି ସୁପୁରୁଷକୁ ପଚାରିଲେ, “ଆପଣ କିଏ ? ଏହି ଆଶ୍ଚର୍ଯ୍ୟ ଘଟନା କି ପ୍ରକାରେ ସଂଘଟିତ ହେଲା ? ଏ କଥା ଜାଣିବାକୁ ଆମ୍ଭର ଅଭିଳାଷ ହୋଇଅଛି । ଅତଏବ ଆପଣ ସ୍ୱଇଚ୍ଛାରେ ଆମ୍ଭ ନିକଟରେ ଏଥିର କାରଣ କହନ୍ତୁ । ଏହି ଘଟନା ଆମ୍ଭଙ୍କୁ ଆଶ୍ଚର୍ଯ୍ୟ ବୋଧହେଉଅଛି ।୪୧। ତେତେବେଳେ ସେହି ଦିବ୍ୟପୁରୁଷ ରାମଙ୍କୁ କହିଲେ, ଆମ୍ଭେ ଗନ୍ଧର୍ବ, ଆମ୍ଭ ନାମ ବିଶ୍ୱାବସୁ, ବ୍ରହ୍ମଶାପରୁ ଆମ୍ଭେ ରାକ୍ଷସ ଯୋନିରେ ଜନ୍ମିଥିଲୁ ।୪୨। ଲଙ୍କାନିବାସୀ ରାକ୍ଷସରାଜ ରାବଣ ସୀତାଙ୍କୁ ହରଣ କରି ନେଇଅଛି । ଆପଣ ସୁଗ୍ରୀବଙ୍କ ନିକଟକୁ ଗମନ କରନ୍ତୁ । ସେ ଆପଣଙ୍କ ସହିତ ମିତ୍ରତା ସ୍ଥାପନ କରିବେ ।୪୩। ଋଷ୍ୟମୂକ ପର୍ବତ ନିକଟରେ ପମ୍ପା ନାମରେ ଦିବ୍ୟ ସରୋବର ଅଛି । ତାହାର ଜଳ ଅତି ନିର୍ମଳ । ତହିଁରେ ହଂସ କାରଣ୍ଡବ ଆଦି ଜଳଚର ପକ୍ଷୀମାନେ କ୍ରୀଡ଼ା କରନ୍ତି । ହେମମାଳାଧାରୀ ବାନରରାଜା ସୁଗ୍ରୀବ ସେଠାରେ ଚାରି ଜଣ ଅମାତ୍ୟଙ୍କୁ ଘେନି ବାସ କରୁଅଛନ୍ତି ।୪୫। ଆପଣ ତାହାଙ୍କ ସହିତ ମିଳିତ ହୋଇ ଦୁଃଖର କାରଣ ନିବେଦନ କରନ୍ତୁ । ସେ ଆପଣଙ୍କ ସଦୃଶ ସୁଶୀଳ; ଅତଏବ ସେ ଅବଶ୍ୟ ଆପଣଙ୍କୁ ସାହାଯ୍ୟ କରିବେ ।୪୬। ଆମ୍ଭେ ଏତିକି କହିପାରୁ ଯେ ରାବଣଙ୍କର କଥା ବାନରମାନଙ୍କୁ ଜଣାଅଛି । ସେମାନଙ୍କ ସାହାଯ୍ୟଦ୍ୱାରା ଆପଣ ଜାନକୀଙ୍କ ଦର୍ଶନ ପାଇବେ ।୪୭। ଏହା କହି ସେହି ପ୍ରଭାବଶାଳୀ ତେଜୋମୟ ପୁରୁଷ ଅନ୍ତର୍ହିତ ହେଲେ । ମହାବୀର ରାମ ଓ ଲକ୍ଷ୍ମଣ ସେ ଘଟନା ଦେଖି ଆଶ୍ଚର୍ଯ୍ୟ ମଣିଲେ ।୪୮।

 

॥ ଅଧ୍ୟାୟ – ୨୮୦ ॥

 

ମାର୍କଣ୍ଡେୟ କହିଲେ, ଅନନ୍ତର ସୀତାଙ୍କ ହରଣରେ ଅତି ଦୁଃଖିତ ରଘୁନନ୍ଦନ ଅଳ୍ପଦୂରରେ ପମ୍ପା ସରୋବରରେ ଉପସ୍ଥିତ ହେଲେ । ତହିଁରେ କେତେ କମଳ ଓ ଉତ୍ପଳ ପ୍ରସ୍ଫୁଟିତ ହୋଇଥିଲା, ତାହା କହିହେବ ନାହିଁ ।୧। ସେହି ଘୋର ଅରଣ୍ୟ ମଧ୍ୟରେ ସୁଗନ୍ଧମୟ ସୁଶୀତଳ ମନ୍ଦବାୟ ସେବନ କରିବାରୁ ତାହାଙ୍କ ମନୋମଧ୍ୟରେ ସୀତାଙ୍କ ଭାବନା ସଞ୍ଜାତ ହେଲା ।୨। ହେ ରାଜେନ୍ଦ୍ର ! ସେଠାରେ ରାମ ମଦନବାଣରେ ବିଦ୍ଧ ହୋଇ ପ୍ରେୟସୀଙ୍କ ବିରହରେ ଅତିଶୟ ବିଳାପ କରିବାରୁ ଲକ୍ଷ୍ମଣ ତାହାଙ୍କୁ କହିଲେ, “ହେ ମାନଦ ! ଆପଣ ଏପରି ହେବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ବୃଦ୍ଧ ସେବା କରିଥାନ୍ତି ଓ ଆତ୍ମଜ୍ଞାନୀ ହୋଇଥାନ୍ତି, ସେମାନଙ୍କ ପକ୍ଷରେ ଯେପରି ବ୍ୟାଧିଗ୍ରସ୍ତ ହେବା ଅନୁପଯୁକ୍ତ, ସେହିପରି ଆପଣଙ୍କର ଏପରି ବିଷଣ୍ଣ ହେବା ଅକରଣୀୟ ।୪। ଜାନକୀ ଓ ରାବଣଙ୍କର ବାର୍ତ୍ତା ଆପଣ ପାଇଅଛନ୍ତି । ଏବେ ବୁଦ୍ଧି ଓ ପୌରୁଷ ପ୍ରକାଶ କରି ସେହି ସମ୍ବାଦକୁ ସଫଳ କରନ୍ତୁ ।୫। ଆସିବା ହେଉନ୍ତୁ, ଆମ୍ଭେମାନେ କପିବର ସୁଗ୍ରୀବଙ୍କ ନିକଟକୁ ଗମନ କରିବା । ସେ ପର୍ବତରେ ବାସ କରୁଅଛନ୍ତି । ମୁଁ ଆପଣଙ୍କର ଶିଷ୍ୟ, ଭୃତ୍ୟ ଓ ସହାୟକ ଅଟେ । ଅତଏବ ଆପଣ ଆଶ୍ୱସ୍ତ ହେଉନ୍ତୁ ।୬।

 

ଲକ୍ଷ୍ମଣଙ୍କର ଏତାଦୃଶ ବହୁବିଧ ସାନ୍ତ୍ୱନା ବାକ୍ୟଦ୍ୱାରା ରଘୁନନ୍ଦନ ରାମ ପ୍ରକତିସ୍ଥ ଓ କାର୍ଯ୍ୟତତ୍ପର ହେଲେ ।୭। ବୀର୍ଯ୍ୟସମ୍ପନ୍ନ ରାମ ଓ ଲକ୍ଷ୍ମଣ ଦୁଇ ଭାଇ ପମ୍ପା ସରୋବରର ଜଳ ପାନକରି ପିତୃଲୋକଙ୍କର ତର୍ପଣାନନ୍ତର ପ୍ରସ୍ଥାନ କଲେ । ଋଷ୍ୟମୂକ ପର୍ବତରେ ଫଳମୂଳ ପରିପୂର୍ଣ୍ଣ ହୋଇଥାଏ । ରାମ ଲକ୍ଷ୍ମଣ ଦୁହେଁ ସେହି ଗିରିର ସନ୍ନିହିତ ହୋଇ ଚାହିଁଲେ ଯେ ତାହାର ଶିଖର ଦେଶରେ ପାଞ୍ଚଗୋଟି ବାନର ଅଛନ୍ତି ।୯। ସୁଗ୍ରୀବ ସ୍ୱକୀୟ ମନ୍ତ୍ରୀ ହନୁମାନଙ୍କୁ ତାହାଙ୍କ ନିକଟକୁ ପ୍ରେରଣ କଲେ । ହନୁମାନଙ୍କର ମୂର୍ତ୍ତି ଅତି ବୃହତ, ସାକ୍ଷାତ୍ ହିମାଚଳ ସଦୃଶ, ତାହାଙ୍କର ବୁଦ୍ଧି ମଧ୍ୟ ଉତ୍ତମ ।୧୦। ଅନନ୍ତର ସେହି ଦୁଇ ଭାଇ ପ୍ରଥମେ ହନୁମାନଙ୍କ ସହିତ ସମ୍ଭାଷଣ କରି ପଶ୍ଚାତ୍ ସୁଗ୍ରୀବଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ରାମ ତତ୍ପରେ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କଲେ ।୧୧। ରାମଙ୍କ ଉଦ୍ଦେଶ୍ୟ ଅବଗତ ହୋଇ ସୁଗ୍ରୀବ ତାହାଙ୍କୁ ଖଣ୍ଡିଏ ବସ୍ତ୍ର ଦେଖାଇଲେ । ସୀତାଙ୍କୁ ହରଣ କରି ଘେନିଗଲା ବେଳେ ସେ ଯେଉଁ ବସ୍ତ୍ରଖଣ୍ଡି ବାନରଙ୍କ ନିକଟକୁ ନିକ୍ଷେପ କରିଥିଲେ, ସେ ଖଣ୍ଡିକ ସେହି ବସ୍ତ୍ର ।୧୨। ରାମ ସେହି ବସ୍ତ୍ର ସୀତାଙ୍କର ବୋଲି ଚିହ୍ନି ସନ୍ତୁଷ୍ଟ ହୋଇ ସୁଗ୍ରୀବଙ୍କୁ ପୃଥିବୀସ୍ଥିତ ସମସ୍ତ ବାନରଙ୍କର ରାଜାସ୍ୱରୂପ ଅଭିଷିକ୍ତ କଲେ ।୧୩। କକୁତ୍‌ସ୍ଥବଂଶୀୟ ରାମ ପ୍ରତିଜ୍ଞା କଲେ ଯେ ସେ ସମରରେ ବାଳୀକୁ ବଧ କରିବେ ଓ ସୁଗ୍ରୀବ ତହିଁ ପ୍ରତିବଦଳରେ ପ୍ରତିଜ୍ଞା କଲେ ଯେ ସେ ସୀତାଙ୍କୁ ଅଣାଇଦେବେ ।୧୪। ଏହିପରି କଥୋପକଥନ କରି ସମସ୍ତେ କିସ୍କିନ୍ଧ୍ୟାକୁ ଆସିଲେ ଓ ଯୁଦ୍ଧ କରିବା ଅଭିଳାଷରେ ସେଠାରେ ଅବସ୍ଥାନ କଲେ ।୧୫। କିସ୍କିନ୍ଧ୍ୟାରେ ଉପନୀତ ହୋଇ ସୁଗ୍ରୀବ ସମୁଦ୍ର ପ୍ରାୟ ଗର୍ଜନ କଲା । ବାଳୀ ସେହି ଗର୍ଜନ ସହି ନ ପାରି ତତ୍‌କ୍ଷଣାତ୍ ଯୁଦ୍ଧାର୍ଥ ନିର୍ଗତ ହେଲା; କିନ୍ତୁ ତାରା ତାହାକୁ ନିଷେଧ କଲା । ତାରା କହିଲା, ସୁଗ୍ରୀବ ଯେପରି ନାଦ କରୁଅଛି, ତହିଁରୁ ଜଣାଯାଉଅଛି ଯେ ସେ ବଳବାନ ହୋଇଅଛି । ନିଶ୍ଚୟ ସେ ଆଶ୍ରୟପ୍ରାପ୍ତ ହୋଇଅଛି । ତୁମ୍ଭେ ଯାଅ ନାହିଁ । ହେମମାଳାଧାରୀ ବାଗ୍ମୀ ବାନରପତି ବାଳୀ ତାରାଧିପାନନୀ ତାରାଙ୍କୁ କହିଲା ।୧୮। ତୁମ୍ଭେ ସବୁ ପ୍ରାଣୀଙ୍କର କଣ୍ଠସ୍ୱର ଜାଣିପାର । ଅତଏବ ତୁମ୍ଭେ ବିଚାର କରି କହ, ଆମ୍ଭର ଏହି ଦୁଷ୍ଟ ଭାଇ କାହାର ସାହାଯ୍ୟ ପାଇଅଛି ?୧୯। ତାରାପତି ସଦୃଶ କାନ୍ତିମତୀ ତାରା ମୁହୂର୍ତ୍ତେ ଭାବନା କରି ପତିଙ୍କୁ କହିଲା, ହେ କପୀଶ୍ୱର ! ମୁଁ ଯାହା କହୁଅଛି, ସେସବୁ ଶ୍ରବଣ କର ।୨୦।

 

ଦଶରଥଙ୍କ ପୁତ୍ର ରାମ ମହାବଳଶାଳୀ ଓ ମହାସତ୍ୱ ଅଟନ୍ତି । ତାହାଙ୍କର ଭାର୍ଯ୍ୟା ଅପହୃତ ହୋଇଅଛନ୍ତି । ସେ ସୁଗ୍ରୀବଙ୍କ ସହିତ ଏପରି ମିତ୍ରତା କରିଅଛନ୍ତି ଯେ ସୁଗ୍ରୀବଙ୍କ ଶତ୍ରୁ ଓ ମିତ୍ରମାନେ ତାହାଙ୍କର ଶତ୍ରୁ ଓ ମିତ୍ର ହେବେ ଓ ରାମଙ୍କର ଶତ୍ରୁ ଓ ମିତ୍ରମାନେ ସୁଗ୍ରୀବଙ୍କର ସେହିପରି ହେବେ ।୨୧। ସୁମିତ୍ରାଙ୍କର ପୁତ୍ର, ରାମଙ୍କର ଭ୍ରାତା, ମହାବାହୁ ଧନୁର୍ଦ୍ଧର ଯୁଦ୍ଧରେ ଅପରାଜିତ ଅଟନ୍ତି । ତାହାଙ୍କର ନାମ ଲକ୍ଷ୍ମଣ । ସେ କାର୍ଯ୍ୟସିଦ୍ଧି ନିମିତ୍ତ ରାମଙ୍କ ସଙ୍ଗରେ ଅଛନ୍ତି ।୨୨। ତଦ୍‌ଭିନ୍ନ ସୁଗ୍ରୀବଙ୍କ ଅମାତ୍ୟ ମୈନ୍ଦ, ଦ୍ୱିବିନ୍ଦ, ପବନସୁତ ହନୁମାନ ଓ ଭଲ୍ଲୁକରାଜ ଜାମ୍ବବାନ ଅଛନ୍ତି । ଏମାନେ ମଧ୍ୟ ତାହାଙ୍କର ଆଜ୍ଞାକାରୀ ହୋଇ ରହିଅଛନ୍ତି ।୨୩। ଏମାନେ ସମସ୍ତେ ସ୍ୱଭାବତଃ ମହାତ୍ମା, ବୁଦ୍ଧିମାନ ଓ ମହାବଳସମ୍ପନ୍ନ ଅଟନ୍ତି । ଅଧିକନ୍ତୁ ସେମାନେ ରାମଙ୍କର ଆଶ୍ରୟ ପାଇ ତୁମ୍ଭର ବିନାଶାର୍ଥ ବିଶେଷ ଯତ୍ନ କରିବେ ।୨୪। କପୀଶ୍ୱର ବାଳୀ ତାରାଙ୍କ ହିତକଥା ନ ଶୁଣି ଶଙ୍କା କଲା ଯେ ତାରା ସୁଗ୍ରୀବଙ୍କ ପ୍ରତି ଆସକ୍ତ ହୋଇଥିବାରୁ ତାହାଙ୍କର ତାଦୃଶ ପ୍ରଶଂସା କରୁଅଛି-।୨୫। ସୁତରାଂ ତାରା ପ୍ରତି କଟୂକ୍ତି ପ୍ରୟୋଗ କରି ଗହ୍ୱରର ଦ୍ୱାର ଫିଟାଇ ନିର୍ଗତ ହେଲା-। ତତ୍ପରେ ଦେଖିଲେ ଯେ ସୁଗ୍ରୀବ ମାଲ୍ୟବାନ ପର୍ବତ ନିକଟରେ ରହିଅଛନ୍ତି । ଏହା ଦେଖି ବାଳୀ କହିଲା, ପୂର୍ବେ ତୁମ୍ଭଙ୍କୁ ବାରମ୍ବାର ପରାଜିତ କରିଥିଲି ଓ ତୁମେ ଜ୍ଞାତିଜନ ହୋଇଥିବାରୁ ପରିତ୍ୟାଗ କରିଥିଲି-। ଜୀବନ ତୁମ୍ଭର ଅତି ପ୍ରିୟ, ଅତଏବ ତୁମ୍ଭେ କି କାରଣରୁ ମରିବାକୁ ଏଡ଼େ ତରତର ହେଲ-?୨୭। ଏହି କଥା ଶୁଣି ସୁଗ୍ରୀବ ରାମଙ୍କୁ ଶୁଣାଇ ବାଳୀକୁ କହିଲେ; ରାଜନ୍‌ ! ଆପଣ ଆମ୍ଭର ଭାର୍ଯ୍ୟା ଓ ରାଜ୍ୟ ଅପହରଣ କରିଅଛନ୍ତି । ସୁତରାଂ ମୋର ବଞ୍ଚିରହିବାର କି ଫଳ-? ଏହା ଭାବି ମୁଁ ଆସିଅଛି-। ଏହି ପ୍ରକାର ଅନେକ ସମ୍ଭାଷଣ କରି ବାଳୀ ଓ ସୁଗ୍ରୀବ ଦୁହେଁ ତାଳ, ଶାଳ, ଶୈଳମାନ ଆୟୁଧ କରି ଯୁଦ୍ଧରେ ପ୍ରବୃତ୍ତ ହେଲେ । ସେ ଦୁହେଁ ଦୁହିଁଙ୍କି ପ୍ରହାର କଲେ-। ଦୁହେଁ ଦୁହିଁଙ୍କି ଭୂତଳରେ ନିକ୍ଷିପ୍ତ କରି ମୁଷ୍ଟି ପ୍ରହାରରେ ପ୍ରବୃତ୍ତ ହେଲେ ।୩୧। ନଖ ଓ ଦନ୍ତରେ ପରିକ୍ଷତ ହେବାରୁ ଦୁଇ ବୀର ତତ୍କାଳରେ ରକ୍ତଦ୍ୱାରା ଆପ୍ଳୁତ ହୋଇ ଶିମୁଳୀ ଫୁଲ ପ୍ରାୟ ଦୃଶ୍ୟ ହେଲେ ।୩୨।

 

ଯେତେବେଳେ ଦୁହେଁ ପରସ୍ପର ଯୁଦ୍ଧ କରି କେହି କାହାରିକୁ ଜିଣି ନ ପାରିଲେ, ତେତେବେଳେ ହନୁମାନ ଯାଇ ସୁଗ୍ରୀବ ଗଳାରେ ଗୋଟିଏ ମାଳା ପ୍ରଲମ୍ବିତ କଲେ ।୩୩। ମଳୟ ଗିରି ଯେପରି ମେଘପଟଳଦ୍ୱାରା ଶୋଭାପାଏ, ସେହିପରି ସୁଗ୍ରୀବ ସେହି ମାଳାରେ ଭୂଷିତ ହୋଇ ଶୋଭାନ୍ୱିତ ଦିଶିଲେ ।୩୪। ତଦନନ୍ତର ସୁଗ୍ରୀବଙ୍କ ଦେହରେ ଚିହ୍ନ ଦିଆହୋଇଥିବାର ଦେଖି ମହାଧନୁର୍ଦ୍ଧାରୀ ରାମ ବାଳୀକୁ ଲକ୍ଷ୍ୟକରି ଶରାସନ ବିକର୍ଷଣ କଲେ ।୩୫। ସେହି ଧନୁର ବିସ୍ଫାର ଶବ୍ଦଯନ୍ତ୍ର ଗୋଟିକର ଶବ୍ଦ କଲା । ବାଳୀର ହୃଦୟ ଶରବିଦ୍ଧ ହେବାରୁ ସେ ତ୍ରାସପ୍ରାପ୍ତ ହେଲା ଓ ମୁଖରୁ ରକ୍ତ ବମନ କରି ପ୍ରାଣତ୍ୟାଗ ବେଳେ ସମ୍ମୁଖରେ ରାମ ଲକ୍ଷ୍ମଣଙ୍କୁ ଦେଖିଲା ।୩୭। ସେ ରଘୁନନ୍ଦନଙ୍କୁ ଭର୍ତ୍ସନା କରି ମୂର୍ଚ୍ଛିତ ହୋଇ ଭୂତଳରେ ନିପତିତ ହେଲା । ତାରା ତାହାକୁ ଦେଖିଲା ଯେ ଭୂତଳରେ ପତିତ ହୋଇ ସୁଦ୍ଧା ସେ ତାରାପତିଙ୍କ ପ୍ରାୟ ଶୋଭାପାଉଅଛି ।୩୮। ବାଳୀ ନିହତ ହୁଅନ୍ତେ ସୁଗ୍ରୀବ କିସ୍କିନ୍ଧ୍ୟାରେ ରାଜା ହେଲେ । ଅଥଚ ହତେଶ୍ୱର ତାରାପତିମୁଖୀ ତାରାକୁ ଲାଭ କଲେ ।୩୯। ଧୀମାନ ରାମ ସୁଗ୍ରୀବଙ୍କଦ୍ୱାରା ଅର୍ଚ୍ଚିତ ହୋଇ ମାଲ୍ୟବାନ ଶୈଳର ପୃଷ୍ଠଭାଗରେ ଚାରିମାସ ପର୍ଯ୍ୟନ୍ତ ବାସ କଲେ ।୪୦। ରାବଣ ଏଣେ କାମବଶ ହୋଇ ସୀତାଙ୍କୁ ଲଙ୍କାପୁରୀକୁ ନେଇ ନନ୍ଦନ ବନସମ ଉପବନ ଭବନରେ ରଖିଲା ।୪୧। ଅଶୋକ ବନିକା ନିକଟରେ ଋଷିଙ୍କ ଆଶ୍ରମ ପ୍ରାୟ ଆବାସରେ ସୀତା ତାପସୀ ବେଶଧାରିଣୀ ହୋଇ ନିରନ୍ତର ପତିଙ୍କ ଭାବନାରେ କୃଶତନୁ ହେଲେ । ପୃଥୁଳଲୋଚନା ସୀତା କେବଳ ଫଳମୂଳ ଭୋଜନ କରି ଅଥବା ଉପବାସ ରହି ଅତି ଦୁଃଖରେ ଦିନ ଯାପନ କଲେ ।୪୩। ତାହାଙ୍କ ରକ୍ଷାନିମିତ୍ତ ରାକ୍ଷସାଧିପ ଅନେକଗୁଡ଼ିଏ ରାକ୍ଷସୀ ନିଯୁକ୍ତ କଲେ । ସେମାନେ ପ୍ରାସ, ଅସି, ମୁଦ୍‌ଗର, ଶୂଳ ଓ ଅଲାତ ଘେନି ଯହିଁରେ ସୀତାଙ୍କର ଭୀତି ହେବ, ତାହାର ଯତ୍ନ କଲେ । ରାକ୍ଷସୀମାନଙ୍କ ମଧ୍ୟରେ କାହାରି ଦୁଇ ଆଖି, କାହାରି ତିନି ଆଖି ଅଥବା କାହାର ଲଲାଟରେ ଆଖି ଥିଲା । କାହାର ଜିହ୍ୱା ଅତି ଦୀର୍ଘ, କାହାର ଅବା ଆଦୌ ଜିହ୍ୱା ନାହିଁ । କାହାରି ଏକ ଗୋଟା ପାଦ ଓ କାହାରି ଅବା ତିନିଗୋଟି ସ୍ତନ ଥିଲା । ତନ୍ମଧ୍ୟରେ ରାବଣର ଭଗ୍ନୀ ଏକଲୋଚନା ତ୍ରିଜଟା ମଧ୍ୟ ନିଯୁକ୍ତ ହୋଇଥିଲା ।୪୫। ଏମାନଙ୍କ ବ୍ୟତିରେକେ ଆହୁରି କେତେକ ରାକ୍ଷସୀ ଥିଲେ, ଯାହାଙ୍କର ଚକ୍ଷୁ ଅଗ୍ନିପ୍ରାୟ ଜଳୁଥିଲା ଓ କେହି ତନ୍ମଧ୍ୟରୁ ଉଷ୍ଟ୍ରପ୍ରାୟ ବିକଟ ରୂପିଣୀ ହୋଇଥିଲେ । ଏମାନେ ସମସ୍ତେ ଦିବାରାତ୍ରି ସୀତାଙ୍କୁ ଘେରିଥିଲେ । ଆହୁରି ଦାରୁଣସ୍ୱଭାବା ଚାଞ୍ଚିଖାଇ ଅପ୍ରିୟଭାଷିଣୀ ପିଶାଚୀମାନେ ଆୟତନୟନା ସୀତାଙ୍କୁ ସର୍ବଦା ତର୍ଜନ କରି ଭୟ ପ୍ରଦର୍ଶନ କରୁଥିଲେ । ସେମାନେ ଯେତେ କଥା କରୁଥିଲେ ତାହା ପ୍ରତ୍ୟେକ ଅକ୍ଷର ନିଷ୍ଠୁରାର୍ଥ । ସେମାନେ କହୁଥିଲେ, ଏହି ପରା ଆମ୍ଭମାନଙ୍କ ସ୍ୱାମୀଙ୍କୁ ତୁଚ୍ଛ କରି ଏଠାରେ ବଞ୍ଚି ରହିଅଛି ! ଏହି ହେତୁରୁ ଆସ, ଆମ୍ଭେମାନେ ଏହାକୁ ଭକ୍ଷଣ କରିବା । ଏହାକୁ ଜୀଅନ୍ତା ବିଦାରି ଏହାର ମାଂସକୁ ଖଣ୍ଡ ଖଣ୍ଡ ଓ ଟିକି ଟିକି କରି ଖାଇବା । ବାରମ୍ବାର ଉକ୍ତ ପ୍ରକାରେ ଭର୍ତ୍ସନା କରନ୍ତେ ପତିଶୋକବିଧୁରା ଜାନକୀ ଅତି ଭୟ କରି ପୁନଃ ପୁନଃ ଦୀର୍ଘ ନିଶ୍ୱାସ ପରିତ୍ୟାଗ କଲେ ଓ ସେମାନଙ୍କୁ କହିଲେ– ଆର୍ଯ୍ୟାଗଣ ! ମୋତେ ଶୀଘ୍ର ଭକ୍ଷଣ କର । ସେହି ନୀଳ କୁଞ୍ଚିତ କେଶ, କମଳଲୋଚନଙ୍କ ବ୍ୟତିରେକେ ଆମ୍ଭର ବଞ୍ଚିବାର କିଛି ପ୍ରୟୋଜନ ନାହିଁ ।୫୦।

 

ତୁମ୍ଭେମାନେ ଜାଣ ଯେ ତାଳଗଛରେ ଯେପରି ସର୍ପିଣୀ ଥାଏ, ସେହିପରି ମୁଁ ନିରାହାରରେ ରହି ପଛେ ଜୀବନ ତ୍ୟାଗ କରିବି, ତଥାପି ରଘୁନନ୍ଦନଙ୍କ ବିନା ଅନ୍ୟ ପୁରୁଷକୁ ସ୍ୱୀକାର କରିବି ନାହିଁ । ଏହି କଥା ମୋର ସତ୍ୟ, ଏହା ଜାଣି ତୁମ୍ଭର ଯାହା କରିବାର ତାହା କର ।୫୨। ସୀତାଙ୍କର ତଦ୍ରୂପ ବଚନ ଶୁଣି ଖରସ୍ୱରା ରାକ୍ଷସୀମାନେ ଯାଇ ରାକ୍ଷସରାଜଙ୍କୁ ଆଦ୍ୟପ୍ରାନ୍ତ ସବୁ କଥା ଜଣାଇଲେ ।୫୩। ସେମାନେ ସମସ୍ତେ ଚାଲିଗଲାରୁ ତ୍ରିଜଟା ନାମ୍ନୀ ଧର୍ମାତ୍ମା ରାକ୍ଷସୀ ବୈଦେହୀଙ୍କୁ କହିଲା, ଆଗୋ ସଖୀ ଜାନକି ! ମୋତେ ଭଲା ଟିକିଏ ବିଶ୍ୱାସ କର । ମୁଁ ତୁମ୍ଭଙ୍କୁ ଗୋଟିଏ କଥା କହିବି । ତୁମ୍ଭେ ଭୟ ନ କରି ମୋ କଥା ଶୁଣ । ଅବିନ୍ଧ୍ୟ ନାମରେ ଜଣେ ବୃଦ୍ଧ ରାକ୍ଷସ ଅଛନ୍ତି । ସେ ରାମଙ୍କର ହିତକାରୀ, ତୁମ୍ଭଙ୍କୁ ଜଣାଇବା ପାଇଁ ସେ ମୋତେ କହି ଯାଇଅଛନ୍ତି ଯେ ତୁମ୍ଭର ଭର୍ତ୍ତା ଶ୍ରୀମାନ ରଘୁନନ୍ଦନ ବଳଶାଳୀ ରାମଚନ୍ଦ୍ର ଭଲ ଅଛନ୍ତି । ଲକ୍ଷ୍ମଣ ମଧ୍ୟ ଭଲ ଅଛନ୍ତି-। ଅପରିମିତ ତେଜସ୍ୱୀ ବାନରରାଜ ସୁଗ୍ରୀବଙ୍କ ସହିତ ମିତ୍ରତା କରିଅଛନ୍ତି ଓ ତୁମ୍ଭଙ୍କୁ ଉଦ୍ଧାର କରିବା କାରଣ ସମ୍ୟକ୍ ରୂପେ ଯତ୍ନ କରୁଅଛନ୍ତି ।୫୮। ହେ ନନ୍ଦିନି ! ନଳକୂବର ଯେଉଁ ଅଭିଶାପ ଦେଇଅଛନ୍ତି, ସେହି ଅଭିଶାପ ହେତୁରୁ ତୁମ୍ଭେ ରକ୍ଷା ପାଇଅଛ । ଅତଏବ ହେ ଭୀରୁ-! ଲୋକନିନ୍ଦିତ ରାବଣକୁ ତୁମ୍ଭେ ଭୟ କର ନାହିଁ ।୫୯। ଏହି ଅଜିତେନ୍ଦ୍ରିୟ ପାପାତ୍ମା ପୂର୍ବେ ପୁତ୍ରବଧୂ ରମ୍ଭାଙ୍କୁ କାମୀ ହୋଇ ସ୍ପର୍ଶ କରିବାରୁ ଶାପପ୍ରାପ୍ତ ହୋଇଅଛି । ଅକାମା କୌଣସି ନାରୀକୁ ସେ ବଳାତ୍କାର ଅଭିଗମନ କରିପାରିବ ନାହିଁ । ତୁମ୍ଭର ଭର୍ତ୍ତା ଓ ଦେବର ଦୁହେଁ ସେନାସହ ସୁଗ୍ରୀବଙ୍କୁ ସଙ୍ଗରେ ଘେନି ଏଠରେ ଶୀଘ୍ର ଉପସ୍ଥିତ ହେବେ ଓ ତୁମ୍ଭଙ୍କୁ ଏହି ଦୁଃଖରୁ ଉଦ୍ଧାର କରିବେ-।୬୧। ମୁଁ ଅତିଶୟ ଭୟଙ୍କର ସ୍ୱପ୍ନ ଦର୍ଶନ କରିଅଛି । ପୌଲସ୍ତ୍ୟ କୁଳଧ୍ୱଂସୀ ଏହି ରାବଣର ଅନିଷ୍ଟ ନିଶ୍ଚୟ ଘଟିବ ।୬୨। ଏହି ଦୁଷ୍ଟାତ୍ମା ନିଶାଚର ଅତି ଦାରୁଣ । ବିଶେଷରେ ଶୀଳତା ନ ଥିବାରୁ ଓ କ୍ଷୁଦ୍ରକର୍ମା ହୋଇଥିବାରୁ ସମସ୍ତେ ଏହାକୁ ଭୟ କରୁଅଛନ୍ତି ।୬୩। ପରନ୍ତୁ ଏହାଙ୍କର କାଳ ଉପସ୍ଥିତ ହେବାରୁ ଏ ଦେବଗଣଙ୍କ ସହିତ ସ୍ପର୍ଦ୍ଧା କରୁଅଛି । ତାହାର ବିନାଶସୂଚକ ଚିହ୍ନମାନ ମୁଁ ସ୍ୱପ୍ନରେ ଦେଖିଅଛି-।୬୪। ଦଶାନନ ମସ୍ତକ ମୁଣ୍ଡନ କରି, ତୈଳରେ ଅଭିଷିକ୍ତ ଓ ପଙ୍କରେ ମଗ୍ନ ହୋଇ ତତ୍ପରେ ଖରସଂଯୁକ୍ତ ଗୋଟାଏ ରଥରେ ଚଢ଼ି ନୃତ୍ୟ କରୁଅଛି ।୬୫। କୁମ୍ଭକର୍ଣ୍ଣ ପ୍ରଭୃତି ମଧ୍ୟ ନଗ୍ନ ଓ କେଶମୁଣ୍ଡିତ ହୋଇ ରକ୍ତ ମନ୍ଦାରମାଳା ଘେନି ରକ୍ତଚନ୍ଦନ ବୋଳି ହୋଇ ଦକ୍ଷିଣ ଦିଗକୁ ଯାତ୍ରା କରୁଅଛନ୍ତି ।୬୬। ଏକାକୀ ବିଭୀଷଣ ଶୁକ୍ଳଚନ୍ଦନ ଓ ଶୁକ୍ଳମାଲ୍ୟ ଧାରଣ କରି ମସ୍ତକରେ ଶୁକ୍ଳ ଉଷ୍ଣୀଷ ପିନ୍ଧି, ଶୁକ୍ଳଛତ୍ର ଧରାଇ ଧବଳ ପର୍ବତ ଉପରେ ଆରୋହଣ କରିଅଛନ୍ତି ।୬୭। ତାହାଙ୍କର ଚାରି ମନ୍ତ୍ରୀ ମଧ୍ୟ ତଦ୍ରୂପ ଶୁକ୍ଳଚନ୍ଦନ ଓ ମାଲ୍ୟଦ୍ୱାରା ବିଭୂଷିତ ହୋଇ ଶ୍ୱେତପର୍ବତରେ ଆରୂଢ଼ ହୋଇଅଛନ୍ତି । ସେମାନେ ଆମ୍ଭମାନଙ୍କୁ ମହାଭୟରୁ ରକ୍ଷା କରିବେ ।୬୮। ତୁମ୍ଭ ପତି ରାମଙ୍କ ଅସ୍ତ୍ରରେ ସସାଗରା ପୃଥିବୀ ଓଲଟି ଯିବ ଓ ତାହାଙ୍କ ଯଶରେ ଏହି ପୃଥିବୀ ପରିପୂର୍ଣ୍ଣ ହେବ-।୬୯। ଲକ୍ଷ୍ମଣଙ୍କୁ ମଧ୍ୟ ମୁଁ ସ୍ୱପ୍ନରେ ଦେଖିଅଛି ଯେ ସେ ଅତ୍ୟୁଚ୍ଚ ଅସ୍ଥିରାଶି ଉପରେ ଉଭା ହୋଇ ମଧୁମିଶ୍ରିତ ପାୟସ ଭୋଜନ କରୁଅଛନ୍ତି ଓ ସର୍ବଦିଗରୁ ଲଙ୍କା ମଧ୍ୟରେ ପ୍ରବେଶ କରିବାକୁ ଇଚ୍ଛା କରୁଅଛନ୍ତି ।୭୦। ତୁମ୍ଭଙ୍କୁ ମଧ୍ୟ ମୁଁ ସ୍ୱପ୍ନରେ ଦେଖିଲି ଯେ ତୁମ୍ଭେ ସର୍ବାଙ୍ଗରେ ରକ୍ତ ବୋଳି ହୋଇ କ୍ରନ୍ଦନ କରୁଅଛ । ବ୍ୟାଘ୍ର ତୁମ୍ଭଙ୍କୁ ଭକ୍ଷଣ କରୁଅଛି ଓ ତୁମ୍ଭେ ଉତ୍ତର ଦିଗକୁ ଗମନ କରୁଅଛ-।୭୧। ଅତଏବ, ହେ ବିଦେହରାଜନନ୍ଦିନି ! ସୀତେ ! ତୁମ୍ଭେ ଅବିଳମ୍ବେ ତୁମ୍ଭର ପତି ରାମ ଓ ଦେବର ଲକ୍ଷ୍ମଣଙ୍କ ସଙ୍ଗେ ମିଳିତ ହୋଇ ପ୍ରୀତି ଲାଭ କରିବ ।୭୨। ଏଣୀଶିଶୁନୟନା ସୀତା ଉକ୍ତପ୍ରକାରେ ତ୍ରିଜଟାଙ୍କ ବଚନ ଶ୍ରବଣ କରିବାରୁ ତାହାଙ୍କ ହୃଦୟରେ ପୁନର୍ବାର ପତିଲାଭର ଆଶା ସଞ୍ଜାତ ହେଲା-।୭୩। ଏହି ଅବସରରେ ସେହି ଜଗୁଆଳୀ ରାକ୍ଷସୀମାନେ ଆସି ଦେଖିଲେ ଯେ ସୀତା ପୂର୍ବପ୍ରାୟ ତ୍ରିଜଟାଙ୍କ ପାଖରେ ବସିଅଛନ୍ତି ।୭୪।

 

॥ ଅଧ୍ୟାୟ – ୨୮୧ ॥

 

ମାର୍କଣ୍ଡେୟ କହିଲେ, ଭର୍ତ୍ତୃବିୟୋଗ ଦୁଃଖରେ ସୀତାଙ୍କର ଅବସ୍ଥା ଅତି ଦୀନ ହୋଇଥିଲା-। ସେ ଖଣ୍ଡିଏ ମଳିନ ବସନ ପରିଧାନ କରିଥିଲେ । ସବୁ ଅଳଙ୍କାର ଯାଇ କେବଳ ମଣିଟିଏ ସୂତ୍ରରେ ଗୁନ୍ଥା ହୋଇଥିଲା । ଈଦୃଶ ଅବସ୍ଥାରେ ସେ ପତିବ୍ରତା ରୋଦନ କରୁଥିଲେ-। ସେ ଶୀଳା ଉପରେ ବସିଥିଲେ ଓ ରାକ୍ଷସୀଙ୍କଦ୍ୱାରା ବେଷ୍ଟିତ ହୋଇଥିଲେ । ଏମନ୍ତ ସମୟରେ କାମବାଣରେ ବିଦ୍ଧ ହୋଇ ରାବଣ ଯାଇ ତାହାଙ୍କୁ ଦର୍ଶନ କଲା ଓ ତାହାଙ୍କ ନିକଟକୁ ଆସି ଘୁଞ୍ଚି ବସିଲା । ଦେବ, ଦାନବ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଓ କିଂପୁରୁଷମାନେ ଯାହାଙ୍କୁ ଯୁଦ୍ଧରେ ଜିଣି ନ ପାରନ୍ତି, ସେ କାମବାଣରେ ବଶୀଭୂତ ହୋଇ ଉତ୍ତମ ବସନ, ଉଜ୍ଜ୍ୱଳ କୁଣ୍ଡଳ, ବିଚିତ୍ର ମାଲ୍ୟ ଓ ମୁକୁଟ ଧାରଣ କରି ବସନ୍ତ ମୂର୍ତ୍ତିମାନ ହେଲା ପ୍ରାୟ ଶ୍ରୀମାନ ହୋଇ ଅଶୋକ ବନରେ ଉପସ୍ଥିତ ହେଲା-।୪। କଳ୍ପ ବୃକ୍ଷରେ ଯେପରି ସବୁ ଦ୍ରବ୍ୟ ଥାଏ, ସେହିପରି ସେ ସର୍ବଦା ଅଳଙ୍କାରମାନ ଧାରଣ କରିଥିଲେ ହେଁ ସୀତାଙ୍କ ନିକଟକୁ ଯିବାବେଳେ ଆହୁରି ଉତ୍ତମରୂପେ ବିଭୂଷିତ ହୋଇଥିଲା-। ପରନ୍ତୁ ଶ୍ମଶାନସ୍ଥିତ ଚୈତ୍ୟକୁ (ବୃକ୍ଷ) ବିଭୂଷିତ କଲେ ହେଁ ସେ ଯେପରି ଭୟଙ୍କର ହୁଏ, ତଦ୍ରୂପ ସେ ଭୟଜନକ ହୋଇଥିଲା ।୫। ଯେପରି ରୋହିଣୀ ନକ୍ଷତ୍ରକୁ ଶନୈଶ୍ଚର ଗ୍ରହ ଅଧିକାର କରେ ସେହିପରି ଏହି ନିଶାଚର କ୍ଷୀଣମଧ୍ୟା ଜାନକୀଙ୍କ ସମୀପବର୍ତ୍ତୀ ହୋଇ ଦୃଶ୍ୟ ହେଲା ।୬। ସେହି ରାକ୍ଷସ ପୁଷ୍ପକେତୁଙ୍କ ଶରରେ ଆହତ ହୋଇ ବ୍ୟାଧଦର୍ଶନରେ ଭୀତା ହରିଣୀ ପ୍ରାୟ ସଂତ୍ରସ୍ତା ସୀତାଙ୍କୁ ସମ୍ବୋଧନ କରି କହିଲା, “ଜନକନନ୍ଦିନି ! ଆଜିପର୍ଯ୍ୟନ୍ତ ତୁମ୍ଭେ ଯେ ଭର୍ତ୍ତାଙ୍କୁ ଚାହିଁରହିଲ ତଦ୍ଦ୍ୱାରା ତାହାଙ୍କ ପ୍ରତି ଯଥେଷ୍ଟ ଅନୁଗ୍ରହ କରିଅଛ । ଏବେ ମୋ ପ୍ରତି ପ୍ରସନ୍ନା ହୁଅ । ହେ କୃଶାଙ୍ଗି-! ମୋତେ ଅନୁମତି ଦିଅ, ମୁଁ ତୁମ୍ଭର ବେଶଭୂଷା କରିଦିଏ ।୮।

 

ହେ ବରାରୋହେ ! ତୁମ୍ଭେ ମହାମୂଲ୍ୟ ବସନ ଓ ଆଭରଣ ପରିଧାନ କରି ମୋତେ ଭଜନା କର । ମୋର ଯେତେ ରମଣୀ ଅଛନ୍ତି, ତନ୍ମଧ୍ୟରେ ତୁମ୍ଭେ ରାଣୀ ହେବ ।୯। ମୋର ବହୁସଂଖ୍ୟକ ଦେବକନ୍ୟା, ଗନ୍ଧର୍ବରମଣୀ, ଦାନବକନ୍ୟା ଓ ଦୈତ୍ୟମହିଳା ଅଛନ୍ତି ।୧୦। ଏଥିଉତ୍ତାରୁ ମୋର ଚତୁର୍ଦ୍ଦଶ କୋଟି ପିଶାଚ, ଅଷ୍ଟବିଂଶତି କୋଟି ଭୀଷଣକର୍ମା ନରଭୋଜୀ ନିଶାଚର ଆଜ୍ଞାନୁବର୍ତ୍ତୀ ହୋଇ ରହିଅଛନ୍ତି ।୧୧। ତଦ୍‍ଭିନ୍ନ ଚଉରାଅଶୀ କୋଟି ଯକ୍ଷ ମୋର ଆଜ୍ଞା ପାଳନ କରନ୍ତି । ତନ୍ମଧ୍ୟରୁ ଅଳ୍ପ ମାତ୍ର ଆମ୍ଭ ଭ୍ରାତା କୁବେରଙ୍କୁ ଆଶ୍ରୟ କରିଅଛନ୍ତି ।୧୨। ହେ ଭଦ୍ରେ-! ହେ ବାମୋରୁ ! ଗନ୍ଧର୍ବ ଓ ଅପ୍‌ସରାମାନେ ଆମ୍ଭର ଭ୍ରାତା କୁବେରଙ୍କୁ ଯେପରି ଖଟିଥାନ୍ତି, ମୁଁ ପାନସଭାକୁ ଗମନ କଲେ ସେଠାରେ ମୋତେ ମଧ୍ୟ ସେହିପରି ସେବା କରନ୍ତି ।୧୩। ମୁଁ ସାକ୍ଷାତ୍ ବିପ୍ରର୍ଷି ବିଶ୍ରବାଙ୍କର ପୁତ୍ର, ମୁଁ ପଞ୍ଚମ ଲୋକପାଳ ବୋଲି ମୋର ଯଶ ବିଖ୍ୟାତ ହୋଇଅଛି-। ହେ ଭବାନି ! ସୁରପତିଙ୍କ ଗୃହରେ ଯେପରି ଦିବ୍ୟ ଭକ୍ଷଭୋଜ୍ୟ ଅଛି, ମୋ ସଦନରେ ମଧ୍ୟ ସେହିପରି ଅଛି ।୧୫। ଅତଏବ ହେ ସୁଶ୍ରୋଣି ! ତୁମ୍ଭର ବନବାସଜନିତ ଦୁଃଖର ଶେଷ ହେଉ-। ତୁମ୍ଭେ ମନ୍ଦୋଦରୀଙ୍କ ପ୍ରାୟ ମୋ ମହିଷୀ ହୁଅ ।୧୬। ଶୁଭାନନା ବୈଦେହୀ ତାଦୃଶ ବଚନ ଶ୍ରବଣ କରି ତାହା ଆଡ଼ୁ ମୁଖ ଫେରାଇ ତୃଣ ବ୍ୟବଧାନ ରଖି ରହିଲେ ।୧୭। ବାଳା ଓ ବାମୋରୁ ସୀତା ସର୍ବଦା ରୋଦନ କରି ନେତ୍ର ଜଳଦ୍ୱାରା ସଂହତ ଓ ଅପତିତ ସ୍ତନଦ୍ୱୟ ଆପ୍ଳୁତ କଲେ-। ପତିଦେବତା ବୈଦେହୀ ସେହି କ୍ଷୁଦ୍ରକୁ କହିଲେ, ହେ ରାକ୍ଷସେଶ୍ୱର ! ତୁମ୍ଭେ ବାରମ୍ବାର ଈଦୃଶ ବାକ୍ୟ କହୁଅଛ ଓ ମୁଁ ହତଭାଗିନୀ ମଧ୍ୟ ବିଷଣ୍ଣ ହୋଇ ସେହିସବୁ ଶୁଣୁଅଛି । ଅତଏବ, ହେ ଭଦ୍ରେ-! ତୁମ୍ଭର ମଙ୍ଗଳ ହେଉ । ତୁମ୍ଭେ ଏହି ମନୋରଥରୁ ନିବୃତ ହୁଅ ।୨୦। ମୁଁ ପରର ଭାର୍ଯ୍ୟା; ସର୍ବଦା ପତିବ୍ରତା-। ଅତଏବ ତୁମ୍ଭେ ମୋତେ ଲାଭ କରି ନ ପାର । ପରନ୍ତୁ ମୁଁ କୃପଣା ମାନୁଷୀ ହୋଇ ତୁମ୍ଭର ଉପଯୁକ୍ତା ଭାର୍ଯ୍ୟା ହୋଇନପାରେ ।୨୧। ଅତଏବ ଏହି ପରାଧୀନାକୁ ଧର୍ଷଣ କରି ତୁମ୍ଭର କି ସୁଖ ହେବ ? ତୁମ୍ଭର ପିତା ବ୍ରହ୍ମାଯୋନିରୁ ଜାତ ବିଶ୍ରବା ପ୍ରଜାପତିଙ୍କ ସମାନ ମାନ୍ୟ-। ତୁମ୍ଭେ ମଧ୍ୟ ଲୋକପାଳଙ୍କ ପ୍ରାୟ ହୋଇ କି କାରଣରୁ ଧର୍ମ ପାଳନ କରିବାରେ ପରାଙ୍‌ନ୍ମୁଖ ହେଉଅଛ-? ତୁମ୍ଭେ କହୁଅଛ ଯେ କୁବେର ତୁମ୍ଭର ଭ୍ରାତା; ସେ ପ୍ରଭୁ ମହାଦେବଙ୍କର ସଖା ଅଟନ୍ତି; ଅତଏବ ତୁମ୍ଭେ ଏପରି କଥା କହିବାକୁ ଲଜ୍ଜିତ ହେଉ ନାହଁ । ଏହିପରି କହି କୁଶତନ୍ୱା ସୀତା ବସ୍ତ୍ରଦ୍ୱାରା ମୁଖ ଆଚ୍ଛାଦନ କରି ଗ୍ରୀବା ଓ ସ୍ତନକୁ କମ୍ପିତ କରି ଉଚ୍ଚୈଃସ୍ୱରରେ ରୋଦନ କଲେ ।୨୪। ରୋଦନ କଲାବେଳେ ତାହାଙ୍କ ମସ୍ତକରୁ କାଳଭୁଜଙ୍ଗିନୀ ସମ ସ୍ନିଗ୍‌ଧା ଓ କୃଷ୍ଣବର୍ଣ୍ଣ ସୁବଦ୍ଧ ବେଣୀ ଦୃଶ୍ୟ ହେଲା ।

 

ଦୁର୍ବୁଦ୍ଧି ଦଶାନନ ସୀତାଙ୍କ କଥିତ ସୁନିଷ୍ଠୁର ବାଣୀ ଶ୍ରବଣ କରି ନିବୃତ ହୋଇ ସୁଦ୍ଧା ପୁନର୍ବାର ଏହି କଥା କହିଲା, “ଅନଙ୍ଗ ମୋର ଅଙ୍ଗକୁ ପୀଡ଼ିତ କରୁଅଛି; କରୁ ପଛକେ, ତୁମ୍ଭେ ଅଭିଳାଷ ନ କଲେ ମୁଁ କଦାପି ତୁମ୍ଭର ସଙ୍ଗ କରିବି ନାହିଁ । ମନୁଷ୍ୟମାନେ ଆମ୍ଭମାନଙ୍କର ଆହାର, ରାମ ସେହି ଜାତୀୟ ହେଲେ ହେଁ ତୁମ୍ଭେ ଯେଉଁ ସ୍ଥଳେ ତାହାପ୍ରତି ଏତେ ଅନୁରାଗ କରୁଅଛ, ସେ ସ୍ଥଳେ ମୁଁ କିଛି କରିନପାରେ । ସର୍ବାଙ୍ଗ ସୁନ୍ଦରୀ ସୀତାଙ୍କୁ ଉକ୍ତ ପ୍ରକାରେ ବଚନ କହି ସେହି ମହାନ ରାକ୍ଷସେଶ୍ୱର ସେଠାରୁ ଅନ୍ତର୍ହିତ ହୋଇ ଅଭିଳଷିତ ଦିଗକୁ ଗମନ କଲା ।୩୦। ଶୋକକର୍ଷିତା ବୈଦେହୀ ତ୍ରିଜଟାଙ୍କ ସଙ୍ଗରେ ଥାଇ ରାକ୍ଷସୀମାନଙ୍କଦ୍ୱାରା ପରିବୃତା ହୋଇ ସେହି ସ୍ଥାନରେ ବସତି କଲେ ।୩୧।

 

॥ ଅଧ୍ୟାୟ – ୨୮୨ ॥

 

ମାର୍କଣ୍ଡେୟ କହିଲେ, ଏଣେ ରାମ ଲକ୍ଷ୍ମଣ ଦୁହିଁଙ୍କୁ ମାଲ୍ୟବାନ ପର୍ବତ ପୃଷ୍ଠରେ ସୁଗ୍ରୀବ ରଖାଇଥିଲେ । ସେ ଏକଦା ନିର୍ମଳ ଆକାଶମଣ୍ଡଳକୁ ଦର୍ଶନ କଲେ ।୧। ଶତ୍ରୁହନ୍ତା ରାମ ମହାଧର ପୃଷ୍ଠରେ ଥାଇ ବିମଳ ଗଗନର ଗ୍ରହ, ନକ୍ଷତ୍ର ଓ ତାରାଗଣଙ୍କୁ ଦେଖିଲେ ଯେ ସେମାନେ ଚନ୍ଦ୍ରମଣ୍ଡଳକୁ ବେଷ୍ଟନ କରିଅଛନ୍ତି । ପୁନର୍ବାର ସେହି ଧର୍ମାତ୍ମା ପ୍ରଭାତରେ ଶୀତଳ ସମୀରଣ ସ୍ପର୍ଶରେ ପ୍ରବୋଧିତ ହୋଇ ରାକ୍ଷସଗୃହରେ ନିରୁଦ୍ଧା ସୀତାଙ୍କୁ ସ୍ମରଣ କଲେ ଓ ଦୁର୍ମନା ହୋଇ ବୀର ଲକ୍ଷ୍ମଣଙ୍କୁ କହିଲେ ।୪। ହେ ଲକ୍ଷ୍ମଣ ! ତୁମ୍ଭେ କିଷ୍କିନ୍ଧ୍ୟାସ୍ଥ କପୀଶ୍ୱର ନିକଟକୁ ଶୀଘ୍ର ଗମନ କର । ସେ କୃତଘ୍ନ ନିଜର ଲାଭ କରିବାରେ ପଣ୍ଡିତ ଅଟେ । ସେ ଭାର୍ଯ୍ୟା ସହିତ ସୁଖରେ ମତ୍ତ ହୋଇ ରହିଅଛି ।୫। ସେହି କୁଳାଧମ ମୂଢ଼ ମୋଦ୍ୱାରା ରାଜ୍ୟରେ ଅଭିଷିକ୍ତ ହେଲା । ସବୁ ବାନର, ଗୋପୁଚ୍ଛ ଓ ଋକ୍ଷମାନେ ତାହାକୁ ଭଜନା କରୁଅଛନ୍ତି ।୬। ହେ ରଘୁକୁଳଧର ! ହେ ମହାବାହୋ ! ତତ୍କାଳରେ କିସ୍କିନ୍ଧ୍ୟାର ଉପବନରେ ତୁମ୍ଭ ସହିତ ଥାଇ ଏହା ନିମିତ୍ତ ଆମ୍ଭେ ବାଳୀକୁ ନିହତ କଲୁ । ହେ ଲକ୍ଷ୍ମଣ ! ମୁଁ ଜାଣୁଅଛି, ଏହି ସଂସାରରେ ସେ ବାନରମାନଙ୍କର ଅଧମ ଓ ମୂଢ଼ ଅଟେ । ମୁଁ ଯେ ଏପରି ଦୁଃଖ ଅବସ୍ଥାରେ ଅଛି, ତାହା ସେ ଜାଣୁନାହିଁ ।୮। ମୁଁ ବୋଧ କରୁଅଛି ଯେ ପ୍ରତିଜ୍ଞା କରି ତାହା କିପରି ପ୍ରତିପାଳନ କରିବାକୁ ହୁଏ, ତାହା ସେ ଜାଣେନାହିଁ । ସେହି ଅଳ୍ପବୁଦ୍ଧିଜୀବୀ ମୋଠାରୁ ଉପକାର ପ୍ରାପ୍ତ ହୋଇ ନିଶ୍ଚୟ ମୋତେ ଅବଜ୍ଞା କରୁଅଛି ।୯। ଯଦି ସେ ଉଦଯୋଗ ନ କରି କାମସୁଖରେ ମତ୍ତ ହୋଇ ଶୋଇ ରହେ, ତେବେ ସର୍ବଭୂତଙ୍କର ଯେଉଁ ଗତି ହୁଏ, ତାହାକୁ ସେହି ମାର୍ଗରେ ବାଳୀପ୍ରାୟ ପ୍ରେରଣ କରିବି ।୧୦। ଅଥବା ସେହି ବାନରପୁଙ୍ଗବ ଯେବେ ଆମ୍ଭ କାର୍ଯ୍ୟସିଦ୍ଧିରେ ପ୍ରୟାସୀ ହୋଇଥାଏ, ତେବେ ତାହାକୁ ଅବିଳମ୍ବେ ସଙ୍ଗରେ ଘେନି ଆସିବ ।୧୧।

 

ସୁମିତ୍ରାନନ୍ଦନ ସର୍ବଦା ରାମଙ୍କ ବାକ୍ୟରେ ଓ ହିତରେ ରତ ହୋଇଥାନ୍ତି । ସେ ଭ୍ରାତାଙ୍କର ଧନୁର୍ଗୁଣସମନ୍ୱିତ ରୁଚିର ଶରାସନ ଗ୍ରହଣ କରି ପ୍ରସ୍ଥାନ କଲେ ।୧୨। କିସ୍କିନ୍ଧ୍ୟାଦ୍ୱାରକୁ ଯାଇ ନିବାରିତ ନ ହୋଇ ତନ୍ମଧ୍ୟରେ ପ୍ରବିଷ୍ଟ ହେଲେ । ବାନରରାଜ ଜାଣିଲେ ଯେ ଲକ୍ଷ୍ମଣ କ୍ରୋଧାନ୍ୱିତ ହୋଇଅଛନ୍ତି । ଏହା ମନେକରି ତାହାଙ୍କୁ ଡାକିଆଣିବା ନିମିତ୍ତ ଅଗ୍ରସର ହେଲେ ।୧୩। ବାନରାଧିପତି ସୁଗ୍ରୀବ ଭାର୍ଯ୍ୟାଙ୍କ ସହିତ ବିନୟ ଭାବରେ ଲକ୍ଷ୍ମଣଙ୍କର ସମୁଚିତ ପୂଜାକରି ତାହାଙ୍କୁ ଗ୍ରହଣ କଲେ ।୧୪। ସୁମିତ୍ରାନନ୍ଦନ କିଛିମାତ୍ର ଭୟ ନ କରି ରାମ ଯେଉଁ ବାକ୍ୟ କହିଥିଲେ, ସେହିସବୁ ବାକ୍ୟ ଅବିକଳ କହିଲେ । ସେ କହିଲେ, ହେ ରାଜେନ୍ଦ୍ର ! ବାନରେନ୍ଦ୍ର ସୁଗ୍ରୀବ ସେହିସବୁ କଥା ଆଦ୍ୟପ୍ରାନ୍ତ ଶ୍ରବଣ କରି ଭାର୍ଯ୍ୟା ଓ ଭୂତଗଣଙ୍କୁ ସଙ୍ଗରେ ଘେନି ପ୍ରୀତିଯୁକ୍ତ, ବିନୀତ ଓ କୃତାଞ୍ଜଳି ହୋଇ ନରକୁଞ୍ଜର ଲକ୍ଷ୍ମଣଙ୍କୁ କହିଲେ, ହେ ଲକ୍ଷ୍ମଣ ! ମୁଁ ମୂଢ଼ ନୁହେଁ କି କୃତଘ୍ନ ନୁହେଁ, ଅଥବା ନିର୍ଦ୍ଦୟ ନୁହେଁ । ସୀତାଙ୍କ ଅନ୍ୱେଷଣ ବିଷୟରେ ମୁଁ ଯାହା ଯାହା କରିଅଛି, ତାହା କହୁଅଛି; ଶ୍ରବଣ କର । ସୁଶିକ୍ଷିତ ବାନରମାନଙ୍କୁ ସବୁ ଦିଗକୁ ପ୍ରେରଣ କରିଅଛି ଓ ସମସ୍ତଙ୍କୁ କହିଅଛି ଯେ ଏକ ମାସ ମଧ୍ୟରେ ସେମାନେ ଏଠାରେ ଆସି ଉପସ୍ଥିତ ହେବେ ।୧୮।

 

ହେ ମହାବୀର ! କାନନ, ଶୈଳ, ସାଗର, ପୁର, ଗ୍ରାମ, ନଗର ଓ ଆକରସମନ୍ୱିତ ଭୂମଣ୍ଡଳକୁ ସେମାନେ ଅନ୍ୱେଷଣ କରିବେ ।୧୯। ସେହି ମାସକ ପୂର୍ଣ୍ଣ ହେବାରୁ ଆଉ ପାଞ୍ଚ ଦିନ ଅବଶିଷ୍ଟ ଅଛି । ତହିଁ ଉତ୍ତାରୁ ଆପଣ ଓ ରାମ ଦୁହେଁ ମହାନ ସୁଖବାର୍ତ୍ତା ଶ୍ରବଣ କରିବେ ।୨୦। ଲକ୍ଷ୍ମଣ ମହାତ୍ମା ଅଟନ୍ତି । ବାନରେନ୍ଦ୍ର ସୁଗ୍ରୀବ ମଧ୍ୟ ବୁଦ୍ଧିମାନ । ଲକ୍ଷ୍ମଣ ତାହାଙ୍କ କଥା ଶ୍ରବଣ କରି ଚିତ୍ତରୁ କୋପ ଦୂର କଲେ ଓ ତାହାଙ୍କର ପୂଜା ସମାଦର ସହିତ ଗ୍ରହଣ କଲେ ।୨୧। ଓ ବାନରରାଜଙ୍କୁ ସଙ୍ଗରେ ଘେନି ମାଲ୍ୟବାନ ପର୍ବତରେ ଉପସ୍ଥିତ ହେଲେ । ସେଠାରେ ରାମଙ୍କ ନିକଟରେ ତାହାଙ୍କ କାର୍ଯ୍ୟର ଅଭ୍ୟୁଦୟ ବାର୍ତ୍ତା ନିବେଦନ କଲେ ।୨୨। ତଦନନ୍ତର ସୁଗ୍ରୀବ ଯେଉଁ ସହସ୍ର ସହସ୍ର ବାନରଙ୍କୁ ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗକୁ ପ୍ରେରଣ କରିଥିଲେ, ସେମାନେ ଫେରି ଆସିଲେ; କିନ୍ତୁ ଯେଉଁମାନେ ଦକ୍ଷିଣ ଦିଗକୁ ଗମନ କରିଥିଲେ, ସେମାନେ ଆସିଲେ ନାହିଁ । ଯେଉଁ ବାନରମାନେ ଫେରିଆସିଲେ, ସେମାନେ ରାମଙ୍କଠାରେ ନିବେଦନ କଲେ ଯେ ସେମାନେ ସାଗରମେଖଳା ପୃଥ୍ୱୀକୁ ଉତ୍ତମ ରୂପେ ଅନ୍ୱେଷଣ କଲେ; କିନ୍ତୁ ସୀତାଙ୍କର ଅଥବା ରାବଣର ଦେଖାପାଇଲେ ନାହିଁ । ଏହି ଅପ୍ରିୟ ବାର୍ତ୍ତା ଶ୍ରବଣ କରି ରାମ କାତର ହେଲେ । କିନ୍ତୁ ଦକ୍ଷିଣ ଦିଗରୁ ଦୂତ ଫେରି ଆସି ନ ଥିବାରୁ କଥଞ୍ଚିତ୍ ପ୍ରାଣ ଧାରଣ କରି ରହିଲେ ।୨୫। ଏଥି ଉତ୍ତାରୁ ଦୁଇ ମାସ ଗତ ହୁଅନ୍ତେ, କେତେଗୁଡ଼ିଏ ବାନର ଶୀଘ୍ର ଆସି ସୁଗ୍ରୀବଙ୍କ ନିକଟରେ ଉପସ୍ଥିତ ହେଲେ । ସେମାନେ କହିଲେ ।୨୬। ହେ ବାନରଶ୍ରେଷ୍ଠ ! ମହାରାଜ ! ପବନନନ୍ଦନ ହନୁମାନ, ବାଳିଙ୍କ ପୁତ୍ର ଅଙ୍ଗଦ ଓ ଅନ୍ୟାନ୍ୟ ବାନରଶ୍ରେଷ୍ଠ, ଯାହାଙ୍କୁ ଆପଣ ଦକ୍ଷିଣ ଦିଗକୁ ପ୍ରେରଣ କରିଥିଲେ, ସେମାନେ ଆସି ଆପଣଙ୍କ ମଧୁବନରେ ପଶି ସବୁ ଫଳ ଭକ୍ଷଣ କରୁଅଛନ୍ତି । ସେହି ବନକୁ ବାଳୀ ଓ ଆପଣ ଶ୍ରଦ୍ଧାପୂର୍ବକ ରକ୍ଷା କରାଇଥିଲେ; ସେହି ବନକୁ ସେ ଜୁର କରୁଅଛନ୍ତି ।୨୮। ହନୁମାନ ପ୍ରଭୃତି ବାନରଶ୍ରେଷ୍ଠଙ୍କର ତାଦୃଶ ପ୍ରଣୟସୂଚକ କାର୍ଯ୍ୟ ବୃତ୍ତାନ୍ତ ଶ୍ରବଣ କରି ସୁଗ୍ରୀବ ଭାଳିଲେ ଯେ, ସେମାନେ କୃତକାର୍ଯ୍ୟ ହୋଇଅଛନ୍ତି । ଭୃତ୍ୟମାନେ କୃତକାର୍ଯ୍ୟ ହେଲେ ତଦ୍ରୂପ ବ୍ୟବହାର କରନ୍ତି ।୨୯। ବୁଦ୍ଧିମାନ କପିବର ସୁଗ୍ରୀବ ସେହି ଘଟନା ସବୁ ରାମଙ୍କ ସମୀପରେ ଜଣାଇଲେ । ରାମ ମଧ୍ୟ ବିଚାରିଲେ ଯେ, ସୀତାଙ୍କର ସାକ୍ଷାତ୍‌କାର ମିଳିଅଛି ।୩୦।

 

ଏଣେ ହନୁମାନ ପ୍ରଭୃତି ବାନରଶ୍ରେଷ୍ଠ ବିଶ୍ରାମ କରିସାରି ରାମ, ଲକ୍ଷ୍ମଣ ଓ କପୀନ୍ଦ୍ର ସୁଗ୍ରୀବଙ୍କ ସମ୍ମୁଖରେ ଉପନୀତ ହେଲେ ।୩୧। ହେ ଭାରତ ! ହନୁମାନଙ୍କର ଗତି ଓ ମୁଖବର୍ଣ୍ଣ ଦେଖି ରାମ ପୁନର୍ବାର ବିଚାରିଲେ ଯେ, ସୀତାଙ୍କର ଦେଖା ମିଳିଲା ।୩୨। ଏଥିମଧ୍ୟରେ ହନୁମାନ ପୂର୍ଣ୍ଣମନୋରଥ ହୋଇ ରାମ ଓ ଲକ୍ଷ୍ମଣଙ୍କୁ ଆସି ବିଧିପୂର୍ବକ ପ୍ରଣାମ କଲେ । ତତ୍କାଳରେ ଧନୁଶର ଘେନି ରାମ ଉଭାହୋଇ ସମାଗତ ବାନରମାନଙ୍କୁ କହିଲେ, ତୁମ୍ଭେମାନେ କ’ଣ ମୋର ଜୀବନ ରକ୍ଷା କରିବ ? ତୁମ୍ଭେମାନେ କୃତକାର୍ଯ୍ୟ ହୋଇଅଛ କି ? ମୁଁ କ’ଣ ସମରରେ ଶତ୍ରୁମାନଙ୍କୁ ପରାସ୍ତ କରି ଜନକନନ୍ଦିନୀଙ୍କୁ ଘେନି ପୁନର୍ବାର ଅଯୋଧ୍ୟାକୁ ଯାଇ ରାଜ୍ୟ କରିବି । ମୋର ଦାରା ହରଣ ହୋଇଅଛି । ଅତଏବ ବୈଦେହୀଙ୍କୁ ଉଦ୍ଧାର ନ କରି ଓ ଶତ୍ରୁମାନଙ୍କୁ ସମରରେ ନିହତ ନ କରି ଜୀବନ ରଖିବି ନାହିଁ ।୩୬। ରାମ ଏହି କଥା କହିବାରୁ ପବନଙ୍କ ପୁତ୍ର ହନୁମାନ ତାହାଙ୍କୁ କହିଲେ, ମୁଁ ଆପଣଙ୍କ ପ୍ରିୟବାର୍ତ୍ତା କହୁଅଛି, ତୁମ୍ଭର ଜାନକୀଙ୍କୁ ମୁଁ ଆପଣା ନୟନରେ ଦେଖିଅଛି ।୩୭। ଦକ୍ଷିଣ ଦିଗରେ ଯେତେ ଅଚଳ, ଅରଣ୍ୟ ଓ ଆକରମାନ ଥିଲେ, ସେସବୁ ଅନ୍ୱେଷଣ କରୁ କରୁ ନିର୍ଦ୍ଦିଷ୍ଟ ସମୟ ମାସକ ଅତିକ୍ରାନ୍ତ ହେଲା । ଆମ୍ଭେମାନେ କ୍ଳାନ୍ତ ଓ ପରିଶ୍ରାନ୍ତ ହୋଇ ଗୋଟାଏ ମହା ଗୁହା ଦେଖିଲୁ । ସେହି ଗୁହା ଅନ୍ଧକାରମୟ; ବହୁ ଯୋଜନ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ; ତହିଁରେ ସୁନ୍ଦର ବିପିନ ଓ ଗହନମାନ ଅଛି ଓ ତାହା କୀଟଦ୍ୱାରା ପୂର୍ଣ୍ଣ ହୋଇଅଛି ।୩୯। ଆମ୍ଭେମାନେ ତନ୍ମଧ୍ୟରେ ପ୍ରବେଶ କରି ଅନେକ ଦୂର ଗଲା ପରେ ଆଦିତ୍ୟଙ୍କ ପ୍ରଭା ଦେଖିଲୁ । ସେ ଗୁହାରେ ଗୋଟିଏ ସୁନ୍ଦର ଭବନ ବିଲୋକନ କଲୁ ।୪୦।

 

ହେ ରାଘବ ! ସେହି ଗୃହ ମୟଦୈତ୍ୟଙ୍କର । ସେ ସେଠାରେ ବାସ କରୁଥିଲେ । ସେଠାରେ ପ୍ରଭାବତୀ ନାମରେ ଜଣେ ତପସ୍ୱିନୀ ତପସ୍ୟା କରୁଥିଲେ ।୪୧। ସେ ଆମ୍ଭମାନଙ୍କୁ ନାନାବିଧ ଭୋଜ୍ୟ ଓ ପାନୀୟ ପ୍ରଦାନ କଲେ । ଆମ୍ଭେମାନେ ସେହି ସବୁ ଭୋଜନ କରି ବର ଲାଭପୂର୍ବକ ଆମ୍ଭଙ୍କୁ ଯେ ଯେଉଁ ପଥ ଦେଖାଇ ଦେଲେ, ସେହି ପଥ ଦେଇ ବାହାରି ଆସିଲୁ । ଲବଣ ସମୁଦ୍ର ସମୀପରେ ଯେଉଁ ମହାଗିରି ସହ୍ୟ, ମଳୟ ଓ ଦର୍ଦ୍ଦୁରମାନ ଥିଲେ, ସେମାନଙ୍କୁ ଦର୍ଶନ କଲୁ ।୪୩। ତତ୍ପରେ ଆମ୍ଭେମାନେ ମଳୟ ପର୍ବତକୁ ଉଠି ସମୁଦ୍ରକୁ ଚାହିଁ ଅତିଶୟ ବିଷଣ୍ଣ ଓ ବ୍ୟଥିତ ହେଲୁ । ଆମ୍ଭମାନଙ୍କର ଏପରି ଦୁଃଖ ହେଲା ଯେ ଆମ୍ଭେମାନେ ହତାଶ ହେଲୁ ।୪୪। ଏହି ମହାସାଗର ବହୁ ଶତ ଯୋଜନ ବିସ୍ତୀର୍ଣ୍ଣ; ତନ୍ମଧ୍ୟରେ ତିମି, ନକ୍ର ଓ ବୃହତ ମତ୍ସ୍ୟମାନେ ବାସ କରନ୍ତି-। ଏହି ରୂପେ ଭାବନା କରି ଆମ୍ଭେମାନେ ଅତିଶୟ ଦୁଃଖିତ ହେଲୁ ।୪୫। ଅନାହାରରେ ପ୍ରାଣତ୍ୟାଗ କରିବାକୁ ସଂକଳ୍ପ କରି ସେଠାରେ ଉପବିଷ୍ଟ ହେଲୁ । ତତ୍ପରେ କଥାପ୍ରସଙ୍ଗରେ ଗୃଧ୍ର ଜଟାୟୁଙ୍କର କଥା ପଡ଼ିଲା ।୪୬। ତତ୍ପରେ ଆମ୍ଭେମାନେ ଶୈଳ ଶିଖର ସଦୃଶ ତଥା ଗରୁଡ଼ଙ୍କ ପ୍ରାୟ ଏକ ଭୟଙ୍କର ମୂର୍ତ୍ତିମାନ ପକ୍ଷୀ ଦେଖିଲୁ ।୪୭। ଆମ୍ଭେ ବୋଧକଲୁ ଯେ ସେହି ପକ୍ଷୀ ଆମ୍ଭମାନଙ୍କୁ ଭକ୍ଷଣ କରିବା ନିମିତ୍ତ ଆସୁଅଛି । ସେ ସମୀପସ୍ଥ ହୋଇ କହିଲା, ଆହେ ! ଆମ୍ଭର ଭ୍ରାତା ଜଟାୟୁଙ୍କ କଥା କହୁଅଛି, ଏହି ବ୍ୟକ୍ତି କିଏ ?୪୮। ଆମ୍ଭେ ସେହି ଜଟାୟୁଙ୍କର ଜ୍ୟେଷ୍ଠ ଭ୍ରାତା; ବିହଙ୍ଗରାଜ ସମ୍ପାତି ଆମ୍ଭର ନାମ ଅଟେ । ଆମ୍ଭେମାନେ ପରସ୍ପର ଜିଦ୍ କରି ସୂର୍ଯ୍ୟଙ୍କ ନିକଟକୁ ଗମନ କରିଥିଲୁ ।୪୯। ତହିଁରେ ଆମ୍ଭର ଏହି ପକ୍ଷଦ୍ୱୟ ଦଗ୍ଧ ହୋଇଗଲା; କିନ୍ତୁ ଜଟାୟୁଙ୍କର ପକ୍ଷ ଦଗ୍ଧ ହେଲା ନାହିଁ । ପକ୍ଷ ଦଗ୍ଧ ହୁଅନ୍ତେ ଆମ୍ଭେ ଏହି ମହାଗିରି ଉପରେ ରହିଅଛୁ; ସୁତରାଂ ଆମ୍ଭର ସେହି ପ୍ରିୟ ଭ୍ରାତା ଗୃଧ୍ରପତିଙ୍କୁ ସେହି ସମୟରେ ଦେଖିଥିଲୁ । ଆଉ ତାହାଙ୍କ ସହିତ ଦେଖା ହୋଇ ନାହିଁ । ହେ ରାଜନ୍‌ ! ସେ ଏହି କଥା କହନ୍ତେ ଆମ୍ଭେମାନେ ତାହାଙ୍କ ଭ୍ରାତାଙ୍କର ନିଧନବୃତ୍ତାନ୍ତ ଜଣାଇଲୁ । ଆପଣଙ୍କର ଏହି ଦୁଃଖ କଥା ମଧ୍ୟ ସଂକ୍ଷେପରେ ତାହାଙ୍କ ସମୀପରେ କୀର୍ତ୍ତନ କଲୁ-

 

ହେ ଅରିନ୍ଦମ ! ସମ୍ପାତି ସେହି ଅପ୍ରିୟ ବାର୍ତ୍ତା ଶ୍ରବଣ କରି ବିଷଣ୍ଣଚିତ୍ତ ହୋଇ ପୁନର୍ବାର ଆମ୍ଭମାନଙ୍କୁ ପଚାରିଲେ, ହେ ବାନରସତ୍ତମମାନେ ! ସେହି ରାମ କିଏ ? ସୀତା କିଏ ଓ କି ପ୍ରକାରେ ଅବା ଜଟାୟୁ ନିହତ ହେଲା ? ଏହିସବୁ ବୃତ୍ତାନ୍ତ ଆମ୍ଭେ ଶ୍ରବଣ କରିବାକୁ ଇଚ୍ଛୁକ ହେଉଅଛୁ । ତଦନନ୍ତର ଆମ୍ଭେ ଆପଣଙ୍କର ବିପଦ ଘଟଣା ଓ ଆମ୍ଭମାନଙ୍କର ପ୍ରାୟୋପବେଶନ କଥା ସବୁ ବିସ୍ତାରିତ ରୂପେ ତାହାଙ୍କ ସମୀପରେ ବର୍ଣ୍ଣନ କଲୁ । ତେତେବେଳେ ସେହି ବିହଙ୍ଗରାଜ ଆମ୍ଭମାନଙ୍କୁ ଏହି କଥା କହି ଉଠ ବୋଲି କହିଲେ ।୫୫। ଆମ୍ଭେ ରାବଣଙ୍କୁ ଜାଣୁ; ଲଙ୍କା ତାହାର ମହାପୁରୀ, ସେ ସାଗରର ଆର ପାରିରେ ଅଛି; ତ୍ରିକୂଟ ପର୍ବତର ଗୁହାରେ ଥାଇ ଚାହିଁଲେ ତାହା ଦୃଶ୍ୟ ହୁଏ ।୫୬। ଅତଏବ ସୀତା ସେହିଠାରେ ଥିବେ । ଏଥିରେ ଆମ୍ଭର କିଛି ମାତ୍ର ସଂଶୟ ନାହିଁ-। ହେ ପରନ୍ତପ ! ତାହାଙ୍କର ଏହି କଥା ଶୁଣି ଆମ୍ଭେମାନେ ସତ୍ୱର ଉଠି, ସାଗର କିପରି ପାରିହେବୁ ତାହାର ମନ୍ତ୍ରଣା କଲୁ । ସମୁଦ୍ର ପାରି ହେବାକୁ କେହି ଉଦ୍ୟମ ନ କରିବାରୁ ମୁଁ ପିତାଙ୍କୁ ସ୍ମରଣ କରି ଜଳରାକ୍ଷସୀକୁ ବିନା ପୁରଃସର ଶତ ଯୋଜନବିସ୍ତୀର୍ଣ୍ଣ ସାଗର ଉଲ୍ଲଙ୍ଘନ କଲି ।୫୯। ଲଙ୍କାକୁ ଯାଇ ସେଠାରେ ରାବଣର ଅନ୍ତଃପୁରରେ ସୀତାଙ୍କୁ ଦର୍ଶନ କଲି । ସେହି ପତିବ୍ରତା ଉପବାସ ରହି ସ୍ୱାମୀଦର୍ଶନ-ଲାଳସାରେ ତପଶ୍ଚରଣ କରୁଅଛନ୍ତି । ସଂସ୍କାର ଅଭାବରୁ କେଶ ଜଟିଳ ହୋଇଅଛି-। ଅଙ୍ଗ ମଳିନ, ଦେହ କୃଶ ଓ ସେ ଦୀନା ହୋଇଅଛନ୍ତି । ଅନ୍ୟାନ୍ୟ ପ୍ରକାର ଲକ୍ଷଣଦ୍ୱାରା ମୁଁ ତାହାଙ୍କୁ ସୀତା ବୋଲି ସ୍ଥିର କଲି । ପରିଶେଷରେ ମୁଁ ତାହାଙ୍କର ସନ୍ନିହିତ ହୋଇ ଅଭିବାଦନପୂର୍ବକ କହିଲି; ସୀତେ ! ମୁଁ ରାମଙ୍କର ଦୂତ, ପବନଙ୍କର ସୂତ ଓ ଜାତିରେ ମୁଁ ବାନର ଅଟେ ।୬୨। ଆପଣଙ୍କ ଦର୍ଶନାଭିଳାଷରେ ଗଗନମାର୍ଗରେ ଆସି ଏ ସ୍ଥାନରେ ଉପସ୍ଥିତ ହୋଇଅଛି-। ରାଜକୁମାର ରାମ, ଲକ୍ଷ୍ମଣ ଦୁଇ ଭାଇଙ୍କୁ ବାନରମାନଙ୍କର ଅଧିପତି ସୁଗ୍ରୀବ ସର୍ବପ୍ରକାରେ ରକ୍ଷା କରୁଅଛନ୍ତି ଓ ସେ ଦୁଇ ଭାଇ କୁଶଳରେ ଅଛନ୍ତି । ରାମ ଓ ସୌମିତ୍ରୀ ଦୁହେଁ ଆପଣଙ୍କର କୁଶଳ ବାର୍ତ୍ତା ଶୁଣିବାକୁ ଇଚ୍ଛା କରୁଅଛନ୍ତି । ଆପଣଙ୍କ ପତି ରାମଚନ୍ଦ୍ର ସଙ୍ଗରେ ମହାବଳ ବାନରସୈନ୍ୟ ଘେନି ଅବିଳମ୍ବେ ଆଗମନ କରିବେ ।୬୫।

 

ହେ ଦେବି ! ମୋତେ ବିଶ୍ୱାସ କରନ୍ତୁ, ମୁଁ ବାନର ଅଟେ, ରାକ୍ଷସ ନୁହେଁ । ମୋ ବାକ୍ୟ ଶୁଣି ମୁହୂର୍ତ୍ତେ ପର୍ଯ୍ୟନ୍ତ ସୀତା ଭାବି ଭାବି ମୋତେ ପ୍ରତିବଚନ କହିଲେ ।୬୬। ଅବିନ୍ଧ୍ୟଙ୍କ କଥା ମୁଁ ଜାଣୁଅଛି ଯେ ତୁମ୍ଭେ ହନୁମାନ । ହେ ମହାବାହୋ ! ଅବିନ୍ଧ୍ୟ ରାକ୍ଷସ ଅଟେ; କିନ୍ତୁ ସେ ବୃଦ୍ଧସମ୍ମତ ।୬୭। ସେ କହିଥିଲେ ଯେ ସୁଗ୍ରୀବଙ୍କର ତୁମ୍ଭ ସଦୃଶ ମନ୍ତ୍ରୀ ଅଛନ୍ତି । ବର୍ତ୍ତମାନ ତୁମ୍ଭେ ଯାଅ । ହେ ପୁରୁଷଶ୍ରେଷ୍ଠ ! ଉକ୍ତ କଥା କହି ସୀତା ମୋତେ ଗୋଟିଏ ମଣି ଦେଲେ । ଯେଉଁ ମଣିକୁ ସଙ୍ଗରେ ରଖିଥିବାରୁ ଏତେ କାଳ ସେ ବଞ୍ଚି ରହିଥିଲେ । ଆହୁରି ଆପଣଙ୍କ ପ୍ରତ୍ୟୟ ନିମିତ୍ତ ସେ ମୋତେ କହିଲେ ଯେ, ଚିତ୍ରକୂଟରେ ଆପଣ ବାୟସମାନଙ୍କ ପ୍ରତି ଯେଉଁ ଇଷିକା ପ୍ରେରଣ କରିଥିଲେ, ସେ କଥାଟି ମଧ୍ୟ କହିଦେଲେ ଆପଣଙ୍କ ଅଭିଜ୍ଞାନ ନିମିତ୍ତ ଆମ୍ଭେ ସେହି ଇଷିକା କଥାକୁ ମନରେ ରଖି ପରିଶେଷରେ ଲଙ୍କାପୁରୀକୁ ଦହନ କରି ଆସିଲୁ । ହନୁମାନଙ୍କ ଠାରୁ ଏହି ପ୍ରିୟବାର୍ତ୍ତା ଶୁଣି ରାମ ତାହାଙ୍କର ସମୁଚିତ ଅର୍ଚ୍ଚନା କଲେ ।୭୫।

 

॥ ଅଧ୍ୟାୟ – ୨୮୩ ॥

 

ମାର୍କଣ୍ଡେୟ କହିଲେ, ରାମ ସେହି ବାନରମାନଙ୍କ ସହିତ ଉପବେଶନ କରନ୍ତେ ସୁଗ୍ରୀବଙ୍କ ଆଜ୍ଞାନୁସାରେ ପ୍ରଧାନ ପ୍ରଧାନ ବାନରମାନେ ତାହାଙ୍କ ସମୀପକୁ ସମାଗମନ କଲେ ।୧। ବାଳୀଙ୍କର ଶ୍ୱଶୁର ଶ୍ରୀମାନ ସୁଷେଣ, ମହାବଳ ପରାକ୍ରାନ୍ତ ସହସ୍ର କୋଟି ବାନରସୈନ୍ୟଙ୍କଦ୍ୱାରା ପରିବୃତ ହୋଇ ରାମଙ୍କ ସମୀପରେ ଉପସ୍ଥିତ ହେଲେ ।୨। ମହାବୀର ବାନରେନ୍ଦ୍ର ଗଜ ଓ ଗବୟ ପ୍ରତ୍ୟେକେ ଶତକୋଟି ବାନର ସଙ୍ଗେ ଦେଖାଦେଲେ ।୩। ହେ ମହାରାଜ ! ଗୋପୁଚ୍ଛ ଓ ଗବାୟନ୍ଧ ବାନର ବୀର ଯାହାକୁ ଚାହିଁଲେ, ଭୟ ଜାତ ହୁଏ, ସେମାନେ ମଧ୍ୟ ଷାଠିଏ ସହସ୍ର କୋଟି କପିସୈନ୍ୟ ଘେନି ଉପସ୍ଥିତ ହେଲେ ।୪। ଗନ୍ଧମାଦନବାସୀ ବିଖ୍ୟାତ ଗନ୍ଧମାଦନ ସୁଦ୍ଧା ଲକ୍ଷେ କୋଟି ବାନରଙ୍କୁ ଆହରଣ କରି ଦର୍ଶନ ଦେଲେ ।୫। ପନସ ନାମକ ବାନର ବଡ଼ ବୁଦ୍ଧିମାନ ଓ ମେଧାବୀ ଥିଲେ । ସେ ବାଉନ କୋଟି ବାନରଙ୍କୁ ଘେନି ଆଗମନ କଲେ ।୭। ଜାମ୍ବବାନ ଲକ୍ଷେ କୋଟି ଭଲ୍ଲୁକସେନା ଘେନି ଆସିଲେ । ସେମାନଙ୍କ ମୁଖରେ ତିଳକ ଚିହ୍ନ ଥିଲା; ବର୍ଣ୍ଣରେ ସେମାନେ କୃଷ୍ଣ ଓ ଭୀମକର୍ମା ଅଟନ୍ତି ।୮। ମହାରାଜ ! ଏହିସବୁ ବାନର ଓ ଅନ୍ୟାନ୍ୟ ଯୂଥପତିସମୂହ ରାମଙ୍କ ସହାୟ ନିମିତ୍ତ ଆଗମନ କଲେ । ସେମାନଙ୍କ ସଂଖ୍ୟା କରିବା ଦୁଃସାଧ୍ୟ ।୯। ଗିରିଶୃଙ୍ଗ ସଦୃଶ ସେମାନଙ୍କର କଳେବର ବୃହତ ଓ ସେମାନଙ୍କର ଗର୍ଜନ ସିଂହନାଦସମ । ଇତସ୍ତତଃ ସେମାନେ ଧାବିତ ହେଲେ ଓ ସେମାନଙ୍କର ମହାଗର୍ଜନ ଶବ୍ଦ ଆକାଶକୁ ଉଠିଲା ।୧୦। କୌଣସି କୌଣସି ବାନରଙ୍କର ଆକାର ପର୍ବତଶିଖର ପ୍ରାୟ, କାହାର ଆକାର ମହିଷ ସମାନ, କାହାରି କାହାରି ରୂପ ଶରତ୍‌କାଳୀନ ଜଳଦସନ୍ନିଭ, କାହାର ମୁଖ ଦଳିତ ହିଙ୍ଗୁଳ ପ୍ରାୟ ରକ୍ତବର୍ଣ୍ଣ ।୧୧। କେହି କେହି ତନ୍ମଧ୍ୟରୁ ଊର୍ଦ୍ଧ୍ୱକୁ ଉଠୁଅଛନ୍ତି ଓ କେହି କେହି ତଳେ ପତିତ ହେଉଅଛନ୍ତି । କେହି କୁଦା ମାରୁଅଛନ୍ତି ଓ କେହି ଅବା ଧୂଳି ଉଡ଼ାଉଅଛନ୍ତି । ଏହିପରି କ୍ରୀଡ଼ା କରି ସମସ୍ତେ ଚତୁର୍ଦ୍ଦିଗରୁ ଆଗମନ କଲେ ।୧୨।

 

ପରିପୂର୍ଣ୍ଣ ସାଗରସଦୃଶ ବାନରସୈନ୍ୟମାନେ ସେହି ମାଲ୍ୟବାନ ଗିରିପୃଷ୍ଠରେ ସୁଗ୍ରୀବଙ୍କ ଆଜ୍ଞାକ୍ରମେ ନିବେଶ ସ୍ଥାପନ କଲେ ।୧୩। ତଦନନ୍ତର କପୀନ୍ଦ୍ରମାନେ ସମସ୍ତେ ସମାଗମନ କରନ୍ତେ ଶ୍ରୀଧର ରଘୁନନ୍ଦନ ସୁଗ୍ରୀବଙ୍କ ସହିତ ଶୁଭ ତିଥିରେ, ପ୍ରଶସ୍ତ ନକ୍ଷତ୍ର ଓ ମଙ୍ଗଳ ମୁହୂର୍ତ୍ତରେ ପ୍ରସ୍ଥାନ କଲେ । ସେହି ବ୍ୟୂହବଦ୍ଧ ସୈନ୍ୟ ଚଳିଲାବେଳେ ବୋଧହେଲା ଯେପରି କି ଆଉ ଗୋଟିଏ ପୃଥ୍ୱୀର ଲୋକ ଏକତ୍ର ହୋଇ ଗମନ କରୁଅଛନ୍ତି ।୧୫। ପବନନନ୍ଦନ ହନୁମାନ ସବୁ ସୈନ୍ୟଙ୍କ ମୁଖସ୍ୱରୂପ ହେଲେ । ନିର୍ଭୀକ ସୁମିତ୍ରାନନ୍ଦନ ସେହି ସେନାଙ୍କର ଜଘନ ଦେଶକୁ ପାଳନ କଲେ ।୧୬। ଗୋଧାଚର୍ମନିର୍ମିତ ତଳ ଓ ଅଙ୍ଗୁଳିତ୍ରଧାରୀ ରଘୁନନ୍ଦନ ବାନରମନ୍ତ୍ରୀଗଣଙ୍କଦ୍ୱାରା ପରିବୃତ ହୋଇ ଚନ୍ଦ୍ରସୂର୍ଯ୍ୟଙ୍କ ପ୍ରାୟ ପ୍ରସ୍ଥିତ ହେଲେ । ସୂର୍ଯ୍ୟୋଦୟ ବେଳେ କୌଣସି ବିଶାଳ ଧାନ୍ୟାଗାର ଯେପରି ଶୋଭା ପାଏ, ଶାଳ, ତାଳ, ଶୀଳା ରୂପ ଆୟୂଧ ସମନ୍ୱିତ ବାନରସୈନ୍ୟମାନେ ସେହିପରି ଶୋଭାନ୍ୱିତ ହେଲେ ।୧୮। ନଳ, ନୀଳ, ଅଙ୍ଗଦ, କ୍ରାଥ, ମୈନ୍ଦ ଓ ଦ୍ୱିବିନ୍ଦ ପ୍ରଭୃତି ବାନରମାନଙ୍କଦ୍ୱାରା ପରିଚାଳିତ ହୋଇ ରାମଙ୍କ କାର୍ଯ୍ୟସିଦ୍ଧି ନିମିତ୍ତ ବାନରସେନା ପ୍ରସ୍ଥିତ ହେଲେ ।୧୯। ସେମାନେ ଯେଉଁଠାରେ ବହୁତ ଫଳମୂଳ ଅଥବା ମଧୁମାଂସ ଦେଖନ୍ତି ଓ ଯେଉଁ ସ୍ଥାନକୁ ଅତି ପ୍ରଶସ୍ତ, ବିସ୍ତୀର୍ଣ୍ଣ ଓ ଜଳପୂର୍ଣ୍ଣ ଦେଖନ୍ତି, ସେହି ସ୍ଥାନମାନଙ୍କରେ ଉପନୀତ ହେଲେ; ଅଥଚ ଗିରିମାନଙ୍କ ପୃଷ୍ଠରେ ବିନା ବାଧାରେ ନିବାସ କରି ପରିଶେଷରେ ଲବଣ-ଜଳଧି ନିକଟରେ ଉପଗତ ହେଲେ ।୨୧। ବହୁବିଧ ଧ୍ୱଜାଶାଳୀ ମହତୀ କପିସେନା ବେଳାଭୂମିସ୍ଥିତ ବନମାନ ଅଧିକାର କରି ଦ୍ୱିତୀୟ ସାଗରସଦୃଶ ବସତି କଲେ ।୨୨। ତତ୍କାଳରେ ପ୍ରଧାନ ପ୍ରଧାନ ବାନରମାନଙ୍କ ସାକ୍ଷାତରେ ସୁଗ୍ରୀବଙ୍କୁ ଦଶରଥପୁତ୍ର ରାମ ଏହି ସମୟୋଚିତ କଥା କହିଲେ, ଏହି ସେନା ମହତୀ ଅଟେ । ସାଗରକୁ ଉତ୍ତୀର୍ଣ୍ଣ ହେବା ମଧ୍ୟ ଦୁଃସାଧ୍ୟ । ଅତଏବ ସମୁଦ୍ରକୁ କି ଉପାୟରେ ଲଙ୍ଘନ କରିବା, ତାହା କହ ।୨୪। ତହିଁରେ ଅନେକ ଆତ୍ମାଭିମାନୀ ବାନର କହିଲେ ଯେ ସେମାନେ ସମୁଦ୍ର ଲଙ୍ଘି ଯିବେ; କିନ୍ତୁ ପ୍ରକୃତ କାର୍ଯ୍ୟରେ ସେମାନେ ଅକ୍ଷମ ଥିଲେ ।୨୫। କେହି କେହି କହିଲେ ଯେ ନୌକାଦ୍ୱାରା ସେମାନେ ପାରି ହେବେ; କିନ୍ତୁ ରାମ ସେ ସମସ୍ତଙ୍କୁ ସାନ୍ତ୍ୱନା ଦେଇ କହିଲେ, ନା, ଏପରି ହେବ ନାହିଁ ।

 

ଶତଯୋଜନ ବିସ୍ତୀର୍ଣ୍ଣ ସମୁଦ୍ର ଡେଇଁ ଯିବାକୁ ବାନରମାନେ ପାରିବେ ନାହିଁ । ଅତଏବ, ହେ ବୀରମାନେ ! ତୁମ୍ଭମାନଙ୍କର କହିବା କଥା ଫଳଦାୟିନୀ ହେବ ନାହିଁ ।୨୭। ଆମ୍ଭମାନଙ୍କ ସୈନ୍ୟ ପାରିହେବା ନିମିତ୍ତ ବହୁସଂଖ୍ୟକ ନୌକା ଆବଶ୍ୟକ; କିନ୍ତୁ ସେସବୁ ନାହିଁ । ଶତ୍ରୁମାନେ ଅଳ୍ପମାତ୍ର ଛିଦ୍ର ପାଇଲେ ସେହି ନୌକାମାନ ବିନଷ୍ଟ କରି ଦେଇପାରନ୍ତି । ଅତଏବ ନୌକା ଅଥବା ଭେଳାଦ୍ୱାରା ପାର ହେବା ବୁଦ୍ଧି ଆମ୍ଭ ଅଭିମତରେ ସମୀଚୀନ ନୁହେଁ ।୨୯। ଉପାୟ ନିମିତ୍ତ ଆମ୍ଭେ ଏହି ଜଳଧିକୁ ଆରାଧନା କରିବୁ । ଉପବାସ କରି ଏହାଙ୍କ ବେଳାରେ ଶୟନ କରି ରହିବୁ । ଏପରି କଲେ ସେ ଅବଶ୍ୟ ଆମ୍ଭଙ୍କୁ କୌଣସି ଉପାୟ ପ୍ରଦର୍ଶନ କରିବେ । ଯଦି ନ କରନ୍ତି, ତେବେ ଅଗ୍ନିସଦୃଶ ସମୁଜ୍ଜ୍ୱଳ ମହାସ୍ତ୍ରପୁଞ୍ଜଦ୍ୱାରା ତାହାଙ୍କୁ ଭସ୍ମ କରି ପକାଇବୁ ।୩୧। ଉକ୍ତ ପ୍ରକାରେ ବଚନ କହି ରାମ ଓ ସୁମିତ୍ରାଙ୍କ ପୁତ୍ର ବିଧିପୂର୍ବକ ଆଚମନ କରି କୁଶଶଯ୍ୟାରେ ଶୟନ କରି ରହିଲେ ।୩୨। ଅନନ୍ତର ନଦୀପତି ରତ୍ନାକର ବିବିଧ ରତ୍ନମାନଙ୍କ ଆକରଦ୍ୱାରା ଓ ଜଳଜନ୍ତୁଙ୍କଦ୍ୱାରା ପରିବୃତ ହୋଇ ରାମଙ୍କୁ ସ୍ୱପ୍ନରେ ଦେଖାଦେଲେ ଓ କହିଲେ, ହେ କୌଶଲ୍ୟାନନ୍ଦନ ! ହେ ପୁରୁଷର୍ଷଭ ! ମୁଁ ଇକ୍ଷ୍ୱାକୁବଂଶରୁ ଉଦ୍ଭବ; ଅତଏବ ତୁମ୍ଭର କୁଟୁମ୍ବ । ତୁମ୍ଭର କି ସାହାଯ୍ୟ ମୋଦ୍ୱାରା ହେବ କହ । ରାମ ତାହାଙ୍କ ମଧୁର ବଚନ ଶୁଣି କହିଲେ, ହେ ନଦନଦୀପତେ ! ଆମ୍ଭର ଇଚ୍ଛା ଯେ ତୁମ୍ଭେ ଆମ୍ଭର ସୈନ୍ୟମାନଙ୍କୁ ପାରିହେବା ନିମିତ୍ତ ପଥ ପ୍ରଦାନ କର । ସେହି ବାଟେ ଯାଇ ଆମ୍ଭେ ପୌଲସ୍ତ୍ୟବଂଶର ଅଙ୍ଗାର ଦଶାନନକୁ ନିହତ କରିବୁ ।୩୬। ଆମ୍ଭର ଏହି ପ୍ରାର୍ଥନା ଯେବେ ତୁମ୍ଭେ ଅନାଦର କର, ତେବେ ଆମ୍ଭେ ଦିବ୍ୟାସ୍ତ୍ର ଅଭିମନ୍ତ୍ରିତ କରି ଶରସମୂହଦ୍ୱାରା ତୁମ୍ଭଙ୍କୁ ଶୁଷ୍କ କରିଦେବୁ-।୩୭। ରାମଙ୍କର ଉକ୍ତ ବଚନ ଶ୍ରବଣ କରି ବରୁଣଦେବ ବ୍ୟଥିତ ହେଲେ ଓ କରଯୋଡ଼ି ଏହି କଥା କହିଲେ ।୩୮।

 

ରାମ ! ଆମ୍ଭେ ତୁମ୍ଭର ବିଘ୍ନକାରୀ ନୋହୁ ଓ ଯହିଁରେ ତୁମ୍ଭର କାର୍ଯ୍ୟରେ ବାଧା ହୁଏ, ତାହା ମଧ୍ୟ ଆମ୍ଭର ଅଭିପ୍ରେତ ନୁହେଁ । ସମ୍ପ୍ରତି ତୁମ୍ଭେ ଆମ୍ଭର ଏହି କଥା ଶ୍ରବଣ କର । ତତ୍ପରେ ଯାହା କର୍ତ୍ତବ୍ୟ ତାହା କର ।୩୯। ଆପଣଙ୍କ ଆଜ୍ଞାନୁସାରେ ଯେବେ ମୁଁ ପଥପ୍ରଦାନ କରିବି, ଅନ୍ୟ ଲୋକେ ମଧ୍ୟ ଧନୁର୍ବଳ ପ୍ରଦର୍ଶନ କରି ଆମ୍ଭଙ୍କୁ ତଦ୍ରୂପ ଆଦେଶ ପ୍ରଦାନ କରିବେ ।୪୦। ପରନ୍ତୁ ଏହି ସୈନ୍ୟ ମଧ୍ୟରେ ତ୍ୱଷ୍ଟା ବିଶ୍ୱକର୍ମାଙ୍କର ପୁତ୍ର ନଳ ନାମରେ ଜଣେ ବାନର ଅଛନ୍ତି । ସେ ଶିଳ୍ପ-କର୍ମରେ ଅଭିଜ୍ଞ ଅଟନ୍ତି ।୪୧। ସେ କାଷ୍ଠ, ତୃଣ ବା ପ୍ରସ୍ତର ଯାହା କିଛି ଆମ୍ଭ ଉପରେ ନିକ୍ଷେପ କରିବେ, ତାହା ସବୁ ଆମ୍ଭେ ଧାରଣ କରିବୁ । ସେହିସବୁ ଭାସମାନ ଦ୍ରବ୍ୟଦ୍ୱାରା ତୁମ୍ଭର ସେତୁ ନିର୍ମିତ ହେବ ।୪୨। ସମୁଦ୍ର ଏହି କଥା କହି ଅନ୍ତର୍ଦ୍ଧାନ ହେଲେ । ରାମ ନଳଙ୍କୁ ଡକାଇ କହିଲେ, “ତୁମ୍ଭେ ସେତୁ ନିର୍ମାଣ କର । ଆମ୍ଭର ବିବେଚନାରେ ତୁମ୍ଭେ ସେ ବିଷୟରେ ନିପୁଣ ଓ ସମର୍ଥ ଅଟ”।୪୩।

 

ଏହିରୂପେ ନଳଙ୍କୁ ଉପାୟସ୍ୱରୂପ ପାଇ ରାମ ତାହାଙ୍କଦ୍ୱାରା ଗୋଟିଏ ବୃହତ ସେତୁ ନିର୍ମାଣ କରାଇଲେ । ସେ ସେତୁର ଦୈର୍ଘ୍ୟ ଶତ ଯୋଜନ ଓ ପ୍ରସ୍ଥ ଦଶ ଯୋଜନ ।୪୪। ସେହି ଶୈଳାକାର ସେତୁ ରାମଙ୍କଦ୍ୱାରା ନିର୍ମିତ ହୋଇ ଅଦ୍ୟାପି ଭୂମଣ୍ଡଳରେ ନଳସେତୁ ବୋଲି ପ୍ରସିଦ୍ଧ ଅଟେ ।୪୫। ରାକ୍ଷସେଶ୍ୱର ରାବଣର ଭ୍ରାତା ବିଭୀଷଣ ପରମଧାର୍ମିକ ଥିଲେ । ସେ ଚାରି ଜଣ ମନ୍ତ୍ରୀଙ୍କୁ ସଙ୍ଗରେ ଘେନି ରାମଙ୍କ ନିକଟରେ ଉପସ୍ଥିତ ହେଲେ ।୪୬। ମହାମନା ରାମ ତାହାଙ୍କୁ ସ୍ୱାଗତ ବୋଲି କହି ଆଦରପୂର୍ବକ ଗ୍ରହଣ କଲେ । ସୁଗ୍ରୀବ ସେମାନଙ୍କୁ ଦେଖି ଶଙ୍କା କଲେ ଯେ ସେମାନେ ଅବା ଚର ହୋଇଥିବେ ।୪୭। ବିଭୀଷଣଙ୍କର ଅକପଟ କାର୍ଯ୍ୟ ଓ ଭାବସମୂହଦ୍ୱାରା ଯେତେବେଳେ ରାମ ସନ୍ତୁଷ୍ଟ ହେଲେ, ତେତେବେଳେ ସେମାନଙ୍କୁ ଆଦରପୂର୍ବକ ଗ୍ରହଣ କରି ବିଭୀଷଣଙ୍କୁ ରାକ୍ଷସ ରାଜ୍ୟରେ ଅଭିଷିକ୍ତ କଲେ । ତାହାଙ୍କୁ ନିଜର କନିଷ୍ଠ ମନ୍ତ୍ରୀ କରି ଲକ୍ଷ୍ମଣଙ୍କର ମିତ୍ର କରିଦେଲେ ।୪୯। ହେ ନୃପ ! ବିଭୀଷଣଙ୍କ ମତାନୁସାରେ ରାମ ସମଗ୍ର ସେନା ସହ ଏକ ମାସ ମଧ୍ୟରେ ସେତୁ ପାରିହୋଇ ଲଙ୍କାରେ ପ୍ରବେଶ କଲେ ।୫୦। ତଦନନ୍ତର ଲଙ୍କା ମଧ୍ୟରେ ଅନେକ ପ୍ରକାର ବଡ଼ ବଡ଼ ଉଦ୍ୟାନ ସନ୍ନିଧିରେ ଉପଗତ ହୋଇ ସେମାନଙ୍କଦ୍ୱାରା ସେସବୁ ଧ୍ୱଂସ କରାଇଲେ ।୫୧। ରାବଣର ମନ୍ତ୍ରୀ ଶୁକ ଓ ସାରଣ ଦୁଇ ଜଣ ବାନର ରୂପ ଧରି ସେଠାରେ ଚର ହୋଇ ରହିଥିଲେ । ବିଭୀଷଣ ସେମାନଙ୍କୁ ଚିହ୍ନିପାରି ଥିଲେ ।୫୨। ସେହି ନିଶାଚରମାନେ ଯେତେବେଳେ ନିଜର ରାକ୍ଷସ ରୂପ ଧାରଣ କଲେ, ତେତେବେଳେ ରାମ ସେମାନଙ୍କୁ କପିବଳ ଦେଖାଇ ମୁକ୍ତ କରିଦେଲେ ।୫୩। ଏହି ରୂପେ ରାମ ଲଙ୍କାପୁରୀର ଉପବନରେ ସୈନ୍ୟ ନିବେଶିତ କଲା ପରେ ପ୍ରଜ୍ଞାଶୀଳ ଅଙ୍ଗଦକୁ ଦୂତକରି ଦଶଗ୍ରୀବଠାକୁ ପ୍ରେରଣ କଲେ ।୫୪।

 

॥ ଅଧ୍ୟାୟ – ୨୮୪ ॥

 

ମାର୍କଣ୍ଡେୟ କହିଲେ, ସେହି ଉପବନରେ ଅନ୍ନ, ଜଳ, ଫଳ ଓ ମୂଳ ପ୍ରଚୁର ପରିମାଣରେ ଥିବାରୁ କକୁସ୍ଥବଂଶ ଧୁରନ୍ଧର ରାମ ସେଠାରେ ସେନାଙ୍କୁ ସନ୍ନିବେଶିତ କରି ବିଧିପୂର୍ବକ ସେମାନଙ୍କୁ ରକ୍ଷାକଲେ ।୧। ଅପରପକ୍ଷରେ ଯୁଦ୍ଧ-ଶାସ୍ତ୍ରାନୁସାରେ ନିର୍ମିତ ଯନ୍ତ୍ରାଦିମାନଙ୍କୁ ରାବଣାସୁର ସୁସଜ୍ଜିତ କଲା ।୨। ସେଠାରେ ସାତଗୋଟି ପାରିଖା ସ୍ୱଭାବତଃ ମୀନ, କୁମ୍ଭୀର ପ୍ରଭୃତି ଜଳଜନ୍ତୁଙ୍କ ବାସ ହେତୁରୁ ଦୁରାଷଦ ହୋଇଥିଲେ । ପୁନଶ୍ଚ ତହିଁରେ ଖଦୀରକାଷ୍ଠର ଶଙ୍କୁସବୁ ନିହିତ ହୋଇଥିଲା ଓ ଗୋଲାମାନ ଉତକ୍ଷେପଣ କରିବା ନିମିତ୍ତ ଯନ୍ତ୍ରସବୁ ପ୍ରସ୍ତୁତ ହୋଇ ତାହା ପାର୍ଶ୍ୱରେ ଥିଲା । ଲୌହଗୋଲକ ଓ ଲୌହଲଗୁଡ଼ଦ୍ୱାରା ବ୍ୟାପ୍ତ ହୋଇ ଚତୁର୍ଦ୍ଦିଗରେ ଅସଂଖ୍ୟ ବିଷଧର ସମାକୀର୍ଣ୍ଣ ହୋଇଥିବାରୁ ସେହି ଦୁର୍ଗ ଅଗମ୍ୟ ହୋଇଥିଲା । ଆହୁରି ସର୍ଜରସ (ଝୁଣା) ଚୂର୍ଣ୍ଣ ମୁଷଳ, ଅଲାତ (ବନୋଟି), ତୋମର, ଅସି, ପରଶୁ, ଶତଘ୍ନୀ ଓ ମଧୂଚ୍ଛିଷ୍ଟ (ମହମ) ପୂର୍ଣ୍ଣ ମୁଦ୍‌ଗରାକୃତି ଅଗ୍ନିଦାହ ଦ୍ରବ୍ୟ ଓ ଅସ୍ତ୍ରାଦିଦ୍ୱାରା ସେହି ଦୁର୍ଗ ଅତିଶୟ ଦୁର୍ଦ୍ଧର୍ଷ ଓ ଭୟଙ୍କର ହୋଇଥିଲା ।୫। ପୁରଦ୍ୱାରମାନଙ୍କରେ କପାଟ ସବୁ ଲାଗିଥିଲା ଅଥଚ ସ୍ଥାବର ଓ ଜଙ୍ଗମ, ଗୁଳ୍ମ(୧), ପଦାତି ଓ ବହୁସଂଖ୍ୟକ ଗଜବାଜୀଙ୍କ ସନ୍ନିବେଶଦ୍ୱାରା ଦୁଷ୍ପ୍ରବେଶ୍ୟ ହୋଇଥିଲା ।୬।

 

ମହାପରାକ୍ରମ ଅଙ୍ଗଦ ଲଙ୍କାପୁରର ଦ୍ୱାରଦେଶରେ ଉପସ୍ଥିତ ହୁଅନ୍ତେ ରାବଣଙ୍କୁ ଦ୍ୱାରୀମାନେ ଜଣାଇଲେ । ତାହାଙ୍କର ଅନୁମତି ଘେନି ଅଙ୍ଗଦ ନିଃଶଙ୍କ ହୋଇ ପୁର ମଧ୍ୟରେ ପ୍ରବେଶ କଲେ ଓ କୋଟି କୋଟି ବାନରଗଣ ମଧ୍ୟ ଆସି ମେଘମାଳାପରିବୃତ ଆଦିତ୍ୟଙ୍କ ପ୍ରାୟ ଶୋଭାନ୍ୱିତ ଦିଶିଲେ ।୮। ଅମାତ୍ୟଗଣପରିବୃତ ପୌଲସ୍ତ୍ୟଙ୍କ ନିକଟରେ ଉପସ୍ଥିତ ହୋଇ ଅଙ୍ଗଦ ରାମଙ୍କ ସନ୍ଦେଶ ଜଣାଇଲେ । ସେ ବାଗ୍ମୀ କହିଲେ– ହେ ରାଜନ୍‌ ! କୋଶଳାଧିପତି ମହାଯଶା ରାଘବ ତୁମ୍ଭଙ୍କୁ ଏହି ସମୟୋଚିତ ବାକ୍ୟ କହିଅଛନ୍ତି, ତୁମ୍ଭେ ସେହି ବାକ୍ୟ ଗ୍ରହଣ କରି ତଦନୁରୂପ କାର୍ଯ୍ୟ କର ।୧୦। ରାଜା ଅନ୍ୟାୟରେ ରତ ହେଲେ ଓ ଅକୃତାତ୍ମା ହେଲେ ତାହାଙ୍କର ରାଜ୍ୟ ଓ ନଗର ମଧ୍ୟ ଅନ୍ୟାୟଭାଗୀ ହୋଇ ବିନଷ୍ଟ ହୁଏ ।୧୧। ତୁମ୍ଭେ ବଳପୂର୍ବକ ଆମ୍ଭର ସୀତାଙ୍କୁ ହରି ନେଇ ଅପରାଧ କରିଅଛ; କିନ୍ତୁ ତୁମ୍ଭର ସେହି ଅପରାଧ ଅପର ନିରପରାଧଙ୍କର ମଧ୍ୟ ବିନାଶର କାରଣ ହେବ ।୧୨। ପୂର୍ବେ ତୁମ୍ଭେ ବଳ ଓ ଦର୍ପରେ ମୋହିତ ହୋଇ ବନେଚର ଋଷିମାନଙ୍କୁ ହିଂସା କରିଅଛ, ଦେବଗଣଙ୍କୁ ଅବମାନିତ କରିଅଛ । ରାଜର୍ଷିଗଣଙ୍କୁ ନିହତ କରିଅଛ, ରୋଦନ କରୁଥିବା ନାରୀମାନଙ୍କୁ ଅପହରଣ କରିଅଛ । ସେହିସବୁ ଦୁର୍ଣ୍ଣୟର ଫଳ ଫଳିବାର ସମୟ ହୋଇଅଛି ।୧୪। ତୁମ୍ଭର ମନ୍ତ୍ରୀମାନଙ୍କ ସହିତ ତୁମ୍ଭଙ୍କୁ ଆମ୍ଭେ ଯମାଳୟକୁ ପ୍ରେରଣ କରିବୁ । ଆସ, ଯୁଦ୍ଧ କର । ପୁରୁଷ ହୁଅ । ତୁମ୍ଭେ ନିଶାଚର; କିନ୍ତୁ ଆସ, ମନୁଷ୍ୟର ଧନୁର୍ବଳ କିପରି ତାହା ଦେଖ । ତୁମ୍ଭେ ଜନକନନ୍ଦିନୀ ସୀତାଙ୍କୁ ପରିତ୍ୟାଗ କର । ନତୁବା ତୁମ୍ଭେ ଆମ୍ଭ ହାତରୁ କଦାପି ପରିତ୍ରାଣ ପାଇବ ନାହିଁ । ନିଶିତ ଶରସମୂହଦ୍ୱାରା ଆମ୍ଭେ ଏହି ଧରଣୀକୁ ରାକ୍ଷସଶୂନ୍ୟ କରିବୁ । ଦୂତକଥିତ ଉକ୍ତ ପ୍ରକାର ପରୁଷବଚନ ଶ୍ରବଣ କରି ରାକ୍ଷସରାଜ ରାବଣ କ୍ରୋଧରେ ମୂର୍ଚ୍ଛିତ ହୋଇ ଆଉ ସହ୍ୟ କରିପାରିଲା ନାହିଁ ।୧୭।

 

ଅନନ୍ତର ଚାରି ଜଣ ରାକ୍ଷସ ଅଙ୍ଗଦଙ୍କର ଚାରି ଅଙ୍ଗକୁ ଧରିଲେ । ତହିଁରୁ ବୋଧହେଲା ଯେପରି ବିହଙ୍ଗମାନେ ଶାର୍ଦ୍ଦୂଳକୁ ଆକ୍ରମଣ କଲେ ।୧୮। ଅଙ୍ଗଦ ସେହିପରି ଅଙ୍ଗସଂଲଗ୍ନ ରାକ୍ଷସଙ୍କ ସହ ଉତ୍ପତିତ ହୋଇ ପ୍ରାସାଦ ଉପରେ ବସିଲେ ।୧୯। ବେଗରେ ଉତ୍ପତିତ ହେବାରୁ ରାକ୍ଷସମାନେ ତାହାଙ୍କ ଦେହରୁ ଖସି ପଡ଼ିଲେ ଏବଂ ଭଗ୍ନହୃଦୟ ଓ ଆଘାତପ୍ରାପ୍ତ ହୋଇ ଅତିମାତ୍ର ବ୍ୟଥିତ ହେଲେ ।୨୦। ଏଣେ ହର୍ମ୍ୟଶିଖରାରୂଢ଼ ସେହି ମହାତେଜସ୍ୱୀ ବାନର ଲମ୍ଫଦ୍ୱାରା ଲଙ୍କାପୁରକୁ ଉଲ୍ଲଙ୍ଘନ କରି ନିଜ ଶିବିରରେ ଉପନୀତ ହେଲେ । ଅବତୀର୍ଣ୍ଣ ହେଲା ପରେ ରଘୁନନ୍ଦନଙ୍କ ଛାମୁରେ ଆଗତ ହୋଇ ସବୁ ବୃତ୍ତାନ୍ତ ଜଣାଇଲେ । କୋଶଳେନ୍ଦ୍ର ତାହାଙ୍କୁ ଅଭିନନ୍ଦନ କରନ୍ତେ ସେ ସେଠାରୁ ବିଦାୟ ନେଇ ସ୍ୱକୀୟ ବାସରେ ବିଶ୍ରାମ କଲେ ।୨୨। ତଦନନ୍ତର ପବନସଦୃଶ ବେଗବାନ ସମୁଦାୟ ବାନର ସେନାଙ୍କୁ ରଘୁନନ୍ଦନ ନିଯୁକ୍ତ କରି ଲଙ୍କାର ପ୍ରାକାର ଭଙ୍ଗାଇଲେ ।୨୩। ଏହି ସମୟରେ ବିଭୀଷଣ ଓ ଜାମ୍ବବାନଙ୍କୁ ଅଗ୍ରଣୀ କରି ଲକ୍ଷ୍ମଣ ଯାଇ ଅଭେଦ୍ୟ ଦକ୍ଷିଣଦ୍ୱାରକୁ ଭାଙ୍ଗିଲେ ।୨୪। କରଭ ବର୍ଣ୍ଣ ପ୍ରାୟ ଅରୁଣ ଓ ପାଣ୍ଡୁର ବର୍ଣ୍ଣ ଶତ ସହସ୍ର କୋଟି ବାନରଗଣଙ୍କୁ ଘେନି ରଘୁପତି ଲଙ୍କା ଆକ୍ରମଣ କଲେ ।୨୫।

 

ଯୁଦ୍ଧଶାଳୀ ବାନରଙ୍କ ବ୍ୟତୀତ ତିନିକୋଟି ଧୂମବର୍ଣ୍ଣ ରାକ୍ଷସ ମଧ୍ୟ ଯୁଦ୍ଧରେ ନିହତ ହେଲେ-। ସେମାନଙ୍କର ଲମ୍ବମାନବାହୁ, ଦୀର୍ଘ ଊରୁ, କର ଓ ଜଙ୍ଘ ହେତୁରୁ ଯୁଦ୍ଧ କରିବାରେ ସମ୍ୟକ୍ ରୂପେ ଯୋଗ୍ୟ ହୋଇଥିଲେ ।୨୬। ବାନରସେନାଙ୍କର ଉତ୍ପତନ, ଭୂମିପତନ ଓ ବେଗ ସଞ୍ଚରଣ ହେତୁରୁ ଧୂଳିସବୁ ଉତ୍‌ଥିତ ହୁଅନ୍ତେ ପ୍ରଭାକର ହତପ୍ରଭ ହୋଇ ଅଦୃଶ୍ୟ ହେଲେ ।୨୭। ନାନାବର୍ଣ୍ଣର ବାନରମାନେ ପ୍ରାକାର ଉପରେ ଆରୋହଣ କରିବାରୁ ତତ୍ରତ୍ୟ ବୃଦ୍ଧ, ଶିଶୁ ଓ ସ୍ତ୍ରୀମାନେ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ । ତନ୍ମଧ୍ୟରେ କେହି ବାନର ଶାଳୀଧାନ୍ୟ ଫୁଲର ବର୍ଣ୍ଣ, କେହି ଶିରୀଷକୁସୁମ ବର୍ଣ୍ଣ, କେହି ତରୁଣ ସୂର୍ଯ୍ୟମଣ୍ଡଳର ବର୍ଣ୍ଣ ଓ କେହି କେହି ଶଣଫୁଲ ପ୍ରାୟ ଗୌରବର୍ଣ୍ଣ ଦିଶୁଥିଲେ-।୨୯। ମଣିସ୍ତମ୍ଭ ଓ କର୍ଣ୍ଣାଖ୍ୟ ଅଟ୍ଟାଳିକାର ଶିଖରମାନ ସେହି ବାନରମାନେ ଭଗ୍ନ କଲେ । ସେମାନେ ଜନ୍ତୁମାନଙ୍କର ଶୃଙ୍ଗସବୁ ଭଗ୍ନ ଓ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲେ ।୩୦। ଶତଘ୍ନୀ, ଚକ୍ର, ଲଗୁଡ଼ ଓ ଗୋଲକମାନ ହସ୍ତରେ ଧରି ମହାନ ଶବ୍ଦ କରି ବହୁବେଗୀ କପିମାନେ ରାକ୍ଷସମାନଙ୍କ ସହିତ ଲଙ୍କାକୁ ଧ୍ୱଂସ କଲେ ।୩୧। ପ୍ରାକାର ଉପରେ ଯେଉଁ ରାକ୍ଷସମାନେ ଥିଲେ, ସେମାନଙ୍କୁ କପିସୈନ୍ୟ ଗୋଡ଼ାଇବାରୁ ସେମାନେ ପଳାୟନ କଲେ ।୩୨।

 

ତଦନନ୍ତର ନିଶାଚର ରାଜାଙ୍କ ଆଦେଶାନୁସାରେ କାମରୂପୀ ଲକ୍ଷ ଲକ୍ଷ ବିକୃତାକାର ରାକ୍ଷସମାନେ ଯୁଦ୍ଧାର୍ଥ ନିର୍ଗତ ହେଲେ !୩୩। ସେମାନେ ଅତିଶୟ ବିକ୍ରମ ପ୍ରକାଶ କରି ଶରଧାରା ବର୍ଷଣଦ୍ୱାରା ବାନରମାନଙ୍କୁ ତଡ଼ିଦେଇ ପ୍ରାକାର ଅଧିକାର କଲେ ।୩୪। ମାଂସ-ସ୍ତୂପ ସଦୃଶ ଭୟଙ୍କର ରାକ୍ଷସମାନଙ୍କଦ୍ୱାରା ପ୍ରାକାର ପୁନର୍ବାର ବାନରଶୂନ୍ୟ ହେଲା ।୩୫। ଶୂଳଦ୍ୱାରା ଭିନ୍ନ ଦେହ ହୋଇ କେତେକ ବାନର ଭୂମିରେ ପତିତ ହେଲେ । ସ୍ତମ୍ଭ ଓ ତୋରଣମାନ ଭଗ୍ନ ହେବାରୁ କେତେକ ରାକ୍ଷସ ମଧ୍ୟ ବିନଷ୍ଟ ହେଲେ ।୩୭। ଭକ୍ଷଣକାରୀ ରାକ୍ଷସ ଓ ବାନରମାନେ କେଶ ଧରାଧରି ହୋଇ ଯୁଦ୍ଧରେ ନିରତ ହେଲେ । ସେମାନେ ଦନ୍ତ ଓ ନଖଦ୍ୱାରା ମଧ୍ୟ ପରସ୍ପର ଆକ୍ରମଣ କଲେ ।୩୭। ଉଭୟ ପକ୍ଷର ବାନର ଓ ରାକ୍ଷସମାନେ ଯୁଦ୍ଧବେଳେ ଗର୍ଜନ ତର୍ଜନ କରି ଧରାଧରି ହୋଇ ନିହତ ହେଲେ । ତଥାପି କେହି କାହାକୁ ନ ଛାଡ଼ି ଭୂତଳରେ ନିପତିତ ହେଲେ ।୩୮। ରାମ ମଧ୍ୟ ଜଳଦ ପ୍ରାୟ ଲଙ୍କା ପ୍ରତି ଶର ବର୍ଷଣ କଲେ । ସେହିସବୁ ଶର ନିଶାଚରଙ୍କ ଉପରେ ପଡ଼ି ସେମାନଙ୍କୁ ନିହତ କଲା ।୩୯। ଦଢ଼ଧନ୍ୱା ସୁମିତ୍ରାନନ୍ଦନ ଲକ୍ଷ୍ମଣ ଯେ କି କଦାପି କ୍ଳାନ୍ତ ହୁଅନ୍ତି ନାହିଁ, ସେ ଦୁର୍ଗସ୍ଥିତ ନିଶାଚରଙ୍କୁ ଗୋଟି ଗୋଟି ଡାକି ଡାକି ନରାଚ ପ୍ରହାରଦ୍ୱାରା ନିିପାତିତ କଲେ ।୪୦। ଏହିରୂପେ ଲଙ୍କାରେ ବିମର୍ଦ୍ଦନ ହୁଅନ୍ତେ ରାମଙ୍କ ଆଜ୍ଞାକ୍ରମେ ସୈନିକମାନେ ଯୁଦ୍ଧ ଜୟ କରି ବିଶ୍ରାମ କଲେ ।୪୧।

 

॥ ଅଧ୍ୟାୟ – ୨୮୫ ॥

 

ମାର୍କଣ୍ଡେୟ କହିଲେ, ଅନନ୍ତର ରାତ୍ରିରେ ସେହି ସୈନିକମାନେ ଶୟନ କରିଅଛନ୍ତି, ଏମନ୍ତ ସମୟରେ ଦଶଗ୍ରୀବର ଅନୁଚର ପର୍ବଣ, ପତନ, ଜମ୍ଭ, ଖର, କ୍ରୋଧବଶ, ହରି ପରୁଜ, ଅରୁଜ ଓ ପ୍ରଘସ ପ୍ରଭୃତି ବହୁସଂଖ୍ୟକ ପିଶାଚ ଓ କ୍ଷୁଦ୍ର ରାକ୍ଷସ ସେମାନଙ୍କ ସମୀପବର୍ତ୍ତୀ ହେଲେ ।୨। ସେହି ଦୁରାତ୍ମାମାନେ ଅଦୃଶ୍ୟ ହୋଇ ଦଉଡ଼ୁଥିଲେ; କିନ୍ତୁ ଅନ୍ତର୍ଦ୍ଧାନନିରାକରଣପଣ୍ଡିତ ବିଭୀଷଣ ସେମାନଙ୍କର ଅନ୍ତର୍ଦ୍ଧାନ ଶକ୍ତି ସଂହାର କଲେ ।୩। ହେ ରାଜନ୍‌ ! ସେମାନେ ଦୃଶ୍ୟ ହୁଅନ୍ତେ ବଳଶାଳୀ ବାନରମାନେ ଦୂରରୁ ଲମ୍ଫମାରି ସେମାନଙ୍କୁ ଧରି ନିହତ କଲେ । ରାକ୍ଷସମାନେ ଧରାଶାୟୀ ହେଲେ ।୪। ଅନନ୍ତର ଶୁକ୍ରାଚାର୍ଯ୍ୟଙ୍କ ପ୍ରାୟ ଯୁଦ୍ଧବିଦ୍ୟାବିଶାରଦ ବଳବାନ ରାବଣ ସେହି ବ୍ୟତିକ୍ରମ ସହି ନ ପାରି ରାକ୍ଷସ ଓ ପିଶାଚଗଣପୂର୍ଣ୍ଣ ଭୀଷଣ ସୈନ୍ୟସମୂହ ପରିବୃତ ହୋଇ ଗୃହରୁ ନିର୍ଗତ ହେଲା । ଶୁକ୍ରାଚାର୍ଯ୍ୟଙ୍କ ବିଧାନାନୁସାରେ ବ୍ୟୂହରଚନା କରି କପିସୈନ୍ୟଙ୍କୁ ବେଷ୍ଟନ କଲା ।୬। ରାମ ଯହୁଁ ଦେଖିଲେ ଯେ ରାବଣ ତାଦୃଶ ବ୍ୟୂହ ରଚନା କରି ବାହାରିଅଛି, ତହୁଁ ସେ ବୃହସ୍ପତିସମ୍ମତ ବିଧାନାନୁସାରେ ସେହି ନିଶାଚରର ପ୍ରତିପକ୍ଷ ସ୍ୱରୁପ ବ୍ୟୂହ ନିର୍ମାଣ କଲେ ।୭।

 

ଅନନ୍ତର ରାବଣ ଆସି ରାମଙ୍କ ସହିତ ଯୁଦ୍ଧ କରିବାରେ ପ୍ରବୃତ୍ତ ହେଲା । ଲକ୍ଷ୍ମଣ ମଧ୍ୟ ଇନ୍ଦ୍ରଜିତ ସଦୃଶ ଯୁଦ୍ଧ କରିବାରେ ରତ ହେଲେ ।୮। ଆହୁରି ବିରୂପାକ୍ଷ ସହିତ ନିଖର୍ବଟ, ତୁଣ୍ଡ ସଙ୍ଗେ ନଳ ଓ ପନସ ସଙ୍ଗେ ପଟଶର ଯୁଦ୍ଧ ହେଲା ।୯। ସମ୍ପ୍ରହାର ବେଳେ ଯେ ଯାହାକୁ ଆପଣାର ଯୋଗ୍ୟ ମନେକଲା, ସେ ତାହା ସହିତ ଯୁଦ୍ଧରେ ପ୍ରବୃତ୍ତ ହେଲା ।୧୦। ପୂର୍ବେ ସୁରାସୁରଙ୍କ ମଧ୍ୟରେ ଯେପରି ଲୋମାଞ୍ଚକର ଯୁଦ୍ଧ ହୋଇଥିଲା ଓ ଭୟାଳୁ ବ୍ୟକ୍ତି ଯେପରି ସେ ଯୁଦ୍ଧକୁ ଦେଖି ଭୀତ ହୋଇଥିଲେ, ସେହିପରି ଏହି ବାନର ଓ ନିଶାଚରଙ୍କର ଯୁଦ୍ଧ ଦେଖାଗଲା ।୧୫। ରାମଙ୍କୁ ଶକ୍ତି, ଶୂଳ, ଅସିଦ୍ୱାରା ରାବଣ ପ୍ରହାର କଲା ଓ ରାମ ମଧ୍ୟ ତହିଁ ବଦଳରେ ଶରସମୂହଦ୍ୱାରା ରାବଣକୁ ପ୍ରହାର କରି ବିମୁଗ୍ଧ କଲେ ।୧୨। ତଦ୍ରୂପ ଲକ୍ଷ୍ମଣ ଇନ୍ଦ୍ରଜିତଙ୍କୁ ଓ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ବହୁତର ଶରଦ୍ୱାରା ବିଦ୍ଧ କଲେ ।୧୪। ଏହି ପ୍ରକାରେ ସେହି ମହାକୋବିଦ ବଳଶାଳୀ ଯୋଦ୍ଧାଙ୍କ ମଧ୍ୟରେ ଏପରି ସମର ହେଲା ଯେ ତଦ୍ଦ୍ୱାରା ଚରାଚର ସମନ୍ୱିତ ତ୍ରିଲୋକ ବ୍ୟଥିତ ହେଲା ।୧୫।

 

Unknown

॥ ଅଧ୍ୟାୟ – ୨୮୬ ॥

 

ମାର୍କଣ୍ଡେୟ କହିଲେ, ଅନନ୍ତର ସମରନିଷ୍ଠୁର ପ୍ରହସ୍ତନାମା ରାକ୍ଷସ ବିଭୀଷଣଙ୍କ ସମୀପକୁ ଆସି ଗଦାଦ୍ୱାରା ତାହାଙ୍କୁ ପ୍ରହାର କଲା ।୧। ମହାବାହୁ ବୁଦ୍ଧିମାନ ବିଭୀଷଣ ସେହି ଗଦାଦ୍ୱାରା ଅବିହିତ ହେଲେ ହେଁ କିଞ୍ଚିନ୍ନାତ୍ର ବିଚଳିତ ହେଲେ ନାହିଁ । ସେ ହିମାଚଳ ପ୍ରାୟ ସୁସ୍ଥିର ହୋଇ ରହିଲେ । ତଦନନ୍ତର ସେ ଶତଘଣ୍ଟାଖଚିତ ବିପୁଳା ଶକ୍ତିକୁ ଅଭିମନ୍ତ୍ରିତ କରି ପ୍ରହସ୍ତର ମସ୍ତକକୁ ନିକ୍ଷେପ କଲେ ।୩। ବଜ୍ର ବେଗରେ ସେହି ଶକ୍ତି ଯାଇ ପ୍ରହସ୍ତର ମସ୍ତକକୁ ଛେଦନ କଲା । ତହିଁରେ ସେ ରାକ୍ଷସ ବାୟୁଭଗ୍ନ ମହୀରୁହ ପ୍ରାୟ ଦୃଶ୍ୟ ହେଲା । ପ୍ରହସ୍ତକୁ ନିହତ ହେବାର ଦେଖି ଧୂମ୍ରାକ୍ଷ କପିଗଣଙ୍କ ପ୍ରତି ଆକ୍ରମଣ କଲା ।୫। ତାହାର ମେଘସମ ଭୟଙ୍କର ରୂପ ଦର୍ଶନ କରି ବାନରମାନେ ପ୍ରଥମେ ସମରରେ ଭଙ୍ଗ ଦେଇ ଅପସୃତ ହେଲେ ।୬।

 

ଅନନ୍ତର ମହାବୀର କପିବ୍ୟାଘ୍ର ହନୁମାନ ଦେଖିଲେ ଯେ ବାନରମାନେ ରଣଭଙ୍ଗ ଦେଇ ପଳାୟନ କଲେ । ତହୁଁ ସେ ଆସି ଯୁଦ୍ଧ କରିବାକୁ ଅବସ୍ଥିତ ହେଲେ ।୭। ହେ ରାଜନ୍‌ ! ପବନ ନନ୍ଦନ ସମରକ୍ଷେତ୍ରରେ ଯୁଦ୍ଧ କରିବାକୁ ଉଦ୍ୟତ ଦେଖି ବାନରମାନେ ସତ୍ୱର ପ୍ରତିନିବୃତ୍ତ ହେଲେ ।୮। ତତ୍ପରେ ରାମରାବଣ ସୈନ୍ୟଙ୍କର ଲୋମାଞ୍ଚକର ମହାତୁମୁଳ ଶବ୍ଦ ଉତ୍‌ଥିତ ହେଲା ।୯। ଶୋଣିତରେ ସେହି ସମରଭୂମି କର୍ଦ୍ଦମମୟ ହେଲା । ଧୂମ୍ରାକ୍ଷ ଶରବର୍ଷଣ କରି କପିସୈନ୍ୟମାନଙ୍କୁ ବିଦାରିତ କଲେ ।୧୦। ଶତ୍ରୁବିଜୟୀ ପବନନନ୍ଦନ ହନୁମାନ ତାହା ଦେଖି ଶୀଘ୍ର ସେହି ରାକ୍ଷସଶ୍ରେଷ୍ଠଙ୍କୁ ଗ୍ରହଣ କଲା ।୧୧। ସମରରେ ସେହି ଦୁଇ ବୀର ପରସ୍ପର ଜିଗୀଷୁ ହୋଇ ଇନ୍ଦ୍ର ଓ ପ୍ରହ୍ଲାଦଙ୍କ ପ୍ରାୟ ଘୋର ଯୁଦ୍ଧରେ ପ୍ରବୃତ୍ତ ହେଲେ ।୧୨। ଗଦା ଓ ପରିଘଦ୍ୱାରା ରାକ୍ଷସ କପିକୁ ପ୍ରହାର କଲା ଓ କପି ମଧ୍ୟ ସ୍କନ୍ଧସହ ପାଦପ ଘେନି ରାକ୍ଷସକୁ ଆଘାତ କଲା ।୧୩। ପରିଶେଷରେ ପବନସୁତ ହନୁମାନ କୋପ ବହି ତୁରଙ୍ଗ, ଶତାଙ୍ଗ ଓ ସାରଥି ସହ ଧୂମ୍ରାକ୍ଷକୁ ନିହତ ଓ ଭଗ୍ନ କଲା ।୧୪। ଅପର ବାନରମାନେ ଧୂମ୍ରାକ୍ଷଙ୍କୁ ନିହତ ହେବାର ବିଲୋକନ କରି ବିଶ୍ୱସ୍ତ ଚିତ୍ତରେ ତାହାର ସୈନ୍ୟଶ୍ରେଣୀଙ୍କୁ ବିନଷ୍ଟ କଲେ ।୧୫। ଜୟଗର୍ବିତ ବାନରମାନେ ରାକ୍ଷସଙ୍କୁ ବଧ କରନ୍ତେ ଅନ୍ୟମାନେ ଭୟତ୍ରସ୍ତ ହୋଇ ଲଙ୍କାଗଡ଼କୁ ପଳାଇଲେ । ସେମାନେ ରାକ୍ଷସରାଜ ରାବଣକୁ ସବୁ ବୃତ୍ତାନ୍ତ ଜଣାଇଲେ ।୧୭। ରାବଣ ଓ ସେମାନଙ୍କ ଠାରୁ ଅବଗତ ହେଲା ଯେ ଯୁଦ୍ଧରେ ପ୍ରହସ୍ତ ନିହତ ହେଲା ଓ ମହେଷ୍ୱାସ ଧୂମ୍ରାକ୍ଷ ମଧ୍ୟ ସୈନ୍ୟ ସହ ନିଧନପ୍ରାପ୍ତ ହେଲା । ଏହି ହେତୁରୁ ସେ ଶୋକରେ ଦୀର୍ଘନିଃଶ୍ୱାସ ପରିତ୍ୟାଗ କରି ଆସନରୁ ଉତ୍ପତିତ ହୋଇ କହିଲା, ଏବେ କୁମ୍ଭକର୍ଣ୍ଣର ପ୍ରୟୋଜନ ହୋଇଅଛି ।୧୯।

 

ଏହି କଥା କହି ମହାଶବ୍ଦକାରୀ ବୃହତ ବାଦ୍ୟ ବଜାଇ ସେ ସୁଷୁପ୍ତ କୁମ୍ଭକର୍ଣ୍ଣକୁ ଜାଗରିତ କଲା ।୨୦। ରାକ୍ଷସାଧିପତି ଦଶାନନ ଭୟ ପ୍ରାପ୍ତ ହେବାରୁ ଅତି ଯତ୍ନରେ ମହାବଳ କୁମ୍ଭକର୍ଣ୍ଣଙ୍କୁ ଜାଗରିତ କରି ସେ ଯେତେବେଳେ ତାହାଙ୍କୁ କହିଲେ, କୁମ୍ଭକର୍ଣ୍ଣ, ତୁମ୍ଭେ ଧନ୍ୟ ! ତୁମ୍ଭର ଈଦୃଶ ନିଦ୍ରା ହୋଇଥିଲା । ସମ୍ପ୍ରତି ଯେଉଁ ଦାରୁଣ ଭୟ ଉପସ୍ଥିତ ହୋଇଅଛି, ତାହାର ଅଣୁମାତ୍ର ତୁମ୍ଭେ ଅବଗତ ହୋଇ ନାହଁ । ଦେଖ ! ଏହି ରାମ ବାନରମାନଙ୍କୁ ଘେନି ସେତୁଦ୍ୱାରା ସମୁଦ୍ର ପାରହୋଇ ଏଠାରେ ଆମ୍ଭ ସମସ୍ତଙ୍କୁ ଅବଜ୍ଞା କରି ମହାଯୁଦ୍ଧ କରୁଅଛି । ମୁଁ ତାହାର ଭାର୍ଯ୍ୟା ଜନକ ରାଜାଙ୍କ ଦୁହିତା ସୀତାଙ୍କୁ ହରଣ କରି ଆଣିଅଛି ।୨୪। ତାହାଙ୍କୁ ଘେନିଯିବା ପାଇଁ ସେ ମହାସାଗରରେ ସେତୁ ବାନ୍ଧି ଏଠାକୁ ଆସିଅଛି । ସେ ପ୍ରହସ୍ତ ପ୍ରଭୃତି ଆମ୍ଭର ଅନେକ ଆପଣାର ବ୍ୟକ୍ତିଙ୍କୁ ନିହତ କଲାଣି ।୨୫। ହେ ଶତ୍ରୁକର୍ଷଣ ! ଏବେ ତୁମ୍ଭ ବ୍ୟତିରେକେ ଆଉ କେହି ତାହାକୁ ନିହତ କରିପାରିବେ ନାହିଁ । ଅତଏବ ହେ ବଳିଶ୍ରେଷ୍ଠ ! ଅଦ୍ୟ ତୁମ୍ଭେ କବଚ ପରିଧାନପୂର୍ବକ ନିର୍ଗମନ କରି ଶତ୍ରୁଗଣଙ୍କୁ ସଂହାର କର । ବଜ୍ରବେଗ ଓ ପ୍ରମାଥୀ ନାମରେ ଦୂଷଣର ଯେଉଁ ଦୁଇଗୋଟି ବଳିଷ୍ଠ ଭାଇ ଅଛନ୍ତି, ସେମାନେ ମଧ୍ୟ ମହାସୈନ୍ୟ ସହିତ ତୁମ୍ଭର ଅନୁଗାମୀ ହେବେ । ରାକ୍ଷସାଧୀଶ ରାବଣ ମହାବଳ କୁମ୍ଭକର୍ଣ୍ଣଙ୍କୁ ଉକ୍ତ ପ୍ରକାର ବଚନ କହି ବଜ୍ରବେଗ ଓ ପ୍ରମାଥୀ ଦୁହିଁଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଲା ।୨୮। ତଦନନ୍ତର ଦୂଷଣର କନିଷ୍ଠ ଭ୍ରାତା ସେହି ଦୁଇ ବୀର ରାବଣ ଆଗରେ ନଗର ଭିତରୁ ନିର୍ଗତ ହେଲେ ।୨୯।

 

॥ ଅଧ୍ୟାୟ – ୨୮୭ ॥

 

ମାର୍କଣ୍ଡେୟ କହିଲେ, ତଦନନ୍ତର ନିଜ ଅନୁଚରମାନଙ୍କ ସହିତ କୁମ୍ଭକର୍ଣ୍ଣ ସ୍ୱପୁରରୁ ବାହାରି ଦେଖିଲା ଯେ ସମରବିଜୟୀ କପିସୈନ୍ୟ ଅଗ୍ରବର୍ତ୍ତୀ ହୋଇଅଛନ୍ତି ।୧। ସେ ରାମଙ୍କୁ ଦର୍ଶନ କରିବା ଅଭିଳାଷରେ ସୈନ୍ୟମାନଙ୍କୁ ନିରୀକ୍ଷଣ କରନ୍ତେ ଦେଖିଲା ଯେ ଲକ୍ଷ୍ମଣ ଧନୁଷ୍ପାଣି ହୋଇ ଯୁଦ୍ଧ କରିବାକୁ ଉଦ୍ୟତ ହୋଇଅଛନ୍ତି ।୨। ବାନରମାନେ ସତ୍ୱର ତାହାର ସନ୍ନିହିତ ହୋଇ ଚାରିଆଡ଼େ ତାହାକୁ ଘେରିଗଲେ ଓ ବୃହଦାକାର ବହୁସଂଖ୍ୟକ ବୃକ୍ଷଦ୍ୱାରା ତାହାକୁ ଆଘାତ କଲେ ।୩। କେହି କେହି ନିର୍ଭୟ ଚିତ୍ତରେ ତାହାକୁ ନଖଦ୍ୱାରା ବିଦାରଣ ଓ ବ୍ୟଥିତ କଲେ । ବାନରମାନେ ବହୁପ୍ରକାର ଯୁଦ୍ଧପ୍ରଣାଳୀରେ ନାନାବିଧ ଭୟଙ୍କର ପ୍ରହରଣଦ୍ୱାରା ରାକ୍ଷସେନ୍ଦ୍ରକୁ ପ୍ରହାର କରିବାରେ ପ୍ରବୃତ୍ତ ହେଲେ । ସେହି ପ୍ରକାରେ ତାଡ଼ିତ ହୁଅନ୍ତେ କୁମ୍ଭକର୍ଣ୍ଣ ଅତି ହାସ୍ୟକରି ଗୋଟି କି ଗୋଟି ବାନରଙ୍କୁ ଗ୍ରାସ କରିବାକୁ ଆରମ୍ଭ କଲା । ବିଶେଷରେ ସେ ଚଣ୍ଡ, ଚଣ୍ଡଚଳ ଓ ବଜ୍ରବାହୁ ନାମକ କପିଙ୍କୁ ଗିଳିପକାଇଲା । ସେହି ନିଶାଚରଙ୍କ ତାଦୃଶ ଭୟଙ୍କର କର୍ମ ଦେଖି ତାର ପ୍ରଭୃତି ବାନରମାନେ ତ୍ରସ୍ତ ହୋଇ ମହାଶବ୍ଦ କରି ଚିତ୍କାର କଲେ ।୬। ସେହି ବାନର ଯୂଥର ନାୟକ ସୁଗ୍ରୀବ ତାଦୃଶ ମହାରବ ଶ୍ରବଣ କରି କୁମ୍ଭକର୍ଣ୍ଣ ସମ୍ମୁଖକୁ ଦଉଡ଼ି ଆସିଲେ । ସେହି ମହାମନା କପିକୁଞ୍ଜର ବେଗପୂର୍ବକ ଗୋଟାଏ ବୃହତ ଶାଳବୃକ୍ଷ ଧରି କୁମ୍ଭକର୍ଣ୍ଣର ମସ୍ତକରେ ବଳପୂର୍ବକ ପ୍ରହାର କଲେ । ମହାବେଗବାନ ସୁଗ୍ରୀବ ଏକ ଶାଳବୃକ୍ଷ ତାହା ମସ୍ତକରେ ଭଗ୍ନ କଲେହେଁ କୁମ୍ଭକର୍ଣ୍ଣ ବ୍ୟଥିତ ହେଲା ନାହିଁ । ଅନନ୍ତର ଶାଳବୃକ୍ଷ ପ୍ରହାରଦ୍ୱାରା କୁମ୍ଭକର୍ଣ୍ଣ ଚେତନା ପାଇ ବାହୁଯୁଗଳଦ୍ୱାରା ସୁଗ୍ରୀବଙ୍କୁ ହରଣ କରିବାକୁ ବସିଲା ।

 

ପରନ୍ତୁ ଶତ୍ରୁ ବୀରନିହନ୍ତା ଓ ମିତ୍ରଗଣଙ୍କର ଆନନ୍ଦବର୍ଦ୍ଧକ ଲକ୍ଷ୍ମଣ ଯହୁଁ ଦେଖିଲେ ଯେ କୁମ୍ଭକର୍ଣ୍ଣ ସୁଗ୍ରୀବଙ୍କୁ ହରି ନେଉଅଛି, ତହୁଁ ସେ ତାହା ପାଖକୁ ଦଉଡ଼ିଗଲେ । କୁମ୍ଭକର୍ଣ୍ଣର ସମୀପବର୍ତ୍ତୀ ହୋଇ ସେ ଗୋଟିଏ ସୁବର୍ଣ୍ଣ ଚିତ୍ରିତ ପ୍ରଶସ୍ତ ଚିଆର ଶର ତାହା ପ୍ରତି କ୍ଷେପଣ କଲେ । ସେହି ଶର କୁମ୍ଭକର୍ଣ୍ଣର କବଚ ଓ ଦେହକୁ ଭେଦ କରି ରକ୍ତାକ୍ତ ହୋଇ ପୃଥ୍ୱୀକୁ ବିଦାରି ଚାଲିଗଲା । କୁମ୍ଭକର୍ଣ୍ଣର ହୃଦୟ ଭିନ୍ନ ହୁଅନ୍ତେ ସେ ସୁଗ୍ରୀବଙ୍କୁ ଛାଡ଼ିଦେଇ ଗୋଟିଏ ବୃହତ ଶୀଳା ଘେନି ଲକ୍ଷ୍ମଣଙ୍କ ପ୍ରତି ଧାବିତ ହେଲା ।୧୫। କୁମ୍ଭକର୍ଣ୍ଣ ଦୁଇ ହସ୍ତ ଟେକି ବେଗରେ ଧାବମାନ ହେଲାବେଳେ ଲକ୍ଷ୍ମଣ କ୍ଷୁର ଯୁଗଳଦ୍ୱାରା ତାହାର ଦୁଇ ଭୁଜ ଛେଦନ କଲେ । ତହିଁରେ ସେ ଚତୁର୍ଭୁଜ ହୋଇ ଆସିଲା ।୧୬। ଶିଳାୟୁଧଧାରୀ ତାହାର ଚାରି ହସ୍ତକୁ ମଧ୍ୟ ଲକ୍ଷ୍ମଣ ଆପଣାର କ୍ଷିପ୍ରହସ୍ତତା ପ୍ରଦର୍ଶନ କରି କ୍ଷୁରଚତୁଷ୍ଟୟଦ୍ୱାରା ଛେଦନ କଲେ ।୧୭। କିନ୍ତୁ ସେହି ଅସୁର ବହୁସଂଖ୍ୟକ ହସ୍ତପଦ ଓ ମସ୍ତକ ଧରି ସୁମହାନ ବିଗ୍ରହବିଶିଷ୍ଟ ହେଲା ।୧୮। ପର୍ବତରାଶି ସନ୍ନିଭ ସେହି ରାକ୍ଷସ ପ୍ରତି ଲକ୍ଷ୍ମଣ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ ଓ ତାହାକୁ ଏକାବେଳକେ ବିଦୀର୍ଣ୍ଣ କଲେ । ସମରରେ ଦିବ୍ୟାସ୍ତ୍ରଦ୍ୱାରା ଅଭିହିତ ହୋଇ ମହାବୀର୍ଯ୍ୟ କୁମ୍ଭକର୍ଣ୍ଣ ବଜ୍ରାହତ ତରୁପ୍ରାୟ ଭୂମିରେ ନିପତିତ ହେଲା-।୧୯।

 

ବୃତ୍ତ୍ରାସୁର ସମ ସେହି ବଳଶାଳୀ କୁମ୍ଭକର୍ଣ୍ଣ ପ୍ରାଣ ଛାଡ଼ିବାର ଦେଖି ତତ୍ରସ୍ଥ ନିଶାଚରମାନେ ଭୟରେ ପଳାୟନ କରିବାକୁ ଆରମ୍ଭ କଲେ ।୨୦। ଦୂଷଣର ଦୁଇ କନିଷ୍ଠ ଭାଇ ଦେଖିଲେ ଯେ ନିଶାଚରମାନେ ପଳାଉଅଛନ୍ତି; ତହୁଁ ସେ ରୋଷପରବଶ ହୋଇ ସୌମିତ୍ରୀଙ୍କ ଅଭିମୁଖକୁ ଧାବମାନ ହେଲେ ।୨୧। ଲକ୍ଷ୍ମଣ ଦେଖିଲେ ଯେ ଅସୁର ଦୁହେଁ ତାହାଙ୍କ ଉପରକୁ ଧାବିତ ହେଉଛନ୍ତି, ତହୁଁ ସେ ତୀକ୍ଷ୍‌ଣ ଶର ଓ ଶରାସନ ଘେନି ଯୁଦ୍ଧରେ ବ୍ୟବସ୍ଥିତ ହେଲେ ।୨୨। ହେ କୌନ୍ତେୟ ! ତଦନନ୍ତର ଦୂଷଣଙ୍କର କନିଷ୍ଠ ଭ୍ରାତାଦ୍ୱୟ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା ।୨୩। ମହାନ ଶରବର୍ଷଣଦ୍ୱାରା ରାକ୍ଷସଙ୍କୁ ଲକ୍ଷ୍ମଣ ପୀଡ଼ିତ କଲେ ଓ ସେହି ବଳସମ୍ପନ୍ନ ରାକ୍ଷସଦ୍ୱୟ ମଧ୍ୟ କ୍ରୁଦ୍ଧ ହୋଇ ଲକ୍ଷ୍ମଣଙ୍କ ପ୍ରତି ଏକକାଳରେ ଶର ବୃଷ୍ଟି କଲେ ।୨୪। ବଜ୍ରସମ ବେଗବାନ ଓ ମଥନକାରୀ ରାକ୍ଷସ ଦୁହିଁଙ୍କ ସଙ୍ଗେ ମହାବାହୁ ସୌମିତ୍ରୀଙ୍କର ମୁହୂର୍ତ୍ତେ ପର୍ଯ୍ୟନ୍ତ ସୁଦାରୁଣ ସମର ହେଲା ।୨୫। ଅନନ୍ତର ମରୁତ୍‌ସୁତ ହନୁମାନ ଅଦ୍ରିଶୃଙ୍ଗ ନିକ୍ଷେପ କରି ବଜ୍ରବେଗୀ ରାକ୍ଷସଙ୍କର ପ୍ରାଣ ବିନାଶ କଲେ ।୨୬। ମହାବଳ ବାନର ନୀଳ ସୁଦ୍ଧା ଦଉଡ଼ିଆସି ଗୋଟିଏ ସୁବୃହତ ଶୀଳାଦ୍ୱାରା ଦୂଷଣାତ୍ମକ ପ୍ରମାଥୀକୁ ମଥିତ କଲେ ।୨୭। ପରେ ପରସ୍ପର ଆକ୍ରମଣକାରୀ ରାମ ଓ ରାବଣ ସୈନ୍ୟଙ୍କ ମଧ୍ୟରେ ଭୟାନକ ସଂଗ୍ରାମ ଆରବ୍‌ଧ ହେଲା । ତାହାର ପରିଣାମ ଅତି ବିଷମ ହେଲା । ବାନରମାନେ ଶତ ଶତ ନୈଋର୍ତଗଣଙ୍କୁ ବିନାଶ କଲେ ଓ ନୈଋର୍ତମାନେ ମଧ୍ୟ ଅନେକ ବାନରଙ୍କୁ ମାଇଲେ; କିନ୍ତୁ ତନ୍ମଧ୍ୟରେ ଅଧିକସଂଖ୍ୟକ ରାକ୍ଷସ ପ୍ରାଣ ହରାଇଲେ । ବାନରଙ୍କ ମୃତ୍ୟୁସଂଖ୍ୟା ତେତେ ବେଶୀ ନୁହେଁ ।୨୮।

 

॥ ଅଧ୍ୟାୟ – ୨୮୮ ॥

 

ମାର୍କଣ୍ଡେୟ କହିଲେ, ତତ୍ପରେ ରାବଣ ପ୍ରଥମରେ ଶୁଣିଲା ଯେ ମହାଧନୁର୍ଦ୍ଧାରୀ ପ୍ରହସ୍ତ ସମରରେ ନିହତ ହୋଇଅଛି । ଅପରିମିତ ତେଜସ୍ୱୀ ଧୂମ୍ରାକ୍ଷ ଓ ଅନୁଚରଙ୍କ ସହିତ କୁମ୍ଭକର୍ଣ୍ଣ ମଧ୍ୟ ଯମାଳୟକୁ ପ୍ରେରିତ ହେଲେ । ତହୁଁ ସେ ଆପଣାର ପୁତ୍ର ଇନ୍ଦ୍ରଜିତ ଯେ କି ଅତି ବିକ୍ରମୀ, ତାହାକୁ କହିଲା “ଶତ୍ରୁଘ୍ନ ! ତୁମ୍ଭେ ରାମଲକ୍ଷ୍ମଣ ଓ ସୁଗ୍ରୀବଙ୍କୁ ବିନଷ୍ଟ କର ।୨। ହେ ସୁପୁତ୍ର ! ଶଚୀଙ୍କର ପ୍ରାଣପ୍ରିୟ ସହସ୍ରାକ୍ଷ ବଜ୍ରଧର ଓ ଯେ ସ୍ୱର୍ଗରେ ଇନ୍ଦ୍ର ହୋଇଅଛନ୍ତି, ତାହାଙ୍କୁ ତୁମ୍ଭେ ସମରରେ ପରାଜିତ କରି ଅପାର ଯଶ ଉପାର୍ଜନ କରିଅଛ ।୩। ଅତଏବ ହେ ଶକ୍ତିଶ୍ରେଷ୍ଠ ! ଶତ୍ରୁହନ ! ଏବେ ଅନ୍ତର୍ହିତ ହୋଇ ଅଥବା ପ୍ରକାଶ୍ୟ ଭାବରେ ବରଲବ୍ଧ ଦିବ୍ୟଶରସମୂହଦ୍ୱାରା ଆମ୍ଭର ଶତ୍ରୁଗଣଙ୍କୁ ସଂହାର କର ।୪। ହେ ବୀର ! ରାମ, ଲକ୍ଷ୍ମଣ ଓ ସୁଗ୍ରୀବ ତୁମ୍ଭର ଶରସ୍ପର୍ଶ ସହିପାରିବେ ନାହିଁ । ସୁତରାଂ ତାହାଙ୍କର ଅନୁଚରମାନେ ଯେ ତୁମ୍ଭ ଶରପ୍ରହାର ସହିବେ, ଏହା କଦାପି ସମ୍ଭବ ନୁହେଁ ।୫। ହେ ମହାଭୁଜ ! ପ୍ରହସ୍ତ ଓ କୁମ୍ଭକର୍ଣ୍ଣ ଦୁହେଁ ବୈରୀ ନିପାତନଦ୍ୱାରା ଖରର ସତ୍କାର କରିପାରି ନାହାନ୍ତି; କିନ୍ତୁ ଅଦ୍ୟ ତୁମ୍ଭେ ସେହି କାର୍ଯ୍ୟ କରି ନିର୍ମଳ ଯଶ ଲାଭ କର ।

 

ହେ ପୁତ୍ର ! ପୂର୍ବେ ପୁରନ୍ଦରଙ୍କୁ ପରାଜିତ କରି ତୁମ୍ଭେ ଆମ୍ଭର ଯେପରି ଆନନ୍ଦପ୍ରଦ ହୋଇଥିଲ, ଏବେ ନିଶିତ ଶରଦ୍ୱାରା ଶତ୍ରୁମାନଙ୍କୁ ସୈନ୍ୟସହ ବିନାଶ କରି ସେହିପରି ଆନନ୍ଦିତ କର ।୭। ହେ ରାଜନ୍‌ ! ସେହିପରି କଥିତ ହୁଅନ୍ତେ, ରାକ୍ଷସଶ୍ରେଷ୍ଠ ଇନ୍ଦ୍ରଜିତ ହେଉ ବୋଲି କହି କବଚାଦି ପିନ୍ଧି ରଥରେ ଚଢ଼ି ସତ୍ୱର ସମରଭୂମିରେ ଉପନୀତ ହେଲେ । ଅନନ୍ତର ସେ ସ୍ପଷ୍ଟରୂପେ ଆପଣାର ନାମ ଉଚ୍ଚାରଣ କରି ଶୁଭଲକ୍ଷଣ ଲକ୍ଷ୍ମଣଙ୍କୁ ଯୁଦ୍ଧକୁ ଆହ୍ୱାନ କଲେ । ଲକ୍ଷ୍ମଣ ମଧ୍ୟ ଶର ଓ ଶରାସନ ଧରି ତଳ ନିର୍ଘୋଷଦ୍ୱାରା ତାହାଙ୍କୁ ତ୍ରସ୍ତ କଲେ । ସିଂହ ଯେପରି କ୍ଷୁଦ୍ର କୁରଙ୍ଗ ପ୍ରତି ଧାବିତ ହୁଏ, ଲକ୍ଷ୍ମଣ ସେହିପରି ନିଃଶଙ୍କ ଭାବରେ ତାହା ସମ୍ମୁଖରେ ବିଚରଣ କଲେ ।୧୦। ତହିଁ ଉତ୍ତାରୁ ଏ ଦୁହିଁଙ୍କ ମଧ୍ୟରେ ସୁମହତ ଯୁଦ୍ଧ ହେଲା । ଦୁହେଁ ଦିବ୍ୟାସ୍ତ୍ର-କୋବିଦ, ଦୁହେଁ ବୀର ଓ ପରସ୍ପର ଜୟାକାଙ୍‌କ୍ଷୀ ଓ ଦୁହେଁ ଯୁବା । ଅତଏବ ତାଙ୍କ ଯୁଦ୍ଧ କିପରି ହୋଇଥିଲା ତାହା ଅକଥନୀୟ ।୧୧। ଇନ୍ଦ୍ରଜିତ ବଳବାନ ହୋଇଥିଲେ ହେଁ ଯେତେବେଳେ ସେ ଦେଖିଲା ଯେ ଶର ପ୍ରହାରଦ୍ୱାରା ଲକ୍ଷ୍ମଣଙ୍କଠାରୁ ଅଧିକ ଶକ୍ତିଶାଳୀ ନ ହେଲା, ତେତେବେଳେ ସେ ଗୁରୁତର ଯତ୍ନଶୀଳ ହୋଇ ତୋମରଦ୍ୱାରା ତାହାଙ୍କୁ ନିପୀଡ଼ିତ କରିବାକୁ ଉଦ୍ୟତ ହେଲା; କିନ୍ତୁ ସୁମିତ୍ରାନନ୍ଦନ ଲକ୍ଷ୍ମଣ ନିଶିତ ଶରସମୂହଦ୍ୱାରା ଆପତିତ ତୋମରନିକରକୁ ଛିନ୍ନବିଚ୍ଛିନ୍ନ କଲେ ।୧୩। ସୁତୀକ୍ଷ୍‌ଣ ଶରଧାରଦ୍ୱାରା ଟିକି ଟିକି ହୋଇ ସେ ତୋମର ସବୁ ଭୂମିରେ ପତିତ ହେଲା । ଏହି ଅବସରରେ ବାଳିପୁତ୍ର ଅଙ୍ଗଦ ଗୋଟାଏ ମହୀରୁହ ଉଠାଇ ଇନ୍ଦ୍ରଜିତର ସମ୍ମୁଖବର୍ତ୍ତୀ ହୋଇ ତାହା ମସ୍ତକରେ ମହାବେଗରେ ଆଘାତ କଲେ । ତାହା ଦେଖି ବଳବାନ ଇନ୍ଦ୍ରଜିତ କିଞ୍ଚିନ୍‍ମାତ୍ର ଭୀତ ନ ହୋଇ ପ୍ରାସଦ୍ୱାରା ତାହାଙ୍କ ବକ୍ଷସ୍ଥଳରେ ପ୍ରହାର କରିବାକୁ ଉଦ୍ୟତ ହେଲା; କିନ୍ତୁ ଲକ୍ଷ୍ମଣ ସେହି ପ୍ରାସାସ୍ତ୍ରକୁ ଛେଦନ କରି ପକାଇଲେ । ରାବଣ-ନନ୍ଦନ ତାହା ଦେଖି ସମୀପବର୍ତ୍ତୀ ବାନରବର ଅଙ୍ଗଦର ବାମପାର୍ଶ୍ୱରେ ଗଦା ଘେନି ଆଘାତ କଲା । ବାଳୀଙ୍କର ପୁତ୍ର ଅଙ୍ଗଦ ମଧ୍ୟ ସେହି ପ୍ରହାରକୁ ତୁଚ୍ଛ ଜ୍ଞାନ କରି କ୍ରୋଧଭର ହୋଇ ଗୋଟାଏ ଶାଳସ୍କନ୍ଧ ଧରି ଇନ୍ଦ୍ରଜିତ ଉପରକୁ ନିକ୍ଷେପ କଲେ ।୧୭।

 

ହେ ପାର୍ଥ ! ଇନ୍ଦ୍ରଜିତକୁ ବଧ କରିବା ପାଇଁ ଅଙ୍ଗଦ କ୍ରୋଧ ବହି ଯେଉଁ ଶାଳତରୁର ସ୍କନ୍ଧ ନିକ୍ଷେପ କରିଥିଲେ, ତଦ୍ଦ୍ୱାରା ଇନ୍ଦ୍ରଜିତର ତୁରଙ୍ଗ ଓ ସାରଥି ସମେତ ଶତାଙ୍ଗ ଚୂର୍ଣ୍ଣୀଭୂତ ହେଲା । ହେ ରାଜନ୍‌ ! ଇନ୍ଦ୍ରଜିତର ତୁରଙ୍ଗମ, ସାରଥି ଓ ରଥ ବିନଷ୍ଟ ହୁଅନ୍ତେ, ସେ କୁଦା ମାରି ତଳକୁ ଆସି ମାୟା ପ୍ରଭାବରୁ ସେହି ସ୍ଥାନରୁ ଅନ୍ତର୍ହିତ ହେଲା । ରାମ ସେହି ମାୟାବୀ ଅସୁରକୁ ଅନ୍ତର୍ହିତ ହେବାର ଦେଖି ସ୍ୱୟଂ ସେହି ଯୁଦ୍ଧକାରୀ ସେନାଙ୍କୁ ରକ୍ଷା କରିବା ପାଇଁ ସେଠାକୁ ଗମନ କଲେ । ରାମ ସେହି ସେନାଶ୍ରେଣୀଙ୍କୁ ରକ୍ଷା କରନ୍ତେ ଇନ୍ଦ୍ରଜିତ ଆକାଶରେ ଥାଇ ମହାବଳୀ ରାମ ଓ ଲକ୍ଷ୍ମଣଙ୍କୁ ଲକ୍ଷ୍ୟ କରି ସର୍ବ ଦେହରେ ବରଲବ୍ଧ ଶରଦ୍ୱାରା ବିଦ୍ଧ କଲେ । ରାମ ଓ ଲକ୍ଷ୍ମଣ ଦୁଇ ଭାଇ ବଳସମ୍ପନ୍ନ ହୋଇଥିଲେ ହେଁ ଶରଜାଲରେ ବିଦ୍ଧ ହେବାରୁ ଆକାଶରୁ ଚନ୍ଦ୍ର ସୂର୍ଯ୍ୟ ଖସି ପଡ଼ିଲା ପ୍ରାୟ ଭୂମିରେ ନିପତିତ ହେଲେ ।୨୬।

 

॥ ଅଧ୍ୟାୟ – ୨୮୯ ॥

 

ମାର୍କଣ୍ଡେୟ କହିଲେ, ଇନ୍ଦ୍ରଜିତ ଯହୁଁ ଦେଖିଲା ଯେ ରାମ ଓ ଲକ୍ଷ୍ମଣ ଦୁଇ ଭାଇ ଭୂମିରେ ପଡ଼ିଗଲେ, ତହୁଁ ସେ ପୁନର୍ବାର ବରଲବ୍ଧ ଶରଦ୍ୱାରା ସେ ଦୁହିଁଙ୍କୁ ବନ୍ଧନ କଲେ ।୧। ଇନ୍ଦ୍ରଜିତର ଶରଦ୍ୱାରା ବିଦ୍ଧ ହୋଇ ସେହି ପୁରୁଷବ୍ୟାଘ୍ର ବୀରଦ୍ୱୟ ପିଞ୍ଜରାବଦ୍ଧ ପକ୍ଷୀପ୍ରାୟ ଶୋଭା ପାଇଲେ ।୨। ଶତ ଶତ ଶାୟକରେ ସମାକୀର୍ଣ୍ଣ ହୋଇ ଭୂମିରେ ବଦ୍ଧ ଅବସ୍ଥାରେ ପଡ଼ିଥିବାର ଦେଖି କପିରାଜ ସୁଗ୍ରୀବ, ସୁଷେଣ, ମୈନ୍ଦ, ଦ୍ୱିବିନ୍ଦ, କୁମୁଦ, ଅଙ୍ଗଦ, ହନୁମାନ, ନଳ, ନୀଳ ଓ ତାର ପ୍ରଭୃତି ବାନରମାନେ ତାହାଙ୍କୁ ଘେରି ରହିଲେ ।୪। ତଦନନ୍ତର କୃତକର୍ମା ବିଭୀଷଣ ସେଠାକୁ ଆଗମନ କରି ପ୍ରଜ୍ଞାସ୍ତ୍ରଦ୍ୱାରା ସେହି ଦୁଇ ବୀରଙ୍କର ଚୈତନ୍ୟ ସମ୍ପାଦନ କଲେ ।୫। ସୁଗ୍ରୀବ ମଧ୍ୟ ଦିବ୍ୟ ମନ୍ତ୍ରପୂତ ବିଶଲ୍ୟ ନାମକ ମହୌଷଧିଦ୍ୱାରା ସେହି ଦୁଇଭାଇଙ୍କୁ କ୍ଷଣକାଳ ମଧ୍ୟରେ ବିଶଲ୍ୟ କରିଦେଲେ ।୬। ନରବୀର ମହାରଥ ରାମ ଓ ଲକ୍ଷ୍ମଣ ସଂଜ୍ଞାପ୍ରାପ୍ତି ପରେ ବିଶଲ୍ୟ ହେଲେ ଓ ମୁହୂର୍ତ୍ତକ ପରେ ନିରଳସ ଓ କ୍ଳମଶୂନ୍ୟ ହେଲେ ।୭।

 

ହେ କୌନ୍ତେୟ, ତତ୍ପରେ ବିଭୀଷଣ ରାମଙ୍କୁ ଗତବ୍ୟଥ ଦେଖି ହସ୍ତଯୋଡ଼ି କହିଲେ, “ହେ ଈକ୍ଷ୍ୱାକୁବଂଶର ଚନ୍ଦ୍ର ! ହେ ଅରିହନ ! ରାଜରାଜ ଧନେଶ୍ୱରଙ୍କ ଆଜ୍ଞାନୁସାରେ ଗୋଟିଏ ଗୃହ୍ୟକ ଶ୍ୱେତ ପର୍ବତରୁ ଜଳ ଗ୍ରହଣ କରି ଆପଣଙ୍କ ସମୀପକୁ ଆଗମନ କରୁଅଛି ।୯। ହେ ପରନ୍ତପ ! ଅନ୍ତର୍ହିତ ପ୍ରାଣୀମାନଙ୍କୁ ଦର୍ଶନ କରିବା ନିମିତ୍ତ କୁବେର ଏହି ଜଳ ପ୍ରଦାନ କରିଅଛନ୍ତି ।୧୦। ଏହି ଜଳ ଚକ୍ଷୁରେ ଲଗାଇଲେ ଅନ୍ତର୍ହିତ ପ୍ରାଣୀମାନେ ଦୃଷ୍ଟିଗୋଚର ହୁଅନ୍ତି । ଆପଣ ଯଦି ଏହି ଜଳ ଅନ୍ୟକୁ ଦେବେ, ତେବେ ସେ ମଧ୍ୟ ତଦ୍ଦ୍ୱାରା ଚକ୍ଷୁମାର୍ଜନ କଲେ ତଦ୍ରୂପ ଦେଖିପାରିବ ।୧୧। ରାମ ହେଉ ବୋଲି କହି ସେହି ପବିତ୍ର ଜଳ ଗ୍ରହଣକରି ନୟନଦ୍ୱୟ ଶୁଦ୍ଧ କଲେ । ମହାମନା ଲକ୍ଷ୍ମଣ, ସୁଗ୍ରୀବ, ଜାମ୍ବବାନ, ହନୁମାନ, ଅଙ୍ଗଦ, ମୈନ୍ଦ, ଦ୍ୱିବିନ୍ଦ ଓ ନୀଳ ପ୍ରଭୃତି ପ୍ରାୟ ସମୁଦାୟ ପ୍ରଧାନ ପ୍ରଧାନ ଋକ୍ଷ ଓ ବାନରମାନେ ମଧ୍ୟ ତଦ୍ରୂପ ନୟନ ଶୁଦ୍ଧ କଲେ ।୧୩। ହେ ଯୁଧିଷ୍ଠିର ! ବିଭୀଷଣ ଯାହା କହିଥିଲେ, ତାହା ହେଲା । ନେତ୍ରମାର୍ଜନା କରନ୍ତେ ସମସ୍ତେ ତତ୍‌କ୍ଷଣାତ୍ ଅତୀନ୍ଦ୍ରିୟ ବିଷୟ ଦେଖିବାକୁ ସମର୍ଥ ହେଲେ ।୧୪। ଏଣେ କୃତକର୍ମା ଇନ୍ଦ୍ରଜିତ ପିତାଙ୍କ ସମୀପକୁ ଗମନ କରି ସବୁ ବିଷୟ ଜଣାଇ ପୁନର୍ବାର ରଣଭୂମିକୁ ଆଗମନ କଲେ ।୧୫। ରୋଷାବିଷ୍ଟ ହୋଇ ଇନ୍ଦ୍ରଜିତ ପୁନର୍ବାର ଯୁଦ୍ଧ କରିବା ଅଭିଳାଷରେ ଆପତିତ ହେଉଥିଲା । ଏମନ୍ତ ସମୟରେ ବିଭୀଷଣଙ୍କ ମତାନୁସାରେ ଲକ୍ଷ୍ମଣ ତାହା ଆଗକୁ ଶୀଘ୍ର ପ୍ରସ୍ଥାନ କଲେ ।୧୬। ଇନ୍ଦ୍ରଜିତ ଜୟରେ ଗର୍ବିତ ହୋଇ ଆସିଥିଲା; କିନ୍ତୁ ଲକ୍ଷ୍ମଣଙ୍କୁ ବିଭୀଷଣ ଠାରିଦେବାରୁ ସେ ଆହ୍ନିକ କର୍ମ ସମାପ୍ତ ନ ହେଉଣୁ ତାହାକୁ ବଧ କରିବାକୁ ମନସ୍ଥ କରି ଶରନିକରଦ୍ୱାରା ବିନ୍ଧିବାରେ ରତ ହେଲେ ।୧୭। ଇନ୍ଦ୍ର ଓ ପ୍ରହ୍ଲାଦଙ୍କ ମଧ୍ୟରେ ଯେପରି ଯୁଦ୍ଧ ହୋଇଥିଲା, ପରସ୍ପର ଜୟାଭିଳାଷୀ ଇନ୍ଦ୍ରଜିତ ଓ ଲକ୍ଷ୍ମଣଙ୍କ ମଧ୍ୟରେ ମଧ୍ୟ ତଦ୍ରୂପ ବିଚିତ୍ର ଓ ବିସ୍ମୟଜନକ ଯୁଦ୍ଧ ହେଲା ।୧୮। ମର୍ମଭେଦୀ ତୀକ୍ଷ୍‌ଣ ଶରସମୂହଦ୍ୱାରା ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ବିଦ୍ଧ କଲେ ଓ ଲକ୍ଷ୍ମଣ ମଧ୍ୟ ଅଗ୍ନିସମ ଅସହ୍ୟ ଶରଦ୍ୱାରା ରାବଣ ପୁତ୍ର ଇନ୍ଦ୍ରଜିତକୁ ଆହତ କଲେ ।୧୯।

 

ସୁମିତ୍ରାନନ୍ଦନଙ୍କର ପ୍ରଖର ଶରରେ ବିଦ୍ଧହୋଇ ଇନ୍ଦ୍ରଜିତ ରୋଷାହରଣପୂର୍ବକ ବାଛିକରି ଆଠ ଗୋଟି ଶରଦ୍ୱାରା ଲକ୍ଷ୍ମଣଙ୍କୁ ପ୍ରହାର କଲେ ।୨୦। କିନ୍ତୁ ବୀର୍ଯ୍ୟବାନ ଲକ୍ଷ୍ମଣ ଯେପରି ତିନିଗୋଟି ଅନଳସ୍ପର୍ଶ ବାଣଦ୍ୱାରା ଇନ୍ଦ୍ରଜିତ ପ୍ରାଣ ହରଣ କଲେ, ତାହା କହୁଅଛି, ଶ୍ରବଣ କରନ୍ତୁ ।୨୧। ଗୋଟିଏ ଶରଦ୍ୱାରା ସେ ତାହାର ହସ୍ତକୁ ଦେହରୁ ବିଲଗ୍ନ କଲେ; ଦ୍ୱିତୀୟ ବାଣଦ୍ୱାରା ତାହାର ଅପର ହସ୍ତଟିକୁ ଯହିଁରେ ନାରାଚ ଧରିଥିଲା ତାକୁ ଛିଣ୍ଡାଇ ଭୂମିରେ ପକାଇଦେଲେ । ତୃତୀୟ ଶରଟି ବିସ୍ତୃତ ଓ ସୁତୀକ୍ଷ୍‌ଣ ଧାରାନ୍ୱିତ ଥିଲା ଓ ଉଜ୍ଜ୍ୱଳ ଦିଶୁଥିଲା । ତଦ୍ଦ୍ୱାରା ସେହି ଅସୁରର ସକୁଣ୍ଡଳ ସୁନାସାଯୁକ୍ତ ଶିର ଛେଦନ କଲେ ।୨୩। ଦୁଇ ଭୁଜ ଓ ମଥା ଛିନ୍ନ ହେବାରୁ ଇନ୍ଦ୍ରଜିତର କବନ୍ଧ ଅତି ଭୟାନକ ଦିଶିଲା । ବଳଶାଳୀ ଶ୍ରେଷ୍ଠ ସୁମିତ୍ରାପୁତ୍ର ତାହାକୁ ମାରିସାରି ତାହାର ସାରଥିକୁ ମଧ୍ୟ ଅସ୍ତ୍ରଦ୍ୱାରା ନିହତ କଲେ ।୨୪। ତହିଁରେ ଅଶ୍ୱମାନେ ସେହି ଶୂନ୍ୟ ରଥକୁ ଟାଣିନେଇ ଲଙ୍କାପୁରରେ ପ୍ରବିଷ୍ଟ ହୁଅନ୍ତେ ରାବଣ ସେହି ରଥକୁ ଦେଖିଲା ।୨୫।

 

ଦୁଷ୍ଟାତ୍ମା ଦଶାନନ ପୁତ୍ର ନିହତ ହେବାର ଜାଣି ଭୟ, ଶୋକ ଓ ମୋହରେ ପୀଡ଼ିତ ହୋଇ ବୈଦେହୀଙ୍କ ବିନାଶାର୍ଥ ପ୍ରସ୍ଥାନ କଲା ।୨୬। ସେ ଖଡ଼୍‌ଗ ଧରି ଅଶୋକ ବନବାସିନୀ ଜନକନନ୍ଦିନୀଙ୍କ ସମ୍ମୁଖକୁ ଅତି ବେଗରେ ଧାବମାନ ହେଲା ।୨୭। ଏହା ଜାଣିପାରି ଧାର୍ମିକ ଦୁର୍ବିନ୍ଧ୍ୟ ଯେଉଁ ଉପାୟରେ ସେହି ପାପମତି ଦଶାନନର କ୍ରୋଧ ଶାନ୍ତି କଲେ, ତାହା କହୁଅଛି ଶ୍ରବଣ କରନ୍ତୁ ।୨୮। ସେ କହିଲେ, ସମୁଜ୍ଜ୍ୱଳ ମହାରାଜ୍ୟର ଅଧିପତି ହୋଇ ସ୍ତ୍ରୀହତ୍ୟା କରିବା ଆପଣଙ୍କର କର୍ତ୍ତବ୍ୟ ନୁହେଁ । ଏହି ସୀତା ସ୍ୱଭାବରେ ସ୍ତ୍ରୀ ହୋଇ ଯେଉଁ କାଳରୁ ଆପଣଙ୍କର ଅଧୀନରେ ବନ୍ଧନ ଦଶାରେ ଅଛି, ତେତେବେଳେ ଆମ୍ଭ ବିବେଚନାରେ ଏହାର ବଧ ହୋଇଅଛି । ଆଉ ବଧ ହେବାକୁ ବାକି ନାହିଁ । ଏହାକୁ ହତ୍ୟା କଲେ ଯେ ଏହାର ବଧ ହେବ, ତାହା ନୁହେଁ । ଆପଣ ତାହାର ସ୍ୱାମୀଙ୍କୁ ସଂହାର କରନ୍ତୁ । ସେ ବିନଷ୍ଟ ହେଲେ ଏହାର ବିନାଶ ହେବ । ସାକ୍ଷାତ୍ ସୁରପତି ମଧ୍ୟ ଆପଣଙ୍କ ସମ ବିକ୍ରମୀ ନୁହନ୍ତି; ଯେ ହେତୁରୁ ଆପଣ ଅନେକ ଥର ସୂରଗଣ ସହ ସୁରପତିଙ୍କୁ ବିତ୍ରସ୍ତ କରିଅଛନ୍ତି । ଏହିରୂପ ନାନାବିଧ ବାକ୍ୟଦ୍ୱାରା ଅବିନ୍ଧ୍ୟ ସେହି ରୋଷାନ୍ୱିତ ରାବଣକୁ ବୋଧ ଦେଲେ ଓ ସେ ମଧ୍ୟ ତାହାଙ୍କ ପରାମର୍ଶ ଗ୍ରହଣ କଲା ।୩୨। ନିକଷାନନ୍ଦନ ରାବଣ ଖଡ଼୍‌ଗ ହସ୍ତରୁ ଫିଙ୍ଗି ଦେଇ ସମରକୁ ଯିବାର ନିଶ୍ଚୟ କରି ଅନୁଚରଙ୍କୁ ଆଜ୍ଞା ଦେଲା ଯେ ଆମ୍ଭର ରଥ ସଜ୍ଜିତ କର ।୩୩।

 

 

॥ ଅଧ୍ୟାୟ – ୨୯୦ ॥

 

ମାର୍କଣ୍ଡେୟ କହିଲେ, ଅନନ୍ତର ପ୍ରିୟପୁତ୍ର ବିନାଶରେ ଦଶାନନ ରୋଷାବିଷ୍ଟ ହୋଇ ସୁବର୍ଣ୍ଣ ଓ ରତ୍ନମଣ୍ଡିତ ରଥରେ ବସି ପ୍ରସ୍ଥାନ କଲା ।୧। ବିବିଧ ପ୍ରକାର ଆୟୁଧଧାରୀ ରାକ୍ଷସଗଣଙ୍କଦ୍ୱାରା ପରିବେଷ୍ଟିତ ହୋଇ ବାନରଯୂଥପତିଙ୍କ ସଙ୍ଗେ ଯୁଦ୍ଧ କରି ସେ ରାମଙ୍କୁ ଆକ୍ରମଣ କଲା ।୨। ରାବଣକୁ ଆସିବାର ଦେଖି ମୈନ୍ଦ, ନୀଳ, ନଳ, ଅଙ୍ଗଦ ଓ ହନୁମାନ, ଜାମ୍ବବାନ ପ୍ରଭୃତି ବାନର ସେନାପତିମାନେ ନିଜ ନିଜ ସେନା ସହ ତାହାକୁ ସର୍ବ ଦିଗରୁ ବେଷ୍ଟନ କଲେ ।୩। ଦଶଗ୍ରୀବଙ୍କ ସାକ୍ଷାତରେ ତାହାଙ୍କ ସେନାକୁ ବାନରଶ୍ରେଷ୍ଠମାନେ ଦ୍ରୁମଦ୍ୱାରା ବିଧ୍ୱଂସିତ କଲେ ।୪। ମାୟାବୀ ରାକ୍ଷାସାଧିପ ରାବଣ ଦେଖିଲା ଯେ ତାହାର ସୈନ୍ୟମାନେ ଦଳିତ ହେଉଅଛନ୍ତି । ତହୁଁ ସେ ମାୟା ସର୍ଜନା କରିବାରେ ପ୍ରବୃତ୍ତ ହେଲା । ତାହା ଦେହରୁ ଚିରଚିକ୍ତି ପ୍ରଭୃତି ଅସ୍ତ୍ରଧାରୀ ଶତ ଶତ ଓ ସହସ୍ର ସହସ୍ର ରାକ୍ଷସ ବିନିର୍ଗତ ହେଲେ ।୬। ସେହିସବୁ ରାକ୍ଷସମାନଙ୍କୁ ରାମ ଦିବ୍ୟାସ୍ତ୍ରଦ୍ୱାରା ସଂହାର କଲେ । ଅନନ୍ତର ରାକ୍ଷସାଧିପ ପୁନର୍ବାର ମାୟା ସର୍ଜନା କଲା ।୭। ହେ ଭାରତ ! ରାମ ଓ ଲକ୍ଷ୍ମଣଙ୍କ ସଦୃଶ ଅନେକ ରାକ୍ଷସ ସର୍ଜନା କରି ସେମାନଙ୍କୁ ସଙ୍ଗରେ ଘେନି ରାମ ଲକ୍ଷ୍ମଣଙ୍କୁ ଆକ୍ରମଣ କଲା ।୮।

 

ତଦନନ୍ତର ସେହି ରାତ୍ରିଚରମାନେ ଛଦ୍ମବେଶୀ ହୋଇ ରାମ ଲକ୍ଷ୍ମଣ ଦୁହିଁଙ୍କୁ ମୁଗ୍ଧ କରିବା ଇଚ୍ଛାରେ ଶର ଶରାସନ ଗ୍ରହଣ କରି ରାମଙ୍କୁ ଆକ୍ରମଣ କଲେ ।୯। ତାହାର ସେହି ମାୟା ଇକ୍ଷ୍ୱାକୁବଂଶାବତଂସ ଲକ୍ଷ୍ମଣ ଅବଗତ ହୋଇ ରାମଙ୍କୁ କହିଲେ, ଆପଣଙ୍କ ପ୍ରତିରୂପୀ ଏହି ରାକ୍ଷସମାନଙ୍କୁ ଆପଣ ବିନାଶ କରନ୍ତୁ ।୧୦। ଏହା ଶୁଣି ରାମ ନିଜର ଓ ଲକ୍ଷ୍ମଣଙ୍କ ପ୍ରତିରୂପଧାରୀ ନିଶାଚରମାନଙ୍କର ପ୍ରାଣ ସଂହାର କଲେ ।୧୧। ଅନନ୍ତର ଇନ୍ଦ୍ରଙ୍କ ସାରଥି ମାତଳି ହରିଦ୍‌ବର୍ଣ୍ଣ ଅଶ୍ୱଯୁକ୍ତ ସୂର୍ଯ୍ୟସଙ୍କାଶ ଶତାଙ୍ଗ ଉପରେ ବସି ରଣସ୍ଥଳରେ ରାମଙ୍କ ସମୀପରେ ଉପସ୍ଥିତ ହୋଇ କହିଲେ, ହେ ପୁରୁଷବ୍ୟାଘ୍ର ! କାକୁସ୍ଥ ! ଏହି ହରିଦ୍‌ବର୍ଣ୍ଣ ଅଶ୍ୱସଂଯୁକ୍ତ ଜୟପ୍ରଦ ରଥଟି ଇନ୍ଦ୍ରଙ୍କର । ଏହି ମହାରଥରେ ଆରୋହଣ କରି ଶତ ଶତ ଦୈତ୍ୟେୟଙ୍କୁ ଇନ୍ଦ୍ର ସମରରେ ସଂହାର କରିଅଛନ୍ତି । ଅତଏବ ହେ ନରଶାର୍ଦ୍ଦୂଳ ! ଆମ୍ଭର ସଂଯମିତ ଏହି ରଥରେ ଆପଣ ଆରୂଢ଼ ହୋଇ ସମରରେ ସତ୍ୱର ରାବଣଙ୍କୁ ବିନଷ୍ଟ କରନ୍ତୁ, ବିଳମ୍ବ କରନ୍ତୁ ନାହିଁ । ଏହି ସମ୍ଭାଷଣ ଶୁଣି ରାମ ଶଙ୍କା କଲେ ଯେ ଏ ଅବା ରାକ୍ଷସୀ ମାୟା ହୋଇପାରେ । ଏହା ଭାବି ମାତଳିଙ୍କର ସତ୍ୟ ବଚନରେ ସୁଦ୍ଧା ଯଥୋଚିତ ଶ୍ରଦ୍ଧା କଲେ ନାହିଁ । ପରନ୍ତୁ ବିଭୀଷଣ ତାହାଙ୍କୁ କହିଲେ, ହେ ନରବର ! ଏ ଦୁରାତ୍ମା ରାବଣର ମାୟା ନୁହେଁ; ଏ ପ୍ରକୃତ ଇନ୍ଦ୍ରଙ୍କର ରଥ । ଅତଏବ, ହେ ମହାତ୍ମନ୍‌ ! ଆପଣ ଶୀଘ୍ର ଏଥିରେ ଅଧିରୋହଣ କରନ୍ତୁ । କାକୁସ୍ଥ ହୃଷ୍ଟ ଚିତ୍ତରେ ‘ହେଉ’ ବୋଲି ବିଭୀଷଣକୁ କହି ରଥ ଉପରେ ଆରୋହଣ କଲେ ଓ ରୋଷପୂର୍ଣ୍ଣ ହୋଇ ଦଶାନନଙ୍କ ପ୍ରତି ଧାବମାନ ହେଲେ । ରାବଣ ପ୍ରତିଆକ୍ରମଣ କରନ୍ତେ ଲୋକେ ହାହାକାର କଲେ । ସୁରଲୋକରେ ପଟହଧ୍ୱନି ଓ ସିଂହନାଦ ନିନାଦିତ ହେଲା । ତତ୍କାଳରେ ଦଶାନନ ଓ ଦାଶରଥୀଙ୍କର ମହାଯୁଦ୍ଧ ହେଲା ।୧୯। ରାମ ରାବଣଙ୍କର ଯେପରି ଯୁଦ୍ଧ ହେଲା ସେପରି ଯୁଦ୍ଧ ଆଉ କେବେହେଁ କାହାରି ମଧ୍ୟରେ ହୋଇନଥିଲା-। ଏହାର ଉପମା ବିରଳ । ସାକ୍ଷାତ୍ ବ୍ରହ୍ମଦଣ୍ଡ ପ୍ରାୟ ଉଦ୍ୟତ, ଇନ୍ଦ୍ରଙ୍କ ବଜ୍ରପ୍ରଭାସମ ପ୍ରଭାନ୍ୱିତ ଗୋଟିଏ ଶୂଳ ରାବଣ ଧରି ରାମଙ୍କ ପ୍ରତି ବିସର୍ଜନ କଲା । ନିଶିତ ଶରସମୂହଦ୍ୱାରା ରାମ ସେହି ଶୂଳ ତାହାର ପତନ ପୂର୍ବରୁ ଛେଦି ପକାଇଲେ ।୨୧।

 

ଏହି ଦୁଷ୍କର କର୍ମ ଦେଖି ରାବଣ ହୃଦୟରେ ଭୟ ସଞ୍ଚାର ହେଲା । ସେ ଶାଣିତ ଶତ ଶତ, ସହସ୍ର ସହସ୍ର ଓ ଅୟୁତାୟୁତ ଅସ୍ତ୍ର ରାମଙ୍କ ପ୍ରତି ବିସର୍ଜନ କଲା । ତହିଁରୁ ପୁଣି ଭୁଷୁଣ୍ଡୀ, ଶୂଳ, ମୁଷଳ, ପରିଶ୍ୱଧ, ବିବିଧାକାର ଶକ୍ତି, ଶତଘ୍ନୀ ଓ ଶାଣିତ କ୍ଷୁରାସ୍ତ୍ରମାନ ଜାତ ହୋଇ ରାମଙ୍କ ପ୍ରତି ନିକ୍ଷିପ୍ତ ହେଲା । ରାକ୍ଷସରାଜ ରାବଣର ସେହି ଭୟଙ୍କରୀ ମାୟାକୁ ନିରୀକ୍ଷଣ କରି ବାନରମାନେ ଚତୁର୍ଦ୍ଦିଗକୁ ପଳାୟନ କଲେ । ଅନନ୍ତର ରାମ ଗୋଟିଏ ଶରକୁ ତୂଣରୁ ବାଛିକରି ବାହାର କଲେ । ତାହାର ପତ୍ର ସୁନ୍ଦର, ମୁଖ ମଧ୍ୟ ଉତ୍ତମ, ପୁଙ୍ଖ ସୁବର୍ଣ୍ଣମୟ, ବ୍ରହ୍ମାସ୍ତ୍ରମନ୍ତ୍ରରେ ତାହାକୁ ଅଭିମନ୍ତ୍ରିତ କରି ଶରାସନରେ ଯୋଜନା କଲେ । ରଘୁନନ୍ଦନ ସେହି ଉତ୍ତମ ଶରଟିକୁ ବ୍ରହ୍ମାସ୍ତ୍ରମନ୍ତ୍ରରେ ଅଭିମନ୍ତ୍ରିତ କଲେ ।୨୬। ଏହା ଦେଖି ଇନ୍ଦ୍ର ପ୍ରଭୃତି ଦେବ ଓ ଗନ୍ଧର୍ବଗଣ ହର୍ଷାନ୍ୱିତ ହେଲେ । ସେହି ବ୍ରହ୍ମାସ୍ତ୍ରର ପ୍ରକାଶ ହୁଅନ୍ତେ ଦେବ, ଦାନବ ଓ କିନ୍ନରଗଣଙ୍କ ମଧ୍ୟରେ ନିଶ୍ଚିତ ବୋଧ ହେଲା ଯେ ରାବଣର ପରମାୟୁ ଆଉ ଅଳ୍ପ କ୍ଷଣ ରହିଲା । ତଦନନ୍ତର ସେହି ସମୁଦ୍ୟତ ବ୍ରହ୍ମଦଣ୍ଡ ସମ ଅପ୍ରତିମ ତେଜୋଯୁକ୍ତ ରାବଣାନ୍ତକ ଭୟଙ୍କର ଶର ବିସର୍ଜନ କଲେ । ହେ ଭାରତ ! କର୍ଣ୍ଣ ପର୍ଯ୍ୟନ୍ତ ସେହି ଶରକୁ ରାମ ଟାଣିଆଣି ପରିତ୍ୟାଗ କଲାକ୍ଷଣି ରାକ୍ଷସରାଜ ଦଶାନନ ତତ୍ ସଂଯୋଗରେ ତୁରଙ୍ଗ, ଶତାଙ୍ଗ, ସାରଥି ସହିତ ଶିଖା ସମନ୍ୱିତ ହୁତାଶନଦ୍ୱାରା ବେଷ୍ଟିତ ହୋଇ ପ୍ରଜ୍ୱଳିତ ହେଲା ।୩୦। ତଦନନ୍ତର ଅକ୍ଳିଷ୍ଟକର୍ମା ରାମଙ୍କଦ୍ୱାରା ରାବଣ ନିହତ ହେବାର ଦେଖି ଦେବତାମାନେ ଗନ୍ଧର୍ବ ଓ ଚାରଣଗଣଙ୍କ ସହିତ ହୃଷ୍ଟ ହେଲେ ।୩୧। ବ୍ରହ୍ମାସ୍ତ୍ରତେଜଦ୍ୱାରା ସେ ସର୍ବଲୋକରୁ ଭ୍ରଂଶିତ ହେବାରୁ ଭୂମ୍ୟାଦି ପଞ୍ଚଭୂତମାନେ (ଭୂମି,ଜଳ, ଅଗ୍ନି, ବାୟୁ ଓ ଆକାଶ) ସେହି ମହାଭାଗ ରାବଣକୁ ପରିତ୍ୟାଗ କଲେ ।୩୨। ତାହାର ରକ୍ତମାଂସ ଓ ଶାରୀରିକ ଧାତୁମାନ ବ୍ରହ୍ମାସ୍ତ୍ରଦ୍ୱାରା ନିଃଶେଷରୂପେ ଦଗ୍ଧ ହୋଇ ବିଲୁପ୍ତ ହୋଇଗଲା । ଏମନ୍ତ କି ତାହାର ଭସ୍ମ ମଧ୍ୟ ଦୃଶ୍ୟ ହେଲା ନାହିଁ ।୩୩।

 

॥ ଅଧ୍ୟାୟ – ୨୯୧ ॥

 

ମାର୍କଣ୍ଡେୟ କହିଲେ, ଅମରବୈରୀ ରାକ୍ଷସେନ୍ଦ୍ର କ୍ଷୁଦ୍ରାତ୍ମା ରାବଣକୁ ବଧ କରି ରାମ ଲକ୍ଷ୍ମଣ ଦୁଇଭାଇ ସୁହୃଦବର୍ଗଙ୍କୁ ଘେନି ହୃଷ୍ଟ ହେଲେ ।୧। ଦଶାନନ ନିହତ ହୁଅନ୍ତେ ଦେବତା ଓ ଋଷିମାନେ ବହୁସଂଖ୍ୟକ ଜୟଯୁକ୍ତ ଆଶୀର୍ବାଦଦ୍ୱାରା କମଳଲୋଚନ ରାମଙ୍କର ଅର୍ଚ୍ଚନା କଲେ ।୨। ସ୍ୱର୍ଗସ୍ଥିତ ଦେବଗନ୍ଧର୍ବମାନେ ପୁଷ୍ପ ବୃଷ୍ଟି କଲେ ଓ ବଚନ-ରଚନାଦ୍ୱାରା କମଳନେତ୍ର ରାମଙ୍କର ସ୍ତବ କଲେ ।୩। ହେ ଅଚ୍ୟୁତ ! ସେମାନେ ରାମଙ୍କର ତଦ୍ରୂପ ପୂଜା କରି ଯେଉଁ ସ୍ଥାନରୁ ଆଗମନ କରିଥିଲେ, ସେଠାକୁ ପ୍ରତିଗମନ କଲେ । ତତ୍କାଳରେ ଏପରି ବୋଧ ହେଲା କି ଯେପରି ଆକାଶ ମଣ୍ଡଳରେ ମହାନ ଉତ୍ସବ ଲାଗିଅଛି । ପରପୁରବିଜୟୀ ମହାଯଶା ରାମ ଦଶାନନକୁ ନିପାତିତ କରିସାରି ବିଭୀଷଣଙ୍କୁ ଲଙ୍କା ପ୍ରଦାନ କଲେ ।୫। ଅନନ୍ତର ରାବଣର ବୃଦ୍ଧମନ୍ତ୍ରୀ ସୁବୁଦ୍ଧି ଅବିନ୍ଧ୍ୟ ଅଗ୍ରେ ସୀତା ଓ ତାହାଙ୍କ ପଛେ ବିଭୀଷଣଙ୍କୁ ଘେନି ପୁରୀ ମଧ୍ୟରୁ ନିର୍ଗମନ କଲେ ।୬। ଅବିନ୍ଧ୍ୟ ଦୀନ ଭାବାପନ୍ନ ହୋଇ ରାମଙ୍କୁ କହିଲେ, ‘ମହାତ୍ମନ୍‌ ! ଆପଣ ସଚ୍ଚରିତ୍ରା ଦେବୀ ଜାନକୀଙ୍କୁ ପ୍ରତିଗ୍ରହ କରନ୍ତୁ ।୭।

 

ଅବିନ୍ଧ୍ୟଙ୍କ ସେହି ବଚନ ଶ୍ରବଣ କରି ଇକ୍ଷ୍ୱାକୁବଂଶଜ ରାମ ସେହି ରଥୋତ୍ତମରୁ ଓହ୍ଲାଇ ଅଶ୍ରୁକ୍ଳିନ୍ନା ସୀତାଙ୍କୁ ଅବଲୋକନ କଲେ ।୮। ସେହି ରୁଚିରାଙ୍ଗୀ ଯାନରେ ବସିଥିଲେ । ସର୍ବଗାତ୍ର ମଳିନ ହୋଇଥିଲା । ଶୋକରେ କର୍ଷିତା ହୋଇଥିଲେ । ସଂସ୍କାର ଅଭାବରୁ ଜଟିଳା ହୋଇଥିଲେ । ଏହିପରି ହୋଇ ଖଣ୍ଡିଏ କଳା ଲୁଗା ପିନ୍ଧିଥିଲେ । ବୈଦେହୀଙ୍କ ତଦ୍ରୂପ ଅବସ୍ଥା ଦେଖି ରାକ୍ଷସ ସ୍ପର୍ଶ ହେତୁରୁ ରାମ ତାହାଙ୍କ ପ୍ରତି ସନ୍ଦେହ କରି କହିଲେ, ବୈଦେହି ! ତୁମ୍ଭେ ବିମୁକ୍ତା ହେଲ; ଆମ୍ଭର ଯାହା କର୍ତ୍ତବ୍ୟ ତାହା ଆମ୍ଭେ କଲୁ । ହେ ଭଦ୍ରେ ! ଆମ୍ଭଙ୍କୁ ପତିସ୍ୱରୂପ ଲାଭ କରି ଓ ରାକ୍ଷସଗୃହରେ ରହି ତୁମ୍ଭେ ବୃଦ୍ଧାବସ୍ଥା ପ୍ରାପ୍ତ ହୁଅନ୍ତ; ଏକାର୍ଯ୍ୟ ତୁମ୍ଭପକ୍ଷରେ ଉପଯୁକ୍ତ ନୁହେଁ । ଏହି କଥା ଭାବି ଆମ୍ଭେ ନିଶାଚରକୁ ବଧ କଲୁ । ଏବେ ତୁମ୍ଭେ ଯଥେଚ୍ଛା ଗମନ କର ।୧୧। ତାହାର କାରଣ ଏହି ଯେ ଧର୍ମାଧର୍ମ ନିଶ୍ଚୟ ଜାଣି ମୋ ପରି ବ୍ୟକ୍ତି କିପରି ନିଜର ନାରୀକୁ ପରହସ୍ତରେ ମୁହୂର୍ତ୍ତକ ନିମିତ୍ତ ହେଲେ ରଖିପାରେ ?୧୨। ହେ ମୈଥିଳି ! ତୁମ୍ଭେ ସଚ୍ଚରିତ୍ରା ହୁଅ ଅଥବା ଦୁଶ୍ଚରିତ୍ରା ହୁଅ, ସମ୍ପ୍ରତି କୁକୁରାବଲେହିତ ଘୃତପ୍ରାୟ ତୁମ୍ଭଙ୍କୁ କି ପ୍ରକାରେ ଉପଭୋଗ କରିବାକୁ ଉଦ୍ୟତ ହେବୁଁ ?୧୩। ଜନକନନ୍ଦିନୀ ବାଳା ସୀତା ରାମଙ୍କର ସେହି ଦାରୁଣ ବଚନ ଶ୍ରବଣ କରି ଛିନ୍ନମୂଳ କଦଳୀ ତରୁପ୍ରାୟ ସହସା ଭୂତଳରେ ପତିତ ହେଲେ ।୧୪। ବନ୍ଧନରୁ ମୁକ୍ତ ହୋଇ ପତିଦର୍ଶନରେ ତାହାଙ୍କ ମୁଖରେ ଯେଉଁ ହର୍ଷର ଚିହ୍ନ ଲକ୍ଷିତ ହେଉଥିଲା, ତାହା ଞ୍ଚଦର୍ପଣସ୍ଥିତ ପ୍ରତିବିମ୍ବରେ ନିଃଶ୍ୱାସପ୍ରାୟ ତତ୍‌କ୍ଷଣାତ ବିଲୁପ୍ତ ହେଲା ।୧୫।

 

ତଦନନ୍ତର ବାନର ପ୍ରଭୃତି ସମସ୍ତେ ସେ କଥା ଶୁଣି ମୃତପ୍ରାୟ ପଡ଼ିରହିଲେ । ଲକ୍ଷ୍ମଣ ମଧ୍ୟ ତଦ୍ରୂପ ନିଶ୍ଚେଷ୍ଟ ହୋଇ ରହିଲେ ।୧୬। ଏଥି ଉତ୍ତାରୁ ଯେଉଁ ବିଶୁଦ୍ଧାତ୍ମା ପଦ୍ମଯୋନି ବ୍ରହ୍ମା ଏହି ଜଗତକୁ ସର୍ଜନା କରିଅଛନ୍ତି, ସେ ବିମାନରେ ବସି ରାଘବଙ୍କୁ ଦେଖାଦେଲେ । ଇନ୍ଦ୍ର, ଅଗ୍ନି, ବାୟୁ, ଯମ, ବରୁଣ, ଯକ୍ଷାଧିପତି କୁବେର, ଭଗବାନ ରୁଦ୍ର, ନିର୍ମଳ ସପ୍ତର୍ଷିଗଣ ସେଠାକୁ ଆଗମନ କଲେ-।୧୮। ରାଜା ଦଶରଥ ମଧ୍ୟ ହଂସସଂଯୁକ୍ତ ମହାମୂଲ୍ୟ ବିମାନରେ ଆରୋହଣ କରି ଦିବ୍ୟ ଭାସ୍ୱର ରୂପ ଧରି ଆଗତ ହେଲେ ।୧୯। ଦେବଗନ୍ଧର୍ବସଂକୁଳ ଆକାଶ ତତ୍କାଳରେ ତାରକାଚିତ୍ରିତ ଶରତକାଳୀନ ଆକାଶ ପ୍ରାୟ ଶୋଭାନ୍ୱିତ ଦେଖାଗଲା ।୨୦। ସେମାନଙ୍କୁ ଦେଖି ଯଶସ୍ୱିନୀ ବୈଦେହୀ ଭୂମିରୁ ଉଠି ସେମାନଙ୍କ ମଧ୍ୟରେ ଉଭାହୋଇ କମଳଲୋଚନ ବୃହଦ୍‌ ବକ୍ଷ ରାମଙ୍କୁ ସମ୍ବୋଧନ କରି କହିଲେ, ରାଜପୁତ୍ର ! ମୁଁ ଆପଣଙ୍କୁ ଦୋଷ ଦେଇନପାରେ । କାରଣ ନରନାରୀଙ୍କର ଗତି ଆପଣଙ୍କୁ ବିଦିତ ଅଛି । ତଥାପି ମୋର ଏହି କଥାଟି ଶ୍ରବଣ କରନ୍ତୁ-।୨୨। ସଦାଗତି ପବନ ଦେବତା ସର୍ବପ୍ରାଣୀଙ୍କ ଅଭ୍ୟନ୍ତରରେ ବିଚରଣ କରନ୍ତି । ଅତଏବ ମୁଁ ଯେବେ ପାପାଚରଣ କରିଥାଏ, ତେବେ ସେ ଜଗତପ୍ରାଣ ମୋତେ ପରିତ୍ୟାଗ କରନ୍ତୁ ।୨୩। କେବଳ ସମୀରଣ କାହିଁକି ଯଦି ମୁଁ ପାପାଚାରିଣୀ ହୋଇଥାଏ, ତେବେ ଅଗ୍ନି, ଜଳ, ଆକାଶ, ପୃଥ୍ୱୀ ଓ ଅନୀଳ ସମସ୍ତେ ମୋର ଜୀବନ ହରଣ କରନ୍ତୁ ।୨୪। ହେ ବୀର ! ମୁଁ ଯେଣୁ ଆପଣଙ୍କ ବ୍ୟତିରେକେ ଅନ୍ୟ ପୁରୁଷକୁ ଚାହେ ନାହିଁ, ସେହିପରି ଦେବଗଣ ମୋତେ ଆପଣଙ୍କୁ ଦେଇଅଛନ୍ତି-। ଆପଣ ମୋର ପତି ହେଉନ୍ତୁ ।୨୫। ଏହା କହିଲାକ୍ଷଣି ଗୋଟିଏ ପବିତ୍ର ଆକାଶବାଣୀ ହେଲା-। ସେହି ବାଣୀ ସବୁ ଦିଗକୁ ପ୍ରତିଧ୍ୱନିତ କରି ଉଚ୍ଚାରିତ ହେଲା । ସେହି ଶୁଭଗା ଲୋକସାକ୍ଷିଣୀ ବାଣୀକୁ ଶୁଣି ମହାତ୍ମା ବାନରମାନେ ଅତିଶୟ ଆନନ୍ଦିତ ହେଲେ ।୨୬।

 

ବାୟୁ କହିଲେ, ହେ ରଘୁନନ୍ଦନ ! ସୀତା ଯେଉଁ ବଚନ କହିଲେ ତାହା ସତ୍ୟ ଅଟେ । ଆମ୍ଭେ ସର୍ବତ୍ର ଗତିଶୀଳା । ହେ ରାଜନ୍‌ ! ମୈଥିଳୀଙ୍କର କିଛିମାତ୍ର ପାପ ନାହିଁ । ଅତଏବ ତୁମ୍ଭେ ଭାର୍ଯ୍ୟାଙ୍କ ସହ ମିଳିତ ହୁଅ ।୨୭। ଅଗ୍ନି କହିଲେ, ହେ ରଘୁନନ୍ଦନ ! ମୁଁ ସର୍ବଭୂତଙ୍କ ଶରୀର ମଧ୍ୟରେ ଥାଏ । ହେ କାକୁସ୍ଥ ! ମୈଥିଳୀଙ୍କର ଅଣୁମାତ୍ର ଅପରାଧ ନାହିଁ । ବରୁଣ କହିଲେ, ହେ ରାଘବ ! ସର୍ବ ପ୍ରାଣୀଙ୍କ ଦେହରେ ଯେଉଁ ରସ ଅଛି, ସେ ଆମ୍ଭଠାରୁ ଉତ୍ପନ୍ନ ହୋଇଅଛି । ଅତଏବ ଆମ୍ଭେ ତୁମ୍ଭଙ୍କୁ କହୁଅଛୁ, ତୁମ୍ଭେ ଜାନକୀଙ୍କୁ ଗ୍ରହଣ କର ।୨୯। ବ୍ରହ୍ମା କହିଲେ, ହେ ସଚ୍ଚରିତ୍ର ପୁତ୍ର କାକୁସ୍ଥ ! ତୁମ୍ଭେ ରାଜର୍ଷି, ଧର୍ମାଚାରୀ ଓ ସାଧୁ । ଅତଏବ ତୁମ୍ଭର ଏପରି ବ୍ୟବହାର ଆଶ୍ଚର୍ଯ୍ୟଜନକ ନୁହେଁ । ତଥାପି ଆମ୍ଭର ଏହି ବାକ୍ୟ ଶ୍ରବଣ କର ।୩୦। ହେ ବୀର ! ତୁମ୍ଭେ ଦେବ, ଗନ୍ଧର୍ବ, ଯକ୍ଷ, ପନ୍ନଗ, ଦାନବ ଓ ମହର୍ଷିଗଣଙ୍କର ଏହି ଶତ୍ରୁକୁ ନିପାତିତ କରିଅଛ ।୩୧। ପାପାତ୍ମା ଦଶାନନ ପୂର୍ବେ ଆମ୍ଭ ପ୍ରସାଦରୁ ସର୍ବଭୂତର ଅବଧ୍ୟ ହୋଇଥିଲା । ଆମ୍ଭେ କୌଣସି କାରଣରୁ ତାହାକୁ କିଛିକାଳ ଉପେକ୍ଷା କରିଥିଲୁ ।୩୨। ଏବେ ସେହି ଦୁରାତ୍ମା ଆପଣାର ବିନାଶାର୍ଥ ସୀତାଙ୍କୁ ହରଣ କରିଥିଲା । ପରନ୍ତୁ ଆମ୍ଭେ ନଳକୂବରଙ୍କ ଶାପ ହେତୁରୁ ଏହାଙ୍କୁ ରକ୍ଷା କରିଥିଲୁ ।୩୩। ପୂର୍ବେ ତାହାକୁ ଏହିପରି ଅଭିଶାପ ହୋଇଥିଲା ଯେ ଯଦି ସେ କୌଣସି ବ୍ୟକ୍ତିର ଭାର୍ଯ୍ୟାକୁ ତାହାର ଇଚ୍ଛାବିରୋଧରେ କାମନା କରେ ଓ ଅଭିଗମନ କରେ, ତେବେ ତାହାର ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।୩୪।

 

ଅତଏବ, ହେ ଦ୍ୟୁତିମାନ ! ତୁମ୍ଭେ ସୀତାଙ୍କ ବିଷୟରେ କୌଣସି ଶଙ୍କା କର ନାହିଁ; ତାହାଙ୍କୁ ପ୍ରତିଗ୍ରହ କର । ହେ ଦେବପ୍ରଭ ! ତୁମ୍ଭେ ଅମରଗଣଙ୍କର ମହତକାର୍ଯ୍ୟ ସମ୍ପାଦନ କରିଅଛ-।୩୫। ଦଶରଥ କହିଲେ, ହେ ପୁତ୍ର–ଆମ୍ଭେ ତୁମ୍ଭର ପିତା ଦଶରଥ । ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ପ୍ରତି ଆମ୍ଭେ ପ୍ରୀତ ହୋଇଅଛୁ । ହେ ପୁରୁଷୋତ୍ତମ ! ଆମ୍ଭେ ଅନୁଜ୍ଞା ଦେଉଅଛୁଁ, ତୁମ୍ଭେ ସୀତାଙ୍କୁ ଗ୍ରହଣ କର ଓ ରାଜ୍ୟ ଶାସନ କର । ରାମ କହିଲେ, ହେ ରାଜେନ୍ଦ୍ର ! ଆପଣଙ୍କୁ ଅଭିବାଦନ କରୁଅଛି । ଆପଣ ଯଦି ଆମ୍ଭର ପିତା ହୋଇଥାନ୍ତି, ତେବେ ଆପଣଙ୍କ ଆଜ୍ଞାନୁସାରେ ଆମ୍ଭେ ଅଯୋଧ୍ୟାନଗରୀରେ ରାଜତ୍ୱ କରିବୁ ।୩୭। ମାର୍କଣ୍ଡେୟ କହିଲେ, ହେ ଭରତଶ୍ରେଷ୍ଠ ! ସେ କଥା ଶୁଣି ଦଶରଥ ପ୍ରକୃଷ୍ଟରୂପେ ହୃଷ୍ଟହୋଇ ଲୋହିତାପାଙ୍ଗ ରାମଙ୍କୁ ପୁନର୍ବାର କହିଲେ, ହେ ମହାପ୍ରଭ-! ସମ୍ପ୍ରତି ଚତୁର୍ଦ୍ଦଶ ବର୍ଷ ପୂର୍ଣ୍ଣ ହୋଇଅଛି । ଅତଏବ ତୁମ୍ଭେ ଅଯୋଧ୍ୟାକୁ ଗମନ କରି ସେଠାରେ ରାଜ୍ୟ ଶାସନ କର । ଅନନ୍ତର ଶତ୍ରୁତାପନ ରଘୁନନ୍ଦନ ଦେବଗଣଙ୍କୁ ନମସ୍କାର କରି ଓ ସୁହୃଦ୍‌ବର୍ଗଙ୍କଦ୍ୱାରା ଅଭିନନ୍ଦିତ ହୋଇ ଶଚୀଙ୍କ ସହିତ ମହେନ୍ଦ୍ର ମିଳିତ ହେଲା ପ୍ରାୟ ଭାର୍ଯ୍ୟାଙ୍କ ସହିତ ଏକତ୍ର ହେଲେ । ତତ୍ପରେ ଅବିନ୍ଧ୍ୟକୁ ବର ଦେଲେ ।୪୦। ରାକ୍ଷସୀ ତ୍ରିଜଟାଙ୍କୁ ମଧ୍ୟ ଧନ ଓ ମାନଦ୍ୱାରା ସମ୍ବର୍ଦ୍ଧିତ କଲେ । ଏଥି ଉତ୍ତାରୁ ପ୍ରଜାପତି ସୁରପତି ଓ ଦେବଗଣଙ୍କୁ ଘେନି ଏହି କଥା କହିଲେ,୪୧। ହେ କୌଶଲ୍ୟାନନ୍ଦନ ! ଅଦ୍ୟ ଆମ୍ଭେମାନେ ତୁମ୍ଭଙ୍କୁ କି କି ବର, ଦେବୁ, କହ-। ରାମ କହିଲେ, ଧର୍ମରେ ମୋର ମତି ନିଶ୍ଚଳ ଥାଉ । ଶତ୍ରୁମାନେ ମୋତେ ପରାସ୍ତ କରି ନ ପାରନ୍ତୁ ଓ ରାକ୍ଷସମାନଙ୍କଦ୍ୱାରା ମୋର ଯେତେ ସୈନ୍ୟ ନିହତ ହୋଇଅଛନ୍ତି, ସେମାନେ ପୁନର୍ଜୀବିତ ହୁଅନ୍ତୁ-। ଅନନ୍ତର ବ୍ରହ୍ମା ତଥାସ୍ତୁ ବୋଲି କହିଲାକ୍ଷଣି ମୃତ ବାନରମାନେ ଚୈତନ୍ୟପ୍ରାପ୍ତ ହୋଇ ଝାଡ଼ିଝୁଡ଼ି ହୋଇ ଉଠିଲେ । ତତ୍କାଳରେ ମହାଭାଗ୍ୟବତୀ ଜନକନନ୍ଦିନୀ ମଧ୍ୟ ହନୁମାନଙ୍କୁ ଏହି ବର ଦେଲେ-। ପୁତ୍ର ! ଯେତେଦିନ ପର୍ଯ୍ୟନ୍ତ ରାମଙ୍କର କୀର୍ତ୍ତି ଏହି ଲୋକରେ ବିଖ୍ୟାତ ଥିବ, ତେତେ ଦିନ ପର୍ଯ୍ୟନ୍ତ ତୁମ୍ଭେ ଜୀବିତ ଥିବ । ହେ ପିଙ୍ଗଳାକ୍ଷ ! ମୋ ଅନୁଗ୍ରହରୁ ସର୍ବପ୍ରକାର ଉପଭୋଗ ମଧ୍ୟ ତୁମ୍ଭଙ୍କୁ ସର୍ବଦା ଭଜନା କରିବେ । ତଦନନ୍ତର ସୁରପତି ପ୍ରଭୃତି ସମଗ୍ର ଦେବତା ରାମଙ୍କ ସାକ୍ଷାତରେ ଅନ୍ତର୍ହିତ ହେଲେ । ପରନ୍ତୁ ଇନ୍ଦ୍ରଙ୍କ ସାରଥି ସୀତା ରାମଙ୍କୁ ବିଲୋକନ କରି ।୪୭। ପରମ ପ୍ରୀତିଚିତ୍ତରେ ସୁହୃଦ୍‌ଗଣଙ୍କ ମଧ୍ୟରେ ଏହି କଥା କହିଲେ, “ହେ ସତ୍ୟ ପରାକ୍ରମ ! ଦେବ, ଗନ୍ଧର୍ବ, ଯକ୍ଷ, ମନୁଷ୍ୟ, ଅସୁର ଓ ପନ୍ନଗଗଣଙ୍କର ଏହି ମହତ ଦୁଃଖ ଆପଣ ଅପନୋଦନ କଲେ, ଅତଏବ ଯେ ପର୍ଯ୍ୟନ୍ତ ଏହି ବସୁନ୍ଧରା ସେମାନଙ୍କୁ ଧାରଣ କରିଥିବେ, ସେମାନେ ତତ୍କାଳାବଧି ଆପଣଙ୍କର ନାମ କୀର୍ତ୍ତନ କରୁଥିବେ । ଶସ୍ତ୍ରଧାରୀଙ୍କ ଅଗ୍ରଣୀ ରାମଙ୍କୁ ଏହିପରି କହି ତାହାଙ୍କଠାରୁ ବିଦାୟ ନେଇ ସମ୍ୟକ୍ ପୂଜା କରଣାନନ୍ତର ତପନସମ ଦୀପ୍ତିଶାଳୀ ରଥ ଘେନି ପ୍ରସ୍ଥାନ କଲେ-

 

ତଦନନ୍ତର ଜିତେନ୍ଦ୍ରିୟ ରାମ ଓ ଲକ୍ଷ୍ମଣ ଦୁଇ ଭାଇ ଓ ସୁଗ୍ରୀବ ପ୍ରଭୃତି ବାନରଗଣଙ୍କୁ ବିଭୀଷଣ ଯଥାବିଧିରେ ପୁରସ୍କୃତ କଲେ । ତହୁଁ ସେମାନେ ଲଙ୍କାର ରକ୍ଷାବିଧାନ କଲେ ଓ ଗଗନଚାରୀ କାମଗାମୀ ପୁଷ୍ପକ ବିମାନରେ ସୀତାଙ୍କ ଆଗରେ କରି ବିରାଜମାନ ହୋଇ ଯେଉଁ ବାଟେ ସେତୁ ନିର୍ମାଣ କରି ଆସିଥିଲେ, ସେହି ବାଟେ ମକରାଳୟକୁ ପାରି ହୋଇଥିଲେ ।୫୪। ସେହି ସ୍ଥାନରେ ସେ ଧର୍ମାତ୍ମା କପିସୈନ୍ୟଙ୍କ ସହିତ ବାସ କଲେ । ତତ୍ପରେ ରାଘବ ସେହି କପିଗଣଙ୍କୁ ଯଥାକାଳରେ ଏକତ୍ର ଅଣାଇ ସମ୍ୟକ୍ ପ୍ରକାରେ ସେମାନଙ୍କର ପୂଜା କଲେ ।୫୫। ଓ ବିବିଧ ରତ୍ନଦ୍ୱାରା ଯାହାକୁ ଯେପରି ସମସ୍ତଙ୍କର ସନ୍ତୋଷ ସମ୍ପାଦନ କଲେ । ସେହିସବୁ ବାନର, ଗୋପୁଚ୍ଛ ଓ ଭଲ୍ଲୁକମାନେ ବିଦାୟ ହୋଇ ଗମନ କରନ୍ତେ ଯୋଦ୍ଧାଶ୍ରେଷ୍ଠ ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ପୁନର୍ବାର କିସ୍କିନ୍ଧ୍ୟାକୁ ଯାତ୍ରା କଲେ । ତତ୍କାଳରେ ସେ ସୁଗ୍ରୀବ ଓ ବିଭୀଷଣଙ୍କ ସଙ୍ଗେ ପୁଷ୍ପକ ବିମାନରେ ବସି ବୈଦେହୀଙ୍କୁ ବନ ଓ ଋଷିଙ୍କ ଆଶ୍ରମ ପ୍ରଭୃତି ପ୍ରଦର୍ଶନ କରାଇ କିସ୍କିନ୍ଧ୍ୟାରେ ପ୍ରବିଷ୍ଟ ହେଲେ । ସେଠାରେ କୃତବିଦ୍ୟ ଅଙ୍ଗଦକୁ ଯୌବରାଜ୍ୟରେ ଅଭିଷିକ୍ତ କଲେ । ତତ୍ପରେ ସେମାନଙ୍କୁ ସଙ୍ଗରେ ଘେନି ଲକ୍ଷ୍ମଣଙ୍କ ସହିତ ଯେଉଁ ପଥରେ ଆସିଥିଲେ, ସ୍ୱନଗରକୁ ସେହି ପଥରେ ପ୍ରସ୍ଥାନ କଲେ । ଅନନ୍ତର ସେହି ନରପତି ରାମ ଅଯୋଧ୍ୟାନଗରୀ ପାର୍ଶ୍ୱରେ ଉପନୀତ ହେଲେ ।୬୦।

 

ଭରତଙ୍କଠାରୁ ହନୁମାନଙ୍କୁ ଦୂତସ୍ୱରୂପ ପ୍ରେରଣ କଲେ । ପବନନନ୍ଦନ ଇଙ୍ଗିତଦ୍ୱାରା ଭରତଙ୍କର ମନୋଗତ ସମୁଦାୟ ଭାବ ଅବଗତ ହୋଇ ତାହାଙ୍କର ପ୍ରିୟବାର୍ତ୍ତା ଜଣାଇ ଫେରିଆସିଲା ପରେ ସମସ୍ତେ ନନ୍ଦିଗ୍ରାମକୁ ଗମନ କଲେ । ସେଠାରେ ଭରତଙ୍କୁ ଦେଖିଲେ ଯେ ତାଙ୍କ ଦେହରେ ମଳି ବସିଅଛି । ସେ ଛିଣ୍ଡା ବସନ ଖଣ୍ଡିଏ ପିନ୍ଧିଅଛନ୍ତି ।୬୨। ଏପରି ଅବସ୍ଥାରେ ସେ ସମ୍ମୁଖରେ ରାମଙ୍କର ପାଦୁକା ରଖି ଆସନରେ ବସିଅଛନ୍ତି । ହେ ଭରତର୍ଷଭ ! ଅନନ୍ତର ବୀର୍ଯ୍ୟବାନ ରାମ ଓ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ସହିତ ମିଳିତ ହୋଇ ଅତିଶୟ ହୃଷ୍ଟ ହେଲେ ଓ ସେମାନେ ମଧ୍ୟ ଜ୍ୟେଷ୍ଠ ଭ୍ରାତାଙ୍କ ସହିତ ମିଳିତ ହୋଇ ବୈଦେହୀଙ୍କ ଦର୍ଶନରେ ବିଶେଷରେ ଆହ୍ଲାଦିତ ହେଲେ । ରାମଙ୍କର ପରିତ୍ୟକ୍ତ ରାଜ୍ୟ ରାମଙ୍କୁ ସତ୍କାର ସହିତ ସୁଖରେ ପ୍ରତ୍ୟର୍ପଣ କରି ଭରତ ଆପଣାକୁ ଉଶ୍ୱାସ ବୋଧ କଲେ ।୬୫। ତଦନନ୍ତର ଅଭିଜିତ ଯୋଗଯୁକ୍ତ ବାସରରେ ବିଷ୍ଣୁଦୈବତ ଶ୍ରବଣାନକ୍ଷତ୍ରରେ ବଶିଷ୍ଠ ଓ ବାମଦେବ ମିଳିତ ହୋଇ ରାମଙ୍କୁ ଅଯୋଧ୍ୟା ରାଜ୍ୟରେ ଅଭିଷିକ୍ତ କଲେ ।୬୬। ନିଜ ରାଜ୍ୟରେ ରାମ ଅଭିଷିକ୍ତ ହୋଇ ସୁହୃଦ୍‌ଜନସହ ସୁଗ୍ରୀବ ଓ ପୁଲସ୍ତ୍ୟଙ୍କ ନନ୍ଦନ ବିଭୀଷଣଙ୍କୁ ଆପଣାର ଗୃହକୁ ପ୍ରସ୍ଥାନ କରିବାକୁ ଆଜ୍ଞା ଦେଲେ ।୬୭। ବିବିଧ ଭୋଗ ସାମଗ୍ରୀ ପ୍ରଦାନଦ୍ୱାରା ସେମାନଙ୍କୁ ଅର୍ଚ୍ଚିତ କରି ସେହି କାଳୋଚିତ କର୍ତ୍ତବ୍ୟପାଳନ ପରେ ଅତି ଦୁଃଖରେ ସେମାନଙ୍କୁ ବିଦାୟ ଦେଲେ ।୬୮। ରଘୁନନ୍ଦନ ରାମ ପୁନଶ୍ଚ ପୁଷ୍ପକ ବିମାନର ବିହିତ ପୂଜାକରି ପ୍ରୀତିପୂର୍ବକ କୁବେରଙ୍କୁ ତାହା ପ୍ରଦାନ କଲେ ।୬୯। ଏଥିଉତ୍ତାରୁ ରାମ ବଶିଷ୍ଠଙ୍କ ସହିତ ଗୋମତୀ ତୀରକୁ ଗମନ କରି ସେଠାରେ ତ୍ରିଗୁଣ ଦକ୍ଷିଣାଯୁକ୍ତ ଦଶଗୋଟି ଅଶ୍ୱମେଧ ଯଜ୍ଞ ନିର୍ବିଘ୍ନରେ ସମ୍ପନ୍ନ କଲେ ।୭୦।

 

॥ ଅଧ୍ୟାୟ – ୨୯୨ ॥

 

ମାର୍କଣ୍ଡେୟ କହିଲେ, ପୂର୍ବକାଳରେ ଅପରିମିତ ତେଜସ୍ୱୀ ରାମ ଏହିରୂପେ ବନବାସଜନିତ ଅତିଶୟ ଦାରୁଣ ଦୁଃଖ ସହ୍ୟ କରିଥିଲେ । ଅତଏବ, ହେ ପୁରୁଷବ୍ୟାଘ୍ର ! ତୁମ୍ଭେ ଶୋକ କର ନାହିଁ । ହେ ପରନ୍ତପ ! ତୁମ୍ଭେ ମଧ୍ୟ କ୍ଷତ୍ରିୟ ହୋଇ ବାହୁବଳସମନ୍ୱିତ ହୋଇଅଛ । ତୁମ୍ଭର ଯାହା ଭଲ ହେବ, ତାହା ଉଜ୍ଜ୍ୱଳରୂପେ ଦେଖାଯାଉଅଛି ।୨। ଏହି ପଥ ଅବଲମ୍ବନ କରିବାରେ ପରମାଣୁ ପରିମାଣରେ ସୁଦ୍ଧା ପାପ ନାହିଁ । ସୁରପତି ପ୍ରଭୃତି ସୁରାସୁର ସମସ୍ତେ ତୁମ୍ଭର ଅବଲମ୍ବିତ ପଥ ଆଶ୍ରୟ କରନ୍ତି ।୩।

 

ଦେଖ, ବୃତ୍ତ୍ର, ଦୁର୍ଦ୍ଧର୍ଷ ନମୁଚି, ଦୀର୍ଘଜିହ୍ୱା ନିଶଚରୀଙ୍କୁ ବଜ୍ରଧାରୀ ପୁରନ୍ଦର ନିହତ କରିଥିଲେ-।୪। ଏହି ସଂସାରରେ ସହାୟସମ୍ପନ୍ନ ବ୍ୟକ୍ତିଠାରେ ସର୍ବପ୍ରକାର ସିଦ୍ଧି ଉପଗତ ହୁଏ । ଯାହାଙ୍କର ଭ୍ରାତା ଧନଞ୍ଜୟ, ସେ ଯେ ସଂଗ୍ରାମରେ ଜୟ କରିନପାରିବେ, ଏପରି କେଉଁ ପଦାର୍ଥ ଅଛି-?୫। ଏହି ଭୀମପରାକ୍ରମ ଭୀମ ମଧ୍ୟ ବଳଶାଳୀମାନଙ୍କର ଶ୍ରେଷ୍ଠ ! ଆହୁରି ଏହି ଯୁବକଦ୍ୱୟ ନକୁଳ ଓ ସହଦେବ ମହାଧନୁର୍ଦ୍ଧାରୀ ବୀର ପୁରୁଷ ଅଟନ୍ତି । ସମୁଦାୟ ସୁରଗଣ ଯେବେ ସୁରପତିଙ୍କ ସମଗ୍ର ସୈନ୍ୟ ସହିତ ଯୁଦ୍ଧ କରନ୍ତି, ତେବେ ଏମାନଙ୍କୁ ସେମାନେ ପରାଜିତ କରିପାରିବେ ନାହିଁ ।୭। ହେ ଭରତର୍ଷଭ-! ଦେବରୂପୀ ଏହି ମହାଧନୁର୍ଦ୍ଧରଗଣଙ୍କ ସହାୟତାରେ ତୁମ୍ଭେ ସବୁ ଶତ୍ରୁଙ୍କୁ ଅବଶ୍ୟ ପରାଜିତ କରିବ-।୮। ଅନ୍ୟ କଥା ଦୂରେ ଥାଉ, ସମ୍ପ୍ରତି ଏହି ଘଟଣା ଦେଖ ଯେ ବୀର୍ଯ୍ୟସମ୍ପନ୍ନ ମହାବଳଶାଳୀ ଦୁରାତ୍ମା ସିନ୍ଧୁଦେଶାଧିପତି ଦ୍ରୁପଦନନ୍ଦିନୀ କୃଷ୍ଣାଙ୍କୁ ହରଣ କରି ନେଇଥିଲା; କିନ୍ତୁ ଏହି ମହାତ୍ମାମାନେ ଅତି ଦୁଷ୍କର କର୍ମ କରି ଦ୍ରୌପଦୀଙ୍କୁ ଫେରାଇ ଆଣିଲେ ଓ ରାଜା ଜୟଦ୍ରଥଙ୍କୁ ପରାଜିତ ଓ ବଶୀଭୂତ କଲେ ।୧୧। ପରନ୍ତୁ ରାମଚନ୍ଦ୍ର ବିନା ସହାୟତାରେ ଭୀମବିକ୍ରମୀ ରାକ୍ଷସ ଦଶାନନକୁ ସମରରେ ନିହତ କରି ସୀତାଙ୍କୁ ଉଦ୍ଧାର କରିଥିଲେ ।୧୨। ହେ ରାଜନ୍‌ ! ତୁମ୍ଭେ ବିଚାରି ଦେଖ ଯେ ପୃଥକ୍ ଜାତୀୟ କାଳମୁଖ ବାନର ଓ ଭଲ୍ଲୁକମାନେ କେବଳ ତାହାଙ୍କର ମିତ୍ର ଥିଲେ । ଅତଏବ ହେ କୁରୁପ୍ରବର ଭରତର୍ଷଭ ! ତୁମ୍ଭେ ଏହିସବୁ ବିଷୟରେ ଶୋକ କର ନାହିଁ । ହେ ପରନ୍ତପ ! ତୁମ୍ଭ ପ୍ରାୟ ମହାତ୍ମା ଲୋକ କଦାପି ଶୋକ କରନ୍ତି ନାହିଁ ।୧୩। ବୈଶମ୍ପାୟନ କହିଲେ, ମହାତ୍ମା ରାଜା ଯୁଧିଷ୍ଠିରଙ୍କୁ ଏହି ପ୍ରକାରେ ବୁଦ୍ଧିମାନ ମାର୍କଣ୍ଡେୟ ଆଶ୍ୱାସ ପ୍ରଦାନ କରନ୍ତେ ସେ ଦୁଃଖ ପରିତ୍ୟାଗ କରି ପୁନର୍ବାର ତାହାଙ୍କୁ କହିବାକୁ ଆରମ୍ଭ କଲେ ।୧୪।

 

॥ ଅଧ୍ୟାୟ – ୨୯୩ ॥

 

ଯୁଧିଷ୍ଠିର କହିଲେ, ହେ ମହାମୁନେ ! ଆମ୍ଭେ ଏହି ଦ୍ରୁପଦନନ୍ଦିନୀ ନିମିତ୍ତ ଯେତେ ପରିମାଣରେ ଅନୁତାପ କରୁ, ତେତେ ସନ୍ତାପ ଅମ୍ଭର ଅପଣା ନିମନ୍ତେ ଅଥବା ଏହି ଭ୍ରାତୃଗଣଙ୍କ ନିମନ୍ତେ କିମ୍ବା ରାଜ୍ୟ ପାଇଁ ସୁଦ୍ଧା କରୁନାହଁ ।୧। ଯେତେବେଳେ ଦ୍ୟୂତକ୍ରୀଡାରେ ଦୁରାତ୍ମାମାନେ ଆମ୍ଭମାନଙ୍କୁ କ୍ଳେଶ ପ୍ରଦାନ କଲେ, ତେତେବେଳେ କୃଷ୍ଣଙ୍କଦ୍ୱାରା ଆମ୍ଭେମାନେ ମୁକ୍ତ ହୋଇଥିଲୁ । ପରନ୍ତୁ ଜୟଦ୍ରଥ ଏହାଙ୍କୁ ବନରୁ ହରଣ କରିଥିଲା । ଏହିଂ ଦ୍ରୁପଦନନ୍ଦିନୀଙ୍କ ପ୍ରାୟ ପତିବ୍ରତା ଓ ମହାଭାଗା ଅନ୍ୟ କେହି ନାରୀର ଖ୍ୟାତି ଆପଣ ବର୍ତ୍ତମାନ କି ପୂର୍ବେ ଶ୍ରବଣ କରିଥିଲେ କି ? ।୩। ମାର୍କଣ୍ଡେୟ କହିଲେ, ରାଜନ୍ ଯୁଧିଷ୍ଠିର ! ରାଜନନ୍ଦିନୀ ସାବିତ୍ରୀ କୁଳବାଳାଙ୍କର ସମ୍ପୂର୍ଣ୍ଣ ଭାଗ୍ୟ ଯେ ରୂପେ ଲାଭ କରିଥିଲେ ତାହା ଶ୍ରବଣ କର ।୪। ମଦ୍ରଦେଶର ପରମଧର୍ମିଷ୍ଠ ଧର୍ମାତ୍ମା ଦ୍ୟୁତିମାନ ବ୍ରହ୍ମପରାୟଣ, ସତ୍ୟସନ୍ଧ, ଜିତେନ୍ଦ୍ରିୟ, ଯାଗଶୀଳ, ଦାତାଙ୍କର ଅଗ୍ରଗଣ୍ୟ, ଦକ୍ଷ, ପୌର ଓ ଜାନପଦଙ୍କର ପ୍ରୀତିପାତ୍ର, ସର୍ବଭୂତର ହିତ କାର୍ଯ୍ୟରେ ରତ ଅଶ୍ୱପତି ନାମରେ ଜଣେ ନରପତି ଥିଲେ ।୬। ସେହି ରାଜା ସତ୍ୟବାଦୀ, ଜିତେନ୍ଦ୍ରିୟ ଓ କ୍ଷମାଶୀଳ ଥିଲେ; କିନ୍ତୁ ନିଃସନ୍ତାନ ହୋଇଥିବାରୁ ବୃଦ୍ଧ ବୟସରେ ତାହାଙ୍କର ଅତିଶୟ ମନସ୍ତାପ ହେଲା ।୭। ଅପତ୍ୟୋତ୍ପାଦନ ନିମିତ୍ତ ସେ ବ୍ରହ୍ମଚାରୀ, ନିୟମିତାହାରୀ ଓ ଇନ୍ଦ୍ରିୟନିଗ୍ରହକରି ତୀବ୍ର ନିୟମମାନ ଅବଲମ୍ବନ କଲେ ।୮। ପ୍ରତିଦିନ ସେ ସାବିତ୍ରୀମନ୍ତ୍ର ପାଠକରି ଲକ୍ଷେ ଆହୁତି ପ୍ରଦାନ କରନ୍ତି । ତତ୍ପରେ ଦିବସର ଅଷ୍ଟମ ଭାଗରେ ପରିମିତ ଭୋଜନ କରନ୍ତି ।୯। ଅଠର ବର୍ଷ ପର୍ଯ୍ୟନ୍ତ ସେ ଏହି ନିୟମରେ ଥିଲେ । ତତ୍ପରେ ଅଷ୍ଟାଦଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସାବିତ୍ରୀ ତାହାଙ୍କ ପ୍ରତି ସନ୍ତୁଷ୍ଟ ହେଲେ ।୧୦।

 

ହେ ରାଜନ୍ ! ମୂର୍ତ୍ତିମତୀ ସାବିତ୍ରୀ ଅଗ୍ନିହୋତ୍ରରୁ ବାହାରି ଅତ୍ୟନ୍ତ ହୃଷ୍ଟା ହୋଇ ନରପତିଙ୍କୁ ଦର୍ଶନ ଦେଲେ ।୧୧। ପୁନଶ୍ଚ ଦେବୀ ବର ଦେବା ଅଭିଳାଷରେ ନୃପତିଙ୍କୁ ଏହି କଥା ସାବିତ୍ରୀ କହିଲେ, ହେ ରାଜନ୍‌ ! ତୁମ୍ଭର ବିଶୁଦ୍ଧ ବ୍ରହ୍ମଚର୍ଯ୍ୟ, ଦମ, ନିୟମ, ସମ୍ପୂର୍ଣ୍ଣ ଯତ୍ନ ଓ ଭକ୍ତିଦ୍ୱାରା ଆମ୍ଭେ ତୁମ୍ଭ ପ୍ରତି ପରିତୁଷ୍ଟ ହୋଇଅଛୁ । ଅତଏବ ହେ ମହାରାଜ ! ଅଶ୍ୱପତେ ! ତୁମ୍ଭର ଯାହା ଅଭିଳାଷ ହେଉଅଛି, ସେହି ବର ପ୍ରାର୍ଥନା କର ।୧୩। ଧର୍ମ ବିଷୟରେ ଅନବଧାନ ହେବା ତୁମ୍ଭର କର୍ତ୍ତବ୍ୟ ନୁହେ । ଅଶ୍ୱପତି କହିଲେ, ହେ ଦେବି ! ଆମ୍ଭେ ଧର୍ମଲାଭ ନିମିତ୍ତ ଅପତ୍ୟ କାମନାରେ ଏତେ ବ୍ରତ ଓ ନିୟମ ପ୍ରଭୃତି ଆଚରଣ କରିଥିଲୁ ।୧୪। ଅତଏବ, ହେ ଦେବି ! ଆପଣ ଯେବେ ମୋ ପ୍ରତି ସନ୍ତୁଷ୍ଟ ହୋଇଥାନ୍ତି, ତେବେ ମୋର ସେହି ବର ପ୍ରାର୍ଥନା ।୧୫। କାରଣ ବ୍ରାହ୍ମଣମାନେ କହିଅଛନ୍ତି -ସନ୍ତାନ ପରମ ଧର୍ମ । ସାବିତ୍ରୀ କହିଲେ, ହେ ରାଜନ୍‌ ! ଆମ୍ଭେ ପୂର୍ବରୁ ତୁମ୍ଭର ଅଭିପ୍ରାୟ ଅବଗତ ହୋଇ ଭଗବାନ ବ୍ରହ୍ମାଙ୍କୁ ତୁମ୍ଭ ପୁତ୍ରଲାଭ କଥା କହିଥିଲୁ । ହେ ସୌମ୍ୟ ! ସ୍ୱୟମ୍ଭୁଙ୍କର ସେହି ପ୍ରସାଦରୁ ତୁମ୍ଭର ଏହି ପୃଥିବୀରେ ଅଳ୍ପ ଦିନ ମଧ୍ୟରେ ଗୋଟିଏ ତେଜସ୍ୱିନୀ କନ୍ୟା ଜାତ ହେବ । ଆମ୍ଭେ ପିତାମହଙ୍କ ଅଜ୍ଞାନୁସାରେ ତୁଷ୍ଟ ହୋଇ ତୁମ୍ଭଙ୍କୁ ଏହି କଥା କହିଲୁ । ତୁମ୍ଭେ ଏଥିରେ ତୁନି ହୋଇ ରୁହ । କିଛି ଉତ୍ତର ଦିଅ ନାହିଁ । ମାର୍କଣ୍ଡେୟ କହିଲେ, ନୂପ ଅଶ୍ୱପତି ହେଉ ବୋଲି କହି ସାବିତ୍ରୀଙ୍କ ବାକ୍ୟରେ ସମ୍ମତ ହୋଇ ଶୀଘ୍ର କନ୍ୟା ହେବା ନିମିତ୍ତ ପୁନର୍ବାର ତାହାଙ୍କର ସେବା କଲେ-। ସାବିତ୍ରୀ ଅନ୍ତର୍ଦ୍ଧାନ ହୁଅନ୍ତେ ସେହି ବଳବାନ ନୃପତି ସ୍ୱକୀୟ ନଗରକୁ ପ୍ରସ୍ଥାନ କଲେ ।୨୪। ସେଠାରେ ଧର୍ମାନୁସାରେ ପ୍ରଜାପାଳନ କରି ନିଜର ରାଜ୍ୟରେ ବାସ କଲେ । କିୟତ୍‌କାଳ ଅତୀତ ହେଲାରୁ ସେହି ଧାର୍ମିକ ଓ ବ୍ରତାଚାରୀ ନରପତି ଆପଣାର ଜ୍ୟେଷ୍ଠା ମହିଷୀଙ୍କର ଗର୍ଭୋତ୍ପାଦନ କଲେ । ହେ ଭରତର୍ଷଭ ! ସେହି ରାଣୀ ଧର୍ମାଚାରିଣୀ ଥିଲେ । ତାହାଙ୍କର ନାମ ମାଲବୀ-। ଗଗନରେ ଶୁକ୍ଳପକ୍ଷର ଚନ୍ଦ୍ରବୃଦ୍ଧି ହେଲା ପ୍ରାୟ ତାହାଙ୍କର ଗର୍ଭ ଦିନକୁ ଦିନ ବର୍ଦ୍ଧିତ ହେଲା-। ତଦନନ୍ତର ସେ ଗର୍ଭ ଯଥାସମୟରେ ପରିଣତ ହୁଅନ୍ତେ ତାହାଙ୍କର ଗୋଟିଏ ସୁତା ଜନ୍ମିଲା । ସେହି ସୁତାର ନେତ୍ର କମଳ ପ୍ରାୟ ।୨୩। ନୃପସତ୍ତମ ଅଶ୍ୱପତି ମଧ୍ୟ ତାହାଙ୍କୁ ଦେଖି ଆନନ୍ଦିତ ହେଲେ ଓ ତାହାର ଜାତକର୍ମ ପ୍ରଭୃତି ସଂସ୍କାର ସମ୍ପନ୍ନ କଲେ । ସାବିତ୍ରୀମନ୍ତ୍ର ପାଠ କରି ଆହୁତି ଦେଇଥିବାରୁ ସାବିତ୍ରୀ ପ୍ରୀତା ହୋଇ ସେହି କନ୍ୟାଟିକୁ ପ୍ରଦାନ କରିଥିଲେ ବୋଲି ତାହାଙ୍କର ପିତା ଓ ବ୍ରାହ୍ମଣମାନେ ସମସ୍ତେ ସେହି କନ୍ୟାର ନାମ ‘ସାବିତ୍ରୀ’ ଦେଲେ । ସାକ୍ଷାତ୍ ଲକ୍ଷ୍ମୀଙ୍କ ସଦୃଶୀ ସେହି ରାଜପୁତ୍ରୀ ବଢ଼ିବାକୁ ଲାଗିଲେ ।୨୪। ଲୋକେ ସେହି କନ୍ୟାକୁ ସୁନାର ପ୍ରତିମା ପ୍ରାୟ ସୁନ୍ଦରୀ ଦେଖି ତାହାଙ୍କୁ ଦେବକନ୍ୟା ବୋଲି ମନେକଲେ ଓ ସେ ପୃଥିବୀରେ ମାନବୀ ରୂପରେ ଜନ୍ମିଅଛନ୍ତି, ଏ କଥା ସ୍ଥିର କଲେ । ସେହି କମଳନୟନା ସାବିତ୍ରୀଙ୍କ କାନ୍ତିରେ ଅଭିଭୂତ ହୋଇ କେହି ତାହାଙ୍କୁ ବରିବାକୁ ସାହସୀ ହେଲେ ନାହିଁ । ଦିନେ କୌଣସି ପର୍ବ ଦିବସରେ ଦେବୀ ସାବିତ୍ରୀ ଉପବାସ କରିଥିଲେ । ସେ ମସ୍ତକରେ ଜଳଢାଳି ସ୍ନାନ ସାରି ଇଷ୍ଟଦେବଙ୍କର ସନ୍ନିହିତା ଇ ହୁତାଶନରେ ବିଧିପୂର୍ବକ ଆହୁତି ଦେଲେ । ତତ୍ପରେ ବ୍ରାହ୍ମଣଙ୍କଦ୍ୱାରା ସ୍ୱସ୍ତିବାଚନ କରାଇଲେ । ଇଷ୍ଟଦେବଙ୍କ ପ୍ରଦତ୍ତ ନିର୍ମାଲ୍ୟ ପ୍ରତିଗ୍ରହ କରି ପିତାଙ୍କ ସମୀପକୁ ଗମନ କଲେ । ଲକ୍ଷ୍ମୀ ମୂର୍ତ୍ତିମତି ହୋଇଥିବା ପ୍ରାୟ ସେ ଯାଇ ପିତାଙ୍କ ଚରଣଯୁଗଳରେ ନମସ୍କାର କରି ତାହାଙ୍କୁ ଦେବପ୍ରଦତ୍ତ ନିର୍ମାଲ୍ୟ ସମର୍ପଣ କଲେ ।୩୦।

 

ଏଥି ଉତ୍ତାରୁ କୃତାଞ୍ଜଳି ହୋଇ ସେହି ମହାତ୍ମା ପିତାଙ୍କ ପାର୍ଶ୍ୱରେ ସାବିତ୍ରୀ ଉଭା ହୋଇ ରହିଲେ । ନରପତି ସେହି ବରାରୋହା ଦେବୀରୂପିଣୀ ସ୍ୱକୀୟ ଦୁହିତାଙ୍କୁ ଚାହିଁ ଯୌବନପ୍ରାପ୍ତ ହୋଇଥିବା ଓ କେହି ତାହାଙ୍କୁ ବରୁ ନ ଥିବା ବିଷୟ ଭାବି ମନୋମଧ୍ୟରେ ଅତି ଦୁଃଖିତ ହେଲେ । ରାଜା କହିଲେ, ପୁତ୍ରି ! ତୁମ୍ଭଙ୍କୁ ସମ୍ପ୍ରଦାନ କରିବାର ସମୟ ଉପସ୍ଥିତ ହୋଇଅଛି; କିନ୍ତୁ ତୁମ୍ଭଙ୍କୁ କେହି ଆମ୍ଭଠାରୁ ପ୍ରାର୍ଥନା କରୁନାହାନ୍ତି । ଅତଏବ ତୁମ୍ଭେ ସ୍ୱୟଂ ନିଜର ଉପଯୁକ୍ତ ପତି ଅନ୍ୱେଷଣ କର । ଯେଉଁ ପୁରୁଷକୁ ତୁମ୍ଭେ ପ୍ରାର୍ଥନା କରିବ, ତାହାଙ୍କ ନାମ ମୋତେ କହିବ । ଏବେ ତୁମ୍ଭେ ନିଜ ଇଚ୍ଛାନୁସାରେ ପତି ବରଣ କର; ପରେ ଆମ୍ଭେ ବିବେଚନାପୂର୍ବକ ତୁମ୍ଭଙ୍କୁ ସମ୍ପ୍ରଦାନ କରିବୁ ।

 

ହେ କଲ୍ୟାଣି ! ଆମ୍ଭେ ଧର୍ମଶାସ୍ତ୍ରରେ ବ୍ରାହ୍ମଣଙ୍କଠାରୁ ଯେଉଁ ବଚନ ଶୁଣିଅଛୁ, ବର୍ତ୍ତମାନ ତାହା ବର୍ଣ୍ଣନା କରୁଅଛୁ; ତୁମ୍ଭେ ଗ୍ରହଣ କର । ଯେଉଁ ପିତା କନ୍ୟାଦାନ ନ କରନ୍ତି, ସେ ନିନ୍ଦନୀୟ ହୁଅନ୍ତି । ଯେଉଁ ପତି ସ୍ତ୍ରୀ ଋତୁକାଳରେ ସ୍ତ୍ରୀସହବାସ ନ କରନ୍ତି, ସେ ନିନ୍ଦନୀୟ ହୁଅନ୍ତି । ଯେଉଁ ପୁତ୍ର ବିଧବା ମାତାଙ୍କର ପ୍ରତିପାଳନ ନ କରନ୍ତି, ସେ ନିନ୍ଦାର ଯୋଗ୍ୟ ହୁଅନ୍ତି । ତୁମ୍ଭେ ଆମ୍ଭର ଏହି ବଚନ ଶ୍ରବଣ କରି ଶୀଘ୍ର ଭର୍ତ୍ତାଙ୍କର ଅନ୍ୱେଷଣ କର ।୩୬। ଯହିଁରେ ସୁରଗଣ ଆମ୍ଭଙ୍କୁ ନିନ୍ଦା ନ କରନ୍ତି, ତାହାର ଯତ୍ନ କର ।

 

ମାର୍କଣ୍ଡେୟ କହିଲେ, କନ୍ୟା ଓ ବୃଦ୍ଧମନ୍ତ୍ରୀମାନଙ୍କୁ ରାଜା ଏହିପରି କହି ଯାତ୍ରାର ଉପଯୋଗୀ ବାହନ ପ୍ରଭୃତି ଆୟୋଜନ କରି ଗମନ କରିବାକୁ ଆଦେଶ ଦେଲେ । ସାବିତ୍ରୀ ତପସ୍ୱିନୀ ଓ ମୃଗ୍‌ଧା, ଏଣୁ ଅତିଶୟ ଲଜ୍ଜିତା ହେଲେ । କିନ୍ତୁ ପିତାଙ୍କର ଆଜ୍ଞା ହୋଇଥିବାରୁ କିଛିମାତ୍ର ବିବେଚନା ନ କରି ତାହାଙ୍କର ଚରଣ ବନ୍ଦନା କରି ପ୍ରସ୍ଥାନ କଲେ । ସେ କାଞ୍ଚନମୟ ରଥରେ ଆରୋହଣ କରି ବୃଦ୍ଧମନ୍ତ୍ରୀମାନଙ୍କଦ୍ୱାରା ପରିବେଷ୍ଟିତ ହୋଇ ରାଜର୍ଷିଗଣଙ୍କ ତପୋବନ ଦର୍ଶନ ଛଳରେ ଗମନ କଲେ । ହେ ତାତ ! ସେହି ରମଣୀୟ ତପୋବନ ସମୂହରେ ବୃଦ୍ଧଜନଙ୍କ ଚରଣାଭିବନ୍ଦନ କରି କ୍ରମରେ ସମଗ୍ର ବନରେ ଭ୍ରମଣ ସମାପ୍ତି କଲେ । ରାଜନନ୍ଦିନୀ ସାବିତ୍ରୀ ଏହି ପ୍ରକାରେ ସମୁଦାୟ ତୀର୍ଥରେ ଭ୍ରମଣ କରି ଦ୍ୱିଜବରମାନଙ୍କୁ ଧନଦାନଦ୍ୱାରା ସନ୍ତୁଷ୍ଟ କଲେ ।୪୧।

 

॥ ଅଧ୍ୟାୟ – ୨୯୪ ॥

 

ମାର୍କଣ୍ଡେୟ କହିଲେ, ହେ ଭାରତ ! ଅନନ୍ତର ମଦ୍ରଦେଶର ରାଜା ଅଶ୍ୱପତି ନାରଦଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ସଭା ମଧ୍ୟରେ ଉପବିଷ୍ଟ ହେଲେ ।୧। ଏମନ୍ତ ସମୟରେ ସାବିତ୍ରୀ ସବୁ ତୀର୍ଥ ଓ ଆଶ୍ରମମାନ ବିଲୋକନ କରି ପିତାଙ୍କ ସମୀପରେ ପଉସ୍ଥିତ ହେଲେ ।୨। ସେହି କଲ୍ୟାଣୀ ନିଜ ପିତା ଓ ନାରଦଙ୍କୁ ଉପବେଶନ କରିଥିବାର ଦେଖି ଦୁହଁଙ୍କ ଚରଣରେ ମସ୍ତକଦ୍ୱାରା ଭୂମିଷ୍ଠ ହୋଇ ନମସ୍କାର କଲେ ।୩। ନାରଦ କହିଲେ, ହେ ରାଜନ୍ ! ତୁମ୍ଭର ଏହି ଦୁହିତା କେଉଁଠାକୁ ଗମନ କରିଥିଲେ ଓ କେଉଁ କାରଣରୁ ବର୍ତ୍ତମାନ ଆସିଲେ ? ଏହି ଯୁବତୀଙ୍କୁ ତୁମ୍ଭେ କି ନିମିତ୍ତ ଉପଯୁକ୍ତ ବର ପ୍ରଦାନ କରୁ ନାହଁ ? ।୪। ଅଶ୍ୱପତି କହିଲେ, ଏହି କାର୍ଯ୍ୟନିମିତ୍ତ ଆମ୍ଭେ ତାହାଙ୍କୁ ପ୍ରେରଣ କରିଥିଲୁ । ସମ୍ପ୍ରତି ସେ ଆସୁଅଛନ୍ତି । ଯେଉଁ ସ୍ୱାମୀଙ୍କୁ ସେ ବରଣ କରିଥିଲେ, ତାହାଙ୍କର ବୃତ୍ତାନ୍ତ ଏହାଙ୍କଠାରୁ ଶ୍ରବଣ କରିବା ହେଉନ୍ତୁ ।୫। ମାର୍କଣ୍ଡେୟ କହିଲେ, ସାବିତ୍ରୀଙ୍କୁ ତାହାଙ୍କ ପିତା ଆଦେଶ ଦେଲେ, ଶୋଭନେ ! ସେହି ବୃତ୍ତାନ୍ତ ବିସ୍ତାରପୂର୍ବକ ବର୍ଣ୍ଣନା କର । ତହୁଁ ସେ ପିତାଙ୍କ ଆଜ୍ଞାକୁ ଦେବତାଙ୍କ ଆଜ୍ଞା ପ୍ରାୟ ମାନ୍ୟକରି ଗ୍ରହଣ କଲେ ଓ ଏହିପରି କହିଲେ ।୬।

 

ସାବିତ୍ରୀ କହିଲେ, ଶାଲ୍ୱ ଦେଶରେ ଦ୍ୟୁମତ୍ସେନ ନାମରେ ଜଣେ ବିଖ୍ୟାତ ଧର୍ମାତ୍ମାକ୍ଷତ୍ରିୟ ନୃପତି ଥିଲେ । ଶେଷକୁ ସେ ଅନ୍ଧ ହେଲେ ।୭। ଯେତେବେଳେ ସେହି ବୁଦ୍ଧିମାନ ନରପତି ଅନ୍ଧ ହେଲେ, ତେତେବେଳେ ତାହାଙ୍କର ଗୋଟିଏ ମାତ୍ର ଶିଶୁସନ୍ତାନ ଥିଲେ । ତାହାଙ୍କର ପ୍ରତିବାସୀ ପୂର୍ବ ବୈରୀ ଏହି ଛିଦ୍ର ପାଇ ତାହାଙ୍କର ରାଜ୍ୟ ହରଣ କରିନେଲେ; ସୁତରାଂ ସେ ବାଳକପୁତ୍ର ଓ ଭାର୍ଯ୍ୟାଙ୍କୁ ସଙ୍ଗରେ ଘେନି ବନକୁ ଗମନ କରି ସେଠାରେ ତପଶ୍ଚରଣ କରୁଅଛନ୍ତି ।୯। ତାହାଙ୍କର ପୁତ୍ର ସତ୍ୟବାନ ନଗରରେ ଜନ୍ମି ବନରେ ବଢ଼ୁଅଛନ୍ତି । ଅତଏବ ତାହାଙ୍କୁ ମୁଁ ପତି ବୋଲି ସ୍ଥିର କରି ମନମଧ୍ୟରେ ବରଣ କରିଅଛି ।୧୦।

 

ନାରଦ କହିଲେ, ହେ ରାଜନ୍‌ ! ସାବିତ୍ରୀ ବଡ଼ ଗାପ କରିଅଛନ୍ତି । ସତ୍ୟବାନ ଗୁଣବାନ ହେଲେହେଁ ସାବିତ୍ରୀ ନ ଜାଣି ତାହାଙ୍କୁ ବରଣ କରିଅଛନ୍ତି ।୧୧। ତାହାଙ୍କର ପିତା ସତ୍ୟ କହନ୍ତି ଓ ମାତା ମଧ୍ୟ ତାହାଙ୍କର ସତ୍ୟ କହନ୍ତି । ଏହି କାରଣରୁ ବ୍ରାହ୍ମଣମାନେ ତାହାଙ୍କର ପୁଅଙ୍କ ନାମ ସତ୍ୟବାନ ଦେଇଅଛନ୍ତି ।୧୨। ବାଲ୍ୟାବସ୍ଥାରେ ସେ ଆମ୍ଭମାନଙ୍କୁ ବଡ ଶ୍ରଦ୍ଧା କରୁଥିଲେ, ମୃତ୍ତିକାରେ ସେ ଅଶ୍ୱ ଗଢ଼ି ଖେଳୁଥିଲେ । ଚିତ୍ରପଟରେ ମଧ୍ୟ ସେ ଅଶ୍ୱର ପ୍ରତିକୃତି ଲେଖୁଥିଲେ । ଏହି ହେତୁରୁ ସେ ଚିତ୍ରାଶ୍ୱ ବୋଲି ମଧ୍ୟ କଥିତ ହୁଅନ୍ତି । ରାଜା କହିଲେ, ପିତୃବତ୍ସଳ ନୃପନନ୍ଦନ ସତ୍ୟବାନ କି ବର୍ତ୍ତମାନ ବୁଦ୍ଧିମାନ, କ୍ଷମବାନ ଓ ବୀର ହୋଇଅଛନ୍ତି ?୧୪। ନାରଦ କହିଲେ, ସେ ସୂର୍ଯ୍ୟଙ୍କ ପ୍ରାୟ ତେଜସ୍ୱୀ, ବୃହସ୍ପତିଙ୍କ ପ୍ରାୟ ବୃଦ୍ଧିମାନ, ମହେନ୍ଦ୍ରଙ୍କ ପ୍ରାୟ ଶୈାର୍ଯ୍ୟସମ୍ପନ୍ନ ଓ ସର୍ବଂସହା ପ୍ରାୟ କ୍ଷମାଶୀଳ ହୋଇଅଛନ୍ତି । ଅଶ୍ୱପତି କହିଲେ, ଏହି ରାଜକୁମାରଙ୍କ ପିତା ବ୍ରହ୍ମନିଷ୍ଠ, ସତ୍ୟବାଦୀ, ରୂପବାନ, ମହାନୁଭବ ଓ ପ୍ରିୟଦର୍ଶନ ଅଟନ୍ତି ।୧୬। ନାରଦ କହିଲେ, ଦ୍ୟୁମତ ସେନଙ୍କ ପୁତ୍ର ବଳବାନ ସତ୍ୟବାନ ସ୍ୱକୀୟ ଶକ୍ତି ଅନୁସାରେ ଦାନ କରିବାରୁ ସଂକୃତିନନ୍ଦନ ରନ୍ତିଦେବଙ୍କ ସଦୃଶ, ଉଶୀନରଙ୍କ ପୁତ୍ର ଶିବିଙ୍କ ସଦୃଶ ବ୍ରହ୍ମନିଷ୍ଠ ଓ ସତ୍ୟବାଦୀ; ଯଯାତିଙ୍କ ପ୍ରାୟ ମହାନୁଭବ, ଚନ୍ଦ୍ରଙ୍କ ପ୍ରାୟ ପ୍ରିୟଦର୍ଶନ ଓ ରୂପରେ ସେ ଅଶ୍ୱିନୀକୁମାରଙ୍କ ସଦୃଶ ।୧୮। ସେ ଦାନ୍ତ, ମୃଦୁ, ସଂଯତେନ୍ଦ୍ରିୟ, ମିତ୍ରବତ୍ସଳ, ଦ୍ୱେଷଶୂନ୍ୟ, ଲଜ୍ଜାଶୀଳ ଓ ଦ୍ୟୁତିମାନ !୧୯। ତପୋବୃଦ୍ଧ ଓ ଶୀଳବୃଦ୍ଧ ଲୋକେ ତାହାଙ୍କ ସମ୍ବନ୍ଧରେ କହନ୍ତି ଯେ ସରଳତା ତାହାଙ୍କ ଦେହରେ ଘର କରିଅଛି ଓ ମର୍ଯ୍ୟାଦା ସର୍ବଦା ତାଙ୍କଠାରେ ନିଶ୍ଚଳା ହୋଇ ଦେଖାଦିଅନ୍ତି ।୨୦। ଅଶ୍ୱପତି କହିଲେ, ତାହାଙ୍କର ଗୋଟିଏ ମାତ୍ର ଦୋଷ ଅଛି ଯେ, ସେ ସବୁଗୁଣକୁ ଆଚରଣ କରିଅଛନ୍ତି । ଅତି ଯତ୍ନ କଲେ ହେଁ ସେ ଦୋଷ ଘୁଞ୍ଚିବ ନାହିଁ ।୨୨। ସେହି ସତ୍ୟବାନ ଆଜିଠାରୁ ଏକବର୍ଷ ପୂର୍ଣ୍ଣ ହେଲେ ପରମାୟୁହୀନ ହୋଇ ଦେହତ୍ୟାଗ କରିବେ ।୨୩। ରାଜା କହିଲେ, ସାବିତ୍ରୀ ! ତୁମେ ସତ୍ୟବାନଙ୍କୁ ବରଣ କର ନାହିଁ । ହେ ଶୋଭନେ ! ତୁମେ ଯାଅ । ଅନ୍ୟ ଜଣେ କାହାକୁ ବରଣ କର । ସତ୍ୟବାନଙ୍କର ଗୋଟିଏ ଦୋଷ ସବୁ ଗୁଣକୁ ଅଭିଭୂତ କରିଅଛି ।୨୪। ଦେବଗଣ ଯେଉଁ ଋଷିଙ୍କୁ ସମାଦର କରନ୍ତି, ସେ ମୋତେ କହିଅଛନ୍ତି ଯେ ସତ୍ୟବାନଙ୍କର ଆଉ ବର୍ଷେ ପରମାୟୁ ଅଛି । ବର୍ଷକ ପରେ ସେ କଳେବର ତ୍ୟାଗ କରିବେ ।୨୫।

 

ସାବିତ୍ରୀ କହିଲେ, ପୈତୃକ ବିଷୟ ବାଣ୍ଟ କଲାବେଳେ ଗୁଳା ଥରେ ଉଠାଇବାକୁ ହୁଏ । ଲୋକେ ଦୁହିତାକୁ ଥରେ ମାତ୍ର ପ୍ରଦାନ କରନ୍ତି, ଦାନ କଲି ବୋଲି ଥରେ କହନ୍ତି, ଏହି ତିନି ବିଷୟ ଥରେ ଥରେ ହୁଏ ।୨୬। ଅତଏବ ଆମ୍ଭେ ଥରେ ଯାହାକୁ ପତି ବୋଲି ବରଣ କରିଅଛୁ, ସେ ଦୀର୍ଘାୟୁ ହେଉନ୍ତୁ ଅଥବା ଅଳ୍ପାୟୁ ହେଉନ୍ତୁ, ତାହାଙ୍କ ବ୍ୟତିରେକେ ମୁଁ ଅନ୍ୟ ବ୍ୟକ୍ତିଙ୍କୁ ଆଉ ଥରେ ବରଣ କରିନପାରେ ।୨୭। ଦେଖିବା ହେଉନ୍ତୁ, କୌଣସି ବିଷୟ ଆଗେ ମନ ମଧ୍ୟରେ ସ୍ଥିର କରିବାକୁ ହୁଏ । ତତ୍ପରେ ତାକୁ ବାକ୍ୟରେ ପ୍ରକାଶ କରାଯାଏ । ପରିଶେଷରେ ତାହା କାର୍ଯ୍ୟରେ ପରିଣତ ହୁଏ; ଅତଏବ ଉପସ୍ଥିତ ବିଷୟରେ ମୋର ମନ ପ୍ରମାଣ ।୨୮। ନାରଦ କହିଲେ, ହେ ନୃପଶ୍ରେଷ୍ଠ ! ତୁମ୍ଭର ଦୁହିତା ସାବିତ୍ରୀଙ୍କର ମତି ଅବିଚଳିତା ଅଟେ । ଏହି ସତୀତ୍ୱଧର୍ମରେ ଏହାଙ୍କୁ କୌଣସି ପ୍ରକାରେ ନିବାରଣ କରିହେବ ନାହିଁ । ପରନ୍ତୁ ସତ୍ୟବାନଙ୍କଠାରେ ଯେଉଁସବୁ ଗୁଣ ଅଛି, ସେସବୁ ଗୁଣ ଅନ୍ୟ କୌଣସି ପୁରୁଷଠାରେ ନାହିଁ । ଅତଏବ ସତ୍ୟବାନଙ୍କୁ ତୁମ୍ଭର କନ୍ୟା ପ୍ରଦାନ କରିବା ଆମ୍ଭର ଅଭିପ୍ରେତ ହେଉଅଛି ।୩୦। ରାଜା କହିଲେ, ଭଗବନ୍‌ ! ଆପଣ ଯେଉଁ ବାକ୍ୟ କହିଲେ, ତାହା ଅବଶ୍ୟ ସତ୍ୟ । ଆମ୍ଭେ ସେହି ବାକ୍ୟ ଲଙ୍ଘନ କରିନପାରୁ । ଆପଣ ଆମ୍ଭର ଗୁରୁ, ଆପଣଙ୍କ ବାକ୍ୟ ଆମ୍ଭେ ପ୍ରତିପାଳନ କରିବୁ ।୩୧। ନାରଦ କହିଲେ, ଆମ୍ଭେ ଆଶୀର୍ବାଦ କରୁଅଛୁ ତୁମ୍ଭର ସୁତାଟିକୁ ପ୍ରଦାନ କରିବାରେ କୌଣସି ବିଘ୍ନ ନ ଘଟୁ । ସମ୍ପ୍ରତି ଆମ୍ଭେ ଗମନ କରିବୁ । ତୁମ୍ଭ ସମସ୍ତଙ୍କର ମଙ୍ଗଳ ହେଉ ।୩୨। ମାର୍କଣ୍ଡେୟ କହିଲେ, ନାରଦ ଏହି କଥା କହି ଆକାଶକୁ ଉଠି ସୁରଲୋକକୁ ଗମନ କଲେ । ରାଜା ମଧ୍ୟ ଦୁହିତାଙ୍କ ବିବାହର ଆୟୋଜନ କରାଇଲେ ।୩୩।

 

॥ ଅଧ୍ୟାୟ – ୨୯୫ ॥

 

ମାର୍କଣ୍ଡେୟ କହିଲେ, ହେ ରାଜନ୍‌ ! ତତ୍ପରେ ରାଜା ଅଶ୍ୱପତି ନାରଦଙ୍କ କହିବା ପ୍ରମାଣେ ବିବାହ ନିମିତ୍ତ ସମଗ୍ର ଆୟୋଜନ କରାଇଲେ । ଋତ୍ୱିକ, ପୁରୋହିତ ଓ ବୃଦ୍ଧ ବ୍ରାହ୍ମଣମାନଙ୍କୁ ଆହ୍ୱାନ କରି ଶୁଭ ଦିନରେ କନ୍ୟାକୁ ସଙ୍ଗରେ ଘେନି ନିର୍ଗତ ହେଲେ ।୨। ସେ ପବିତ୍ର ଅରଣ୍ୟ ମଧ୍ୟରେ ଦ୍ୟୁମତ ସେନଙ୍କ ଆଶ୍ରମରେ ଉପନୀତ ହୋଇ ଯାନରୁ ଅବତରଣ କରି ଦ୍ୱିଜାତିଗଣଙ୍କ ସହ ପଦରେ ଚାଲି ନୃପତିଙ୍କ ସନ୍ନିହିତ ହେଲେ ।୩। ସେଠାରେ ଦେଖିଲେ ଯେ ସେହି ଅନ୍ଧ ମହୀପତି ଶାଳ ବୃକ୍ଷ ତଳେ କୁଶାସନ ବିଛାଇ ଉପବିଷ୍ଟ ହୋଇଅଛନ୍ତି ।୪। ରାଜା ଅଶ୍ୱପତି ରାଜର୍ଷି ଦ୍ୟୁମତ ସେନଙ୍କର ଯଥାବିହିତ ଅର୍ଚ୍ଚନା କରି ନିୟମିତ ବଚନ କହି ତାହାଙ୍କ ସମୀପରେ ନିଜର ପରିଚୟ ପ୍ରଦାନ କଲେ ।୫। ଧର୍ମଜ୍ଞ ରାଜା ଦ୍ୟୁମତ ସେନ ତାହାଙ୍କୁ ଅର୍ଘ୍ୟ, ଆସନ ଓ ଅନଡ୍ୱାହ ପ୍ରଦାନପୂର୍ବକ ତାହାଙ୍କ ଆଗମନର ପ୍ରୟୋଜନ ପଚାରିଲେ ।୬। ତହିଁରେ ଅଶ୍ୱପତି ଆପଣାର ସବୁ ଅଭିପ୍ରାୟ ଓ ଯହିଁ ନିମିତ୍ତ ସେ ଆଗମନ କରିଥିଲେ, ତାହା ସବୁ ଦ୍ୟୁମତ ସେନଙ୍କୁ ଜଣାଇଲେ । ପରିଶେଷରେ କହିଲେ, ହେ ରାଜର୍ଷେ ! ଆମ୍ଭର ସାବିତ୍ରୀ ନାମରେ ଗୋଟିଏ ଦୁହିତା ଅଛି, ସେ ଅତି ସୁନ୍ଦରୀ ଓ ସଚ୍ଚରିତ୍ରା । ହେ ଧର୍ମଜ୍ଞ ! ଆପଣ ସ୍ୱଧର୍ମାନୁସାରେ ତାହାକୁ ପୁତ୍ରବଧୂ କରିବା ନିମିତ୍ତ ଗ୍ରହଣ କରନ୍ତୁ ।୮।

 

ଦ୍ୟୁମତ ସେନ କହିଲେ, ଆମ୍ଭେ ରାଜ୍ୟରୁ ବହିର୍ଭୂତ ହୋଇଅଛୁ ଓ ବନବାସୀ ହୋଇ ତପଶ୍ଚରଣ କରୁଅଛୁ । ଆପଣଙ୍କର ଦୁହିତା ବନବାସ କଷ୍ଟ ସହି ରହିପାରିବେ କି ? କି ପ୍ରକାର ସେ ବନ ମଧ୍ୟରେ ରହି କ୍ଳେଶ ସହ୍ୟ କରିବେ ?୯। ଅଶ୍ୱପତି କହିଲେ, ହେ ରାଜନ୍‌ ! ସୁଖ ଦୁଃଖ ଦୁହେଁ ଅନିତ୍ୟ; କେତେବେଳେ ଉତ୍ପନ୍ନ ହୁଅନ୍ତି ଓ କେତେବେଳେ ବିନଷ୍ଟ ହୁଅନ୍ତି । ଆମ୍ଭର ସୁତା ଓ ଆମ୍ଭେ ଏ ବିଷୟରେ ଉତ୍ତମରୂପେ ଜାଣୁ । ଅତଏବ ଆମ୍ଭ ପ୍ରାୟ ବ୍ୟକ୍ତିକୁ ଏପରି ବଚନ ପ୍ରୟୋଗ କରିବା ଉଚିତ ନୁହେଁ । ଆମ୍ଭେ ଆଗେ ବିଷୟ ସ୍ଥିର କରି ବିଚାରପୂର୍ବକ ତୁମ୍ଭ ନିକଟରେ ଉପସ୍ଥିତ ହୋଇଅଛୁ-।୧୦। ଆମ୍ଭେ ଯେତେବେଳେ ସୌହାର୍ଦ୍ଦ୍ୟ ହେତୁରୁ ସ୍ୱୟଂ ପ୍ରଣତ ହୋଇଅଛୁ, ତେତେବେଳେ ଆମ୍ଭର ଆଶା ଭଙ୍ଗ କରିବା ଆପଣଙ୍କର କର୍ତ୍ତବ୍ୟ ନୁହେଁ ।୧୧। ଦେଖିବା ହେଉନ୍ତୁ, ଆମ୍ଭେ ଦୁହେଁ ପରସ୍ପର ଅନୁରୂପ; ଅତଏବ ଆମ୍ଭର ସଚ୍ଚରିତ୍ରା ଦୁହିତାକୁ ଆପଣ ପୁତ୍ରବଧୂ କରନ୍ତୁ ଓ ସଚ୍ଚରିତ୍ର ସତ୍ୟବାନର ସେ ଭାର୍ଯ୍ୟା ହେଉ ।୧୨। ଦ୍ୟୁମତ ସେନ କହିଲେ, ଆପଣଙ୍କ ସହିତ ଆମ୍ଭେ ସମ୍ବନ୍ଧ ସ୍ଥିର କରିବୁ ବୋଲି ପୂର୍ବରୁ ଅଭିଳାଷ କରିଥିଲୁ; କିନ୍ତୁ ଆମ୍ଭେ ରାଜ୍ୟରୁ ବହିଷ୍କୃତ ହୋଇଥିବାରୁ ସେହି ବିଷୟ ବିଚାର କରିଥିଲୁ ।୧୩। ଆମ୍ଭେ ଯାହା ପୂର୍ବେ ଅଭିଳାଷ କରିଥିଲୁ, ସେହି ଅଭିପ୍ରାୟ ଏବେ ସଫଳ ହେଉ । ଆପଣ ଆମ୍ଭର ଅଭୀଷ୍ଟ ଅତିଥି ହୋଇଅଛନ୍ତି ।୧୪।

 

ତତ୍ପରେ ସେହି ଦୁଇ ନରପତି, ଆଶ୍ରମବାସୀ ସମସ୍ତ ଦ୍ୱିଜବରଙ୍କୁ ଆବାହନ କରି ଯଥାବିଧିରେ ବିବାହକର୍ମ ସମ୍ପନ୍ନ କରାଇଲେ ।୧୫। ରାଜା ଅଶ୍ୱପତି କନ୍ୟା ପ୍ରଦାନ ଓ ଯଥାଯୋଗ୍ୟ ବସନାଳଙ୍କାର ପ୍ରଦାନ କରି ପ୍ରୀତମନା ହୋଇ ସ୍ୱଭବନକୁ ଗମନ କଲେ ।୧୬। ସର୍ବଗୁଣାଳଙ୍କୃତା ଭାର୍ଯ୍ୟାକୁ ସତ୍ୟବାନ ଲାଭ କରି ଆନନ୍ଦିତ ହେଲେ । ସାବିତ୍ରୀ ମଧ୍ୟ ଅଭିଳଷିତ ପତିଲାଭରେ ହର୍ଷାନୁଭବ କଲେ ।୧୭। ତାହାଙ୍କର ପିତା ଗମନ କରନ୍ତେ ସେ ସମୁଦାୟ ଅଳଙ୍କାର ଓହ୍ଲାଇ ଓ ବହୁମୂଲ୍ୟ ବସନ ପରିବର୍ତ୍ତନ କରି କଷାୟ ବସ୍ତ୍ର ପରିଧାନ କଲେ ।୧୮। ଆହୁରି ସମସ୍ତଙ୍କର ପରିଚର୍ଯ୍ୟା କରି, ଶୀଳତା, ସତ୍ୟତା, ସ୍ନେହ, ଇନ୍ଦ୍ରିୟନିଗ୍ରହ ଓ ସମସ୍ତଙ୍କର ଅଭିଳାଷାନୁରୂପ କର୍ମ ନିଷ୍ପନ୍ନ କରି ସମସ୍ତଙ୍କର ପ୍ରୀତିଭାଜନ ହେଲେ ।୧୯। ଶରୀର ଆଚ୍ଛାଦନ ଓ ସମୁଚିତ ସଂସ୍କାରଦ୍ୱାରା ସେ ଶ୍ୱଶ୍ରୁଙ୍କର ଦେବପୂଜାର ଆୟୋଜନ କରିଦିଅନ୍ତି, ବାକ୍ୟ ସଂଯମନଦ୍ୱାରା ଓ ପ୍ରାୟ ବଚନ କହି ଶ୍ୱଶ୍ରୁଙ୍କୁ ଓ ସ୍ୱାମୀଙ୍କର ପରିତୋଷ ସମ୍ପାଦନ କରନ୍ତି । ନିପୁଣତା ସହିତ ନିର୍ଜନରେ ସ୍ୱାମୀଙ୍କୁ ପ୍ରିୟ ଉପହାର ଦେଇ ସମ୍ୟକ୍ ପ୍ରକାରେ ସନ୍ତୁଷ୍ଟ କରନ୍ତି ।୨୧। ହେ ଭାରତ ! ସେହି ଆଶ୍ରମ ମଧ୍ୟରେ ଏହି ସାଧୁ ପରିବାର ବାସକରି କିୟତ୍ କାଳ ତପସ୍ୟାନୁଷ୍ଠାନ କଲେ ।୨୨। ପରନ୍ତୁ ନାରଦ ଯେଉଁ କଥା କହିଥିଲେ, ସାବିତ୍ରୀଙ୍କ ହୃଦୟରେ ସେହି କଥାଟି ଦିବାନିଶି ଜାଗରୂକ ଥିଲା; କି ଶୟନ, କି ଉପବେଶନ ସର୍ବାବସ୍ଥାରେ ସେ କଥାକୁ ସାବିତ୍ରୀ ବିସ୍ମରଣ କରିପାରିଲେ ନାହିଁ ।୨୩।

 

॥ ଅଧ୍ୟାୟ – ୨୯୬ ॥

 

ମାର୍କଣ୍ଡେୟ କହିଲେ, ହେ ରାଜନ୍‌ ! ଅନନ୍ତର ବହୁ କାଳ ଅତୀତ ହୁଅନ୍ତେ, ଯେଉଁ ଭୟଙ୍କର କାଳ, ପତିପ୍ରାଣା ସାବିତ୍ରୀଙ୍କ ପ୍ରାଣପ୍ରିୟଙ୍କର ପ୍ରାଣକୁ ହରଣ କରିବାର ଥିଲା, ସେହି କାଳ ଆସି ଦିନେ ଉପସ୍ଥିତ ହେଲା ।୧। ନାରଦ ଯେଉଁ କଥା କହିଥିଲେ, ସାବିତ୍ରୀଙ୍କ ଅନ୍ତଃକରଣରେ ସେହି କଥା ନିୟତ ଜାଗରୂକ ଥିଲା । ପ୍ରତିଦିନ ସେ ଦିନ ଗଣୁଥିଲେ ।୨। ଯେତେବେଳେ ସେ ଦେଖିଲେ ଯେ, ତାହାଙ୍କର ପ୍ରାଣବଲ୍ଲଭଙ୍କର ପ୍ରାଣପତନ ହେବାର ଚାରି ଦିନ ମାତ୍ର ଅବଶିଷ୍ଟ ଅଛି, ତେତେବେଳେ ସେ ଉପବାସ ରହି ତ୍ରିରାତ୍ରବ୍ରତକୁ ଅବଲମ୍ବନ କରି ଦିବାରାତ୍ର ଅନାହାରରେ ରହିଲେ ।୩। ନରପତି ଦ୍ୟୁମତ ସେନ ସାବିତ୍ରୀଙ୍କର ସେହି ବ୍ରତଚର୍ଯ୍ୟା ଶ୍ରବଣ କରି ଅତିଶୟ ଦୁଃଖିତ ହେଲେ ଓ ଗାତ୍ରୋତ୍‌ଥାନ କରି ଆସି ସାବିତ୍ରୀଙ୍କୁ ସାନ୍ତ୍ୱନା ଦାନ କରି କହିଲେ, ହେ ନୃପନନ୍ଦିନି ! ତୁମ୍ଭେ ଯେଉଁ ବ୍ରତ ଆରମ୍ଭ କରିଅଛ, ତାହା ଅତି କଠିନ । ତିନି ଦିନ ଉପବାସ କରିବା ଦୁଃସାଧ୍ୟ ।୫। ସାବିତ୍ରୀ ଉତ୍ତର କଲେ, ହେ ତାତ ! ଆପଣ ସନ୍ତାପ କରନ୍ତୁ ନାହିଁ । ଆମ୍ଭେ ବ୍ରତ ସମାପ୍ତି କରିପାରିବୁ । ବ୍ରତ ସମାପ୍ତିର କାରଣ କେବଳ ଅଚଳ ଉତ୍ସାହ । ଆମ୍ଭେ ମଧ୍ୟ ଅବିଚଳିତ ଉତ୍ସାହର ସହିତ ଏହି ବ୍ରତକୁ ଅବଲମ୍ବନ କରିଅଛୁ ।୬। ଦ୍ୟୁମତ ସେନ କହିଲେ, “ତୁମ୍ଭେ ବ୍ରତ ଭଙ୍ଗ କର୍‌”–ଏକଥା ତୁମ୍ଭଙ୍କୁ କହିବାକୁ ଆମ୍ଭେ କଦାପି ପାରୁ ନାହୁଁ । “ବ୍ରତସମାପ୍ତି କର”, ଏହି କଥା କହିବା ଆମ୍ଭର ଉପଯୁକ୍ତ ।୭।

 

ମାର୍କଣ୍ଡେୟ କହିଲେ, ମହାମନା ଦ୍ୟୁମତ ସେନ ଏହି କଥା କହି ତୁନି ହେଲେ । ସାବିତ୍ରୀ ମଧ୍ୟ ଉପବାସରେ ରହି କାଠପିତୁଳା ପ୍ରାୟ ଲକ୍ଷିତ ହେଲେ ।୮। ହେ ଭରତର୍ଷଭ ! ସତ୍ୟବାନଙ୍କର ପ୍ରାଣତ୍ୟାଗ କରିବାର ପୂର୍ବଦିନ ସାବିତ୍ରୀ ଭାବନା କରୁଥାନ୍ତି ଯେ, କାଲି ଆମ୍ଭ ପତିଙ୍କର ପ୍ରାଣତ୍ୟାଗ ହେବ । ଏହି ଭାବନାରେ ତାହାଙ୍କର ସେହି ରାତ୍ରି କଥଞ୍ଚିତ ନିର୍ବାହ ହେଲା ।୯। ଆରଦିନ ପ୍ରଭାତରେ ପ୍ରଭାକର ଚାରି ହାତ ଉପରକୁ ଉଠିଅଛନ୍ତି, ଏମନ୍ତ ସମୟରେ ସାବିତ୍ରୀ ଭାବିଲେ, “ଆଜି ସେହି ଦିବସ”, ଏହା ଭାବି ସେ ପ୍ରାତଃ କ୍ରିୟାମାନ ଶୀଘ୍ର ସମାପ୍ତ କଲେ । ତତ୍ପରେ ହୁତାଶନରେ ଆହୁତି ପ୍ରଦାନ କରି ସମୁଦାୟ ବୃଦ୍ଧ ବ୍ରାହ୍ମଣ, ଶ୍ୱଶ୍ରୂ ଓ ଶ୍ୱଶୁରଙ୍କୁ ଯଥାକ୍ରମରେ ଅଭିବାଦନ କଲେ । ତତ୍ପରେ ହସ୍ତଯୋଡ଼ି ନିୟତା ହୋଇ ଉଭା ହୋଇ ରହିଲେ ।୧୧। ତପୋବନନିବାସୀ ସବୁ ତପସ୍ୱୀମାନେ ସାବିତ୍ରୀଙ୍କ ନିମିତ୍ତ ହିତକର ଓ ମଙ୍ଗଳମୟ ଆଶୀର୍ବାଦ ଯୋଜନା କଲେ । ସେମାନେ କହିଲେ, ସାବିତ୍ରୀ ସର୍ବଦା ଥାନ୍ତୁ ।୧୨। ଧ୍ୟାନଯୋଗପରାୟଣା ରାଜନନ୍ଦିନୀ ସାବିତ୍ରୀ ମଧ୍ୟ ମନେ ମନେ ଏହି ଆଶୀର୍ବାଦ ହେଉ ବୋଲି ତପସ୍ୱୀଗଣଙ୍କର ବାକ୍ୟ ଗ୍ରହଣ କଲେ । ପୂର୍ବୋକ୍ତ ନାରଦଙ୍କ ବାକ୍ୟକୁ ସ୍ମରଣ କରି ସେହି ଦୁଃଖପ୍ରଦ ମୁହୂର୍ତ୍ତର ପ୍ରତୀକ୍ଷା କରିବାରେ ରହିଲେ ।୧୪।

 

ହେ ଭରତସତ୍ତମ ! ନୃପନନ୍ଦିନୀ ସାବିତ୍ରୀ ନିର୍ଜନରେ ବସିଥିଲେ, ଶ୍ୱଶ୍ରୂ ଓ ଶ୍ୱଶୁର ଆସି ପ୍ରୀତିପୂର୍ବକ ତାହାଙ୍କୁ କହିଲେ, ଏହି ବ୍ରତ ତୁମ୍ଭେ ଯେପରି ହେବାର ଶୁଣିଥିଲ, ସେହିପରି ନିଷ୍ପନ୍ନ କରିଅଛ । ସମ୍ପ୍ରତି ଆହାର କରିବାର ସମୟ ଉପସ୍ଥିତ ହୋଇଅଛି । ଅତଏବ ଏଥିଉତ୍ତାରୁ ଯାହା କର୍ତ୍ତବ୍ୟ ତାହା କର ।୧୬। ସାବିତ୍ରୀ କହିଲେ, ଏହି କାମ୍ୟ କର୍ମର ଅନୁଷ୍ଠାନ କରି ଆମ୍ଭେ ଅନ୍ତଃକରଣରେ ଏହି ସଂକଳ୍ପ କରିଅଛୁଁ ଯେ ଆଜି ଦିବାକର ଅସ୍ତଗତ ହେଲେ ଭୋଜନ କରିବୁଁ ।୧୭। ମାର୍କଣ୍ଡେୟ କହିଲେ ସାବିତ୍ରୀଙ୍କର ଭୋଜନ କଥା ଆଲୋଚନା ବେଳେ ସତ୍ୟବାନ କାନ୍ଧରେ କୁରାଢ଼ି ପକାଇ ଅରଣ୍ୟକୁ ସମିଧ ଆଣିବାକୁ ଗଲେ ।୧୮। ପରନ୍ତୁ ସାବିତ୍ରୀ ସ୍ୱାମୀଙ୍କୁ କହିଲେ, ଆପଣ ଏକାକୀ ଗମନ କରନ୍ତୁ ନାହିଁ । ମୁଁ ଆପଣଙ୍କ ସଙ୍ଗେ ଯିବି; ଯେହେତୁ ଅଦ୍ୟ ଆପଣଙ୍କୁ ଏକାକୀ ଛାଡ଼ିଦେବାକୁ ମୋର ମନ ହେଉ ନାହିଁ ।୧୯। ସତ୍ୟବାନ କହିଲେ, ହେ ଭାବିନି ! ତୁମ୍ଭେ ପୂର୍ବେ କଦାପି କାନନକୁ ଯାଇ ନାହଁ । ଅରଣ୍ୟ ପଥ ଅତିକ୍ଳେଶପ୍ରଦ । ବିଶେଷରେ ତୁମ୍ଭେ ବ୍ରତ ଉପବାସରେ କୃଶ ହୋଇଅଛ । ସୁତରାଂ ପଦବ୍ରଜରେ କିପରି ଯିବ ?୨୦। ସାବିତ୍ରୀ କହିଲେ, ଆମ୍ଭର ଉପବାସ ହେତୁରୁ କୌଣସି ଗ୍ଳାନି ଅଥବା ପରିଶ୍ରମ ନାହିଁ । ଆମ୍ଭେ ଗମନ କରିବାକୁ ଉତ୍ସାହୀ ହୋଇଅଛୁ । ଅତଏବ ଆପଣ ଆମ୍ଭଙ୍କୁ ନିବାରଣ କରନ୍ତୁ ନାହିଁ ।୨୧। ସତ୍ୟବାନ କହିଲେ, ଯଦି ଗମନ କରିବାକୁ ତୁମ୍ଭର ଏକାନ୍ତ ଇଚ୍ଛା ହୋଇଥାଏ, ତେବେ ଚାଲ, ଆମ୍ଭେ ତୁମ୍ଭର ପ୍ରିୟ କାର୍ଯ୍ୟ କରିବୁଁ । କିନ୍ତୁ ଏ ଦୋଷ ଆମ୍ଭଙ୍କୁ ଯେପରି ସ୍ପର୍ଶ ନ କରେ, ସେହି କାରଣରୁ ତୁମ୍ଭେ ଆମ୍ଭର ପିତାମାତାଙ୍କର ଅନୁମତି ନିଅ ।୨୨। ମାର୍କଣ୍ଡେୟ କହିଲେ, ମହାବ୍ରତା ସାବିତ୍ରୀ ଶ୍ୱଶ୍ରୂ ଓ ଶ୍ୱଶୁରଙ୍କୁ ଅଭିବାଦନ କରି କହିଲେ, ଆମ୍ଭର ସ୍ୱାମୀ ସତ୍ୟବାନ ଫଳାହରଣ ନିମିତ୍ତ ଅରଣ୍ୟାନି ମଧ୍ୟକୁ ଗମନ କରୁଅଛନ୍ତି ।୨୩। ଅତଏବ ଆମ୍ଭେ ଅଭିଳାଷ କରୁଅଛୁଁ ଯେ ତାହାଙ୍କ ସଙ୍ଗେ ଯିବୁ । ଆପଣମାନେ ମୋତେ ଅନୁଜ୍ଞା ଦେଉନ୍ତୁ ଯେ ମୁଁ ତାହାଙ୍କ ସଙ୍ଗେ ଯିବି । ତାହାର କାରଣ ଏହି ଯେ ଆଜି ମୋର ପତିବିରହ ହେବା ଉଚିତ ନୁହେଁ ।୨୪। ଗୁରୁ ଓ ଅଗ୍ନିହୋତ୍ରର କାର୍ଯ୍ୟନିମିତ୍ତ ଆର୍ଯ୍ୟପୁତ୍ର ବନକୁ ପ୍ରସ୍ଥାନ କରୁଅଛନ୍ତି; ଅତଏବ ତାହାଙ୍କୁ ନାହିଁ କରିବା ଅନୁଚିତ । ଯଦି ସେ ଅନ୍ୟ କୌଣସି ପ୍ରୟୋଜନରେ ଗମନ କରୁଥାନ୍ତେ, ତେବେ ତାହାଙ୍କୁ ନିଷେଧ କରିହୁଅନ୍ତା ।୨୬।

 

ଆପଣମାନେ ଜାଣିବା ହେଉନ୍ତୁ ଯେ ବର୍ଷକୁ କିଛି ଊଣା ହେଲା ମୁଁ ଏହି ଆଶ୍ରମରୁ ବାହାରକୁ ଗମନ କରି ନାହିଁ । ଅତଏବ ଏହି ଫଳପୁଷ୍ପ ପଲ୍ଲବିତ ବନ ନିରୀକ୍ଷଣ କରିବା ନିମିତ୍ତ ମୋର ଅତ୍ୟନ୍ତ କୌତୂହଳ ହେଉଅଛି ।୨୭। ଦ୍ୟୁମତ ସେନ କହିଲେ, ସାବିତ୍ରୀଙ୍କ ପିତା ଯେଉଁ ଦିନରୁ ଏହାଙ୍କୁ ଆମ୍ଭର ପୁତ୍ରବଧୂସ୍ୱରୂପ ସମର୍ପଣ କରି ଦେଇଅଛନ୍ତି, ସେହିଦିନରୁ ଆମ୍ଭମାନଙ୍କୁ ଏ କୌଣସି ବିଷୟ ପ୍ରାର୍ଥନା କରିଥିବାର ଆମ୍ଭର ସ୍ମରଣ ହେଉ ନାହିଁ । ଅତଏବ ଏହି ବଧୂ ତାହାଙ୍କର ଅଭିଳଷିତ କାମନା ଲାଭ କରନ୍ତୁ । ପୁତ୍ରି ! ପଥ ମଧ୍ୟରେ ଯହିଁରେ ସତ୍ୟବାନର କାର୍ଯ୍ୟ ଅନବଧାନ ନ ହେବ ।୨୮। ମାର୍କଣ୍ଡେୟ ବୋଇଲେ, ଯଶସ୍ୱିନୀ ସାବିତ୍ରୀ ଶାଶୂ ଶ୍ୱଶୁରଙ୍କ ଅନୁମତି ପାଇ ସ୍ମିତ ମୁଖରେ ପତିଙ୍କ ସଙ୍ଗେ ଗମନ କଲେ; କିନ୍ତୁ ତତ୍କାଳରେ ତାହାଙ୍କ ହୃଦୟ ଦୁଃଖରେ ବିଦୀର୍ଣ୍ଣ ହେଉଥିଲା ।୨୯। ମୟୂରଗଣ ପରିପୂର୍ଣ୍ଣ, ସର୍ବତୋଭାବେ ରମଣୀୟ, ସେହି ବନକୁ ବିଶାଳନୟନା ସାବିତ୍ରୀ ଅବଲୋକନ କଲେ ।୩୦। ସତ୍ୟବାନ ମଧୁର ବଚନରେ ସାବିତ୍ରୀଙ୍କୁ କହିଲେ, ଏହି ପୁଣ୍ୟ ଜନନୀ ନଦୀ ଓ ପୁଷ୍ପିତ ପର୍ବତୋତ୍ତମମାନଙ୍କୁ ଦର୍ଶନ କର । ଅନିନ୍ଦିତା ସାବିତ୍ରୀ ସ୍ୱାମୀଙ୍କୁ ସର୍ବାବସ୍ଥାରେ ବିଶେଷ ପ୍ରଣିଧାନପୂର୍ବକ ଚାହୁଁଥାନ୍ତି, ସବୁବେଳେ ମୁନିଙ୍କ ବାକ୍ୟ ସ୍ମରଣ କରି ସ୍ୱାମୀଙ୍କୁ ମୃତ ବୋଲି ସ୍ଥିର କରିଥାନ୍ତି ।୩୨। ସେ ଆପଣାର ହୃଦୟକୁ ଦୁଇ ଭାଗରେ ବିଭକ୍ତ କଲା ପ୍ରାୟ ହୋଇ ଅର୍ଦ୍ଧକରେ ସ୍ୱାମୀଙ୍କ କଥାର ଉତ୍ତର ଓ ଅପର ଅର୍ଦ୍ଧରେ ସେହି ବିଷମ ଦାରୁଣ କାଳର ପ୍ରତୀକ୍ଷା କରି କରି ଗମନ କରୁଥାନ୍ତି ।୩୩।

 

॥ ଅଧ୍ୟାୟ – ୨୯୭ ॥

 

ମାର୍କଣ୍ଡେୟ କହିଲେ, ଅନନ୍ତର ଭାର୍ଯ୍ୟାଙ୍କ ସହିତ ସତ୍ୟବାନ ଫଳ ସଂଗ୍ରହ କରି ସ୍ଥାଳୀ ପୂର୍ଣ୍ଣ କଲେ । ତତ୍ପରେ କାଷ୍ଠ ହାଣିବାକୁ ଲାଗିଲେ ।୧। କାଠ ହାଣୁ ହାଣୁ ତାହାଙ୍କ ଦେହରୁ ଝାଳ ବହିଲା । ସେହି ପରିଶ୍ରମଦ୍ୱାରା ତାଙ୍କର ମୁଣ୍ଡ ବଥାଇଲା ।୨। ପରିଶ୍ରମରେ ପୀଡ଼ିତ ହୋଇ ସେ ଆପଣାର ପ୍ରିୟତମା ପତ୍ନୀଙ୍କ ନିକଟକୁ ଯାଇ ଏହି କଥା କହିଲେ । ସାବିତ୍ରୀ ! ଏହି ବ୍ୟାୟାମଦ୍ୱାରା ଆମ୍ଭ ମସ୍ତକରେ ବ୍ୟଥା ହୋଇଅଛି ଓ ଆମ୍ଭର ଅଙ୍ଗସମୂହ ହୃଦୟକୁ ସନ୍ତପ୍ତ କରୁଅଛନ୍ତି । ଆଗୋ ପରିମିତ ଭାଷିଣି ! ମୋର ଦେହ ଅସୁସ୍ଥ ହେଲା ପ୍ରାୟ ଜଣାଯାଉଅଛି ।୪। ମୋତେ ଅନୁଭୂତ ହେଉଅଛି ଯେ ମୋର ମସ୍ତକ ଯେପରି କି ଶୂଳସମୂହଦ୍ୱାରା ବିଦ୍ଧ ହେଉଅଛି । ଅତଏବ ହେ କଲ୍ୟାଣି ! ମୋର ଶୋଇବାର ଇଚ୍ଛା ହେଉଅଛି, ଆଉ ମୋର ଛିଡ଼ାହେବାର ସାମର୍ଥ୍ୟ ନାହିଁ ।୫। ପତିପ୍ରାଣା ସାବିତ୍ରୀ ତାହାଙ୍କ କଥା ଶୁଣିଲାକ୍ଷଣି ତାହାଙ୍କ ନିକଟକୁ ଯାଇ ତାହାଙ୍କ ଅଙ୍ଗରେ ହସ୍ତ ଦେଇ ଧରି ଭୂମିରେ ଉପବେଶନ କରାଇଲେ ଓ କ୍ରୋଡ଼ ଉପରେ ତାହାଙ୍କର ମସ୍ତକ ରଖିଲେ ।୬। ତତ୍ପରେ ସେହି ପତିବ୍ରତା ନାରୀ ନାରଦଙ୍କ ବଚନ ସ୍ମରଣ କରି ସେହି ସମୟ, ଦିନ ଓ ମୁହୂର୍ତ୍ତ ପ୍ରଭୃତି କେତେବେଳେ ହେବ, ତାହା ଭାବିବାରେ ରହିଲେ । ମୁହୂର୍ତ୍ତକ ପରେ ସେ ଦେଖିଲେ ଯେ ଜଣେ ପୁରୁଷ ରକ୍ତବସନ ପିନ୍ଧି ମସ୍ତକରେ ମୁକୁଟ ଘେନି ସୂର୍ଯ୍ୟଙ୍କ ପ୍ରାୟ ତେଜସ୍ୱୀ ହୋଇ ଆସିଲେ । ତାହାଙ୍କର ବର୍ଣ୍ଣ ଶ୍ୟାମ-ଗୌର, ନେତ୍ର ଲୋହିତ ବର୍ଣ୍ଣ ଓ ହସ୍ତରେ ପାଶ ଧରି ଅଧିକ ଭୟଙ୍କର ଦିଶୁଥିଲେ । ସେ ସତ୍ୟବାନଙ୍କ ପାର୍ଶ୍ୱରେ ଛିଡ଼ାହୋଇ ତାହାଙ୍କୁ ନିରୀକ୍ଷଣ କରୁଥିଲେ ।୯। ତାହାଙ୍କୁ ଦର୍ଶନ କଲାକ୍ଷଣି ସାବିତ୍ରୀ ପତିଙ୍କର ମସ୍ତକଟିକୁ ଭୂମିରେ ରଖିଦେଇ ଉଠି ଦଣ୍ଡାୟମାନ ହୋଇ କରଯୋଡ଼ି କମ୍ପିତ ହୃଦୟରେ ଓ କାତର ଭାବରେ ଏହି କଥା କହିଲେ, ଆପଣଙ୍କୁ ମୁଁ ଦେବତା ବୋଲି ବୋଧ କରୁଅଛି । ଯେ ହେତୁରୁ ଆପଣଙ୍କର ଏହି ଶରୀର ଅଲୌକିକ ।

 

ହେ ଦେବେଶ ! ଯଦି ଇଚ୍ଛା ହୁଏ, ତେବେ କହନ୍ତୁ, ଆପଣ କିଏ ଓ କ’ଣ କରିବାକୁ ଅଭିଳାଷ କରନ୍ତି ?୧୧। ଯମ କହିଲେ, ସାବିତ୍ରୀ ! ତୁମ୍ଭେ ପତିବ୍ରତା ଓ ତପୋନୁଷ୍ଠାନରେ ରତ ଥାଅ । ଏହି ନିମିତ୍ତ ଆମ୍ଭେ ତୁମ୍ଭ ସହିତ ସମ୍ଭାଷଣ କରୁଅଛୁଁ । ହେ ଶୁଭେ ! ତୁମ୍ଭେ ଆମ୍ଭଙ୍କୁ ଯମ ବୋଲି ଜାଣ ।୧୨। ଯେଉଁ କର୍ମ କରିବାକୁ ଆମ୍ଭର ଅଭିଳାଷ, ତାହା ଶୁଣ । ତୁମ୍ଭର ପତି ଏହି ରାଜକୁମାର ସତ୍ୟବାନର ପରମାୟୁ କ୍ଷୟପ୍ରାପ୍ତ ହୋଇଅଛି । ଏହି କାରଣରୁ ଆମ୍ଭେ ତାହାଙ୍କୁ ବନ୍ଧନ କରି ଘେନିଯିବୁ ।୧୩। ସାବିତ୍ରୀ କହିଲେ, ଭଗବନ୍‌ ! ଶୁଣାଅଛି ଯେ ଆପଣଙ୍କ ଦୂତମାନେ ପ୍ରାଣୀମାନଙ୍କୁ ଘେନିଯିବାକୁ ଆସନ୍ତି; ଅତଏବ, ହେ ପ୍ରଭୋ ! ଆପଣ ସ୍ୱୟଂ କି ହେତୁରୁ ସ୍ୱୟଂ ଆଗମନ କରିଅଛନ୍ତି ?୧୪। ମାର୍କଣ୍ଡେୟ କହିଲେ, ସାବିତ୍ରୀଙ୍କର ବଚନ ଶ୍ରବଣ କରି ଭଗବାନ ପିତୃପତି ତାହାଙ୍କର ପ୍ରୀତିନିମିତ୍ତ ଆପଣାର ସମୁଦାୟ ଅଭିପ୍ରାୟ ତାହାଙ୍କ ସମୀପରେ ଯଥାବତ୍ ବର୍ଣ୍ଣନା କରିବାକୁ ଆରମ୍ଭ କଲେ ।୧୫। ଏହି ସତ୍ୟବାନ ଧାର୍ମିକ, ରୂପବାନ ଓ ଗୁଣସାଗର ଅଟନ୍ତି-। ଅତଏବ ଆମ୍ଭର ଦୁତମାନେ ଏହାଙ୍କୁ ନେଇଯିବାର ଯୋଗ୍ୟ ନୁହନ୍ତି । ଏହି କାରଣରୁ ଆମ୍ଭେ ସ୍ୱୟଂ ଏହାଙ୍କୁ ନେବାକୁ ଆସିଅଛୁ ।୧୬। ଏହି କଥା କହିଲା ପରେ ଯମ ସତ୍ୟବାନଙ୍କ ଦେହରୁ ଅଙ୍ଗୁଷ୍ଠି ପରିମିତ ଗୋଟିଏ ପୁରୁଷକୁ ପାଶରେ ବାନ୍ଧି ବଳପୂର୍ବକ ବାହାର କରି ଆଣିଲେ ।୧୭।

 

ଅନନ୍ତର ପ୍ରାଣ ବାହାରି ଯିବାରୁ ସତ୍ୟବାନଙ୍କର ଶ୍ୱାସ ରହିତ ହେଲା ଓ ତାହାଙ୍କର ଶରୀର ପ୍ରଭାହୀନ ଓ ଚେଷ୍ଟାଶୂନ୍ୟ ହୋଇ ଅପ୍ରିୟ ଦେଖାଗଲା ।୧୮। ତଦନନ୍ତର ଯମ ତାହାଙ୍କୁ ବନ୍ଧନ କରି ଦକ୍ଷିଣାଭିମୁଖରେ ପ୍ରସ୍ଥାନ କଲେ । ବ୍ରତନିୟମ ପାଳନରେ ସିଦ୍ଧା ସାବିତ୍ରୀ ମଧ୍ୟ ଦୁଃଖରେ ପୀଡ଼ିତା ହୋଇ ଯମଙ୍କ ପଛେ ପଛେ ଗମନ କଲେ ।୧୯। ଯମ କହିଲେ, ସାବିତ୍ରୀ ! ତୁମ୍ଭେ ନିବୃତ୍ତ ହୁଅ । ଯାଅ, ଏହାଙ୍କର ଊର୍ଦ୍ଧ୍ୱଦୈହିକ କାର୍ଯ୍ୟ ନିର୍ବାହ କର । ଭର୍ତ୍ତାଙ୍କ ନିକଟରେ ତୁମ୍ଭର ଆଉ ଋଣ ନାହିଁ । ଯେତେଦୂର ପର୍ଯ୍ୟନ୍ତ ତୁମ୍ଭର ଆସିବାର ସମ୍ଭବ, ସେତେଦୂର ତୁମ୍ଭେ ଆସିଅଛ ।୨୦। ସାବିତ୍ରୀ ଉତ୍ତର ଦେଲେ, ଆମ୍ଭର ପତି ଯେଉଁ ସ୍ଥାନକୁ ନୀତ ହେଉଅଛନ୍ତି, ଆପଣ ମଧ୍ୟ ଯେଉଁ ସ୍ଥାନକୁ ଗମନ କରୁଅଛନ୍ତି, ଆମ୍ଭର ସେ ସ୍ଥାନକୁ ଗମନ କରିବା କର୍ତ୍ତବ୍ୟ ଅଟେ । ଯେହେତୁରୁ ଏହି ଏକା ସନାତନ ଧର୍ମ ।୨୧। ତପସ୍ୟା, ଗୁରୁଭକ୍ତି, ପତିସ୍ନେହ, ବ୍ରତ ଓ ଆପଣଙ୍କ ପ୍ରସାଦଦ୍ୱାରା ଆମ୍ଭର ଗତି ପ୍ରତିହତ ହେବାର ନୁହେଁ ।୨୨। ତତ୍ତ୍ୱଦର୍ଶୀ ପଣ୍ଡିତମାନେ କହନ୍ତି ଯେ ସାତ ପାଦ ଭୂମିକୁ ଏକତ୍ର ହୋଇ ଅତିକ୍ରମ କଲେ ମିତ୍ର ହୁଅନ୍ତି; ଅତଏବ ଆମ୍ଭେ ମିତ୍ରତାକୁ ଅଗ୍ରେ ବିଚାର କରି ଆପଣଙ୍କୁ କିଛି କହିବୁଁ । ଆପଣ ତାହା ଶ୍ରବଣ କରନ୍ତୁ ।

 

ଅଜିତେନ୍ଦ୍ରିୟ ଲୋକେ ଅରଣ୍ୟବାସୀ ହୋଇ ସୁଦ୍ଧା ଗୃହସ୍ଥ ଧର୍ମ ଆଚରଣ କରନ୍ତି ନାହିଁ, ଚିର ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରନ୍ତି ନାହିଁ କି ସନ୍ନ୍ୟାସକୁ ମଧ୍ୟ ଆଶ୍ରୟ କରନ୍ତି ନାହିଁ । ଜିତେନ୍ଦ୍ରିୟ ପୁରୁଷମାନେ ଗୃହରେ ଥାଆନ୍ତୁ ବା ଅରଣ୍ୟରେ ଥାଆନ୍ତୁ, ଗୋଟିଏ ଆଶ୍ରମଧର୍ମକୁ ଅବଲମ୍ବନ କରନ୍ତି । ଶ୍ରଦ୍ଧା ଓ ଭକ୍ତି ସହ ଗୋଟିଏ ଧର୍ମକୁ ଆଶ୍ରୟ କଲେ ଜ୍ଞାନ ଲାଭ ହୁଏ, ଯେହେତୁରୁ ସର୍ବପ୍ରକାର ଆଶ୍ରମ ଧର୍ମର ଉଦ୍ଦେଶ୍ୟ ଜ୍ଞାନ ଲାଭ । ଏହି କାରଣରୁ ସାଧୁଜନମାନେ ଧର୍ମକୁ ସର୍ବପ୍ରଧାନ କହନ୍ତି ଓ ଏହି ହେତୁରୁ ଆମ୍ଭେ ଦ୍ୱିତୀୟ କି ତୃତୀୟ ପ୍ରକାର ଧର୍ମକୁ ବାଞ୍ଛା କରୁ ନାହୁଁ । ଆମ୍ଭର ଯେ ଗୃହସ୍ଥଧର୍ମ ଅଛି, ସେହି ଧର୍ମକୁ ଏହି ଅରଣ୍ୟରେ ମଧ୍ୟ ଆଚରଣ କରୁଅଛୁ ।୨୫। ଯମ କହିଲେ, ହେ ଅନିନ୍ଦିତେ ! ନିବୃତ୍ତ ହୁଅ । ତୁମ୍ଭର କଣ୍ଠସ୍ୱର ବର୍ଣ୍ଣ ଓ ଯୁକ୍ତିସଙ୍ଗତ ବାକ୍ୟ ଶୁଣି ଆମ୍ଭେ ପରିତୁଷ୍ଟ ହୋଇଅଛୁଁ । ଅତଏବ ତୁମ୍ଭେ ବର ପ୍ରାର୍ଥନା କର । ସତ୍ୟବାନଙ୍କ ଜୀବନ ବ୍ୟତିରେକେ ଆଉ ଯାହା ପ୍ରାର୍ଥନା କରିବ, ତାହା ଆମ୍ଭେ ଦେବାକୁ ପ୍ରସ୍ତୁତ ଅଛୁଁ ।୨୬।
 

ସାବିତ୍ରୀ କହିଲେ, ଆମ୍ଭର ଶ୍ୱଶୁର ସ୍ୱକୀୟ ରାଜ୍ୟରୁ ବହିଷ୍କୃତ ହୋଇ ବନବାସ କରି ଆଶ୍ରମରେ ଅନ୍ଧ ହୋଇଅଛନ୍ତି; ଅତଏବ ଆମ୍ଭର ପ୍ରାର୍ଥନା ଏହି ଯେ ଆପଣଙ୍କ କୃପାରୁ ସେହି ନୃପ ଚକ୍ଷୁଷ୍ମାନ, ବଳବାନ ଅନଳ ଓ ଅରୁଣ ପ୍ରାୟ ତେଜସ୍ୱୀ ହୁଅନ୍ତୁ ।୨୭। ଯମ କହିଲେ, ସାଧ୍ୱୀ ! ତୁମ୍ଭେ ଯେଉଁ ବର ମାଗିଲ, ଆମ୍ଭେ ତୁମ୍ଭଙ୍କୁ ସେହି ବର ପ୍ରଦାନ କଲୁ । ତୁମ୍ଭେ ଯେପରି କହିଲ, ସେହିପରି ହେବ । ଆମ୍ଭେ ଦେଖୁଅଛୁଁ ଯେ ସମ୍ପ୍ରତି ତୁମ୍ଭର ପଥଶ୍ରାନ୍ତି ହୋଇଅଛି । ଅତଏବ ନିବୃତ୍ତ ହୁଅ, ଘରକୁ ଯାଅ, ଆଉ ଯେପରି ଅଧିକ ଶ୍ରମ ନ ହୁଏ ।୨୮। ସାବିତ୍ରୀ କହିଲେ, ସ୍ୱାମୀଙ୍କ ନିକଟରେ ରହିବାରେ କି ମୋର ଶ୍ରମବୋଧ ହେବ ? ସ୍ୱାମୀଙ୍କର ଯେଉଁ ଗତି, ମୋର ମଧ୍ୟ ସେହି ଗତି ନିଶ୍ଚୟ ହେବ । ଆପଣ ଯେଉଁ ସ୍ଥାନକୁ ମୋର ସ୍ୱାମୀଙ୍କୁ ଘେନିଯିବେ, ମୁଁ ମଧ୍ୟ ସେହି ସ୍ଥାନକୁ ଗମନ କରିବି-।୨୯। ହେ ଦେବେନ୍ଦ୍ର ! ସମ୍ପ୍ରତି ମୋର ଆହୁରି କିଛି ନିବେଦନ ଶ୍ରବଣ କରନ୍ତୁ । ପଣ୍ଡିତମାନେ କହନ୍ତି ଯେ ସାଧୁଜନଙ୍କ ସହିତ ଥରେ ମାତ୍ର ସାକ୍ଷାତ୍ ଓ ସଙ୍ଗ ହେବା ବାଞ୍ଛନୀୟ । ସେମାନଙ୍କ ସହିତ ମିତ୍ରତା ହେବା ଅଧିକ ବାଞ୍ଛନୀୟ । ସାଧୁଜନଙ୍କ ସହିତ ସମାଗମ କଦାପି ନିଷ୍ଫଳ ହୁଏ ନାହିଁ-। ଅତଏବ ସର୍ବପ୍ରକାର ଯତ୍ନରେ ସାଧୁଜନଙ୍କ ସଂସର୍ଗ କରିବ । ଯମ କହିଲେ, ହେ ଭାବିନି ! ତୁମ୍ଭେ ଇଷ୍ଟ ସାଧନ ନିମିତ୍ତ ଯେଉଁ ପ୍ରସ୍ତାବ କଲ, ତାହା ଶୁଣିଲେ ମନରେ ପ୍ରୀତି ହୁଏ ଓ ବୁଧଜନଙ୍କର ମଧ୍ୟ ବୁଦ୍ଧି ବର୍ଦ୍ଧିତ ହୁଏ । ଅତଏବ ସତ୍ୟବାନର ଜୀବନ ବ୍ୟତିରେକେ ତୁମ୍ଭେ ଦ୍ୱିତୀୟ ବର ପ୍ରାର୍ଥନା କର-।୩୧। ସାବିତ୍ରୀ କହିଲେ, ପୂର୍ବେ ଆମ୍ଭର ଶ୍ୱଶୁରଙ୍କ ରାଜ୍ୟ ଅପହୃତ ହୋଇଥିଲା; ଅତଏବ ଆମ୍ଭର ସେହି ଗୁରୁ ନିଜ ରାଜ୍ୟ ଲାଭ କରନ୍ତୁ ଅଥଚ ସ୍ୱୀୟ ଧର୍ମକୁ ପରିତ୍ୟାଗ ନ କରନ୍ତୁ । ଏହି ଦ୍ୱିତୀୟ ବରକୁ ମୁଁ ଆପଣଙ୍କଠାରୁ ଯାଚ୍‌ଜ୍ଞା କରୁଅଛି ।୩୨। ଯମ କହିଲେ, ସେହି ନୃପ ଅଳ୍ପ ଦିନ ମଧ୍ୟରେ ନିଜ ନିଜ ରାଜ୍ୟ ଲାଭ କରିବେ; ଅଥଚ ସେ ସ୍ୱଧର୍ମରୁ ବିରତ ହେବେ ନାହିଁ । ହେ ରାଜପୁତ୍ରି-! ଆମ୍ଭେ ତୁମ୍ଭର କାମନା ପୂର୍ଣ୍ଣ କଲୁଁ । ଏବେ ନିବୃତ୍ତ ହୁଅ, ଯାଅ, ଆଉ ତୁମ୍ଭର ଯେପରି ଶ୍ରମ ନ ହୁଏ-।୩୩।

 

ସାବିତ୍ରୀ କହିଲେ, ହେ ଦେବ ! ଆପଣ ନିୟମଦ୍ୱାରା ଏହି ପ୍ରଜାମାନଙ୍କୁ ସଂଯତ କରନ୍ତି ଓ ନିୟମପୂର୍ବକ ଏମାନଙ୍କୁ ଘେନିଯାନ୍ତି । ଏହି କାରଣରୁ ଆପଣଙ୍କର ନାମ ଯମ ବୋଲି ବିଖ୍ୟାତ ହୋଇଅଛି । ତଥାପି ମୋର ଏହି ନିବେଦନ ଶୁଣିବା ହେଉନ୍ତୁ । ସାଧୁମାନଙ୍କର ଏହି ସନାତନ ଧର୍ମ ଅଛି ଯେ ସେମାନେ କାୟମନୋବାକ୍ୟରେ ସର୍ବପ୍ରାଣୀଙ୍କର ହିତସାଧନ କରନ୍ତି । ଅଦ୍ରୋହ, ଅନୁଗ୍ରହ ଓ ଦାନ ସେମାନଙ୍କର ପ୍ରଧାନ ଧର୍ମ ।୩୫। ଏହି ସଂସାରର ରୀତି ଏହିପରି । ମାନବମାନେ ନିଜ ଶକ୍ତି ଅନୁସାରେ କୋମଳ ହୁଅନ୍ତି, ପରନ୍ତୁ ସତ୍‌ପୁରୁଷମାନେ ସମାଗତ ଶତ୍ରୁମାନଙ୍କ ପ୍ରତି ମଧ୍ୟ ଦୟା କରନ୍ତି । ଯମ କହିଲେ, ହେ ଶୁଭେ ! ଶୋଷୀର ଜଳ ଯେପରି ଆଦରଣୀୟ, ମୋ ପକ୍ଷରେ ତୁମ୍ଭ କଥା ମଧ୍ୟ ସେହିପରି ହୋଇଅଛି । ଅତଏବ ଯଦି ଇଚ୍ଛା ହୁଏ, ତେବେ ସତ୍ୟବାନଙ୍କ ଜୀବନ ବ୍ୟତିରେକେ ଆଉ କୌଣସି ବର ପ୍ରାର୍ଥନା କର ।୩୭। ସାବିତ୍ରୀ କହିଲେ, ମୋର ପିତା ରାଜା ଅଶ୍ୱପତିଙ୍କର ପୁତ୍ର ନାହିଁ । ତାହାଙ୍କର ବଂଶଧରରୂପେ ଶତପୁତ୍ର ହୁଅନ୍ତୁ । ମୁଁ ଏହି ତୃତୀୟ ବର ଆପଣଙ୍କୁ ମାଗୁଅଛି ।୩୮। ଯମ କହିଲେ, ହେ ଶୁଭେ ! ତୁମ୍ଭ ପିତାଙ୍କର କୁଳବର୍ଦ୍ଧନକାରୀ ଶହେ ପୁତ୍ର ହେଉନ୍ତୁ । ହେ ରାଜନନ୍ଦିନି ! ତୁମ୍ଭର କାମନା ପୂର୍ଣ୍ଣ ହେଲା । ଏବେ ନିବୃତ୍ତ ହୁଅ । ବହୁଦୂର ଆଗମନ କରିଅଛ ।୩୯। ସାବିତ୍ରୀ କହିଲେ, ସ୍ୱାମୀ ନିକଟରେ ଥିବାରୁ ଏହି ଦୂର ମୋତେ ପ୍ରାୟ ବୋଧ ହେଉ ନାହିଁ । ମୋର ମନ ଏହାଠାରୁ ଅଧିକ ଦୂରକୁ ଗମନ କରୁଅଛି । ସେ ଯାହାହେଉ, ଆପଣ ଯାଉ ଯାଉ ମୋର ଆଉ କେତେକ ଉପସ୍ଥିତ ବାକ୍ୟକୁ ଶ୍ରବଣ କରନ୍ତୁ ।୪୦। ହେ ଈଶ୍ୱର ! ଆପଣ ପ୍ରଭାକରଙ୍କର ପ୍ରତାପଶାଳୀ ପୁତ୍ର ଅଟନ୍ତି । ସେହି ହେତୁରୁ ପଣ୍ଡିତମାନେ ଆପଣଙ୍କୁ ବୈବସ୍ୱତ କହନ୍ତି । ଆହୁରି ଆପଣ ସମାନ ଧର୍ମଦ୍ୱାରା ପ୍ରଜାପୁଞ୍ଜଙ୍କୁ ରଞ୍ଜିତ କରିଅଛନ୍ତି । ସେହି ହେତୁରୁ ଆପଣଙ୍କର ଧର୍ମରାଜ ନାମ ହୋଇଅଛି ।୪୧। ସତ୍‌ପୁରୁଷମାନଙ୍କ ପ୍ରତି ଲୋକଙ୍କର ଯେପରି ବିଶ୍ୱାସ ହୁଏ, ନିଜ ପ୍ରତି ମଧ୍ୟ ତାଦୃଶ ବିଶ୍ୱାସ ହୁଏ ନାହିଁ । ଅତଏବ ସତ୍‌ପୁରୁଷମାନଙ୍କ ସହିତ ମିତ୍ରତା କରିବା ପାଇଁ ସମସ୍ତଙ୍କର ଅଭିଳାଷ ହୁଏ ।୪୨। ମିତ୍ରପଣ ହେତୁରୁ ତାହାଙ୍କଠାରେ ସର୍ବଜୀବଙ୍କର ବିଶ୍ୱାସ ଜନ୍ମେ । ଏହି କାରଣରୁ ସତ୍‌ପୁରୁଷଙ୍କଠାରେ ସମସ୍ତଙ୍କର ବିଶେଷ ବିଶ୍ୱାସ ହୁଏ ।୪୩।

 

ଯମ କହିଲେ, ଅଙ୍ଗନେ ! ତୁମ୍ଭେ ଯେଉଁ ବାକ୍ୟ ବୋଇଲ, ତୁମ୍ଭ ବ୍ୟତିରେକେ ଆମ୍ଭେ ଆଉ କାହାରିଠାରୁ ତଦ୍ରୂପ ବାକ୍ୟ ଶ୍ରବଣ କରି ନାହୁଁ । ହେ ଶୁଭେ ! ତୁମ୍ଭ ବାକ୍ୟ ଶ୍ରବଣ କରି ଆମ୍ଭେ ପରିତୁଷ୍ଟ ହେଲୁଁ । ଅତଏବ ତୁମ୍ଭେ ସତ୍ୟବାନଙ୍କ ଜୀବନ ବିନା ଅନ୍ୟ ଯାହା ଚତୁର୍ଥ ବର ମାଗିବ, ତାହା ଆମ୍ଭେ ପ୍ରଦାନ କରିବୁ । ଏବେ ତୁମ୍ଭେ ନିବୃତ୍ତ ହୁଅ ।୪୪। ସାବିତ୍ରୀ କହିଲେ, ସତ୍ୟବାନଙ୍କଠାରୁ ମୋ ଗର୍ଭରେ ବଳବୀର୍ଯ୍ୟଶାଳୀ ଏକପ୍ରକାର ଶତପୁତ୍ର ହୁଅନ୍ତୁ । ସେମାନେ ଆମ୍ଭର ବଂଶ ବୃଦ୍ଧି କରିବେ । ଏହି ଚତୁର୍ଥ ବରକୁ ମୁଁ ଆପଣଙ୍କ ନିକଟରେ ପ୍ରାର୍ଥନା କରୁଅଛି । ଯମ କହିଲେ, ଅବଳେ ! ତୁମ୍ଭର ବଳବୀର୍ଯ୍ୟଶାଳୀ ଏକଶତ ପୁତ୍ର ହେବେ । ହେ ରାଜଦୁହିତା ! ତୁମ୍ଭେ ନିବୃତ୍ତ ହୁଅ, ତୁମ୍ଭର ଆଉ ଯେପରି ପରିଶ୍ରମ ନ ହେଉ । ତୁମ୍ଭେ ବହୁଦୂର ପଥ ଆଗମନ କରିଅଛ ।୪୬। ସାବିତ୍ରୀ କହିଲେ, ସାଧୁଜନମାନଙ୍କର ସନାତନ ଧର୍ମରେ ସର୍ବଦା ଶ୍ରଦ୍ଧା ଥାଏ । ସେମାନେ ବ୍ୟଥିତ ବା ଅବସନ୍ନ ହୁଅନ୍ତି ନାହିଁ । ସାଧୁଜନଙ୍କର ସାଧୁଜନସଙ୍ଗ କଦାପି ନିଷ୍ଫଳ ହୁଏ ନାହିଁ । ପୁଣି ସାଧୁଜନମାନେ ସାଧୁଜନଙ୍କଠାରୁ ଭୟର ସମ୍ଭାବନା ମଧ୍ୟ କରନ୍ତି ନାହିଁ ।୪୭। ହେ ରାଜନ୍‌ ! ସାଧୁଜନମାନେ ସତ୍ୟ ପ୍ରଭାବରୁ ସୂର୍ଯ୍ୟଙ୍କୁ ପରିଚାଳିତ କରନ୍ତି । ସାଧୁଜନମାନେ ତପସ୍ୟା ବଳରୁ ପୃଥିବୀକୁ ଧାରଣ କରନ୍ତି । ସାଧୁଜନମାନେ ସର୍ବପ୍ରାଣୀଙ୍କର ଗତି । ସନ୍ଥମାନେ ସାଧୁଜନଙ୍କ ମଧ୍ୟରେ ଥିଲେ ଅବସନ୍ନ ହୁଅନ୍ତି ନାହିଁ ।୪୮। ଆର୍ଯ୍ୟମାନଙ୍କ ମଧ୍ୟରେ ଏହି ସନାତନ ବ୍ୟବହାର ଅଛି । ଏହି ଚିରନ୍ତନ ବ୍ୟବହାର ଅବଗତ ହୋଇ ସାଧୁଜନମାନେ ପରୋପକାରରେ ରତ ହୁଅନ୍ତି ଓ ପ୍ରତ୍ୟୁପକାରର ଆଶା କରନ୍ତି ନାହିଁ । ସତ୍‌ପୁରୁଷଙ୍କର ଉପକାର କଲେ ତାହା ବ୍ୟର୍ଥ ହୁଏ ନାହିଁ ।୪୯। କାର୍ଯ୍ୟ ନଷ୍ଟ ହୁଏ ନାହିଁ କି ମାନହାନି ମଧ୍ୟ ହୁଏ ନାହିଁ । ସାଧୁଜନଙ୍କ ମଧ୍ୟରେ ଏହି ନିୟମ ସର୍ବକାଳରେ ପ୍ରତିଷ୍ଠିତ ଥିବାରୁ ସାଧୁମାନେ ରକ୍ଷାକର୍ତ୍ତା ହୁଅନ୍ତି ।୫୦। ଯମ କହିଲେ, ତୁମ୍ଭେ ତ ପତିବ୍ରତା, ଧର୍ମଘଟିତ, ସୁନ୍ଦର ପଦଯୁକ୍ତ ଓ ମନର ପ୍ରୀତିକର ବାକ୍ୟ ତୁମ୍ଭେ ଅଧିକ କହୁଅଛ । ତୁମ୍ଭ ପ୍ରତି ଆମ୍ଭର ଭକ୍ତି ବୃଦ୍ଧି ହେଉଅଛି; ଅତଏବ ତୁମ୍ଭେ ଏପରି ଗୋଟିଏ ବର ମାଗ, ଯାହାର କି ଆଉ ପ୍ରତିରୂପ ନାହିଁ ।୫୧।

 

ସାବିତ୍ରୀ ବୋଇଲେ, ହେ ମାନଦ ! ଆପଣ ମୋତେ ଯେତେ ବର ଦେଲେଣି ସେସବୁ ବିନା ସୁକୃତରେ ମୋତେ ଦେଇ ନାହାନ୍ତି । ସେହିପରି ଆପଣ ଯେଉଁ ବର ଦେବାକୁ ପ୍ରସ୍ତୁତ ଅଛନ୍ତି, ତାହା ମଧ୍ୟ ମୋର ବିନା ପୁଣ୍ୟରେ ଦେବେ ନାହିଁ । ମୁଁ ଏହି ବର ମାଗୁଅଛି ଯେ, ସତ୍ୟବାନ ଜୀବିତ ହେଉନ୍ତୁ, ପତି ବିନା ମୁଁ ମଲାପ୍ରାୟ ହେଉଅଛି ।୫୨। ପତିବିହୀନା ହୋଇ ମୁଁ ସୁଖ କାମନା କରେ ନାହିଁ । ପତିବିହୀନା ହୋଇ ମୁଁ ସ୍ୱର୍ଗକୁ ମଧ୍ୟ ଯିବାକୁ ଇଚ୍ଛା କରେ ନାହିଁ ଅଥବା ପତି ବ୍ୟତିରେକେ ମୋର ଏହି ଜୀବନରେ ମଧ୍ୟ କୌଣସି ପ୍ରୟୋଜନ ନାହିଁ ।୫୩। ମୋର ଶତପୁତ୍ର ହେବା ନିମିତ୍ତ ଆପଣ ବର ଦେଇ ମୋର ପତିଙ୍କୁ ହରଣ କରୁଅଛନ୍ତି; ଅତଏବ ଆପଣଙ୍କ ବଚନ ସତ୍ୟ ହେଉ ଓ ସତ୍ୟବାନ ଜୀବିତ ହୁଅନ୍ତୁ ।୫୪। ମାର୍କଣ୍ଡେୟ ବୋଇଲେ, ଧର୍ମରାଜ ବୈବସ୍ୱତ ଯମ ହେଉ ବୋଲି କହି ସତ୍ୟବାନଙ୍କୁ ପାଶମୁକ୍ତ କରି ହୃଷ୍ଟାନ୍ତକରଣରେ ସାବିତ୍ରୀଙ୍କୁ ଏହି ବଚନ କହିଲେ ।୫୫। ଗୋ କୁଳନନ୍ଦିନି ! ଭଦ୍ରେ ! ତୁମ୍ଭର ଭର୍ତ୍ତାଙ୍କୁ ଆମ୍ଭେ ମୁକ୍ତ କଲୁ । ଏ ନିରୋଗ ହେଲେ ତୁମ୍ଭେ ଏହାଙ୍କୁ ସଙ୍ଗରେ ଘେନି ଯାଇପାରିବ । ଏହାଙ୍କର ସମସ୍ତ କାମନା ମଧ୍ୟ ସିଦ୍ଧ ହେବ ।୫୬। ତୁମ୍ଭ ସହିତ ଏ ଚାରି ଶହ ବର୍ଷ ପରମାୟୁ ଭୋଗ କରିବେ । ଧର୍ମପରାୟଣ ହୋଇ ବହୁ ଯଜ୍ଞ ସମ୍ପାଦନ କରି ସୁଖ୍ୟାତି ଲାଭ କରିବେ ।୫୭। ତୁମ୍ଭ ଗର୍ଭରେ ସେ ଶତପୁତ୍ର ଉତ୍‌ପାଦନ କରିବେ । ସେହି କ୍ଷତ୍ରିୟମାନେ ମଧ୍ୟ ସମସ୍ତେ ପୁତ୍ରପୌତ୍ରବାନ ହୋଇ ରାଜା ହେବେ ।୫୮। ସେମାନେ ଏହି ଭୂମଣ୍ଡଳରେ ଚିରକାଳ ତୁମ୍ଭ ନାମରେ ବିଖ୍ୟାତ ହେବେ । ତୁମ୍ଭର ମାତା ମାଲବୀଙ୍କ ଗର୍ଭରେ ତୁମ୍ଭ ପିତାଙ୍କର ମଧ୍ୟ ଶହେ ପୁତ୍ର ଜାତ ହେବେ । ତୁମ୍ଭର ସହୋଦରମାନେ ଦେବଗଣଙ୍କ ପ୍ରାୟ ପ୍ରଭାଶାଳୀ ହେବେ ଓ ସେମାନଙ୍କର ମଧ୍ୟ ପୁତ୍ରପୌତ୍ରମାନେ ଜାତ ହୋଇ ମାଲବ ନାମରେ ଚିରକାଳ ବିଖ୍ୟାତ ହେବେ ।୬୦।

 

ପ୍ରତାପବାନ ଧର୍ମରାଜ ଏହି ପ୍ରକାରେ ସାବିତ୍ରୀଙ୍କୁ ବର ଦେଇ ତାହାଙ୍କୁ ନିବୃତ୍ତ କରି ସ୍ୱ ଭବନକୁ ପ୍ରସ୍ଥାନ କଲେ । ସାବିତ୍ରୀ ମଧ୍ୟ ସ୍ୱାମୀଙ୍କୁ ପୁନର୍ବାର ଲାଭକରି ଯମ ପ୍ରସ୍ଥାନ କଲା ପରେ ଯେଉଁ ସ୍ଥାନରେ ସତ୍ୟବାନଙ୍କର କପିଶବର୍ଣ୍ଣ କଳେବର ପଡ଼ିଥିଲା, ସେହି ସ୍ଥାନକୁ ଗମନ କଲେ ।୬୨। ଭର୍ତ୍ତାଙ୍କୁ ଭୂମିରେ ଶୋଇଥିବାର ଦେଖି ସାବିତ୍ରୀ ତାହାଙ୍କ ନିକଟକୁ ଯାଇ ଉଠାଇ ତାହାଙ୍କର ମସ୍ତକକୁ ନିଜ କୋଳରେ ରଖି ଭୂମିରେ ବସିଲେ ।୬୩। ସତ୍ୟବାନ ମଧ୍ୟ ପୁନର୍ବାର ଚେତନା ପାଇ ପ୍ରବାସରୁ ଆସିଲା ପ୍ରାୟ ସାବିତ୍ରୀଙ୍କୁ ବାରମ୍ବାର ନିରୀକ୍ଷଣ କରି ଏହି କଥା କହିଲେ ।୬୪। ସତ୍ୟବାନ କହିଲେ, ମୁଁ ବହୁତ ବେଳଯାଏ ଶୋଇ ପଡ଼ିଲି, ତୁମ୍ଭେ ମୋତେ କାହିଁକି ଜାଗ୍ରତ କଲ ନାହିଁ ? ସେହି ଯେଉଁ ଶ୍ୟାମବର୍ଣ୍ଣ ପୁରୁଷ ମୋତେ ଆକର୍ଷଣ କରିଥିଲେ, ସେ କାହାନ୍ତି ? କାହିଁ ଗଲେ ?୬୫। ସାବିତ୍ରୀ କହିଲେ, ହେ ପୁରୁଷପ୍ରବର ! ଆପଣ ବହୁ କ୍ଷଣ ପର୍ଯ୍ୟନ୍ତ ମୋ ଉତ୍ସଙ୍ଗରେ ନିଦ୍ରିତ ଥିଲେ । ସେହି ପ୍ରଜାସଂଯମନକାରୀ ଭଗବାନ ଯମଦେବତା ପ୍ରସ୍ଥାନ କରିଅଛନ୍ତି ।୬୬। ହେ ମହାଭାଗ ! ରାଜନନ୍ଦନ ! ସମ୍ପ୍ରତି ଆପଣ ବିନିଦ୍ର ଓ ଶ୍ରମବିହୀନ ହୋଇଅଛନ୍ତି; ଅତଏବ ଯେବେ ପାରନ୍ତି, ତେବେ ଗାତ୍ରୋତ୍‌ଥାନ କରନ୍ତୁ । ରାତ୍ରି ମାତ୍ର ହେଲାଣି । ମାର୍କଣ୍ଡେୟ କହିଲେ, ତଦନନ୍ତର ସତ୍ୟବାନ ଚୈତନ୍ୟ ଲାଭ କଲା ପରେ ଉତ୍‌ଥିତ ହୋଇ ଓ ଚାରିଆଡ଼େ ଅରଣ୍ୟ ଅନ୍ଧକାରମୟ ହୋଇଥିବାର ଦେଖି ସାବିତ୍ରୀଙ୍କୁ କହିଲେ ।୬୮। ସୁମଧ୍ୟମେ ! ମୁଁ ଫଳାହରଣ କରିବାକୁ ତୁମ୍ଭ ସହିତ ବନମଧ୍ୟକୁ ଆସିଥିଲି । ତତ୍ପରେ କାଠ ହାଣୁହାଣୁ ମୁଣ୍ଡ ବଥାଇଲା ।୬୯। ମୁଣ୍ଡବଥାରେ ଅତିଶୟ ପୀଡ଼ିତ ହୋଇ ଆଉ ଠିଆହୋଇ ନ ପାରି ତୁମ୍ଭ କ୍ରୋଡ଼ରେ ଶୋଇଲି ! ତୁମ୍ଭେ ମୋତେ ଆଲିଙ୍ଗନ କରନ୍ତେ ନିଦ୍ରା ମୋ ମନକୁ ଅପହରଣ କଲା । ତତ୍ପରେ ମୁଁ ସବୁ ଘୋର ଅନ୍ଧକାରମୟ ଦେଖିଲି । ମୋର ଏହିପର୍ଯ୍ୟନ୍ତ ସ୍ମରଣ ହେଉଅଛି ।୭୧।

 

ଗୋ ସୁମଧ୍ୟମେ ! ଯଦି ତୁମ୍ଭେ ବିଶେଷ କିଛି ଜାଣ, ତେବେ ତାହା କ’ଣ ମୋ ନିକଟରେ ବର୍ଣ୍ଣନା କର । ସେ ପୁରୁଷଙ୍କୁ ମୁଁ ସ୍ୱପ୍ନରେ ଦେଖିଥିଲି ନା ବାସ୍ତବରେ ଦେଖିଥିଲି, କହ ।୭୨। ଅନନ୍ତର ସାବିତ୍ରୀ ତାହାଙ୍କୁ କହିଲେ, ହେ ରାଜକୁମାର ! ରାତ୍ରି କ୍ରମେ ଅଧିକ ହେଉଅଛି । ଅତଏବ ଆଜି ଘରକୁ ଚାଲ ଯିବା, ଯାହା ଯାହା ଘଟିଅଛି, କାଲି ମୁଁ ସବୁ କଥା ଆପଣଙ୍କ ନିକଟରେ ବର୍ଣ୍ଣନା କରିବି ।୭୩। ହେ ସୁବ୍ରତ ! ଉଠିବା ହେଉନ୍ତୁ, ଆପଣଙ୍କର ମଙ୍ଗଳ ହେଉ । ଆପଣ ଜନକଜନନୀଙ୍କୁ ଦର୍ଶନ କରନ୍ତୁ, ଦିନମଣି ଅସ୍ତମିତ ହୋଇଅଛନ୍ତି, ରଜନୀ ଅଧିକ ଗାଢ଼ ହେଲାଣି, ନିଷ୍ଠୁର ନିଶାଚରମାନେ ହୃଷ୍ଟାନ୍ତକରଣରେ ବିଚରଣ କରୁଅଛନ୍ତି ଓ ବନଚାରୀ ମୃଗଗଣଙ୍କ ଚରଣସଞ୍ଚାରଶବ୍ଦ ଶୁଷ୍କ ପତ୍ରରୁ ଶ୍ରୁତ ହେଉଅଛି ।୭୫। ଉଗ୍ରମୂର୍ତ୍ତି ଶିବାଗଣଙ୍କ ଘୋର ନିନାଦ ଦକ୍ଷିଣ ଓ ପଶ୍ଚିମ ଦିଗରେ ପ୍ରକଟିତ ହେଉଅଛି । ଏଥିରେ ମୋର ମନ କମ୍ପିତ ହେଉଅଛି ।୭୬। ସତ୍ୟବାନ କହିଲେ, ନିବିଡ଼ ଅନ୍ଧକାରଦ୍ୱାରା ଅରଣ୍ୟ ଆଚ୍ଛାଦିତ ହୋଇ ଭୟଙ୍କର ଆକାର ଧାରଣ କରିଅଛି; ଅତଏବ ତୁମ୍ଭେ ପଥଚିହ୍ନ ପାଇବ ନାହିଁ କି ଯାଇପାରିବ ନାହିଁ ।୭୭। ସାବିତ୍ରୀ କହିଲେ, ମୁଁ ଦେଖିଅଛି ଯେ ଆପଣ କିଞ୍ଚିତ୍ କ୍ଳାନ୍ତ ହୋଇଅଛନ୍ତି । ବିଶେଷରେ ଅରଣ୍ୟ ଅନ୍ଧକାରମୟ ହେବାରୁ ଆପଣ ବାଟ ଠଉର କରିପାରିବେ ନାହିଁ । ଅତଏବ ଯେବେ ଗମନ କରିବାକୁ ପ୍ରବୃତ୍ତ ନ ହୁଅ, ତେବେ କାଲି ସକାଳେ ବନ ଦେଖାଗଲେ ଓ ଆପଣ କହିଲେ ଦୁହେଁ ସଙ୍ଗ ହୋଇ ଯିବା । ସମ୍ପ୍ରତି ଆପଣଙ୍କର ଇଚ୍ଛା ହେଲେ ଏକ ରାତ୍ରି ଏଠାରେ ରହିବା । ଅଦ୍ୟ ଏହି ଅରଣ୍ୟରେ ଅଗ୍ନି ଲାଗିଥିବାରୁ ଗୋଟିଏ ଶୁଖିଲା ଗଛ ଜଳୁଅଛି । ତାହାର କୌଣସି କୌଣସି ସ୍ଥାନରେ ପବନ ଲାଗି ପ୍ରଦୀପ୍ତ ହେଉଅଛି । ସେହି ବୃକ୍ଷରୁ ମୁଁ ଅଗ୍ନି ଆଣି ଏହିଠାରେ ଚତୁଃପାର୍ଶ୍ୱରେ ପ୍ରଜ୍ୱଳିତ କରିବି । ଏଠାରେ ସବୁ ଅଛି । ଆପଣ ମନରୁ ସନ୍ତାପ ଦୂର କରନ୍ତୁ ।

 

ସତ୍ୟବାନ କହିଲେ, ମୋ ମଥାବ୍ୟଥା ଛାଡ଼ିଯାଇଅଛି । ଅଙ୍ଗ ମଧ୍ୟ ସୁସ୍ଥ ବୋଧ ହେଉଅଛି-। ଅତଏବ ତୁମ୍ଭ ଅନୁଗ୍ରହରୁ ଜନକଜନନୀଙ୍କୁ ଦର୍ଶନ କରିବି । ମୋର ଏହି ଇଚ୍ଛା ହେଉଅଛି-। ତାହାର କାରଣ ଏହି ଯେ ପୂର୍ବେ ମୁଁ କଦାପି ସମୟ ଅତିକ୍ରମ କରି ଆଶ୍ରମକୁ ଯାଇ ନାହିଁ । ସନ୍ଧ୍ୟା ନ ହେଉଣୁ ମାତା ମୋତେ ରୁଦ୍ଧ କରି ରଖନ୍ତି, କୌଣସିଠାକୁ ଛାଡ଼ନ୍ତି ନାହିଁ ।୮୩। ଦିବସରେ ମୁଁ ବାହାରକୁ ଗଲେ ଜନକଜନନୀ ସନ୍ତାପ କରନ୍ତି ଓ ମୋର ପିତା ଆଶ୍ରମବାସୀଙ୍କୁ ସଙ୍ଗରେ ଘେନି ମୋତେ ଅନ୍ୱେଷଣ କରୁଥାନ୍ତି ।୮୪। ପୂର୍ବେ ମୋର ପିତାମାତା “ତୁମ୍ଭେ ବଡ଼ ବିଳମ୍ବ କରି ଆସ” ବୋଲି ମୋତେ ଅନେକ ଥର କହି ତିରସ୍କାର କରିଥିଲେ ।୮୫। ସମ୍ପ୍ରତି ମୁଁ ଏହା ଭାବନା କରୁଅଛି ଯେ, ମୋ ଭାବନାରେ ସେମାନଙ୍କର ଏତେବେଳକୁ କି ଅବସ୍ଥା ହୋଇଥିବ-! ମୋତେ ନ ଦେଖି ସେମାନଙ୍କର ନିଶ୍ଚୟ ବଡ଼ ଦୁଃଖ ହେବ ।୮୬। ପୂର୍ବେ ଦିନେ ରାତିରେ ସେହି ବୃଦ୍ଧଦମ୍ପତି ଲୁହ ଗଡ଼ାଇ କାନ୍ଦି କାନ୍ଦି ମୋତେ ଅନେକ କରି କହିଥିଲେ ।୮୭। ବତ୍ସ-! ତୁମ୍ଭଙ୍କୁ ପରିତ୍ୟାଗ କରି ଆମ୍ଭେ ଦଣ୍ଡେ ସୁଦ୍ଧା ବଞ୍ଚିବାକୁ ଚାହୁଁ ନାହିଁ । ହେ ପୁତ୍ର ! ଯେତେ ଦିନ ତୁମ୍ଭେ ଜୀବିତ ଅଛ, ଆମ୍ଭେ ମଧ୍ୟ ସେତେ ଦିନ ବଞ୍ଚିବୁ ।୮୮। ଏହି ବୃଦ୍ଧ ଓ ଅନ୍ଧ ଦମ୍ପତିଙ୍କର ତୁମ୍ଭେ ଲଉଡ଼ିସ୍ୱରୂପ-। ତୁମ୍ଭଠାରେ ଆମ୍ଭ ବଂଶ ପ୍ରତିଷ୍ଠିତ ଅଛି । ଆମ୍ଭମାନଙ୍କର ପିଣ୍ଡ, କୀର୍ତ୍ତି ଓ ସନ୍ତତି ତୁମ୍ଭରି ପ୍ରତି ନିର୍ଭର କରେ ।୮୯। ହେ ସାବିତ୍ରୀ ! ଆମ୍ଭର ମାତା ବୃଦ୍ଧା ଓ ପିତା ମଧ୍ୟ ବୃଦ୍ଧ-। ମୁଁ ସେମାନଙ୍କର ଯଷ୍ଟିପ୍ରାୟ-! ସେ ଦୁହେଁ ମୋତେ ରାତ୍ରିରେ ନ ଦେଖି କି ଅବସ୍ଥା ପ୍ରାପ୍ତ ହେବେ-?୯୦। ଯେଉଁ ନିଦ୍ରା ହେତୁରୁ ମୋର ଅନପକାରୀ ପିତାମାତା ଏତେ ସଂଶୟଗ୍ରସ୍ତ ହେଲେ, ସେହି ନିଦ୍ରାକୁ ମୁଁ ଦୋଷ ଦେଉଅଛି-।୯୧। ପିତାମାତାଙ୍କ ବିନା ମୁଁ ମଧ୍ୟ କ୍ଷଣେ ଜୀଇଁବାକୁ ଉତ୍ସାହୀ ହୁଏ ନାହିଁ । ସେହି ନିଦ୍ରା ହେତୁରୁ ମୁଁ ଏତେ ଆପଦ ଓ କ୍ଲେଶପ୍ରାପ୍ତ ହେଲି ।୯୨। ମୋତେ ନିଶ୍ଚୟ ଜଣାଯାଉଅଛି ଯେ ମୋର ଜ୍ଞାନଚକ୍ଷୁ ପିତା ଏତେ ବ୍ୟାକୁଳିତ ହୋଇ ମୋ କଥା ସବୁ ଆଶ୍ରମବାସୀଙ୍କୁ ଗୋଟି ଗୋଟି କରି ପଚାରୁଥିବେ-।୯୩।

 

ହେ ଶୁଭେ ! ମୋ ନିମିତ୍ତ ମୁଁ ତେତେ ଶୋଚନା କରୁ ନାହିଁ । ମୁଁ ପିତାଙ୍କ ନିମିତ୍ତ ଓ ପତିପରାୟଣା ଦୁର୍ବଳ ମାତାଙ୍କ ପାଇଁ ଶୋଚନା କରୁଅଛି ।୯୪। ମୋ ନିମିତ୍ତ ସେ ଦୁହେଁ ଅତିଶୟ ସନ୍ତାପ ପାଉଥିବେ । ସେ ଦୁହେଁ ଜୀବିତ ଅଛନ୍ତି ଓ ତାହାଙ୍କୁ ଭରଣ ପୋଷଣ କରିବି ଓ ତାହାଙ୍କର ପ୍ରିୟକାର୍ଯ୍ୟ କରିବି ବୋଲି ମୁଁ ଜୀବିତ ଅଛି । ମାର୍କଣ୍ଡେୟ କହିଲେ, ସେହି ଗୁରୁଭକ୍ତ ପ୍ରିୟ ଧର୍ମାତ୍ମା ଏହା କହି ଦୁଇବାହୁ ଟେକି ଦୁଃଖାର୍ତ୍ତ ହୋଇ ଅଶ୍ରୁପାତ କରି ସଶବ୍ଦରେ ରୋଦନ କଲେ । ଅନନ୍ତର ଧର୍ମାଚାରିଣୀ ସାବିତ୍ରୀ ଆପଣା ସ୍ୱାମୀଙ୍କୁ ତାଦୃଶ ଶୋକାର୍ତ୍ତ ଦେଖି ତାହାଙ୍କ ନେତ୍ରରୁ ଲୁହ ପୋଛିଦେଲେ ଓ କହିଲେ, ଯଦି ମୁଁ କୌଣସି ତପସ୍ୟା କରିଥାଏ କି କିଛି ଦାନ କରିଥାଏ ଅଥବା ହୋମ କରିଥାଏ ।୯୮। ତେବେ ମୋର ଶଶୁର, ଶାଶୂ ଓ ସ୍ୱାମୀଙ୍କ ପାଦରେ ଏହି ରାତ୍ରିରେ ଗୋଟିଏ କଣ୍ଟା ସୁଦ୍ଧା ନ ଲାଗୁ । ପୂର୍ବେ ମୁଁ ପରିହାସରେ ସୁଦ୍ଧା ମିଛ କହିଥିବା ମୋର ସ୍ମରଣ ହେଉ ନାହିଁ ।୯୯। ସେହି ସତ୍ୟର ପୁଣ୍ୟଫଳରୁ ମୋର ଶାଶୂ ଓ ଶ୍ୱଶୁର ଅଦ୍ୟ ଜୀବିତ ଥାଆନ୍ତୁ । ସତ୍ୟବାନ ବୋଇଲେ, ଗୋ ସାବିତ୍ରୀ ! ମୁଁ ଜନକ ଜନନୀଙ୍କର ଦର୍ଶନ କାମନା କରୁଅଛି । ଅତଏବ ଚାଲ, ଆଉ ବିଳମ୍ବ କର ନାହିଁ ।୧୦୦। ସାବିତ୍ରୀ ! ତୁମ୍ଭେ ତ ସଚ୍ଚରିତ୍ରା ଓ ଉତ୍ତମା ନାରୀ, ପୂର୍ବେ ମୁଁ ଆତ୍ମାକୁ ଛୁଇଁ ଶପଥ କରିଥିଲି ଯେ ଯଦ୍ୟପି ମୋର ପିତାମାତାଙ୍କର କୌଣସି ଅମଙ୍ଗଳ ମୁଁ ଦେଖିବି, ତେବେ ଏହି ଜୀବନକୁ ରଖିବି ନାହିଁ ।୧୦୧। ଅତଏବ ଯେବେ ଧର୍ମରେ ତୁମ୍ଭର ମତି ଥାଏ ଓ ଯେବେ ତୁମ୍ଭେ ମୋତେ ଜୀବିତ ରଖିବାର ଇଚ୍ଛା କର ଅଥବା ମୋର ପ୍ରିୟ କାର୍ଯ୍ୟ କରିବା ଯଦି ତୁମ୍ଭର ଉଦ୍ଦେଶ୍ୟ ଥାଏ, ତେବେ ଚାଲ, ଶୀଘ୍ର ଆଶ୍ରମକୁ ଯିବା ।୧୦୨।

 

ମାର୍କଣ୍ଡେୟ କହିଲେ, ଏଥିଉତ୍ତାରୁ ଭାବିନୀ ସାବିତ୍ରୀ କେଶ ବନ୍ଧନ କରି ସ୍ୱାମୀଙ୍କୁ ଦୁଇ ବାହୁରେ ଧରି ଉଠାଇଲେ ।୧୦୩। ସତ୍ୟବାନ ମଧ୍ୟ ଉତ୍‌ଥିତ ହୋଇ ହସ୍ତଦ୍ୱାରା ସର୍ବାଙ୍ଗ ଝାଡ଼ିଝୁଡ଼ି ଦେଇ ଚାରିଆଡ଼କୁ ଚାହିଁ ଫଳପାତ୍ରକୁ ଦେଖିଲେ ।୧୦୪। ତତ୍ପରେ ସାବିତ୍ରୀ ତାହାଙ୍କୁ କହିଲେ, କାଲି ଆପଣ ଫଳସବୁ ନେଇଯିବେ । ତୁମ୍ଭର ଯୋଗସିଦ୍ଧି ନିମିତ୍ତ ଅଦ୍ୟ ମୁଁ ଆପଣଙ୍କ କୁରାଢ଼ି ଖଣ୍ଡି ବହି ଘେନିଯିବି ।୧୦୫। ଏହି କଥା କହି ସାବିତ୍ରୀ ପାତ୍ରସ୍ଥିତ ଫଳସ୍ଥାଳୀକୁ ବୃକ୍ଷଶାଖାରେ ଟାଙ୍ଗିଦେଇ କୁଠାର ଖଣ୍ଡିକ ଘେନି ସ୍ୱାମୀଙ୍କ ନିକଟରେ ଉପସ୍ଥିତ ହେଲେ ଓ ଆପଣାର ବାମ ସ୍କନ୍ଧରେ ପତିଙ୍କର ବାମ ହସ୍ତ ରଖି ଦକ୍ଷିଣ ବାହୁଦ୍ୱାରା ତାହାଙ୍କୁ ଆଲିଙ୍ଗନ କରି ଧୀରେ ଧୀରେ ଚାଲିଲେ ।୧୦୭। ସତ୍ୟବାନ କହିଲେ, ହେ ଭୀରୁ ! ଅଭ୍ୟାସବଶତଃ ମୋତେ ପଥ ବିଦିତ ଅଛି ଅଥଚ ବୃକ୍ଷ ମଧ୍ୟଦେଇ ଚନ୍ଦ୍ରକିରଣ ପଡ଼ିଥିବାରୁ ମୋତେ ପଥ ଦେଖାଯାଉଅଛି ।୧୦୮। ହେ ଶୁଭେ-! କାଲି ଆମେ ଯେଉଁ ବାଟେ ଆସି ଫଳ ତୋଳିଥିଲୁଁ, ସେହି ବାଟେ ଆଜି ଆସିଅଛୁ । ତୁମ୍ଭେ ଯେଉଁ ବାଟେ ଆସିଅଛ; ସେହି ବାଟେ ଚାଲ । ଏଥିରେ ସନ୍ଦେହ କର ନାହିଁ ।୧୦୯। ଆଗରେ ଏହି ଯେଉଁ ବଡ଼ ପଲାଶ ଗଛ ଅଛି, ସେଠାରେ ବାଟ ଦୁଇ ଆଡ଼କୁ ଯାଇଅଛି । ତନ୍ମଧ୍ୟରେ ଯେଉଁ ବାଟ ଉଭୟ ଦିଗକୁ ଯାଇଅଛି, ସେହି ବାଟେ ଶୀଘ୍ର ଗମନ କର ।୧୧୦। ମୁଁ ବର୍ତ୍ତମାନ ସ୍ୱସ୍ଥ ଓ ବଳବାନ ହୋଇଅଛି । ଜନକଜନନୀଙ୍କୁ ଦେଖିବାକୁ ମଧ୍ୟ ମୋର ଅତ୍ୟନ୍ତ ସ୍ପୃହା ହୋଇଅଛି । ଏହା କହି ତ୍ୱରାଯୁକ୍ତ ହୋଇ ସତ୍ୟବାନ ଆଶ୍ରମାଭିମୁଖରେ ଗମନ କଲେ ।୧୧୧।

 

॥ ଅଧ୍ୟାୟ – ୨୯୮ ॥

 

ମାର୍କଣ୍ଡେୟ କହିଲେ, ଏଣେ ମହାବଳ ଦ୍ୟୁମତ ସେନ ସେହି ସମୟରେ ଚକ୍ଷୁଷ୍ମାନ ହୋଇ ନିର୍ମଳ ଦୃଷ୍ଟି ଲାଭ କଲେ ଓ ସବୁ ପଦାର୍ଥ ଉତ୍ତମରୂପେ ଦେଖିପାରିଲେ ।୧। ହେ ଭରତର୍ଷଭ ! ସେ ଭାର୍ଯ୍ୟା ଶୈବ୍ୟାଙ୍କୁ ସଙ୍ଗରେ ଘେନି ଆଶ୍ରମରେ ସର୍ବତ୍ର ଅନ୍ୱେଷଣ କରି ପୁତ୍ରଙ୍କ ନିମିତ୍ତ ଅତ୍ୟନ୍ତ କାତର ହେଲେ ।୨। ବୁଢ଼ାବୁଢ଼ୀ ଦୁହେଁ ସେହି ରାତ୍ରିରେ ଆଶ୍ରମ, ନଦୀ, ବନ ଓ ସରୋବର ସବୁ ଅନ୍ୱେଷଣ କରି ବୁଲିଲେ ।୩। ସାମାନ୍ୟ କୌଣସି ଶବ୍ଦ ଶୁଣିଲେ, ସେ କହନ୍ତି “ହେଇ, ସତ୍ୟବାନ ସାବିତ୍ରୀଙ୍କ ସହିତ ଆସିଲେଣି ।୪। କୁଶ ଓ କଣ୍ଟାରେ ତାଙ୍କର ସର୍ବାଙ୍ଗ ବିଦ୍ଧ ହୋଇଥିଲା । ଛିନ୍ନଭିନ୍ନ ହୋଇଥିବାରୁ ବ୍ରଣସ୍ଥଳରୁ ରକ୍ତ ବାହାରୁଥିଲା ଓ ଉନ୍ମତ୍ତ ପ୍ରାୟ ହୋଇ ସେମାନେ ଦଉଡ଼ୁ ଥିଲେ ।୫। ଅନନ୍ତର ଆଶ୍ରମବାସୀ ବ୍ରାହ୍ମଣମାନେ ତାହାଙ୍କର ଏତାଦୃଶ ଅବସ୍ଥା ଦେଖି ନିଜର ଆଶ୍ରମରେ ନେଇ ଛାଡ଼ିଲେ । ଦ୍ୟୁମତ ସେନ ଓ ତାହାଙ୍କ ଭାର୍ଯ୍ୟାଙ୍କୁ ବୃଦ୍ଧ ତପସ୍ୱୀମାନେ ବେଷ୍ଟନ କରି ପୂର୍ବ ପୂର୍ବ ରାଜାମାନଙ୍କ କଥା କହି ଆଶ୍ୱାସିତ କଲେ ।୭। ତତ୍ପରେ ସେହି ବୃଦ୍ଧ ଦମ୍ପତି ପୁନର୍ବାର ଆଶ୍ୱାସିତ ହେଲେ ହେଁ ପୁତ୍ରଦର୍ଶନାଭିଳାଷୀ ହୋଇ ତାହାର ବାଲ୍ୟକାଳର ଚରିତ୍ର ସ୍ମରଣ କରି ଅତିଶୟ ଦୁଃଖିତ ହେଲେ ।୮। ପୁନଃ ପୁନଃ ସେ ଦୁହେଁ, ହା ପୁତ୍ର ! ହା ସ୍ୱାଧ୍ୱୀ ! ବଧୂ ! ତୁମ୍ଭେ କେଉଁଠାରେ ଅଛ ବୋଲି କ୍ରନ୍ଦନ କଲେ । ତାହା ଶୁଣି ସତ୍ୟବାନ ବ୍ରାହ୍ମଣମାନେ ତାହାଙ୍କୁ ବୁଝାଇ କହିଲେ । ସୁବର୍ଚ୍ଚା କହିଲେ, ସତ୍ୟବାନଙ୍କର ଭାର୍ଯ୍ୟା ସାବିତ୍ରୀ ଯେବେ ତପସ୍ୟା କରିଥାଏ ଓ ସେ ଯେବେ ଶମ ଦମ ପ୍ରଭୃତି ଆଚାରଯୁକ୍ତା ହୋଇଥାଏ, ତେବେ ଦେଖିବ, ସତ୍ୟବାନ ନିଶ୍ଚୟ ଜୀବିତ ଅଛି ।୧୦। ଗୌତମ କହିଲେ, ଆମ୍ଭେ ବେଦ ଓ ବେଦାଙ୍ଗମାନ ଅଧ୍ୟୟନ କରିଅଛୁ ଓ ତପସ୍ୟା ସଞ୍ଚୟ କରିଅଛୁ, କୌମାର ଓ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିଅଛୁ, ଗୁରୁ ଓ ଅଗ୍ନିଙ୍କୁ ପରିତୁଷ୍ଟ କରିଅଛୁ ।୧୧। ସମାହିତ ହୋଇ ସମୁଦାୟ ବ୍ରତ ଅନୁଷ୍ଠାନ କରିଅଛୁ ଓ ସର୍ବଦା ବିଧିପୂର୍ବକ ବାୟୁ ଭକ୍ଷଣ ଓ ଉପବାସ ମଧ୍ୟ କରିଅଛୁ । ଏହି ତପସ୍ୟା ପ୍ରଭାବରୁ ଆମ୍ଭେ ପରର ମନୋଗତ ଭାବ ଜାଣିପାରୁ । ଅତଏବ ଆମ୍ଭେ ସତ୍ୟ କହୁଅଛୁ ଯେ ସତ୍ୟବାନ ଜୀବିତ ଅଛନ୍ତି ।୧୩।

 

ଶିଷ୍ୟ କହିଲେ, ଆମ୍ଭର ଉପାଧ୍ୟାୟଙ୍କ ମୁଖରୁ ଯେଉଁ ବଚନ ବାହାରିଲା ତାହା କଦାପି ମିଥ୍ୟା ହେବାର ନୁହେଁ । ଅତଏବ ସତ୍ୟବାନ ନିଃସନ୍ଦେହରେ ଜୀବିତ ଅଛନ୍ତି ।୧୪। ଋଷିମାନେ କହିଲେ, ସତ୍ୟବାନଙ୍କର ଭାର୍ଯ୍ୟା ସାବିତ୍ରୀଙ୍କଠାରେ ଯେଉଁସବୁ ସୁଲକ୍ଷଣ ଅଛି, ତହିଁରୁ ଜଣାଯାଏ ଯେ ସେ କଦାପି ବିଧବା ହେବେ ନାହିଁ । ଅତଏବ ସତ୍ୟବାନ ନିଶ୍ଚୟ ଜୀବିତ ଅଛନ୍ତି ।୧୫। ଭରଦ୍ୱାଜ କହିଲେ, ସତ୍ୟବାନଙ୍କର ଭାର୍ଯ୍ୟା ଯେପରି ତପସ୍ୱିନୀ, ଶମ ଦମ ଓ ସଦାଚାରଯୁକ୍ତା ତହିଁରୁ ଆମ୍ଭେ ଜାଣୁଅଛୁ ଯେ ସତ୍ୟବାନ ନିଶ୍ଚୟ ଜୀବିତ ଅଛନ୍ତି । ଦାଲଭ୍ୟ କହିଲେ, ତୁମ୍ଭର ଯେଉଁ ସ୍ଥଳେ ଚକ୍ଷୁ ଲାଭ ହୋଇଅଛି ଓ ସାବିତ୍ରୀ ତାହାଙ୍କର କଠିନ ବ୍ରତ ସମାପ୍ତ କରି ଅନାହାରରେ ଗମନ କରିଅଛନ୍ତି, ତହିଁରୁ ଜଣାଯାଏ ଯେ ସତ୍ୟବାନ ନିଃସନ୍ଦେହରେ ଜୀବିତ ଅଛନ୍ତି ।୧୭। ମାଣ୍ଡବ୍ୟ କହିଲେ, ଦିଙ୍ମଣ୍ଡଳ ପ୍ରଶାନ୍ତ ହୋଇଅଛି, ତହିଁରେ କୁରଙ୍ଗ ଓ ପକ୍ଷୀମାନେ ଯେପରି ରବ କରୁଅଛନ୍ତି, ତହିଁରୁ ଓ ତୁମ୍ଭର ଦର୍ଶନଶକ୍ତି ଲାଭ ହୋଇଥିବାରୁ ଆମ୍ଭେ ଜାଣୁଅଛୁ ଯେ ସତ୍ୟବାନ ନିଃସନ୍ଦେହରେ ଜୀବିତ ଅଛନ୍ତି ।୧୮। ଧୌମ୍ୟ କହିଲେ, ତୁମ୍ଭର ପୁତ୍ର ସର୍ବଗୁଣସମ୍ପନ୍ନ ଓ ସର୍ବଜନପ୍ରିୟ । ତାହାଙ୍କର ଦୀର୍ଘାୟୁ ଲକ୍ଷଣ ଅଛି । ଅତଏବ ସେ ନିଶ୍ଚୟ ବଞ୍ଚିଅଛନ୍ତି ।୧୯। ମାର୍କଣ୍ଡେୟ କହିଲେ, ସତ୍ୟବାଦୀ ତପସ୍ୱୀଙ୍କର ଉକ୍ତ ପ୍ରକାର ଆଶ୍ୱାସୋକ୍ତି ଶ୍ରବଣ କରି ଦ୍ୟୁମତ୍ସେନ୍ ତାହାଙ୍କୁ ସମ୍ୟକ୍ ପ୍ରକାରେ ଆଲୋଚନା କରି ପରିଶେଷରେ କିଞ୍ଚିତ୍ ସୁସ୍ଥିର ହେଲେ ।୨୦। ତଦନନ୍ତର ମୁହୂର୍ତ୍ତକ ମଧ୍ୟରେ ସତ୍ୟବାନଙ୍କ ସହିତ ସାବିତ୍ରୀ ସେହି ରାତ୍ରିରେ ଆଶ୍ରମରେ ଉପସ୍ଥିତ ହୋଇ ହୃଷ୍ଟଚିତ୍ତରେ ତନ୍ମଧ୍ୟରେ ପ୍ରବିଷ୍ଟ ହେଲେ ।୨୧। ତେତେବେଳେ ବ୍ରାହ୍ମଣମାନେ ଦ୍ୟୁମତ୍ସେନଙ୍କୁ କହିଲେ, ହେ ରାଜନ୍‌ ! ତୁମ୍ଭର ପୁତ୍ର ଆସିଲେ ଓ ତୁମ୍ଭର ଚକ୍ଷୁଲାଭ ହେଲା । ଏହା ଦେଖି ଆମ୍ଭେମାନେ ସମସ୍ତେ ପଚାରୁଅଛୁ ଯେ ତୁମ୍ଭର ବୃଦ୍ଧି ହେଲା ତ ?୨୨। ପୁତ୍ରଙ୍କ ସହିତ ସମାଗମ, ସାବିତ୍ରୀଙ୍କର ଦର୍ଶନ ଓ ଆପଣାର ଚକ୍ଷୁଲାଭ, ଏ ତିନି ପ୍ରକାରେ ତୁମ୍ଭର ମନୋରଥ ସିଦ୍ଧ ହୋଇଅଛି ।୨୩। ଆମ୍ଭେମାନେ ସମସ୍ତେ ଯେଉଁ କଥା କହିଥିଲୁ, ତୁମ୍ଭର ସେହିପରି ସବୁ ସିଦ୍ଧ ହେବ; ଏଥିରେ ସନ୍ଦେହ ନାହିଁ । ତୁମ୍ଭର ଉତ୍ତରୋତ୍ତର ବୃଦ୍ଧି ଶୀଘ୍ର ସମ୍ପନ୍ନ ହେବ ।୨୪।

 

ମାର୍କଣ୍ଡେୟ କହିଲେ, ହେ ପାର୍ଥ ! ତଦନନ୍ତର ସେହି ବ୍ରାହ୍ମଣମାନେ ସମସ୍ତେ ଅଗ୍ନି ପ୍ରଜ୍ୱଳିତ କରି ରାଜା ଦ୍ୟୁମତ୍ସେନଙ୍କ ସମୀପରେ ଉପବେଶନ କଲେ ।୨୫। ଶୈବ୍ୟା, ସାବିତ୍ରୀ ଓ ସତ୍ୟବାନ ଏକ ପାଖରେ ଉଭାହୋଇ ରହିଲେ । ସେମାନେ ମଧ୍ୟ ଶୋକ ତ୍ୟାଗ କରି ସମସ୍ତଙ୍କ ଅନୁମତି ନେଇ ଉପବେଶନ କଲେ ।୨୬। ହେ ପାର୍ଥ ! ତତ୍ପରେ ଅରଣ୍ୟବାସୀ ସମସ୍ତେ କୌତୂହଳୀ ହୋଇ ରାଜପୁତ୍ରଙ୍କୁ ପଚାରିଲେ, “ହେ ବିଭୋ ! ତୁମ୍ଭେ ଏତେ ରାତ୍ରିରେ ଆସିଲ, ଏହାର କାରଣ କ’ଣ ? ରାତ୍ରି ନୋହୁଣୁ ତୁମ୍ଭେ ଭାର୍ଯ୍ୟାଙ୍କ ସହିତ କାହିଁକି ନ ଆସିଲ ? ତୁମ୍ଭର କି ପ୍ରତିବନ୍ଧକ ହୋଇଥିଲା ?୨୮। ହେ ରାଜପୁତ୍ର ! ତୁମ୍ଭର ପିତାମାତା ଓ ଆମ୍ଭେମାନେ ସମସ୍ତେ ତୁମ୍ଭ ଲାଗି ସନ୍ତାପିତ ହେଲୁ । ତୁମ୍ଭେ କି କାରଣରୁ ବିଳମ୍ବ କଲ, ଆମ୍ଭଙ୍କୁ ସମସ୍ତ କଥା କହ ।”୨୯। ସତ୍ୟବାନ କହିଲେ, ପିତାଙ୍କଠାରୁ ଅନୁଜ୍ଞା ପାଇ ସାବିତ୍ରୀଙ୍କ ସହିତ ମୁଁ ବନକୁ ଗଲି । ବନରେ କାଠ ଚିରୁ ଚିରୁ ମଥା ବ୍ୟଥା ହେଲା ।୩୦। ସେହି ବେଦନାରେ ମୁଁ ଶୋଇପଡ଼ିଲି । ପୂର୍ବେ ମୁଁ କଦାପି ଏପରି ଶୋଇ ନ ଥିଲି । ଏହି ମାତ୍ର ମୁଁ ଜାଣେ, ତତ୍ପରେ ଜାଗ୍ରତ ହୁଅନ୍ତେ ମୁଁ ଭାବିଲି ଯେ ମୋତେ ନ ଦେଖି ଆପଣମାନେ ସମସ୍ତେ ଦୁଃଖିତ ହେବେ, ଏହି କାରଣରୁ ଏତେ ରାତ୍ରିରେ ଆସିଲି । ଏଥିରେ ଆଉ କିଛି କାରଣ ନାହିଁ ।୩୨। ଗୌତମ କହିଲେ, ତୁମ୍ଭର ପିତା ଦ୍ୟୁମତ୍ସେନ ଯେ ଅକସ୍ମାତ୍ ଚକ୍ଷୁ ଲାଭକଲେ ଏହାର କାରଣ ତୁମ୍ଭେ ଜାଣ ନାହିଁ, ସାବିତ୍ରୀ ଅବା ଜାଣିଥିବେ, ସେ କହନ୍ତୁ ।୩୩। ହେ ସାବିତ୍ରୀ ! ତୁମ୍ଭଠାରୁ ଆମ୍ଭେ ଶୁଣିବାକୁ ଇଚ୍ଛା କରୁ, ତୁମ୍ଭେ ବରାବର ସବୁ ଜାଣ । ହେ ସାବିତ୍ରୀ ! ଆମ୍ଭେମାନେ ତୁମ୍ଭଙ୍କୁ ତେଜରେ ସାବିତ୍ରୀ ବୋଲୁ ଜାଣୁ । ଏ ବିଷୟର କାରଣ ତୁମ୍ଭଙ୍କୁ ଅବଶ୍ୟ ଜଣାଅଛି । ଅତଏବ ସତ୍ୟକରି କହ, ଯଦି ତୁମ୍ଭର କିଛି ଗୋପନୀୟ ନ ଥାଏ, ତେବେ ତୁମ୍ଭେ ଆମ୍ଭମାନଙ୍କ ନିକଟରେ କହ ।୩୫।

 

ସାବିତ୍ରୀ କହିଲେ, ଆପଣମାନେ ଯେପରି ଜାଣନ୍ତି, ଏ କଥା ସେହିପରି ଅଟେ । ଆପଣମାନଙ୍କର ସଂକଳ୍ପ କଦାପି ଅନ୍ୟଥା ହେବାର ନୁହେଁ । ଆମ୍ଭର ଗୋପନୀୟ କୌଣସି କଥା ନାହିଁ । ଅତଏବ ଏ ବିଷୟରେ ଯାହା ଯଥାର୍ଥ କାରଣ, ତାହା ଆପଣମାନେ ଶ୍ରବଣ କରିବା ହେଉନ୍ତୁ-।୩୬। ମହାତ୍ମା ନାରଦ ମୋର ପତିଙ୍କର ମୃତ୍ୟୁକଥା କହିଥିଲେ । ସେହି ଦିନ ଆସି ହୋଇଗଲା-। ଏହି ହେତୁରୁ ମୁଁ ତାହାଙ୍କ ସଙ୍ଗ ଛାଡ଼ି ନ ଥିଲି ।୩୭। ଏ ଶୟନ କରନ୍ତେ ଦୂତଗଣଙ୍କ ସହ ଯମ ଆସି ଏହାଙ୍କ ସମୀପରେ ଉପସ୍ଥିତ ହେଲେ ଓ ଏହାଙ୍କୁ ବନ୍ଧନ କରି ପିତୃଗଣଙ୍କ ବାସସ୍ଥାନ ଦକ୍ଷିଣ ଦିଗକୁ ଘେନିଗଲେ ।୩୮। ମୁଁ ସତ୍ୟବାକ୍ୟଦ୍ୱାରା ପ୍ରଭୁ ଯମଙ୍କୁ ସ୍ତୁତି କଲି । ତହିଁରେ ସେ ମୋତେ ପାଞ୍ଚଗୋଟି ବର ପ୍ରଦାନ କଲେ । ସେ କଥାସବୁ ମୋଠାରୁ ଆପଣମାନେ ଶୁଣନ୍ତୁ ।୩୯। ମୋର ଶ୍ୱଶୁରଙ୍କର ନୟନଦ୍ୱୟ ଓ ସ୍ୱକୀୟ ରାଜ୍ୟ, ପିତାଙ୍କର ଶତପୁତ୍ର, ମୋର ଶତପୁତ୍ର ଓ ସ୍ୱାମୀ ସତ୍ୟବାନଙ୍କର ଚାରି ଶତ ବର୍ଷ ପରମାୟୁ, ଏହି ପାଞ୍ଚଗୋଟି ବର ମୋର ଲବ୍ଧ ହୋଇଅଛି । ମୋର ପତିଙ୍କର ଜୀବନ ନିମନ୍ତେ ମୁଁ ତ୍ରିରାତ୍ର ଉପବାସ ବ୍ରତ କରିଥିଲି ।୪୧। ଏହି ମୋର ମହତ ଦୁଃଖ, ଯହିଁରୁ ମୋର ଉତ୍ତର କାଳକୁ ସୁଖ ହେଲା । ଏହିସବୁ କାରଣ ମୁଁ ବିସ୍ତାରପୂର୍ବକ ଆପଣମାନଙ୍କ ନିକଟରେ ବର୍ଣ୍ଣନା କଲି ।୪୨।

 

ଋଷିମାନେ ବୋଇଲେ, ଗୋ ସାଧ୍ୱୀ ! ତୁମ୍ଭେ ମହାକୁଳରୁ ଜାତ ହୋଇଅଛ । ତୁମେ ସୁନ୍ଦରୀ, ଶୀଳ, ବ୍ରତ ଓ ପୁଣ୍ୟସମନ୍ୱିତା; ଏହି ନରେନ୍ଦ୍ର ଦ୍ୟୁମତ୍ସେନଙ୍କ ବଂଶରେ ଅନେକ ଉପଦ୍ରବ ଥିଲା । ତମୋମୟ ହୃଦରେ ନିମଗ୍ନ ହେଲା ପ୍ରାୟ ସେହି ବଂଶ ଆପଦସମୂହରେ ଉପଦ୍ରୁତ ହେଉଥିଲା । ଏବେ ତୁମ୍ଭେ ସେହି ବଂଶକୁ ଉଦ୍ଧାର କଲ ।୪୩। ମାର୍କଣ୍ଡେୟ କହିଲେ, ସେଠାକୁ ଯେତେ ଋଷି ସମାଗତ ହୋଇଥିଲେ, ସେମାନେ ସମସ୍ତେ ସାବିତ୍ରୀଙ୍କୁ ଭକ୍ତରୂପେ ପ୍ରଶଂସା କରି ଦ୍ୟୁମତ୍ସେନ ଓ ସତ୍ୟବାନଙ୍କଠାରୁ ବିଦାୟ ନେଇ ହୃଷ୍ଟଚିତ୍ତରେ ସ୍ୱ ସ୍ୱ ସଦନକୁ ସତ୍ୱର ଗମନ କଲେ-।୪୪।

 

॥ ଅଧ୍ୟାୟ – ୨୯୯ ॥

 

ମାର୍କଣ୍ଡେୟ କହିଲେ, ସେହି ରାତ୍ର ପ୍ରଭାତ ହେଲାରୁ ସବୁ ଋଷି, ତପସ୍ୱୀ, ମହର୍ଷି ଓ ବ୍ରାହ୍ମଣମାନେ ପ୍ରାତଃକୃତ୍ୟ ସମାପ୍ତ କରି ସମାଗତ ହେଲେ ।୧। ଦ୍ୟୁମତ୍ସେନଙ୍କ ସାକ୍ଷାତରେ ସେମାନେ ସାବିତ୍ରୀଙ୍କର ସେହିସବୁ ସୌଭାଗ୍ୟ କଥା କୀର୍ତ୍ତନ କଲେ । ସର୍ବଦା ସେହିସବୁ କଥା କହିଲେ ହେଁ ସେମାନଙ୍କର ତୃପ୍ତି ହୁଏ ନାହିଁ ।୨। ହେ ରାଜନ୍‌ ! ତଦନନ୍ତର ଶାଲ୍ୱଦେଶରୁ ପ୍ରଜାମାନେ ଆଗମନ କରି କହିଲେ, ଦ୍ୟୁମତ୍ସେନଙ୍କ ଶତ୍ରୁ ନିଜର ଅମାତ୍ୟଙ୍କଦ୍ୱାରା ନିହତ ହୋଇଅଛି ।୩। ଆପଣଙ୍କ ଶତ୍ରୁଙ୍କର ଯେତେ ଜ୍ଞାତି ଓ ସହାୟ ଥିଲେ, ସେମାନଙ୍କୁ ମଧ୍ୟ ସେହି ମନ୍ତ୍ରୀ ପ୍ରାଣାନ୍ତ କରିଅଛି । ତାହାଙ୍କର ଯେତେ ସୈନ୍ୟ ଥିଲେ ସେମାନେ ପଳାଇ ଅଛନ୍ତି । ଏ କଥା ଶୁଣି ପ୍ରଜାମାନେ ଆସି ଦ୍ୟୁମତ୍ସେନଙ୍କୁ ଜଣାଇଲେ ଓ କହିଲେ ଦ୍ୟୁମତ୍ସେନ ଅନ୍ଧ ହେଉନ୍ତୁ ଅଥବା ଚକ୍ଷୁଷ୍ମାନ ହେଉନ୍ତୁ, ସେ ଆମ୍ଭମାନଙ୍କର ରାଜା ହେବେ । ପ୍ରଜାମାନେ ସମସ୍ତେ ପୌରଜନଙ୍କ ସହ ଯେ ଏକମତ ହୋଇ ଏକଥା ସ୍ଥିର କରିଥିଲେ ତାହା ମଧ୍ୟ ଜଣାଇଲେ ।୫। ମହାରାଜ ! ଆମ୍ଭେମାନେ ଏହି ନିଶ୍ଚୟ କଥା କହିବା ନିମିତ୍ତ ଏଠାକୁ ପ୍ରେରିତ ହୋଇଅଛୁ । ଆପଣଙ୍କର ଏହି ଯାନ ଓ ଚତୁରଙ୍ଗିଣୀ ସେନା ଉପସ୍ଥିତ ହୋଇଅଛନ୍ତି । ଅତଏବ ହେ ରାଜନ୍‌ ! ଆପଣଙ୍କର ମଙ୍ଗଳ ହେଉ । ଆପଣ ପ୍ରସ୍ଥାନ କରନ୍ତୁ । ନଗର ମଧ୍ୟରେ ଆପଣଙ୍କର ଜୟ ଘୋଷଣା ହୋଇଅଛି । ପିତୃପିତାମହଙ୍କଠାରୁ ସମାଗତ ରାଜ୍ୟରେ ଆପଣ ଚିରକାଳ ନିମିତ୍ତ ଅଧିଷ୍ଠାନ କରନ୍ତୁ ।୭।

 

ଏହିରୂପେ ନିବେଦନ କରି ପ୍ରଜାମାନେ ସମସ୍ତେ ଦେଖିଲେ ଯେ, ନରପତି ଦ୍ୟୁମତ୍ସେନ ଚକ୍ଷୁ ଲାଭ କରିଅଛନ୍ତି ଓ ସୁନ୍ଦର ଆକୃତି ଧାରଣ କରିଅଛନ୍ତି । ତହୁଁ ପ୍ରଜାମାନଙ୍କର ଅତିଶୟ ଆହ୍ଲାଦ ଜାତ ହେଲା ଓ ସେମାନେ ରାଜାଙ୍କ ପାଦ ତଳେ ପତିତ ହେଲେ ।୮। ତଦନନ୍ତର ଆଶ୍ରମବାସୀ ସେହି ବୃଦ୍ଧ ବ୍ରାହ୍ମଣ ଓ ଋଷିମାନଙ୍କୁ ଅଭିବାଦନ କରି ସେମାନଙ୍କଦ୍ୱାରା ପ୍ରତିପୂଜିତ ହୋଇ ନିଜ ନଗରକୁ ପ୍ରସ୍ଥାନ କଲେ ।୯। ସୁନ୍ଦର ଓ ବହୁମୂଲ୍ୟ ଆସ୍ତରଣଯୁକ୍ତ ନରଯାନରେ ଶୈବ୍ୟା ଓ ସାବିତ୍ରୀ ବସି ସେନାଦଳରେ ପରିବୃତା ହୋଇ ଯାତ୍ରା କଲେ ।୧୦। ତତ୍ପରେ ପୁରୋହିତମାନେ ପ୍ରୀତିପୂର୍ବକ ଦ୍ୟୁମତ୍ସେନଙ୍କୁ ରାଜ୍ୟରେ ଅଭିଷିକ୍ତ କଲେ । ତାହାଙ୍କର ମହାତ୍ମା ପୁତ୍ର ସତ୍ୟବାନଙ୍କୁ ମଧ୍ୟ ଯୌବରାଜ୍ୟରେ ଅଭିଷିକ୍ତ କଲେ ।୧୧। ତତ୍ପରେ ବହୁ କାଳ ପତିସମ୍ଭୋଗ କରି ସାବିତ୍ରୀଙ୍କର ଏକ ଶତ ପୁତ୍ର ଜାତ ହେଲେ, ସେମାନେ ଶୂର ଓ ଯୁଦ୍ଧରେ ପରାଙ୍‍ମୁଖ ହେଲେ ନାହିଁ ।୧୨। ସେହିପରି ତାହାଙ୍କର ଏକ ଶତ ସହୋଦର ମଧ୍ୟ ମଦ୍ରଦେଶ ରାଜା ଅଶ୍ୱପତିଙ୍କ ଔରସରେ ମାଲବୀଙ୍କ ଗର୍ଭରୁ ଜାତ ହେଲେ ।୧୩। ଏହି ପ୍ରକାରେ ସାବିତ୍ରୀ ଆପଣାଦ୍ୱାରା ପିତା, ମାତା, ଶ୍ୱଶୁର, ଶାଶୂ ଓ ସ୍ୱାମୀଙ୍କର କୁଳ ଉଦ୍ଧାର କରିଥିଲେ ।୧୪। କୁଳକାମିନୀ ଦ୍ରୁପଦନନ୍ଦିନୀ ମଧ୍ୟ ସାବିତ୍ରୀଙ୍କ ପ୍ରାୟ ନିଜର ଶୀଳତାଦ୍ୱାରା ସେହିପରି ତୁମ୍ଭ ସମସ୍ତଙ୍କୁ ବିପଦରୁ ଉତ୍ତୀର୍ଣ୍ଣ କରିବେ ।୧୫। ବୈଶମ୍ପାୟନ କହିଲେ, ପାଣ୍ଡୁପୁତ୍ର ଯୁଧିଷ୍ଠିର ମହାତ୍ମା ମାର୍କଣ୍ଡେୟଙ୍କଠାରୁ ସେହି କଥା ଶ୍ରବଣ କରି ଶୋକଶୂନ୍ୟ ଓ ସନ୍ତାପବିହୀନ ହୋଇ କାମ୍ୟକ ବନରେ ତତ୍କାଳରେ ନିବାସ କଲେ ।୧୬। ଯେଉଁ ମନୁଷ୍ୟ ଭକ୍ତିପୂର୍ବକ ସାବିତ୍ରୀଙ୍କର ଏହି ଉତ୍ତମ ଉପାଖ୍ୟାନ ଶ୍ରବଣ କରେ, ସେ ସର୍ବତୋଭାବେ ସିଦ୍ଧାର୍ଥ ଓ ସୁଖୀ ହୋଇ କଦାପି ଦୁଃଖ ପାଏ ନାହିଁ ।୧୭।

 

॥ ଅଧ୍ୟାୟ – ୩୦୦ ॥

 

ଜନମେଜୟ ପଚାରିଲେ, ହେ ବ୍ରହ୍ମନ୍‌ ! ଆପଣ ତ ଜପକାରୀଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଇନ୍ଦ୍ର ଯେ ଲୋମଶ ଋଷିଙ୍କୁ ପାଣ୍ଡୁପୁତ୍ର ଯୁଧିଷ୍ଠିରଙ୍କ ନିକଟକୁ ପ୍ରେରଣ କରିଥିଲେ ଓ ଏହି ବାର୍ତ୍ତା ଦେଇଥିଲେ–ତୁମ୍ଭର ଗୋଟିଏ ବଡ଼ ଭୟ ଅଛି, ତୁମ୍ଭେ କାହାରିଠାରେ ସେ କଥା ପ୍ରକାଶ କରିବ ନାହିଁ । ଧନଞ୍ଜୟ ଏଠାରୁ ପ୍ରସ୍ଥାନ କଲେ, ତୁମ୍ଭର ସେହି ଭୟ ଆମ୍ଭେ ଅପନୋଦନ କରିବୁ । ସୁରପତି ଇନ୍ଦ୍ର ଯେ ଏହି ସମ୍ବାଦ ଦେଇଥିଲେ, ସେ କାହିଁପାଇଁ ଏକଥା କହିଥିଲେ ? ଯୁଧିଷ୍ଠିରଙ୍କର କର୍ଣ୍ଣଙ୍କଠାରୁ କି ମହାଭୟ ଥିଲା ଓ କି ହେତୁରୁ ଇନ୍ଦ୍ର ସେହି କଥା କାହାରିଠାରେ ପ୍ରକାଶ କଲେ ନାହିଁ-। ମୁଁ ପଚାରୁଅଛି, ଆପଣ କୃପାକରି ସେସବୁ ବର୍ଣ୍ଣନ କରନ୍ତୁ ।୩।
 

ବୈଶମ୍ପାୟନ କହିଲେ, ହେ ଭାରତଶ୍ରେଷ୍ଠ ! ଆପଣ ତ ରାଜାମାନଙ୍କ ମଧ୍ୟରେ ଶାର୍ଦ୍ଦୂଳ ଅଟନ୍ତି । ଆପଣଙ୍କ ପ୍ରଶ୍ନାନୁସାରେ ମୁଁ କହୁଅଛି, ଆପଣ ମନ ଦେଇ ଶ୍ରବଣ କରନ୍ତୁ ।୪। ବନବାସର ଦ୍ୱାଦଶ ବର୍ଷ ଶେଷ ହୋଇ ତ୍ରୟୋଦଶ ବର୍ଷ ଉପସ୍ଥିତ ହୁଅନ୍ତେ, ପାଣ୍ଡୁପୁତ୍ରମାନଙ୍କର ହିତକାରୀ ବାସବ ଆସି କର୍ଣ୍ଣଙ୍କଠାରୁ କୁଣ୍ଡଳ ଭିକ୍ଷା କରିବାକୁ ଉଦ୍ୟତ ହେଲେ ।୫। ହେ ମହାରାଜ ! ସହସ୍ରଲୋଚନ ଇନ୍ଦ୍ରଙ୍କର ଅଭିପ୍ରାୟ ସହସ୍ର ରଶ୍ମି ସୂର୍ଯ୍ୟ ଅବଗତ ହୋଇ କର୍ଣ୍ଣଙ୍କ ହିତ ନିମିତ୍ତ ଯହିଁରେ ସେ କୁଣ୍ଡଳ ନ ଦିଅନ୍ତି, ତାହାର ପ୍ରତିକାର ସେ କଲେ । ଦିନେ ରାତ୍ରିରେ ସୂର୍ଯ୍ୟ ଜଣେ ବ୍ରାହ୍ମଣ ରୂପ ଧରି କର୍ଣ୍ଣଙ୍କୁ ସ୍ୱପ୍ନରେ ଦେଖାଦେଲେ । ତତ୍କାଳରେ କର୍ଣ୍ଣ ମହାମୂଲ୍ୟ ଶଯ୍ୟାରେ ସ୍ପୃହଣୀୟ ଆସ୍ତରଣ ପରେ ଶୟନ କରିଥାନ୍ତି । ଯୋଗବଳରେ ବ୍ରାହ୍ମଣ ସୂର୍ଯ୍ୟରୂପୀ ପୁତ୍ରସ୍ନେହରେ ପରମ କୃପାବିଷ୍ଟ ହୋଇ ସାନ୍ତ୍ୱନା ଦେଇ ସୁମଧୁର ସମ୍ଭାଷଣପୂର୍ବକ କହିଲେ, ହେ ପୁତ୍ର କର୍ଣ୍ଣ ! ମୋର ବଚନ ଶ୍ରବଣ କର । ତୁମ୍ଭେ ତ ସତ୍ୟବାଦୀଙ୍କ ଶ୍ରେଷ୍ଠ ! ହେ ମହାବାହୋ ! ସ୍ନେହବଶରୁ ମୁଁ ତୁମ୍ଭର ପରମ ହିତ କଥା କହୁଅଛି ।୧୦। ପାଣ୍ଡବମାନଙ୍କ ହିତ କାମନାରେ ଇନ୍ଦ୍ର ବେଦବେତ୍ତା ବ୍ରାହ୍ମଣ ରୂପଧାରଣ କରି ତୁମ୍ଭ ନିକଟକୁ କୁଣ୍ଡଳ ହରଣ କରିବା ନିମିତ୍ତ ଆଗମନ କରିବେ । ହେ କର୍ଣ୍ଣ ! ଜଗତରେ ସମସ୍ତେ ତୁମ୍ଭର ପ୍ରତିଜ୍ଞା ଅବଗତ ଅଛନ୍ତି ଯେ ତୁମ୍ଭେ ଯାଚ୍‌ଜ୍ଞା କର ନାହିଁ, କିନ୍ତୁ କୌଣସି ସଜ୍ଜନ ଯଦି ତୁମ୍ଭଙ୍କୁ ଭିକ୍ଷା କରନ୍ତି, ତେବେ ତୁମ୍ଭେ ତାହାଙ୍କୁ ଦାନ କର । ବିତ୍ତ କିମ୍ବା ଅନ୍ୟ ଯାହା କେହି ପ୍ରାର୍ଥନା କରନ୍ତି, ତାହାଙ୍କୁ ତୁମ୍ଭେ ଦିଅ ଓ ପ୍ରତ୍ୟାଖ୍ୟାନ କର ନାହିଁ । ତୁମ୍ଭଙ୍କୁ ଏହି ପ୍ରକାର ପ୍ରତିଜ୍ଞାସକ୍ତ ଜାଣି ସ୍ୱୟଂ ପାକଶାସନ କୁଣ୍ଡଳ ଓ କବଚକୁ ଭିକ୍ଷା କରିବା ନିମିତ୍ତ ଆଗମନ କରିବେ ।୧୪। ସେ ଯାଚ୍‌ଜ୍ଞା କଲେ, ତୁମ୍ଭେ ଏହି କୁଣ୍ଡଳ ଦୁଇଟି କଦାପି ଦେବ ନାହିଁ । ତୁମ୍ଭେ ସାଧ୍ୟାନୁସାରେ ବିନୟ ସହିତ ତାହାଙ୍କୁ କହିବ ଯେ, ସେ ଧନ କିମ୍ବା ଅପର କୌଣସି ଦ୍ରବ୍ୟ ଯାଚ୍‌ଜ୍ଞା କରନ୍ତୁ । କବଚ ଓ କୁଣ୍ଡଳକୁ କଦାପି ଦେବ ନାହିଁ ।୧୬। ରତ୍ନ, ସ୍ତ୍ରୀ, ଧେନୁ ଓ ଅପରାପର ଦ୍ରବ୍ୟ ଦାନଦ୍ୱାରା ବ୍ରାହ୍ମଣ ରୂପୀ କୁଣ୍ଡଳାର୍ଥୀ ଇନ୍ଦ୍ରଙ୍କୁ ଭିକ୍ଷାରୁ ନିବୃତ୍ତ କରିବ ।୧୭।

 

ହେ କର୍ଣ୍ଣ ! ଯଦି ତୁମ୍ଭେ ମୋ ମନ କଥା ନ ମାନି ଏହି ସହଜ କୁଣ୍ଡଳ ଓ କବଚକୁ ଦାନ କରିବ, ତେବେ ତୁମ୍ଭର ଆୟୁଷ କ୍ଷୟ ହେବ ଓ ତୁମ୍ଭେ ମରଣର ବଶବର୍ତ୍ତୀ ହେବ ।୧୮। ଏହି କବଚ ଓ କୁଣ୍ଡଳ ତୁମ୍ଭର ସହଜ ଅଟେ; ଅତଏବ ହେ ମାନଦ ! ଏହାକୁ ଧାରଣ କରିଥିଲେ ରଣକ୍ଷେତ୍ରରେ ଶତ୍ରୁମାନେ ତୁମ୍ଭଙ୍କୁ ବଧ କରିପାରିବେ ନାହିଁ ।୧୯। ହେ କର୍ଣ୍ଣ ! ଯଦି ତୁମ୍ଭର ଜୀବନ ପ୍ରିୟ ଅଟେ, ତେବେ ତୁମ୍ଭେ ଏହି ଅମୃତସମ୍ଭୂତ କୁଣ୍ଡଳ ଓ କବଚ କାହାରିକୁ ଦେବ ନାହିଁ ଏବଂ ଯତ୍ନପୂର୍ବକ ରକ୍ଷା କରିଥିବ ।୨୦। କର୍ଣ୍ଣ କହିଲେ, “ଆପଣ କିଏ ? ମୋ ପ୍ରତି ଏତାଦୃଶ ସ୍ନେହ ପ୍ରଦର୍ଶନ କରି ମୋର ହିତ କରୁଅଛନ୍ତି ? ହେ ଭଗବନ୍‌ ! ଦ୍ୱିଜବେଶଧାରୀ ଆପଣ କିଏ ? କହିବା ହେଉନ୍ତୁ ।୨୧। ବ୍ରାହ୍ମଣ ବୋଇଲେ, ହେ ତାତ ! ମୁଁ ସହସ୍ରାଂଶୁ; ସୌହାର୍ଦ୍ଦ୍ୟବଶରୁ ତୁମ୍ଭଙ୍କୁ ଦେଖାଦେଲି । ତୁମ୍ଭେ ମୋର ବଚନାନୁସାରେ କାର୍ଯ୍ୟ କର, ଏତଦ୍ଦ୍ୱାରା ତୁମ୍ଭର ପରମ ହିତ ହେବ ।୨୨। କର୍ଣ୍ଣ କହିଲେ, ସହସ୍ର ରଶ୍ମି ଯେତେବେଳେ କୃପାକରି ମୋତେ କହୁଅଛନ୍ତି, ତେତେବେଳେ ଏହି ବାକ୍ୟଦ୍ୱାରା ମୋର ଅତ୍ୟନ୍ତ ଶ୍ରେୟ ହେଲା । ପରନ୍ତୁ ଆପଣ ମୋର ଏହି କଥାଟି ଶ୍ରବଣ କରନ୍ତୁ ।୨୩। ହେ ବିଭାବସୋ ! ଆପଣ ବରଦ ଅଟନ୍ତି, ଆପଣଙ୍କୁ ମୁଁ ପ୍ରସନ୍ନ କରୁଅଛି ଓ ପ୍ରଣୟ ନିବନ୍ଧନ ହେତୁରୁ ନିବେଦନ କରୁଅଛି–ଯଦି ମୁଁ ଆପଣଙ୍କର ପ୍ରିୟ ହୋଇଥାଏ, ତେବେ ଆପଣ ମୋତେ ଏହି ବ୍ରତରୁ ନିବୃତ୍ତ କରନ୍ତୁ ନାହିଁ ।୨୪। ଏହି ଲୋକରେ ସମସ୍ତେ ଜାଣନ୍ତି ଯେ, ଦ୍ୱିଜବରମାନେ ଯଦି ମୋ ପ୍ରାଣ ସୁଦ୍ଧା ଭିକ୍ଷା କରନ୍ତି, ତେବେ ମୁଁ ନିଶ୍ଚୟ ଦାନ କରେ ।୨୫। ହେ ଗଗନଚରଶ୍ରେଷ୍ଠ ! ପାଣ୍ଡୁପୁତ୍ରମାନଙ୍କ ହିତ କାମନାରେ ପୁରନ୍ଦର ଯଦି ବ୍ରାହ୍ମଣ ବେଶ ଧାରଣ କରି ମୋଠାରୁ ଭିକ୍ଷା କରିବାକୁ ଆସନ୍ତି, ତେବେ ମୋର ଏହି ତ୍ରିଲୋକବିଖ୍ୟାତ କୀର୍ତ୍ତି ଲୋପ ନ ହେବ ବୋଲି ମୁଁ ତାହାଙ୍କୁ ଏହି କବଚ ଓ କୁଣ୍ଡଳଦ୍ୱୟ ପ୍ରଦାନ କରିବି ।୨୭। ମୋ ପ୍ରାୟ ଲୋକଙ୍କର ଅସ୍ତ୍ରଶସ୍ତ୍ରରେ ପ୍ରାଣରକ୍ଷା କରିବା ଅପେକ୍ଷା ଯଶୋଯୁକ୍ତ ମରଣ ଶ୍ରେୟସ୍କର ଓ ଲୋକସମ୍ମତ ଅଟେ ।୨୮। ଅତଏବ ବଳିନିସୂଦନ ଓ ବୃତ୍ତା ସୁରହନ୍ତା ଯଦି ଆସି ମୋତେ ଭିକ୍ଷା କରନ୍ତି, ତେବେ କବଚ ସହ ଏହି କୁଣ୍ଡଳକୁ ଇନ୍ଦ୍ରଙ୍କୁ ଦାନ କରିବି ।୨୯। ପାଣ୍ଡୁପୁତ୍ରଙ୍କ ହିତାର୍ଥ ଇନ୍ଦ୍ର ଯେବେ ମୋର କୁଣ୍ଡଳ ନେବାକୁ ପ୍ରାର୍ଥନା କରନ୍ତି, ତେବେ ତହିଁରେ ତାହାଙ୍କର ଅକୀର୍ତ୍ତି ହେବ ଓ ମୋର ତହିଁରେ କୀର୍ତ୍ତି ପ୍ରକାଶିତ ହେବ ।୩୦।

 

ହେ ଭାନୁମାନ ! ଏହି ଲୋକରେ ମୁଁ ପ୍ରାଣ ଦାନକରି ସୁଦ୍ଧା କୀର୍ତ୍ତି ଉପାର୍ଜନ କରିବି; ଯେ ହେତୁରୁ କୀର୍ତ୍ତିମାନ ସ୍ୱର୍ଗକୁ ଗମନ କରେ ଓ କୀର୍ତ୍ତିହୀନ ଲୋକ ବିନଷ୍ଟ ହୁଏ ।୩୧। ମାତା ପ୍ରାୟ ହୋଇ କୀର୍ତ୍ତି ମନୁଷ୍ୟକୁ ସଂଜୀବିତ କରିଥାଏ; ପରନ୍ତୁ ମନୁଷ୍ୟ ଜୀବିତ ଥିଲେ ହେଁ ଅକୀର୍ତ୍ତି ତାହାର ଜୀବନ ବିନଷ୍ଟ କରେ ।୩୨। ହେ ଲୋକେଶ୍ୱର ବିଭାବସୋ ! ମନୁଷ୍ୟର କୀର୍ତ୍ତି ଯେ ତାହାର ପ୍ରାଣ, ଏ ବିଷୟରେ ସ୍ୱୟଂ ବିଧାତା ଗୋଟିଏ ଶ୍ଳୋକ କୀର୍ତ୍ତନ କରିଅଛନ୍ତି ।୩୩। ପୁରୁଷର କୀର୍ତ୍ତି ତାହା ସଙ୍ଗରେ ପରଲୋକକୁ ଗମନ କରେ । ଇହଲୋକରେ ଯାହାର ବିଶୁଦ୍ଧା କୀର୍ତ୍ତି ଥାଏ, ସେ ତାହାର ଆୟୁଷ ବର୍ଦ୍ଧିତ କରେ ।୩୪। ଅତଏବ ମୁଁ ଶରୀର ସହ ସଂଜାତ କବଚ ଓ କୁଣ୍ଡଳଦ୍ୱୟକୁ ଦାନ କରି ଚିରସ୍ଥାୟିନୀ କୀର୍ତ୍ତି ଉପାର୍ଜନ କରିବି । ପୁନଶ୍ଚ ଯେଉଁ ଦାନ ବିଧିବିହିତ ହୁଏ, ମୁଁ ସେହି ଦାନ ବ୍ରାହ୍ମଣମାନଙ୍କୁ ପ୍ରଦାନ କରି ସମରାନଳରେ ଏହି ଶରୀରକୁ ଆହୁତି ଦେବି । ଏହି ସୁଦୁଷ୍କର କର୍ମ କରି ଯୁଦ୍ଧରେ ଶତ୍ରୁଜୟୀ ହୋଇ ସମ୍ପୂର୍ଣ୍ଣ ଯଶ ଲାଭ କରିବି ।୩୬। ଯୁଦ୍ଧରେ ଭୟାତୁର ପ୍ରାଣାର୍ଥୀ ଲୋକଙ୍କୁ ଅଭୟ ପ୍ରଦାନ କରିବି । ବୃଦ୍ଧ, ବାଳକ ଓ ବ୍ରାହ୍ମଣମାନଙ୍କୁ ମହାଭୟରୁ ବିମୁକ୍ତ କରି ମୁଁ ଇହଲୋକରେ ସୁଖ୍ୟାତି ଓ ପରଲୋକରେ ସ୍ୱର୍ଗଲାଭ କରିବି । ଜୀବନ ଦାନ କରି ସୁଦ୍ଧା ମୁଁ କୀର୍ତ୍ତିକୁ ରକ୍ଷା କରିିବି, ଏହା ମୋର ବ୍ରତ ବୋଲି ଜାଣିବା ହେଉନ୍ତୁ ।୩୮। ହେ ଦେବ ! କପଟରେ ବ୍ରାହ୍ମଣବେଶଧାରୀ ପୁରନ୍ଦରଙ୍କୁ ଏହି ଉତ୍କୃଷ୍ଟ ଭିକ୍ଷା ପ୍ରଦାନ କରି ଲୋକରେ ପରାଗତିକୁ ପ୍ରାପ୍ତ ହେବି-।୩୯।

 

॥ ଅଧ୍ୟାୟ – ୩୦୧ ॥

 

ସୂର୍ଯ୍ୟ କହିଲେ, ହେ କର୍ଣ୍ଣ ! ତୁମ୍ଭେ ଆପଣାର ମିତ୍ରମାନଙ୍କର ପୁତ୍ର ଓ ଭାର୍ଯ୍ୟାଙ୍କର ଅଥଚ ପିତାମାତାଙ୍କର ଅହିତ କର୍ମ କର ନାହିଁ ।୧। ହେ ପ୍ରାଣୀଶ୍ରେଷ୍ଠ ! ପ୍ରାଣୀମାନେ ପ୍ରଥମେ ଆପଣାର ଶରୀର ରକ୍ଷା କରି ତତ୍ପରେ ଇହଲୋକରେ ଯଶ, ସ୍ପୃହା ଓ ପରଲୋକରେ ସ୍ୱର୍ଗପ୍ରାପ୍ତିର ଯତ୍ନ କରନ୍ତି-।୨। ତୁମ୍ଭେ ପ୍ରାଣର ବିରୋଧୀ ଯେଉଁ ଯଶୋଲାଭ କରିବାକୁ ଇଚ୍ଛା କରିଅଛ, ତାହା ତୁମ୍ଭର ପ୍ରାଣ ହରଣ କରି ଘେନିଯିବ, ଏଥିରେ ସନ୍ଦେହ ନାହିଁ ।୩। ହେ ନରର୍ଷଭ ! ଆପେ ଜୀବିତ ଥିଲେ ପିତା, ମାତା, ପୁତ୍ର ଓ ଇହଲୋକରେ ଆଉ ଯେ ବନ୍ଧୁବାନ୍ଧବ ଥାଆନ୍ତି, ସେମାନଙ୍କର ଉପକାର କରାଯାଏ-।୪। ହେ ପୁରୁଷଶ୍ରେଷ୍ଠ ! ରାଜାମାନେ ମଧ୍ୟ ନିଜ ପୌରୁଷଦ୍ୱାରା ଜୀବିତ ପ୍ରଜାମାନଙ୍କର କାର୍ଯ୍ୟ କରନ୍ତି, ଏ ବିଷୟ ତୁମ୍ଭେ ହୃଦୟରେ ବିବେଚନା କର । ହେ ତେଜସ୍ୱିନ୍‌ ! ଜୀବିତ ବ୍ୟକ୍ତିଙ୍କର ସିନା କୀର୍ତ୍ତି ଫଳଦାୟିନୀ ହୁଏ, ମୃତ ଓ ଭସ୍ମୀଭୂତ ଦେହର କୀର୍ତ୍ତିରେ କି ପ୍ରୟୋଜନ ? ଜୀବଦ୍ଦଶାରେ ସିନା ମନୁଷ୍ୟ କୀର୍ତ୍ତିର ଫଳଭୋଗୀ ହୁଏ; ମରିଗଲେ ସେ କିଛି ଜାଣିପାରେ ନାହିଁ ।୬। ଶତାୟୁ ବ୍ୟକ୍ତିର ଗଳାରେ ମାଳା ଦେବା ଯାହା, ମୃତ ବ୍ୟକ୍ତି ପକ୍ଷରେ କୀର୍ତ୍ତି ସେହିପରି । ତୁମ୍ଭେ ଆମ୍ଭର ଭକ୍ତ ବୋଲି ଓ ଭକ୍ତଜନଙ୍କର ରକ୍ଷା କରିବା କର୍ତ୍ତବ୍ୟ ଜାଣି ତୁମ୍ଭ ହିତ କାମନାରେ ଆମ୍ଭେ ତୁମ୍ଭଙ୍କୁ ଏପରି କଥା କହିଲୁ ।

 

ହେ ମହାଭୁଜ ! ଏ ବ୍ୟକ୍ତି ଆମ୍ଭର ଭକ୍ତ ଓ ଅନୁରକ୍ତ ଅଟେ । ଏହି ବିବେଚନା କରି ଆମ୍ଭେ ମଧ୍ୟ ତାହା ପରେ ଅନୁଗାମୀ ହୋଇଅଛୁ । ଅତଏବ ତୁମ୍ଭେ ଆମ୍ଭର ବାକ୍ୟ ଗ୍ରହଣ କର । ଏଥିରେ ଦୈବନିର୍ମିତ କୌଣସି ଗୁପ୍ତ ବିଷୟ ଅଛି; ତୁମ୍ଭେ କୌଣସି ଶଙ୍କା ନ କରି ଆମ୍ଭ ବଚନ ଶ୍ରବଣ କର ।୯। ହେ ପୁରୁଷର୍ଷଭ ! ସେହି ଦେବଗୁପ୍ତରହସ୍ୟ ବିଷୟ ତୁମ୍ଭେ ବର୍ତ୍ତମାନ ବୁଝିପାରିବ ନାହିଁ । ଏହି କାରଣରୁ ଆମ୍ଭେ ତୁମ୍ଭ ଆଗରେ ସେହି ଗୋପନୀୟ ବିଷୟ ପ୍ରକାଶ କରୁ ନାହୁଁ । ସମୟରେ ତୁମ୍ଭେ ସେକଥା ଜାଣିପାରିବ ।୧୦। ହେ ରାଧେୟ ! ଆମ୍ଭେ ତୁମ୍ଭଙ୍କୁ ଯେଉଁ କଥା କହିଲୁ ପୁଣି ମଧ୍ୟ ସେହି କଥା ତୁମ୍ଭଙ୍କୁ କହୁଅଛୁ । ତୁମ୍ଭେ ହୃଦୟରେ ବିଚାର କର । ଆଖଣ୍ଡଳ ଯେବେ କୁଣ୍ଡଳଦ୍ୱୟ ଓ କବଚକୁ ଯାଚ୍‌ଜ୍ଞା କରିବେ । ତେବେ ତୁମ୍ଭେ କଦାପି ତାହାଙ୍କୁ ଦେବ ନାହିଁ ।୧୧। ନିର୍ମଳ ନଭୋମଣ୍ଡଳରେ ବିଶାଖା ନକ୍ଷତ୍ର ଶୋଭା ପାଇଲା ପ୍ରାୟ ତୁମ୍ଭେ ଏହି ସହଜ କୁଣ୍ଡଳଦ୍ୱାରା ସୁଶୋଭିତ ଦିଶୁଅଛ ।୧୨। ଜୀବିତ ପୁରୁଷ ପକ୍ଷରେ ସିନା କୀର୍ତ୍ତି ଫଳଦାୟିନୀ ହୁଏ, ଏହା ତୁମ୍ଭେ ବିବେଚନା କରି ଦେଖ । ଅତଏବ ଆଖଣ୍ଡଳ ଯେବେ କୁଣ୍ଡଳ ନେବାକୁ ପ୍ରାର୍ଥନା କରିବେ, ତେବେ ତୁମ୍ଭେ ତାହାଙ୍କୁ ନିଷେଧ କରିବ ।୧୩। ହେ ଅନଘ ! ତୁମ୍ଭେ ବହୁ ପ୍ରକାର ଯୁକ୍ତିସଙ୍ଗତ ସମ୍ଭାଷଣଦ୍ୱାରା ଇନ୍ଦ୍ରଙ୍କର କୁଣ୍ଡଳଲାଭ ଲାଳସାକୁ ବିହିତ କରିପାରିବ ।୧୪। ହେ କର୍ଣ୍ଣ ! ତୁମ୍ଭେ ଯୁକ୍ତିସଙ୍ଗତ ମାଧୁର୍ଯ୍ୟବିଭୂଷିତ ବଚନଦ୍ୱାରା ତାହାଙ୍କର ସେହି ବୁଦ୍ଧି ଅପନୀତ କରିବ ।୧୫।

 

ହେ ନରବ୍ୟାଘ୍ର ! ତୁମ୍ଭେ ଧନଞ୍ଜୟଙ୍କ ସଙ୍ଗେ ସର୍ବଦା ସ୍ପର୍ଦ୍ଧା କରୁଥାଅ । ଶୌର୍ଯ୍ୟସମ୍ପନ୍ନ ଅର୍ଜୁନ ମଧ୍ୟ ତୁମ୍ଭ ସଙ୍ଗେ ସମରଭୂମିରେ ସଙ୍ଗତ ହେବେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ତୁମ୍ଭେ ଯଦି କୁଣ୍ଡଳ ଧାରଣ କରିଥିବ, ତେବେ ସ୍ୱୟଂ ସୁରପତି ମଧ୍ୟ ସହାୟ ହେଲେ ଅର୍ଜୁନ ତୁମ୍ଭଙ୍କୁ ପରାଜିତ କରିପାରିବେ ନାହିଁ ।୧୭। ଅତଏବ, ହେ କର୍ଣ୍ଣ ! ତୁମ୍ଭେ ଯେବେ ଅର୍ଜୁନଙ୍କୁ ସମରରେ ଜୟ କରିବାକୁ ଇଚ୍ଛା କରୁଅଛ, ତେବେ ଇନ୍ଦ୍ରଙ୍କ ହସ୍ତରେ ଏହି ଶୋଭନ କୁଣ୍ଡଳ କଦାପି ଦେବ ନାହିଁ ।୧୮।

 

Unknown

॥ ଅଧ୍ୟାୟ – ୩୦୨ ॥

 

କର୍ଣ୍ଣ କହିଲେ, ହେ ପ୍ରଭାକର ! ଆପଣଙ୍କର କିରଣ ଅତ୍ୟନ୍ତ ପ୍ରଖର; ମୁଁ ଯେ ଆପଣଙ୍କର ଭକ୍ତ, ଏ କଥା ଆପଣ ମଧ୍ୟ ଜାଣନ୍ତି, ମୋତେ ଯେ ଯାହା ମାଗେ, ତାହା ମୁଁ ତାହାକୁ ଦିଏ, ଏ କଥା ମଧ୍ୟ ଆପଣଙ୍କୁ ଜ୍ଞାତ ଅଛି ।୧। ହେ ଅଶୁମନ୍‌ ! ମୋର ଭକ୍ତି ଗ୍ରହଣ କରିବାରୁ ଆପଣ ମୋର ଯେପରି ପ୍ରିୟ ହୋଇଅଛନ୍ତି, ମୋର ପୁତ୍ରକଳତ୍ରମାନେ ମଧ୍ୟ ତଦ୍ରୂପ ନୁହନ୍ତି ।୨। ହେ ଭାସ୍କର ! ଭକ୍ତଗଣଙ୍କଠାରେ ମହାତ୍ମାମାନେ ଭକ୍ତି କରନ୍ତି, ଏ କଥା ଆପଣଙ୍କୁ ବିଦିତ ଅଛି, ସନ୍ଦେହ ନାହିଁ ।୩। ଆପଣ ବିଚାରିଲେ ଯେ “କର୍ଣ୍ଣ ମୋର ଭକ୍ତ ମଧ୍ୟରେ ଅନ୍ୟ କୌଣସି ଦେବଙ୍କୁ ସେ ଜାଣେ ନାହିଁ ।” ଏହି ହେତୁରୁ ଆପଣ ମୋତେ ହିତୋପଦେଶ ଦେବା ହେଲେ ।୪। କିନ୍ତୁ ହେ ଭାନୁମନ୍‌ ! ପୁନର୍ବାର ମୁଁ ଆପଣଙ୍କୁ ମସ୍ତକ ନତକରି ଯାଚ୍‌ଜ୍ଞା କରୁଅଛି ଓ ବାରମ୍ବାର ପ୍ରସନ୍ନ କରୁଅଛି ଯେ ଆପଣ ମୋର ଦୋଷ କ୍ଷମା କରନ୍ତୁ ।୫। ମୃତ୍ୟୁକୁ ମୁଁ ଯେତେ ନ ଡରେ, ମିଥ୍ୟାକୁ ମୁଁ ତହିଁରୁ ଅଧିକ ଭୟ କରେ । ବିଶେଷରେ ସାଧୁ ଓ ବ୍ରାହ୍ମଣମାନଙ୍କୁ ସର୍ବଦା ମୁଁ ଜୀବନଦାନ କରିବାକୁ ସୁଦ୍ଧା ପ୍ରସ୍ତୁତ ଥାଏ, ତହିଁରେ ମୋର ସଂଶୟ ନ ଥାଏ । ହେ ଦେବଭାସ୍କର ! ଆପଣ ଯେ ପାଣ୍ଡୁପୁତ୍ର ଅର୍ଜୁନଙ୍କ କଥା ମୋତେ କହୁଅଛନ୍ତି, ଏ ବିଷୟରେ ମୋର ବକ୍ତବ୍ୟ ଏହି ଯେ ଅର୍ଜୁନ ଯେ ମୋତେ ପରାସ୍ତ କରିବେ ବୋଲି ଆପଣ ମନ ମଧ୍ୟରେ ଯେଉଁ ସନ୍ତାପ କରୁଅଛନ୍ତି, ସେ ସନ୍ତାପକୁ ମନରୁ ଦୂର କରନ୍ତୁ । ମୁଁ ଅର୍ଜୁନକୁ ସମରରେ ନିଶ୍ଚୟ ପରାଜିତ କରିବି ।୮।

 

ହେ ଦେବ ! ମୋର ଯେଉଁ ଅସ୍ତ୍ରବଳ ଅଛି, ମହାତ୍ମା ଜାମଦଗ୍ନ୍ୟ ଓ ଦ୍ରୋଣଙ୍କଠାରୁ ଯେଉଁ ଅସ୍ତ୍ର ପ୍ରାପ୍ତ ହୋଇଅଛି, ତାହା ଆପଣଙ୍କୁ ଅଜଣା ନାହିଁ ।୯। ହେ ସୁରବର ! ସମ୍ପ୍ରତି ମୋତେ ଆପଣ ଏହି ବର ପ୍ରଦାନ କରନ୍ତୁ ଯେ ଇନ୍ଦ୍ର ଯେବେ ମୋର ଜୀବନକୁ ଭିକ୍ଷା କରିବେ, ତେବେ ମୁଁ ତାହାଙ୍କୁ ପ୍ରାଣଭିକ୍ଷା ଦେଇପାରିବି ।୧୦। ସୂର୍ଯ୍ୟ କହିଲେ, ହେ ତାତ ! ତୁମ୍ଭେ ଯେବେ ଏହି ଶୋଭନ କୁଣ୍ଡଳ ଓ ବର୍ମକୁ ଇନ୍ଦ୍ରଙ୍କୁ ଦାନ କରିବ, ତେବେ ତୁମ୍ଭେ ମଧ୍ୟ ଇନ୍ଦ୍ରଙ୍କୁ କହିବ, “ମୁଁ ଏହି କୁଣ୍ଡଳ ଓ ବର୍ମକୁ ଆପଣଙ୍କୁ ଦେବି ସତ୍ୟ, କିନ୍ତୁ ଆପଣ ଏହି ନିୟମ କରନ୍ତୁ ଯେ ଆପଣଙ୍କଠାରେ ଯେଉଁ ଶକ୍ତି ଅଛି, ତାକୁ ଆପଣ ମୋତେ ପ୍ରଦାନ କରିବା ହେବେ । ହେ ବତ୍ସ ! ତୁମ୍ଭଠାରେ ଏହି କୁଣ୍ଡଳ ଥିବାରୁ ତୁମ୍ଭେ ସର୍ବ ଭୂତଙ୍କର ଅବଧ୍ୟ ହୋଇଅଛ; ଏହି ନିମିତ୍ତ ଦାନବାରି ସୁରରାଜ ତୁମ୍ଭଠାରୁ ଉକ୍ତ ଦୁଇ ଦ୍ରବ୍ୟ ଅପହରଣ କରି ଅର୍ଜୁନଙ୍କୁ ଦେବେ ଯେପରିକି ସେ ତୁମ୍ଭଙ୍କୁ ଯୁଦ୍ଧରେ ବିନାଶ କରିବେ । ଅତଏବ ତୁମ୍ଭେ ମଧ୍ୟ କୃତକାର୍ଯ୍ୟ ପୁରନ୍ଦରଙ୍କୁ ମଧୁର ବଚନଦ୍ୱାରା ପୁନଃ ପୁନଃ ଆରଧନା କରି ଏହି କଥା କହିବ ।”

 

ହେ ସହସ୍ରଲୋଚନ ! ଆପଣଙ୍କଠାରେ ଯେଉଁ ଶତ୍ରୁଘାତିନୀ ଶକ୍ତି ଅଛି ସେହି ଅମୋଘ ଅସ୍ତ୍ରକୁ ମୋତେ ପ୍ରଦାନ କରନ୍ତୁ । ମୁଁ ଆପଣଙ୍କୁ ବର୍ମ ଓ କୁଣ୍ଡଳ ଦେବି । ହେ ମହାବାହୋ କର୍ଣ୍ଣ ! ତୁମ୍ଭେ ଉକ୍ତ ରୂପ ନିୟମ କରାଇ ଇନ୍ଦ୍ରଙ୍କୁ କୁଣ୍ଡଳ ଓ ବର୍ମ ପ୍ରଦାନ କରିବ । ତୁମ୍ଭେ ସେହି ଶକ୍ତିଦ୍ୱାରା ସମରରେ ଶତ୍ରୁମାନଙ୍କୁ ସଂହାର କରିବ । ସୁରରାଜଙ୍କର ସେହି ଶକ୍ତିଟି ଶତ ଶତ ଓ ସହସ୍ର ସହସ୍ର ଶତ୍ରୁଙ୍କୁ ନିପାତିତ ନ କରି ପୁନର୍ବାର ତୁମ୍ଭ ହସ୍ତକୁ ପ୍ରତ୍ୟାଗମନ କରିବ ନାହିଁ ।୧୭। ବୈଶମ୍ପାୟନ କହିଲେ, ସୂର୍ଯ୍ୟ ଏହି ରୂପେ କହି ସହସା ଅନ୍ତର୍ଦ୍ଧାନ ହେଲେ । ତତ୍ପରେ ରଜନୀ ପ୍ରଭାତ ହୁଅନ୍ତେ କର୍ଣ୍ଣ ଜପ ସମାପନ କରି ସୂର୍ଯ୍ୟଙ୍କ ସମୀପରେ ସ୍ୱପ୍ନବୃତ୍ତାନ୍ତ ନିବେଦନ କଲେ । ରଜନୀରେ ଦୁହିଁଙ୍କର ଯେଉଁପରି ପରିଦର୍ଶନ ଓ ସମ୍ଭାଷଣ ହୋଇଥିଲା, ତାହା ସବୁ ଆନୁପୂର୍ବିକ ସୂର୍ଯ୍ୟଙ୍କ ସମୀପରେ ଯଥାବତ୍ ବର୍ଣ୍ଣନ କଲେ । ରାହୁଦମନ ଭଗବାନ ଭାନୁମାନ ସୂର୍ଯ୍ୟଦେବ ତାହା ଶ୍ରବଣ କରି ଈଷତ୍ ହାସ୍ୟପୂର୍ବକ କର୍ଣ୍ଣଙ୍କୁ କହିଲେ, “ଯାହା କହିଲ, ତାହା ସତ୍ୟ ଅଟେ । ତତ୍ପରେ ପରବୀରହନ୍ତା ରାଧାସୁତ ସ୍ୱପ୍ନଦର୍ଶନକୁ ସତ୍ୟ ମଣି ଶକ୍ତିଲାଭ ଆଶାରେ ବାସବଙ୍କୁ ପ୍ରତୀକ୍ଷା କଲେ-।୨୧।

 

॥ ଅଧ୍ୟାୟ – ୩୦୩ ॥

 

ଜନମେଜୟ କହିଲେ, ହେ ସତ୍ତମ ! କର୍ଣ୍ଣଙ୍କ ଆଗରେ ସୂର୍ଯ୍ୟ ଯେଉଁ କଥା କହି ନ ଥିଲେ, ସେହି ଗୋପନୀୟ ବିଷୟ କ’ଣ ? କୁଣ୍ଡଳ ଦୁଇଟି କି ପ୍ରକାର ? କିପରି ସେହି କବଚ ଓ କୁଣ୍ଡଳ ଉତ୍ପନ୍ନ ହୋଇଥିଲା, ତାହା ଶ୍ରବଣ କରିବାକୁ ମୋର ଅତିଶୟ କୌତୂହଳ ହୋଇଅଛି । ଅତଏବ ହେ ତପୋଧନ ! ମୋ ନିକଟରେ ତାହା ବର୍ଣ୍ଣନା କରନ୍ତୁ ।୨। ବୈଶମ୍ପାୟନ କହିଲେ, ହେ ରାଜନ୍‌ ! ଏଥି ଉତ୍ତାରୁ ଆମ୍ଭେ ବିଭାବସୁଙ୍କର ସେହି ଗୋପନୀୟ ବିଷୟ ବର୍ଣ୍ଣନା କରୁଅଛୁ, ସେ କୁଣ୍ଡଳଦ୍ୱୟ କି ପ୍ରକାର ଓ କବଚ କି ପ୍ରକାର, ତାହା ମଧ୍ୟ କହୁଅଛୁ, ଶୁଣନ୍ତୁ ।୩।

 

ହେ ରାଜନ୍‌ ! ପୂର୍ବେ ଗୋଟିଏ ଦଣ୍ଡୀ ସନ୍ନ୍ୟାସୀ କୁନ୍ତିଭୋଜ ରାଜାଙ୍କ ନିକଟରେ ଉପସ୍ଥିତ ହେଲେ । ସେ ଦଣ୍ଡୀ ମହାତେଜସ୍ୱୀ, ଦେହ ତାଙ୍କର ଅତି ଉନ୍ନତ, ସେ ଶୁଶ୍ରୂଧାରୀ ଓ ଜଟିଳ ଥିଲେ । ସର୍ବଦେହ ତାଙ୍କର ଅନିନ୍ଦନୀୟ, ମଧୁପ୍ରାୟ ତାହାଙ୍କର ବର୍ଣ୍ଣ ପିଙ୍ଗଳ, ତାହାଙ୍କର ତେଜ ଏପରି ଯେ ଚାହିଁଲାକ୍ଷଣି ପ୍ରଜ୍ୱଳିତ ହେଲା ପରି ଦେଖାଯାନ୍ତି । କେବଳ ଦେଖିବାକୁ ଯେ ଏତାଦୃଶ ତାହା ନୁହେଁ, ତପସ୍ୟା ଓ ସ୍ୱାଧ୍ୟାୟରେ ସେ ବିଭୂଷିତ; କଥା ତାହାଙ୍କର ଅତି ମଧୁର । ଏହିପରି ସେ ରୂପବାନ ଓ ଗୁଣବାନ ବ୍ରାହ୍ମଣ ଆସି ନରପତି କୁନ୍ତିଭୋଜଙ୍କୁ ଏହି କଥା କହିଲେ । ଆପଣ ମତ୍ସର ନୁହନ୍ତି । ଅତଏବ ଆମ୍ଭେ ଆପଣଙ୍କ ଗୃହରେ ଭିକ୍ଷା-ଭୋଜନ କରିବାକୁ ଅଭିଳାଷ କରୁଅଛୁ । ଆପଣ ପାପଶୂନ୍ୟ । ଯଦି ଆପଣ କିମ୍ବା ଆପଣଙ୍କର ଅନୁଚର ବର୍ଗ ଆମ୍ଭର ଇଚ୍ଛା ଭଙ୍ଗ ନ କରନ୍ତି ଓ ଆପଣଙ୍କର ଏଥିରେ ଅଭିମତ ଥାଏ, ତେବେ ଆମ୍ଭେ ଆପଣଙ୍କ ବାସରେ ବାସ କରିବୁ ।୭। ହେ ରାଜନ୍‌ ! ଆମ୍ଭେ ଇଚ୍ଛାନୁସାରେ ଗମନ କି ଆଗମନ କରିପାରିବୁ । ଆମ୍ଭର ଶୟନ ଓ ଭୋଜନରେ କୌଣସି ବ୍ୟକ୍ତି ଯେପରି କିଛି ବ୍ୟାଘାତ ନ କରନ୍ତି ।୮।

 

ରାଜା କୁନ୍ତିଭୋଜ ଅତି ପ୍ରୀତ ହୋଇ କହିଲେ, “ଆପଣ ଯାହା କହୁଅଛନ୍ତି, ସେହିପରି ଓ ତହିଁରୁ ଅଧିକ ହେଉ ।” ରାଜା ପୁନର୍ବାର କହିଲେ, “ଆମ୍ଭର ପୃଥାନାମ୍ନୀ ଗୋଟିଏ ଯଶସ୍ୱିନୀ କନ୍ୟା ଅଛି । ସେହି କନ୍ୟାଟି ସୁଶୀଳା, ସଦାଚାରଯୁକ୍ତା, ସାଧ୍ୱୀ ଓ ବ୍ରତପରାୟଣ ।୧୦। ଅତଏବ ସେ ଆପଣଙ୍କର ସେବାପୂଜା କରିବେ, ଆପଣଙ୍କର ଅବମାନନା ନ କରି ଉପାସନା କରିବେ । ଆପଣ ମଧ୍ୟ ତାହାର ଶୀଳତାରେ ସନ୍ତୁଷ୍ଟ ହେବେ ।” ସନ୍ୟାସୀଙ୍କୁ ଉକ୍ତ ପ୍ରକାର କହି ପୃଥୁଲୋଚନା ପୃଥାଙ୍କ ପାଖକୁ ରାଜା ଆସିଲେ ଓ କହିଲେ ।୧୨। “ବତ୍ସେ ! ଏହି ମହାତ୍ମା ବ୍ରାହ୍ମଣ ଆମ୍ଭ ଗୃହରେ ବାସ କରିବାକୁ ଇଚ୍ଛା କରୁଅଛନ୍ତି । ଆମ୍ଭେ ମଧ୍ୟ ବିଚାରିଅଛୁ ଯେ ତୁମ୍ଭଦ୍ୱାରା ତାହାଙ୍କର ସମୁଚିତ ସେବା ହେବ । ଏହି ବିଶ୍ୱାସରେ ଆମ୍ଭେ ତାହାଙ୍କୁ “ତଥାସ୍ତୁ” କହି ଅଙ୍ଗୀକାର କରିଅଛୁ । ଅତଏବ ତୁମ୍ଭେ ଦେଖିବ ଯେ ଆମ୍ଭର ସେହି କଥା ଯେପରି ମିଥ୍ୟା ନ ହୁଏ ।୧୪। ଏହି ତପସ୍ୱୀ ସ୍ୱାଧ୍ୟାୟ ନିରତ, ମହାତେଜା, ଭଗବାନ ବ୍ରାହ୍ମଣ । ସେ ଯାହା କହିବେ ତୁମ୍ଭେ ଶୁଦ୍ଧ ଚିତ୍ତରେ ତାହା ପ୍ରଦାନ କରିବ ।୧୫। ଯେହେତୁ ବ୍ରାହ୍ମଣ ତେଜସ୍ୱରୂପ, ବ୍ରାହ୍ମଣ ଏକା ତପସ୍ୱୀ, ବ୍ରାହ୍ମଣମାନଙ୍କୁ ନମସ୍କାର କରି ସୂର୍ଯ୍ୟ ଆକାଶରେ ସଞ୍ଚରଣ କରୁଅଛନ୍ତି ।୧୬। ମହାସୁର ବାତାପି ମାନଭାଜନ ବ୍ରାହ୍ମଣମାନଙ୍କୁ ଅମାନ୍ୟ କରି ବ୍ରହ୍ମଦଣ୍ଡରେ ନିହତ ହୋଇଅଛି । ତାଳଜଙ୍ଘ ମଧ୍ୟ ସେହିପରି ବିନଷ୍ଟ ହୋଇଅଛି ।୧୭।

 

ହେ ବତ୍ସେ ! ଏହି ମହାଭାଗ ବ୍ରାହ୍ମଣ ସମ୍ପ୍ରତି ତୁମ୍ଭ ତତ୍ତ୍ୱାବଧାନରେ ରହିଲେ । ତୁମ୍ଭେ ମନୋଯୋଗୀ ହୋଇ ଏହାଙ୍କର ଆରାଧନା କରିବେ ।୧୮। ହେ ନନ୍ଦିନି ! ତୁମ୍ଭେ ଯେ ବାଲ୍ୟକାଳରେ ବ୍ରାହ୍ମଣ ସବୁ ଗୁରୁଜନ, ବନ୍ଧୁ, ଭୃତ୍ୟ, ମିତ୍ର ଓ ମାତୃଗଣ ଆମ୍ଭ ପ୍ରତି ମଧ୍ୟ ବିଶେଷ ଯତ୍ନ କରୁଥିଲେ ତାହା ଆମ୍ଭଙ୍କୁ ବିଦିତ ଅଛି । ତୁମ୍ଭେ ସମସ୍ତଙ୍କ ଯଥାଯୋଗ୍ୟ ସମାଦର କରିଥାଅ ।୨୦। ହେ ଅନବଦ୍ୟାଙ୍ଗି ! ତୁମ୍ଭର ସାଧୁ ବ୍ୟବହାରରେ ଏହି ପୁରୀ ମଧ୍ୟରେ, ବାହାରେ, କି ଅନ୍ତଃପୁରରେ କେହି ଅସନ୍ତୁଷ୍ଟ ନ ଥାନ୍ତି ।୨୧। ହେ ପୃଥେ ! ତୁମ୍ଭେ ବାଳିକା, ବିଶେଷରେ ଆମ୍ଭର ଦୁହିତା, ଏହି ହେତୁରୁ ଆମ୍ଭେ ତୁମ୍ଭଠାରେ ଏହି କୋପପ୍ରକୃତି ବ୍ରାହ୍ମଣଙ୍କୁ ବିନ୍ୟସ୍ତ କରୁଅଛୁ ।୨୨। ତୁମ୍ଭେ ବୃଷ୍ଣିଗଣଙ୍କ କୁଳରେ ଜନ୍ମ ଗ୍ରହଣ କରି ଶୂରସେନଙ୍କ ପ୍ରିୟତମା ଦୁହିତା ଓ ବସୁଦେବଙ୍କ ଭଗ୍ନୀ ହୋଇ ସୁଦ୍ଧା ଆମ୍ଭର ସବୁ କନ୍ୟାଙ୍କ ମଧ୍ୟରେ ପ୍ରଧାନ ହୋଇଅଛ । ପୂର୍ବେ ତୁମ୍ଭର ପିତା ପ୍ରତିଜ୍ଞା କରିଥିଲେ ଯେ ତାହାଙ୍କର ପ୍ରଥମ ଅପତ୍ୟ ଆମ୍ଭଙ୍କୁ ପ୍ରଦାନ କରିବେ । ଏହି ପ୍ରତିଜ୍ଞାନୁସାରେ ତୁମ୍ଭର ଶୈଶବ ଅବସ୍ଥାରେ ତୁମ୍ଭର ପିତା ମୋ ହସ୍ତରେ ତୁମ୍ଭଙ୍କୁ ଦେଲେ । ଜନ୍ମହୋଇ ତୁମ୍ଭେ ଆମ୍ଭଦ୍ୱାରା ପରିବର୍ଦ୍ଧିତ ହୋଇଅଛ । ସୁତରାଂ ଗୋଟିଏ ହ୍ରଦରୁ ଅପର ହ୍ରଦକୁ ଗଲା ପ୍ରାୟ ଗୋଟିଏ ସୁଖାବସ୍ଥାରୁ ଅନ୍ୟ ସୁଖାବସ୍ଥାକୁ ଉପଗତ ହେଲ ।୨୫।

 

ହେ ଶୁଭେ ! ସ୍ତ୍ରୀଲୋକମାନେ, ବିଶେଷରେ ଯେଉଁମାନେ ଦୁଷ୍କୁଳରେ ଜାତ ହୋଇଥାନ୍ତି, ସେମାନଙ୍କୁ ଶାସନ କଲେହେଁ ବାଳକସ୍ୱଭାବ ହେତୁରୁ ପ୍ରାୟ ବିକୃତ ହୁଅନ୍ତି । କିନ୍ତୁ ହେ ପୃଥେ ! ତୁମ୍ଭେ ରାଜକୁଳରେ ଜାତ ଓ ପରିବର୍ଦ୍ଧିତ ହୋଇଅଛ, ତୁମ୍ଭର ରୂପ ମଧ୍ୟ ଅଦ୍ଭୁତ । ସ୍ତ୍ରୀମାନଙ୍କର ଯେଉଁ ଯେଉଁ ଗୁଣ ଥିବା ପ୍ରୟୋଜନ, ତୁମ୍ଭଠାରେ ସେହିସବୁ ଗୁଣ ଅଛି । ଅଧିକନ୍ତୁ ତୁମ୍ଭେ ବିଭବଶାଳିନୀ ହୋଇଅଛ । ଅତଏବ ହେ ଭାବିନି ! ତୁମ୍ଭେ ଗର୍ବ, ଦମ୍ଭ ଓ ମାନ ପରିତ୍ୟାଗ କରି ଦ୍ୱିଜବରଙ୍କର ଆରାଧନା କଲେ ସେ ତୁମ୍ଭଙ୍କୁ ଅଧିକତର କଲ୍ୟାଣବତୀ କରିବେ । କଲ୍ୟାଣି ! ତୁମ୍ଭେ ପାପରହିତା, ତୁମ୍ଭେ ତାହାଙ୍କର ସେବା କଲେ ନିଃସନ୍ଦେହରେ ବିଶେଷ ମଙ୍ଗଲ ଲାଭ କରିବ । ପରନ୍ତୁ ଯଦି ତୁମ୍ଭେ ସେହି ଦ୍ୱିଜବରଙ୍କୁ କୁପିତ କରିବ, ତେବେ ଜାଣ ଯେ ମୋର କୁଳ ନିଶ୍ଚୟ ଦଗ୍ଧ ହୋଇଯିବ ।୨୯।

 

॥ ଅଧ୍ୟାୟ – ୩୦୪ ॥

 

କୁନ୍ତୀ କହିଲେ–ହେ ରାଜନ୍‌ ! ଆପଣଙ୍କ ଆଜ୍ଞାନୁସାରେ ମୁଁ ନିୟମାଧୀନରେ ରହି ସେହି ବ୍ରାହ୍ମଣଙ୍କର ଉପାସନା କରିବି । ହେ ରାଜେନ୍ଦ୍ର ! ଏକଥା ମୋର ମିଥ୍ୟା ନୁହେଁ ।୧। ବ୍ରାହ୍ମଣମାନଙ୍କୁ ପୂଜାକରିବା ମୋର ସ୍ୱଭାବ । ବିଶେଷରେ ଏ ସ୍ଥଳରେ ଆପଣଙ୍କର ପ୍ରିୟ କାର୍ଯ୍ୟ କରିବାକୁ ହେବ । ଅତଏବ ଏଥିରେ ମୋର ଅତିଶୟ ଶ୍ରେୟ ହେବ ।୨। ଏହି ଭଗବାନ ଯେବେ ସାୟଂକାଳରେ, ନିଶୀଥରେ ବା ପ୍ରଭାତରେ ଆସନ୍ତି, ତଥାପି ମୁଁ ଉପସ୍ଥିତ ଥିବି । ସେ ମୋ ପ୍ରତି କୋପ କରିବେ ନାହିଁ ।୩। ହେ ନରୋତ୍ତମ ରାଜେନ୍ଦ୍ର ! ବ୍ରାହ୍ମଣମାନଙ୍କର ପୂଜାକରି ଆପଣଙ୍କର ଆଦେଶ ପ୍ରତିପାଳନଦ୍ୱାରା ହିତାନୁଷ୍ଠାନ କରିବି । ଏଥିରେ ମୋର ପରମ ଲାଭ ହେବ ।୪। ଅତଏବ ହେ ରାଜେନ୍ଦ୍ର ! ଆପଣ ଏ ବିଷୟରେ ନିଶ୍ଚିନ୍ତ ଥାଆନ୍ତୁ । ଏହି ଦ୍ୱିଜବର ଆପଣଙ୍କ ଭବନରେ ବାସକରି ଆମ୍ଭର କୌଣସି ଦୋଷ ବା ତ୍ରୁଟି ପାଇବେ ନାହିଁ । ଆପଣଙ୍କୁ ମୁଁ ଏ କଥା ସତକରି କହୁଅଛି । ହେ ପୁଣ୍ୟବନ୍ତ ! ଏହି ବ୍ରାହ୍ମଣଙ୍କର ଯାହା ପ୍ରିୟ ଓ ଆପଣଙ୍କର ହିତକର, ମୁଁ ସେ ବିଷୟରେ ସାଧ୍ୟାନୁସାରେ ଯତ୍ନ କରିବି । ଅତଏବ ହେ ରାଜନ୍‌ ! ଆପଣ ଏ ବିଷୟରେ ଭାବନା କରନ୍ତୁ ନାହିଁ ।୬।

 

ହେ ନରେଶ୍ୱର ! ମହାଭାଗ ବ୍ରାହ୍ମଣମାନେ ପରିତୁଷ୍ଟ ହେଲେ ଯେ ପରିତ୍ରାଣ କରିପାରନ୍ତି ଓ ଅବମାନିତ ହେଲେ ଯେ ସେମାନେ ବିନାଶର ହେତୁ ହୁଅନ୍ତି, ଏକଥା ମୁଁ ବିଶେଷରୂପେ ଅବଗତ ଅଛି । ସୁତରାଂ ଏହି ଦ୍ୱିଜୋତ୍ତମଙ୍କୁ ମୁଁ ସର୍ବଥା ପରିତୁଷ୍ଟ କରିବି । ତାହାଙ୍କ ସେବାକାର୍ଯ୍ୟ ମୋ ପ୍ରତି ନିର୍ଭର କରି ନିଶ୍ଚିନ୍ତ ଥାଆନ୍ତୁ; ସେ ଆଉ ଆପଣଙ୍କର କୌଣସି ଅହିତ କରିବେ ନାହିଁ ।୮। ହେ ରାଜନ୍‌ ! ପୂର୍ବେ ଶଯ୍ୟାତି ରାଜାଙ୍କର ଦୁହିତା ସୁକନ୍ୟାଙ୍କର ଅପରାଧରେ ଚ୍ୟବନଋଷି ଯେପରି କୋପୀ ହୋଇଥିଲେ, ରାଜାଗଣଙ୍କ ଅପରାଧରେ ବ୍ରାହ୍ମଣମାନେ ସେହିପରି ଅମଙ୍ଗଳର ମୂଳ କାରଣ ହୁଅନ୍ତି ।୯। ଅତଏବ ହେ ନରେନ୍ଦ୍ର ! ଆପଣ ଏହି ବ୍ରାହ୍ମଣଙ୍କ ବିଷୟରେ ଯେଉଁ କଥା ଆଜ୍ଞା ଦେଲେ, ତଦନୁସାରେ ମୁଁ ନିୟମୀ ହୋଇ ଦ୍ୱିଜଶ୍ରେଷ୍ଠଙ୍କର ଆରାଧନା କରିବି ।୧୦। ରାଜା ଏହିପରି କଥାମାନ କୁନ୍ତୀଙ୍କଠାରୁ ଶ୍ରବଣ କରି ଶ୍ରଦ୍ଧା ସହିତ ତାହାଙ୍କୁ ଆଲିଙ୍ଗନପୂର୍ବକ ଯାହା ଯାହା କରିବାକୁ ହେବ, ତାହା କହିଦେଲେ ଓ ପରିଶେଷରେ ଏହି ଉପଦେଶ ଦେଲେ– “ହେ ଶୁଭେ ! ଅନିନ୍ଦିତେ ! ତୁମ୍ଭେ କୌଣସି ଶଙ୍କା ନ କରି ଆମ୍ଭ ହିତ ନିମିତ୍ତ, ଆପଣାର ନିମିତ୍ତ ଓ ଆମ୍ଭର କୁଳର ଉପକାର ନିମିତ୍ତ ଏହିପରି କାର୍ଯ୍ୟ କରିବ ।୧୨।”

 

ବ୍ରାହ୍ମଣପ୍ରିୟ ରାଜା ଓ ମହାଯଶା କୁନ୍ତିଭୋଜ ସେହି କୁମାରୀ ପୃଥାଙ୍କୁ ବୁଝାଇ କହି ସନ୍ନ୍ୟାସୀଙ୍କଠାରେ ସମର୍ପଣ କରିଦେଲେ ।୧୩। ସେ ପୁଣି କହିଲେ, “ହେ ବ୍ରହ୍ମନ୍‌ ! ଆମ୍ଭର ଏହ ଦୁହିତାଟି ଏକେ ତ ବାଳିକା; ତହିଁରେ ପୁଣି ସୁଖରେ ପରିବର୍ଦ୍ଧିତା ହୋଇଅଛି । ଅତଏବ ସେ ଯେବେ କୌଣସି ଅପରାଧ କରେ, ତେବେ ସେ ଦୋଷକୁ ମନରେ ସ୍ଥାନ ଦେବ ନାହିଁ । ବୃଦ୍ଧ, ବାଳକ ଓ ତପସ୍ୱୀମାନେ ଅପରାଧ କଲେହେଁ ମହାଭାଗ, ବ୍ରାହ୍ମଣମାନେ ସେମାନଙ୍କ ପ୍ରତି କୋପ ପ୍ରକାଶ କରନ୍ତି ନାହିଁ ।୧୫। ହେ ଦ୍ୱିଜୋତ୍ତମ ! ଅତି ମହତ ଅପରାଧ କଲେହେଁ ବ୍ରାହ୍ମଣମାନଙ୍କର କ୍ଷମା କରିବା କର୍ତ୍ତବ୍ୟ । ପରନ୍ତୁ କେହି ଯେବେ ଆପଣାର ଶତ୍ରୁ ଅନୁକ୍ରମେ ଶ୍ରଦ୍ଧା ସହିତ ପୂଜା କରେ, ତାହା ମଧ୍ୟ ସେମାନଙ୍କର ଗ୍ରହଣ କରିବା ବିଧେୟ ।୧୬। ବ୍ରାହ୍ମଣ ‘ତଥାସ୍ତୁ’ ବୋଲି କହିଲେ-। ସେହି ରାଜା ହୃଷ୍ଟହୋଇ ଗୋଟିଏ ସୌଧ ଦେଖାଇଦେଲେ । ସେହି ଗୃହଟି ହଂସ ଓ ଚନ୍ଦ୍ରପରି ଶୁକ୍ଳକର୍ଣ୍ଣ ।୧୭। ସେହି ରାଜସଦନ ମଧ୍ୟରେ ଯେଉଁଠାରେ ଅଗ୍ନିଙ୍କ ଗୃହ ଥିଲା, ତନ୍ମଧ୍ୟରେ ସେହି ବ୍ରାହ୍ମଣଙ୍କ ନିମିତ୍ତ ଉଜ୍ଜ୍ୱଳ ଆସନ ଓ ସର୍ବପ୍ରକାର ଖାଦ୍ୟସାମଗ୍ରୀ ନିବେଦନ କଲେ-।୧୮।

 

ରାଜସୁତା କୁନ୍ତୀ ଆଳସ୍ୟ ଓ ଅଭିମାନକୁ ପରିତ୍ୟାଗ କରି ଯତ୍ନପୂର୍ବକ ସେ ବ୍ରାହ୍ମଣଶ୍ରେଷ୍ଠଙ୍କର ଆରଧନା କଲେ ।୧୯। ସେ ବ୍ରାହ୍ମଣ ଯେପରି ପୂଜାର ଯୋଗ୍ୟ, ପୃଥା ମଧ୍ୟ ସେହିପରି ଶୁଦ୍ଧ ହୋଇ ସଦାଚାରାନୁସାରେ ତାହାଙ୍କୁ ଦେବପ୍ରାୟ ମାନିକରି ଯହିଁରେ ତାହାଙ୍କର ପରିତୋଷ ହେବ, ସେହିପରି କାର୍ଯ୍ୟ କଲେ ।

 

॥ ଅଧ୍ୟାୟ – ୩୦୫ ॥

 

ବୈଶମ୍ପାୟନ କହିଲେ, ମହାରାଜ ! ରାଜସୁତା କୁନ୍ତୀ ଯେପରି ବ୍ରତପରାୟଣା, ସେହି ଦ୍ୱିଜବର ମଧ୍ୟ ତଦ୍ରୂପ ସଂଶିତବ୍ରତା । କୁନ୍ତୀ ତାହାଙ୍କୁ ଦିନକୁ ଦିନ ଉତ୍ତରୋତ୍ତର ପରିତୁଷ୍ଟ କଲେ ।୧। ହେ ରାଜେନ୍ଦ୍ର ! ସେହି ଦ୍ୱିଜବର କୌଣସି ଦିନ କହିଯାଆନ୍ତି ଯେ ମୁଁ ଏହି ପ୍ରାତଃ କାଳରେ ଆସିବି, କିନ୍ତୁ ଆସିବାବେଳକୁ କେଉଁ ଦିନ ସନ୍ଧ୍ୟା ହୁଏ ଓ କେଉଁ ଦିନ ରାତ୍ରି ହୁଏ ।୨। କିନ୍ତୁ ସେ କନ୍ୟା ତାହାଙ୍କର ଭକ୍ଷଭୋଜ୍ୟ ଓ ଶୟନ ପାଇଁ ସର୍ବଦା ପ୍ରସ୍ତୁତ ଥାଏ ।୩। ଏହିପରି ଦିନକୁ ଦିନ ତାହାଙ୍କର ଅତିଥି-ସତ୍କାରରେ ହେଳା ନ ହୋଇ ଯତ୍ନର ବୃଦ୍ଧି ହେଉଥାଏ ।୪। ହେ ରାଜନ୍‌ ! ସେ ବ୍ରାହ୍ମଣ ଯେବେ ତିରସ୍କାର କରନ୍ତି ଅଥବା ଅନ୍ନାଦିର ଦୋଷ ଧରନ୍ତି, ତେବେ କୁନ୍ତୀ ତତ୍କାଳରେ କିଛିମାତ୍ର ଅପ୍ରିୟ କାର୍ଯ୍ୟ କରନ୍ତି ନାହିଁ କିମ୍ବା କିଛି କହନ୍ତି ନାହିଁ ।୫। ଅନେକ ଥର ସେହି ଦ୍ୱିଜ ବିପରୀତ ସମୟରେ ଆସନ୍ତି, ଅନେକ ଥର ଆସନ୍ତି ନାହିଁ; ତଥାପି ସେ କହିଲାକ୍ଷଣି ଅନ୍ନାଦି ପ୍ରସ୍ତୁତ ହୋଇଥାଏ; କୁନ୍ତୀ ତାହା ସମର୍ପଣ କରନ୍ତି । ହେ ନରେନ୍ଦ୍ର ! ସେହି ଗୁଣବତୀ ଓ ରୂପବତୀ କନ୍ୟା, ସେ ବ୍ରାହ୍ମଣଙ୍କର ଶିଷ୍ୟାପ୍ରାୟ, ଭଗିନୀପ୍ରାୟ ଓ ଦୁହିତାପ୍ରାୟ ହୋଇ ତାହାଙ୍କର ସେବା କରିଥିଲେ ।୮।

 

କୁନ୍ତୀଙ୍କର ଶୀତଳ ଓ ସଦ୍‌ବ୍ୟବହାରଦ୍ୱାରା ସେହି ଦ୍ୱିଜଶ୍ରେଷ୍ଠ ପରିତୁଷ୍ଟ ହୋଇଥିଲେ ଓ ଦିନକୁ ଦିନ ତାହାଙ୍କର ଅଧିକ ଅବଧାନତା ଦେଖି ଯହିଁରେ ତାହାଙ୍କର ବିଶେଷ ଶ୍ରେୟ ହେବ, ସେ ବିଷୟରେ ଯତ୍ନବାନ ହେଲେ ।୯। ହେ ଭାରତ ! ପୃଥାଙ୍କର ପିତା ନିଯୂସାୟଂ ଓ ପ୍ରାତଃ ପଚାରନ୍ତି, ‘ତୁମ୍ଭ ସେବାରେ ସେ ବ୍ରାହ୍ମଣ ସନ୍ତୁଷ୍ଟ ହୁଅନ୍ତି ତ ?’ ଯଶସ୍ୱିନୀ କୁନ୍ତୀ ତାହାଙ୍କୁ ପ୍ରତ୍ୟୁତ୍ତର ଦିଅନ୍ତି– ‘ହଁ, ପରମ ତୁଷ୍ଟ ହୁଅନ୍ତି ।’ ତହିଁରେ ମହାମନା ରାଜା କୁନ୍ତିଭୋଜ ଅତିଶୟ ହର୍ଷ ଲାଭ କରନ୍ତି ।୧୧।

 

ଅନନ୍ତର ଯେତେବେଳେ ବର୍ଷେକାଳ ସମାପ୍ତ ହେଲା, ତେତେବେଳେ ସେହି ଜପକାରୀଙ୍କ ଶ୍ରେଷ୍ଠ ଦ୍ୱିଜବର ପୃଥାଙ୍କ ସୌହାର୍ଦ୍ଦରେ ରତ ହୋଇ ତାହାଙ୍କର କୌଣସି ଅପରାଧ ନ ଦେଖି ତାହାଙ୍କୁ କହିଲେ, “ହେ ଭଦ୍ରେ ! ହେ ଶୁଭେ ! ତୁମ୍ଭର ପରିଚର୍ଯ୍ୟାଦ୍ୱାରା ଆମ୍ଭେ ପରିତୁଷ୍ଟ ହୋଇଅଛୁଁ-। ଅତଏବ ହେ କଲ୍ୟାଣି ! ତୁମ୍ଭେ ଏପରି କୌଣସି ବର ମାଗ, ଯାହାଦ୍ୱାରା ତୁମ୍ଭେ ଏହି ମନୁଷ୍ୟଲୋକରେ ସବୁ ସୀମନ୍ତିନୀଙ୍କୁ ଅତିକ୍ରମ କରି ଯଶସ୍ୱିନୀ ହେବ । ସେମାନେ ତୁମ୍ଭ ଯଶଦ୍ୱାରା ଅଭିଭୂତ ହେବେ ।”୧୪। କୁନ୍ତୀ କହିଲେ, “ହେ ବେଦଜ୍ଞବର ! ଆପଣ ଓ ମୋର ପିତା ଯେତେବେଳେ ମୋପ୍ରତି ପ୍ରସନ୍ନ ରହିଅଛନ୍ତି, ସେତେବେଳେ ମୋର ସବୁ ସିଦ୍ଧ ହୋଇଅଛି-। ଅତଏବ ହେ ବିପ୍ର ! ମୋର ବରରେ ପ୍ରୟୋଜନ ନାହିଁ ।”୧୫।

 

ବ୍ରାହ୍ମଣ କହିଲେ, ହେ ଭଦ୍ରେ ! ହେ ଶୁଚିସ୍ମିତେ ! ଯଦି ତୁମ୍ଭେ ଆମ୍ଭଠାରୁ ବର ଗ୍ରହଣ କରିବାକୁ ଅଭିଳାଷ ନ କର, ତେବେ ଦେବଗଣଙ୍କୁ ଆହ୍ୱାନ ନିମନ୍ତେ ଗୋଟିଏ ମନ୍ତ୍ର ଦେଉଅଛୁ, ସେହି ମନ୍ତ୍ରଟିକୁ ଗ୍ରହଣ କର ।୧୬। ହେ ଭଦ୍ରେ ! ତୁମ୍ଭେ ଏହି ମନ୍ତ୍ର ପଢ଼ି ଯେଉଁ ଯେଉଁ ଦେବଙ୍କୁ ଆବାହନ କରିବ, ସେହି ଦେବ ଅବଶ୍ୟ ତୁମ୍ଭ ନିକଟରେ ଆସି ଉପସ୍ଥିତ ହେବେ ।୧୭। ତାହାଙ୍କର ଇଚ୍ଛା ଥାଉ ଅବା ନ ଥାଉ, ମନ୍ତ୍ର ପ୍ରଭାବରେ ସେ ଶାନ୍ତ ଓ ଭୃତ୍ୟ ପ୍ରାୟ ଅବନତ ହୋଇ ତୁମ୍ଭର ବଶବର୍ତ୍ତୀ ହେବେ ।୧୮।

 

ବୈଶମ୍ପାୟନ କହିଲେ, ହେ ରାଜନ୍‌ ! ତୁମ୍ଭ କଥା ଶୁଣି ଅନିନ୍ଦିତା ପୃଥା ଅଭିଶାପ ଭୟରେ ସେହି ଦ୍ୱିଜବରଙ୍କୁ କିଛି ନ କହି ନିରବ ହେଲେ । ହେ କ୍ଷିତୀଶ୍ୱର ! ଅନନ୍ତର ସେହି ବ୍ରାହ୍ମଣ ଅଥର୍ବ ବେଦର ଶିରୋଦେଶରେ କୀର୍ତ୍ତିତ ମନ୍ତ୍ରସମୂହକୁ ପୃଥାଙ୍କୁ ଗ୍ରହଣ କରାଇଲେ ।୨୦। ହେ ନରେନ୍ଦ୍ର ! ମନ୍ତ୍ର ପ୍ରଦାନ କରିସାରି ସେ ବ୍ରାହ୍ମଣ କୁନ୍ତୀଭୋଜଙ୍କୁ କହିଲେ, “ହେ ରାଜନ୍‌ ! ଆମ୍ଭେ ତୁମ୍ଭ ଆବାସରେ ଏତେ ଦିନ ସୁଖରେ ବାସ କଲୁଁ । ତୁମ୍ଭ କନ୍ୟା ପୃଥା ବିଧିପୂର୍ବକ ଆମ୍ଭର ସେବା କଲେ; ଆମ୍ଭେ ତହିଁରେ ଅତିଶୟ ପରିତୁଷ୍ଟ ହେଲୁଁ । ଏବେ ପ୍ରସ୍ଥାନ କରିବୁଁ । ଏହି କଥା କହି ସେ ଅନ୍ତର୍ହିତ ହେଲେ ।୨୨। ରାଜା କୁନ୍ତିଭୋଜ ସେହି ବ୍ରାହ୍ମଣଙ୍କୁ ତତ୍‌ସ୍ଥାନରେ ଅନ୍ତର୍ଦ୍ଧାନ ହେବାର ଦେଖି ଚମତ୍କୃତ ହେଲେ ଓ ପୃଥାଙ୍କୁ ବାରମ୍ବାର ପ୍ରଶଂସା କଲେ ।୨୩।

 

॥ ଅଧ୍ୟାୟ – ୩୦୬ ॥

 

ବୈଶମ୍ପାୟନ ବୋଇଲେ ! ସେହି ଦ୍ୱିଜବର ତାହାଙ୍କର ଅନ୍ୟ କୌଣସି କର୍ମରେ ପ୍ରସ୍ଥାନ କରନ୍ତେ କୁମାରୀ ପୃଥା ସେହି ମନ୍ତ୍ରସମୂହର ବଳାବଳ ବିଷୟ ଧ୍ୟାନ କଲେ ।୧। ସେହି ମହାତ୍ମା କି ପ୍ରକାର ମନ୍ତ୍ରମାନଙ୍କୁ ମତେ ପ୍ରଦାନ କରିଅଛନ୍ତି ଓ ତାହାର ବଳ କେତେ ଦୂର, ଏ ବିଷୟ ପରୀକ୍ଷା କରି ମୁଁ ଦେଖେଁ ।୨। ଏହିପରି ଭାବି ସେହି ବାଳିକା ତାହାଙ୍କର ଋତୁଚିହ୍ନ ଦେଖିଲେ ଓ କୁମାରୀ ଅବସ୍ଥାରେ ତାଦୃଶ ଘଟନା ଦେଖି ଲଜ୍ଜିତା ହେଲେ ।୩। ତଦନନ୍ତର ସେ ରମଣୀୟ ଶଯ୍ୟା ପରେ ଶୟନ କରି ତରୁଣ ତପନଙ୍କୁ ନିରୀକ୍ଷଣ କଲେ । ତହିଁରେ ତାହାଙ୍କର ତତ୍‌କ୍ଷଣାତ ଦିବ୍ୟ ଦୃଷ୍ଟି ହେଲା-। ସେ କୁଣ୍ଡଳ ଯୁଗଳଧାରୀ ଓ କବଚରେ ବିଭୂଷିତ ଦିବ୍ୟଦର୍ଶନ ସୂର୍ଯ୍ୟନାରାୟଣଙ୍କୁ ଦେଖିଲେ-। ତାହାଙ୍କର ମନ ଓ ନୟନ ସେହି ଦିବ୍ୟପୁରୁଷଙ୍କଠାରେ ସଂଲଗ୍ନ ହେଲା; ସେହି ସୁମଧ୍ୟମା ପ୍ରଭାତକାଳୀନ ପ୍ରଭାକରଙ୍କ ରୂପ ଦେଖି ପରିତୃପ୍ତ ହୋଇପାରିଲେ ନାହିଁ । ସେ ଯେତେ ଦେଖୁଥାନ୍ତି, ତାଙ୍କର ଆହୁରି ଦେଖିବାକୁ ମନ ହେଉଥାଏ ।୬।

 

ହେ ନରାଧିପ ! ତତ୍କାଳରେ ତାହାଙ୍କର ସେହି ମନ୍ତ୍ର ପ୍ରତି କୌତୂହଳ ଜାତ ହେଲା ଓ ସେହି ଭାବିନୀ ସୂର୍ଯ୍ୟଦେବଙ୍କୁ ଆହ୍ୱାନ କଲେ । ହେ ରାଜନ୍‌ ! ସେହି ବାଳା ଉଦକ ସ୍ପର୍ଶ କରି ଆଚମନ ସାରି ଯେଉଁକ୍ଷଣି ଦିବାକରଙ୍କୁ ଆହ୍ୱାନ କଲେ, ସେହିକ୍ଷଣି ଚତୁର୍ଦ୍ଦିଗକୁ ପ୍ରଜ୍ୱଳିତ କରି ମହାବାହୁ ସୂର୍ଯ୍ୟଦେବ ହାସ୍ୟମୁଖରେ ଆସି ଉପସ୍ଥିତ ହେଲେ । ମଧୁ ପରି ତାହାଙ୍କର ବର୍ଣ୍ଣ ପିଙ୍ଗଳ, ଶଙ୍ଖପ୍ରାୟ ଗ୍ରୀବାଟି ଶୋଭିତ, ବାହୁରେ ଅଙ୍ଗଦ ଓ ମସ୍ତକରେ ମୁକୁଟ ଧାରଣ କରିଥିଲେ ।୯। ଯୋଗବଳରେ ସେ ଆତ୍ମାକୁ ଦୁଇ ଭାଗରେ ବିଭକ୍ତ କରି ଏକ ଭାଗରେ ତାପନ କାର୍ଯ୍ୟ କଲେ ଓ ଅପର ଭାଗଦ୍ୱାରା ସେହି ରୂପ ଧାରଣ କରି ପୃଥାଙ୍କ ପାଶକୁ ଆଗମନ କଲେ । ଅନନ୍ତର ସେହି ଦିବ୍ୟପୁରୁଷ ମଧୁର ବଚନରେ କୁନ୍ତୀଙ୍କୁ କହିଲେ, ଭଦ୍ରେ ! ମନ୍ତ୍ରବଳରେ ମୁଁ ଆକୃଷ୍ଟ ହୋଇ ତୁମ୍ଭର କି କାର୍ଯ୍ୟ କରିବି, କହ । ତୁମ୍ଭେ ଯାହା କରିବାକୁ କହିବ, ଆମ୍ଭେ ତାହା କରିବୁ ।୧୧।

 

କୁନ୍ତୀ କହିଲେ, “ଭଗବାନ ! ଆପଣ ଯେଉଁଠାରୁ ଆସିଅଛନ୍ତି ସେହିଠାକୁ ଯାଆନ୍ତୁ । ମୁଁ କୌତୂହଳାକ୍ରାନ୍ତ ହୋଇ ଆପଣଙ୍କୁ ଆହ୍ୱାନ କରିଥିଲି । ଦେଖୁଥିଲି, ସୂର୍ଯ୍ୟଦେବ ଆସୁଛନ୍ତି କି ନାହିଁ । ଅତଏବ ହେ ଭଗବନ୍‌ ! ଆପଣ ପ୍ରସନ୍ନ ହେଉନ୍ତୁ ।୧୨।

 

ସୂର୍ଯ୍ୟ ବୋଇଲେ, ହେ ସୁମଧ୍ୟମେ ! ତୁମ୍ଭେ ଆମ୍ଭଙ୍କୁ ଯେପରି କହୁଅଛ, ଆମ୍ଭେ ସେହିପରି ଗମନ କରିବୁ । କିନ୍ତୁ ଦେବମାନଙ୍କୁ ଆବାହନ କରି ବୃଥା ପ୍ରେରଣ କରିବା ନ୍ୟାୟସମ୍ମତ ନୁହେଁ ।୧୩। ହେ ଶୁଭଦେ ! ତୁମ୍ଭର ଇଚ୍ଛା ଯେ ସୂର୍ଯ୍ୟଙ୍କ ଔରସରୁ ତୁମ୍ଭର କବଚ ଓ କୁଣ୍ଡଳଧାରୀ ଗୋଟିଏ ପୁତ୍ର ଜାତ ହେଉ ଓ ସେ ପୁତ୍ର ପୃଥିବୀରେ ଅଦ୍ୱିତୀୟ ବଳଶାଳୀ ହେଉ ।୧୪। ଅତଏବ ହେ ଗଜଗାମିନୀ ଅଙ୍ଗନେ ! ତୁମ୍ଭର ସଂକଳ୍ପାନୁସାରେ ଗୋଟିଏ ପୁତ୍ର ଉତ୍ପନ୍ନ ହେବ । ତୁମ୍ଭେ ଆମ୍ଭଠାରେ ଆତ୍ମସମର୍ପଣ କର । ହେ ଭଦ୍ରେ ! ହେ ସସ୍ମିତେ ! ଆମ୍ଭେ ତୁମ୍ଭ ସହିତ ସଂସର୍ଗ କରି ଗମନ କରିବୁଁ-। ଯଦି ତୁମ୍ଭେ ଅଦ୍ୟ ଆମ୍ଭ ବାକ୍ୟ ରକ୍ଷା ନ କର, ତେବେ ଆମ୍ଭେ କ୍ରୁଦ୍ଧ ହୋଇ ତୁମ୍ଭଙ୍କୁ, ତୁମ୍ଭର ପିତାଙ୍କୁ ଓ ସେହି ବ୍ରାହ୍ମଣଙ୍କୁ ଅଭିଶାପ ପ୍ରଦାନ କରିବୁ । ତୁମ୍ଭ ନିମିତ୍ତ ଆମ୍ଭେ ସେମାନଙ୍କୁ ଦଗ୍ଧ କରି ପକାଇବୁ । ଏଥିରେ ସନ୍ଦେହ ନାହିଁ ।୧୭। ତୁମ୍ଭର ଅଶିଷ୍ଟ ବ୍ୟବହାରକୁ ତୁମ୍ଭର ପିତା ଜାଣନ୍ତି ନାହିଁ, ଅତଏବ ସେହି ମୂଢ଼ ପିତାଙ୍କୁ ଦଗ୍ଧ କରିବୁ ଓ ଯେଉଁ ବ୍ରାହ୍ମଣ ତୁମ୍ଭର ଶୀଳ ଓ ଔଦାର୍ଯ୍ୟ ବ୍ୟବହାରକୁ ପରୀକ୍ଷା ନ କରି ତୁମ୍ଭଙ୍କୁ ମନ୍ତ୍ର ପ୍ରଦାନ କରିଅଛି, ସେହି ବ୍ରାହ୍ମଣ ପ୍ରତି ମଧ୍ୟ ଅଦ୍ୟ ପରମ ଦଣ୍ଡବିଧାନ କରିବୁ । ତୁମ୍ଭେ ଆମ୍ଭଙ୍କୁ ବଞ୍ଚନା କରୁଅଛ । ସୁରପତି ଇନ୍ଦ୍ର ପ୍ରଭୃତି ଦେବଗଣ ଆମ୍ଭଙ୍କୁ ଚାହିଁ ଉପହାସ କରୁଅଛନ୍ତି । ତୁମ୍ଭେ ସ୍ୱୟଂ ସେମାନଙ୍କୁ ଦେଖିପାର, ଯେହେତୁରୁ ତୁମ୍ଭର ଦିବ୍ୟଚକ୍ଷୁ ହୋଇଅଛି । ଆଗରୁ ଆମ୍ଭେ ତୁମ୍ଭଙ୍କୁ ଦିବ୍ୟଚକ୍ଷୁ ପ୍ରଦାନ କରିଅଛୁଁ । ତଦ୍ଦ୍ୱାରା ତୁମ୍ଭେ ଆମ୍ଭଙ୍କୁ ଦେଖିପାରିଲ ।୨୦।

 

ବୈଶମ୍ପାୟନ କହିଲେ, ତତ୍ପରେ ରାଜକୁମାରୀ କୁନ୍ତୀ ଆକାଶକୁ ଚାହିଁଲାକ୍ଷଣି ଦେଖିଲେ ଯେ ଅଦିତିଙ୍କ ପୁତ୍ର ଭାନୁମାନ ସୂର୍ଯ୍ୟ ଯେପରି କିରଣ ପ୍ରଦାନ କରୁଅଛନ୍ତି, ସେହିପରି ଅପର ଦେବଗଣ ମଧ୍ୟ ନିଜ ନିଜ ସ୍ଥାନରେ ଅଧିଷ୍ଠିତ ହୋଇଅଛନ୍ତି । ସେମାନଙ୍କୁ ଦର୍ଶନ କରି ବାଳା ପୃଥା ଭୀତା ଓ ଲଜ୍ଜିତା ହୋଇ ସୂର୍ଯ୍ୟଙ୍କୁ ଏହି କଥା କହିଲେ ।

 

“ହେ ଗୋପତେ ! ଆପଣ ସ୍ୱୀୟ ବିମାନରେ ଗମନ କରନ୍ତୁ । ମୋର କୁମାରୀ ଅବସ୍ଥା ହେତୁ ତୁମ୍ଭର ଏହି ଅତ୍ୟାଚାର ଦୁଃଖକର ବୋଧ ହେଉଅଛି ।୨୨। ପିତାମାତା ଓ ଅନ୍ୟ ଯେଉଁ ଗୁରୁଜନମାନେ ଅଛନ୍ତି, ସେହିମାନେ ମୋର ଦେହକୁ ପ୍ରଦାନ କରିପାରନ୍ତି । ଅତଏବ ମୁଁ ଧର୍ମ ଲୋପ କରିବି ନାହିଁ । ଦେହରକ୍ଷା କରିବା ସ୍ତ୍ରୀମାନଙ୍କ ପକ୍ଷରେ ସଦାଚାର ବୋଲି କଥିତ ଅଛି । ଯେଉଁମାନେ ଦେହରକ୍ଷା କରନ୍ତି, ସେହିମାନେ ଏହି ଜଗତରେ ପୂଜିତ ହୁଅନ୍ତି ।୨୩। ହେ ବିଭାବସୋ ! ମନ୍ତ୍ରର କେତେ ଦୂର ବଳ ଏହି କଥା ପରୀକ୍ଷା କରିବା ନିମିତ୍ତ ମୁଁ ଆପଣଙ୍କୁ ପିଲାବୁଦ୍ଧି ହେତୁ ଆହ୍ୱାନ କରିଅଛି; ଅତଏବ ହେ ବିଭୋ ! ଆପଣ ମତେ ବାଳିକା ଜାଣି ମୋର ଏହି ଅପରାଧକୁ କ୍ଷମା କରନ୍ତୁ ।”୨୪।

 

ସୂର୍ଯ୍ୟ କହିଲେ, ତୁମ୍ଭଙ୍କୁ ବାଳିକା ଜାଣି ଏକା ମୁଁ ତୁମ୍ଭଙ୍କୁ ଅନୁନୟ କରୁଅଛି, ନତୁବା ଅନ୍ୟ ସ୍ତ୍ରୀଲୋକ ଏପରି ଅନୁନୀତା ହୋଇପାରନ୍ତା ନାହିଁ । ଅତଏବ ହେ କୁମାରୀ ! କୁନ୍ତୀ ! ତୁମ୍ଭେ ଭୀତା ହୋଇଅଛ । ତୁମ୍ଭେ ଆତ୍ମ ପ୍ରଦାନ କର; ଏଥିରେ ମଧ୍ୟ ଶାନ୍ତି ହେବ ।୨୫। ହେ ଭୀରୁ, ହେ ଭାବିନି-! ତୁମ୍ଭେ ମନ୍ତ୍ରଦ୍ୱାରା ମତେ ଆମନ୍ତ୍ରଣ କରିଅଛ; ଅତଏବ ତୁମ୍ଭ ସହିତ ସଂସର୍ଗ ନ କରି ପ୍ରବଞ୍ଚିତ ହୋଇ ପ୍ରସ୍ଥାନ କରିବା ମୋ ପକ୍ଷରେ ଉପଯୁକ୍ତ ହେଉ ନାହିଁ ।୨୬। ହେ ଶୁଭେ ! ଅନବଦ୍ୟାଙ୍ଗୀ କୃତକୃତ୍ୟ ନ ହୋଇ ପ୍ରତ୍ୟାବର୍ତ୍ତନ କଲେ ଲୋକରେ ମୁଁ ହାସ୍ୟାସ୍ପଦ ହେବି ଓ ଦେବଗଣଙ୍କ ଗୋଷ୍ଠୀରେ ନିନ୍ଦିତ ହେବି ।୨୭। ଏହି ହେତୁରୁ ଅନୁନୟ କରୁଅଛୁଁ ଯେ ତୁମ୍ଭେ ଆମ୍ଭ ସହିତ ସଂସର୍ଗ କର; ତଦ୍ଦ୍ୱାରା ତୁମ୍ଭେ ମାଦୃଶ ପୁତ୍ର ଲାଭ କରିବ ଓ ସର୍ବଲୋକରେ ରମଣୀଗଣଙ୍କ ମଧ୍ୟରେ ପ୍ରଶଂସନୀୟ ହେବ, ଏଥିରେ ସନ୍ଦେହ ନାହିଁ ।୨୮।

 

॥ ଅଧ୍ୟାୟ – ୩୦୭ ॥

 

ବୈଶମ୍ପାୟନ କହିଲେ ! ସେହି ବାଳା ମନସ୍ୱିନୀ, ଅନେକ ପ୍ରକାର ମଧୁର ସମ୍ଭାଷଣଦ୍ୱାରା ଅନୁନୟ କଲେହେଁ ସୂର୍ଯ୍ୟ ତାହା ଶୁଣିଲେ ନାହିଁ ।୧। ହେ ରାଜନ୍ ତିମିରାପହାରୀ ଦିନମଣିଙ୍କୁ ଫେରାଇ ନ ପାରି ବହୁକ୍ଷଣ ପର୍ଯ୍ୟନ୍ତ କୁମାରୀ କୁନ୍ତୀ ଭାବନା କଲେହେଁ ଅଭିଶାପ ଭୟରେ ଭୀତା ହୋଇ ବିଚାରିଲେ, ମୋ ନିମିତ୍ତ ମୋର ନିରାପରାଧ ପିତା କିପାଇଁ ଦଣ୍ଡିତ ହେବେ ଓ କ୍ରୋଧାବିଷ୍ଟ ପ୍ରଭାକର ସେହି ଅନାଥ ବ୍ରାହ୍ମଣଙ୍କୁ ମଧ୍ୟ କି କାରଣରୁ ଭସ୍ମ କରିବେ ? ତେଜ ଓ ତପସ୍ୟାଦ୍ୱାରା ପାପମାନେ ବିନିଷ୍ଟ ହେଲେହେଁ ସେମାନଙ୍କୁ ନେଇ କୌତୁକ କରିବା କର୍ତ୍ତବ୍ୟ ନୁହେଁ । ଅଜ୍ଞତାବଶରୁ ମୁଁ ସେହିପରି ଗେହ୍ଳା ହେବାରୁ ଅଦ୍ୟ ଏତାଦୃଶ ଦୁଃଖରେ ପତିତ ହେଲି । ଏପରି ହରବର ମୁଁ କଦାପି ହୋଇ ନ ଥିଲି । ଏହି ବ୍ୟକ୍ତି ମତେ କି ନିମିତ୍ତ ଏତାଦୃଶ ଆଘାତ କରିଥାନ୍ତେ ?୫।

 

ବୈଶମ୍ପାୟନ କହିଲେ, ହେ ରାଜୋତ୍ତମ ! ଅଭିଶାପକୁ ଭୟକରି କୁନ୍ତୀ ବିବିଧ ପ୍ରକାର ଚିନ୍ତା କଲେ । ମୋହରେ ବ୍ୟାକୁଳ ହୋଇ କଅଣ କରିବେ, ତାହା ସ୍ଥିର କରିପାରିଲେ ନାହିଁ ।୬। ହେ ରାଜନ୍‌ ! ଅକାର୍ଯ୍ୟ କିପରି କରିବେ ? ଏହି ହେତୁରୁ ବନ୍ଧୁବର୍ଗଙ୍କଠାରୁ ଭୀତା ହେଲେ; ଅଥଚ ସୂର୍ଯ୍ୟଙ୍କୁ ଫେରାଇଦେଲେ କାଳେ ସେ କୁପିତ ହୋଇ ସେମାନଙ୍କୁ ଶାପଗ୍ରସ୍ତ କରିବେ, ଏହି ଭାବନାରେ ମଧ୍ୟ ବ୍ୟାକୁଳ ହେଲେ । ପରିଶେଷରେ ଲଜ୍ଜାରେ ତାହାଙ୍କର କଣ୍ଠସ୍ୱର ରୁଦ୍ଧପ୍ରାପ୍ତ ହେଲା-। ଏହି ଅବସ୍ଥାରେ ସୂର୍ଯ୍ୟଦେବଙ୍କୁ କହିଲେ ।୭। ହେ ଦେବ ! ମୋର ପିତାମାତା ଓ ଅନ୍ୟାନ୍ୟ ଗୁରୁଜନମାନେ ଥାଉଁ ଥାଉଁ ଏହିପରି ଅବିଧି କରିବା ଅନ୍ୟାୟ ।୮। ହେ ଦେବ ! ଯଦି ଆପଣଙ୍କ ସହିତ ମୋର ଅବୈଧ ସଂସର୍ଗ ହୁଏ, ତେବେ ମୋହରି ଲାଗି ଏହି କୁଳର କୀର୍ତ୍ତି ନଷ୍ଟ ହେବ-।୯। ଅଥଚ ହେ ତପନ ! ଆପଣ ଯଦି ଏ କାର୍ଯ୍ୟକୁ ଧର୍ମ ମନେକରନ୍ତି, ତେବେ ବନ୍ଧୁମାନେ ମୋତେ ପ୍ରଦାନ ନ କଲେ ହେଁ ମୁଁ ଆପଣଙ୍କ ମନୋରଥ ସିଦ୍ଧ କରିପାରେ ।୧୦। ହେ ଦୁର୍ଦ୍ଧର୍ଷ-! ମାନବଗଣଙ୍କ ଧର୍ମ, ଯଶ, କୀର୍ତ୍ତି ଓ ପରମାୟୁ ନିୟାମକ ଆପଣ ଅଟନ୍ତି । ଅତଏବ ଆପଣଙ୍କୁ ଆତ୍ମା ଦାନ କରି ଯେପରି ମୋର ସତୀତ୍ୱରେ ବ୍ୟାଘାତ ନ ହୁଏ ।୧୧।

 

ସୂର୍ଯ୍ୟ କହିଲେ, ହେ ଶୁଚିସ୍ମିତେ, ବରାରୋହେ ! ତୁମ୍ଭର ପିତା ମାତା ଅଥବା ଅପର ଗୁରୁଜନମାନେ ତୁମ୍ଭଙ୍କୁ ସମ୍ପ୍ରଦାନ କରିବାରେ ପ୍ରଭୁ ନୁହନ୍ତି, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭେ ଆମ୍ଭର ଏହି ବାକ୍ୟ ଶ୍ରବଣ କର ।୨୨। ହେ ଭାବନି ! ସୁଶ୍ରୋଣି ! ବରବର୍ଣ୍ଣିିନି ! କନ୍ୟାମାନେ ସମସ୍ତଙ୍କୁ କାମନା କରିପାରନ୍ତି । ବିଶେଷରେ କନ୍ୟା ଶବ୍ଦଟି କମ୍ ଧାତୁରୁ ହୋଇଅଛି, କମ୍ ଧାତୁର ଅର୍ଥ କାମନା । ସୁତରାଂ ଏହି ଲୋକରେ କନ୍ୟାମାନେ ସ୍ୱତନ୍ତ୍ର ଅଟନ୍ତି । ଅତଏବ ହେ ଭାବିନି ! ଆମ୍ଭଙ୍କୁ ଆତ୍ମ ପ୍ରଦାନ କଲେ, ତୁମ୍ଭର କୌଣସି ଅଧର୍ମ ହେବ ନାହିଁ । ଲୋକଙ୍କ ହିତକାମନାରେ ଆମ୍ଭେ ମଧ୍ୟ କିପରି ଅଧର୍ମାଚରଣ କରିପାରୁ ? ହେ ବରବର୍ଣ୍ଣିନୀ ! ସ୍ତ୍ରୀ ଓ ପୁରୁଷମାନଙ୍କର ସ୍ୱଭାବ ଏହି ଯେ ସେମାନେ ଅବାରିତ ଥାନ୍ତି । ବିବାହ ପ୍ରଭୃତି କାର୍ଯ୍ୟ ସ୍ୱଭାବରେ ବିକୃତମାତ୍ର, ଏହା ଶାସ୍ତ୍ରରେ କଥିତ ଅଛି ।୧୫। ଅତଏବ ତୁମ୍ଭେ ଆମ୍ଭ ସହିତ ସଂସର୍ଗ କରି ପୁନର୍ବାର କୁମାରୀ ହୋଇ ରହିବ ଓ ତୁମ୍ଭର ପୁତ୍ରଟି ମଧ୍ୟ ମହାଯଶା ଓ ମହାବାହୁ ହୋଇ ଖ୍ୟାତି ଲାଭ କରିବେ ।୧୬। କୁନ୍ତୀ କହିଲେ, ଆପଣ ସବୁପ୍ରକାର ଅନ୍ଧକାର ବିନାଶ କରନ୍ତି । ଯଦି ଆପଣଙ୍କ ଔରସରେ ମୋର ପୁତ୍ର ଜାତ ହୁଏ, ତେବେ ସେ ପୁତ୍ର ଯେପରି କବଚ ଓ କୁଣ୍ଡଳ ସହିତ ଜାତ ହୁଏ ଓ ସେ ଶୂର, ମହାବାହୁ ଓ ମହାବଳଶାଳୀ ହୁଏ ।୧୭। ସୂର୍ଯ୍ୟ କହିଲେ, ଭଦ୍ରେ ! ତୁମ୍ଭର ପୁତ୍ର ମହାବାହୁ, ଦିବ୍ୟ କବଚ ଓ କୁଣ୍ଡଳଧାରୀ ହୋଇ ଉତ୍ପନ୍ନ ହେବେ । ତାହାଙ୍କର କବଚ ଓ କୁଣ୍ଡଳ ଅମୃତମୟ ହେବ ।୧୮। କୁନ୍ତୀ କହିଲେ, ହେ ଦେବ-! ଆପଣ ମୋ ଗର୍ଭରେ ଯେଉଁ ପୁତ୍ର ଉତ୍ପାଦନ କରିବେ, ତାହାର କବଚ ଓ କୁଣ୍ଡଳଦ୍ୱୟ ଅମୃତମୟ ହେବ, ତେବେ ଆପଣଙ୍କ ଆଦେଶାନୁସାରେ ଆପଣଙ୍କ ସହିତ ମୋର ସଂସର୍ଗ ହେବ । ପରନ୍ତୁ ପୁତ୍ରଟି ଯେପରି ଧାର୍ମିକ ଓ ବୀର ରୂପ, ସତ୍ୱ ଓ ତେଜରେ ଆପଣଙ୍କ ସଦୃଶ ହୁଏ ।୨୦।

 

ସୂର୍ଯ୍ୟ କହିଲେ, ହେ ଭୀରୁ ! ମତ୍ତକାଶିନି ! ରାଜ୍ଞି ! ଆମ୍ଭର ଜନନୀ ଅଦିତି ଆମ୍ଭଙ୍କୁ ଯେଉଁ କୁଣ୍ଡଳ ଯୁଗଳ ପ୍ରଦାନ କରିଥିଲେ, ସେହି କୁଣ୍ଡଳ ଓ ଏହି ଉତ୍କୃଷ୍ଟ ବର୍ମକୁ ଆମ୍ଭେ ତୁମ୍ଭ ପୁତ୍ରଙ୍କୁ ପ୍ରଦାନ କରିବୁଁ ।୨୧। କୁନ୍ତୀ କହିଲେ, ଏପରି ହେଲେ ହେ ଭଗବନ୍‌ ! ଗୋପତେ ! ଆପଣ ଯେଉଁରୂପେ କହୁଅଛନ୍ତି, ଆମ୍ଭର ପୁତ୍ର ଯଦି ତଦ୍ରୂପ ହୁଏ, ତେବେ ଆପଣଙ୍କ ସହିତ ମୋର ସଂସର୍ଗ ହେଉ ।୨୨। ବୈଶମ୍ପାୟନ କହିଲେ–ରାହୁର ଶତ୍ରୁ ଯୋଗାତ୍ମା, ଆକାଶବିହାରୀ, ପ୍ରଭାକର ତଥାସ୍ତୁ ବୋଲି କହି କୁନ୍ତୀଙ୍କଠାରେ ଅବିଷ୍ଟ ହେଲେ ଓ ତାହାଙ୍କ ନାଭିକୁ ସ୍ପର୍ଶ କଲେ ।୨୩। ତଦନନ୍ତର ସେହି କୁନ୍ତୀଦେବୀ ସୂର୍ଯ୍ୟଙ୍କ ତେଜରେ ବିହ୍ୱଳିତା ହୋଇ ପରିଶେଷରେ ଚେତନା ଶୂନ୍ୟ ହୋଇ ଶଯ୍ୟାରେ ନିପତିତ ହେଲେ ।୨୫। ବୈଶମ୍ପାୟନ କହିଲେ, ହେ ରାଜେନ୍ଦ୍ର ! ଅନନ୍ତର ବାଳା ପୃଥା ଲଜ୍ଜିତା ହୋଇ ସୂର୍ଯ୍ୟଙ୍କୁ ଆସୁଥିବାର ଦେଖି ତାହାଙ୍କୁ ବହନ କଲେ । ଏହି ପ୍ରକାରେ ସେହି ଲଜ୍ଜାଶୀଳା କୁନ୍ତରାଜଦୁହିତା ସୂର୍ଯ୍ୟଙ୍କ ପ୍ରବୋଧ ବଚନାନୁସାରେ ପୁତ୍ର ଯାଚ୍‌ଜ୍ଞା କରି ମୋହାବିଷ୍ଟ ହେଲେ । ସନତା ଲତାପ୍ରାୟ ହୋଇ ଶଯ୍ୟାରେ ନିପତିତା ହେଲେ ।୨୭। ଭାନୁମାନ ସୂର୍ଯ୍ୟ ନିଜ ତେଜଦ୍ୱାରା କୁନ୍ତୀଙ୍କୁ ମୋହିତ କରି ଯୋଗବଳରେ ତାହାଙ୍କ ଶରୀର ମଧ୍ୟରେ ପ୍ରବେଶ କଲେ । ଅର୍ଥାତ୍ ତାହାଙ୍କର ଗର୍ଭାଧାନ କଲେ; ତଦ୍ଦ୍ୱାରା କୁନ୍ତୀଙ୍କର ଦୋଷଘଟିତ ହୋଇଥାନ୍ତା । ଗର୍ଭାଧାନ ପରେ ପୃଥା ପୁନର୍ବାର ଚୈତନ୍ୟ ଲାଭ କଲେ ।୨୮।

 

॥ ଅଧ୍ୟାୟ – ୩୦୮ ॥

 

ବୈଶମ୍ପାୟନ ବୋଇଲେ, ହେ ମହାରାଜ ! ତଦନନ୍ତର ମାଘ ମାସର ଶୁକ୍ଳପକ୍ଷ ପ୍ରତିପଦ ତିଥିରେ ଆକାଶରେ ଚନ୍ଦ୍ରଙ୍କ ପ୍ରାୟ ପୃଥାଙ୍କର ଗର୍ଭ ସଞ୍ଚାର ହେଲା । ବାନ୍ଧବମାନଙ୍କ ଭୟରୁ ସେହି ବାଳା ନିଜର ଅବସ୍ଥାକୁ ଗୋପନ କଲେ । ତାହାଙ୍କର ଧାତ୍ରୀ ବ୍ୟତିରେକେ ଅନ୍ୟ କେହି ସେ ବିଷୟ ଜାଣିପାରିଲେ ନାହିଁ । କନ୍ୟାପୁରକୁ ସେହି ଧାତ୍ରୀ ରକ୍ଷା କରୁଥିଲେ ଓ କନ୍ୟାପୁର ରକ୍ଷା କରିବାରେ ସେ ଅତ୍ୟନ୍ତ ନିପୁଣା ଥିଲେ ।୩। ତତ୍ପରେ ଯଥାକାଳରେ ବରବର୍ଣ୍ଣିନୀ ପୃଥା ସେହି ଗର୍ଭକୁ ପ୍ରସବ କଲେ । ସୂର୍ଯ୍ୟଦେବଙ୍କ ପ୍ରସାଦରୁ ତାହାଙ୍କର ଯେପରି କନ୍ୟାବସ୍ଥା, ସେହିପରି ଅବସ୍ଥା ରହିଲା । କୌଣସି ପରିବର୍ତ୍ତନ ହୋଇ ନ ଥିଲା । ଜାତଶିଶୁ ଅମର ପ୍ରାୟ ତେଜସ୍ୱୀ, କବଚରେ ଆବଦ୍ଧ କନକୀୟ ଉଜ୍ଜ୍ୱଳ କୁଣ୍ଡଳଧାରୀ, ସିଂହନେତ୍ର, ବୃଷସ୍କନ୍ଧ ଓ ତାହାର ପିତାମାତାଙ୍କ ପ୍ରାୟ ବଳିଷ୍ଠ ଓ ସୁନ୍ଦର ହୋଇଥିଲା ।୫। ସେହି ସନ୍ତାନ ଜାତ ହେଲାକ୍ଷଣି ଧାତ୍ରୀଙ୍କ ସହିତ ପରାମର୍ଶ କରି ପୃଥା ତାହାଙ୍କୁ ଗୋଟିଏ ମଞ୍ଜୁଷାରେ ପୂରାଇ ଅଶ୍ୱନଦୀରେ ବିସର୍ଜନ କଲେ । ସେ ମଞ୍ଜୁଷାରେ ଜଳ ପ୍ରବେଶ ନ କରିବ ବୋଲି ତହିଁ ମଧ୍ୟରେ ମହମ ଲେପି ଦେଇଥିଲେ ଓ ଶିଶୁର ସୁଖ ନିମନ୍ତେ ତନ୍ମଧ୍ୟରେ ଉତ୍ତମ ଶେଯ ପାରିଦେଇ ଉପାଧାନ ଦେଇଥିଲେ । ପେଡ଼ିର ମୁଖରେ ଉତ୍ତମ ଢାଙ୍କୁଣୀ ଦେଇଥିଲେ । ତାଦୃଶ କାର୍ଯ୍ୟ କନ୍ୟାପକ୍ଷରେ ଅକର୍ତ୍ତବ୍ୟ ଓ ନିନ୍ଦନୀୟ ଭାବି ପୃଥା ସେହି ଶିଶୁକୁ ନଦୀରେ ଭସାଇ ଦେଲେ ।

 

କିନ୍ତୁ ହେ ରାଜେନ୍ଦ୍ର ! ପୁତ୍ରସ୍ନେହରୁ ସେ ଅତିଶୟ ଦୁଃଖରେ ରୋଦନ କଲେ ।୮। ଅଶ୍ୱନଦୀର ଜଳରେ ସେହି ମଞ୍ଜୁଷାକୁ ଭସାଇ ଦେଇ କୁନ୍ତୀ ରୋଦନପୂର୍ବକ ଯାହା କହିଥିଲେ, ତାହା ଶ୍ରବଣ କରନ୍ତୁ ।୯। ହେ ପୁତ୍ର ! ଅନ୍ତରୀକ୍ଷ, ପୃଥିବୀ ଓ ଆକାଶସ୍ଥିତ ପ୍ରାଣୀମାନଙ୍କଠାରୁ ତୁମ୍ଭର ମଙ୍ଗଳ ହେଉ । ଜଳଚର ଜନ୍ତୁମାନେ ମଧ୍ୟ ତୁମ୍ଭର ମଙ୍ଗଳ କରନ୍ତୁ ।୧୦। ପଥମଧ୍ୟରେ ତୁମ୍ଭର ଶୁଭ ହେଉ ଓ କେହି ତୁମ୍ଭର ବିଘ୍ନକାରୀ ନୋହୁ । ଯେଉଁମାନେ ତୁମ୍ଭ ପ୍ରତି ଦ୍ରୋହ କରିବା ଇଚ୍ଛାରେ ଆସିବେ, ସେମାନେ ତୁମ୍ଭଙ୍କୁ ଚାହିଁଲାକ୍ଷଣି ସେମାନଙ୍କ ଚିତ୍ତରୁ ସେ ଦ୍ରୋହ ଅନ୍ତର୍ହିତ ହେଉ ।୧୧। ଜଳ ମଧ୍ୟରେ ଜଳେଶ୍ୱର ରାଜା ବରୁଣ ତୁମ୍ଭଙ୍କୁ ରକ୍ଷା କରନ୍ତୁ । ଅନ୍ତରୀକ୍ଷସ୍ଥିତ ଭୂତଗଣ ତୁମ୍ଭଙ୍କୁ ଅନ୍ତରୀକ୍ଷରେ ଓ ପବନ ସର୍ବତ୍ର ରକ୍ଷା କରନ୍ତୁ । ହେ ପୁତ୍ର ! ଯେଉଁ ପିତା ତୁମ୍ଭଙ୍କୁ ପ୍ରଦାନ କରିଅଛନ୍ତି, ତପନକାରୀଙ୍କ ଶ୍ରେଷ୍ଠ, ତୁମ୍ଭର ସେହି ପିତା ତପନ ସର୍ବତ୍ର ତୁମ୍ଭଙ୍କୁ ଦିବ୍ୟଶକ୍ତିଦ୍ୱାରା ରକ୍ଷା କରନ୍ତୁ ।୧୩। ଆଦିତ୍ୟଗଣ, ବସୁଗଣ, ରୁଦ୍ରଗଣ, ବିଶ୍ୱୋଦେବାଗଣ ପ୍ରଭୃତି ଗଣଦେବତାମାନେ ଇନ୍ଦ୍ରଙ୍କ ସହିତ ମରୁଦ୍‌ଗଣ, ସମଗ୍ର ଦିଗ ଓ ଦିକ୍‌ପତିମାନେ ତୁମ୍ଭଙ୍କୁ ରକ୍ଷା କରନ୍ତୁ । ସମ ଓ ବିଷମ ! ସର୍ବପ୍ରକାର ସ୍ଥାନ ଓ କାଳରେ ସୁରଗଣ ତୁମ୍ଭଙ୍କୁ ରକ୍ଷା କରନ୍ତୁ । ବିଦେଶରେ ତୁମ୍ଭେ ଥିଲେ ହେଁ ତୁମ୍ଭଙ୍କୁ କବଚଦ୍ୱାରା ଚିହ୍ନିପାରିବି । ହେ ପୁତ୍ର ! ତୁମ୍ଭର ଜନକ ବିଭାବସୁ ଭାନୁଙ୍କୁ ଧନ୍ୟ ବୋଲିବା । ସେ ଦିବ୍ୟ ଚକ୍ଷୁଦ୍ୱାରା ତୁମ୍ଭଙ୍କୁ ଏହି ଜଳପ୍ରଭାବରେ ଦେଖୁଅଛନ୍ତି ।୧୬।

 

ହେ ଦେବଜ ! ଯେଉଁ ପ୍ରମଦା ତୁମ୍ଭଙ୍କୁ ପୁତ୍ରସ୍ୱରୂପ ପାଳନ କରିବେ ଓ ତୁମ୍ଭଙ୍କୁ ଭୂଷତ କରି କ୍ଷୀର ଦାନ କରିବେ, ସେ ପ୍ରମଦା ଧନ୍ୟ ଅଟନ୍ତି । ହେ ପୁତ୍ର ! ତୁମ୍ଭେ ନଦୀରେ ଭାସିଯିବାବେଳେ ଯେଉଁ ପିତା ତୁମ୍ଭଙ୍କୁ ଦିବ୍ୟଚକ୍ଷୁରେ ଦେଖିବେ, ସେହି ପିତା ବିଭାବସୁ ଭାସ୍କର ମଧ୍ୟ ଧନ୍ୟ ଅଟନ୍ତି ।୧୬। ଦେବାଙ୍ଗଜ ! ଯେ ତୁମ୍ଭଙ୍କୁ ପୁତ୍ରପ୍ରାୟ ପାଳନ କରିବେ ଓ ତୁମ୍ଭେ ଭୂଷିତ ହୋଇ ଯାହାଙ୍କର ସ୍ତନ ପାନ କରିବ, ସେ ପ୍ରମଦା ଧନ୍ୟା ।୧୭। ହାୟ ! ତୁମ୍ଭେ ଦିବ୍ୟ କବଚରେ ଆବଦ୍ଧ ହୋଇଅଛ । ଦିବ୍ୟ କୁଣ୍ଡଳରେ ଭୂଷିତ ହୋଇଅଛ, କମଳ ଦଳପ୍ରାୟ ତୁମ୍ଭର ଲୋଚନ ବିସ୍ତୃତ । ତାମ୍ରବର୍ଣ୍ଣ, ନୂତନ ପଦ୍ମଦଳପ୍ରାୟ ସମୁଜ୍ଜ୍ୱଳ, ସୁନ୍ଦର ଲଲାଟଯୁକ୍ତ, କେଶଯୁକ୍ତ ସାକ୍ଷାତ୍ ସୂର୍ଯ୍ୟଙ୍କସ୍ୱରୂପ ରୂପବାନ ତୁମ୍ଭେ ଏତାଦୃଶ ଶୋଭାନ୍ୱିତ ହୋଇଅଛ । ଅତଏବ ଯେ ତୁମ୍ଭଙ୍କୁ ପୁତ୍ର କରିବେ, ସେ ଗତ ରଜନୀରେ କି ଶୁଭ ସ୍ୱପ୍ନ ଦର୍ଶନ କରି ନ ଥିବେ ?୧୯। ହେ ପୁତ୍ର ! ଯେଉଁମାନେ ତୁମ୍ଭଙ୍କୁ ଦେଖିବେ ଯେ ତୁମ୍ଭେ ଧୂଳିରେ ଖେଳୁଅଛ, ଜାନୁ ଉପରେ ନିର୍ଭର କରି ହାମୁଡ଼େଇ ଇତସ୍ତତଃ ଭ୍ରମୁଅଛ, ସେହିମାନେ ଧନ୍ୟ ।୨୦। ହେ ପୁତ୍ର ! ଯେତେବେଳେ ତୁମ୍ଭେ ଯୌବନରେ ଆରୂଢ଼ ହେବ, ହିମଗୌର ହିମାଚଳବାସୀ କେଶରୀ ପ୍ରାୟ ବିକ୍ରାନ୍ତ ହେବ, ତେତେବେଳେ ଯେଉଁମାନେ ତୁମ୍ଭଙ୍କୁ ଦର୍ଶନ କରିବେ, ସେମାନେ ଧନ୍ୟ ଅଟନ୍ତି ।୨୧। ହେ ରାଜନ୍‌ ! ପୃଥା କରୁଣ ସ୍ୱରରେ ଏହିପରି ବହୁବିଧ ରୋଦନ କରି ଅଶ୍ୱ ନଦୀଜଳରେ ମଞ୍ଜୁଷାକୁ ଭସାଇଦେଲେ ।୨୨।

 

ମହାରାଜ ! ପୁତ୍ରଶୋକରେ କାତରା ହୋଇ କମଳଲୋଚନା ପୃଥା ଧାତ୍ରୀଙ୍କ ସଙ୍ଗେ ବିଳାପ କରି ରାତ୍ରି ଅର୍ଦ୍ଧବେଳେ ମଞ୍ଜୁଷାକୁ ଭସାଇ ଦେଇ ସ୍ୱଭବନକୁ ଫେରି ଆସିଲେ । ପିତା କାଳେ ଶୁଣିପାରିବେ, ଏହି ଭୟରେ ଉଚ୍ଚ ଶବ୍ଦ ନ କରି ମନ ଦୁଃଖ ମନରେ ସଂଯତ କଲେ ।୨୪। ମଞ୍ଜୁଷାଟି ଅଶ୍ୱନଦୀରୁ ଚର୍ମଣ୍ୱତୀ ନଦୀକୁ, ତହିଁରୁ ଯମୁନାକୁ ଓ ଯମୁନାରୁ ଯାଇ ଗଙ୍ଗାରେ ଉପନୀତ ହେଲା ।୨୫। ମଞ୍ଜୁଷାନିହିତ ସେହି ଗର୍ଭଜାତ ଶିଶୁଟି ଗଙ୍ଗାରେ ପ୍ରବାହିତ ହୋଇ ସୂତରାଜ୍ୟରେ ଚମ୍ପାପୁରୀ ସନ୍ନିଧାନରେ ଉପସ୍ଥିତ ହେଲା ।୨୬। ଅମୃତସମ୍ଭୂତ ସେହି ଦିବ୍ୟ କବଚ ଓ କୁଣ୍ଡଳ ଯୁଗଳ ପ୍ରଭାବରୁ ଓ ଅଦୃଷ୍ଟବଶରୁ ସେହି ଶିଶୁର କୌଣସି କ୍ଷତି ହୋଇ ନ ଥିଲା, ଶିଶୁଟି ଜୀବିତ ଥିଲା ।୨୭।

 

॥ ଅଧ୍ୟାୟ – ୩୦୯ ॥

 

ବୈଶମ୍ପାୟନ କହିଲେ, ସେହି ସମୟରେ ଧୃତରାଷ୍ଟ୍ରଙ୍କର ସଖା ଅଧିରଥ ନାମରେ ସୂତ ନିଜ ପତ୍ନୀଙ୍କ ସହିତ ଗଙ୍ଗାତୀରକୁ ଗମନ କରିଥିଲେ ।୧। ହେ ରାଜନ୍‌ ! ତାହାଙ୍କ ଭାର୍ଯ୍ୟା ମହାଭାଗା ରାଧା ପୃଥିବୀ ମଧ୍ୟରେ ଅନୁପମ ରୂପବତୀ ଥିଲେ । କିନ୍ତୁ ତାହାଙ୍କର ଅପତ୍ୟ ନ ଥିଲେ-। ତନ୍ନିମିତ୍ତ ସେ ବିଶେଷ ଯତ୍ନ କରିଥିଲେହେଁ ତାହାଙ୍କର ପୁତ୍ରଲାଭ ହୋଇ ନ ଥିଲା-। ଗଙ୍ଗାକୁ ଗମନ କଲା ପରେ ସେ ଦେଖିଲେ ଯେ ଗୋଟିଏ ମଞ୍ଜୁଷା ଭାସୁଅଛି । ତାହାର ରକ୍ଷା ନିମିତ୍ତ ଉପରେ ଦୂର୍ବାକ୍ଷତ ଓ କଙ୍କଣ ପ୍ରଭୃତି ମଙ୍ଗଳକର ଦ୍ରବ୍ୟ ପ୍ରଦତ୍ତ ହୋଇଅଛି ଏବଂ ହରିଦ୍ରାଦ୍ୱାରା ଲିପ୍ତ ହୋଇଅଛି । ମନୁଷ୍ୟର ହସ୍ତଚିହ୍ନ ତହିଁରୁ ବ୍ୟକ୍ତ ହେଉଅଛି । ସୁରନଦୀର ତରଙ୍ଗଦ୍ୱାରା ସେହି ମଞ୍ଜୁଷା ରାଧାଙ୍କ ନିକଟକୁ ଭାସିଆସିଲା ।୪। ବରବର୍ଣ୍ଣିନୀ ରାଧା କୌତୂହଳାକ୍ରାନ୍ତ ହୋଇ ଉପସ୍ଥିତ ମଞ୍ଜୁଷାକୁ ଅଣାଇଲେ । ତତ୍ପରେ ସୂତ ଅଧିରଥଙ୍କ ସମୀପରେ ସମୁଦାୟ ବୃତ୍ତାନ୍ତ ଜଣାଇଲେ-।୫। ଅଧିରଥ ସେହି ମଞ୍ଜୁଷାକୁ ଜଳରୁ ଉଠାଇଆଣି ସ୍ଥାନାନ୍ତରକୁ ନେଇ ଯନ୍ତ୍ରମାନଙ୍କଦ୍ୱାରା ତାହାକୁ ଉଦ୍‌ଘାଟିତ କଲେ । ଫିଟାଇ ଦେଖିଲେ ଯେ ତନ୍ମଧ୍ୟରେ ତରୁଣ-ଅରୁଣ ବର୍ଣ୍ଣ, ସୁବର୍ଣ୍ଣ କବଚଧାରୀ ଗୋଟିଏ ବାଳକ ରହିଅଛି । ତାହାର ମୁଖମଣ୍ଡଳରେ ସମ୍ମାର୍ଜିତ ସୁବର୍ଣ୍ଣକୁଣ୍ଡଳ ଶୋଭା ପାଉଅଛି । ମୁଖ ପ୍ରଭା ମଧ୍ୟ ମନୋହର ଦିଶୁଅଛି ।୭। ସୂତ ଅଧିରଥ ଭାର୍ଯ୍ୟାଙ୍କ ସହିତ ସେହି ଶିଶୁକୁ ଦେଖି ବିସ୍ମୟରେ ଉତ୍‌ଫୁଲ୍ଲଲୋଚନ ହୋଇ ତାହାଙ୍କୁ କ୍ରୋଡ଼ରେ ଧରି ଭାର୍ଯ୍ୟାଙ୍କୁ କହିଲେ-।୮।

 

ହେ ଭୀରୁ ! ମୋର ଯେତେ ଦିନୁଁ ଜନ୍ମ ହେଲାଣି, ତନ୍ମଧ୍ୟରେ ଏହା ଗୋଟିଏ ଅଦ୍ଭୁତ ଘଟଣା ଦେଖିଲି । ଏପରି କେବେହେଁ ଦେଖି ନ ଥିଲି । ବୋଧହୁଏ, ଏଇଟି ଦେବ ଶିଶୁ । ଆମ୍ଭମାନଙ୍କ ସମୀପରେ ଉପସ୍ଥିତ ହୋଇଅଛି । ଆମ୍ଭର ସନ୍ତାନ ନାହିଁ । ଏଥି ନିମିତ୍ତ ଦେବତାମାନେ ଆମ୍ଭ ପ୍ରତି କୃପାକରି ଏହି ପୁତ୍ରଟିକୁ ପ୍ରଦାନ କରିଅଛନ୍ତି, ଏଥିରେ ସନ୍ଦେହ ନାହିଁ । ହେ ରାଜନ୍‌ ! ଅଧିରଥ ଏହି କଥା କହି ସେହି ପୁତ୍ରକୁ ରାଧାଙ୍କ ହସ୍ତରେ ସମର୍ପଣ କଲେ ।୧୦। ପଦ୍ମଫୁଲର କାନ୍ତିପ୍ରାୟ, ସେହି ଶିଶୁର କାନ୍ତି, ଦିବ୍ୟ ଶୋଭାନ୍ୱିତ ଓ ଦେବଜାତ ପୁତ୍ରକୁ ରାଧା ଯଥାବିଧି ପ୍ରତିଗ୍ରହ କରି ପ୍ରତିପାଳନ କଲେ । ସେହି ବୀର୍ଯ୍ୟବାନ ଶିଶୁ କ୍ରମଶଃ ବର୍ଦ୍ଧିତ ହେଲା । ସେହିଦିନୁଁ ଅଧିରଥଙ୍କର ଅନ୍ୟ ଔରସପୁତ୍ରମାନେ ଉତ୍ପନ୍ନ ହେଲେ ।୧୨। ଅଧିରଥଙ୍କର ପ୍ରାପ୍ତ ସେହି ବାଳକକୁ ବ୍ରାହ୍ମଣମାନେ ଦେଖିଲେ ଓ ତାହାର ଅଙ୍ଗରେ ବସୁକବଚ ଅର୍ଥାତ୍ ସୁବର୍ଣ୍ଣ-କବଚ ଥିବାରୁ ତାହାର ବସୁଷେଣ ନାମ ଦେଲେ ।୧୩। ଅପରିମିତ ପରାକ୍ରମଶାଳୀ କର୍ଣ୍ଣ ଏହିରୂପେ ସୂତପୁତ୍ର ବୋଲାଇଥିଲେ । ବସୁଷେଣଙ୍କର ଆଉ ଗୋଟିଏ ନାମ ‘ବୃଷ’ ବୋଲି ତତ୍ପରେ ଦିଆହୋଇଥିଲା ।୧୪। ଚରଙ୍କଦ୍ୱାରା ପୃଥା ଜାଣିପାରିଲେ ଯେ ସୂତଙ୍କର ସେହି ଦିବ୍ୟ କବଚଧାରୀ ବିକ୍ରମଶାଳୀ ପୁତ୍ର ଅଙ୍ଗଦେଶରେ ବର୍ଦ୍ଧିତ ହେଉଅଛନ୍ତି ।୧୫। କାଳକ୍ରମେ ସେହି ପୁତ୍ରକୁ ବର୍ଦ୍ଧିତ ହୋଇଥିବାର ଦେଖି ଅଧିରଥ ତାହାଙ୍କୁ ହସ୍ତିନାପୁରକୁ ପ୍ରେରଣ କଲେ ।୧୬। ଧନୁର୍ବିଦ୍ୟା ଶିକ୍ଷା କରିବା ନିମିତ୍ତ ପରାକ୍ରମଶାଳୀ କର୍ଣ୍ଣ ସେଠାରେ ଦ୍ରୋଣଙ୍କ ସମୀପରେ ବସତି କଲେ । ଏହି ସୁଯୋଗରେ ଦୁର୍ଯ୍ୟୋଧନଙ୍କ ସହିତ କର୍ଣ୍ଣଙ୍କର ମିତ୍ରତା ହେଲା ।୧୭। ହେ ରାଜନ୍‌ ! ଦ୍ରୋଣ, କୃପ ଓ ପରଶୁରାମଙ୍କଠାରୁ ଚତୁର୍ବିଧ ଅସ୍ତ୍ର ଲାଭକରି କର୍ଣ୍ଣ ଏହି ଜଗତରେ ମହାଧନୁର୍ଦ୍ଧର ବୋଲି ବିଖ୍ୟାତ ହେଲେ ।୧୮।

 

ହେ ରାଜନ୍‌ ! ଦୁର୍ଯ୍ୟୋଧନଙ୍କ ସହିତ ମିତ୍ରତା ହେବାରୁ କର୍ଣ୍ଣ ନିରନ୍ତର ଅର୍ଜୁନଙ୍କ ସଙ୍ଗେ ଯୁଦ୍ଧରେ ପ୍ରବୃତ୍ତ ହେଲେ ଓ ପୃଥାପୁତ୍ରମାନଙ୍କର ଅନିଷ୍ଟ କରିବାରେ ରତ ହେଲେ । ଯେଉଁ ଦିନରୁ କର୍ଣ୍ଣ ଓ ଅର୍ଜୁନଙ୍କର ପରସ୍ପର ଦେଖାହେଲା, ସେହି ଦିନୁ ସେମାନଙ୍କର ପରସ୍ପର ଯୁଦ୍ଧ କରିବାକୁ ସ୍ପର୍ଦ୍ଧା ହେଉଥିଲା ।୨୦। ମହାରାଜ ! କର୍ଣ୍ଣ ଦିବାକରଙ୍କ ଔରସରେ କୁନ୍ତୀଙ୍କ ଗର୍ଭରୁ ଜାତ ହୋଇ ତତ୍କାଳରେ ସୂତକୁଳରେ ବାସ କରୁଥିଲେ । ଏଇଟି ସୂର୍ଯ୍ୟଙ୍କର ଗୋପନୀୟ ବିଷୟ ଥିଲା, ସନ୍ଦେହ ନାହିଁ । କର୍ଣ୍ଣଙ୍କର ସହଜ କବଚ ଦେଖି ଯୁଧିଷ୍ଠିର ମନେ କରୁଥିଲେ ଯେ ସେ ଯୁଦ୍ଧରେ ଅବଧ୍ୟ । ଏହି ହେତୁରୁ ତାହାଙ୍କ ହୃଦୟରେ ସନ୍ତାପ ହୋଇଥିଲା ୨୨। ହେ ରାଜେନ୍ଦ୍ର ! ମଧ୍ୟାହ୍ନକାଳରେ ଯେତେବେଳେ କର୍ଣ୍ଣ ଜଳରୁ ଉଠି କୃତାଞ୍ଜଳିପୁଟରେ ଭାନୁମାନ ସୂର୍ଯ୍ୟଙ୍କର ସ୍ତବ କରନ୍ତି, ତେତେବେଳେ ବ୍ରାହ୍ମଣମାନେ ଧନାର୍ଥୀ ହୋଇ ତାହାଙ୍କର ଉପାସନା କରନ୍ତି, ତତ୍କାଳରେ ତାହାଙ୍କୁ ଯେ ଯାହା ମାଗେ ସେ ତାହା ତାକୁ ଦିଅନ୍ତି । କର୍ଣ୍ଣଙ୍କର ସେହି ନିୟମାନୁସାରେ ଇନ୍ଦ୍ର ବ୍ରାହ୍ମଣରୂପ ଧରି ଭିକ୍ଷା ଦିଅ ବୋଲି କହି ତାହାଙ୍କ ସମୀପରେ ଉପସ୍ଥିତ ହେଲେ, କର୍ଣ୍ଣ ମଧ୍ୟ ସ୍ୱାଗତ କରି ତାହାଙ୍କର ଅଭ୍ୟର୍ଥନା କଲେ ।୨୫।

 

॥ ଅଧ୍ୟାୟ – ୩୧୦ ॥

 

ବୈଶମ୍ପାୟନ କହିଲେ, ଅଧିରଥଙ୍କ ପୁତ୍ର କର୍ଣ୍ଣ ଦେଖିଲେ ଯେ ଇନ୍ଦ୍ର ବ୍ରାହ୍ମଣର ବେଶ ଧରି ଆସିଅଛନ୍ତି । ତହୁଁ ତାହାଙ୍କୁ ପଚାରିଲେ; ଆପଣଙ୍କର ଶୁଭାଗମନ ହୋଇଅଛି ? ପରନ୍ତୁ ତାହାଙ୍କର ଅଭିପ୍ରାୟ କ’ଣ ତାହା ଜାଣିପାରିଲେ ।୧। ତଦନନ୍ତର ସେହି ବିପ୍ରଙ୍କୁ ପଚାରିଲେ, ଆପଣଙ୍କର କ’ଣ ପ୍ରୟୋଜନ ? ସୁବର୍ଣ୍ଣ-କଣ୍ଠୀଶୋଭିତ ପ୍ରମଦା ଅଥବା ବହୁଳ ଗୋକୁଳ ସମନ୍ୱିତ ଗ୍ରାମ କାହିଁରେ ଆପଣଙ୍କର ଇଚ୍ଛା, କହନ୍ତୁ; ମୁଁ ପ୍ରଦାନ କରିବି ।୨। ବ୍ରାହ୍ମଣ ବୋଇଲେ, ହିରଣ୍ୟକଣ୍ଠୀ ବର ସ୍ତ୍ରୀରେ ମୋର ଇଚ୍ଛା ନାହିଁ କି ଅନ୍ୟ କୌଣସି ପ୍ରୀତିଜନକ ଦ୍ରବ୍ୟରେ ଆମ୍ଭର ଅଭିଳାଷ ନାହିଁ । ଯେଉଁମାନେ ସେହିସବୁ ଦ୍ରବ୍ୟ ପ୍ରାର୍ଥନା କରନ୍ତି, ସେମାନଙ୍କୁ ସେ ସବୁ ଦ୍ରବ୍ୟ ଦିଅ ।୩। ହେ ଅନଘ ! ଯଦି ତୁମ୍ଭେ ସତ୍ୟବ୍ରତ ହୋଇଥାଅ, ତେବେ ତୁମ୍ଭର ଏହି ଯେ ସହଜାତ କବଚ ଓ କୁଣ୍ଡଳ ଅଛି, ଏହାକୁ ଦେହରୁ ଛେଦନ କରି ଆମ୍ଭଙ୍କୁ ଦାନ କର ।୪। ହେ ପରନ୍ତପ ! ସର୍ବ ପ୍ରକାର ଲାଭ ମଧ୍ୟରେ ଏହା ଆମ୍ଭର ପରମ ଲାଭ । ଅତଏବ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେ ସତ୍ୱର ଆମ୍ଭଙ୍କୁ ଏହି ଦ୍ରବ୍ୟମାନ ପ୍ରଦାନ କର-।୫। କର୍ଣ୍ଣ କହିଲେ, ହେ ବିପ୍ର ! ଆପଣଙ୍କୁ ବାସଭୂମି, ପ୍ରମଦା ଓ ଗୋଗଣ ପ୍ରଦାନ କରିପାରିବୁ-। କିନ୍ତୁ ବର୍ମ ଓ କୁଣ୍ଡଳ ପ୍ରଦାନ କରିପାରିବୁ ନାହିଁ ।୬।

 

ବୈଶମ୍ପାୟନ କହିଲେ, କର୍ଣ୍ଣ ଏହି ରୂପେ ସେହି ବ୍ରାହ୍ମଣ ନିକଟରେ ଅନେକ ପ୍ରକାର ଅନୁନୟ କଲେ ହେଁ ସେ ଅନ୍ୟ କୌଣସି ପ୍ରାର୍ଥନା କଲେ ନାହିଁ । ଆପଣା ଶକ୍ତି ଅନୁସାରେ କର୍ଣ୍ଣ ସେହି ବ୍ରାହ୍ମଣଙ୍କୁ ସାନ୍ତ୍ୱନା ଦେଇ ପାରୁପର୍ଯ୍ୟନ୍ତ ଅର୍ଚ୍ଚନା ଓ ପ୍ରବୋଧ କଲେ ହେଁ ସେ ଅନ୍ୟ ବର ମାଗିଲେ ନାହିଁ ।୮। ଦ୍ୱିଜବର ଯେତେବେଳେ ଅନ୍ୟ ବର ନ ମାଗିଲେ, ତେତେବେଳେ ରାଧେୟ ତାହାଙ୍କୁ ସହାସ୍ୟବଦନରେ ପୁନର୍ବାର କହିଲେ, “ହେ ବିପ୍ର, ଆମ୍ଭର ସହଜାତ କବଚ ଓ କୁଣ୍ଡଳ ଅମୃତରୁ ଉତ୍ପନ୍ନ ହୋଇଅଛି । ତହିଁରେ ଆମ୍ଭେ ସର୍ବଲୋକ ମଧ୍ୟରେ ଅବଧ୍ୟ ହୋଇଅଛୁ । ଅତଏବ ଆମ୍ଭେ ଏହାକୁ ପରିତ୍ୟାଗ କରିପାରିବୁ ନାହିଁ ।୧୦। ହେ ଦ୍ୱିଜଶ୍ରେଷ୍ଠ ! ଆପଣଙ୍କର ମଙ୍ଗଳ ହେଉ । ଆପଣ ଆମ୍ଭଠାରୁ ନିଷ୍କଣ୍ଟକ ଶୁଭମୟ ବିଶାଳରାଜ୍ୟ ପ୍ରତିଗ୍ରହ କରନ୍ତୁ ।୧୧। ହେ ବିପ୍ରବର ! କବଚ ଓ କୁଣ୍ଡଳରହିତ ହେଲେ ଶତ୍ରୁମାନେ ଆମ୍ଭଙ୍କୁ ପରାସ୍ତ କରିପାରିବେ ।୧୨।

 

ବୈଶମ୍ପାୟନ ବୋଇଲେ, ଭଗବାନ ଇନ୍ଦ୍ର ଯେତେବେଳେ ଅନ୍ୟ କୌଣସି ବର ପ୍ରାର୍ଥନା ନ କଲେ, ତେତେବେଳେ କର୍ଣ୍ଣ ପୁନର୍ବାର ହାସ୍ୟକରି ତାହାଙ୍କୁ ଏହି କଥା କହିଲେ ।୧୩। ହେ ଦେବଦେବେଶ ! ଭୃତଧାରି ! ପ୍ରଭୋ ପୁରନ୍ଦର ! ଆପଣଙ୍କୁ ଆମ୍ଭେ ପୂର୍ବରୁ ଜାଣିଅଛୁ । କିନ୍ତୁ ଆପଣଙ୍କୁ ବୃଥା ବରଦେବା ନ୍ୟାୟସଙ୍ଗତ ନୁହେ । ଆପଣ ସାକ୍ଷାତ୍ ଦେବେଶ୍ୱର ! ଅନ୍ୟାନ୍ୟ ଭୂତଙ୍କର ଆପଣ ପ୍ରଭୁ ଅଟନ୍ତି । ସୁତରାଂ ଆପଣ ଆମ୍ଭଙ୍କୁ ବର ଦେବା କର୍ତ୍ତବ୍ୟ ।୧୫।

 

ହେ ଦେବ ଇନ୍ଦ୍ର ! ଯଦି ଆମ୍ଭେ ଆପଣଙ୍କୁ କବଚ ଓ କୁଣ୍ଡଳ ଦେବୁ, ତେବେ ଆମ୍ଭେ ଶତ୍ରୁଙ୍କଦ୍ୱାରା ବଧ୍ୟ ହେବୁ ଓ ଆପଣ ମଧ୍ୟ ହାସ୍ୟାସ୍ପଦ ହେବେ ।୧୬। ଅତଏବ ହେ ପାକଶାସନ ! ଆପଣ ବର ବିନିମୟ କରି ଆମ୍ଭର କବଚ ଓ କୁଣ୍ଡଳଦ୍ୱୟ ହରଣ କରନ୍ତୁ । ତାହା ନ ହେଲେ ଆମ୍ଭେ ଦେବୁ ନାହିଁ । ଇନ୍ଦ୍ର କହିଲେ, ଆମ୍ଭେ ତୁମ୍ଭ ନିକଟକୁ ଆସିବା ପୂର୍ବରୁ ସୂର୍ଯ୍ୟ ଆମ୍ଭର ଅଭିପ୍ରାୟ ଜାଣିପାରିଥିଲେ । ବୋଧହୁଏ ସେ ତୁମ୍ଭଙ୍କୁ ସବୁ କଥା କହିଥିବେ; ଏଥିରେ ସନ୍ଦେହ ନାହିଁ ।୧୮। ହେ ତାତ କର୍ଣ୍ଣ ! ତୁମ୍ଭେ ଯେପରି ଅଭିଳାଷ କରୁଅଛ, ସେହିପରି ହେଉ । ପରନ୍ତୁ ଆମ୍ଭର ବଜ୍ର ବ୍ୟତିରେକେ ଅନ୍ୟ ଯାହା ତୁମ୍ଭର ଅଭିଳାଷ ହୁଏ, ଯାଚ୍‌ଜ୍ଞା କର ।୧୯। ବୈଶମ୍ପୟାନ କହିଲେ, ଅନନ୍ତର କର୍ଣ୍ଣ ପ୍ରହୃଷ୍ଟଚିତ୍ତରେ ବାସବଙ୍କ ସନ୍ନିହତ ହୋଇ ଅମୋଘ ଶକ୍ତି ପ୍ରତି ଲକ୍ଷ୍ୟକରି କହିଲେ ।୨୦। ପୁରନ୍ଦର, ଆମ୍ଭର କବଚ ଓ କୁଣ୍ଡଳ ବଦଳରେ ଆପଣ ଶତ୍ରୁସଂହାରକାରିଣୀ ଅମୋଘଶକ୍ତି ପ୍ରଦାନ କରନ୍ତୁ । ହେ ନରେଶ୍ୱର ! ଅନନ୍ତର ଶତକ୍ରତୁ ଇନ୍ଦ୍ର ଶକ୍ତି ଦେବା ବିଷୟରେ ମନ ମଧ୍ୟରେ କ୍ଷଣକାଳ ଚିନ୍ତାକରି ପରିଶେଷରେ କର୍ଣ୍ଣଙ୍କୁ ଏହି କଥା କହିଲେ ।୨୨। କର୍ଣ୍ଣ ! ତୁମ୍ଭେ ଯେପରି କହିଲ, ସେହି ନିୟମାନୁସାରେ ଆମ୍ଭଠାରୁ ଶକ୍ତି ଗ୍ରହଣ କରି କବଚ ଓ କୁଣ୍ଡଳ ପ୍ରଦାନ କର ।୨୩।

 

ହେ ସୂତପୁତ୍ର ! ଆମ୍ଭେ ଯେତେବେଳେ ଦାନବମାନଙ୍କ ସହିତ ଯୁଦ୍ଧରେ ପ୍ରବୃତ୍ତ ହେଉ, ତେତେବେଳେ ଏହି ଶକ୍ତି ଆମ୍ଭ ହସ୍ତରୁ ବିଚ୍ୟୁତ ହୋଇ ଶତ ଶତ ଦାନବଙ୍କୁ ସଂହାର କରି ପୁନର୍ବାର ଆମ୍ଭ କରରେ ଆସି ଉପସ୍ଥିତ ହୁଏ । ସେହି ଶକ୍ତି ତୁମ୍ଭ ହସ୍ତରେ ଥିବ । କୌଣସି ଜଣେ ଶତ୍ରୁ ଯେବେ ଗର୍ଜନ କରି ତୁମ୍ଭ ପ୍ରତି ଧାବିତ ହୁଏ, ତେବେ ଏହି ଶକ୍ତି ତାହାକୁ ବିନଷ୍ଟ କରି ପୁନର୍ବାର ଆମ୍ଭ ହସ୍ତରେ ଯାଇ ରହିବ ।୨୫। କର୍ଣ୍ଣ କହିଲେ, ଯାହାଙ୍କ ଠାରୁ ଆମ୍ଭର ଭୟ ହୋଇପାରେ, ମହାସମରରେ ଯେ ଗର୍ଜନ କରି ପ୍ରତାପୀ ହୋଇ ଆମ୍ଭଙ୍କୁ ଆକ୍ରମଣ କରିବ, ଏହିପରି ଜଣେ ଶତ୍ରୁ ବିନାଶ କରବା ନିମିତ୍ତ ଆମ୍ଭର ଅଭିଳାଷ ହୋଇଅଛି ।୨୬। ଇନ୍ଦ୍ର କହିଲେ, ତୁମ୍ଭେ ଯୁଦ୍ଧରେ ଗର୍ଜନକାରୀ ଜଣେ ବଳଶାଳୀ ଶତ୍ରୁ ନିହତ କରିବ । ପରନ୍ତୁ ତୁମ୍ଭେ ଯେଉଁ ଅଦ୍ୱିତୀୟ ଶତ୍ରୁକୁ ନିହତ କରିବାକୁ ମନସ୍ଥ କରିଛ, ତାହାକୁ ମହାତ୍ମା ପୁରୁଷ ରକ୍ଷା କରୁଅଛନ୍ତି ।୨୭। ବେଦଜ୍ଞ ବ୍ରାହ୍ମଣମାନେ ଯାହାକୁ ଅପରାଜିତ ବରାହ ଓ ଅଚିନ୍ତ୍ୟ ନାରାୟଣ ବୋଲି ନିର୍ଦ୍ଦେଶ କରନ୍ତି, ସେହି କୃଷ୍ଣ ତାହାଙ୍କୁ ରକ୍ଷା କରୁଅଛନ୍ତି ।୨୮। କର୍ଣ୍ଣ କହିଲେ, ଭଗବନ୍‌ ! କୃଷ୍ଣ ତାହାକୁ ରକ୍ଷା କରୁଅଛନ୍ତି କରନ୍ତୁ, କିନ୍ତୁ ଆପଣ ଆମ୍ଭଙ୍କୁ ଗୋଟିଏ ବୀର ବିନାଶ ନିମିତ୍ତ ଅମୋଘଶକ୍ତି ପ୍ରଦାନ କରନ୍ତୁ, ଯାହାଦ୍ୱାରା ଆମ୍ଭେ ପ୍ରତାପଶାଳୀ ଶତ୍ରୁକୁ ସଂହାର କରିପାରିବୁ ।୨୯। ଆମ୍ଭେ ଅଙ୍ଗରୁ କୁଣ୍ଡଳ ଓ କବଚକୁ କର୍ତ୍ତନ କରି ଆପଣଙ୍କୁ ପ୍ରଦାନ କରିବୁ । କିନ୍ତୁ କଳେବର ଛିନ୍ନ ହେଲେ ଯେପରି ଆମ୍ଭ ଦେହ କଦର୍ଯ୍ୟ ନ ଦିଶେ ।୩୦। ଇନ୍ଦ୍ର କହିଲେ, ହେ କର୍ଣ୍ଣ ! ତୁମ୍ଭେ ଯେତେବେଳେ ସତ୍ୟ ପାଳନ କରିଅଛ, ତେତେବେଳେ ତୁମ୍ଭ ଦେହରେ କୌଣସି ବିକୃତି ରହିବ ନାହିଁ । ଏପରି କି ତୁମ୍ଭର ଶରୀରରେ କ୍ଷତ ଚିହ୍ନ ସୁଦ୍ଧା ରହିବ ନାହିଁ ।୩୧। ହେ ବାଗ୍ମୀବର କର୍ଣ୍ଣ ! ତୁମ୍ଭ ପିତାଙ୍କର ଯାଦୃଶ ବର୍ଣ୍ଣ ଓ ତେଜ ଅଛି, ତୁମ୍ଭର ଦେହ ପୁନର୍ବାର ତାଦୃଶ ବର୍ଣ୍ଣ ଓ ତେଜୋବିଶିଷ୍ଟ ହେବ ।୩୨। ପରନ୍ତୁ ତୁମ୍ଭର ପ୍ରାଣ ସଂଶୟ ବେଳ ଉପସ୍ଥିତ ନ ହେଲେ ଅନ୍ୟ ବେଳରେ ଯେବେ ତୁମ୍ଭେ ଏହି ଶକ୍ତିକୁ ପ୍ରୟୋଗ କର, ତେବେ ସେ ଶକ୍ତି ତୁମ୍ଭରି ଉପରେ ପଡିବ ।୩୩। କର୍ଣ୍ଣ କହିଲେ, ହେ ଇନ୍ଦ୍ର ! ଅତି ସଂଶୟ ସ୍ଥଳ ଉପସ୍ଥିତ ହେଲେ ଆମ୍ଭେ ଆପଣଙ୍କର ଏହି ଶକ୍ତିକୁ ମୋଚନ କରିବୁ । ଆପଣଙ୍କୁ ଏ କଥା ସତ୍ୟକରି କହୁଅଛୁ ।୩୪।

 

ବୈଶମ୍ପାୟନ କହିଲେ, ତତ୍ପରେ କର୍ଣ୍ଣ ଇନ୍ଦ୍ରଙ୍କଠାରୁ ପ୍ରଜ୍ୱଳିତା ଶକ୍ତିକୁ ପ୍ରତିଗ୍ରହ କରି ଶାଣିତ ଅସ୍ତ୍ରଦ୍ୱାରା ନିଜ ଶରୀରକୁ ଛେଦନ କରିବାରେ ପ୍ରବୃତ୍ତ ହେଲେ । ଏହିପରି କର୍ଣ୍ଣ ନିଜର ଗାତ୍ରୋଚ୍ଛେଦନ କଲାବେଳେ ତାହାଙ୍କ ମୁଖରେ କୌଣସି ପ୍ରକାର ବିକୃତିର ଚିହ୍ନ ଦେଖାଗଲା ନାହିଁ । ଏଥିରେ ଦେବମାନବ ଓ ଦାନବଗଣ ସମସ୍ତେ କର୍ଣ୍ଣଙ୍କୁ ଚାହିଁ ସିଂହନାଦ ଶବ୍ଦ ମୋଚନ କଲେ; କର୍ଣ୍ଣଙ୍କର ଭୂୟସୀ ପ୍ରଶଂସା କଲେ ଓ ତାହାଙ୍କ ଉପରେ ଭୂରିଭୂରି ଦିବ୍ୟ ପୁଷ୍ପବୃଷ୍ଟିମାନ ନିପତିତ ହେଲା ।୩୭। ଅନନ୍ତର କର୍ଣ୍ଣ ନିଜ ଶରୀରରୁ କବଚ ଛେଦନ କରି ସେହିପରି ଆର୍ଦ୍ର ଅବସ୍ଥାରେ ଇନ୍ଦ୍ରଙ୍କୁ ପ୍ରଦାନ କଲେ । କୁଣ୍ଡଳଯୁଗଳକୁ ମଧ୍ୟ କର୍ଣ୍ଣରୁ ଛିଣ୍ଡାଇ ଦାନ କଲେ । ଏହି ହେତୁରୁ ତାହାଙ୍କର ନାମ କର୍ଣ୍ଣ ବୋଲି ବିଖ୍ୟାତ ହେଲା ।୩୮। ଏହି ପ୍ରକାରେ ଇନ୍ଦ୍ର କର୍ଣ୍ଣଙ୍କୁ ବଞ୍ଚନା କରି ମନେ ମନେ ବିଚାରିଲେ ଯେ ପାଣ୍ଡବଙ୍କର କାର୍ଯ୍ୟ ସଫଳ ହେଲା । ପରନ୍ତୁ କର୍ଣ୍ଣଙ୍କର ତାଦୃଶ ବୀରତ୍ୱ ଓ ଦାତୃତ୍ୱ ହେତୁରୁ ଇନ୍ଦ୍ର ତାହାଙ୍କୁ ସମସ୍ତଙ୍କ ମଧ୍ୟରେ ଅଧିକ ଯଶୋଭାଜନ କଲେ । ତହିଁପରେ ପୁରନ୍ଦର ଦୈବଲୋକକୁ ପ୍ରସ୍ଥାନ କଲେ ।୩୯। ଧୃତରାଷ୍ଟ୍ରଙ୍କ ପୁତ୍ରମାନେ କର୍ଣ୍ଣଙ୍କୁ ବଞ୍ଚିତ ହୋଇଥିବାର ଶ୍ରବଣ କରି ବିଷଣ୍ଣ ହେଲେ । ସେମାନଙ୍କର ଦର୍ପ ସମ୍ପୂର୍ଣ୍ଣ ଭଗ୍ନ ହେଲାପ୍ରାୟ ବୋଧହେଲା । ଏଣେ କାନନ ମଧ୍ୟରେ ସୁତପୁତ୍ରଙ୍କର ତାଦୃଶ ଅବସ୍ଥା ପାଣ୍ଡବମାନଙ୍କର କର୍ଣ୍ଣଗୋଚର ହେବାରୁ ସେମାନେ ହୃଷ୍ଟ ହେଲେ ।୪୦।

 

ଜନମେଜୟ ପଚାରିଲେ, ହେ ଭଗବନ୍‌ ! ସେହି ସମୟରେ ବଳଶାଳୀ ପାଣ୍ଡବମାନେ କେଉଁ ସ୍ଥାନରେ ଅବସ୍ଥାନ କରୁଥିଲେ ? କର୍ଣ୍ଣଙ୍କ ବାର୍ତ୍ତା ସେମାନେ କାହାଠାରୁ ଶ୍ରବଣ କଲେ ? ଦ୍ୱାଦଶ ବର୍ଷ ଅତୀତ ହେଲା ପରେ ସେମାନେ କି କି କାର୍ଯ୍ୟ କଲେ ? ଏହିସବୁ ବିଷୟ ଆପଣ ମୋତେ କହିବା ହେଉନ୍ତୁ ।୪୧। ବୈଶମ୍ପାୟନ କହିଲେ, ପାଣ୍ଡବମାନେ କୃଷ୍ଣାଙ୍କୁ ଆଣି ଓ ସିନ୍ଧୁଦେଶାଧିପତି ଜୟଦ୍ରଥଙ୍କୁ ବିଦ୍ରାବିତ କରି ବ୍ରାହ୍ମଣମାନଙ୍କ ସଙ୍ଗେ ବସି ମହର୍ଷି ମାର୍କଣ୍ଡେୟଙ୍କ ମୁଖରୁ ଦେବର୍ଷିମାନଙ୍କର ପୁରାଣଚରିତ ବିସ୍ତାର ପୂର୍ବକ ଶ୍ରବଣ କଲେ ।୪୨।

 

॥ ଅଧ୍ୟାୟ – ୩୧୧ ॥

 

ଜନମେଜୟ ପଚାରିଲେ, କୃଷ୍ଣାଙ୍କୁ ସିନ୍ଧୁରାଜାଙ୍କଠାରୁ ଉଦ୍ଧାର କରି ପାଣ୍ଡବମାନେ କି କି କାର୍ଯ୍ୟ କଲେ ବୋଲିବା ହେଉନ୍ତୁ ।୧। ବୈଶମ୍ପାୟନ ବୋଇଲେ, କୃଷ୍ଣାଙ୍କୁ ହରି ଘେନିଯିବା ସମୟରେ ପାଣ୍ଡବମାନେ ଅତିଶୟ କ୍ଳେଶ ପାଇ କାମ୍ୟକ ବନ ପରିତ୍ୟାଗ କରି ପୁନର୍ବାର ଦ୍ୱୈତବନକୁ ଗମନ କଲେ ।୨। ଯେଉଁ ରମଣୀୟ ବନରେ ଅସଂଖ୍ୟ ତରୁ, ସୁମଧୁର ଫଳ ଓ ମୂଳ ପ୍ରାପ୍ତି ହୁଏ ।୩। ସେଠାରେ ପାଣ୍ଡବମାନେ ସମସ୍ତେ ବ୍ରତାଚାରୀ, ଫଳାହାରୀ ଓ ପରିମିତ ଭୋଜନ କରି ଦ୍ରୁପଦନନ୍ଦିନୀଙ୍କ ସହ ନିବସତି କଲେ ।୪। ଧର୍ମାତ୍ମା, ପରନ୍ତପ, କୁନ୍ତୀପୁତ୍ର ରାଜା ଯୁଧିଷ୍ଠିର, ଭୀମସେନ, ଅର୍ଜୁନ ଓ ମାଦ୍ରୀପୁତ୍ର ନକୁଳ ଓ ସହଦେବ ଏମାନେ ଦ୍ୱୈତ ବନରେ ବାସ କରିବା ସମୟରେ କୌଣସି ବ୍ରାହ୍ମଣ ନିମିତ୍ତ ପରାକ୍ରମ ପ୍ରକାଶ କରି ଅନେକ କ୍ଲେଶ ପାଇଲେ । ଯଦିଚ ସେମାନଙ୍କର ଉତ୍ତର କାଳକୁ ସେ କାର୍ଯ୍ୟ ସୁଖାବହ ହେଲା, କିନ୍ତୁ ପ୍ରଥମରେ ସେମାନେ ବିଶେଷ ଦୁଃଖ ଲଭିଥିଲେ । କୁରୁସତ୍ତମ ପାଣ୍ଡବମାନେ ସେହି ଦ୍ୱୈତ ବନରେ ବାସକରି ଯେଉଁ ଦୁଃଖାବହ କ୍ଳେଶ ପାଇଥିଲେ, ତାହା କହୁଅଛୁଁ, ଶ୍ରବଣ କରନ୍ତୁ ।୭।

 

ଜଣେ ତପସ୍ୱୀ ବ୍ରାହ୍ମଣ ଥିଲେ, ତାହାଙ୍କର ଅରଣୀ ଅର୍ଥାତ୍ ଅଗ୍ନି ବାହାର କରିବା ନିମିତ୍ତ ଯେଉଁ ଦୁଇ ଖଣ୍ଡ କାଷ୍ଠ ପଡିଥିଲା, ତାହାକୁ ଗୋଟିଏ ହରିଣ ନିଜ ଶିଙ୍ଗରେ ଓଟପାଲଟ କରି ଖେଳିବାରେ ସେହି ଦୁଇ ଖଣ୍ଡ କାଠ ତାହା ଶୃଙ୍ଗରେ ଲାଗିରହିଲା ।୮। ହେ ରାଜନ୍‌ ! ସେହି ମହାବେଗବାନ ମୃଗ ସେ କାଷ୍ଠ ଦୁଇ ଖଣ୍ଡ ଘେନି ଆଶ୍ରମଠାରୁ ଦୂରକୁ ପଳାୟନ କଲା ।୯। ହେ ପୁରୁଷୋତ୍ତମ ! ଅରଣୀ ଓ ମନ୍ଥନଦଣ୍ଡ ଦୁହେଁ ଅପହୃତ ହେଉଥିବାର ଦେଖି ସେହି ବ୍ରାହ୍ମଣ ଅଗ୍ନିହୋତ୍ର ରକ୍ଷାନିମିତ୍ତ ସତ୍ୱର ଯୁଧିଷ୍ଠିରଙ୍କ ଆଶ୍ରମକୁ ଗମନ କଲେ ।୧୦। ଅଜାତଶତ୍ରୁ ଯୁଧିଷ୍ଠିର ଭ୍ରାତାମାନଙ୍କ ସଙ୍ଗରେ ଅରଣ୍ୟ ମଧ୍ୟରେ ଉପବିଷ୍ଟ ହୋଇଅଛନ୍ତି, ଏମନ୍ତ ସମୟରେ ବ୍ରାହ୍ମଣ ତାହାଙ୍କ ସମୀପକୁ ଶୀଘ୍ର ଆଗମନ କରି ସନ୍ତପ୍ତ ହୃଦୟରେ ଏହି କଥା କହିଲେ ।୧୧। “ହେ ରାଜନ୍‌-! ଆମ୍ଭର ଅରଣୀ ଓ ମନ୍ଥନ ଦଣ୍ଡ ଦୁହେଁ ଗୋଟିଏ ବୃକ୍ଷର ସଂଲଗ୍ନ ହୋଇଥିଲେ ।୧୨। ଏତନ୍ମଧ୍ୟରେ ଗୋଟିଏ ମୃଗ ଆସି ତାହାକୁ ଶୃଙ୍ଗରେ ଘେନି ଅତି ବେଗରେ କୁଦାମାରି ଆଶ୍ରମରୁ ଅତିଦୂରକୁ ଚାଲିଗଲା ।୧୩। ଅତଏବ ହେ ପାଣ୍ଡବଗଣ ! ଆପଣମାନେ ସେହି ମହାବେଗବାନ ମୃଗର ଚରଣଚିହ୍ନ ଅନୁସାରେ ଧାବମାନ ହୋଇ ତାହାକୁ ଧରି ଆଣନ୍ତୁ ଓ ଆମ୍ଭର ଅରଣୀ ଓ ମନ୍ଥନଦଣ୍ଡ ମଧ୍ୟ ଆଣିବା ହେଉନ୍ତୁ, ଯେପରିକି ଆମ୍ଭ ଅଗ୍ନିହୋତ୍ରରେ ବିଘ୍ନ ନ ହୁଏ । ଦ୍ୱିଜବରଙ୍କ ବାକ୍ୟ ଶ୍ରବଣ କରି କୁନ୍ତୀପୁତ୍ର ଯୁଧିଷ୍ଠିର ସନ୍ତାପିତ ହୋଇ ଶର ଓ ଶରାସନ ଗ୍ରହଣ କରି ଭ୍ରାତୃଗଣଙ୍କ ସହିତ ସେହି ମୃଗ ଅନ୍ୱେଷଣରେ ଅତି ବେଗରେ ଗମନ କଲେ ।୧୫।

 

ମହାରଥୀ ପାଣ୍ଡବଗଣ ସନ୍ନାହଯୁକ୍ତ ହୋଇ ଧନୁଶର ସହିତ ବ୍ରାହ୍ମଣଙ୍କ କାର୍ଯ୍ୟରେ ଯତ୍ନକରି ସତ୍ୱର ମୃଗର ଅନୁସରଣ କଲେ ।୧୬। ଅନିତଦୂରରେ ସେମାନେ ମୃଗକୁ ଦେଖିଲେ; କିନ୍ତୁ କର୍ଣ୍ଣ ନନ୍ଦିକା ଓ ନାରାଚ ପ୍ରଭୃତି ଯେତେ ଶର ବିସର୍ଜନ କଲେ କେହି ତାହା ଦେହରେ ବିଦ୍ଧ ହେଲା ନାହିଁ ।୧୭। ଏହିପରି ସେମାନେ ଯତ୍ନ କରୁ କରୁ ସେହି ମୃଗ ସେମାନଙ୍କ ଦୃଷ୍ଟି ପଥରୁ ଅନ୍ତର୍ହିତ ହେଲା । ମନସ୍ୱୀ ପାଣ୍ଡବମାନେ ମୃଗକୁ ଦେଖି ନ ପାରି କ୍ଳାନ୍ତ ଓ ଦୁଃଖିତ ହୋଇ କ୍ଷୁଧା ପିପାସାରେ କାତର ହୋଇ ନିବିଡ ବନ ମଧ୍ୟରେ ଗୋଟିଏ ବଟବୃକ୍ଷ ଛାୟାରେ ଉପବିଷ୍ଟ ହେଲେ ।୧୯। ପାଣ୍ଡବମାନେ ଦୁଃଖିତ ହୋଇ ବସିଥାଆନ୍ତି, ଏମନ୍ତ ସମୟରେ ନକୁଳ ଉଠି କହିଲେ, ହେ କୁରୁନନ୍ଦନ ! ରାଜନ୍‌ ! ଆମ୍ଭମାନଙ୍କର ଆଳସ୍ୟ ହେତୁରୁ ଧର୍ମନାଶ ଅଥବା ଅର୍ଥଲୋପ କଦାପି ହୋଇ ନାହିଁ । ସମୁଦାୟ ପ୍ରାଣୀଙ୍କପ୍ରତି ଆମ୍ଭେମାନେ ଉଦାର ହୋଇଅଛୁ, ଅର୍ଥାତ୍ ଯେ ଯାହା ଆମ୍ଭମାନଙ୍କୁ ପ୍ରାର୍ଥନା କରେ, ଆମ୍ଭେମାନେ ତାହାକୁ ପାରିବୁ ନାହିଁ ବୋଲି କଦାପି କହି ନାହୁଁ । ତେବେ ବର୍ତ୍ତମାନ ଆମ୍ଭେମାନେ କି ନିମିତ୍ତ ସଂଶୟପ୍ରାପ୍ତ ହେଲୁ ।୨୧।

 

॥ ଅଧ୍ୟାୟ – ୩୧୨ ॥

 

ଯୁଧିଷ୍ଠିର କହିଲେ, ଆପଦମାନଙ୍କର ସୀମା ନ ଥାଏ, କି କାରଣରୁ ସେସବୁ ଉପସ୍ଥିତ ହୁଏ ଓ କି ଉପଦେଶରେ ସେଗୁଡିକ ଆସନ୍ତି, ତାହା ଜଣାଯାଏ ନାହିଁ । କେବଳ ପ୍ରାରବ୍ଧକର୍ମ ଭୋଗ ହେବାବେଳେ ସୁଖ ଦୁଃଖରେ ଜନ୍ମାନ୍ତର ପାପପୁଣ୍ୟର ଅନୁମାନ ହୁଏ ।୧। ଭୀମ କହିଲେ, ପ୍ରାତୀକାମୀ ଯେତେବେଳେ ଦ୍ରୁପଦନନ୍ଦିନୀକୁ ଦାସୀପ୍ରାୟ ସଭାମଧ୍ୟକୁ ଆଣିବାକୁ ଚେଷ୍ଟା କରିଥିଲା, ସେତେବେଳେ ଆମ୍ଭେ ଯେ ସେହି ସ୍ଥାନରେ ବଧ ନ କଲୁ, ଏହି ହେତୁରୁ ଆମ୍ଭେ ସଂଶୟ ପ୍ରାପ୍ତ ହେଲୁ ।୨। ଅର୍ଜୁନ କହିଲେ, ସୂତପୁତ୍ର ଯେଉଁସବୁ କଟୁବଚନ କହିଲେ, ସେହି ତୀକ୍ଷ୍‌ଣ କଥାମାନ ଅସ୍ଥିକୁ ଭେଦ କଲା; କିନ୍ତୁ ଆମ୍ଭେ କ୍ଷମା କରିବାରେ ସଂଶୟ ପ୍ରାପ୍ତ ହେଲୁ ।୩।

 

ସହଦେବ କହିଲେ, ହେ ଭାରତ ! ଶକୁନି ଯେତେବେଳେ ଆପଣଙ୍କୁ ପଶାଖେଳରେ ପରାଜିତ କଲା, ସେତେବେଳେ ଆମ୍ଭେ ଯେ ତାହାକୁ ସେହି ସ୍ଥଳରେ ବଧ ନ କଲୁ, ଏହି ହେତୁରୁ ଆମ୍ଭେମାନେ ସଂଶୟପ୍ରାପ୍ତ ହେଲୁ ।୪। ଦୈଶାସନ କହିଲେ, ତଦନନ୍ତର ନକୁଳଙ୍କୁ ରାଜା ଯୁଧିଷ୍ଠିର କହିଲେ, “ହେ ମାଦ୍ରେୟ ! ତୁମ୍ଭେ ବୃକ୍ଷରେ ଆରୋହଣ କରି ଦଶଦିଗକୁ ନିରୀକ୍ଷଣ କର ।୫। ହେ ତାତ ! ତୁମ୍ଭର ଏହି ଭ୍ରାତାମାନେ ଶ୍ରାନ୍ତ ଓ ପିପାସାକୁଳିତ ହୋଇଅଛନ୍ତି । ଅତଏବ ତୁମ୍ଭେ ଦେଖ, ନିକଟରେ କୌଣସି ଜଳାଶୟ ଅଥବା ଜଳାଶ୍ରିତ କୌଣସି ବୃକ୍ଷ ଅଛି କି ନା ?” ୬। ନକୁଳ ତାହାଙ୍କୁ ହେଉ ବୋଲି କହି ସତ୍ୱର ବୃକ୍ଷ ଉପରେ ଆରୋହଣ କଲେ ଓ ଚତୁର୍ଦ୍ଦିଗକୁ ବିଲୋକନ କରି ଜ୍ୟେଷ୍ଠଭ୍ରାତାଙ୍କୁ କହିଲେ, ୭। ରାଜନ୍‌ ! ଆମ୍ଭେ ଅନେକ ଜଳାଶ୍ରିତ ବୃକ୍ଷମାନଙ୍କୁ ଦେଖୁଅଛୁ ଓ ସାରସ ପକ୍ଷୀଙ୍କର କଳରବ ଶ୍ରବଣ କରୁଅଛୁଁ; ଅତଏବ ଏହି ସ୍ଥଳରେ ଜଳ ଅଛି, ସନ୍ଦେହ ନାହିଁ ।୮। ଅନନ୍ତର ସତ୍ୟନିଷ୍ଠ କୁନ୍ତୀନନ୍ଦନ କହିଲେ, ସୌମ୍ୟ ! ଗମନ କର; ତୂଣମାନଙ୍କୁ ପୂର୍ଣ୍ଣ କରି ସେଠାରୁ ଜଳ ଆଣ ।୯।

 

ନକୁଳ ହେଉ ବୋଲି କହି ଜ୍ୟେଷ୍ଠଭ୍ରାତାଙ୍କ ଆଜ୍ଞାନୁସାରେ ଯେଉଁ ସ୍ଥାନରେ ଜଳ ଥିଲା, ସେଠାକୁ ଦୁତ ପଦସଞ୍ଚାରଦ୍ୱାରା ଗମନ କରି ସତ୍ୱର ସେହି ଜଳାଶୟରେ ସନ୍ନିହିତ ହେଲେ ।୧୦। ସରଭସମୂହ ବର୍ଷିତ ଜଳକୁ ଅବଲୋକନ କରି ପାନ କରିବାକୁ ଉତ୍ସୁକ ହେଲାକ୍ଷଣି ଅନ୍ତରୀକ୍ଷରୁ ଏହି ବାଣୀ ଶୁଣାଗଲା ।୧୧। ଯକ୍ଷ କହିଲେ, ତାତ ! ମାଦ୍ରେୟ ! ତୁମ୍ଭେ ସାହସ କର ନାହିଁ; ଆମ୍ଭେ ଏହି ଜଳକୁ ପ୍ରଥମେ ଅଧିକାର କରୁଅଛୁଁ; ତୁମ୍ଭେ ଆଗେ ଆମ୍ଭର ପ୍ରଶ୍ନର ଉତ୍ତର ଦେଇ ପଛେ ଜଳପାନ କର ଓ ଜଳ ଘେନିଯାଅ ।୧୨। ନକୁଳ ଅତିଶୟ ତୃଷିତ ହୋଇଥିଲେ । ସୁତରାଂ ସେହି ବାକ୍ୟ ପ୍ରତି ଅନାଦର କରି ସୁଶୀତଳ ଜଳ ପାନ କଲେ । କିନ୍ତୁ ଜଳପାନ କଲାକ୍ଷଣି ସେ ଭୂପତିତ ହେଲେ ।୧୩। ଏଣେ କୁନ୍ତୀନନ୍ଦନ ଯୁଧିଷ୍ଠିର ନକୁଳଙ୍କର ବିଳମ୍ବ ଦେଖି ବଳଶାଳୀ ଅରିନ୍ଦମ ସହଦେବଙ୍କୁ କହିଲେ,୧୪।

 

“ସହଦେବ ! ଆମ୍ଭେମାନେ ତୁମ୍ଭର ଭ୍ରାତା ଓ ଅଗ୍ରଜ ଅଟୁ । ନକୁଳ ବହୁତ ବେଳୁ ଗଲେଣି, ଏତେବେଳଯାଏ ଆସିଲେ ନାହିଁ । ଅତଏବ ତୁମ୍ଭେ ଯାଅ, ସହଦେବଙ୍କୁ ଆଣିବ ଓ ଜଳ ଆଣିବ ।” ‘ହେଉ’ ବୋଲି କହି ସହଦେବ ତତ୍‌କ୍ଷଣାତ୍ ସେହି ଦିଗକୁ ଗମନ କଲେ ଓ ସରୋବର ନିକଟରେ ପ୍ରବିଷ୍ଟ ହୋଇ ଦେଖିଲେ ଯେ, ତାହାଙ୍କର ଅନୁଜ ନକୁଳ ନିଦ୍ରିତ ହୋଇ ଭୂତଳରେ ପଡିଅଛନ୍ତି ।୧୦। ଭ୍ରାତା ଶୋକରେ ସମ୍ପୂର୍ଣ୍ଣ ସନ୍ତପ୍ତ ଓ ତୃଷ୍ଣାରେ ଆତୁର ହୋଇ ଜଳ ନିକଟକୁ ଧାଇଁଲେ ।୧୭। ତତ୍ପରେ ସେହି ଆକାଶବାଣୀ ହେଲା “ହେ ତାତ ! ସାହସ କର ନାହିଁ । ଏହି ଜଳକୁ ଆମ୍ଭେ ପୂର୍ବରୁ ଅଧିକୃତ କରିଅଛୁଁ; ଅତଏବ ଅଗ୍ରେ ତୁମ୍ଭେ ମୋର ପ୍ରଶ୍ନମାନଙ୍କର ଉତ୍ତର ଦିଅ; ପଛେ ଇଚ୍ଛାନୁରୂପ ଜଳପାନ କରିବ” ।୧୮। ପିପାସାତୁର ସହଦେବ ସେହି ବାକ୍ୟ ପ୍ରତି ଅନାଦର କରି ଶୀତଳ ଜଳପାନ କଲେ । ମାତ୍ର ପାନ କରିବା ମାତ୍ରେ ଭୂମିରେ ନିପତିତ ହେଲେ ।୧୯।

 

କିୟତ୍‌କ୍ଷଣ ପରେ କୁନ୍ତୀପୁତ୍ର ଯୁଧିଷ୍ଠିର ଅର୍ଜୁନଙ୍କୁ କହିଲେ “ହେ ଶତ୍ରୁକର୍ଷଣ ସବ୍ୟସାଚିନ୍‌ !ତୁମ୍ଭର ଦୁଇ ଭାଇ ବହୁ କ୍ଷଣରୁ ଗମନ କରି ଏତେବେଳଯାଏ ଆସିଲେ ନାହିଁ; ଅତଏବ ତୁମ୍ଭର ମଙ୍ଗଳ ହେଉ, ତୁମ୍ଭେ ଯାଇ ଜଳ ଆଣିବ ଓ ଭାଇ ଦୁହିଁଙ୍କୁ ଆଣିବ । ଭାଇମାନେ ଦୁଃଖରେ ପଡିଲେ ତୁମ୍ଭେ ରକ୍ଷା କରିଥାଅ ।” ୨୧। ମେଧାବୀ ଗୁଡାକେଶ ଆଦେଶପ୍ରାପ୍ତ ହେଲାକ୍ଷଣି ଶର ଓ ଶରାସନ ଧରି ଖଡ୍‌ଗପାଣି ହୋଇ ସରୋବର ପ୍ରତି ପ୍ରସ୍ଥାନ କଲେ ।୨୨। ତଦନନ୍ତର ଶ୍ୱେତବାହନ ଦେଖିଲେ ଯେ ତାହାଙ୍କର ଶାର୍ଦ୍ଦୂଳ ବଳଶାଳୀ ଭାଇ ଦୁହେଁ ନିହତ ହୋଇ ପଡିଅଛନ୍ତି । ନରସିଂହ କୁନ୍ତୀସୁତ ସବ୍ୟସାଚୀମାନଙ୍କୁ ସୁନିଦ୍ରପ୍ରାୟ ନିପତିତ ଦେଖି ଅତିଶୟ ଦୁଃଖିତ ହେଲେ ଓ ଶର ଶରାସନକୁ ଉତ୍ତୋଳନ କରି ସେହି ବନର ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲେ ।୨୪। ପରନ୍ତୁ ସେହି ମହାବନ ମଧ୍ୟରେ କୌଣସି ପ୍ରାଣୀକୁ ଦେଖିପାରିଲେ ନାହିଁ । ତତ୍ପରେ ସେ ଶ୍ରାନ୍ତ ହୋଇଥିବାରୁ ଜଳପାଖକୁ ଧାବମାନ ହେଲେ ।୨୫। ସେହି ସମୟରେ ଅନ୍ତରୀକ୍ଷରୁ ଏହି ବାଣୀ ହେଲା; ‘ହେ କୌନ୍ତେୟ ! ତୁମ୍ଭେ ଜଳ ସମୀପକୁ ଆଗମନ କରୁଅଛ, କିନ୍ତୁ ବଳପୂର୍ବକ ତୁମ୍ଭେ ଜଳପାନ କରିପାରିବ ନାହିଁ । ହେ ଭାରତ ! ଆମ୍ଭେ ଯେଉଁସବୁ ପ୍ରଶ୍ନ କରିବୁ ତୁମ୍ଭେ ଯେବେ ତାର ଉତ୍ତର ଦେଇପାରିବ, ତେବେ ତୁମ୍ଭେ ଜଳପାନ କରି ଜଳ ଘେନି ଯାଇପାରିବ ।୨୭।

 

ପାର୍ଥ ଏହି ବାକ୍ୟଦ୍ୱାରା ନିବାରିତ ହୁଅନ୍ତେ କହିଲେ– “ତୁମ୍ଭେ ଦୃଶ୍ୟ ହୋଇ ଆମ୍ଭଙ୍କୁ ନିବାରଣ କର; ତାହାହେଲେ ଆମ୍ଭେ ଶରସମୂହଦ୍ୱାରା ତୁମ୍ଭଙ୍କୁ ଖଣ୍ଡ ଖଣ୍ଡ କରିବୁଁ ଯେ ଆଉ ତୁମ୍ଭେ ଏପରି କଥା କହିପାରିବ ନାହିଁ ।୨୮। ଏହି ରୂପ କହିବା ପରେ ଧନଞ୍ଜୟ ଶବ୍ଦଭେଦୀ ବାଣକୁ ଅଭିମନ୍ତ୍ରିତ କରି ଚତୁର୍ଦ୍ଦିଗ ଶରସମୂହଦ୍ୱାରା ଆଚ୍ଛନ୍ନ କଲେ ।୨୯। ହେ ଭାରବର୍ଷଭ ! ତୃଷାରେ ପୀଡିତ ହୋଇ ସଂକୀର୍ଣ୍ଣ ନାଲୀକ ଓ ନାରାଚ ପ୍ରଭୃତି ଶରବର୍ଷଣଦ୍ୱାରା ଅନ୍ତରୀକ୍ଷ ଆଚ୍ଛନ୍ନ କଲେ । ତତ୍କାଳରେ ଯକ୍ଷ ଅଦୃଶ୍ୟ ଭାବରେ ରହି କହିଲେ, “ପାର୍ଥ ! ତୁମ୍ଭେ କି କାରଣରୁ ବୃଥାରେ ଏତେ କଷ୍ଟ ଲଭୁଅଛ ? ଆମ୍ଭର ପ୍ରଶ୍ନମାନଙ୍କର ଉତ୍ତର ଦେଇ ଜଳପାନ କର; ଯଦି ପ୍ରଶ୍ନମାନଙ୍କର ଉତ୍ତର ନ ଦେଇ ଜଳ ପିଇବାକୁ ଉଦ୍ୟତ ହେବ, ତେବେ ପାନ କରି ପଞ୍ଚତ୍ୱପ୍ରାପ୍ତ ହେବ ।” ଉକ୍ତ ବାକ୍ୟ ଶ୍ରବଣ କରି ପୃଥାପୁତ୍ର ସବ୍ୟାସାଚୀ ଧନଞ୍ଜୟ ତହିଁ ପ୍ରତି ଅବଜ୍ଞା କଲେ । ମାତ୍ର ଜଳପାନ କଲାକ୍ଷଣି ଭୂମିଶାୟୀ ହେଲେ । ଅନନ୍ତର ଅର୍ଜୁନଙ୍କର ଆସିବାରେ ବିଳମ୍ବ ଦେଖି କୁନ୍ତୀପୁତ୍ର ଯୁଧିଷ୍ଠିର ଭୀମଙ୍କୁ କହିଲେ, “ହେ ଭାରତ ! ବହୁତ ବେଳୁ ନକୁଳ, ସହଦେବ ଓ ଅର୍ଜୁନ ଜଳ ନିମିତ୍ତ ଗମନ କରିଅଛନ୍ତି; ଏତେ ବେଳଯାଏ ସେମାନେ ଆସିଲେ ନାହିଁ; ଅତଏବ କଲ୍ୟାଣ ହେଉ, ତୁମ୍ଭେ ଗମନ କର, ସେମାନଙ୍କୁ ଆଣିବ ଓ ଜଳ ଆଣିବ ।”

 

ଭୀମସେନ ‘ଆଜ୍ଞା ଅବଧାନ’ ବୋଲି କହି ଯେଉଁଠାରେ ତାହାଙ୍କର ଭ୍ରାତା ପୁରୁଷଶ୍ରେଷ୍ଠମାନେ ପଡିଥିଲେ, ସେହି ସ୍ଥାନକୁ ଗମନ କଲେ । ମହାବାହୁ ଭୀମସେନ ଭାଇମାନଙ୍କର ତାଦୃଶ ଅବସ୍ଥା ଦେଖି ଅତି ଦୁଃଖିତ ହେଲେ । କିନ୍ତୁ ଅତି ତୃଷିତ ହୋଇଥିବାରୁ ବିଚାରିଲେ, ଏହି କାର୍ଯ୍ୟ ରାକ୍ଷସଗଣଙ୍କର ହୋଇଥିବ । ନିଶ୍ଚୟ ଅଦ୍ୟ ଯୁଦ୍ଧ କରିବାକୁ ହେବ; କିନ୍ତୁ ଯାହାହେଉ ଆଗେ ଜଳପାନ କରେ । ଏହା ଭାବି ଭରତକୁଳଶ୍ରେଷ୍ଠ ପୃଥାନନ୍ଦନ ବୃକୋଦର ପିପାସୁ ହୋଇ ଜଳ ନିକଟକୁ ଦଉଡିଲେ ।୩୮। ସେତେବେଳେ ଯକ୍ଷ କହିଲେ, ତାତ କୌନ୍ତେୟ ! ସାହସ କରନା, ଏହି ଜଳ ପୂର୍ବରୁ ଆମ୍ଭ ଅଧିକାରରେ ଅଛି । ତୁମ୍ଭେ ଆଗେ ଆମ୍ଭ ପ୍ରଶ୍ନଗୁଡିକର ଉତ୍ତର ଦେଇ ଜଳ ପାନ କର ଓ ଜଳ ଘେନିଯାଅ । ଅମିତତେଜା ଭୀମ ଯକ୍ଷଙ୍କର ସମ୍ଭାଷଣ ଶୁଣି ତଦୀୟ ପ୍ରଶ୍ନମାନଙ୍କର ଉତ୍ତର ନ ଦେଇ ଜଳପାନ କଲେ । ମାତ୍ର ଜଳ ପିଇଲାକ୍ଷଣି ନପତିତ ହେଲେ ।୪୦।

 

ଅନନ୍ତର ପୁରୁଷଶ୍ରେଷ୍ଠ ରାଜା ଯୁଧିଷ୍ଠିର ଅତିଶୟ ଚିନ୍ତିତ ହୋଇ ସନ୍ତପ୍ତ ହୃଦୟରେ ଉତ୍‌ଥାନ କଲେ ।୪୧। ଜନଶବ୍ଦଶୂନ୍ୟ, ରୁରୁ, ବରାହ ଓ ପକ୍ଷୀନିକରନିଷେବିତ ମହାବନରେ ପ୍ରବେଶ କଲେ । ସେହି ଅରଣ୍ୟାନୀ ନୀଳୋଜ୍ଜ୍ୱଳବର୍ଣ୍ଣ ବିଚିତ୍ର ତରୁରାଜିରେ ସୁଶୋଭିତ ହୋଇଅଛନ୍ତି । ଅଥଚ ଭ୍ରମରମାନଙ୍କର ଗୁଞ୍ଜନ ଓ ବିହଙ୍ଗମଙ୍କର କୂଜନରେ ସେହି ବିପିନ ରମଣୀୟ ହୋଇଅଛି ।୪୩। ସେହି କାନନରେ ଗମନ କରୁ କରୁ ଶ୍ରୀମାନ ଧର୍ମରାଜ ସେହି ସରୋବରକୁ ଦର୍ଶନ କଲେ । ସୁବର୍ଣ୍ଣ ବର୍ଣ୍ଣର କେଶରସମୂହରେ ଅଳଙ୍କୃତ କମଳମାନ ତାହାର ତଟକୁ ଘୋଟି ରହିଅଛନ୍ତି । ଚାହିଁଲେ ବୋଧହୁଏ, ଯେପରିକି ବିଶ୍ୱକର୍ମା ସେହି ସରକୁ ନିଜ ନିମିତ୍ତ ନିର୍ମାଣ କରିଅଛନ୍ତି । ଯୁଧିଷ୍ଠିର କ୍ଳାନ୍ତ ହୋଇ ସେହି ସରୋବର ନିକଟକୁ ଆଗମନ କରି ତାହାର ଶୋଭା ଦେଖି ମୁଗ୍ଧ ହେଲେ ।୪୫।

 

॥ ଅଧ୍ୟାୟ – ୩୧୩ ॥

 

ବୈଶମ୍ପାୟନ କହିଲେ, ଯୁଧିଷ୍ଠିର ସେଠାକୁ ଯାଇ ଦେଖିଲେ ଯେ, ତାହାଙ୍କର ଇନ୍ଦ୍ରସମ ଭ୍ରାତାମାନେ ନିହତ ହୋଇ ଭୂମିରେ ପଡିଅଛନ୍ତି । ଯୁଗାନ୍ତ କାଳରେ ଲୋକପାଳମାନେ ନିହତ ହେଲା ପ୍ରାୟ ସେହି ପୁରୁଷବ୍ୟାଘ୍ର ପାଣ୍ଡୁସୁତମାନେ ପଡି ରହିଅଛନ୍ତି ।୧। ଭୀମସେନ, ଅର୍ଜୁନ, ନକୁଳ ଓ ସହଦେବ ଜୀବନନିଶ୍ଚେଷ୍ଟ ହୋଇଅଛନ୍ତି ଓ ସେମାନଙ୍କର ଧନୁର୍ବାଣ ସବୁ ଇତସ୍ତତଃ ବିକୀର୍ଣ୍ଣହୋଇ ପଡିଅଛି । ଏହା ଦେଖି ସେ ଉଷ୍ମତର ଦୀର୍ଘ ନିଃଶ୍ୱାସ ପରିତ୍ୟାଗ କରି ଅଶ୍ରୁଜଳରେ ଆପ୍ଲୁତ ହେଲେ । ଭ୍ରାତୃଗଣଙ୍କୁ ପତିତ ଦେଖି ମହାବାହୁ ଧର୍ମତନୟ ବିଷଣ୍ଣ ହୋଇ ବହୁତ ବିଳାପ କଲେ । ହା ମହାବାହୋ ବୃକୋଦର ! ତୁମ୍ଭେ ପ୍ରତିଜ୍ଞା କରିଥିଲ ଯେ ସମରରେ ପଦାଘାତଦ୍ୱାରା ଦୁର୍ଯ୍ୟୋଧନର ଊରୁଦ୍ୱୟକୁ ଭଗ୍ନ କରିବ । ହାୟ ଭୀମ, ହା ମହାତ୍ମନ୍‌ ! ତୁମ୍ଭେ ନିଧନ ପ୍ରାପ୍ତ ହେବାରୁ ଆମ୍ଭର ସବୁ ବୃଥା ହେଲା । ମନୁଷ୍ୟକଥିତ ବାକ୍ୟମାନ ମିଥ୍ୟା ହୋଇପାରେ, କିନ୍ତୁ ତୁମ୍ଭମାନଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଦୈବରାଣୀ ହୋଇଥିଲା ସେସବୁ କି କାରଣରୁ ମିଥ୍ୟା ହେଲା ? ହାୟ ଧନଞ୍ଜୟ ! ତୁମ୍ଭର ଜନ୍ମବେଳେ ଦେବଗଣ ଜନନୀଙ୍କୁ କହିଥିଲେ, “କୁନ୍ତୀ ! ତୁମ୍ଭର ଏହି ପୁତ୍ରଟି ଇନ୍ଦ୍ରଙ୍କଠାରୁ ଊଣା ନୁହେ । ଏହି ଯେଉଁ କଥା କହିଥିଲେ ଓ ଉତ୍ତର ପାଇ ପାତ୍ର ପର୍ବତରେ ଭୂତଗଣ ଯେ କହିଥିଲେ, “ଏମାନଙ୍କର ରାଜ୍ୟଲକ୍ଷ୍ମୀଙ୍କୁ ଅପହରଣ କରିଅଛନ୍ତି; କିନ୍ତୁ ଏ ତାହାଙ୍କୁ ବଳପୂର୍ବକ ପୂନରାହରଣ କରିବେ; ସମରରେ ଏହାଙ୍କୁ ଜୟକରି ପାରିବେ, ଏଠାରେ କେହି ନାହିଁ; ଏପରି ମଧ୍ୟ କେହି ନାହାନ୍ତି ଯାହାକୁ ଏ ସମରରେ ଜୟ କରିନପାରିବେ ।”ଏ କଥା ସବୁ କି ମିଥ୍ୟା ହେଲା ?

 

ହାୟ ! ସେହି ମହାବଳଶାଳୀ ଅର୍ଜୁନ କି ପ୍ରକାରେ ମୃତ୍ୟୁର ବଶବର୍ତ୍ତୀ ହେଲେ ? ଯାହାକୁ ସହାୟସ୍ୱରୂପ ଅବଲମ୍ବନ କରି ଆମ୍ଭେମାନେ ଏହିସବୁ ଦୁଃଖ ସହ୍ୟ କରୁଅଛୁ, ସେହି ଅର୍ଜୁନ ଆମ୍ଭର ସମୁଦାୟ ଆଶା ଖଣ୍ଡନକରି ଧରା ଉପରେ ଶାୟିତ ହୋଇଅଛନ୍ତି । ହାୟ ! ସର୍ବପ୍ରକାର ଅସ୍ତ୍ରମାନ ଯାହାଙ୍କଠାରୁ ପ୍ରତିହତ ହୁଅନ୍ତି ଓ ସମରରେ ଯେ ଅପ୍ରମତ୍ତ, ବୀର୍ଯ୍ୟସମ୍ପନ୍ନ ଓ ମହାବଳଶାଳୀ, ସେହି କୁନ୍ତୀପୁତ୍ର ଭୀମସେନ ଓ ଧନଞ୍ଜୟ ନିରନ୍ତର ଶତ୍ରୁବିନାଶୀ ହୋଇ ସୁଦ୍ଧା କି ପ୍ରକାରେ ଶତ୍ରୁଙ୍କର ବଶବର୍ତ୍ତୀ ହେଲେ, ହାୟ ! ମୋର ହୃଦୟକୁ ନିପତିତ ହେବାର ଦେଖି ମୋ ହୃଦୟ ବିଦୀର୍ଣ୍ଣ ହେଉ ନାହିଁ । ଅତଏବ ସେ ନିଶ୍ଚୟ ପାଷାଣରେ ନିଶ୍ଚିତ ହୋଇଅଛି ।୧୩। ହେ ଶାସ୍ତ୍ରଜ୍ଞ ! ହେ ଦେଶକାଜ୍ଞ ତପୋଯୁକ୍ତ କ୍ରିୟାନ୍ୱିତ ନରଶ୍ରେଷ୍ଠମାନେ ! ତୁମ୍ଭେମାନେ ନିଜ ନିଜ କାର୍ଯ୍ୟାନୁଷ୍ଠାନ ନ କରି କି କାରଣ ଶୋଇଅଛ୧୪। ହେ ଅପରାଜିତ ବୀରବୃନ୍ଦ ! ତୁମ୍ଭମାନଙ୍କର ଶରୀରମାନ ଅକ୍ଷତ ଓ ଶରାସନ ସଜ୍ଜିତ ହୋଇ ରହିଅଛି । ତଥାପି ତୁମ୍ଭେମାନେ ଅଚେତନ ହୋଇ ଅଚଳାକୁ ଆଲିଙ୍ଗିନ କରି କି ନିମିତ୍ତ ଶୋଇଅଛ ।” ୧୫। ମହାମତି ଧର୍ମାତ୍ମା ଧରାପତି ଯୁଧିଷ୍ଠିର ଧରାତଳଶାୟୀ ଭ୍ରାତୃଗଣଙ୍କୁ ଧରାଧର ଖଣ୍ଡ ପ୍ରାୟ ବିରାଜିତ ଓ ସୁଖସୁପ୍ତ ଦେଖିଲେ । ତତ୍ପରେ ଦୁଃଖାନ୍ୱିତ, ସ୍ୱେଦାକ୍ତ ଦେହରେ କଷ୍ଟଦଶା ଲଭି କହିଲେ,“ଶେଷରେ କ’ଣ ଏହିପରି ହେଲା ?” ଏହାଙ୍କ ଶୋକସାଗରରେ ନିମଗ୍ନ ଓ ବ୍ୟାକୁଳ ହୋଇ ସେମାନଙ୍କର ମୃତ୍ୟୁର କାରଣ କ’ଣ ଏହି ବିଷୟ ଚିନ୍ତା କଲେ । କିନ୍ତୁ ଦେଶକାଳ-ବିଭାଗ-ବେତ୍ତା ମହାମତି ମହାବାହୁ ଯୁଧିଷ୍ଠିର ଚିନ୍ତାକରି ସୁଦ୍ଧା ତତ୍କାଳରେ କର୍ତ୍ତବ୍ୟ ସ୍ଥିର କରିପାରିଲେ ନାହିଁ ।୧୮। ଅନନ୍ତର ଧର୍ମତ୍ମା ଧର୍ମତନୟ ନାନାବିଧ ବିଳାପ କରି ବୁଦ୍ଧିଦ୍ୱାରା ବିଶେଷରୂପେ ଚିନ୍ତାକଲେ । କେଉଁ ବ୍ୟକ୍ତି ଏହି ବୀରମାନଙ୍କୁ ନିପାତିତ କଲା ?୨୦। ଏମାନଙ୍କ ଶରୀରରେ ଶସ୍ତ୍ରପ୍ରହାରର ଚିହ୍ନ ନାହିଁ । ଏ ସ୍ଥାନରେ କୌଣସି ବ୍ୟକ୍ତିର ପଦଚିହ୍ନ ମଧ୍ୟ ନାହିଁ । ଅତଏବ ବୋଧ ହେଉଅଛି, ଯେଉଁ ବ୍ୟକ୍ତି ଆମ୍ଭ ଭ୍ରାତାମାନଙ୍କୁ ନିହତ କରିଅଛନ୍ତି, ସେ କୌଣସି ମହାପ୍ରାଣୀ ହେବେ ।୨୧।

 

ଯାହାହେଉ,ଆମ୍ଭେ ଏକାଗ୍ର ଭାବରେ ଭାବି ଦେଖିବୁ ଅଥବା ଜଳପାନ କରି ଦେଖିବୁ । କିଏ କହିପାରେ ? ଦୁର୍ଯ୍ୟୋଧନ, ଗାନ୍ଧାରରାଜା ଶକୁନିର ମାରଣ ବିଧି ଅନୁସାରେ ଏହି ସରୋବରକୁ ବିରଚିତ କରିଥିବେ, ଯାହାର କାର୍ଯ୍ୟାକାର୍ଯ୍ୟ ବିବେଚନା ନାହିଁ, ସେହି ପାପକର୍ମ ପ୍ରତି କେଉଁ ଧର୍ମର ବ୍ୟକ୍ତି ବିଶ୍ୱାସ କରିପାରନ୍ତି ? ମୂଢ଼ ପୁରୁଷମାନଙ୍କଦ୍ୱାରା ସେହି ଦୁରାତ୍ମା ଏହି କାର୍ଯ୍ୟକୁ ଅନୁଷ୍ଠିତ କରିଥାଇପାରେ । ମହାବୁଦ୍ଧି ଯୁଧିଷ୍ଠିର ତଦ୍‌ବିଷୟରେ ଏହିରୂପେ ବହୁବିଧ ଚିନ୍ତା କଲେ; କିନ୍ତୁ ଗରଳଦ୍ୱାରା ଜଳ ଦୂଷିତ ହୋଇଥିବା ତାହାଙ୍କର ପ୍ରତୀତ ହେଲାନାହିଁ । ସେ ଭାବି ଦେଖିଲେ ଯେ, ତାହାଙ୍କର ଭ୍ରାତାମାନେ ମରି ପଡିଅଛନ୍ତି; କିନ୍ତୁ ସେମାନଙ୍କର କୌଣସି ବିକୃତି ହୋଇନାହିଁ । ମୁଖବର୍ଣ୍ଣ ପ୍ରସନ୍ନ ହୋଇ ରହିଅଛି ।୨୬। ଏହି ପୁରୁଷଶ୍ରେଷ୍ଠମାନେ ମହାପ୍ରଭାବ ସଦୃଶ ବଳଶାଳୀ ଅଟନ୍ତି । ଜନ୍ତୁରାଣ ଯମ ବ୍ୟତିରେକେ ଏମାନଙ୍କୁ ଅନ୍ୟ କିଏ ନିହତ କରିପାରେ ? ଏହିପରି ନିଶ୍ଚୟ କରି ଯୁଧିଷ୍ଠିର ସେହି ଜଳରେ ଅବଗାହନ କଲେ । ତନ୍ମଧ୍ୟରେ ଅବଗାହନ କଲାକ୍ଷଣି ଅନ୍ତରୀକ୍ଷରୁ ଏହି ବାଣୀ ଶୁଣିଲେ ।୨୮। ଯକ୍ଷ କହିଲେ, ଆମ୍ଭେ ବକ; ଶୈବାଳ ଓ ମତ୍ସ୍ୟ ଭୋଜନ କରୁ । ତୁମ୍ଭର କନିଷ୍ଠ ଭାଇ ଚାରିହେଁ ଆମ୍ଭଦ୍ୱାରା ପ୍ରେତପତିଙ୍କର ବଶବର୍ତ୍ତୀ ହୋଇଅଛନ୍ତି । ହେ ରାଜପୁତ୍ର ! ଆମ୍ଭେ ପ୍ରଶ୍ନ କଲେ ଯେବେ ସେହି ପ୍ରଶ୍ନମାନଙ୍କର ତୁମ୍ଭେ ଉତ୍ତର ନ ଦିଅ, ତେବେ ତୁମ୍ଭେ ମଧ୍ୟ ସେମାନଙ୍କର ସହଚର ହୋଇ ମୃତ୍ୟୁସଂଖ୍ୟାକୁ ଗୋଟିଏ ବର୍ଦ୍ଧିତ କରିବ ।୨୯। ତାତ, କୌନ୍ତେୟ ! ସାହସ କର ନାହିଁ । ଏ ଜଳ ଆଗରୁ ଆମ୍ଭର ଅଧିକୃତ ହୋଇଅଛି । ଅତଏବ ଅଗ୍ରେ ଆମ୍ଭର ପ୍ରଶ୍ନମାନଙ୍କର ଉତ୍ତର ଦେଇ ପଶ୍ଚାତ୍ ଜଳପାନ କର ଓ ଜଳ ଗ୍ରହଣ କରି ଗମନ କର ।୩୦।

 

ଯୁଧିଷ୍ଠିର କହିଲେ, ପକ୍ଷୀଟିଏ ଏହି କର୍ମ କରିଅଛ, ଏହା କଦାପି ସମ୍ଭବ ହେଉ ନାହିଁ । ଅତଏବ ଆମ୍ଭେ ପଚାରୁ ଅଛୁ, ଆପଣ କେଉଁ ଦେବ ? ଆପଣ ରୁଦ୍ରଗଣଙ୍କର କି ବସୁଗଣଙ୍କର ଅଥବା ମରୁଦ୍‌ଗଣଙ୍କର ପ୍ରଧାନ ଅଟନ୍ତି ? ହିମାଳୟ, ପାରିପାତ୍ର, ବିନ୍ଧ୍ୟ ଓ ମଳୟ ସଦୃଶ ଏହି ପ୍ରଭୂତତେଜା ଅଚଳମାନଙ୍କୁ କିଏ ନିପାତିତ କଲା ।୩୨। ହେ ବଳିବର ! ଆପଣ ଅତି ମହତ କର୍ମ କରିଅଛନ୍ତି । ମହାସମରରେ ଯେଉଁମାନଙ୍କୁ ଦେବ ଗନ୍ଧର୍ବ, ଅସୁର ଓ ରାକ୍ଷସ କେହି ସହି ନ ପାରନ୍ତି, ସେମାନଙ୍କୁ ଆପଣ ଯାହା ନିହତ କଲେ, ଏହା ଅତି ମହତ କର୍ମ । ଆପଣଙ୍କର ଉଦ୍ଦେଶ୍ୟ ଓ ଅଭିପ୍ରେତ କଅଣ, ତାହା ଆମ୍ଭେ ଜାଣୁ ନାହିଁ । ଜାଣିବାକୁ ଆମ୍ଭର ମହତ କୌତୂହଳ ହେଉଅଛି । ଅଥଚ ଭୟ ମଧ୍ୟ ଉପସ୍ଥିତ ହୋଇଅଛି । ଭଗବନ୍‌ ! ଆପଣଙ୍କ ବୃତ୍ତାନ୍ତ ଅବଗତ ହେବାକୁ ଆମ୍ଭର ଚିତ୍ତ ଉଦ୍‌ବିଗ୍ନ ହୋଇଅଛି ଓ ଶିରଃପୀଡା ଜାତ ହୋଇଅଛି । ଅତଏବ ପଚାରୁଅଛୁଁ, ଆପଣ କିଏ ଏଠାରେ ଅବସ୍ଥିତ କରିଅଛନ୍ତି ? ଯକ୍ଷ କହିଲେ, ତୁମ୍ଭର କଲ୍ୟାଣ ହେଉ । ଆମ୍ଭେ ଯକ୍ଷ ଅଟୁ, ଜଳଚର ପକ୍ଷୀ ନୋହୁ । ତୁମ୍ଭର ଏହି ମହାତେଜସ୍ୱୀ ଭ୍ରାତାମାନଙ୍କୁ ଆମ୍ଭେ ନିହତ କରିଅଛୁ । ବୈଶମ୍ପାୟନ କହିଲେ, ହେ ଭରତଶ୍ରେଷ୍ଠ ନରେଶ୍ୱର ! ଅନନ୍ତର ସେହି ଦାରୁଣ ବାର୍ତ୍ତାକୁ ଯୁଧିଷ୍ଠିର ଶ୍ରବଣ କରି ଯକ୍ଷଙ୍କର କଥା ଶେଷ ନ ହେଉଣୁ ତାହାଙ୍କ ସମୀପକୁ ଆଗମନ କରି ଉଭା ହୋଇ ରହିଲେ । ଦେଖିଲେ ଯେ ତାଳବୃକ୍ଷ ସମ ଉଚ୍ଛ୍ରିତ, ଅଗ୍ନି ଓ ସୂର୍ଯ୍ୟଙ୍କ ପ୍ରାୟ ତେଜଃପୁଞ୍ଜ, ଅଚଳ ପ୍ରାୟ ମହାକାୟ, ବିରୂପାଷ, ଅଧର୍ଷଣୀୟ ଯକ୍ଷ ବୃକ୍ଷକୁ ଅବଲମ୍ବନ କରି ମେଘଗମ୍ଭୀର ନିର୍ଦ୍ଦୋଷରେ ମହାଶବ୍ଦରେ ତର୍ଜନ କରି କହୁଅଛି ।

 

ଯକ୍ଷ କହିଲେ, ରାଜନ୍‌ ! ତୁମ୍ଭର ଏହି ଭ୍ରାତାମାନଙ୍କୁ ଆମ୍ଭେ ବାରମ୍ବାର ବାରଣ କଲେ ହେଁ ସେମାନେ ବଳପୂର୍ବକ ଜଳ ଗ୍ରହଣ କରିବାରେ ପ୍ରବୃତ୍ତ ହେଲେ । ସେହି ହେତୁରୁ ଆମ୍ଭେ ସେମାନଙ୍କୁ ନିହତ କଲୁ । ହେ ରାଜନ୍‌ ! ଯେଉଁ ବ୍ୟକ୍ତି ପ୍ରାଣରକ୍ଷା କରିବାକୁ ଇଚ୍ଛା କରେ, ତାହାର ଏହି ସରୋବରରୁ ଜଳପାନ କରିବା କର୍ତ୍ତବ୍ୟ ନୁହେଁ । ହେ କୌନ୍ତେୟ ! ସାହସ କର ନାହିଁ । ଏ ଜଳ ଆଗରୁ ଆମ୍ଭର ଅଧିକୃତ ହୋଇଅଛି । ଅତଏବ ଆଗେ ଆମ୍ଭ ପ୍ରଶ୍ନମାନଙ୍କର ଉତ୍ତର ଦେଇ ଜଳପାନ କର ।୩୦। ଯୁଧିଷ୍ଠିର କହିଲେ, ଆପଣଙ୍କର ପୂର୍ବାଧିକୃତ ପଦାର୍ଥର ଅଧିକାର କରିବାକୁ ଆମ୍ଭର ମଧ୍ୟ ଅଭିଳାଷ ନାହିଁ । ହେ ପୁରୁଷପ୍ରବର ! ଯେଉଁ ଲୋକେ ସ୍ୱୟଂ ନିଜର ପ୍ରଶଂସାକୁ ନିଜେ କରନ୍ତି, ଏହା ସାଧୁଜନଙ୍କର ପ୍ରଶଂସନୀୟ ନୁହେ । ପରନ୍ତୁ ଆମ୍ଭର ଯେ ରୂପ ବୁଦ୍ଧି, ଆମ୍ଭେ ତଦନୁସାରେ ଆପଣଙ୍କ ପ୍ରଶ୍ନମାନଙ୍କର ପ୍ରତ୍ୟୁତ୍ତର ଦେବୁ । ଆପଣ ଆମ୍ଭଙ୍କୁ ପଚାରିବା ହେଉନ୍ତୁ ।୪୪। ଯକ୍ଷ କହିଲେ, କେଉଁ ଦ୍ରବ୍ୟ ସୂର୍ଯ୍ୟଙ୍କୁ ଉନ୍ନୀତ କରେ ? ତାହାଙ୍କର ଚତୁଃପାର୍ଶ୍ୱରେ କେଉଁମାନେ ବିଚରଣ କରନ୍ତି, କିଏ ତାହାଙ୍କୁ ଅସ୍ତ କରାଏ ଓ ସେ କାହିଁରେ ପ୍ରତିଷ୍ଠିତ ଅଛନ୍ତି ?୪୫। ଯୁଧିଷ୍ଠିର କହିଲେ, ଆଦିତ୍ୟବ୍ରହ୍ମ ଊର୍ଦ୍ଧ୍ୱକୁ ଉଠାନ୍ତି, ଦେବଗଣ ତାଙ୍କର ଚାରିପାଖରେ ବିଚରଣ କରନ୍ତି, ଧର୍ମ ତାହାଙ୍କୁ ଅସ୍ତ କରାନ୍ତି ଓ ସେ ସତ୍ୟରେ ପ୍ରତିଷ୍ଠିତ ଅଛନ୍ତି ।୪୬। ଯକ୍ଷ କହିଲେ, ଶ୍ରୋତ୍ରିୟ କିପରି ହୁଅନ୍ତି ? କାହାଦ୍ୱାରା ମହତ ପଦାର୍ଥ ଲାଭ ହୁଏ ? କାହାଦ୍ୱାରା ଦ୍ୱିତୀୟବାନ ହୁଅନ୍ତି ଓ କାହାଦ୍ୱାରା ବୁଦ୍ଧିମାନ ହୁଅନ୍ତି ?୪୭।

 

ଯୁଧିଷ୍ଠିର ବୋଇଲେ, ଶ୍ରୁତଦ୍ୱାରା ଶ୍ରୋତ୍ରିୟ ହୁଅନ୍ତି; ତପସ୍ୟାଦ୍ୱାରା ମହତ ପଦାର୍ଥ ଲାଭ ହୁଏ, ଧୈର୍ଯ୍ୟଦ୍ୱାରା ଦ୍ୱିତୀୟବାନ ହୁଅନ୍ତି ଓ ବୃଦ୍ଧ ସେବା କଲେ ବୁଦ୍ଧିମାନ ହୁଅନ୍ତି ।୪୮। ଯକ୍ଷ କହିଲେ, ବ୍ରାହ୍ମଣମାନଙ୍କର ଦେବତ୍ୱ କ’ଣ ? ସେମାନଙ୍କର କେଉଁ ଧର୍ମ ସାଧୁଙ୍କ ସଦୃଶ ? ସେମାନଙ୍କର ମନୁଷ୍ୟଭାବ କ’ଣ ଓ ସେମାନଙ୍କର କେଉଁ ଆଚରଣ ଅସାଧୁ ଜନଙ୍କ ପ୍ରାୟ ?୪୯। ଯୁଧିଷ୍ଠିର କହିଲେ, ସ୍ୱାଧ୍ୟାୟ ବ୍ରାହ୍ମଣଙ୍କର ଦେବଭାବ; ତପସ୍ୟା ସେମାନଙ୍କର ସାଧୁଜନ ସଦୃଶ ଧର୍ମ; ମରଣ ସେମାନଙ୍କର ମାନୁଷ ଭାବ; ପରୀବାଦ ଅର୍ଥାତ୍ ନିନ୍ଦା ସେମାନଙ୍କର ଅସାଧୁ ଲୋକ ସଦୃଶ ଅଧର୍ମ ।୫୦। ଯକ୍ଷ କହିଲେ, କ୍ଷତ୍ରିୟମାନଙ୍କର ଦେବତ୍ୱ କାହିଁରେ ହୁଏ ? ସେମାନଙ୍କର କେଉଁ ଧର୍ମଟି ସାଧୁଗଣଙ୍କ ସଦୃଶ ? ସେମାନଙ୍କର ମନୁଷ୍ୟପଣ କାହିଁରେ ଓ ସେମାନଙ୍କର କେଉଁ ଆଚରଣ ଅସାଧୁ ଲୋକଙ୍କ ସମାନ ?୫୧। ଯୁଧିଷ୍ଠିର ଉତ୍ତର ଦେଲେ, ଅସ୍ତ୍ରଶସ୍ତ୍ର ସେମାନଙ୍କର ଦେବତ୍ୱ; ଯଜ୍ଞ ସେମାନଙ୍କର ସଜ୍ଜନ ସଦୃଶ ସଙ୍ଗ; ଭୟ ସେମାନଙ୍କର ମନୁଷ୍ୟ ସ୍ୱଭାବ ଓ ପରିତ୍ୟାଗ ଅର୍ଥାତ୍ ଶରଣାପନ୍ନ ଜନକୁ ରକ୍ଷା ନ କରି ପରିତ୍ୟାଗ କରିବା ସେମାନଙ୍କ ଅସଜ୍ଜନସମ ଆଚରଣ ।୫୨। ଯକ୍ଷ ପଚାରିଲେ, କେଉଁ ଅସାଧାରଣ ପଦାର୍ଥକୁ ଯଜ୍ଞୀୟ ସାମ ବୋଲାଯାଏ ? ଯଜ୍ଞୀୟ ଯଜୁଃ କାହାକୁ କହନ୍ତି ? ଏମାନଙ୍କ ମଧ୍ୟରୁ କିଏ ଯଜ୍ଞକୁ ବରଣ କରେ ଓ କେଉଁ ପଦାର୍ଥକୁ ଯଜ୍ଞ ଅତିକ୍ରମ କରେ ନାହିଁ ?୫୩। ଯୁଧିଷ୍ଠିର ଉତ୍ତର ଦେଲେ, ପ୍ରାଣକୁ ଯଜ୍ଞୀୟ ସାମ କୁହାଯାଏ । ମନକୁ ଯଜ୍ଞୀୟ ଯଜୁଃ କହନ୍ତି, ଏକାକୀ ଋକ୍ ଯଜ୍ଞକୁ ବରଣ କରନ୍ତି ଓ ଯଜ୍ଞ ତାହାକୁ ଅତିକ୍ରମ କରନ୍ତି ନାହିଁ ।୫୪। ଯକ୍ଷ ପଚାରିଲେ– ପତନଶୀଳ ପଦାର୍ଥ ମଧ୍ୟରେ ଶ୍ରେଷ୍ଠ କିଏ ? ପକାଇ ଦେବା ପଦାର୍ଥ ମଧ୍ୟରେ କିଏ ଶ୍ରେଷ୍ଠ ? ପ୍ରତିଷ୍ଠିତ ପଦାର୍ଥ ଓ ପ୍ରସବ ମଧ୍ୟରେ କିଏ ଉତ୍କୃଷ୍ଟ ?୫୫। ଯୁଧିଷ୍ଠିର ଉତ୍ତର ଦେଲେ– ପତନଶୀଳ ଦ୍ରବ୍ୟ ମଧ୍ୟରେ ବର୍ଷା ଶ୍ରେଷ୍ଠ ଅଟେ । ନିକ୍ଷିପ୍ତ ଦ୍ରବ୍ୟରେ ବୀଜ ଶ୍ରେଷ୍ଠ; ପ୍ରତିଷ୍ଠିତ ଦ୍ରବ୍ୟ ମଧ୍ୟରେ ଗୋରୁ ଉତ୍କୃଷ୍ଟ ଓ ପ୍ରସବ ମଧ୍ୟରେ ପୁତ୍ର ସର୍ବାପେକ୍ଷା ଉତ୍କୃଷ୍ଟ ।୫୬। ଯକ୍ଷ ପଚାରିଲେ– ଯେ ବୁଦ୍ଧିମାନ, ଯେ ଲୋକପୂଜିତ, ସର୍ବପ୍ରାଣୀ ଯାହାକୁ ମାନ୍ୟ କରନ୍ତି, ଯେ ଇନ୍ଦ୍ରିୟଦ୍ୱାରା ବିଷୟ ଭୋଗ କରନ୍ତି, ନିଃଶ୍ୱାସ ପରିତ୍ୟାଗ କରୁଥାନ୍ତି କିନ୍ତୁ ଜୀବିତ ନୁହନ୍ତି, ଏପରି କିଏ ସେ ଅଛି କହ ?୫୭।

 

ଯୁଧିଷ୍ଠିର ଉତ୍ତର ଦେଲେ, ଯେଉଁ ବ୍ୟକ୍ତି ଦେବତା, ଅତିଥି ଓ ଭୃତ୍ୟଗଣ ଓ ଆପଣାର ତୃପ୍ତି ସମ୍ପାଦନ ନ କରନ୍ତି, ସେହି ବ୍ୟକ୍ତିଙ୍କର ନିଃଶ୍ୱାସ ବହୁଥିଲେହେଁ ସେ ଜୀବିତ ନ ଥିଲା ପ୍ରାୟ ହୋଇଥାନ୍ତି । ଯାହାଙ୍କର ସଦସତ୍ ବିଚାର କରିବାର କ୍ଷମତା ଅଛି; ଯାହାଙ୍କର ବିପୁଳ ସୈନ୍ୟ ଥିବାରୁ, ଯେ ଲୋକରେ ମାନ୍ୟ ହୁଅନ୍ତି; ଯାହାଙ୍କର ଦାନ କରିବାର ସାମର୍ଥ୍ୟ ଥିବାରୁ,ସମସ୍ତେ ଯାହାଙ୍କୁ ଆଶା କରିଥାନ୍ତି; ଏପରି ବ୍ୟକ୍ତି ଯେବେ ଦେବତାଙ୍କ ଉଦ୍ଦେଶ୍ୟରେ ଦାନ, ଶ୍ରାଦ୍ଧ, ତର୍ପଣାଦି, ଅତିଥି ସେବା ନ କରନ୍ତି, ଉପଯୁକ୍ତ ଭୃତ୍ୟମାନଙ୍କୁ ସମୁଚିତ ଭରଣପୋଷଣ ନ କରନ୍ତି, ଆପଣା ପେଟକୁ ସୁଦ୍ଧା ଭଲକରି ମୁଠାଏ ନ ଖାଆନ୍ତି କିମ୍ବା ଭଲକରି ଖଣ୍ଡେ ନ ପିନ୍ଧନ୍ତି, ଏପରି ମନୁଷ୍ୟଙ୍କର ଜୀବନଧାରଣ ବୃଥା । ସେମାନଙ୍କୁ ମୃତ ବୋଲି ନିଶ୍ଚୟ କରିବା କର୍ତ୍ତବ୍ୟ ।୫୮। ଯକ୍ଷ ପ୍ରଶ୍ୱ କଲେ– ପୃଥିବୀ ଅପେକ୍ଷା କିଏ ଗୁରୁତର ? ଆକାଶ ଅପେକ୍ଷା ଉଚ୍ଚତର କିଏ ? ବାୟୁ ଅପେକ୍ଷା କିଏ ଶୀଘ୍ରଗାମୀ ଓ ତୃଣ ଅପେକ୍ଷା କିଏ ଅଧିକ ?୫୯। ଯୁଧିଷ୍ଠିର ଉତ୍ତର ଦେଲେ ପୃଥ୍ୱୀ ଅପେକ୍ଷା ମାତା ଗୁରୁତରା; ଆକାଶଠାରୁ ପିତା ଉଚ୍ଚତର; ବାୟୁ ଅପେକ୍ଷା ମନ ଶୀଘ୍ରଗାମୀ, ତୃଣ ଅପେକ୍ଷା ଚିନ୍ତା ବହୁତ ।୬୦। ଯକ୍ଷ ପଚାରିଲେ– ନିଦ୍ରିତ ଅବସ୍ଥାରେ କିଏ ନୟନ ମୁଦ୍ରିତ କରେ ନାହିଁ ? ଜାତ ହୋଇ କିଏ ନିସ୍ପନ୍ଦ ହୋଇଥାଏ ? କାହାର ହୃଦୟ ନାହିଁ ଓ କିଏ ବେଗଦ୍ୱାରା ବର୍ଦ୍ଧିତ ହୁଏ ?୬୧।

 

ଯୁଧିଷ୍ଠିର ଉତ୍ତର ଦେଲେ– ନିଦ୍ରିତ ହୋଇଥିଲେ ହେଁ ମତ୍ସ୍ୟ ନେତ୍ର ମୁଦ୍ରିତ କରେ ନାହିଁ; ଅଣ୍ଡ ଜାତ ହୋଇ ନିସ୍ପନ୍ଦିତ ହୋଇଥାଏ; ପ୍ରସ୍ତରର ହୃଦୟ ନାହିଁ; ବେଗଦ୍ୱାରା ନଦୀ ବର୍ଦ୍ଧିତ ହୁଏ ।୬୨। ଯକ୍ଷ ପ୍ରଶ୍ନ କଲେ– ପ୍ରବାସୀଙ୍କର ମିତ୍ର କିଏ ? ଗୃହବାସୀଙ୍କର ମିତ୍ର କିଏ ? ଆତୁର ଜନଙ୍କର ମିତ୍ର କିଏ ଓ ମୁମୂର୍ଷୁ ବ୍ୟକ୍ତିଙ୍କର ମିତ୍ର କିଏ ?୬୩। ଯୁଧିଷ୍ଠିର ଉତ୍ତର କଲେ, ପ୍ରବାସୀଙ୍କ ମିତ୍ର ସଙ୍ଗୀ; ଗୃହବାସୀଙ୍କର ମିତ୍ର ଭାର୍ଯ୍ୟା; ଆତୁର ବ୍ୟକ୍ତିଙ୍କର ମିତ୍ର ଚିକିତ୍ସକ ଓ ମୁମୂର୍ଷୁ ବ୍ୟକ୍ତିଙ୍କର ମିତ୍ର ଦାନ ।୬୪। ପ୍ରବାସୀଙ୍କର ସାଙ୍ଗ ଯେପରି ମିତ୍ର, ମରଣଶୀଳ ମନୁଷ୍ୟର ଦାନ ସେହିପରି ହିତକର ଓ ସାଙ୍ଗରେ ଯାଏ । ଯକ୍ଷ ପଚାରିଲେ– ହେ ରାଜେନ୍ଦ୍ର ! ସର୍ବପ୍ରାଣୀଙ୍କର ଅତିଥି କିଏ ? ସନାତନ ଧର୍ମ କାହାକୁ କହନ୍ତି ? ଅମୃତ କଅଣ ? ସମୁଦାୟ ଜଗତ୍ କ’ଣ ?୬୫। ଯୁଧିଷ୍ଠିର ଉତ୍ତର ଦେଲେ– ଅଗ୍ନି ସର୍ବଭୂତଙ୍କର ଅତିଥି ଅଟନ୍ତି; ଗୋ-ଦୁଗ୍ଧ ଅମୃତ; ଅବିନାଶୀ ଧର୍ମ ସନାତନ ଧର୍ମ; ସମୀରଣକୁ ସମୁଦାୟ ଜଗତ୍ କହନ୍ତି ।୬୬। ଯକ୍ଷ ପଚାରିଲେ– ଏକାକୀ କିଏ ବିଚରଣ କରେ ? ଥରେ ଉତ୍ପନ୍ନ ହୋଇ କିଏ ପୁନଶ୍ଚ ଉତ୍ପନ୍ନ ହୁଏ ? ହିମର ଔଷଧ କ’ଣ ? ମହତ ଆବପନ କେଉଁ ଦ୍ରବ୍ୟକୁ କହନ୍ତି-?୬୭। ଯୁଧିଷ୍ଠିର ଉତ୍ତର ଦେଲେ, ସୂର୍ଯ୍ୟ ଏକାକୀ ବିଚରଣ କରନ୍ତି, ଚନ୍ଦ୍ରମା ପୁନଃ ପୁନଃ ଉତ୍ପନ୍ନ ହୁଅନ୍ତି, ହିମର ଔଷଧ ଅଗ୍ନି, ଭୂମି ମହତ ଆବପନ ଅର୍ଥାତ୍ ବଡ ବୁଣାଯିବାର ସ୍ଥାନ-।୬୮। ଯକ୍ଷ କହିଲେ– ଧର୍ମର ଶେଷ ସ୍ଥାନ କିଏ ? ଯଶର ଶେଷ ସ୍ଥାନ କିଏ ? ସ୍ୱର୍ଗର ଚରମ ସ୍ଥାନ କିଏ ଓ ସୁଖର ଚରମ ସ୍ଥାନ କିଏ ?୬୯। ଯୁଧିଷ୍ଠିର ବୋଇଲେ, ଧର୍ମର ଚରମ ସ୍ଥାନ ଦକ୍ଷତା, ଯଶର ଚରମ ସ୍ଥାନ ଦାନ, ସ୍ୱର୍ଗର ଚରମ ସ୍ଥାନ ସତ୍ୟ ଓ ସୁଖର ଚରମ ସ୍ଥାନ ଶୀଳ ।୭୦। ଯକ୍ଷ ପଚାରିଲେ– ମନୁଷ୍ୟର ଆତ୍ମା କିଏ ? ତାହାର ଦୈବକୃତ ସଖା କିଏ ? ତାହାର ଉପଜୀବନ କ’ଣ ଓ ତାହାର ପରମ ଆଶ୍ରୟ ସ୍ଥାନ କିଏ ? ୭୧। ଯୁଧିଷ୍ଠିର ଉତ୍ତର ଦେଲେ– ପୁତ୍ର ମନୁଷ୍ୟଙ୍କର ଆତ୍ମା, ଭାର୍ଯ୍ୟା ତାହାର ବିଧାତାକୃତ ସଖୀ, ପର୍ଜନ୍ୟ (ମେଘ) ତାହାର ଉପଜୀବନ ଓ ଦାନ ତାହାର ପରମ ଆଶ୍ରୟ ସ୍ଥାନ ଅଟେ ।୭୨।

 

ଯକ୍ଷ ପ୍ରଶ୍ନ କଲେ– ଧନ୍ୟବାଦାର୍ହ ପୁରୁଷ ମଧ୍ୟରେ ଉତ୍ତମ କିଏ ? ଧନମାନଙ୍କ ମଧ୍ୟରେ ଉତ୍ତମ କିଏ ? ଲାଭ ମଧ୍ୟରେ ଉତ୍କୃଷ୍ଟ ଲାଭ କିଏ ଓ ସୁଖ ମଧ୍ୟରେ ସର୍ବୋତ୍କୃଷ୍ଟ କିଏ ?୭୩। ଯୁଧିଷ୍ଠିର ଉତ୍ତର ଦେଲେ– ଧନ୍ୟବାଦାର୍ହ ପୁରୁଷ ମଧ୍ୟରେ ଦକ୍ଷତା ଉତ୍ତମ, ସବୁ ଧନ ମଧ୍ୟରେ ଶାସ୍ତ୍ରଜ୍ଞାନ ଉତ୍ତମ, ଆରୋଗ୍ୟଲାଭ ସବୁ ଲାଭ ମଧ୍ୟରେ ଉତ୍ତମ ଓ ସନ୍ତୋଷ ସବୁ ସୁଖ ମଧ୍ୟରେ ଉତ୍କୃଷ୍ଟ ।୭୪। ଯକ୍ଷ ପଚାରିଲେ– ଲୋକରେ କେଉଁ ଧର୍ମ ଶ୍ରେଷ୍ଠ ? କେଉଁ ଧର୍ମର ନିତ୍ୟ ଫଳ ହୁଏ-? କ’ଣ ସଂଯତ କରି ଲୋକେ ଶୋକ କରନ୍ତି ନାହିଁ ଓ କେଉଁମାନଙ୍କ ସହିତ ସନ୍ଧି କଲେ ଜୀର୍ଣ୍ଣ ହୁଏ ନାହିଁ ?୭୫। ଯୁଧିଷ୍ଠିର କହିଲେ– ସର୍ବ ପ୍ରକାର ଧର୍ମ ମଧ୍ୟରେ ଅନୃଶଂସ୍ୟ ପରମ ଧର୍ମ ଅଟେ, ବେଦୋକ୍ତ ତ୍ରୟୀ ଧର୍ମ ସର୍ବକାଳରେ ଫଳଦାୟକ ହୁଏ, ଲୋକେ ମନକୁ ସଂଯତ କରି ଶୋକ କରନ୍ତି ନାହିଁ, ସାଧୁୁଜନଙ୍କ ସଙ୍ଗେ ସନ୍ଧି କଲେ ତାହା ଜୀର୍ଣ୍ଣ ହୁଏ ନାହିଁ ।୭୬।

 

ଯକ୍ଷ ପ୍ରଶ୍ନ କଲେ, କ’ଣ ପରିତ୍ୟାଗ କଲେ ପ୍ରିୟ ହୁଅନ୍ତି ? କ’ଣ ପରିତ୍ୟାଗ କଲେ ଶୋକରହିତ ହୁଅନ୍ତି ? କ’ଣ ପରିତ୍ୟାଗ କରି ଅର୍ଥବାନ ହୁଅନ୍ତି ଓ କ’ଣ ପରତ୍ୟାଗ କରି ସୁଖୀ ହୋଇପାରନ୍ତି ?୭୭। ଯୁଧିଷ୍ଠିର ଉତ୍ତର ଦେଲେ, ଅଭିମାନ ପରିତ୍ୟାଗ କଲେ ସମସ୍ତଙ୍କର ପ୍ରିୟ ହୁଅନ୍ତି, କ୍ରୋଧ ପରିତ୍ୟାଗ କଲେ ଶୋକ କରିବାକୁ ହୁଏ ନାହିଁ, କାମ ପରିତ୍ୟାଗ କଲେ ଅର୍ଥବାନ ହୁଅନ୍ତି ଓ ଲୋଭ ପରିତ୍ୟାଗ କଲେ ସୁଖୀ ହୁଅନ୍ତି ।୭୮। ଯକ୍ଷ ପଚାରିଲେ– ବ୍ରାହ୍ମଣଙ୍କୁ କାହିଁପାଇଁ ଦାନ କରନ୍ତି ? ନଟ ଓ ନର୍ତ୍ତକଙ୍କୁ କିପାଇଁ ଦାନ ଦିଅନ୍ତି ? ଭୃତ୍ୟକୁ ଦାନ କରିବାର କାରଣ କଅଣ ଓ ରାଜାଙ୍କୁ ନିମିତ୍ତ ଦାନ କରାଯାଏ ?୭୯। ଯୁଧିଷ୍ଠିର ବୋଇଲେ– ଧର୍ମ ହେବ ବୋଲି ବ୍ରାହ୍ମଣକୁ ଦାନ କରାଯାଏ, ନଟ ଓ ନର୍ତ୍ତକକୁ ଦାନ କଲେ ଯଶ ହୁଏ, ଭୃତ୍ୟକୁ ଯେଉଁ ଦାନ କରାଯାଏ, ତାହାଙ୍କ ଭରଣାଚ୍ଛାଦନ ନିମିତ୍ତ ଓ ଭୟରୁ ରକ୍ଷା ପାଇବା ନିମିତ୍ତ ରାଜାମାନଙ୍କୁ କର ଦେବାକୁ ହୁଏ ।୮୦।

 

ଯକ୍ଷ ବୋଇଲେ– କାହିଁରେ ଲୋକସବୁ ଆବୃତ ହୋଇଅଛି ଓ କି ଦ୍ରବ୍ୟଦ୍ୱାରା ପ୍ରକାଶିତ ହୁଏ ନାହିଁ ? ମିତ୍ରମାନଙ୍କୁ କି ନିମିତ୍ତ ତ୍ୟାଗ କରନ୍ତି ଓ କି ନିମିତ୍ତ ସ୍ୱର୍ଗକୁ ଯାଆନ୍ତି ନାହିଁ ?୮୧। ଯୁଧିଷ୍ଠିର ଉତ୍ତରଦେଲେ, ଲୋକେ ଅଜ୍ଞାନଦ୍ୱାରା ଆଚ୍ଛନ୍ନ ଅଛନ୍ତି । ତମୋଗୁଣ ହେତୁରୁ ପ୍ରକାଶିତ ହୁଅନ୍ତି ନାହିଁ । ଲୋଭବଶତଃ ଲୋକେ, ମିତ୍ରଙ୍କୁ ପରିତ୍ୟାଗ କରନ୍ତି ଓ ସଙ୍ଗ ହେତୁରୁ ସ୍ୱର୍ଗକୁ ଯାଇପାରନ୍ତି ନାହିଁ ।୮୨। ଯକ୍ଷ ପ୍ରଶ୍ନ କଲେ, ପୁରୁଷ କି ପ୍ରକାରେ ମୃତ ହୁଏ ? ରାଜ୍ୟ କି ପ୍ରକାରେ ମୃତ ହୁଏ ? ଶ୍ରାଦ୍ଧ କି ପ୍ରକାର ମୃତ ହୁଏ ଓ କି ପ୍ରକାର ଯଜ୍ଞ ମୃତ ହୁଏ ?୮୩। ଯୁଧିଷ୍ଠିର ପ୍ରତିଭାଷଣ କଲେ– ପୁରୁଷ ଦରିଦ୍ର ହେଲେ ମୃତ ହୁଏ, ଅରାଜକ ହେଲେ ରାଜ୍ୟ ମୃତ ହୁଏ, ଶ୍ରୋତୀୟହୀନ ହେଲେ ଶ୍ରାଦ୍ଧ ମୃତ ହୁଏ ଓ ଦକ୍ଷିଣାହୀନ ହେଲେ ଯଜ୍ଞ ମୃତ ହୁଏ ।୮୪। ଯକ୍ଷ ପଚାରିଲେ, ଦିକ୍‌, ଜଳ, ଅନ୍ନ ଓ ବିଷ କାହାକୁ କୁହାଯାଏ ଏବଂ ଶ୍ରାଦ୍ଧର କାଳ କ’ଣ କହ । ଏଥି ଉତ୍ତାରୁ ଜଳପାନ କର ।୮୫। ଯୁଧିଷ୍ଠିର ଉତ୍ତର ଦେଲେ– ସାଧୁଜନମାନେ ଦିକ୍‌; ଯେ ଆକାଶ ସେହି ଜଳ; ଇନ୍ଦ୍ରିୟ ଯେ ଅନ୍ନ ସେହି, ପ୍ରାର୍ଥନା ବିଷ, ଶ୍ରାଦ୍ଧର କାଳ ବ୍ରାହ୍ମଣ ଅଟେ । ହେ ଯକ୍ଷ ! ଆପଣଙ୍କ ବିବେଚନାରେ କ’ଣ ତାହା ଆପଣ ଜାଣନ୍ତି; ଆପଣ ବୁଦ୍ଧିରେ ଯାହା ଦିଶିଲା ତାହା କହିଲୁ-।୮୬। ପୁନର୍ବାର ଯକ୍ଷ ପଚାରିଲେ– ତପସ୍ୟାର ଲକ୍ଷଣ କ’ଣ ? ଦମ, କ୍ଷମା ଓ ହ୍ରୀ ବୋଲି କାହାକୁ କାହାକୁ କହନ୍ତି ?୮୭।

 

ଯୁଧିଷ୍ଠିର ଉତ୍ତର ଦେଲେ, ସ୍ୱଧର୍ମରେ ନିରତ ରହିବାକୁ ତପସ୍ୟା ଓ ମନର ଦମନକୁ ଦମ କହନ୍ତି । ଶୀତୋଷ୍ଣାଦି ଦ୍ୱନ୍ଦ୍ୱ ସହିବାକୁ କ୍ଷମା ଓ ଅକାର୍ଯ୍ୟରୁ ବିରତ ହେବାକୁ ଲଜ୍ଜା କହନ୍ତି ।୮୮। ଯକ୍ଷ ପଚାରିଲେ, ହେ ରାଜନ୍‌ ! ଜ୍ଞାନ କ’ଣ ? ଶମ କାହାକୁ କହନ୍ତି ? ଉତ୍କୃଷ୍ଟ ଦୟା କ’ଣ ? ସରଳତା ବୋଲି କାହାକୁ କୁହାଯାଏ ?୮୯। ଯୁଧିଷ୍ଠିର ଉତ୍ତରଦେଲେ, ତତ୍ତ୍ୱାର୍ଥ ବୋଧକୁ ଜ୍ଞାନ କହନ୍ତି, ଚିତ୍ତର ଶାନ୍ତିକୁ ଶମ କୁହାଯାଏ । ସବୁ ପ୍ରାଣୀଙ୍କର ସୁଖ ହେଉ ବୋଲି ଯେଉଁ ଅଭିଳାଷ, ତାହାକୁ ଉତ୍କୃଷ୍ଟ ଦୟା କହନ୍ତି । ସମସ୍ତଙ୍କଠାରେ ସମାନ ବୁଦ୍ଧିକୁ ଆର୍ଜବ ବୋଲାଯାଏ ।୯୦। ଯକ୍ଷ ବୋଇଲେ, ପୁରୁଷମାନଙ୍କର ଦୁର୍ଜୟ ଶତ୍ରୁ କିଏ ? ସେମାନଙ୍କର ଅନନ୍ତକ ବ୍ୟାଧି କାହାକୁ କହନ୍ତି ? କିପରି ପୁରୁଷକୁ ସାଧୁ ବୋଲାଯାଏ ଓ ଅସାଧୁ କେଉଁମାନଙ୍କୁ କହନ୍ତି ?୯୧। ଯୁଧିଷ୍ଠିର ଉତ୍ତର ଦେଲେ– ମନୁଷ୍ୟମନଙ୍କର ଯେଉଁ କ୍ରୋଧ, ତାହା ସେମାନଙ୍କର ଶତ୍ରୁ; ତାହାକୁ ଜୟ କରିବା କଠିନ, ଲୋଭ ସେମାନଙ୍କର ବ୍ୟାଧି, ସେହି ବ୍ୟାଧି ତାହାକୁ କଦାପି ତ୍ୟାଗ କରେ ନାହିଁ, ସର୍ବଦା ଥାଏ । ଯେଉଁମାନେ ସର୍ବପ୍ରାଣୀଙ୍କ ହିତକାରୀ, ସେମାନେ ସାଧୁ ବୋଲାନ୍ତି ଓ ଯେଉଁମାନଙ୍କୁ ଅସାଧୁ କୁହାଯାଏ, ସେମାନେ ଅତି ନିର୍ଦ୍ଦୟ ।୯୨।

 

ଯକ୍ଷ ପଚାରିଲେ– ହେ ରାଜନ୍‌ ! ମୋହ କିପରି ? ଅଭିମାନ କାହାକୁ କୁହାଯାଏ ? ଆଳସ୍ୟ କାହାକୁ ଜାଣିବା ? ଶୋକ କାହାକୁ କୁହାଯାଏ ?୯୩। ଯୁଧିଷ୍ଠିର ଉତ୍ତର ଦେଲେ– ଧର୍ମ ବିଷୟରେ ଅନିଭଜ୍ଞ ହେଲେ ମୂଢ କୁହାଯାଏ । ଆପଣାର ଅଭିମାନକୁ ମାନ କହନ୍ତି । ଧର୍ମାଧର୍ମ ନ କରିବା ଆଳସ୍ୟ ଓ ଅଜ୍ଞାନକୁ ଶୋକ ବୋଲାଯାଏ ।୯୪। ଯକ୍ଷ ପଚାରିଲେ– ଋଷିମାନେ ସ୍ଥୈର୍ଯ୍ୟ କାହାକୁ କହନ୍ତି ? ଧୈର୍ଯ୍ୟ କିପରି ସେମାନଙ୍କଦ୍ୱାରା ଉକ୍ତ ହୋଇଅଛି ? ସ୍ନାନ କିପରି ହୁଏ ଓ ଦାନ କାହାକୁ କହନ୍ତି ?୯୫। ଯୁଧିଷ୍ଠିର ପ୍ରତ୍ୟୁତ୍ତର ଦେଲେ, ସ୍ୱଧର୍ମରେ ସ୍ଥିରତାକୁ ଧୈର୍ଯ୍ୟ କହନ୍ତି, ଇନ୍ଦ୍ରିୟମାନଙ୍କୁ ନିଗ୍ରହ କରିବାକୁ ଧେର୍ଯ୍ୟ ବୋଲାଯାଏ, ମନର ମଳତ୍ୟାଗକୁ ସ୍ନାନ କହନ୍ତି, ପ୍ରାଣୀମାନଙ୍କୁ ରକ୍ଷା କରିବାକୁ ଦାନ ବୋଲାଯାଏ ।୯୬। ଯକ୍ଷ ପଚାରିଲେ, କେଉଁ ପୁରୁଷକୁ ପଣ୍ଡିତ ବୋଲି ଜାଣିବ ? ନାସ୍ତିକ କାହାକୁ ବୋଲାଯାଏ ? ମୂର୍ଖ କିଏ ? କାମ କଅଣ ? ମତ୍ସରୀ କାହାକୁ କହନ୍ତି ?୯୭। ଯୁଧିଷ୍ଠିର କହିଲେ, ଯେ ଧର୍ମଜ୍ଞ ହୁଏ, ସେ ପଣ୍ଡିତ; ମୂର୍ଖକୁ ନାସ୍ତିକ କହନ୍ତି, ଯେଉଁ କର୍ମଦ୍ୱାରା ପୁନଃପୁନଃ ଜନ୍ମ ହୁଏ, ତାହାକୁ କାମ କହନ୍ତି ଓ ଅନ୍ୟକୁ ଉତ୍କୃଷ୍ଟ ଦେଖି ହୃଦୟରେ ଯେଉଁ ସନ୍ତାପ ହୁଏ, ତାହାକୁ ମତ୍ସରୀ ବୋଲାଯାଏ ।୯୮। ଯକ୍ଷ ପୁନଶ୍ଚ ପଚାରିଲେ, ଅହଙ୍କାର କିପରି ? ଦମ୍ଭ କିଏ ? ଦୈବ କ’ଣ ଓ ପୈଶୁନ୍ୟ କାହାକୁ ବୋଲାଯାଏ ?୯୯। ଯୁଧିଷ୍ଠିର ପ୍ରତିଭାଷଣ କଲେ, ମହାନ ଅଜ୍ଞାନକୁ ଅହଂକାର କହନ୍ତି, କପଟ ଧର୍ମ ଆଚରଣ କରିବାକୁ ଦମ୍ଭ ଓ ଦାନର ଫଳକୁ ଦୈବ କୁହାଯାଏ ଏବଂ ପରକୁ ଦୋଷ ଦେବାର ନାମ ପୈଶୁନ୍ୟ ।୧୦୦। ଯକ୍ଷ କହିଲେ, ଧର୍ମ, ଅର୍ଥ ଓ କାମ ପରସ୍ପର ବିରୋଧୀ ଅଟନ୍ତି । ଅତଏବ ସେମାନେ କିପରି ଏକତ୍ର ସଂଗତ ହେବେ ?୧୦୧।

 

ଯୁଧିଷ୍ଠିର ଉତ୍ତର ଦେଲେ, ଯେତେବେଳେ ଧର୍ମ ଓ ଭାର୍ଯ୍ୟା ଦୁହେଁ ପରସ୍ପର ବଶବର୍ତ୍ତୀ ହୁଅନ୍ତି, ତେତେବେଳେ ଧର୍ମ, ଅର୍ଥ ଓ କାମ ଏହି ତିନିହେଁ ଏକତ୍ର ସମାବିଷ୍ଟ ହୁଅନ୍ତି ।୧୦୨। ଯକ୍ଷ ପଚାରିଲେ– ଅକ୍ଷୟ ନରକକୁ କିଏ ଗମନ କରନ୍ତି ? ଏହି ପ୍ରଶ୍ନର ଉତ୍ତର ମୋତେ ଶୀଘ୍ର ଦିଅ ।୧୦୩। ଯୁଧିଷ୍ଠିର ଉତ୍ତର ଦେଲେ– ଅକିଞ୍ଚନ ବ୍ରାହ୍ମଣକୁ ଯେ ଦେବି ବୋଲି କହି ଡାକିଆଣେ ଓ ପଶ୍ଚାତ୍ କିଛି ନ ଦେଇ ନାହିଁ କରେ, ସେହି ବ୍ୟକ୍ତି ଅକ୍ଷୟ ନରକକୁ ଗମନ କରେ ।୧୦୪। ଯେଉଁ ବ୍ୟକ୍ତି ବେଦ, ଧର୍ମଶାସ୍ତ୍ର, ବ୍ରାହ୍ମଣ, ଦେବ ଓ ପିତୃଗଣଙ୍କୁ ଅବଜ୍ଞା କରେ ଓ ସେମାନଙ୍କଠାରେ ମିଥ୍ୟାବୁଦ୍ଧି କରେ, ସେହି ବ୍ୟକ୍ତି ଅକ୍ଷୟ ନରକକୁ ଗମନ କରେ ।୧୦୫। ଧନ ଥାଉ ଥାଉ ଯେଉଁ ବ୍ୟକ୍ତି ଦାନ ନ କରେ, କେହି ଯାଚ୍‌ଜ୍ଞା କଲେ, ନାହିଁ ବୋଲି କହେ, ସେହି ବ୍ୟକ୍ତି ଅକ୍ଷୟ ନରକଗାମୀ ହୁଏ ।୧୦୬। ଯକ୍ଷ କହିଲେ– ହେ ରାଜନ୍‌ ! କୁଳ, ଆଚାର ସ୍ୱାଧ୍ୟାୟ ଓ ଶାସ୍ତ୍ରଶ୍ରବଣ ଏମାନଙ୍କ ମଧ୍ୟରୁ କାହାଦ୍ୱାରା ବ୍ରାହ୍ମଣତ୍ୱ ସିଦ୍ଧ ହୁଏ, ତାହା ଉତ୍ତମରୂପେ ନିଶ୍ଚୟ କରି କହ ।୧୦୭। ଯୁଧିଷ୍ଠିର ବୋଇଲେ, ହେ ତାତ ଯକ୍ଷ ! ଶ୍ରବଣ କରନ୍ତୁ; ସଦ୍‌ବଂଶ, ବେଦପାଠ ଅଥବା ବେଦାର୍ଥ ଅବଧାରଣଦ୍ୱାରା ବ୍ରାହ୍ମଣ ହୁଅନ୍ତି ନାହିଁ । ଏଥିରେ ସନ୍ଦେହ କର ନାହିଁ ।୧୦୮। ବ୍ରାହ୍ମଣଙ୍କର କର୍ତ୍ତବ୍ୟ ଯେ ସେମାନେ ଯତ୍ନପୂର୍ବକ ସମ୍ୟକ୍‍ରୂପେ ନିଜର ବୃତ୍ତି ଅର୍ଥାତ୍ ଚରିତ୍ର ରକ୍ଷା କରିବେ । ତାହାର କାରଣ ଏହି ଯେ ଯାହାଙ୍କର ଚରିତ୍ର କ୍ଷୀଣ ନ ହୁଏ, ସେ କ୍ଷୀଣ ହୁଅନ୍ତି ନାହିଁ । ମାତ୍ର ଚରିତ୍ର ଯାହାଙ୍କର ନଷ୍ଟ ହୁଏ, ସେ ସ୍ୱୟଂ ନଷ୍ଟ ହୁଅନ୍ତି ।୧୦୯। ଯେ ପାଠ କରନ୍ତି ଓ ଯେ ପଢାନ୍ତି, ଯେଉଁମାନେ ଶାସ୍ତ୍ର ଚିନ୍ତା କରନ୍ତି, ସେମାନେ ସମସ୍ତେ ବ୍ୟସନୀ ଓ ମୂର୍ଖ ଅଟନ୍ତି । କେବଳ ଯେ ନିଜର ଚରିତ୍ର ରକ୍ଷା କରନ୍ତି ଓ କ୍ରିୟାବାନ ହୁଅନ୍ତି, ସେହି ବ୍ୟକ୍ତି ପଣ୍ଡିତ ।୧୧୦। ଚାରିବେଦ ପଢି ଯେ ଦୁର୍ବୃତ୍ତ ହୁଅନ୍ତି, ସେ ଶୂଦ୍ରଠାରୁ ଅଧିକ ନୁହନ୍ତି । ଯେ ଦମଯୁକ୍ତ ଓ ଅଗ୍ନିହୋତ୍ର ପରାୟଣ, ସେ ବ୍ରାହ୍ମଣ ବୋଲି ଶାସ୍ତ୍ରରେ କଥିତ ହୁଅନ୍ତି ।୧୧୧। ଯକ୍ଷ ପଚାରିଲେ– ଯେ ପ୍ରିୟବଚନ କହନ୍ତି ଓ ଯେ ବିଚାରକାର୍ଯ୍ୟ କରନ୍ତି, ସେମାନଙ୍କର କି ଲାଭ ହୁଏ କହ । ଯେଉଁ ବ୍ୟକ୍ତିଙ୍କର ବହୁତ ମିତ୍ର ହୁଅନ୍ତି ତାହାଙ୍କର କି ଲାଭ ହୁଏ ଓ ଯେଉଁ ବ୍ୟକ୍ତି ଧର୍ମରତ ହୁଅନ୍ତି, ତାହାଙ୍କର ଅବା କି ଲାଭ ହୁଏ ?୧୧୨।

 

ଯୁଧିଷ୍ଠିର ଉତ୍ତର ଦେଲେ, ପ୍ରିୟବାଦୀଙ୍କୁ ସମସ୍ତେ ଶ୍ରଦ୍ଧା କରନ୍ତି । ଯେ ବିଚାର କରି କାର୍ଯ୍ୟ କରନ୍ତି, ତାହାଙ୍କର ସର୍ବ କାର୍ଯ୍ୟରେ ଅଧିକ ଜୟ ହୁଏ । ବହୁସଂଖ୍ୟକ ମିତ୍ର ଯାହାଙ୍କର ଥାଆନ୍ତି, ସେ ସୁଖରେ ବାସ କରନ୍ତି । ଯେ ଧର୍ମରତ ହୁଅନ୍ତି, ତାହାଙ୍କର ସଦ୍‌ଗତି ହୁଏ ।୧୧୩। ଯକ୍ଷ ପଚାରିଲେ– କିଏ ସୁଖୀ ? ଆଶ୍ଚର୍ଯ୍ୟ କ’ଣ ? ପଥ କିଏ ? ସଂସାରରେ ବାର୍ତ୍ତା କ’ଣ ? ଏହି ଚାରି ପ୍ରଶ୍ନର ଉତ୍ତର କହ । ଏଥିର ଉତ୍ତର ଦେଲେ ତୁମ୍ଭର ଯେଉଁ ଭ୍ରାତାମାନେ ମରିଯାଇଅଛନ୍ତି, ସେମାନେ ଜୀବିତ ହେବେ ।୧୧୪। ଯୁଧିଷ୍ଠିର ଉତ୍ତର ଦେଲେ, ହେ ଜଳଚର ! ଯେଉଁ ବ୍ୟକ୍ତି ଦିବସର ପଞ୍ଚମ ଅଥବା ଷଷ୍ଠ ଭାଗରେ ଶାକାନ୍ନ ପାକ ଓ ଆହାର କରି ସ୍ୱଗୃହରେ ବାସ କରନ୍ତି, କାହାର ଧାରନ୍ତି ନାହିଁ ଅଥବା ପ୍ରବାସୀ ହୁଅନ୍ତି ନାହିଁ, ସେହି ବ୍ୟକ୍ତି ସୁଖୀ ।୧୧୫। ଏହି ସଂସାରରେ ପ୍ରାଣୀମାନେ ନିତ୍ୟ ନିତ୍ୟ ମରୁଅଛନ୍ତି; କିନ୍ତୁ ଆଉ ଯେଉଁମାନେ ବଞ୍ଚିଅଛନ୍ତି, ସେମାନେ ଚିରଜୀବୀ ହେବାର ଆଶା କରନ୍ତି । ଏଥିରୁ ବଳି ଆଉ ଆଶ୍ଚର୍ଯ୍ୟ କ’ଣ ଅଛି ?୧୧୬। ତର୍କରେ କୌଣସି ବିଷୟର ନିର୍ଣ୍ଣୟ ହୁଏ ନାହିଁ । ବେଦମାନେ ଭିନ୍ନ ଭିନ୍ନ ଅର୍ଥାତ୍ ଏକପ୍ରକାର ନୁହନ୍ତି । ଋଷିମାନେ ସମସ୍ତେ ନିଜ ନିଜ ବୁଦ୍ଧି ଅନୁସାରେ ଉପଦେଶ ଦିଅନ୍ତି । କୌଣସି ଋଷିଙ୍କର ବଚନ ପ୍ରମାଣ ନୁହେ; ଅର୍ଥାତ୍ ସର୍ବବାଦୀସମ୍ମତ ନୁହେ । ଧର୍ମର ତତ୍ତ୍ୱ ଗୁହ୍ୟ ଅଟେ । ଅତଏବ ମହାଜନମାନେ ଯେଉଁ ପଥରେ ଗମନ କରିଅଛନ୍ତି ଅର୍ଥାତ୍ ଯାହା ଯାହା ଆଚରି ଅଛନ୍ତି, ତାହା ହିଁ ପନ୍ଥା ।୧୧୭। ଏହି ସଂସାର ମହାଅଜ୍ଞାନର କଟାହ, ଅର୍ଥାତ୍ କଡେଇ ପ୍ରାୟ । ଏଥିରେ ପ୍ରାଣୀମାନଙ୍କୁ ନିକ୍ଷେପ କରି ସୂର୍ଯ୍ୟାଗ୍ନିଦ୍ୱାରା ଦିବସରାତ୍ରି କାଷ୍ଠକୁ ଜାଳି କାଳ ପାକ କରୁଅଛନ୍ତି ଏବଂ ମାସ ଓ ଋତୁମାନଙ୍କୁ ଚଟୁକରି ସେହି ପ୍ରାଣୀମାନଙ୍କୁ ତହିଁରେ ଘାଣ୍ଟୁଅଛନ୍ତି । ଏହିଟି ବାର୍ତ୍ତା ବୋଲି ଜାଣିବ ।୧୧୮।

 

ଯକ୍ଷ ବୋଇଲେ, ହେ ପରନ୍ତପ ! ଆମ୍ଭଙ୍କୁ ତୁମ୍ଭେ ପ୍ରଶ୍ନମାନଙ୍କର ପ୍ରତ୍ୟୁତ୍ତର ଯଥାଯଥ ରୂପେ ପ୍ରଦାନ କଲ । ଏବେ ପୁରୁଷ କାହାକୁ କହନ୍ତି ଓ ସର୍ବ ଧନୀ ମନୁଷ୍ୟ କିଏ ? ତାହା ବ୍ୟାଖ୍ୟା କର ।୧୧୯। ଯୁଧିଷ୍ଠିର ପ୍ରତ୍ୟୁତ୍ତର ଦେଲେ, ପୁଣ୍ୟକର୍ମ ହେତୁରୁ ଯେଉଁ ଶବ୍ଦଟି ଭୂମି ଓ ଆକାଶ ସ୍ପର୍ଶ କରେ, ସେହି ଶବ୍ଦ ଯେତେ କାଳ ପର୍ଯ୍ୟନ୍ତ ଥାଏ, ତେତେ କାଳ ପର୍ଯ୍ୟନ୍ତ ସେହି ପୁରୁଷ ଥାଏ ।୧୨୦। ଯାହାଙ୍କର ପ୍ରିୟ ଅପ୍ରିୟ ଦୁହେଁ ସମାନ, ସୁଖ ଓ ଦୁଃଖ ସମାନ, ଅତୀତ ଓ ଭବିଷ୍ୟତ ଦୁହେଁ ତୁଲ୍ୟ, ସେହି ମନୁଷ୍ୟ ସର୍ବ ଧନୀ ।୧୨୧। ଯକ୍ଷ ବୋଇଲେ, ହେ ରାଜନ୍‌ ! ପୁରୁଷ କାହାକୁ କହନ୍ତି, ତାହା ତୁମ୍ଭେ ବ୍ୟାଖା କଲ; ଅତଏବ ତୁମ୍ଭର ଏହି ଭ୍ରାତୃମାନଙ୍କ ମଧ୍ୟରୁ ତୁମ୍ଭେ ଯେଉଁଟିକୁ ଇଚ୍ଛା କର, ସେ ଜୀବିତ ହେଉନ୍ତୁ ।୧୨୨। ଯୁଧିଷ୍ଠିର ପ୍ରତିବଚନ କଲେ, ହେ ଯକ୍ଷ ! ଏହି ଯେଉଁ ଶ୍ୟାମବର୍ଣ୍ଣ, ରକ୍ତାକ୍ଷ, ବୃହତ ଶାଳବୃକ୍ଷ ପ୍ରାୟ ଉନ୍ନତ, ଯାହାଙ୍କର ବକ୍ଷସ୍ଥଳ ବିସ୍ତୀର୍ଣ୍ଣ ଓ ଯେ ମହାବାହୁ, ସେହି ନକୁଳ ଜୀବିତ ହେଉନ୍ତୁ ।୧୨୩। ଯକ୍ଷ ବୋଇଲେ, ଏହି ଭୀମ ତୁମ୍ଭର ପ୍ରିୟ । ଅର୍ଜୁନ ତୁମ୍ଭ ସମସ୍ତଙ୍କର ଆଶ୍ରୟ । ଅତଏବ ଏମାନଙ୍କୁ ଛାଡି ସାପତ୍ନ ଭ୍ରାତାଙ୍କୁ ତୁମ୍ଭେ କି ନିମିତ୍ତ ଜୀବିତ ହେଉ ବୋଲି କହିଲ ?୧୨୪। ଯେଉଁ ଭୀମଙ୍କର ଦଶ ସହସ୍ର ହସ୍ତୀଙ୍କର ବଳ, ସେହି ଭୀମଙ୍କୁ ପରିତ୍ୟାଗ କରି ନକୁଳ ବଞ୍ଚନ୍ତୁ ବୋଲି କାହିଁକି ଇଚ୍ଛା କଲ ?୧୨୫। ସବୁ ମନୁଷ୍ୟ କହନ୍ତି ଯେ ଭୀମସେନ ତୁମ୍ଭର ପ୍ରିୟ, ଅତଏବ ତୁମ୍ଭେ କି ଅନୁମାନ କରି ସାପତ୍ନ ଭାଇଙ୍କର ଜୀବନକୁ ଇଚ୍ଛା କରିଅଛ ?୧୨୬। ସବୁ ପାଣ୍ଡବ ଯାହାଙ୍କର ବାହୁବଳକୁ ଆଶ୍ରୟ କରିଅଛନ୍ତି, ସେହି ଅର୍ଜୁନଙ୍କୁ ଛାଡି କି କାରଣ ନକୁଳ ବଞ୍ଚନ୍ତୁ ବୋଲି କହିଲ ?୧୨୭।

 

ଯୁଧିଷ୍ଠିର ପ୍ରତିଭାଷଣ କଲେ, ଯେ ଧର୍ମକୁ ନଷ୍ଟ କରନ୍ତି, ଧର୍ମ ତାହାଙ୍କୁ ନଷ୍ଟ କରନ୍ତି; ଯେ ଧର୍ମକୁ ରକ୍ଷା କରନ୍ତି, ଧର୍ମ ତାହାଙ୍କୁ ରଖନ୍ତି । ଅତଏବ ଧର୍ମ ବିନଷ୍ଟ ହୋଇ ଆମ୍ଭମାନଙ୍କୁ ବିନଷ୍ଟ ନ କରନ୍ତୁ, ଏହି ବୁଦ୍ଧିରେ ଆମ୍ଭେ ଧର୍ମକୁ ତ୍ୟାଗ କରୁ ନାହିଁ ।୧୨୮। ନୃଶଂସ ନ ହେବା ପରମ ଧର୍ମ, ଆମ୍ଭ ଅଭିମତରେ ପରମାର୍ଥ ଲାଭ ଅପେକ୍ଷା ମଧ୍ୟ ସେ ବଡ । ଅତଏବ ଆମ୍ଭେ ନୃଶଂସ ହେବାକୁ ଇଚ୍ଛା କରୁ ନାହିଁ । ହେ ଯକ୍ଷ ! ନକୁଳ ଜୀବିତ ହେଉନ୍ତୁ ।୧୨୯। ରାଜା ସର୍ବଦା ଧର୍ମଶୀଳ ବୋଲି ଲୋକେ ଆମ୍ଭଙ୍କୁ ଜାଣନ୍ତୁ, ଏଣୁକରି ଆମ୍ଭେ ଧର୍ମପଥରୁ ବିଚଳିତ ହେବୁ ନାହିଁ । ହେ ଯକ୍ଷ ! ନକୁଳ ଜୀଅନ୍ତୁ ।୧୩୦। ଆମ୍ଭ ପିତାଙ୍କର ଦୁଇ ପତ୍ନୀ, କୁନ୍ତୀ ଓ ମାଦ୍ରୀ । ଦୁହେଁ ସପୁତ୍ରା ହେଉନ୍ତୁ । ଅର୍ଥାତ୍ ଦୁହିଁଙ୍କର ଗୋଟିଏ ଗୋଟିଏ ପୁତ୍ର ହେଲେ ଜୀବିତ ଥାଆନ୍ତୁ । ଆମ୍ଭର ଏହିପରି ବିଚାର ।୧୩୧। ଆମ୍ଭର କୁନ୍ତୀ ଯେପରି, ମାଦ୍ରୀ ମଧ୍ୟ ସେହିପରି; ଅତଏବ ଆମ୍ଭେ ମାତୃମାନଙ୍କର ସମାନତା ଇଚ୍ଛା କରୁ । ହେ ଯକ୍ଷ ! ନକୁଳ ଜୀବିତ ହେଉନ୍ତୁ ।୧୩୨। ଯକ୍ଷ କହିଲେ, ହେ ଭରତର୍ଷଭ ! ଯେହେତୁ ତୁମ୍ଭେ ଅର୍ଥ ଓ କାମ ଅପେକ୍ଷା ଦୟା ଓ ସମତା ଅଧିକ ବୋଲି ତୁମ୍ଭର ଅଭିମତ, ଏଣୁ ତୁମ୍ଭର ଭାଇମାନେ ଜୀବିତ ହୁଅନ୍ତୁ ।୧୩୩।

 

॥ ଅଧ୍ୟାୟ – ୩୧୪ ॥

 

ବୈଶମ୍ପାୟନ ବୋଇଲେ, ଯକ୍ଷଙ୍କ ବଚନାନୁସାରେ ସେହି ପାଣ୍ଡବମାନେ ଉଠି ବସିଲେ ଓ କ୍ଷଣକ ମଧ୍ୟରେ ସେମାନଙ୍କର କ୍ଷୁଧା ଓ ପିପାସା ଅନ୍ତର୍ହିତ ହେଲା ।୧। ଯୁଧିଷ୍ଠିର କହିଲେ, ଏହି ସରୋବରରେ ଏକପାଦରେ ଆପଣ ଉଭାହୋଇ ଅଛନ୍ତି । ଆପଣ କାହାରିଦ୍ୱାରା ପରାଜିତ ହୁଅନ୍ତି ନାହିଁ । ଆପଣ ଯକ୍ଷ ବୋଲି ମୋତେ ବୋଧ ହେଉନାହିଁ । ହେ ଭଗବନ୍‌ ! ଆପଣ କିଏ, କହିବା ହେଉନ୍ତୁ । ଆପଣ ବସୁଗଣଙ୍କର ଅଗ୍ରଗଣ୍ୟ ବା ରୁଦ୍ରଗଣଙ୍କ ଶ୍ରେଷ୍ଠ କିମ୍ବା ମରୁଦ୍‌ଗଣଙ୍କ ପ୍ରଧାନ ଅଥବା ସୂର୍ଯ୍ୟ ବା ବଜ୍ରଧାରୀ ତ୍ରିଦଶେଶ୍ୱର ହେବେ ?୩। ଆମ୍ଭର ଏହି ଭ୍ରାତୃଗଣଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି ଲକ୍ଷେ ଲୋକଙ୍କ ସହିତ ଯୁଦ୍ଧ କରିବାକୁ ସମର୍ଥ ଅଟନ୍ତି । ଏମାନଙ୍କୁ ଏକାବେଳକେ ନିପାତିତ କରିପାରନ୍ତି ଏପରି ଯୋଦ୍ଧା କିଏ ? ଆମ୍ଭେ ତାହାଙ୍କୁ ଦେଖି ପାରି ନାହୁଁ । ଏମାନଙ୍କ ଇନ୍ଦ୍ରିୟସବୁକୁ ଚାହିଁଲାକ୍ଷଣି ଜଣାଯାଉଅଛି ଯେ ଏମାନେ ସୁଖସୁପ୍ତ ଥିଲେ ଓ ନିଦ୍ରାଭଙ୍ଗ ହେବାରୁ ଉଠି ଆସୁଅଛନ୍ତି-। ଅତଏବ ଆପଣ କଅଣ ଆମ୍ଭମାନଙ୍କର କୌଣସି ସୃହୁଦ୍ ଅଥବା ପିତା ଅଟନ୍ତି ? କହିବା ହେଉନ୍ତୁ-।୫। ଯକ୍ଷ ଉତ୍ତର ଦେଲେ, ହେ ତାତ ! ଭରତଶ୍ରେଷ୍ଠ ! ଆମ୍ଭେ ତୁମ୍ଭର ଜନକ, କଠୋର ପରାକ୍ରମ ଧର୍ମ ଅଟୁ । ତୁମ୍ଭକୁ ଦର୍ଶନ ପାଇବା ଇଚ୍ଛାରେ ସମାଗମନ କରିଅଛୁଁ । ତୁମ୍ଭେ ଆମ୍ଭଙ୍କୁ ଜାଣ-।୬।

 

ଯଶ,ସତ୍ୟ, ଦମ, ଶୌଚ, ଆର୍ଜବ, ଲଜ୍ଜା, ସ୍ଥୈର୍ଯ୍ୟ, ଦାନ, ତପସ୍ୟା, ବ୍ରହ୍ମଚର୍ଯ୍ୟ ଯେ ସବୁ ମୋର ଶରୀର । ଯେହେତୁ ତୁମ୍ଭେ ଆମ୍ଭର ସର୍ବଦା ପ୍ରିୟପାତ୍ର; ଅତଏବ ଆମ୍ଭେ ତୁମ୍ଭଙ୍କୁ କହିଲୁ । ପୂର୍ବ ଓ ପୁଣ୍ୟଜନକ ସୌଭାଗ୍ୟ ହେତୁରୁ ତୁମ୍ଭେ ଶମ, ଦମ, ତିତିକ୍ଷା ଓ ସମାଧିରେ ରତ ହୋଇଅଛ-। ଏହି ସାଧନଦ୍ୱାରା ତୁମ୍ଭେ ଆମ୍ଭଙ୍କୁ ଦର୍ଶନ କରିବାକୁ ସମର୍ଥ ହେବ । ପ୍ରାଣୀମାନଙ୍କର ଦେହର ଧର୍ମ– କ୍ଷୁଧା, ପିପାସା, ଶୋକ, ମୋହ, ଜରା ଓ ମୃତ୍ୟୁ ଏହି ଛଅଟିକୁ ସୁଦ୍ଧା ସୌଭାଗ୍ୟକ୍ରମେ ତୁମ୍ଭେ ଜୟ କରିଅଛ । ସେହି ଛଅଟି ମଧ୍ୟରୁ ପ୍ରଥମ ଦିଓଟି ଜନ୍ମ ହେଲାକ୍ଷଣି ଆବିର୍ଭୂତ ହୁଏ; ମଧ୍ୟ ଦିଓଟି ତାରୁଣ୍ୟରେ ଉତ୍ପନ୍ନ ହୁଏ ଓ ଶେଷ ଦୁଇଟି ଚରମ କାଳରେ ଜାତ ହୁଏ ।୯। ହେ ଅନଘ ! ତୁମ୍ଭର କଲ୍ୟାଣ ହେଉ; ଆମ୍ଭେ ତୁମ୍ଭର ପିତା ଧର୍ମ, ଏଥି ନିମିତ୍ତ ତୁମ୍ଭଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଏ ସ୍ଥାନକୁ ଆଗମନ କରିଥିଲୁଁ । ଏବେ ତୁମ୍ଭର ଦୟା ଦେଖି ତୁଷ୍ଟ ହେଲୁଁ । କି ବର ଯାଚ୍‌ଜ୍ଞା କରୁଅଛ, କହ । ଆମ୍ଭେ ସେହି ବର ଦାନ କରିବୁଁ ।୧୦। ହେ ନିଷ୍ପାପ ! ରାଜେନ୍ଦ୍ର ! ତୁମ୍ଭେ ବର ପ୍ରାର୍ଥନା କର-। ଆମ୍ଭେ ନିଶ୍ଚୟ ତୁମ୍ଭଙ୍କୁ ସେ ବର ପ୍ରଦାନ କରିବୁଁ । ଯେଉଁ ପୁରୁଷମାନେ ଆମ୍ଭର ଭକ୍ତ ହୁଅନ୍ତି, ସେମାନଙ୍କର କଦାପି ଦୁର୍ଗତି ହୁଏ ନାହିଁ ।୧୧।

 

ଯୁଧିଷ୍ଠିର କହିଲେ, ଯେଉଁ ବ୍ରାହ୍ମଣଙ୍କର ଅରଣୀ ଓ ମନ୍ଥନ ଦଣ୍ଡ ହରିଣ ହରଣ କରି ନେଇ ଯାଇଅଛି, ତାହାଙ୍କର ଅଗ୍ନି ବିଲୁପ୍ତ ନ ହେଉ । ଏହା ଆମ୍ଭର ପ୍ରଥମ ବର ଅଟେ ।୧୨। ଯକ୍ଷ କହିଲେ, ହେ କୌନ୍ତେୟ, ତୁମ୍ଭଙ୍କୁ ବିଡିବା ନିିମିତ୍ତ ଆମ୍ଭେ ମୃଗ ବେଶରେ ସେହି ବ୍ରାହ୍ମଣଙ୍କର ଅରଣୀ ସହିତ ମନ୍ଥନଦଣ୍ଡ ହରଣ କରିନେଇଥିଲୁ । ବୈଶମ୍ପାୟନ କହିଲେ, ଭଗବାନ ‘ତୁମ୍ଭଙ୍କୁ ଏହି ବର ଦେଲୁ’ ବୋଲି କହିଲେ । ଆହୁରି କହିଲେ– ହେ ଅମରସଦୃଶ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭେ ଅନ୍ୟ ବର ପ୍ରାର୍ଥନା କର । ଏହିପରି ଉତ୍ତର ଦେଲେ ।୧୪। ଯୁଧିଷ୍ଠିର କହିଲେ, ଆମ୍ଭେମାନେ ବିପିନରେ ବାସ କରି ଦ୍ୱାଦଶ ବର୍ଷ ଅତିବାହିତ କଲୁ । ଏବେ ତ୍ରୟୋଦଶ ବର୍ଷ ଉପସ୍ଥିତ । ଏହି ବର୍ଷ କୌଣସି ସ୍ଥାନରେ ଆମ୍ଭେ ବାସ କରିବା ସମୟରେ ମନୁଷ୍ୟମାନେ ଯେପରି ଆମ୍ଭଙ୍କୁ ଚିହି୍ନ ନ ପାରନ୍ତି ।୧୫। ବୈଶମ୍ପାୟନ କହିଲେ, ଭଗବାନ ଧର୍ମ କହିଲେ, ତୁମ୍ଭଙ୍କୁ ଏହି ବର ପ୍ରଦାନ କଲୁ । ଏହା କହି ସତ୍ୟବିକ୍ରମ କୁନ୍ତୀନନ୍ଦନଙ୍କୁ ଆହୁରି ଆଶ୍ୱାସ ଦେଲେ ।୧୬। ହେ ଭାରତ ! ଯଦି ତୁମ୍ଭେ ନିଜ ନିଜ ରୂପରେ ସୁଦ୍ଧା ଏହି ପୃଥିବୀମଣ୍ଡଳରେ ଭ୍ରମଣ କରିବ, ତେବେ ସୁଦ୍ଧା ତୁମ୍ଭମାନଙ୍କୁ କେହି ଚିହ୍ନିପାରିବେ ନାହିଁ ।୧୭। ହେ କୁରୁଶ୍ରେଷ୍ଠଗଣ ! ତୁମ୍ଭେମାନେ ଆମ୍ଭ ପ୍ରସାଦରୁ ବିରାଟ ନଗରରେ ମୂଢ ଭାବରେ ଲୋକଙ୍କ ଅଜ୍ଞାତରେ ଏହି ତ୍ରୟୋଦଶ ବର୍ଷ ଅତିବାହିତ କରିବ ।୧୮। ତୁମ୍ଭମାନଙ୍କ ମଧ୍ୟରୁ ଯାହାଙ୍କର ଯେଉଁ ରୂପ ଧରିବାକୁ ଇଚ୍ଛା ହେବ, ସେ ସେହି ରୂପ ଧାରଣ କରିପାରିବ ।୧୯। ସମ୍ପ୍ରତି ତୁମ୍ଭେମାନେ ଅରଣୀ ସହିତ ଏହି ମନ୍ଥନଦଣ୍ଡକୁ ନେଇ ବ୍ରାହ୍ମଣଙ୍କୁ ଦିଅ । ତୁମ୍ଭମାନଙ୍କ ପରୀକ୍ଷା ନିମିତ୍ତ ଆମ୍ଭେ ମୃଗରୂପ ହୋଇ ଏହାକୁ ହରଣ କରିଥିଲୁଁ ।୨୦।

 

ହେ ସୌମ୍ୟ, ଯୁଧିଷ୍ଠିର ! ତୁମ୍ଭେ ଅପର ବର ଇଚ୍ଛାନୁସାରେ ପ୍ରାର୍ଥନା କର । ଆମ୍ଭେ ତୁମ୍ଭଙ୍କୁ ସେହି ବର ପ୍ରଦାନ କରିବୁଁ । ହେ ନୃପଶ୍ରେଷ୍ଠ ! ତୁମ୍ଭଙ୍କ ସବୁ ବର ଦେଇ ସୁଦ୍ଧା ଆମ୍ଭର ତୃପ୍ତି ହେଉ ନାହିଁ । ଅତଏବ, ହେ ପୁତ୍ର ! ତୁମ୍ଭେ ତୃତୀୟ ଅଦ୍ୱିତୀୟ ଉତ୍କୃଷ୍ଟ ବର ପ୍ରାର୍ଥନା କର । ହେ ରାଜନ୍‌ ! ତୁମ୍ଭେ ଆମ୍ଭଠାରୁ ଉତ୍ପନ୍ନ ହୋଇଅଛ ଓ ବିଦୁର ମଧ୍ୟ ଆମ୍ଭ ଅଂଶରେ ଜନ୍ମ ଗ୍ରହଣ କରିଅଛନ୍ତି ।୨୨। ଯୁଧିଷ୍ଠିର ବୋଇଲେ–ପିତଃ ! ଆପଣ ସନାତନ ଦେବଦେବ ! ଆପଣଙ୍କର ଆମ୍ଭେ ଯେ ସାକ୍ଷାତ୍ ଦର୍ଶନ ପାଇଲୁ, ଏହା ଯଥେଷ୍ଟ ହୋଇଅଛି । ସମ୍ପ୍ରତି ଆପଣ ତୁଷ୍ଟ ହୋଇ ଆମ୍ଭଙ୍କୁ ଯେଉଁ ବର ଦେବେ, ଆମ୍ଭେ ସେହି ବର ଗ୍ରହଣ କରିବୁ ।୨୩। ହେ ବିଭୋ ! ଲୋଭ, ମୋହ ଓ କ୍ରୋଧ ଆମ୍ଭେ ଯେପରି ସର୍ବଦା ଜୟ କରିପାରିବୁ ଓ ଆମ୍ଭର ମନ ଯେପରି ଦାନ, ତପସ୍ୟା ଓ ସତ୍ୟରେ ସନ୍ତତ ରତ ହେବ ।୨୪। ଧର୍ମ କହିଲେ, ହେ ପାଣ୍ଡବ ! ତୁମ୍ଭେ ସ୍ୱଭାବରେ ଏହିସବୁ ଗୁଣରେ ବିଭୂଷିତ ହୋଇଅଛ । ତୁମ୍ଭେ ସାକ୍ଷାତ୍ ଧର୍ମ, ତଥାପି ତୁମ୍ଭେ ସମ୍ପ୍ରତି ଯାହା ପ୍ରାର୍ଥନା କଲ; ତାହା ତୁମ୍ଭଙ୍କୁ ମିଳିବ ।୨୫। ବୈଶମ୍ପାୟନ ବୋଇଲେ, ଲୋକଭାବନ, ଭଗବାନ ଧର୍ମ ଏହି କଥା କହି ଅନ୍ତର୍ହିତ ହେଲେ ଓ ସୁଖସୁପ୍ତ ମନସ୍ୱୀ ପାଣ୍ଡବଗଣ ମଧ୍ୟ ପରସ୍ପର ଆଲିଙ୍ଗନାଦିଦ୍ୱାରା ସମାଗତ ହେଲେ ।୨୬। ସେହି ବୀରମାନେ କ୍ଲାନ୍ତିବିହୀନ ହୋଇ ଆଶ୍ରମକୁ ଗମନପୂର୍ବକ ତପସ୍ୱୀ ବ୍ରାହ୍ମଣଙ୍କୁ ଅରଣୀ ସହ ମନ୍ଥନଦଣ୍ଡକୁ ପ୍ରଦାନ କଲେ ।୨୭। ଭୀମାଦିଙ୍କର ପୁନର୍ଜୀବନ ଓ ପିତା ଧର୍ମଙ୍କ ସଙ୍ଗରେ ଯୁଧିଷ୍ଠିରଙ୍କର ସମାଗମସ୍ୱରୂପ ଏହି କୀର୍ତ୍ତିବର୍ଦ୍ଧନ ମହତ ଉପାଖ୍ୟାନକୁ ଯେ ପାଠ କରିବେ, ସେ ଜିତେନ୍ଦ୍ରିୟ, ବଂଶୀ, ଶାଳୀ, ପୁତ୍ରପୌତସମ୍ପନ୍ନ ଓ ଶତବର୍ଷ ପରାମାୟୁଶାଳୀ ହେବେ ।୨୮।

 

ଯେଉଁ ମାନବମାନେ ଏହି ଶୁଭ ଉପାଖ୍ୟାନକୁ ବିଶେଷରୂପେ ହୃଦୟଙ୍ଗମ କରିବେ, ତାହାଙ୍କର ମନ ଅଧର୍ମରେ କଦାପି ରତ ହେବ ନାହିଁ । ତାହାଙ୍କର ସୃହୁଦ୍ ବର୍ଗଙ୍କ ସହିତ ଭେଦ ହେବ ନାହିଁ । ପରଧନ ହରଣ, ପରଦାରମର୍ଷଣ ଓ କୃପଣତାରେ ସେମାନଙ୍କର ପ୍ରବୃତ୍ତି ହେବ ନାହିଁ-।୨୯।

 

॥ ଅଧ୍ୟାୟ – ୩୧୫ ॥

 

ବୈଶମ୍ପାୟନ ବୋଇଲେ, ସତ୍ୟବିକ୍ରମ, ସ୍ୱଧର୍ମରତ, ଧୃତବ୍ରତ, ମହାତ୍ମା ପାଣ୍ଡବମାନେ ତ୍ରୟୋଦଶ ବର୍ଷରେ ଛଦ୍ମବେଶରେ ଅଜ୍ଞାତବାସ କରିବା ଅଭିଳାଷରେ ଧର୍ମଙ୍କର ଅନୁଜ୍ଞା ପ୍ରାପ୍ତ ହୋଇ ସେମାନଙ୍କ ସଙ୍ଗରେ ବନବାସ କାଳରେ ଯେଉଁ ବ୍ରତଧାରୀ ବିଦ୍ୟାବନ୍ତ ତପସ୍ୱୀମାନେ ଥିଲେ ଅନୁମତି ଗ୍ରହଣ କରିବା ନିମିତ୍ତ ସେମାନଙ୍କ ସମୀପରେ ଉପବେଶନ କଲେ । ତତ୍ପରେ କୃତାଞ୍ଜଳି ହୋଇ ସେମାନଙ୍କଠାରେ ନିବେଦନ କଲେ । ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଯେଉଁ କପଟତାଦ୍ୱାରା ଆମ୍ଭମାନଙ୍କର ରାଜ୍ୟକୁ ହରଣ କରିଅଛନ୍ତି ଓ ଆମ୍ଭମାନଙ୍କ ପ୍ରତି ଯେଉଁ ଅନ୍ୟାୟ କରିଅଛନ୍ତି, ତାହାସବୁ ଆପଣମାନଙ୍କୁ ବିଦିତ ଅଛି ।୪। ଆମ୍ଭେମାନେ ଅତି କଷ୍ଟରେ ଦ୍ୱାଦଶ ବର୍ଷ ବନରେ ବାସକଲୁଁ । ସମ୍ପ୍ରତି ଅଜ୍ଞାତବାସ ନିମିତ୍ତ ଆଉ ଏକ ବର୍ଷ ଅବଶିଷ୍ଟ ଅଛି । ଅତଏବ ଆପଣମାନେ ଅନୁଜ୍ଞା ଦେଉନ୍ତୁ । ଆମ୍ଭେମାନେ ପ୍ରଚ୍ଛନ୍ନ ବାସରେ ସେହି ବର୍ଷକୁ ଅତିବାହିତ କରିବୁ । ଦୁଷ୍ଟାତ୍ମା ଦୁର୍ଯ୍ୟୋଧନ, କର୍ଣ୍ଣ ଓ ଶକୁନି ଆମ୍ଭମାନଙ୍କର ଅତିଶୟ ବୈରୀ; ସେମାନେ ଚରସବୁ ନିଯୁକ୍ତ କରିଅଛନ୍ତି । ଏହା ଆପଣମାନେ ଜାଣନ୍ତି । ଅତଏବ ସେମାନେ ଆମ୍ଭଙ୍କୁ ଚିହ୍ନିପାରିଲେ ଆମ୍ଭମାନଙ୍କର ଆଶ୍ରିତ ପୌର ଓ ସ୍ୱଜନମାନଙ୍କର ବିଶେଷ ଅନିଷ୍ଟ ହେବ ।୭। ହାୟ ! ପୁନର୍ବାର ଆମ୍ଭମାନଙ୍କର କ’ଣ ସେହି ଦଶା ହେବ ଯେ ଆମ୍ଭେମାନେ ବ୍ରାହ୍ମଣଗଣଙ୍କ ସହିତ ସ୍ୱୀୟ ରାଜ୍ୟରେ ଅବସ୍ଥାନ କରିବୁଁ ।୮।

ବୈଶମ୍ପାୟନ କହିଲେ, ନିର୍ମଳସ୍ୱଭାବ, ଧର୍ମସୁତ, ରାଜା ଯୁଧିଷ୍ଠିର ତତ୍କାଳରେ ଏହିରୂପେ କହି ଦୁଃଖ, ଶୋକାର୍ତ୍ତ ଓ ବାଷ୍ପରୁଦ୍ଧ ହୋଇ ମୂର୍ଚ୍ଛିତ ହେଲେ ।୯। ପରେ ଭ୍ରାତୃଗଣଙ୍କ ସହିତ ଯୁଧିଷ୍ଠିରଙ୍କୁ ସେହି ବ୍ରାହ୍ମଣମାନେ ଆଶ୍ୱାସିତ କଲେ । ପୁରୋହିତ ଧୌମ୍ୟ ତତ୍କାଳରେ ନରପତିଙ୍କୁ ଅତି ମହାନ ଅର୍ଥଯୁକ୍ତ ବଚନ କହିଲେ ।୧୦। ହେ ରାଜନ୍‌ ! ଆପଣ ବିଦ୍ୱାନ୍‌, ଦମଯୁକ୍ତ, ସତ୍ୟସନ୍ଧ ଓ ଜିତେନ୍ଦ୍ରିୟ ଅଟନ୍ତି । ଏ ପ୍ରକାର ଗୁଣସମ୍ପନ୍ନ ମାନବମାନେ କୌଣସି ଆପଦରେ ସୁଦ୍ଧା ପ୍ରକୃଷ୍ଟ ରୂପେ ମୃଗ୍ଧ ହୁଅନ୍ତି ନାହିଁ ।୧୧। ମହାତ୍ମା ଦେବତାମାନେ ମଧ୍ୟ ଶତ୍ରୁଙ୍କ ନିଗ୍ରହ ନିମିତ୍ତ ନାନା ସ୍ଥାନରେ ପ୍ରଚ୍ଛନ୍ନ ବେଶରେ ରହି ଅନେକ ଥର ବହୁବିଧ ଆପଦ ପ୍ରାପ୍ତ ହୁଅନ୍ତି ।୧୨। ଦେଖନ୍ତୁ, ସୁରପତି ଶତକ୍ରତୁ ଶତ୍ରୁଗଣଙ୍କୁ ନିଗ୍ରହ କରିବା କାରଣ ନିଷଧ ଦେଶକୁ ଯାଇ ସେଠାରେ ଗିରିପ୍ରସ୍ଥାଶ୍ରମରେ ପ୍ରଚ୍ଛନ୍ନରୂପେ ବାସ କରି ସ୍ୱକାର୍ଯ୍ୟ ସାଧନ କରିଥିଲେ ।୧୩। ବିଷ୍ଣୁ ମାନବରୂପ ଧରି ଅଦିତିଙ୍କ ଗର୍ଭରେ ବାସ କରିବା ପୂର୍ବରୁ ହୟଗ୍ରୀବ ଅବତାର ହୋଇ ଦୈତ୍ୟମାନଙ୍କ ସଂହାର ନିମିତ୍ତ ବହୁକାଳ ଅଜ୍ଞାତ ଭାବରେ ବାସ କରିଥିଲେ ।୧୪। ପରେ ବ୍ରହ୍ମରୂପୀ ବାମନଙ୍କ ଆକାରରେ ପ୍ରଚ୍ଛନ୍ନ ହୋଇ ବିକ୍ରମତ୍ରୟଦ୍ୱାରା ଯେପରି ବଳିଙ୍କ ସାମ୍ରାଜ୍ୟ ହରଣ କରିଥିଲେ ତାହା ମଧ୍ୟ ଆପଣଙ୍କର କର୍ଣ୍ଣଗୋଚର ହୋଇଅଛି ।୧୫। ହୁତାଶନ ଜଳ ମଧ୍ୟରେ ଗୋପନ ଭାବରେ ପ୍ରବିଷ୍ଟ ହୋଇ ଯେପରି ସୁରକାର୍ଯ୍ୟ ସାଧନ କରିଥିଲେ, ସେହିସବୁ ବୃତ୍ତାନ୍ତକୁ ଆପଣ ଶ୍ରବଣ କରିଅଛନ୍ତି ।୧୬।

ହେ ଧର୍ମଜ୍ଞ ! ଅରାତି ନିଗ୍ରହ କରିବା ଉଦ୍ଦେଶ୍ୟରେ ଗୁପ୍ତ ବେଶରେ ହରି ଯେପରି ଇନ୍ଦ୍ରଙ୍କ ବଜ୍ର ମଧ୍ୟରେ ପ୍ରବିଷ୍ଟ ହୋଇ ଯେଉଁ କାର୍ଯ୍ୟ ନିର୍ବାହ କରିଥିଲେ, ତାହା ମଧ୍ୟ ଆପଣ ଶ୍ରବଣ କରିଅଛନ୍ତ୍‌ି । ହେ ତାତ ! ହେ ପୃଣ୍ୟାତ୍ମନ୍‌ ! ବ୍ରହ୍ମ ଔର୍ବ ତତ୍‌କାଳରେ ଜନନୀଙ୍କ ଉରୁଦେଶରେ ଲୁଚି ରହି ସୁରଗଣଙ୍କର ଯେଉଁ ଉପକାର କରିଥିଲେ, ତାହା ମଧ୍ୟ ଆପଣ ଶୁଣିଅଛନ୍ତି ।୧୮। ହେ ତାତ ! ଉତ୍ତମତେଜା ପ୍ରଭାକର ଏହିରୂପେ ପ୍ରଚ୍ଛନ୍ନ ଭାବରେ ନିଖିଳ ଭୂତମଣ୍ଡଳରେ ବାସକରି ସମୁଦାୟ ଶତ୍ରୁଙ୍କୁ ଦଗ୍ଧ କରିଥିଲେ ।୧୯। ଅଥଚ ଭୀମକର୍ମା ବିଷ୍ଣୁ ପ୍ରଚ୍ଛନ୍ନ ରୂପରେ ଦଶରଥଙ୍କ ସଦନରେ ବାସ କରି ଦଶାନନଙ୍କୁ ସମରରେ ସଂହାର କରିଥିଲେ ।୨୦। ମହାତ୍ମାମାନେ ନାନାସ୍ଥାନରେ ଏହିରୂପେ ପ୍ରଚ୍ଛନ୍ନ ଭାବରେ ରହି ସମରରେ ଶତ୍ରୁମାନଙ୍କୁ ପରାଜିତ କରିଥିଲେ । ଅତଏବ ଆପଣ ମଧ୍ୟ ସେହିପରି ଶତ୍ରୁମାନଙ୍କୁ ଜୟ କରିବା ହେବେ ।୨୧। ଧର୍ମଜ୍ଞ ଯୁଧିଷ୍ଠିର ଧୌମ୍ୟଙ୍କର ସେହି ବଚନ ଶ୍ରବଣ କରି ପରିତୁଷ୍ଟ ହୋଇ ଶାସ୍ତ୍ରବୁଦ୍ଧି ଓ ସ୍ୱବୁଦ୍ଧିଦ୍ୱାରା ଧୈର୍ଯ୍ୟାବଲମ୍ବନ କଲେ । ଅନନ୍ତର ବୀର୍ଯ୍ୟଶାଳୀ ମହାବଳ ଭୀମସେନ ଏହାଦ୍ୱାରା ହର୍ଷାନ୍ୱିତ ହୋଇ ଏହିକଥା କହିଲେ, ମହାରାଜ ! ଗାଣ୍ଡୀବଧନ୍ୱା ଧନଞ୍ଜୟ ଧର୍ମାନୁଗତ ବୁଦ୍ଧିର ବଶବର୍ତ୍ତୀ ହୋଇ ଆପଣଙ୍କ ମୁଖକୁ ଚାହିଁ କିଛିମାତ୍ର ସାହସ ପ୍ରକାଶ କଲେ ନାହିଁ ।୨୪। ମହାବିକ୍ରମ ନକୁଳ ଓ ସହଦେବ ଏମାନଙ୍କୁ ନିବାରିତ କରି ରଖିଅଛୁ ।୨୫। ମହାବିକ୍ରମ ନକୁଳ ଓ ସହଦେବ ମଧ୍ୟ ସେହି ଶତ୍ରୁଙ୍କୁ ବିଧ୍ୱଂସ କରିବାରେ ସମର୍ଥ ଅଟନ୍ତି; କିନ୍ତୁ ଆମ୍ଭେ ସବୁବେଳେ ଏମାନଙ୍କୁ ନିବାରିତ କରି ରଖିଅଛୁଁ ।୨୫। ପରନ୍ତୁ ଆପଣ ଆମ୍ଭମାନଙ୍କୁ ଯେଉଁ କାର୍ଯ୍ୟରେ ନିଯୁକ୍ତ କରିବା ହେବେ, ଆମ୍ଭେମାନେ କଦାପି ସେହି କାର୍ଯ୍ୟକୁ ପରିତ୍ୟାଗ କରି ଆସିବୁ ନାହିଁ; ଅବଶ୍ୟ ସିଦ୍ଧ କରିବୁ । ଅତଏବ ଆପଣ ସେ କାର୍ଯ୍ୟ ସବୁର ବିଧାନ କରନ୍ତୁ । ଆମ୍ଭେମାନେ ଅବିଳମ୍ବେ ଶତ୍ରୁଗଣଙ୍କୁ ପରାଜିତ କରିବୁ ।୨୬। ଭୀମସେନଙ୍କ ଉକ୍ତି ପରେ ବ୍ରାହ୍ମଣମାନେ ପାଣ୍ଡବଙ୍କ ପ୍ରତି ପରମ ଆଶୀର୍ବାଦ ପ୍ରୟୋଗ କଲେ ଓ ସେମାନଙ୍କ ଠାରୁ ବିଦାୟ ଗ୍ରହଣ କରି ସ୍ୱ ସ୍ୱ ଭବନକୁ ଗମନ କଲେ ।୨୭।

ସେହିସବୁ ବେଦଜ୍ଞ ପ୍ରଧାନ, ଯତି ଓ ମୁନିଗଣ ପାଣ୍ଡବମାନଙ୍କୁ ପୁନର୍ବାର ଦର୍ଶନ କରିବାକୁ ଅଭିଳାଷୀ ହୋଇ ବିଧିପୂର୍ବକ ଆଶୀର୍ବଚନ ପ୍ରୟୋଗ କରି ପ୍ରସ୍ଥିତ ହେଲେ । ସୁବିଦ୍ୟା ଓ ବୀର୍ଯ୍ୟସମ୍ପନ୍ନ ଧନୁର୍ଦ୍ଧାରୀ ପଞ୍ଚପାଣ୍ଡବ ଉତ୍‌ଥିତ ହୋଇ କୃଷ୍ଣାଙ୍କୁ ଘେନି ଧୌମ୍ୟଙ୍କ ସମଭିବ୍ୟାହାରରେ ପ୍ରସ୍ଥାନ କଲେ ।୨୯। ସେହି ନରଶ୍ରେଷ୍ଠମାନେ ପୃଥକ୍ ପୃଥକ୍ ଶାସ୍ତ୍ରାଭିଜ୍ଞ, ଶାସ୍ତ୍ରବିଶାରଦ ଓ ସମସ୍ତେ ସନ୍ଧିବିଗ୍ରହର କାଳଜ୍ଞ; ସୁତରାଂ ପରଦିନ ଅଜ୍ଞାତବାସ ନିମିତ୍ତ ଉଦ୍ୟତ ହୋଇ ବିଜନରେ ପରାମର୍ଶ କରିବା ଅଭିପ୍ରାୟରେ ସେହି ସ୍ଥାନରୁ ଏକ କ୍ରୋଶ ଅନ୍ତରକୁ ଗମନ କରି ସେଠାରେ ମନ୍ତ୍ରଣା କରିବାକୁ ସମ୍ୟକ୍ ପ୍ରକାରେ ଉପବିଷ୍ଟ ହେଲେ ।୩୧।

Image